କଂଗ୍ରେସର ଆହ୍ୱାନ ବିଜେଡି ପାଇଁ ଅଗ୍ନିପରୀକ୍ଷା


ପ୍ରସାଦ ରାଓ
ଭୁବନେଶ୍ୱର, ଜୁଲାଇ ୨୪
ରାଜ୍ୟରେ ବିଜେପିର ଡବଲ ଇଂଜିନ ସରକାରରେ ମହିଳା ସୁରକ୍ଷିତ ନୁହନ୍ତି । ଗଲା କିଛି ଦିନ ହେଲା ରାଜ୍ୟର ବିଭିନ୍ନ ପ୍ରନ୍ତରୁ ମହିଳାଙ୍କ ପ୍ରତି ଯୌନ ଶେଷଣ, ନିର୍ଯାତନା, ଦୁଷ୍କର୍ମ ଓ ଅନ୍ୟ ଅପରାଧ ଘଟଣାର ସୁଅ ଛୁଟିଛି । ଏହାକୁ ନେଇ ସରକାରଙ୍କ ଅଡୁଆ ବଢୁଥିବା ବେଳେ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କୁ ସକାଶେ ସବୁର୍ଣ୍ଣ ସୁଯୋଗ ସୃଷ୍ଟି କରିଛି । ବିଧାନସଭାର ମୌସୁମୀ ଅଧିବେଶନ କେବେ ଡିକିବେ ସରକାର ତାହା ଆଜି ସୁଦ୍ଧା ନିର୍ଣ୍ଣୟ ନେଇ ନଥିବା ବେଳେ ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧିକୁ ପ୍ରସଙ୍ଗ କରି ରାଜରାସ୍ତାରେ ପ୍ରତିବାଦ, ଆନଦୋଳନ ଚଳାଇ ଥିବା ବିରୋଧୀ ବିଧାନସଭା ଅଧିବେଶନ ତାରିଖ ଘୋଷଣା ଅପେକ୍ଷାରେ ଅଛନ୍ତି । ଆସନ୍ତା ବିଧାନସଭା ଅଧିବେଶନରେ ରାଜ୍ୟ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ କଂଗ୍ରେସ ଘୋଷଣା କଲାଣି । ତେବେ, ଏକାକୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ସ୍ଥିତିରେ ନଥିବାରୁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡିକୁ ସମର୍ଥନ ପାଇଁ ଉସୁକାଉଛି । କିନ୍ତୁ, ବିଜେଡି କଂଗ୍ରେସର ଏହି ପ୍ରସ୍ତାବକୁ ଗ୍ରହଣ କରିନାହିଁ ବା ସଂପୂର୍ଣ୍ଣ ଏଡାଇ ଦେଇ ନାହିଁ । ବିଧାନସଭା ମୌସୁମୀ ଅଧିବେଶନ ତାରିଖ ଘୋଷଣା ପରେ ବିଜେଡିର ବିଧାୟକ ଦଳ ବୈଠକ ବସିବ ଏବଂ ଦଳର ନେତା ଏନେଇ ଯାହା ନିଷ୍ପତ୍ତି ନେବେ କହି ବିଜେଡିର ଦ୍ୱିତୀୟ ଧାଡି ନେତୃତ୍ୱ କଂଗ୍ରେସକୁ ଝୁଲାଇ ରଖିଥିବା ବେଳେ ବିଜେଡି ମୁଖ୍ୟ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଂଗ୍ରେସର ଆହ୍ୱାନକୁ ନେଇ ତ୍ୱରିତ ପ୍ରତିକ୍ରିୟା ଦେଇ ନାହାନ୍ତି ।
ରାଜ୍ୟ ବିଧାନସଭାରେ ବିଜେପିର ୭୮ ବିଧାୟକ ଥିବା ବେଳେ ବିଜେଡିର ୫୧ ଓ କଂଗ୍ରେସର ୧୪ ବିଧାୟକ ଅଛନ୍ତି । ବିଜେଡି ଗତ ୨୪ ବର୍ଷ ଧରି ରାଜ୍ୟକୁ ଶାସନ କରୁଥିଲା । ଜାତୀୟସ୍ତରରେ କଂଗ୍ରେସ ଓ ବିଜେପି ସହ ସମଦୂରତା କଥା କହି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗରେ ବିଜେପି ନେତୃତ୍ୱରେ ପରିଚାଳିତ ଏନଡିଏ ସରକାରଙ୍କୁ ସମର୍ଥନ ଦେଉଥିଲା । ବର୍ଷେ ହେଲା ରାଜ୍ୟରେ ବିଜେପିର ଶାସନ ଚାଲିଥିବା ବେଳେ ବିଜେଡି ମୁଖ୍ୟ ବିରୋଧୀ ଦଳ ରହିଛି ଏବଂ ଓଡ଼ିଶା ଭଳି କେନ୍ଦ୍ରରେ ମଧ୍ୟ ବିଜେପି ସରକାରଙ୍କୁ ଘେରିବ ବୋଲି ବାରମ୍ବାର କହି ଆସୁଛି । ତେବେ, ବିଗତ ସଂସଦ ଅଧିବେଶନରେ କେନ୍ଦ୍ର ସରକାର ୱାକଫ୍ ବୋର୍ଡ ସଂଶୋଧନ ବିଧେୟକ ଆଣି ବିଜେଡି ସାଂସଦଙ୍କ ସହଯୋଗରେ ତାହା ପାରିତ କରାଇ ନେବା ପରେ ରାଜ୍ୟ ଓ ଜାତୀୟ ରାଜନୀତିରେ ବିଜେଡିର ଭୂମିକାକୁ ନେଇ ରାଜ୍ୟବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଲୋକସଭାରେ ବିଜେଡିର ଜଣେ ହେଲେ ସାଂସଦ ନଥିବା ବେଳେ ରାଜ୍ୟସଭାରେ ସାତ ଜଣ ସାଂସଦ ଅଛନ୍ତି । ଦଳ ମୁଖିଆଙ୍କ ଅସ୍ପଷ୍ଟ ନୀତି ଯୋଗୁଁ ସାତ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ଜଣେ ବିଧେୟକକୁ ବିରୋଧ କରି ଭୋଟ ଦେଇଥିବା ବେଳେ ଆଉ ଜଣେ ଭୋଟ ଦାନରୁ ବିରତ ରହିଥିଲେ । ପାଂଚ ଜଣ ବିଜେଡି ସାଂସଦ ରାଜ୍ୟସଭାରେ ୱାକଫ୍ ବୋର୍ଡ ସଂଶୋଧନ ବିଧେୟକ ସପକ୍ଷରେ ଭୋଟ ଦେଇ ବିଜେଡି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ନା ବିଜେପିର ସହଯୋଗୀ ବୋଲି ଜନସାଧାରଣରେ ସଂଶୟ ସୃଷ୍ଟି କରିଥିଲେ । ଏହି ଭୋଟଦାନକୁ ନେଇ ବିଜେଡିରେ ମଧ୍ୟ ତୁମ୍ବିତୋଫାନ ହୋଇଥିଲା । ଦଳ ସଂଖ୍ୟାଲଘୁ ସଂପ୍ରଦାୟ ପ୍ରତି ବିଶ୍ୱାସଘାତ କରିଛି ବୋଲି ଦଳର ଗୋଟିଏ ଗୋଷ୍ଠୀ ଅଭିଯୋଗ କରିବା ସହ ବିଜେଡି ମୁଖିଆଙ୍କଠାରୁ ସ୍ପଷ୍ଟୀକରଣ ଲୋଡି ଥିଲେ । ଦଳ ଭାଂଗି ଯାଇପାରେ ବୋଲି ମଧ୍ୟ ଆଶଙ୍କା ସୃଷ୍ଟି ହୋଇଥିଲା । ତେବେ, ନବୀନ ଦଳର ନେତାମାନଙ୍କୁ ଝୁଲାଇ ରଖି ପରିସ୍ଥିତି ସମ୍ଭାଳି ନେଇଥିଲେ ।
ବିଜେଡି ରାଜ୍ୟରେ ଶାସନରେ ଥିବା ସମୟରୁ କଂଗ୍ରେସ ଓ ବିଜେପିଠାରୁ ସମଦୂରତା କଥା କହି ଆସିଛି । ଶାସନରୁ ଯିବା ପରେ ବିରୋଧୀ ଦଳରେ ଥାଇ ସେହି ସମଦୂରତା କଥା କହୁଛି । ନିକଟରେ, ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ବିଏଡ୍ ଛାତ୍ରୀ ବିଭାଗୀୟ ମୁଖ୍ୟଙ୍କ ଯୌନ ଉତ୍ପୀଡନର ଶିକାର ହୋଇ କଲେଜ କର୍ତ୍ତପକ୍ଷଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଲିଖିତ ଭାବେ ଜଣାଇଥିଲେ । ଅଭିଯୋଗର ତଦନ୍ତ ହୋଇ ଛାତ୍ରୀ ଜଣକୁ ନ୍ୟାୟ ଦିଆଯିବା ବଦଳରେ ବୁଝାମଣା କରିନେବାକୁ ଚାପ ପକା ଯିବାରୁ ସେ ନିରାଶ ହୋଇ ନିଜ ଦେହରେ ପେଟ୍ରୋଲ ଢାଲି ନିଆଁ ଲଗାଇ ଦେଇଥିଲେ । ପ୍ରାୟ ୯୫ ପ୍ରତିଶତ ପୋଡି ଯାଇ ଭୁବନେଶ୍ୱର ‘ଏମ୍ସ’ରେ ଚିକିତ୍ସାଧିନ ଅବସ୍ଥାରେ ଜୁଲାଇ ୧୪ ତାରିଖ ରାତିରେ ମୃତ୍ୟୁବରଣ କଲେ । ପରେ ପରେ ପୁରୀ ଜିଲ୍ଲା ନିମାପଡା ତହସିଲ ବଳଙ୍ଗା ଥାନା ଅଂଚଳରେ ଜଣେ ନାବାଳିକାଙ୍କୁ ତିନି ଜଣ ଯୁବକ ରାସ୍ତାରୁ ଟେକି ନେଇ ଜିଅଁନ୍ତା ପୋଡି ଦେଇଛନ୍ତି । ନାବାଳିକା ଜଣକର ୭୫ ପ୍ରତିଶତ ପୋଡି ଯାଇଥିବା ବେଳେ ଭୁବନେଶ୍ୱରୁ ଦିଲ୍ଲୀ ‘ଏମ୍ସ’କୁ ଏୟାର ଲିଫ୍ଟ କରାଯାଇ ତାଙ୍କ ଚିକିତ୍ସା ଚାଲିଛି । ସେ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଥିବା ଡାକ୍ତରୀ ବୁଲେଟିନରୁ ଜଣାପଡିଛି । କେବଳ ଏହି ଦୁଇଟି ଘଟଣା ନୁହେଁ, ଗଲା କିଛି ଦିନ ହେଲା ଲଗାତର ଭାବେ ରାଜ୍ୟର ବିଭିନ୍ନ ଅଂଚଳରୁ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଭଳି ଅମାନୁଷିକ ଅପରାଧ ଘଟୁଥିବା ଖବର ଆସୁଛି ଏବଂ ଏସବୁ ଘଟଣା ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇ ଥିବା ବେଳେ ବର୍ଷକର ଶିଶୁ ସରକାର ‘ଶକ୍ତିଶ୍ରୀ’ ଯୋଜନା ଘୋଷଣା କରି ଅପବାଦମୁକ୍ତ ହେବାର ବାଟ ଖୋଜୁଛନ୍ତି । ବିରୋଧୀ ଦଳ କଂଗ୍ରେସ ଓ ବିଜେଡି ଭିନ୍ନ ଭିନ୍ନ ଭାବେ ‘ବାଲେଶ୍ୱର ବନ୍ଦ’ ଓ ‘ଓଡ଼ିଶା ବନ୍ଦ’ ପାଳନ କରି ସରକାର ନାରୀ ବିରୋଧୀ ବୋଲି ମାହୋଲ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି ।
ଜୁଲାଇ ୮ ତାରିଖରେ କଂଗ୍ରେସ ନାରୀଙ୍କୁ ନ୍ୟାୟ ଦାବିରେ ଯେଉଁ ‘ଓଡ଼ିଶା ବନ୍ଦ’ ଡାକରା ଦେଇଥିଲା ତାହାକୁ ସମଗ୍ର ରାଜ୍ୟରେ ବିପୁଳ ଜନସମର୍ଥନ ମିଳିଛି ଏବଂ ରାଜ୍ୟବାସୀ ସ୍ୱତଃସ୍ପୁର୍ତ୍ତ ଭାବେ ବନ୍ଦରେ ସାମିଲ ହୋଇ ସଫଳ କରିଥିବା ରାଜ୍ୟ କଂଗ୍ରେସ ନେତୃତ୍ୱର ଉତ୍ସାହ ବଢାଇଛି । ସେହିଭଳି, ବିଜେଡିର ୬ ତାରିଖ ‘ବାଲେଶ୍ୱର ବନ୍ଦ’ ସଫଳ ହୋଇଛି ଏବଂ ଦଳର ନେତା ଓ କର୍ମୀମାନେ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ପୁଲିସର ପାଣି ଓ ଲାଠି ମାଡରେ ଆହତ ହୋଇ ବିଜେଡିକୁ ଚର୍ଚ୍ଚାରେ ରଖିଛି । ଦୁଇ ବିରୋଧୀ ଦଳ ‘ନାରୀକୁ ନ୍ୟାୟ’ ଦାବିରେ ଭିନ୍ନ ଭିନ୍ନ ଭାବେ ଆନ୍ଦୋଳନ କରୁଥିଲେ ମଧ୍ୟ ଆଜି ସୁଦ୍ଧା ମିଳିତ ଭାବେ ସରକାରଙ୍କୁ ଘେରି ନାହାନ୍ତି । ତେଣୁ, ବିଧାନସଭାର ଆଗାମୀ ମୌସୁମୀ ଅଧିବେଶନରେ କଂଗ୍ରେସ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ବୁଧବାର ଦିନ ଘୋଷଣା କରିବା ସହ ବିଜେଡି ଏହାକୁ ସମର୍ଥନ ଦେବାକୁ ନିବେଦନ କରିଛନ୍ତି । ଯଦି ବିଜେଡି ମୁଖ୍ୟ ବିରୋଧୀ ଦଳ ଭାବେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ ସମର୍ଥନ ଦେବ, ନହେଲେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଲେ ବିଜେଡି ସମର୍ଥନ ଦେଉ ବୋଲି ଦାସ ଆହ୍ୱାନ ଦେଇଥିବା ବେଳେ ବିଜେଡି ସହି ସମୟ ଆସିଲେ ଦଳର ନେତା ନିଷ୍ପତ୍ତି ନେବେ କହି ଭକ୍ତଙ୍କ ଆହ୍ୱାନକୁ ଟାଳି ଦେଇଛି । ଇତିମଧ୍ୟରେ, ଜଣେ କଲେଜ ଛାତ୍ରୀଙ୍କୁ ମାର୍ଚ୍ଚ ୧୮ ତାରିଖରେ ଗୋଟିଏ ହେଟେଲକୁ ଡାକି ନେଇ ନିଶାଗ୍ରସ୍ତ କରିବା ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନ ଓ ତାଙ୍କର ବନ୍ଧୁଙ୍କୁ ଗିରଫ କରି ଜେଲ୍ ପଠାଇବା ଘଟଣା କଂଗ୍ରେସର ନାରୀ ନ୍ୟାୟ ଆନ୍ଦୋଳନକୁ ଝଟକା ଦେଇଛି ।
ତେବେ, କଂଗ୍ରେସ ନେତୃତ୍ୱ ତୁରନ୍ତ ଉଦିତଙ୍କୁ ଛାତ୍ର ସଂଗଠନ ରାଜ୍ୟ ସଭାପତି ପଦରୁ ନିଲମ୍ବିତ କରି ଓ ଅଭିଯୋଗର ତଦନ୍ତ ପାଇଁ କମିଟି ଗଠନ କରି କ୍ଷତିଭରଣା ଉଦ୍ୟମ କରିଛି । ମାର୍ଚ୍ଚ ୧୮ ତାରିଖରେ ଘଟଣା ଘଟିଥିବା ବେଳେ ଜୁଲାଇ ମାସରେ ଝିଅଟି ଥାନାରେ ଅଭିଯୋଗ କରିବା ଓ ମଂଚେଶ୍ୱର ଥାନା ପୁଲିସ ଅଭିଯୋଗ ପାଉ ପାଉ ଉଦିତଙ୍କୁ ରାତି ଅଧରେ ଘରୁ ଉଠାଇ ଆଣିବା ଏକ ପ୍ରକାର ସନ୍ଦେହର ବାତାବରଣ ସୃଷ୍ଟି କରିଥିବା ବେଳେ ବିଜେପିର ଛାତ୍ର ସଂଗଠନ ଅଖିଳ ଭାରତୀୟ ଛାତ୍ର ପରିଷଦ (ଏବିଭିପି) ଏହି ଘଟଣାରେ କଂଗ୍ରେସର ଉଭୟ ଜାତୀୟ ଓ ରାଜ୍ୟ ନେତୃତ୍ୱକୁ ଘେରୁଛି । ଫଳରେ, ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଏବେ ନାରୀ ନିର୍ଯ୍ୟାତନା ପ୍ରତିବାଦରେ ରାଜରାସ୍ତାରେ ଅଛନ୍ତି । ଉଦିତ ପ୍ରଧାନ ଘଟଣା ପରେ ମଧ୍ୟ ରାଜ୍ୟ କଂଗ୍ରେସ ନାରୀକୁ ନ୍ୟାୟ ଦାବିରେ ଆନେ୍ଦୋଳନ ଜାରି ରଖିବାକୁ ଘୋଷଣା କରିଛି । ଭକ୍ତ ଦାସ ପିସିସି ସଭାପତି ହେବା ପରେ ରାଜ୍ୟରେ କଂଗ୍ରେସ ସକ୍ରିୟ ହୋଇ ବିଭିନ୍ନ ଆନ୍ଦୋଳନ କାର୍ଯ୍ୟକ୍ରମ ମାଧ୍ୟମରେ ଯେଭଳି ଲୋକଙ୍କ ସହ ଯୋଡି ହେଉଛି ତାହା ଶୁପ୍ତପ୍ରାୟ ମୁଖ୍ୟ ବିରୋଧୀ ଦଳ ବିଜେଡି ପାଇଁ ଚିନ୍ତାର କାରଣ ହୋଇଛି । କଂଗ୍ରେସ ପ୍ରତି ଜନସମର୍ଥନ ବୃଦ୍ଧି ବିଜେଡିର ଅବକ୍ଷୟର କାରଣ ହୋଇପାରେ ବୋଲି ବିଜେଡି ନେତୃତ୍ୱ ଆଶଙ୍କାରେ ଥିବା ବେଳେ ପିସିସି ସଭାପତି ଦାସ ଆଗାମୀ ବିଧାନସଭା ଅଧିବେଶନରେ ସରକାରଙ୍କ ବିରୋଧରେ ମିଳିତ ଭାବେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବିଜେଡିକୁ ଆହ୍ୱାନ ଦେଇ ହରଡଘଣାରେ ପକାଇଛନ୍ତି । ବିଜେଡି କଂଗ୍ରେସର ଆହ୍ୱାନକୁ ଗ୍ରହଣ କଲେ ବିଧାନସଭାରେ ସରକାର ଅଡୁଆରେ ପଡିବା ସୁନିଶ୍ଚିତ । ତେବେ, ବିଜେଡିର ରାଜନୈତିକ ବାଧ୍ୟବାଧକତା ଏହା କରାଇ ଦେବ କି ନାହିଁ – ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS