ଆଦାନୀଙ୍କୁ ନେଇ ଓଡ଼ିଶାବାସୀଙ୍କ ମନରେ ଅନେକ ପ୍ରଶ୍ନ


ପ୍ରସାଦ ରାଓ
ଭାରତୀୟ ଉଦ୍ୟୋଗ ଜଗତରେ ଗୌତମ ଆଦାନୀ ଏକ ପରିଚିତ ନାମ । ଖଣିରୁ ବନ୍ଦର ପର୍ଯ୍ୟନ୍ତ ଯୋଡି ହୋଇଛି ଏହି ନାମ ସହିତ । ବିଶ୍ୱର ଅରବପତି ତଲିକାରେ ସେ ୨୫ତମ ସ୍ଥାନରେ । ଭାରତରେ ଆଦାନୀ ଓ ଆମ୍ବାନୀଙ୍କ ମଧ୍ୟରେ ଅରବପତି ତାଲିକାରେ ଏକ ନମ୍ବର ରହିବାକୁ ଏକପ୍ରକାର ପ୍ରତିଦ୍ୱନ୍ଦିତା ଚାଲି ଆସିଛି । କେତେବେଳେ ଆମ୍ବାନୀ ତ କେତେବେଳେ ଆଦାନୀ ଆଗରେ । ସମଗ୍ର ବିଶ୍ୱରେ ସେମାନଙ୍କ ବାଣିଜ୍ୟ, ବ୍ୟବସାୟ ଚାଲିଛି । ଓଡ଼ିଶାର ଅନେକ ଖଣି ଖାଦାନ ଓ ବନ୍ଦର ଆଦାନୀଙ୍କ କର୍ତ୍ତୃତ୍ରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଦାନୀଙ୍କ ଘନିଷ୍ଠତା ସର୍ବଦା ଚର୍ଚ୍ଚାରେ ରହିଛି । ବିରୋଧୀ କୁହନ୍ତି – ମୋଦୀ-ଆଦାନୀଙ୍କ ସଂପର୍କ କ୍ଷୀର-ନୀର ଭଳି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯେତେସବୁ ବିଦେଶ ଗସ୍ତ ଦେଶର ବୈଦେଶିକ ନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଆଦାନୀଙ୍କ ବ୍ୟବସାୟିକ ସ୍ୱାର୍ଥ ରକ୍ଷା ପାଇଁ ଏତେସବୁ ବିଦେଶ ଗସ୍ତ ବୋଲି ବିରୋଧୀ ଗଲା ଏଗାର ବର୍ଷ ହେଲା ସମାଲୋଚନା କରି ଆସୁଛନ୍ତି । ଓଡ଼ିଶାର ପୂର୍ବ ବିଜେଡି ସରକାର ଅମଳରେ ଆଦାନୀଙ୍କୁ ଗୁରୁତ୍ୱ ମିଳୁଥିଲା । ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖଣି ଖାଦାନ, ବନ୍ଦର ଆଦାନୀଙ୍କୁ ଲିଜ୍ରେ ମିଳୁଥିଲା । ୨୦୨୪ ଜୁନରେ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ହେବା ପରେ ରାଜ୍ୟରେ ଆଦାନୀଙ୍କ ଗୁରୁତ୍ୱ ବଢିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସରକାର ସଂପୂର୍ଣ୍ଣ କେନ୍ଦ୍ର ଉପରେ ନିର୍ଭରଶୀଳ ଥିବାରୁ ରାଜ୍ୟ ଆଦାନୀ-ମୟ ହୋଇପଡିଥିବା ଏବଂ ଖଣି ଖାଦାନ, ବନ୍ଦର ସବୁ ଆଦାନୀଙ୍କୁ ଟେକି ଦିଆଯାଉଥିବା ବିରୋଧୀ ମହଲରେ ଚର୍ଚ୍ଚା ହେଉଛି । ଗଂଜାମ ଜିଲ୍ଲାର ଗୋପାଳପୁର ବନ୍ଦର ଏବେ ଆଦାନୀଙ୍କ ନିୟନ୍ତ୍ରଣରେ । ଓଡ଼ିଶାରେ ଗତ ୨୪ ବର୍ଷ କାଳ ବିଜେଡି ସରକାର ଥିଲା । ନବୀନ ପଟ୍ଟନାୟକ ସରକାରରେ ତାମିଲ ବ୍ୟବସାୟୀ ଓଡ଼ିଶାକୁ କବ୍ଚାରେ ରଖିଥିଲେ । ବିଜେପି ସରକାର ଆସିବା ପରେ ଗୁଜରାଟୀ ସଂସ୍ଥା ସେହି ସ୍ଥାନ ନେଇଛନ୍ତି । ରାଜ୍ୟର ସବୁ ବ୍ୟବସାୟ କାରବାର ଏବେ ଗୁଜରାଟୀଙ୍କ ହାତରେ ବୋଲି ଗତ ଏକ ବର୍ଷରେ ସର୍ବସାଧାରଣରେ ଧାରଣା ସୃଷ୍ଟି ହେଲାଣି । ରାଜ୍ୟର ଖଣି ଖାଦାନ ପୂର୍ବ ଭଳି ରାଜ୍ୟ ବାହାର ଉଦ୍ୟୋଗପତିଙ୍କ ହାତରେ ସରକାର ଟେକି ଦେଉଥିବା ବେଳେ ଯେଉଁ ଦୁର୍ମୁଲ୍ୟ ଖଣି ଖାଦାନ ଥିବା ସବୁ ଦୁର୍ଗମ ପାହାଡ ଓ ଜଂଗଲର ମୂଳ ଅଧିବାସୀ – ଆଦୀବାସୀ ଓ ଦଳିତମାନେ ଆଜି ମଧ୍ୟ ଚରମ ଦରିଦ୍ର ଭିତରେ ରହିଛନ୍ତି । ବିସ୍ଥାପନ ନାମରେ ସେମାନଙ୍କୁ ଭିଟାମାଟି ଛଡିବାକୁ ବାଧ୍ୟ କରାଯାଉଛି । ଉପଯୁକ୍ତ ଭବେ ଥଇଥାନ କରାଯାଉନି । ଯଦିବା କେଉଁଠି ଥଇଥାନ ହେଉଛି, ଜମି-ଜଂଗଲ ଉପରେ ଅଧିକାର ହରାଇ ଥିବା ପରିବାରଗୁଡିକୁ ସର୍ବନିମ୍ନ ମୌଳିକ ସୁବିଧା ମିଳୁନି । ସେମାନଙ୍କ ସ୍ଥିତି ଅଧିକ ଦୟନୀୟ ହେଉଛି । ଯେଉଁ ଖଣି ଖାଦାନ ନିଲାମ ହେଉଛି ବା ନିଲାମ ଅପେକ୍ଷାରେ ରହିଛି ସବୁଠି ବିସ୍ଥାପନ ବଡ ସମସ୍ୟା ହୋଇ ରହିଛି । ଜମି, ଜଂଗଲ, ପରିବେଶ ଏବଂ ଜୀବୀକା ଅଧିକାର ପାଇଁ ସଂଘର୍ଷ କରୁଥିବା ଆଦିବାସୀ, ଦଳିତ ପରିବାରଗୁଡିକ ସରକାର, ଜିଲ୍ଲା ପୁଲିସ ଓ ସାଧାରଣ ପ୍ରଶାସନ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି । ଏହାଛଡା, କଂପାନୀ ଗୁଣ୍ଡାଙ୍କ ଦମନ ମଧ୍ୟ ଚାଲିଛି । ତାହା ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଲୋକଙ୍କୁ କେବଳ ନୁହେଁ, ସାମାଜିକ କର୍ମୀଙ୍କୁ ମଧ୍ୟ କଂପାନୀ ଗୁଣ୍ଡା, ସରକାର ଓ ପ୍ରଶାସନର ଆକ୍ରୋଶର ଶିକାର ହେବାକୁ ପଡୁଛି । ଏହା ଉପରେ ଆଲୋଚନା ପାଇଁ ଅନ୍ୟ ଫୋରମ୍ ରହିଛି । ମେଧା ପାଟକର ଓ ପ୍ରଫୁଲ୍ଲ ସାମନ୍ତରାୟଙ୍କ ଭଳି ସାମାଜିକ କର୍ମୀମାନେ ଅବହେଳିତଙ୍କ ସମସ୍ୟାକୁ ନେଇ ଲଢୁଛନ୍ତି । ଆଜି ଆମ ଆଲୋଚନାର ପ୍ରସଙ୍ଗ ହେଉଛି ଅରବପତି ଆଦାନୀଙ୍କ ଓଡ଼ିଶା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅହେତୁକ ପ୍ରୀତି, ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଜୁନ ୨୭ ତାରିଖରେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଲା । ତିନି ଠାକୁର ପହଣ୍ଡି ହୋଇ ପାରଂପରିକ ରୀତିରେ ରଥରେ ବିରାଜମାନ ହେଲେ । ଅପରାହ୍ନରେ ତିନି ରଥ ଟଣା ଆରମ୍ଭ ହେଲା । ତେବେ, ତିନି ଠାକୁର ସେଦିନ ଗୁଣ୍ଡିଚା ମନ୍ଦିରରେ ପହଂଚିଲେ ନାହିଁ । ବଡ ଠାକୁର ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ରଥ ଅଧା ବାଟରୁ ଅଟକିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥ ସନ୍ଧ୍ୟା ସାଢେ ସାତଟାରେ ଟଣା ହୋଇ ଚକେ ଗଡିବା ପରେ ସିଂହଦ୍ୱାର ନିକଟରେ ହିଁ ଅଟକି ରହିଲା । ୨୮ ତାରିଖ ତିନି ରଖ ଟଣା ହୋଇ ମା’ ଗୁଣ୍ଡିଚାଙ୍କ ମନ୍ଦିରରେ ଲାଗିଲେ । ପୂର୍ବ ସରକାରଙ୍କ ସମୟରେ ମଧ୍ୟ ରଥଟଣା ବେଳେ ବିଭିନ୍ନ ପ୍ରକାର ବିଭ୍ରାଟ ଦେଖିବାକୁ ମିଳିଛି । ତେବେ, ଏଥରର ବିଭ୍ରାଟ ସବୁକୁ ବଳିଗଲା । ଅନେକ ଆଦାନୀଙ୍କ ଓଡ଼ିଶା ଆଗମନ ସମୟକୁ ଦାୟି କରି ସରକାରଙ୍କୁ ହଲ୍ଲାପଟା କଲେ । ‘ଆଦାନୀ ଗୃପ୍’ ମାଲିକ ୨୭ ତାରିଖ ସପରିବାର ଓଡ଼ିଶା ଆସି ୨୮ ତାରିଖ ସକାଳେ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିଥିଲେ । ଆଦାନୀ ପରିବାରକୁ ଅପେକ୍ଷା କରି ଜୁନ ୨୭ ରଥଟଣା ବଳମ୍ବିତ କରାଗଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଶ୍ରୀମନ୍ଦିର ସିଂହଦ୍ୱାର ଆଗକୁ ନ ଗଡାଇ ରଖି ଦିଆଗଲା । ୨୮ ତାରିଖ ସକାଳେ ଗୌତମ ଆଦାନୀ ପରିବାର ପୁରୀରେ ପହଂଚି ରଥ ଉପରେ ବିରାଜମାନ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପରେ ରଥ ଟଣା ହୋଇ ଗୁଣ୍ଡିଚା ମନ୍ଦିରକୁ ଗଲା । ଏହା ପଛରେ ଏକ ପ୍ରଶାସନିକ ଷଡଯନ୍ତ୍ର ଥିଲା ବୋଲି ବିରୋଧୀଙ୍କ ଅଭିଯୋଗ ଥିଲା । ତେବେ, ସରକାର ଏନେଇ କିଛି ସ୍ପଷ୍ଟୀକରଣ ଦେଇ ନାହାନ୍ତି । ଆଦାନୀ ରଥଯାତ୍ରାକୁ ଆସିଲେ । ‘ଆଦାନୀ ଫାଉଣ୍ଡେସନ୍’ ପକ୍ଷରୁ ପୁରୀ ଆସିଥିବା ୪୦ ଲକ୍ଷ ଭକ୍ତଙ୍କ ପାଇଁ ପୃଷ୍ଟିକର ରନ୍ଧା ଖାଦ୍ୟ (ପ୍ରସାଦ)ର ଆୟୋଜନ କରାଗଲା । ରୋଷେଇ କାର୍ଯ୍ୟରୁ ଆରମ୍ଭ କରି ମାଗଣାରେ ପ୍ରସାଦ ବିତରଣ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଆଦାନୀ, ତାଙ୍କ ପରିବାର ଓ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହେଲା । ପୂର୍ବରୁ ୟୁପିରେ ଆୟୋଜତ କୁମ୍ଭ ମେଳାରେ ମଧ୍ୟ ‘ଆଦାନୀ ଗୃପ୍’ର ଏପ୍ରକାର ସିଏସଆର କାର୍ଯ୍ୟକ୍ରମ ହୋଇଥିଲା । ତେଣୁ, ପୁରୀ ରଥଯାତ୍ରାରେ ‘ଆଦାନୀ ଗୃପ୍’ର ମାଗଣା ଭୋଜନ ବଂଟନକୁ କେହି ରାଜନୈତିକ ଦୃଷ୍ଟିରୁ ବିଚାର କରୁ ନାହାନ୍ତି । କିନ୍ତୁ, ରଥଯାତ୍ରା ସରିବା ଦୀର୍ଘ ଦିନ ପରେ ମଧ୍ୟ ‘ଆଦାନୀ ଗୃପ୍’ ପୁରୀରେ କରାଯାଇଥିବା ସେବା କାର୍ଯ୍ୟକୁ ନେଇ ବଡ ଜାତୀୟ ଓ ଆଂଚଳିକ ଖବରକାଗଜରେ ଫଟୋ ସମ୍ବଳିତ ଯେଉଁ ଆଡଭୋଟୋରିଆଲ (ମୂଲ୍ୟଯୁକ୍ତ ଖବର) ଲଗାତର ଭାବେ ଛାପୁଛି ତାହା ହିଁ ଚର୍ଚ୍ଚାର ଖୋରାକ ଯୋଗାଉଛି । ‘ଗୌତମ ଆଦାନୀ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ, ‘ସେବା ହିଁ ସାଧନା’ ହେଉଛି ତାଙ୍କ ଜୀବନର ମୂଳମନ୍ତ୍ର’ ବୋଲି ଆଡଭୋଟୋରିଆଲରେ ପ୍ରଚାର କରାଯିବା ସହ ୟୁପି କୁମ୍ବ ମେଳା ଓ ପୁରୀ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ମାଗଣା ଖାଦ୍ୟ ବଂଟନ ଓ ଅନ୍ୟାନ୍ୟ ସେବାଯୋଗାଇ ଥିବାର ବ୍ୟାପକ ପ୍ରଚାର ହେଉଛି । ରଥଯାତ୍ରା ସରି ମାସେ ହେଲାଣି, ଏବେ ବି ‘ଆଦାନୀ ଗୃପ୍’ର ଏହି ମୂଲ୍ୟଯୁକ୍ତ ଖବର ଅଗ୍ରଣୀ ସମ୍ବାଦପତ୍ରମାନଙ୍କରେ ଲଗାତର ପ୍ରକାଶ ପାଉଥିବା ପଛରେ କି ରହସ୍ୟ ରହିଛି ? ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନରୁ ଦକ୍ଷିଣ ଓଡ଼ିଶାର ପଂଚପଟ୍ଟମାଳି ପର୍ବତ ପର୍ଯ୍ୟନ୍ତ ରାଜ୍ୟର ବିସ୍ତୃତ ପାହାଡ, ଜଂଗଲ ଅଂଚଳରେ ବକ୍ସାଇଟ୍ ଓ ଅନ୍ୟାନ୍ୟ ମୂଲ୍ୟବାନ ଖଣିଜ ସଂପଦ ଭରପୁର ପରିମାଣର ରହିଛି । ଯାହା ଉପରେ କି ଆଦାନୀ, ଆମ୍ବାନୀଙ୍କଠାରୁ ଆରମ୍ଭ ଦେଶ, ବିଦେଶର ଅରବପତି ଶିଳ୍ପଦ୍ୟୋଗୀମାନଙ୍କ ଆଖି ରହିଛି । ଏବେ ଆଦାନୀଙ୍କ ପାଇଁ ଓଡ଼ିଶାରେ ଏକ ଅନୁକୂଳ ରାଜନୈତିକ ବାତାବରଣ ମଧ୍ୟ ସୃଷ୍ଟି ହୋଇ ସାରିଛି । ତେଣୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପାର ଭକ୍ତି ପ୍ରଦର୍ଶନ ଆଳରେ ଓଡ଼ିଶାର ଗଣମାଧ୍ୟମ ଓ ଜନମାନସକୁ ନିଜ ଅକ୍ତିଆରରେ ରଖିବାକୁ ଏହା ‘ଆଦାନୀ ଗୃପ୍’ ବା ମାଲିକ ଗୌତମ ଆଦାନୀଙ୍କ ପ୍ରୟାସ ନୁହେଁ ତ ? ଓଡ଼ିଶାବାସୀଙ୍କ ମନରେ ଏଭଳି ପ୍ରଶ୍ନ ଉଠିବା କିଛି ଅସ୍ୱାଭାବିକ ନୁହେଁ ।
ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
ମୋ: ୯୪୩୭୦୬୬୧୪୭/ ୭୦୦୮୯୫୮୨୮୪
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS