ତ୍ରିପଲ ଇଂଜିନ ସରକାର – ମହାନଦୀ ଜଳ ବିବାଦର ସମାଧାନ କେବେ ?


ପ୍ରସାଦ ରାଓ
ଭୁବନେଶ୍ୱର
ଅଗଷ୍ଟ ୦୩/୨୫
ଓଡ଼ିଶା ଜନଜୀବନ ସହ ଓତଃପ୍ରୋତ ଜଡିତ ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ ମଧ୍ୟରେ ଦୀର୍ଘ ବର୍ଷ ହେଲା ବିବାଦ ଲାଗି ରହିଛି । ଛତିଶଗଡ ସରକାର ନଦୀର ଉପର ମୁଣ୍ଡରେ ଏକାଧିକ ଛୋଟ ବଡ ବ୍ୟାରେଜ ନିର୍ମାଣ କରି ନଦୀ ପାଣି ଅଟକାଇ ରଖୁଥିବାରୁ ତଳମୁଣ୍ଡରେ ପର୍ଯ୍ୟାପ୍ତ ପରିମାଣର ପାଣି ପହଂଚୁ ନାହିଁ । ଫଳରେ, ବର୍ଷା ଋତୁ ବ୍ୟତୀତ ଅନ୍ୟ ଋତୁରେ ନଦୀ ଶୁଖିଲା ପଡିବା ସହ ମହାନଦୀ ଜଳ ଉପରେ ନିର୍ଭର କରୁଥିବା ରାଜ୍ୟର ବିସ୍ତୃତ ଅଂଚଳରେ ହାହାକାର ପରିସ୍ଥିତି ସୃଷ୍ଟି କରୁଛି । ଛତିଶଗଡ ସରକାର ମହାନଦୀ ଉପର ମୁଣ୍ଡରେ ଛୋଟ ବଡ ବ୍ୟାରେଜ ନିର୍ମାଣ କରିବା ସମୟରେ ତତ୍ କାଳୀନ ଓଡ଼ିଶା ସରକାର ନୀରବଦ୍ରଷ୍ଟା ଥିଲେ । ଯେତେବେଳ ଛତିଶଗଡ ସରକାର ନଦୀ ଜଳକୁ ଅଟକ ରଖି ରାଜ୍ୟରେ ଗଡି ଉଠିଥିବା ଶିଳ୍ପ ସଂସ୍ଥାଙ୍କ ସେବାରେ ବିନିଯୋଗ କଲେ ଏବଂ ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣର ନଦୀ ଜଳ ପହଂଚି ନ ପାରି ଚାଷବାସରୁ ଆରମ୍ଭ କରି ପାନୀୟ ଜଳ ଯୋଗାଣ ପର୍ଯ୍ୟନ୍ତ ସବୁ କିଛି ବାଧାପ୍ରାପ୍ତ ହେଲା ଓଡ଼ିଶା ସରକାର ଚେତିଲେ । ପୂର୍ବ ବିଜେଡି ସରକାର ସମୟରେ ରାଜ୍ୟରେ ‘ମହାନଦୀ ବଂଚାଅ’ ଆନ୍ଦୋଳନ ଆରମ୍ଭ ହେଲା । ଏହି ଆନ୍ତଃରାଜ୍ୟ ଜଳ ବିବାଦ ପ୍ରସଙ୍ଗ ସଂସଦରେ ଆଲୋଚନା ହେବା ସହ ସୁପ୍ରମି କୋର୍ଟରେ ପହଂଚିଲା । ସୁପ୍ରିମ କୋର୍ଟଙ୍କ ନିର୍ଦେଶରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଏକ ଟ୍ରିବ୍ୟୁନାଲ ଗଠନ ହେଲା । ତେବେ, ଟ୍ରିବ୍ୟୁନାଲର ବୈଠକ ନିୟମିତ ଭାବେ ବସି ପାରୁନି କି ଓଡ଼ିଶା-ଛତିଶଗଡ ମଧ୍ୟରେ ଜଳ ବିବାଦର ସମାଧାନ ହୋଇପାରୁନି । ୨୦୧୪ରୁ ଚାଲିଥିବା ଏହି ଜଳ ବିବାଦ ଯେଉଁଠି ଥିଲା ଆଜି ମଧ୍ୟ ସେଇଠି ଅଟକି ରହିଛି ।
୨୦୨୪ ଜୁନରେ ଓଡ଼ିଶାରେ ବିଜେପି ସରକାର ପ୍ରତିଷ୍ଠା ହେବା ପରେ ଓଡ଼ିଶା, ଛତିଶଗଡ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ଏହି ବିବାଦ ସମାଧାନର ସମ୍ଭାବନା ସୃଷ୍ଟି ହୋଇଛି । ଓଡ଼ିଶା ଓ ଛତିଶଗଡରେ ବିଜେପିର ସରକାର ରହିଛି । କେନ୍ଦ୍ରରେ ମଧ୍ୟ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡିଏ) ସରକାର ରହିଛି । ତ୍ରିପୁଲ ଇଂଜିନ ସରକାର ଚାହିଁଲେ ଅଦାଲତ ବାହାରେ ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ହୋଇପାରିବ ବୋଲି ବିଶ୍ୱାସ କରାଯାଉଥିବା ବେଳେ ଗଲା ଏକ ବର୍ଷ ମଧ୍ୟରେ ଓଡ଼ିଶା ସରକାର ଏଦିଗରେ ବିଶେଷ ଆଗ୍ରହ ପ୍ରକାଶ ନକରି ସମାଲୋଚନାର ଶରବ୍ୟ ହୋଇଥିଲେ । ନିକଟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କୁ ଚିଠି ଲେଖି ଦୁଇ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ନିମନ୍ତେ ଆଗ୍ରହ ପ୍ରକାଶ କରିଥିବା ବେଳେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଆଡୁ ମଧ୍ୟ ସକାରାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଇଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ମାଝି ଜୁଲାଇ ୨୫ ତାରିଖରେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି (ଡିଓ ଚିଠି ନମ୍ବର ୪୦୫/ସିଏମ/୨୦୨୫) ଲେଖି ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ । ଛତିଶଗଡ ମୁଖ୍ୟମନ୍ତ୍ରୀ ସାଏ ଅଗଷ୍ଟ ୧ ତାରିଖ ଦିନ ଚିଠିର ଉତ୍ତର ଦେଇ ଦୁଇ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ କରାଯିବା ପ୍ରସ୍ତାବ ତାଙ୍କ ସରକାରଙ୍କ ବିଚାରାଧୀନ ଅଛି ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ସୂଚିତ କରିଛନ୍ତି । ତେବେ, କେବେ ଏହି ଆଲୋଚନା ହେବ ଏବଂ ଦୀର୍ଘ ବର୍ଷ ଧରି ଚାଲିଥିବା ଏହି ଆନ୍ତଃରାଜ୍ୟ ଜଳ ବିବାଦର ସମାଧାନ ହେବ ତାହା ଉପରେ ରାଜ୍ୟବାସୀଙ୍କ ଦୃଷ୍ଟି ରହିଛି ।
ଏଠାରେ ସୂଚନାଯୋଗ୍ୟ, ୨୦୧୪ରୁ ୨୦୧୬ ମଧ୍ୟରେ ଛତିଶଗଡ ସରକାର ମହାନଦୀ ଉପର ମୁଣ୍ଡରେ ଏକାଧିକ ବ୍ୟାରେଜ ଓ ଡ୍ୟାମ୍ ପ୍ରକଳ୍ପ ନିର୍ମାଣ କରି ନଦୀ ଜଳକୁ ଅବରୋଧ କରି ରଖିବାରୁ ଓଡ଼ିଶାକୁ ନଦୀ ଜଳ ପ୍ରବାହ ଯଥେଷ୍ଟ କମି ଯାଇଛି । ବର୍ଷା ଋତୁରେ ମହାନଦୀରେ ବନ୍ୟାଜଳ ଆସି ଓଡ଼ିଶାରେ ପ୍ରଳୟ ସୃଷ୍ଟି କରୁଥିବା ବେଳେ ଅନ୍ୟ ଋତୁରେ ନଦୀ ପ୍ରାୟତଃ ଶୁଖିଲା ରହୁଛି । ନଦୀରେ ପର୍ଯ୍ୟାପ୍ତ ପରିମାଣର ଜଳ ପ୍ରବାହ ନଥିବାରୁ ନଦୀ ଉପକୂଳବର୍ତ୍ତି ଅଂଚଳ ଚାଷୀମାନେ ସେଚ ସୁବିଧାରୁ ବଂଚିତ ହେବା ସହ ଶିଳ୍ପ ସଂସ୍ଥାଙ୍କୁ ମଧ୍ୟ ଜଳ ଯୋଗାଣ ବ୍ୟାହତ ହେଉଛି । ୨୦୧୬ରେ ଯେତେବେଳେ ଓଡ଼ିଶା ସରକାର ସଂସଦରେ ଏହି ପ୍ରସଙ୍ଗ ଉଠାଇଲେ ଏବଂ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ, ୧୯୫୬ ଅନୁଯାୟୀ ଏକ ଟ୍ରିବ୍ୟୁନାଲ ଗଠନ ନିମନେ୍ ଦାବି ରଖିଲେ ୨୦୧୮ ମାର୍ଚ୍ଚରେ ବିଚାରପତି ଜଷ୍ଟିସ ଏ.ଏମ.ଖାନୱିଲକରଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ ହୋଇଥିଲା । ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ଅନିୟମିତ ଭାବେ ଟ୍ରିବ୍ୟୁନାଲ ବୈଠକ ହେଉଥିଲେ ମଧ୍ୟ ମହାନଦୀ ଜଳ ବିବାଦର କୌଣସି ସମାଧାନା ରାସ୍ତା ବାହାରି ନାହିଁ । ୨୦୨୪ ଜୁନରେ ବିଜେଡି କ୍ଷମତାରୁ ହଟିବା ପରେ ଓଡ଼ିଶାରେ ବିଜେପି ସରକାର ପ୍ରତିଷ୍ଠା ହୋଇଥିବା ବେଳେ ଛତିଶଗଡରେ ମଧ୍ୟ କଂଗ୍ରେସ ସରକାର କ୍ଷମତାରୁ ଯାଇ ବିଜେପି ସରକାର ପ୍ରତିଷ୍ଠା ହୋଇଛି । ଦୁଇ ରାଜ୍ୟରେ ବିଜେପି ଶାସନରେ ଥିବାରୁ କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ଦୀର୍ଘ ବର୍ଷର ଏହି ସମାସ୍ୟାର ସମାଧାନ ହେବା ଆଶା କରାଯାଉଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ମାଝି ଜୁଲାଇ ୨୫ରେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠି ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କଠାରୁ ଗତକାଲି (ଅଗଷ୍ଟ ୧ ତାରିଖରେ) ମିଳିଥିବା ଚିଠିର ସକାରାତ୍ମକ ପ୍ରତ୍ୟୁତ୍ତର ଏହି ସମ୍ଭାବନାକୁ ସୁଦୃଢ କରିଛି ।
ଇତିମଧ୍ୟରେ, ମହାନଦୀ ବଂଚାଅ ଆନ୍ଦୋଳନ ପକ୍ଷରୁ ଭୁବନେଶ୍ୱର ବୁଦ୍ଧ ମନ୍ଦିରରେ ସବୁ ରାଜନୈତିକ ଦଳଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇଥିଲା । ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଏହି ବୈଠକରେ ସ୍ୱାଗତ କରାଯାଇଛି । ରାଜ୍ୟ ସରକାର ଏହି ବିବାଦର ଯଦି ସମାଧାନ ଚାହାନ୍ତି ତେବେ ତୁରନ୍ତ ରାଜ୍ୟର ସମସ୍ତ ରାଜନୈତିକ ଦଳ, ନଦୀ ଆନ୍ଦୋଳନ କର୍ମକର୍ତ୍ତା, ନଦୀ ବିଶେଷଜ୍ଞ ଓ ବୁଦ୍ଧିଜୀବୀଙ୍କ ନେଇଏକ ବୈଠକ ଡାକିବାକୁ ପ୍ରସ୍ତାବ ଦିଆଯାଇଛି । ବୈଠକରେ ସହମତି ଭିତ୍ତିରେ ଛତିଶଗଡ ସହ ଆଲୋଚନା କରାଯିବା ଉଚିତ ବୋଲି ମତପ୍ରକାଶ ପାଇଛି । ଅଗଷ୍ଟ ଶେଷ ସପ୍ତାହରେ ଛତିଶଗଡରେ ଏକ ବୈଠକ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଓଡ଼ିଶା ସରକାର ଆପୋଷ ଆଲୋଚନା ପାଇଁ ଛତିଶଗଡ ସରକାରଙ୍କ ନିକଟରେ ଏକ ସର୍ତ୍ତ ରଖିବାକୁ ବୈଠକରେ ଏକ ପ୍ରସ୍ତାବ ଦିଆଯାଇଛି । ମୌସୁମୀ ସମୟରେ ମହାନଦୀରେ ୧.୭୪ ଏମଏଏଫ ପାଣି ଓଡ଼ିଶାକୁ ଛଡା ଯିବାକୁ ସତ୍ ତ; ରଖାଯିବା ସହ ମହାନଦୀ ଓ ଏହାର ଅବବାହିକାର ସୁରକ୍ଷା ପାଇଁ ସମ୍ବିଧାନର ଧାରା ୧୬୫ ଅନୁଯାୟୀ ମହାନଦୀ ରିଭର ବୋର୍ଡ ଗଠନ ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ରଖାଯିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ଏନେଇ ଏକ ବୈଷୟିକ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ, କେନ୍ଦ୍ର ତଥା କେନ୍ଦ୍ରୀୟ ଜଳ ଆୟୋଗକୁ ପ୍ରଦାନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯିବା ସହ ଏକ ଟାସ୍କ ଫୋର୍ସ ମଧ୍ୟ ଗଠନ କରାଯାଇଛି । ଏହାଛଡା, ଓଡ଼ିଶାରେ ମହାନଦୀ ପ୍ରବେଶ କରିଥିବା ସ୍ଥାନ ସୁଖାସୋଡାରୁ ପାରାଦୀପ ପର୍ଯ୍ୟନ୍ତ ‘ନଦୀ ଯାତ୍ରା’ ଆୟୋଜନ କରିବାକୁ ମଧ୍ୟ ଆବାହକ ସୁଦର୍ଶନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି । ଆଲୋଚନା ପରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ବୟାନ ଦେଇ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ କଂଗ୍ରେସ ସର୍ବଦା ପ୍ରତିବଦ୍ଧ, ମହାନଦୀ ଜଳ ବିବାଦର ସମାଧାନ ନିମନ୍ତେ ସରକାର ଯଦି କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆନ୍ଦୋଳନ ଅଧିକ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି । ବିବାଦର ଆପୋଷ ସମାଧାନ ପାଇଁ ଓଡ଼ିଶା ସରକାର ପାଦେ ଆଗେଇ ଥିବା ବେଳେ ଛତିଶଗଡ ମୁଖ୍ୟମନ୍ତ୍ରୀ ମଧ୍ୟ ସକାରାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି । ଏବେ ଦେଖିବାକୁ ଅଛି କେବେ ଏହି ଜଳ ବିବାଦର ସମାଧାନ ହେବ ଓ ମହାନଦୀରେ ପ୍ରର୍ଯ୍ୟାପ୍ତ ଜଳ ପ୍ରବାହ ହୋଇ ଓଡ଼ିଶାର ଜନଜୀବନକୁ ପୁନର୍ବାର ସମୃଦ୍ଧ କରିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS