ସରକାରୀ ଉଦାସୀନତାରୁ ଓଡ଼ିଶାରେ ଲୁଣ ଚାଷ ବିପର୍ଯ୍ୟସ୍ତ


ପ୍ରସାଦ ରାଓ
ଭୁବନେଶ୍ୱର, ଜୁଲାଇ ୨୬
ଦିନ ଥିଲା ଗଂଜାମ ଜିଲ୍ଲା ଲୁଣ ଉତ୍ପାଦନ କ୍ଷେତ୍ରରେ ରାଜ୍ୟର ଏକ ପ୍ରମୁଖ ଜିଲ୍ଲା ଥିଲା । ବିସ୍ତୃତ ସମୁଦ୍ର ଉପକୂଳରେ ଥିବା ଲୁଣ ଜମିରୁ ମହଣ ମହଣ ଲୁଣ ଉତ୍ପାଦନ ହେଉଥିଲା ଏବଂ ଲୁଣ ଚାଷୀମାନେ ସମବାୟ ସଂସ୍ଥାମାନ ଗଢି ସଂଗଠିତ ଭାବେ ଲୁଣ ଉତ୍ପାଦନ କରିବା ସହ ସେଥିରୁ ମିଳୁଥିବା ଆୟରେ ପରିବାର ପ୍ରତିପୋଷଣ କରୁଥିଲେ । ଲୁଣ ଉତ୍ପାଦନ କାର୍ଯ୍ୟରେ ବହୁ ସଂଖ୍ୟକ ଶ୍ରମିକ ମଧ୍ୟ ନିୟୋଜିତ ହେଉଥିଲେ, ଯେଉଁମାନଙ୍କ ପାଇଁ ଏହା ମୁଖ୍ୟ କର୍ମସଂସ୍ଥାନ ଥିଲା । ବର୍ଷକୁ ଚାରିରୁ ପାଂଚ ମାସ ପର୍ଯ୍ୟନ୍ତ ଲୁଣ ଉତ୍ପାଦନ ପ୍ରକ୍ରିୟା ଚାଲୁଥିଲା । ଲବଣ ଶ୍ରମିକମାନେ ମଧ୍ୟ ସଂଗଠିତ ହୋଇ ନ୍ୟାଯ୍ୟପ୍ରାପ୍ୟ ପାଇବାକୁ ଲଢୁଥିଲେ । ତେବେ, ଗଲା କିଛି ବର୍ଷ ହେଲା ଜିଲ୍ଲାରେ ଲୁଣ ଉତ୍ପାଦନ କାର୍ଯ୍ୟ ଏକପ୍ରକାର ଠପ୍ ହୋଇଯାଇଛି । ଏହା ଉପରେ ନିର୍ଭର କରୁଥିବା ୨୦ ହଜାରରୁ ଅଧିକ ଲୁଣ ଚାଷୀ ପରିବାର ଓ ଲବଣ ଶ୍ରମିକ କାମଧନ୍ଦା ହରାଇ ପରିବାର ପୋଷଣ ପାଇଁ କାମଧନ୍ଦା ଅନ୍ୱେଷଣରେ ରାଜ୍ୟ ବାହାରକୁ ଚାଲିଯାଇ ଦାଦନ ଖଟୁଥିବା ଏକ ଅନୁଧ୍ୟାନରୁ ଜଣାପଡିଛି । ୨୦୧୧ ପରରୁ ଜିଲ୍ଲାରେ ଲୁଣ ଚାଷ ଏକପ୍ରକାର ଠପ୍ ହୋଇଯାଇଛି । ଜିଲ୍ଲାର ଲୁଣ ଚାଷୀ ଓ ଶ୍ରମିକମାନେ ଉପୁଜି ଥିବା ସମସ୍ୟା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରୁଛନ୍ତି । ରାଜ୍ୟ ସରକାର ଶିଳ୍ପ ବିକାଶକୁ ପ୍ରୋତ୍ସାହିତ କରୁଥିବା ବେଳେ ଲୁଣ ଉତ୍ପାଦନକୁ ବା ଲୁଣ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଆଜି ସୁଦ୍ଧା କୌଣସି ପଦକ୍ଷେପ ନେଇ ନଥିବାରୁ ରାଜ୍ୟରେ ଲୁଣ ଚାଷ ଏକପ୍ରକାର ବିଳୁପ୍ତି ଅବସ୍ଥାକୁ ଆସି ଯାଇଛି । ସେହିଭଳି, କେନ୍ଦ୍ର ସରକାରଙ୍କ ଲବଣ ବୋର୍ଡ ପ୍ରତି ୨୦ ବର୍ଷରେ ଯେଉଁ ଜମି ଲିଜ୍ ଅବଧି ନବୀକରଣ କରନ୍ତି ୨୦୧୧ରେ ସେହି ପ୍ରକ୍ରିୟାରେ ଗଂଜାମ ଜିଲ୍ଲାର ଲୁଣ ଚାଷୀଙ୍କ ଜମି ଲିଜ୍ ଅବଧି ୨୦୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ମଧ୍ୟ ମଜୁରୀ ପ୍ରଦାନ ନିୟମକୁନେଇ ଲବଣ ବୋର୍ଡ କର୍ତ୍ତୃପକ୍ଷ ଓ ଲୁଣ ଚାଷୀଙ୍କ ମଧ୍ୟରେ ମତଭେଦ ତୁଟୁ ନଥିବାରୁ ଲୁଣ ଜମି ସବୁ ପଡିଆ ପଡିଛି ଏବଂ ସେଠାରେ ଗୋରୁ ଚରୁଛନ୍ତି । ସମସ୍ୟା ସମାଧାନ ଦିଗରେ ଓଡ଼ିଶା ସରକାରଙ୍କ ଆଡୁ ମଧ୍ୟ କିଛି ଉଦ୍ୟମ ହେଉନି ।
ଗଂଜାମ ଜିଲ୍ଲାର ରମ୍ଭା, ହୁମ୍ମା, ଗଂଜାମରୁ ଆରମ୍ଭ କରି ସୋରଳ, ସୁମାଣ୍ଡି ପର୍ଯ୍ୟନ୍ତ ବିସ୍ତୃତ ସମୁଦ୍ର ଉପକୂଳରେ ଥିବା ଲବଣ ଜମିରେ ଲୁଣ ଚାଷ ହୋଇଥାଏ । ଚାଷୀ ସମୁଦ୍ରର ଲବଣାକ୍ତ ଜଳକୁ ନିଜ ଜମିରେ ପଟାଳି ବାନ୍ଧି ସଂରକ୍ଷିତ ରଖିବା ସହ ପ୍ରାକୃତିକ ଉପାୟରେ ଲୁଣ ଉତ୍ପାଦନ କରିଥାନ୍ତି । ୨୦ ହଜାରରୁ ଅଧିକ ଚାଷୀ ଓ ଲବଣ ଶ୍ରମିକ ଏହି ପ୍ରକ୍ରିୟାରେ ସାମିଲ ଥାଆନ୍ତି ଏବଂ ଲୁଣ ଉତ୍ପାଦନରୁ ହେଉଥିବା ରୋଜଗାରରୁ ପ୍ରରିବାର ପୋଷଣ କରନ୍ତି । ସମୁଦ୍ରରେ ଜୁଆରରେ ଯେଉଁ ଲବଣାକ୍ତ ଜଳ ଚାଷ ଜମିକୁ ମାଡିଥାଏ ତାହାକୁ ଜମିରେ ପଟାଳି ବାନ୍ଧି ଗଚ୍ଛିତ ରଖାଯାଏ ଓ ସମୁଦ୍ର ଜଳ ବାଷ୍ପିଭୂତ ହୋଇ ଜମିରେ କେବଳ ଲୁଣ ରହିଯାଏ । ଏହାଛଡା, ଲୁଣ ଚାଷୀ କେନାଲ ମାଧ୍ୟମରେ ସମୁଦ୍ର ଜଳକୁ ନିଜ ବିଲ ପର୍ଯ୍ୟନ୍ତ ଆଣି ତାହାକୁ ଗଚ୍ଛିତ ରଖିବା ସହ ସେଥିରୁ ଲୁଣ ମାରିଥାନ୍ତି । ଲୁଣ ଚାଷ ସଂପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଲବଣ ବୋର୍ଡ ନିୟନ୍ତ୍ରଣରେ ଥିବାରୁ ଲୁଣ ଜମି ଲିଜ୍, ଲୁଣ ଉତ୍ପାଦନ ଓ ବିକ୍ରି ପ୍ରଭୃତି ସମସ୍ତ କାର୍ଯ୍ୟ ଲବଣ ବୋର୍ଡର ତଦାରଖରେ ହୋଇଥାଏ । ଗଂଜାମ ଜିଲ୍ଲାର ସୋରଳ, ସୁମାଣ୍ଡି, ହୁମ୍ମା, ଗଂଜାମ ଓ ରମ୍ଭା ଅଂଚଳରୁ ଯେତିକି ଲୁଣ ଉତ୍ପାଦନ ହେଉଥିଲା ତାହା ରାଜ୍ୟ ଚାହିଦାର ୯୦ ପ୍ରତିଶତ ମେଂଟାଉ ଥିଲା । ରାଜ୍ୟରେ ମୋଟ ୫୧୪୩ ଏକର ଜମିରେ ଲୁଣ ଚାଷ ହେଉଥିବା ବେଳେ ସେଥିରୁ ୩,୦୩୫ ଏକର କେନ୍ଦ୍ର ସରକାରଙ୍କ ଲବଣ ବୋର୍ଡ ଅଧିନରେ ରହିଛି । ରାଜ୍ୟରେ ମୋଟ ଲୁଣ ଉତ୍ପାଦନ ଜମିରୁ ୬୦ ପ୍ରତିଶତ ଗଂଜାମ ଜିଲ୍ଲାରେ ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାରେ ଶିଳ୍ପ ପାଇଁ ବାର୍ଷିକ ୪.୫୦ଲକ୍ଷ ଟନ ଲୁଣର ଆବଶ୍ୟକତା ଥିବା ବେଳେ ଘରୋଇ ଚାହିବାକୁ ମିଶାଇ ବାର୍ଷିକ ୬.୭ ଲକ୍ଷ ଟନ ଲୁଣର ଆବଶ୍ୟକତା ଥିବା ବେଳେ ଏବେ ଉତ୍ପାଦନ ୩୦ରୁ ୪୦ ହଜାର ଟନକୁ ଖସି ଆସିଛି । ଗୁଜରାଟ, ରାଜସ୍ଥାନ, ତାମିଲନାଡୁ ପ୍ରଭୃତି ରାଜ୍ୟରୁ ଲୁଣ ଆମଦାନୀ କରାଯାଇ ରାଜ୍ୟର ଚାହିଦା ମେଂଟା ଯାଉଛି ।
ଗଂଜାମ ଜିଲ୍ଲାରେ ଗଂଜାମ ଓ ହୁମ୍ମା ଅଂଚଳରେ ଲୁଣ ଉତ୍ପାଦନ ପାଇଁ ବ୍ୟବହୃତ ଜମିର ପରିମାଣ ହେଉଛି ୧୪୭୨ ଏକର । ସେଥିରୁ ୭୨୯ ଏକର ଜମି କେବଳ ହୁମ୍ମା-ବିଂଚଣାପଲ୍ଲୀ ଲୁଣ ଉତ୍ପାଦନ ଓ ବିକ୍ରୟ ସମବାୟ ସମିତି ନିୟନ୍ତ୍ରଣରେ ରହିଛି । ୨୦୧୧ରେ ୨୦ ବର୍ଷିଆ ଲିଜ୍ ନବୀକରଣ ହୋଇ ଲୁଣ ଚାଷ ଜମି ୨୦୩୧ ପର୍ଯ୍ୟନ୍ତ ଏହି ସମବାୟ ସମିତି ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ମଜୁରୀ ପ୍ରଦାନ ନିୟମକୁ ନେଇ କେନ୍ଦ୍ର ସରକାରଙ୍କ ଲବଣ ବୋର୍ଡ ଓ ଲିଜ୍ଧାରୀଙ୍କ ମଧ୍ୟ ମତଭେଦ ଲାଗି ରହିଥିବାରୁ ଜମି ପଡିଆ ପଡିଛି । ଲୁଣ ଉତ୍ପାଦନ ଠପ୍ ହୋଇ ଲୁଣ ଚାଷୀ ଓ ଲବଣ ଶ୍ରମିକ କର୍ମସଂସ୍ଥାନ ହରାଇ କାମଧନ୍ଦା ପାଇଁ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହୋଇଛନ୍ତି । ରାଜ୍ୟରେ ପାଂଚଟି ଲବଣ ସମବାୟ ସମିତି ଲୁଣ ଉତ୍ପାଦନରେ ସଂପୃକ୍ତ ଥିବା ବେଳେ ଗଂଜାମ ଜିଲ୍ଲାରେ ୩୯ ଜଣ ଘରୋଇ ଲାଇସେନ୍ସପ୍ରାପ୍ତ ଲବଣ ଚାଷୀ ମଧ୍ୟ ଲୁଣ ଉତ୍ପାଦନରେ ସାମିଲ ଥିବା ସୂଚନା ମିଳିଛି । ତେବେ, ବିଭିନ୍ନ କାରଣରୁ ଗଂଜାମ, ହୁମ୍ମା, ରମ୍ଭା, ସୁରଳ, ସୁମାଣ୍ଡି ଭଳି ଲୁଣ ଉତ୍ପାଦନ କେନ୍ଦ୍ରରେ ଉତ୍ପାଦନ ଯଥେଷ୍ଟ ହ୍ରାସ ପାଇଛି । ଦିନ ଥିଳା ହୁମ୍ମା ଅଂଚଳ ଗଂଜାମ ଜିଲ୍ଲାର ‘ସଳ୍ଟ ସିଟି’ ଭାବେ ପରିଚିତ ଥିଲା ଏବଂ ଗଂଜାମ ଜିଲ୍ଲାର ମୋଟ ଲବଣ ଉତ୍ପାଦନର ସିଂହଭାଗ ହୁମ୍ମାରୁ ହିଁ ମିଳୁଥିଲା । ଜିଲ୍ଲାରେ ଲୁଣ ଉତ୍ପାଦନ ହ୍ରାସ ପାଇବାର କାରଣ ମଧ୍ୟରେ ସବୁଠାରୁ ବଡ କାରଣ ହେଉଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗର ଅଭାବ । ମଜୁରୀ ନିର୍ଦ୍ଧାରଣକୁ ନେଇ ଲିଜ୍ଧାରୀ ଓ ଲବଣ ବୋର୍ଡ ମଧ୍ୟରେ ଯେଉଁ ମତଭେଦ ରହିଛି ତାହାର ସମାଧାନ ହୋଇପାରୁନି । ଏହାଛଡା ଭିତ୍ତିଭୂମି ସମସ୍ୟା ମଧ୍ୟ ରହିଛି । ବିଭିନ୍ନ ସମୟରେ ହୋଇଥିବା ବନ୍ୟା, ବାତ୍ୟାରେ ସମୁଦ୍ର ଜଳ ଲୁଣ ଜମିକୁ ମଡାଇବା ପାଇଁ ବ୍ୟବହାର କରାଯାଉଥିବା ପଂପ୍ ସେଟ୍, ବିଦ୍ୟୁତ ଟ୍ରାନ୍ସଫର୍ମରଗୁଡିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ତାହାର ମରମତି ଓ ଆଧୁନିକୀକରଣ ହୋଇପାରୁନି । ଏହା ରାଜ୍ୟ ତଥା ଗଂଜାମ ଜିଲ୍ଲାରେ ଲୁଣ ଚାଷ କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ ହୋଇଥିବା ବେଳେ ରାଜ୍ୟର ଲୁଣ ଚାହିଦା ମେଂଟାଇବା ପାଇଁ ଗୁଜରାଟ, ରାଜସ୍ଥାନ ଓ ତାମିଲନାଡୁରୁ ଲକ୍ଷ ଲକ୍ଷ ଟନ୍ ଲୁଣ ଆମଦାନୀ କରିବାକୁ ପଡୁଛି । ଗୁଜରାଟରେ ବର୍ଷକୁ ଦୁଇ କୋଟି, ତାମିଲନାଡୁରେ ୨୭ ଲକ୍ଷ ଓ ରାଜସ୍ଥାନରେ ୧୮ ଲକ୍ଷ ଟନ୍ ଲୁଣ ଉତ୍ପାଦନ ହେଉଛି ।
ବିଶେଷଜ୍ଞ କହିବା ଅନୁଯାୟୀ, ଦେଶର ଅନ୍ୟତ୍ର ଏକର ପିଛା ୭୦ ଟନ୍ ଲୁଣ ଉତ୍ପାଦନ ହୋଇପାରୁଥିବା ବେଳେ ଜଳବାୟୁ, ସୁଦୀର୍ଘ ଗ୍ରୀଷ୍ମ ଦିନର ଅଭାବ ଏବଂ ଆଧୁନିକ ଲୁଣ ଚାଷ ପଦ୍ଧତି ବ୍ୟବହାର ଅଭାବ କାରଣରୁ ଓଡ଼ିଶାରେ ଏକର ପିଛା ମାତ୍ର ୧୦ ଟନ୍ ଲୁଣ ଉତ୍ପାଦନ ହୋଇପାରୁଛି । ରାଜ୍ୟରେ ଲୁଣ ଚାଷ ପାଇଁ ଉପଯୋଗୀ ଅନେକ ଜମି ଅବ୍ୟବହୃତ ପଡି ରହିଛି । ଓଡ଼ିଶା ସରକାର ଭୂତଳ ଜଳ ଉତ୍ତୋଳନ କରି ଲୁଣ ଉତ୍ପାଦନ କରିବା ନିମନ୍ତେ ଅନୁମତି ଦେଉ ନାହାନ୍ତି । ବେଆଇନ ମାଛଧରା, ମୁହାଣ ଅବରୋଧ ଭଳି କାରଣରୁ ମଧ୍ୟ ଲୁଣ ଉତ୍ପାଦନ ଓ ଲୁଣର ମାନ କମୁଛି । ଅନ୍ତତଃ ୨୫ ହଜାର ଏକର ଜମିରେ ଲୁଣ ଚାଷ କରାଯାଇ ଏକର ପିଛା ହାରାହାରି ୪୦ ଟନ୍ ଲୁଣ ଉତ୍ପାଦନ କରାଯାଇପାରିଲେ ଓଡ଼ିଶାରେ ବାର୍ଷିକ ୧୦ ଲକ୍ଷ ଟନ୍ ଲୁଣ ଉତ୍ପାଦନ ହୋଇପାରନ୍ତା ଓ ରାଜ୍ୟର ଚାହିଦା ମେଂଟିବା ଅନ୍ୟ ରାଜ୍ୟକୁ ରପ୍ତାନୀ ହୋଇପାରନ୍ତା । କେନ୍ଦ୍ରୀୟ ଲବଣ ଓ ସାମୁଦ୍ରିକ ରସାୟନ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ସର୍ଭେ କରାଯାଇ ଓଡ଼ିଶାରେ ଲୁଣ ଉତ୍ପାଦନ ଉପଯୋଗୀ ଜମି ଚିହ୍ନଟ କରାଯାଇଛି । ସମସ୍ତ ଲୁଣ ଉତ୍ପାଦନ ଉପଯୋଗୀ ଜମି ପଟାଳିର ତାଲିକା କେନ୍ଦ୍ର ସରକାରଙ୍କ ଲବଣ ବୋର୍ଡ ନିକଟରେ ଉପସ୍ଥାପନ କରାଗଲେ ଏବଂ ଗୁଜରାଟ ମଡେଲରେ ରାଜ୍ୟରେ ଅତ୍ୟାଧୁନିକ ଉପକରଣର ବ୍ୟବହାର ଓ ଲୁଣ ଚାଷୀଙ୍କୁ ପ୍ରୋତ୍ସାହନ ଦେବା ବ୍ୟବସ୍ଥା ହେଲେ ଲୁଣ ଉତ୍ପାଦନରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହୋଇ ପାରନ୍ତା । ଗୁଜରାଟରେ ଦୀର୍ଘ ବର୍ଷ ହେଲା ବିଜେପି ସରକାର ଅଛି ଓ କେନ୍ଦ୍ର ସରକାରଙ୍କ ସହାୟତରେ ଲୁଣ ଚାଷକୁ ଲାଭଜନକ ବ୍ୟବସାୟରେ ପରିଣତ କରିଛି । ଦେଶରେ ମୋଟ ଲୁଣ ଉତ୍ପାଦନର ୮୭ ପ୍ରତିଶତ ଗୁଜରାଟରୁ ଉତ୍ପାଦିତ ହେଉଥିବା ବେଳେ ତାମିଲନାଡୁରେ ୪.୭ ପ୍ରତିଶତ ଓ ରାଜସ୍ଥାନରୁ ୬.୭ ପ୍ରତିଶତ ଉତ୍ପାଦିତ ହେଉଛି । ଦେଶଣ ଲବଣ କ୍ଷେତ୍ରରେ ପ୍ରାୟ ୮୦ ହଜାର ଶ୍ରମିକ ନିୟୋଜିତ ଅଛନ୍ତି । ଯେହେତୁ ଦେଶରେ ଲୁଣ ଉତ୍ପାଦନ ଓ ମାର୍କେଟିଂ ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ଲବଣ ବୋର୍ଡ ନିୟନ୍ତ୍ରଣରେ ରହିଛି ଗୁଜରାଟ ସରକାର ଠିକ୍ ସମୟରେ ଯୋଜନାମାନ ଉପସ୍ଥାପନ କରି କେନ୍ଦ୍ର ସରକାରଙ୍କ ସହାୟତାରେ ରାଜ୍ୟର ଲବଣ ଉଦ୍ୟୋଗକୁ ସମୃଦ୍ଧ କରୁଛନ୍ତି । ଓଡ଼ିଶାରେ ବର୍ଷେ ହେଲା ବିଜେପିର ଡବଲ ଇଂଜିନ ସରକାର ଚାଲିଛି । ରାଜ୍ୟ ସରକାର ଚାହିଁଲେ ଓଡ଼ିଶାର ଲବଣ ଚାଷୀ ଓ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରୋତ୍ସାହନ ଘୋଷଣା କରିପାରିବେ ଏବଂ କେନ୍ଦ୍ରୀୟ ସହାୟତରେ ରାଜ୍ୟରେ ବିଲୁପ୍ତ ଅବସ୍ଥାରେ ପହଂଚି ସାରିଥିବା ଲବଣ ଉଦ୍ୟୋଗର ପୁନରୁଦ୍ଧାର କରି ପାରିବେ । ତେବେ, ସବୁ କଥାରେ କେନ୍ଦ୍ରର ନିର୍ଦେଶକୁ ଅନାଇ ବସିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସରକାର ଏହି ବିଶେଷଜ୍ଞ ପରାମର୍ଶକୁ କେତେ ଗୁରୁତ୍ୱ ଦେବେ ତାହା ଆଗାମୀ ଦିନରେ ଜଣାପଡିବ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS