ପଂଚାୟତ ମିଶ୍ରଣ ହୋଇ ‘ବୃହତ୍ ବ୍ରହ୍ମପୁର’ ଗଠନ, ସମସ୍ୟା କଣ ସୁଧୁରିବ ?


ପ୍ରସାଦ ରାଓ
ଭୁବନେଶ୍ୱର
ଗଂଜାମ ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ସହର ହେଉଛି ବ୍ରହ୍ମପୁର । ବ୍ରିଟିଶ ଶାସନରେ ମାଡ୍ରାସ ପ୍ରେସିଡେନ୍ସୀ ଅଧିନରେ ଥିବା ସମୟରେ ବ୍ରହ୍ମପୁର ୧୮୬୭ରେ ଦେଶର ପ୍ରଥମ ପୌରପାଳିକାର ମାନ୍ୟତା ପାଇଥିଲା । ୨୮ଟି ୱାର୍ଡକୁ ନେଇ ଏହି ପୌରପାଳିକା କାର୍ଯ୍ୟ କରୁଥିଲା । ଇତିମଧ୍ୟରେ ୨୦୧୭ ମସିହାରେ ବ୍ରହ୍ମପର ପୌରପାଳିକା ତାହାର ୧୫୦ତମ ବର୍ଷ ପୂର୍ତ୍ତି ପାଳନ କରିଛି । ୨୦୦୮ ଡିସେମ୍ବର ୨୯ ତାରିଖରେ ରାଜ୍ୟ ସରକାର ଏହି ପୌରପାଳିକାକୁ ମହାନଗର ନିଗମରେ ପରିଣତ କରି ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା ସହ ତାଲିକାରେ ଯୋଡି ଥିଲେ । ୪୦ଟି ୱାର୍ଡକୁ ନେଇ ବ୍ରହ୍ମପୁର ମହାନଗର ନିଗମ ଦୀର୍ଘ ୧୭ ବର୍ଷ ହେଲା ମହାନଗରବାସୀଙ୍କ ସେବା କରୁଛି । ତେବେ, ସହରର ଭିତ୍ତିଭୂମିରେ ସେଭଳି କିଛି ପରିବର୍ତ୍ତନ ଆସିନା । ପୂର୍ବ ଭଳି ସହରର ସଂକୀର୍ଣ୍ଣ ଗଳିକନ୍ଦି, ରାସ୍ତାଘାଟ, ନାଳନର୍ଦ୍ଦମା ଦୁର୍ଦ୍ଦଶାର ଚିତ୍ର ବୟାନ କରୁଛି । ସହରକୁ ଦେଖିଲେ କେହି ଏହା ଏକ ମହାନଗର ନିଗମ ବୋଲି କହିବ ନାହିଁ । ରାସ୍ତା ଉପରକୁ ମାଡି ଆସିଥିବା ଦୋକାନ, ସଂକୀର୍ଣ୍ଣ ରାସ୍ତାକୁ ଦୁଇ ଭାଗ କରି ଡିଭାଇଡର ନିର୍ମାଣ କରାଯିବା ଦ୍ୱାରା ରାସ୍ତା ଅଧିକ ସଂକୀର୍ଣ୍ଣ ହୋଇ ମାତ୍ରାଧିକ ଭିଡ ରହିବା ନିତିଦିନିଆ କଥା । ଜନସଂଖ୍ୟା ବୃଦ୍ଧି ସହ ଯାନବାହନ ସଂଖ୍ୟା ବହୁଗୁଣିତ ହେବା ଦ୍ୱାରା ସହରରେ ଚଳପ୍ରଚଳ କରିବା ଏକପ୍ରକାର ଅସମ୍ଭବ ହୋଇପଡିଛି । ମହାନଗର ହେବା ପରେ ପୌର ଅଧକ୍ଷ ପଦକୁ ମେୟର କୁହାଯାଉଛି ଏବଂ କାଉନସିଲରମାନେ ଏବେ କର୍ପୋରେଟର । ଏହା ଛଡା ଆଉ କିଛି ପରିବର୍ତ୍ତନ ନାହିଁ । ଏଭଳି ସ୍ଥିତିରେ ସହର ତଳି ପଂଚାୟତଗୁଡିକୁ ନେଇ ମହାନଗର ନିଗମ ସହ ମିଶ୍ରଣ କରି ଏକ ‘ବୃହତ୍ ବ୍ରହ୍ମପୁର’ ଗଠନର ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି ତାହା କେତେଦୂର ଏହି ନିଗମର ଦୁର୍ଦ୍ଦଶା ଦୂର କରିବ ବୋଲି ସଚେତନ ମହଲରେ ପ୍ରଶ୍ନ ହେଉଛି ।
ସହର ଉପକଂଠରେ ଥିବା ୧୮ଟି ପଂଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ମିଶ୍ରଣ କରାଯାଇ ‘ବୃହତ୍ ବ୍ରହ୍ମପୁର’ ଗଠନ ପାଇଁ ଦୀର୍ଘ ବର୍ଷର ହେଲା ଦାବି ହୋଇ ଆସୁଛି । ଗୃହ ନିର୍ମାଣକାରୀ ଘରୋଇ ସଂସ୍ଥାମାନେ ଇତିମଧ୍ୟରେ ବ୍ରହ୍ମପର ସହରର କଳେବର ବୃଦ୍ଧି କରି ସହର ତଳି ଅଂଚଳରେ ନଗରମାନ ସୃଷ୍ଟି କରିସାରିଲେଣି । ବ୍ରହ୍ମପୁର ସହର ଗୋଟିଏ ପଟେ ଗଂଜାମ ଜିଲ୍ଲାର ମୁଖ୍ୟ ସଦରମହକୁମା ଛତ୍ରପୁର ପର୍ଯ୍ୟନ୍ତ ଓ ଅନ୍ୟପଟେ ପର୍ଯ୍ୟଟନ ସହର ଗୋପାଳପୁର ପର୍ଯ୍ୟନ୍ତ ବ୍ୟାପି ଯାଇଛି । ତେଣୁ, ବ୍ରହ୍ମପୁର ମହାନଗର ସହ ଛତ୍ରପୁର ଓ ଗୋପାଳପୁର ଏନଏସିକୁ ମିଶ୍ରଣ କରି ‘ବୃହତ୍ ବ୍ରହ୍ମପୁର’ ଗଠନ ହେବାର ଆବଶ୍ୟକତା ଉପରେ ଅନେକ ଗୁରୁତ୍ୱ ଦେଉଛନ୍ତି । ପୂର୍ବ ସରକାର (ବିଜେଡି)ରେ ‘ବୃହତ୍ ବ୍ରହ୍ମପୁର’ ଗଠନ ପାଇଁ ବ୍ରହ୍ମପୁର ଉନ୍ନୟନ ଅଥରିଟି ପକ୍ଷରୁ ଏକ ‘କଂପ୍ରେହେନସିଭ ଡେଭଲପମେଟ ପ୍ଲାନ’ ବା ସିଡିପି ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରଣାଳୟ ନିକଟକୁ ପଠା ଯାଇଥିଲା । ‘ବୃହତ୍ ବ୍ରହ୍ମପୁର ମହାନଗର’ ଗଠନ ହେଲେ କେଉଁ ଅଂଚଳକୁ କି ମାନ୍ୟତା ଦିଆଯିବ, ତାହା ସେଥିରେ ନିର୍ଦ୍ଧାରଣ କରାଯାଇଥିଲା । ତେବେ, ରାଜ୍ୟ ସରକାର ଯୋଜନାକୁ ଯେଭଳି ଗୁରୁତ୍ୱ ଦେବା କଥା ନଦେଇ ଥଣ୍ଡାବାକ୍ସରେ ପକାଇ ଦେଇଥିଲେ । ୨୦୨୪ ଜୁନରେ ରାଜ୍ୟରେ ବିଜେପି ସରକାର ଆସିବା ଓ ଗଂଜାମ ଜିଲ୍ଲାର ୧୩ଟି ବିଧାନସଭା ଆସନରୁ ୧୧ଟି ଏବଂ ଜିଲ୍ଲାର ଦୁଇଟି ସଂସଦୀୟ କ୍ଷେତ୍ର ଆସିକା ଓ ବ୍ରହ୍ମପୁର ବିଜେପି ହାତକୁ ଯିବା ପରେ ପୁଣି ଥରେ ‘ବୃହତ୍ ବ୍ରହ୍ମପୁର’ ଗଠନ ଦାବି ମୁଣ୍ଡ ଟେକିଛି ।
ଗୋପାଳପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ବିଜେପିରୁ ସାଂସଦ । ୨୦୨୪ ନିର୍ବାଚନରେ ସେ ବ୍ରହ୍ମପୁର ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହେବା ପରେ ବ୍ରହ୍ମପୁର, ଛତ୍ରପୁର ଓ ଗୋପାଳପୁରକୁ ନେଇ ‘ବୃହତ୍ ବ୍ରହ୍ମପୁର’ ଗଠନ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଦାବି ରଖିବା ପରେ ସରକାର ଏଦିଗରେ ଆଗକୁ ପାଦେ ବଢିଛନ୍ତି । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର ନିକଟରେ ବ୍ରହ୍ମପୁର ଉନ୍ନୟନ ଅଥିରିଟି (ବିଡିଏ)ର ଏକ ବୈଠକରେ ଯୋଗ ଦେବାକୁ ବ୍ରହ୍ମପୁର ଯାଇଥିବା ବେଳେ ବ୍ରହ୍ମପୁର, ଛତ୍ରପୁର ଓ ଗୋପଳପୁରକୁ ନେଇ ‘ବୃହତ୍ ବ୍ରହ୍ମପୁର ମହାନଗର’ ଗଠନ ସମ୍ଭାବନାକୁ ଅନୁଧ୍ୟାନ କରିବାକୁ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କୁ ନିର୍ଦେଶ ଦେଇଥିଲେ । ଇତିମଧ୍ୟରେ ବ୍ରହ୍ମପୁର ସହର ତଳି ଅଂଚଳରେ ଗଢି ଉଠିଥିବା ନୂଆ, ପୁରୁଣା ଜନବସତି ସବୁ ମହାନଗର ଅଂଚଳରେ ଥିଲେ ମଧ୍ୟ ବିଭିନ୍ନ ପଂଚାୟତ ଅଧିନରେ ରହି ମହାନଗର ଅଂଚଳକୁ ମିଳୁଥିବା ବିଭିନ୍ନ ସବୁଧା ସୁଯୋଗରୁ ବଂଚିତ ହେଉଥିବାରୁ ସହର ତଳି ପଂଚାୟତଗୁଡିକୁ ବ୍ରହ୍ମପୁର ମହାନଗର ନିଗମରେ ମିଶ୍ରଣ ଦାବି ତେଜିଛି । ମହାନଗରରେ ସାମିଲ ହେଲେ ହିଁ ସେମାନଙ୍କୁ ସହରାଂଚଳକୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ମିଳିବ । ତେଣୁ, ସହର ତଳି ଅଂଚଳ ବାସିନ୍ଦା କ୍ରିୟାନୁଷ୍ଠାନ କମିଟିମାନ ଗଠନ କରି ଗଲା ପ୍ରାୟ ୩୦ ବର୍ଷ ହେଲା ମହାନଗରରେ ମିଶ୍ରଣ ପାଇଁ ସରକାରଙ୍କ ନିକଟରେ ଏହି ଦାବି ଉପସ୍ଥାପନ କରୁଛନ୍ତି । ସେମାନେ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରି ଆନ୍ଦୋଳନାତ୍ମକ ପକ୍ଷେପ ମଧ୍ୟ ନେଉଛନ୍ତି ।
ତେବେ, ବ୍ରହ୍ମପୁର ସହର ଉପକଂଠ ପଂଚାୟତଗୁଡିକ ମଧ୍ୟରୁ ଅଧିକାଂଶ ବିଭିନ୍ନ କାରଣରୁ ବ୍ରହ୍ମପୁର ମହାନଗରରେ ସାମିଲ ହେବାକୁ ପ୍ରଥମେ ରାଜି ନହେବାରୁ ରାଜ୍ୟ ସରକାର ସହର ତଳି ଅଂଚଳବାସୀଙ୍କ ଦାବିକୁ ଥଣ୍ଡାବାକ୍ସକୁ ଠେଲି ଦେଇଥିଲେ । ଏବେ, ସେହି ମାନସିକତାରେ ପରିବର୍ତ୍ତନ ଆସିଥିବା ଦେଖିବାକୁ ମିଳୁଛି । ବ୍ରହ୍ମପୁର ମହାନଗର ସଂଲଗ୍ନ ୧୮ଟି ପଂଚାୟତରୁ ୧୫ଟି ପଂଚାୟତ ଗତ ଦୁଇ ମାସ ମଧ୍ୟରେ ମହାନଗର ନିଗମରେ ସାମିଲ ହେବାକୁ ପଂଚାୟତ ସିମିତି ବୈଠକରେ ନିଷ୍ପତ୍ତି ନେଇ ଜିଲ୍ଲା ପ୍ରଶାସନକୁ ସୂଚିତ କରିବା ପରେ ବ୍ରହ୍ମପୁର ମହାନଗର ନିଗମ ସ୍ୱତନ୍ତ୍ର ବୈଠକ କରି ସେସବୁ ପ୍ରସ୍ତାବକୁ ଆନୁଷ୍ଠାନିକ ଭାବେ ଅନୁମୋଦନ ଦେଇଛନ୍ତି । ରାଜ୍ୟ ସରକାରଙ୍କୁ ମଧ୍ୟ ତାହା ଜଣାଇ ଦିଆଯାଇଛି । ୨୦୨୫ ଜୁନରେ ଦୁଇଟି ପଂଚାୟତ ବ୍ରହ୍ମପୁର ମହାନଗର ନିଗମ ସହ ମିଶ୍ରଣ ପାଇଁ ସମ୍ମତି ଜଣାଇ ପ୍ରସ୍ତାବ ଗୃହୀତ କରିଥିଲେ ଓ ଜିଲ୍ଲା ପ୍ରଶାସନକୁ ସୂଚିତ କରିଥିଲେ । ଜୁଲାଇ ମାସରେ ଆଉ ୧୩ଟି ପଂଚାୟତ ଅନୁରୂପ ପ୍ରସ୍ତାବମାନ ଗୃହୀତ କରାଇ ଜିଲ୍ଲା ପ୍ରଶାସନକୁ ସୂଚିତ କରିବା ପରେ ବ୍ରହ୍ମପୁର ମହାନଗର ନିଗମର ଏକ ସ୍ୱତନ୍ତ୍ର ବୈଠକରେ ଆନୁଷ୍ଠାନକ ଭାବେ ଏହି ମିଶ୍ରଣ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି । ଫଳରେ, ‘ବୃହତ୍ ବ୍ରହ୍ମପୁର’ ଗଠନ ଦାବି ପୂରଣ ହେବା ଆଶା ଉଜ୍ୱଳ ହୋଇଛି ।
ଜୁଲାଇ ମାସରେ ବ୍ରହ୍ମପୁର ମହାନଗର ନିଗମରେ ମିଶ୍ରଣ ପାଇଁ ସମ୍ମତି ଦେଇଥିବା ଓ ମହାନଗର ନିଗମର ସ୍ୱତନ୍ତ୍ର ବୈଠକରେ ଅନୁଷ୍ଠାନିକ ଭାବେ ମିଶ୍ରଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିବା ୧୩ଟି ପଂଚାୟତ ହେଉଛି – ରଂଗେଇଲୁଣ୍ଡା ବ୍ଲକର ଡୁରା, ଗଉଂଜୁ, ଫୁଲଟା, ସାତକୁଟୁଣୀ, ଭାବିନିପୁର, ହଳଦିଆପଦର ଓ ବଡକୁଶସ୍ଥଳୀ ଏବଂ ଦିଗପହଣ୍ଡି ବ୍ଲକର ଜଗଦଳପୁର, ଲାଠି, ଅନ୍ତେଇ, ନିମଖଣ୍ଡି, ଅଙ୍କୁଶପୁର ଓ ଦକ୍ଷିଣପୁର । ‘ସହର ତଳି ଆଂଚଳିକ ମିଳିତ କ୍ରିୟାନୁଷ୍ଠାନ କମିିଟି’ ନାମରେ ଗଠିତ ଏକ ମଂଚ ସହର ତଳି ପଂଚାୟତଗୁଡିକୁ ବ୍ରହ୍ମପୁର ମହାନଗର ନିଗମରେ ମିଶ୍ରଣ ସାକଶେ ସରକାରଙ୍କ ଉପରେ ଚାପ ବଢାଇ ଚାଲିଛି । ଗତ ବର୍ଷ ଡିସେମ୍ବର ମାସରେ ମିଳିତ ମଂଚର ଏକ ପ୍ରତିନିଧି ଦଳ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଡ.ମହାପାତ୍ରଙ୍କୁ ଭେଟି ‘ବୃହତ୍ ବ୍ରହ୍ମପୁର’ ଗଠନ ପାଇଁ ସରକାର ପଦକ୍ଷେପ ନେବାକୁ ଦାବି ଉପସ୍ଥାପନ କରିଥିଲେ । ପ୍ରଥମେ ମନ୍ତ୍ରୀ ଏହି ପ୍ରସ୍ତାବକୁ ଏଡାଇ ଯିବାରୁ ସେମାନେ ଓଡ଼ିଶା ହାଇକୋର୍ଟକୁ ଯାଇଛନ୍ତି । ତେବେ, ବ୍ରହ୍ମପୁର ମହାନଗର ନିଗମ ସ୍ୱତନ୍ତ୍ର ବୈଠକରେ ‘ବୃହତ୍ ବ୍ରହ୍ମପୁର’ ଗଠନ ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏହାର ଏକ ବ୍ଲ-ପ୍ରିଂଟ୍ ପ୍ରସ୍ତୁତ କରି ସରକାରଙ୍କ ନିକଟରେ ଉପସ୍ଥାପନ କରିବାକୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଗଂଜାମ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି । ଏହାଛଡା, ବ୍ରହ୍ମପୁର ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ଲେଖି ଥିବା ଚିଠି ଉପରେ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ବିଭାଗ ଅତିରିକ୍ତ ଶାସନ ସଚିବ ବିଭିନ୍ନ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁରକୁ ନେଇ ବୃହତ୍ ବ୍ରହ୍ମପୁର ମହାନଗର ଗଠନ ଦିଗରେ ସମନ୍ୱିତ ଯୋଜନାମାନ ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି ।
‘ବୃହତ୍ ବ୍ରହ୍ମପୁର’ ଗଠନ ଦାବିକୁ ନେଇ ସରକାରଙ୍କ ସକାରାତ୍ମକ ଆଭିମୁଖ୍ୟକୁ ଗଂଜାମ ଜିଲ୍ଲାର ବହୁ ରାଜନେତା ସ୍ୱାଗତ କରିବା ସହ ଏହା ହେଲେ ଅଂଚଳର ଅର୍ଥନୈତିକ, ବ୍ୟବସାୟିକ, ସାମାଜିକ, ସାଂସ୍କୃତିକ ଓ ଭିତ୍ତିଭୂମି କ୍ଷେତ୍ରରେ ବିକାଶ ହେବ ଏବଂ ପର୍ଯ୍ୟାପ୍ତ ପରିମାଣର କେନ୍ଦ୍ରୀୟ ସହାୟତା ମିଳିବ ବୋଲି ମତ ରଖିଛନ୍ତି । ସହର ତଳି ଅଂଚଳବାସୀମାନେ ମଧ୍ୟ ଦୀର୍ଘ ବର୍ଷର ସଂଗ୍ରାମ ପରେ ସେମାନଙ୍କ ଆଶା ପୂରଣ ହେବା ସମ୍ଭାବନା ଦେଖି ଖୁସି । ତେବେ, ବର୍ଷ ବର୍ଷ ଧରି ଗ୍ରାମାଂଚଳରେ ବସବାସ କରି ଆସୁଥିବା ଅନେକ ମହାନଗରରେ ସାମିଲ ହେବାକୁ ନେଇ କୁଂଠିତ ଥିବା ଦେଖିବାକୁ ମିଳୁଛି । ପଂଚାୟତରେ ରହିଲେ ସେମାନଙ୍କ ଉପରେ କୌଣସି ଟିକସ ବୋଝ ରହୁନି । ମହାନଗରରେ ସାମିଲ ହେଲେ ସେମାନଙ୍କ ଉପରେ ଚଢା ଗୃହ ଟିକସରୁ ଆରମ୍ଭ କରି ଅନ୍ୟ ସବୁ ଟିକସର ବୋଝ ଲଦି ହୋଇଯିବ । ଅପରପକ୍ଷରେ, ୧୭ ବର୍ଷ ହେଲା ମହାନଗର ହୋଇ ସାରିଥିବା ବ୍ରହ୍ମପୁର ସହରର ବିକାଶ ସେଭଳି କିଛି ଆଖିଦୃଶିଆ ନୁହେଁ । ପଂଚାୟତ ସବୁ ମହାନଗରେ ମିଶିଗଲେ ଆର୍ଥିକ ଚାପ ଓ ଯନ୍ତ୍ରଣା ବ୍ୟତୀତ ଆଉ କଣ ମିଳିବ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି । ଇତିମଧ୍ୟରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଓ ଆଖପାଖ ଅଂଚଳକୁ ନେଇ ପୁରୀ ମହାନଗର ନିଗମ ଗଠନ ପାଇଁ ସରକାରଙ୍କ ପ୍ରସ୍ତାବ ଥିବା ଘୋଷଣା କରିଛନ୍ତି । ଦଳମତ ନିର୍ବିଶେଷରେ ରାଜନୈତିକ ମହଲରେ ଏହାକୁ ସ୍ୱାଗତ କରାଯାଇଛି । ତେବେ, ଆଜି ଦିନରେ ମଧ୍ୟ ଦୁର୍ଦ୍ଦଶା ଦେଇ ଗତି କରୁଥିବା ମହାନଗରଗୁଡିକୁ ଯେଉଁମାନେ ନିକଟରେ ଦେଖୁଛନ୍ତି ସେମାନେ ପ୍ରଶ୍ନ କରୁଛନ୍ତି ପୁରୀ ମହାନଗର ହେଲେ ବା ବ୍ରହ୍ମପୁର ‘ବୃହ୍ତ ବ୍ରହ୍ମପୁର’ ହେଲେ ଲୋକଙ୍କ ନିତିଦିନିଆ ସମସ୍ୟା କଣ ଦୂର ହୋଇଯିବ ?
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS