ଭାରତରେ ଜନ୍ମିତ ବି ନାଗରିକତା ପ୍ରମାଣ ଦେବାକୁ ବାଧ୍ୟ !


ପ୍ରସାଦ ରାଓ
ଭାରତରେ ଜନ୍ମ ହୋଇ ବି ଜଣକୁ ନାଗରିକତାର ପ୍ରମାଣ ଦେବାକୁ ପଡିବ ! ଭାରତୀୟ ନିର୍ବାଚନ ଆୟୁକ୍ତ ନଭେମ୍ବର ଆଡକୁ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଯେଉଁ ଭୋଟର ତାଲିକା ଭୋଟର ତାଲିକା ସଂଶୋଧନ ବା ସ୍ପେଶାଲ ଇଂଟେନସିଭ ରିଭିଜନ (ଏସଆଇଆର) ପ୍ରକ୍ରିୟା ଆରମ୍ଭ କରିଛନ୍ତି ତାହା ଆଗାମୀ ଦିନରେ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ ବୋଲି ନିର୍ବାଚନ ଆୟୁକ୍ତ କହି ଥିବାରୁ ବିରୋଧୀଙ୍କ ଆଶଙ୍କା ବଢି ଯାଇଛି । ବିହାର ପରେ ପଶ୍ଚିମ ବଂଗ ଓ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଏସଆଇଆର ନାମରେ ନିର୍ବାଚନ ଆୟୁକ୍ତ ଭୋଟରଙ୍କୁ ସେମାନଙ୍କ ନାଗରିକତା ପ୍ରମାଣ ଉପସ୍ଥାପନ କରିବାକୁ ଯେଉଁ ସବୁ ଡକୁମେଂଟ ଉପସ୍ଥାପନ କରିବାକୁ କହୁଛି ଅନେକ ଭୋଟରଙ୍କ ପାଇଁ େସେବୁ ଉପସ୍ଥାପନ କରିବା କାଠିକର ପାଠ ହୋଇଛି । ଜଣେ ଭାରତୀୟ ନାଗରିକ ବିଭିନ୍ନ କ୍ଷେତ୍ରରେ ନିଜର ସ୍ଥିତାବସ୍ଥାର ପ୍ରମାଣ ଦେବାକୁ ଅନ୍ୟାନ୍ୟ ପ୍ରମାଣପତ୍ର ସହ ଭୋଟର ଆଇଡି, ରେସନ୍ କାର୍ଡ ଓ ଆଧାର କାର୍ଡ ବ୍ୟବହାର କରୁଥିଲା । ଏବେ, ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଯେଉଁ ଏସଆଇଆର ଚାଲିଛି ସେଥିରେ ଭୋଟର ନିଜର ନାଗରିକତା ସିିଦ୍ଧ କରିବା ପାଇଁ ଭୋଟର ଆଇଡି, ଆଧାର କାର୍ଡ ଓ ରେସନ୍ କାର୍ଡକୁ ପ୍ରମାଣ ଭାବେ ଉପସ୍ଥାପନ କଲେ ତାହା ଗ୍ରହଣୀୟ ହେବ ନାହିଁ; ଜନ୍ମ ପ୍ରମାଣପତ୍ର, ମାଟ୍ରିକ ସାର୍ଟିଫିକେଟ, ଆବାସ ପ୍ରମାଣପତ୍ର ଭଳି ୧୧ଟି ଡକୁମେଂଟରୁ ଗୋଟିଏ ଉପସ୍ଥାପନ କରିବାକୁ ପଡିବ ବୋଲି ନିର୍ବାଚନ ଆୟୁକ୍ତ ସ୍ପଷ୍ଟ କରିଦେବା ପରେ ଏସଆଇଆରକୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ବିରୋଧୀ ରାଜନୈତିକ ଦଳମାନେ କହୁଛନ୍ତି, ଭୋଟରଙ୍କୁ ନାଗରିକତାର ପ୍ରମାଣ ଦେବାକୁ ବାଧ୍ୟ କରିବା ନିର୍ବାଚନ କମିଶନଙ୍କ ଅଧିକାର ପରିସରଭୁକ୍ତ ନୁହେଁ । କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ହିଁ ନାଗରିକତା ପ୍ରମାଣ ମାଗି ପାରିବେ ଏବଂ ଯାଂଚ କରି ପାରିବେ । ଅପରପକ୍ଷରେ, ଭାରତୀୟ ନିର୍ବାଚନ ଆୟୁକ୍ତ ନାଗରିକତା ପ୍ରମାଣ କରିବାକୁ ଏସଆଇଆରରେ ଯେଉଁ ବ୍ୟବସ୍ଥା ରଖିଛନ୍ତି ତାହା ଯୁକ୍ତିସଂଗତ ଓ ନିର୍ବାଚନ ଆୟୁକ୍ତଙ୍କ ଅଧିକାର ପରିସରଭୁକ୍ତ ବୋଲି କେନ୍ଦ୍ର ସରକାର ଯୁକ୍ତି ଉପସ୍ଥାପନ କରିଛନ୍ତି । ଏବେ ଏସଆଇଆରକୁ ନେଇ ସରକାର ଓ ବିରୋଧୀ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଭାରତୀୟ ନିର୍ବାଚନ ଆୟୁକ୍ତ କେନ୍ଦ୍ର ସରକାରଙ୍କ ହାତବାରିସୀ ଭଳି କାମ କରୁଛି ବୋଲି ବିରୋଧୀଙ୍କ ପକ୍ଷରୁ ଅଭିଯୋଗ ହେଉଛି । ନାଗରିକତାର ପ୍ରମାଣ ପାଇଁ ନିର୍ବାଚନ ଆୟୁକ୍ତ ଯେଉଁ ୧୧ଟି ଡକୁମେଂଟକୁ ବୈଧ ବୋଲି କହୁଛି ତାହା ସହ ଭୋଟର ଆଇଡି, ରେସନ୍ କାର୍ଡ ଓ ଆଧାର କାର୍ଡକୁ ମଧ୍ୟ ବିଚାରକୁ ନେଉ ବୋଲି ନିକଟରେ ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ ପ୍ରସ୍ତାବ ଦେଇଥିଲେ । ଏସଆଇଆରକୁ ନେଇ କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ ଉତ୍ତର ରଖିବାକୁ ସୁପ୍ରିମ କୋର୍ଟ ଖଣ୍ଡପୀଠ ନିର୍ଦେଶ ଦେଇଥିଲେ । କେନ୍ଦ୍ର ସରକାର ନିର୍ବାଚନ ଆୟୁକ୍ତଙ୍କ ଏସଆଇଆରକୁ ନେଇ ସୁପ୍ରିମ କୋର୍ଟରେ ଯେଉଁ ଉତ୍ତର ଦାଖଲ କରିଛନ୍ତି ସେଥିଦ୍ନେିର୍ବାଚନ ଆୟୁକ୍ତ ନାଗରିକତା ପ୍ରମାଣ ପାଇଁ ନିର୍ବାଚନ ଆୟୁକ୍ତ ଭୋଟର ଆଇଡି, ରେସନ୍ କାର୍ଡ ଓ ଆଧାର କାର୍ଡକୁ ବାଦ୍ ଦେଇଥିବା ଯୁକ୍ତିଯୁକ୍ତ ବୋଲି ଦର୍ଶାଇଛନ୍ତି । ସରକାରଙ୍କ କହିବା ଅନୁସାରେ, ଏହି ତିନିଟି ଯାକ ପ୍ରମାଣ ପତ୍ର ଜାଲ୍ ହେଉଥିବାର ଯଥେଷ୍ଟ ପ୍ରମାଣ ରହିଛି । ବିହାରର କିଛି ଅଂଚଳରେ ଯେତିକି ମତଦାତା ଅଛନ୍ତି ତା’ଠାରୁ ଢେର ଅଧିକ ରେସନ କାର୍ଡ, ଭୋଟର ଆଇଡି ଓ ଆଧାର କାର୍ଡ ଜାରି ହୋଇଥିବାର ପ୍ରମାଣ ମିଳିଛି । ଏହାଛଡା, ଆଧାର କାର୍ଡ ନାଗରିକତାର ପ୍ରମାଣପତ୍ର ନୁହେଁ ବୋଲି ସଂପୃକ୍ତ କର୍ତ୍ତୃପକ୍ଷ ପ୍ରାରମ୍ଭରୁ ସ୍ପଷ୍ଟ କରି ଦେଇଛନ୍ତି । ତେଣୁ, ଏସଆଇଆରରେ ଆଧାର, ଭୋଟର ଆଇଡି ଓ ରେସନ୍ କାର୍ଡକୁ ନାଗରିକତା ପ୍ରମାଣପତ୍ର ଭାବେ ଗ୍ରହଣ କରାଯାଇ ନପାରେ । ଏସଆଇଆରକୁ ନେଇ ବିରୋଧୀ ରାଜନୈତିକ ମେଂଟ ଓ ଶାସକ ମେଂଟ ମଧ୍ୟରେ ଏଭଳି ବାଦାନୁବାଦ ଚାଲିଥିବା ବେଳେ ସୁପ୍ରିମ କୋର୍ଟରେ ତାହାର ବିଚାରଣା ଚାଲିଛି । ଏସଆଇଆର ଉପରେ ରୋକ୍ ଲଗାଇବାକୁ ସୁପ୍ରିମ କୋର୍ଟ ଆରମ୍ଭରୁ ମନା କରିଛନ୍ତି । ଏବେ, ଅଗଷ୍ଟ ୦୧ ତାରିଖରେ ପ୍ରକାଶ ପାଇବାକୁ ଥିବା ପ୍ରାଥମିକ ଭୋଟର ତାଲିକା ଉପରେ ସ୍ଥଗିତାଦେଶ ଜାରି କରିବାକୁ ବିରୋଧୀ ରାଜନୈତିକ ଦଳ ଓ ବିଭିନ୍ନ ସଂସ୍ଥାଙ୍କ ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରିଛନ୍ତି । ତେବେ, ଏସଆଇଆରକୁ ନେଇ ବିରୋଧୀ ପକ୍ଷଙ୍କ ଆବେଦନ ଉପରେ ସୁପ୍ରିମ କୋର୍ଟରେ ଶୁଣାଣୀ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ, ଦେଶରେ ୧୯୫୨-୫୬, ୧୯୫୭, ୧୯୬୧, ୧୯୬୫, ୧୯୬୬, ୧୯୮୩-୮୪, ୧୯୮୭-୮୯, ୧୯୯୨, ୧୯୯୩, ୧୯୯୫, ୨୦୦୨, ୨୦୦୩ ଓ ୨୦୦୪ ରେ ଦେଶର ବିଭିନ୍ନ ଅଂଚଳରେ ନିର୍ବାଚନ ଆୟୁକ୍ତ ଦ୍ୱାରା ଭୋଟର ତାଲିକାର ସ୍ପେଶାଲ ଇଂଟେନସିଭ୍ ରିଭିଜନ (ଏସଆଇଆର) କାର୍ଯ୍ୟକାରୀ ହୋଇଛି । ବିହାରରେ ମଧ୍ୟ ୨୦୦୩ରେ ଏସଆଇଆର କାର୍ଯ୍ୟକାରୀ କରାଯାଇଥିଲା । ଆସନ୍ତା ନଭେମ୍ବର ମାସରେ ବା ତା’ପୂର୍ବରୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଭାରତୀୟ ନିର୍ବାଚନ ଆୟୁକ୍ତ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସଆଇଆର) କରାଇବାକୁ ୨୦୨୫ ଜୁନ ୨୪ ତାରିଖରେ ଯେଉଁ ନିର୍ଦେଶନାମା ଜାରି କରି କାର୍ଯ୍ୟକାରୀ କରୁଛି ତାହା ପଛରେ ମନ୍ଦ ଉଦ୍ଦେଶ୍ୟ ନିହିତ ଥିବା ଏବଂ ନିର୍ବାଚନ ସମ୍ବିଧାନର ମୌଳିକ ଆଧାର ହୋଇଥିବା ବେଳେ ନିର୍ବାଚନ ଆୟୁକ୍ତଙ୍କ ନିର୍ଦେଶ ଏହାର ମୌଳିକ ଢାଂଚାର ପରିପନ୍ଥୀ ଥିବା ଆସୋସିଏସନ୍ ଫର୍ ଡେମୋକ୍ରେଟିକ ରିଫରମ୍ସ (ଏଡିଆର) ନାମକ ଏନଜିଓ ଅଭିଯୋଗ କରିଛି । ଭୋଟର ତାଲିକା ସଂଶୋଧନ ସମୟରେ ଯେଉଁ ସବୁ ଡକୁମେଂଟ ଉପସ୍ଥାପନ କରାଯିବାକୁ କୁହାଯାଇଛି ସେହି ତାଲିକାରୁ ଆଧାର ଓ ରେସନ୍ କାର୍ଡକୁ ବାଦ୍ ଦିଆଯାଇଥିବା ଉପରେ ମଧ୍ୟ ଏଡିଆର ପ୍ରଶ୍ନ ଉଠାଇଛି । ଏହିଆର ବ୍ୟତୀତ କଂଗ୍ରେସ ପକ୍ଷରୁ କେ.ସି.ବେଣୁଗୋପାଳ, ସିପିଆର ଡି.ରାଜା, ଡିଏମକେ, ସମାଜବାଦୀ ପାର୍ଟିର ହରିନ୍ଦର ମଲ୍ଲିକ, ଶିବସେନା -ୟୁବିଟିର ଅରବିନ୍ଦ ସାୱନ୍ତ, ଜେଏମଏମର ସର୍ଫରାଜ ଅହମ୍ମଦ, ସିପିଆଇ-ଏମଏଲର ଦୀପଂକର ଭଟ୍ଟଚାର୍ଯ୍ୟ, ରାଜ୍ୟସଭା ସାଂସଦ ମନୋଜ ଝା (ଆରଜେଡି), ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବ, ଅର୍ସାଦ ଆଜମଲ, ଏଆଏମଆଇଏମ ବିଧାୟକ ଅଖତାର ଇମାମ, ଲୋକସଭା ଏମପି ସୁଧାକର ସିଂହ, ମହୁଆ ମୈତ୍ରକେରଳର ବିଦାୟକ ପି.କେ. କୁନହାଲିକୁଟ୍ଟି, ବିହାରର ପୂର୍ବତନ ବିଧାୟକ ମୁଜାହିଦ ଆଲାମ, ଆଡଭୋକେଟ ଅଶ୍ୱିନୀ କୁମାର ଉପାଧ୍ୟାୟ, ପିୟୁସିଏଲ, ନ୍ୟାସନାଲ ଫେଡେରେସନ୍ ଫରି ଇଣ୍ଡିଆନ ଓମେନ୍ ପ୍ରଭୃତି ସଂଗଠନ ଓ ରାଜନେତା ଏସଆଇଆର ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି । ତରବରିଆ ଭାବେ ଯେଭଳି ଏସଆଇଆର କାର୍ଯ୍ୟକାରୀ କରାଯାଉଛି ତାହା ମୁସଲମାନ, ଗରିବ ଓ ଦଳିତ ପ୍ରବାସୀଙ୍କ ସ୍ୱାର୍ଥ ବିରୋଧୀ ଏବଂ କୋଟି କୋଟି ଭାରତୀୟଙ୍କୁୂ ମତଦାନରୁ ବଂଚିତ କରିବା ପାଇଁ ଏକ ଷଡଯନ୍ତ୍ର ବୋଲି ସେମାନେ ଅଭିଯୋଗ କରିଛନ୍ତି । ବିହାରରେ ଯେଉଁ ଏସଆଇଆର ଚାଲିଛି ସେଥିରେ ଲକ୍ଷ ଲକ୍ଷ ମତଦାତା ମୃତ, ଦେଶାନ୍ତରୀ ଓ ଏକାଧିକ ସ୍ଥାନରେ ସେମାନଙ୍କ ନାମ ଥିବା ଦର୍ଶାଇ ଭୋଟର ତାଲିକାରୁ ସେମାନଙ୍କୁ ବାଦ୍ ଦିଆଯାଇଥିବା ସୂଚନା ମିଳୁଛି । ପୂର୍ବରୁ ସୁପ୍ରିମକୋଟ ବିଚାରପତି ସୁଧାଂଶୁ ଧଳିଆ ଓ ବିଚାରପତି ବାଗଚିଙ୍କୁ ନେଇ ଗଠିତ ଅବସରକାଳୀନ ଖଣ୍ଡପୀଠ ନାଗରିକତା ଚିହ୍ନଟ କରିବା ଇସିଆଇ ଅଧିକାର ପରିସରଭୁକ୍ତ ନୁହେଁ, ଏହା କେନ୍ଦ୍ର ସରକାରଙ୍କ କାର୍ଯ୍ୟ ବୋଲି କହିବା ସହ ବି÷ହାରରେ ଏସଆଇଆର ସମୟରେ ଆଧାର, ଭୋଟର ଆଇଡି ଓ ରେସନ୍ କାର୍ଡକୁ ନାଗରିକ ପ୍ରମାଣପତ୍ର ତାଲିକା ଅନ୍ତର୍ଭୁକ୍ତ କରିବା ବିଚାର କରାଯିବାକୁ ଇସିଆଇକୁ ପ୍ରସ୍ତାବ ଦେଇଥିଲେ । ବର୍ତ୍ତମାନ ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ସୁପ୍ରିମ କୋର୍ଟ ଖଣ୍ଡପୀଠ ଆବେଦନକାରୀଙ୍କ ପିଟିସନ ଉପରେ ଶୁଣାଣୀ କରୁଛନ୍ତି । ଜୁଲାଇ ୨୮ ତାରିଖରେ ପ୍ରାଥମିକ ଶୁଣାଣୀ ପରେ ୨୯ ତାରିଖରେ ବିସ୍ତୃତ ଶୁଣାଣୀ ପାଇଁ ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି । ନାଗରିକତାର ପ୍ରମାଣ ଭାବେ ଇସିଆଇ ଯେଉଁ ସବୁ ଡକୁମେଂଟ ଉପସ୍ଥାପନ କରିବାକୁ କହୁଛି ସେସବୁ ଅତି ଯୋଗାଡ କରି ବିଏଲଓ (ବୁଥ୍ ସ୍ତରୀୟ ଅଧିକାରୀ)ମାନଙ୍କ ନିକଟରେ ଉପସ୍ଥାପନ କରିବା ପ୍ରବାସରେ ରହୁଥିବା ବିହାର ବାସିନ୍ଦାଙ୍କ ପାଇଁ ସମୟ ସାପେକ୍ଷ । ନିର୍ବାଚନ ଆୟୁକ୍ତ ଅଗଷ୍ଟ ୦୧ ତାରିଖରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ କରିବେ ବୋଲି ତାରିଖ ଧାର୍ଯ୍ୟ କରି ସାରି ଥିବାରୁ ଲକ୍ଷ ଲକ୍ଷ ଭୋଟର ଭୋଟର ତାଲିକାରୁ ବାଦ୍ ପଡିବା ଆଶଙ୍କା ସୃଷ୍ଟି ହୋଇଛି । ଯେଉଁ ଭୋଟରମାନେ ଭୋଟର ତାଲିକାରୁ ବାଦ୍ ପଡିଥିବେ ସେମାନେ ତାଲିକା ସଂଶୋଧନ ପାଇଁ ଆବେଦନ କରି ପାରିବେ । ତେବେ, ଥରେ ଭୋଟର ତାଲିକାରୁ ବାଦ ପଡିବା ପରେ ପୁନଃ ଭୋଟର ତାଲିକାରେ ନିଜ ନାମକୁ ସ୍ଥାନିତ କରିବା ଏକ ଜଟିଳ ଓ ସମୟ ସାପେକ୍ଷ ପ୍ରକ୍ରିୟା ହୋଇଥିବାରୁ ନଭେମ୍ବର ଆଡକୁ ହେବାକୁ ଥିବା ବିହାର ନିର୍ବାଚନରେ ସେମାନେ ଭୋଟ ଦେବାର ସୁଯୋଗ ପାଇବେ କି ନାହିଁ – ସେନେଇ ସେମାନଙ୍କର ଆଶଙ୍କା ରହୁଛି । କେନ୍ଦ୍ର ସରକାର ନିର୍ବାଚନ ଆୟୁକ୍ତଙ୍କ ମାଧ୍ୟମରେ ଲକ୍ଷ ଲକ୍ଷ ମତଦାତାଙ୍କୁ ଅଯୋଗ୍ୟ ଦର୍ଶାଇ ଭୋଟର ତାଲିକାରୁ ବାଦ୍ ଦେବାକୁ ଓ ନିର୍ବାଚନକୁ ନିଜ ସପକ୍ଷରେ ନେବାକୁ ଏଭଳି ଷଡଯନ୍ତ୍ର ରଚିଛନ୍ତି ବୋଲି ବିରୋଧୀ ‘ଇଣ୍ଡି’ ମେଂଟର ନେତମାନେ ଖୋଲାଖୋଲି ଅଭିଯୋଗ କରୁଛନ୍ତି । ନିର୍ବାଚନ ଆୟୁକ୍ତ ଯଦି ଏସଆଇଆର କରାଇବାର ଥିଲା ୨୦୨୫ ଲୋକସଭା ନିର୍ବାଚନ ପୂର୍ବରୁ କରାଇ ଥା’ନ୍ତେ । ତାହା ନକରି ବିହାର ବିଧାନସଭା ନିର୍ବାଚନ ହେବାକୁ ଅଳ୍ପ ସମୟ ବାକି ଥିବା ବେଳେ ଏସଆଇଆର ନାମରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି ।
ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
ମୋ: ୯୪୩୭୦୬୬୧୪୭/୭୦୦୮୯୫୮୨୮୪
(ଲେଖାଟି ପ୍ରକାଶ ପାଇଛି ସାପ୍ତାହିକ ‘ତୀକ୍ଷ୍ଣ ଦୃଷ୍ଟି’ର ଅଷ୍ଟମ ସଂଖ୍ୟାରେ ଯାହାର ସଂପାଦକ ଅଛନ୍ତି ସନ୍ତୋଷ ସେନାପତି । ୨୦୨୫ ଅଗଷ୍ଟ ୧ ତାରିଖରେ ଭାରତୀୟ ନିର୍ବାଚନ ଆୟୁକ୍ତ ବିହାରର ଚିଠା ଭୋଟର ତାଲିକା ପ୍ରକାଶ କରିବା ପୂର୍ବରୁ ଲେଖାଟି ପ୍ରକାଶ ପାଇଥିଲା । ପ୍ରକାଶିତ ଚିଠା ଭୋଟର ତାଲିକାରୁ ୬୬ ଲକ୍ଷ ଭୋଟର ବାଦ ପଡିଛନ୍ତି, ଯାହାକୁ ନେଇ ରାଜନୈତିକ ହଟ୍ଟଚମଟ ଜୋର ଧରିଛି । ତାଲିକାରୁ ବାଦ୍ ପଡିଥିବା ଭୋଟର ସଂଶୋଧନ ପାଇଁ ଆବେଦନ କରିବାକୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ସମୟ ପାଇଛନ୍ତି । )
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS