ଜୁଲାଇ ୧୭ରେ ‘ଓଡ଼ିଶା ବନ୍ଦ’, ସରକାରଙ୍କ ଅଡୁଆ ବଢୁଛି


ପ୍ରସାଦ ରାଓ
ଭୁବନେଶ୍ୱର
ଜୁଲାଇ ୧୬
ଗଲା ଏକ ବର୍ଷ ହେଲା ରାଜ୍ୟ ବିଜେପି ସରକାର ବିଭିନ୍ନ କାରଣରୁ ସମାଲୋଚିତ ହୋଇ ଆସଛନ୍ତି । ରାଜ୍ୟରେ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ସମେତ ଅନ୍ୟାନ୍ୟ ଅପରାଧ ବୃଦ୍ଧି ସରକାରଙ୍କୁ ‘ବ୍ୟାକ୍ ଫୁଟ’ରେ ରଖିଛି । ବିରୋଧୀ କଂଗ୍ରେସ ଓ ବିଜେଡି ଲଗାତର ସରକାରଙ୍କୁ ଘେରି ଆସୁଛନ୍ତି । ଗଂଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କ ପ୍ରତି ଗଣଦୁଷ୍କର୍ମ ହେବା ଓ ଧରାକୋଟ ବ୍ଲକରେ ଦୁଇ ଜଣ ଦଳିତଙ୍କୁ ଗୋରୁ ଚାଲାଣକାରୀ ସନ୍ଦେହରେ ଅମାନୁଷିକ ନିର୍ଯ୍ୟାତନା ଦିଆଯିବା ଘଟଣା ଦେଶବ୍ୟାପୀ ସରକାରଙ୍କୁ ନିନ୍ଦିତ କରିଥିବା ବେଳେ ରାଜ୍ୟ ସରକାର ମହିଳା ଓ ଦଳିତ ବିରୋଧୀ କହି କଂଗ୍ରେସ ଓ ବିଜେଡି ସରକାରଙ୍କୁ ଘେରିବା ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସରକାର ଅପାରଗ ବୋଲି ଆକ୍ଷେପ କରି ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି । ଗତ ୧୨ ତାରିଖ ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଘଟିଥିବା ଛାତ୍ରୀ ଆତ୍ମାହୂତି ଘଟଣା ସରକାରଙ୍କ ଅଡୁଆ ବହୁଗୁଣିତ କରିଛି । ଛାତ୍ରୀ ଜଣକ କଲେଜର ଜଣେ ବିଭାଗୀୟ ମୁଖ୍ୟଙ୍କ ଦ୍ୱାରା ଯୌନ ଉତ୍ପୀଡନର ଶିକାର ହୋଇଥିବା ଅଭିଯୋଗ କରି କଲେଜ କର୍ତ୍ତୃପକ୍ଷ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ନ ମିଳିବାରୁ କଲେଜ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ବାହାରେ ସେ ନିଜ ଦେହରେ ପ୍ରେଟ୍ରୋଲ ଢାଳି, ନିଆଁ ଲଗାଇ ଜଳି ଯାଇଥିଲେ । ୯୫ ପ୍ରତିଶତ ଜଳି ଯାଇଥିବା ଛାତ୍ରୀଙ୍କୁ ବଂଚାଇବାର ସମସ୍ତ ପ୍ରୟାସ ବିଫଳ ହୋଇଛି ଏବଂ ୬୦ ଘଂଟାର ଚିକିତ୍ସା ପରେ ଜୁଲାଇ ୧୪ ତାରିଖ ବିଳମ୍ବ ରାତ୍ରୀରେ ଭୁବନେଶ୍ୱର ‘ଏମ୍ସ’ରେ ତାଙ୍କ ମୃତ୍ୟୁ ଘଟିଛି, ଯାହାକି ରାଜ୍ୟ ରାଜନୀତିକୁ ସରଗରମ କରିଛି ।
ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧିକୁ ନେଇ କଂଗ୍ରେସ ଓ ବିଜେପି ପକ୍ଷରୁ ଗଲା ଏକ ବର୍ଷ ହେଲା ଯେଉଁ ଅଭିଯୋଗ ହୋଇ ଆସୁଛି ତାହାକୁ ବାଲେଶ୍ୱର ଘଟଣା ବଳ ଦେବା ଭଳି ହୋଇଛି । କଂଗ୍ରେସ ଦଳ ପୂର୍ବରୁ ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ଓ ଦୁଷ୍କର୍ମ ଘଟଣା ବୃଦ୍ଧିକୁ ନେଇ ଗତ ବିଧାନସଭା ଅଧିବେଶନକୁ ଅଚଳ କରିଥିଲା । ଏବେ, ବାଲେଶ୍ୱର ଛାତ୍ରୀ ଆତ୍ମାହୂତି ଘଟଣାରେ ସରକାରଙ୍କୁ ଦାୟି କରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡି ରହିଛି । ୧୫ ତାରିଖ ଦିନ କଂଗ୍ରେସ କର୍ମୀମାନେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ସମ୍ମୁଖରେ ପିକେଟିଂ କରି ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ କରିଥିଲେ । ଜୁଲାଇ ୧୭ ତାରିଖ (ଗୁରୁବାର) ‘ଓଡ଼ିଶା ବନ୍ଦ’ ପାଇଁ ଦଳ ଡାକରା ଦେଇଛି । କଂଗ୍ରେସ ଓ ବାମପନ୍ଥୀ ଦଳଙ୍କ ସମେତ ଆଠଟି ବିରୋଧୀ ଦଳ ‘ବନ୍ଦ’ରେ ସାମିଲ ହେବେ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏକ ଭିଡ଼ିଓ ବାର୍ତ୍ତା ଜାରି କରି କହିଛନ୍ତି । ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ବାଲେଶ୍ୱର ଛାତ୍ରୀ ଆତ୍ମାହୂତି ଘଟଣାକୁ ଦୃଢ ନିନ୍ଦା କରିଛି । ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ସଂପୂର୍ଣ୍ଣ ଘଟଣାକୁ ଅଭାବନୀୟ ଓ ଅମାନୁଷିକ ଦର୍ଶାଇ ନିନ୍ଦ କରିବା ସହ ରାଜ୍ୟପାଳଙ୍କୁ ପତ୍ର ଲେଖି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଓ କେବଳ କଲେଜ ଅଧ୍ୟକ୍ଷ ଓ ସଂପୃକ୍ତ ଅଧ୍ୟାପକ ନୁହନ୍ତି ସମସ୍ତ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦାବି କରିଛନ୍ତି । ବିଜେଡି ମଧ୍ୟ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି । ୧୬ ତାରିଖ ଦିନ ଦଳ ବାଲେଶ୍ୱରରେ ବନ୍ଦ ପାଳନ କରିଥିବା ବେଳେ ଭୁବନେଶ୍ୱରେ ବିଜେଡି ନେତା ଓ କର୍ମୀମାନେ ଗାନ୍ଧୀ ମାର୍ଗରେ ଥିବା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୁଲିସ ସେମାନଙ୍କୁ ଘଉଡାଇବା ପାଇଁ ପାଣିମାଡ ଓ ମୃଦୁ ଲାଠି ଚାଳନା କରିଥିଲେ । ସେଥିରେ କିଛି ନେତା ଆହତ ହୋଇଥିବା କହିଛନ୍ତି । ତେବେ, ଜୁଲାଇ ୧୭ ତାରିଖ ଦିନ ପିସିସି ପକ୍ଷରୁ ଯେଉଁ ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇଛି ତାହାକୁ ଦଳ ବାହାରୁ ସମର୍ଥନ ଦେବ କି ନାହିଁ ଆନୁଷ୍ଠାନିକ ଭାବେ ଘୋଷଣା କରି ନାହିଁ ।
ବାଲେଶ୍ୱର ଛାତ୍ରୀ ଆତ୍ମାହୂତି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ବିରୋଧୀ କଂଗ୍ରେସ ଓ ବିଜେଡି ସରକାରଙ୍କୁ ସଂପୂର୍ଣ୍ଣ ଦାୟି କରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବାରୁ ଓ କଂଗ୍ରେସ ପକ୍ଷରୁ ୧୭ତାରିଖ ଓଡ଼ିଶା ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଥିବାରୁ ଗାନ୍ଧୀ ମାର୍ଗରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମେତ ଅନ୍ୟ ମନ୍ତ୍ରୀମାନଙ୍କ ବାସଭବନ ପୁଲିସର ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି । ଅପରପକ୍ଷରେ, ରାଷ୍ଟ୍ରପତି ଦ୍ରøପଦୀ ମୁର୍ମୁୁ ୧୪ ତାରିଖ ସନ୍ଧ୍ୟାରେ ‘ଏମ୍ସ’ର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଉତ୍ସବ ସରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହ ‘ଏମ୍ସ’ରେ ରାତିରେ ଚିକିତ୍ସିତ ହେଉଥିବା ପୀଡିତାଙ୍କୁ ଦେଖିବାକୁ ବର୍ଣ୍ଣ ୟୁନିଟକୁ ଯାଇଥିଲେ । ସେଠାରେ ଚିକିତ୍ସା କରୁଥିବା ଡାକ୍ତରୀମାନଙ୍କ ସହ ଆଲୋଚନା କରିବା ସହ ପୀଡିତାଙ୍କ ପରିବାରକୁ ଆଶ୍ୱାସନା ଦେଇଥିଲେ । ରାଷ୍ଟ୍ରପତି ‘ଏମ୍ସ’ ଛାଡିବା ପରେ ପରେ ବିଳମ୍ବିତ ରାତ୍ରୀରେ ପୀଡିତାଙ୍କ ମୃତ୍ୟୁ ଘଟିଥିବା ଡାକ୍ତରମାନେ ଘୋଷଣା କରିଥିଲେ । ପରେ ପରିସ୍ଥିତି ଅଧିକ ଜଟିଳ ହୋଇଥିଲା । ବିରୋଧୀ କଂଗ୍ରେସ ଓ ବିଜେଡି ସମର୍ଥକମାନେ ରାତିରେ ‘ଏମ୍ସ’ରେ ପହଂଚି ମୃତଦେହ ସ୍ଥାନାନ୍ତରକୁ ବିରୋଧ କରିଥିଲେ । ପୁଲିସ ହସ୍ତକ୍ଷେପ ପରେ ଶବ ବ୍ୟବଚ୍ଛେଦ ପାଇଁ ଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୀଡିତାଙ୍କ ମୃତ୍ୟୁ ଖବର ପାଇ ଗଭୀର ଦୁଃଖ ପ୍ରକାଶ କରିବା ସହ ‘ଏକ୍ସ’ରେ ଏକ ପୋଷ୍ଟ କରି ମୃତ ଛାତ୍ରୀଙ୍କ ପରିବାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଂଠିରୁ ୨୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି । ଘଟଣା ସହ ସଂପୃକ୍ତ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ତେବେ, ବିଜେପି ଛାତ୍ର ସଂଗଠନ ଏବିଭିପି ସହ ସଂପୃକ୍ତ ପୀଡିତା ଜଣକ ତାଙ୍କ ପ୍ରତି ଯୌନ ଉତ୍ପୀଡନ ହେଉଥିବା ନେଇ କଲେଜର ଅଧ୍ୟକ୍ଷ, ବାଲେଶ୍ୱର ଜିଲ୍ଲା ପ୍ରଶାସନ, ପୁଲିସ, ବାଲେଶ୍ୱର ସାଂସଦ, ବିଧାୟକଙ୍କୁ ଲିଖିତ ଭାବେ ଜଣାଇ ଥିଲେ । ଏକ ଆଭ୍ୟନ୍ତରୀଣ ତଦନ୍ତ କମିଟି ତାଙ୍କ ଅଭିଯୋଗର ତଦନ୍ତ କରି ଅଧ୍ୟକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ତେବେ, ରିପୋର୍ଟରେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହୋଇଥିବା ଓ ସଂପୃକ୍ତ ଅଧ୍ୟାପକଙ୍କ ସହ ବୁଝାମଣା କରିବାକୁ ଅଧ୍ୟକ୍ଷଙ୍କ ଆଡୁ ଚାପ ସୃଷ୍ଟି ହେଉଥିବା ଛାତ୍ରୀ ଜଣକୁ ନିରାଶ କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ ପହଂଚି ଥିଲେ ମଧ୍ୟ ସୁଦ୍ଧା କୌଣସି ପ୍ରକାର ନ୍ୟାୟ ମିଳିବା ଆଶା ନଦେଖି ପୀଡିତା ଗତ ୧୨ ତାରିଖ ଦିନ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ରାଜ୍ୟ ସରକାର ନିଜ ଦଳର ଜଣେ ଛାତ୍ରୀଙ୍କୁ ନ୍ୟାୟ ଦେଇପାରୁନଥିବା ବେଳେ ରାଜ୍ୟର ମହିଳାଙ୍କୁ କି ନ୍ୟାୟ ଦେବେ (?) ବୋଲି ବିରୋଧୀ ପ୍ରଶ୍ନ କରିବା ସହ ସଂପୂର୍ଣ୍ଣ ଘଟଣାର ନ୍ୟାୟିକ ଯାଂଚ ପାଇଁ ଦାବି କରିଛନ୍ତି ।
ବିରୋଧୀଙ୍କ ଚାପରେ ସରକାର ଏକପ୍ରକାର ଅସହାୟ । କଂଗ୍ରେସ ଛାତ୍ର ସଂଗଠନ ଉସୁକାଇବାରୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୋଲି ସରକାରଙ୍କ ଆଡୁ ପାଲଟା ଅଭିଯୋଗ ହେଉଛି । ପୀଡିତାଙ୍କ ଆତ୍ମାହୂତି ଘଟଣାରେ ବାଲେଶ୍ୱର ସ୍ୱୟଂଶାସିତ ମହାବିଦ୍ୟାଳୟର ସଂପୃକ୍ତ ଅଧ୍ୟାପକଙ୍କୁ ପୁଲିସ ତୁରନ୍ତ ଗିରଫ କରିଥିଲା । ଓଡ଼ିଶା ପୁଲିସ କ୍ରାଇମ୍ ବ୍ରାଂଚ ନିଜ ଆଡୁ ତଦନ୍ତ ହାତକୁ ନେବା ପରେ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରିଛି । ତଥାପି, ସଂପୂର୍ଣ୍ଣ ଘଟଣାରେ ସରକାରୀ ଅବହେଳା ଜଳଜଳ ଦିଶୁଥିବାରୁ ବିରୋଧୀ ଏଭଳି ଏକ ସୁଯୋଗ ହାତଛଡା କରିବାକୁ ଚାହୁଁ ନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୨୦ ତାରିଖରେ ଭୁବନେଶ୍ୱର ଆସି ଜନତା ମଇଦାନରେ ଆୟୋଜିତ ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେଇଥିଲେ । ବର୍ଷକ ଭିତରେ ମୋହନ ସରକାର ସବୁ କ୍ଷେତ୍ରରେ ସଫଳ ହୋଇଥିବା ଦର୍ଶାଇ ସେ ମୁଖ୍ୟମନ୍ତ୍ରୀଙ୍କ ପିଠି ଥାପୁଡାଇବା ପରେ ଦଳରେ ଉତ୍ସାହ ବଢିଥିଲା । ପରେ ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଲଗାତର ଦ୍ୱିତୀୟ ଥର ପାଇଁ ଦଳର ସଭାପତି ନିର୍ବାଚିତ ହେବାରୁ ବର୍ଷେ ହେଲା ଖାଲି ପଡିଥିବା ଛଅଟି ମନ୍ତ୍ରୀ ପଦ ସହ ଦଳର ବିଭିନ୍ନ ସାଂଗଠନିକ ପଦପଦବୀ ଏବଂ ସରକାରୀ ଓ ବେସରକାରୀ ଅନୁଷ୍ଠାନର ଅଧ୍ୟକ୍ଷ ପଦରେ ତ୍ୱରିତ ନିଯୁକ୍ତି ହେବ ବୋଲି ବିଜେପି ନେତାମାନେ ଆଶା କରୁଥିଲେ । ଏହାଛଡା, ମୁଖ୍ୟମନ୍ତ୍ରୀ ରାଜ୍ୟ ମନ୍ତ୍ରୀ ପରିଷଦରେ ଅଦଳବଦଳର ସମ୍ଭାବନା ସୃଷ୍ଟି କରିଥିବାରୁ ମନ୍ତ୍ରୀ ପଦ ପାଇଁ ଆଶାୟୀ ବିଧାୟକମାନେ ନିଜ ନିଜ ଲବିରେ ବ୍ୟସ୍ତ ଥିଲେ । ଏଭଳି ଏକ ପରିସ୍ଥିତିରେ ବାଲେଶ୍ୱରରେ ଛାତ୍ରୀ ଆତ୍ମାହୂତି ଘଟଣା ସରକାରଙ୍କୁ ପୁଣି ଥରେ ପଶ୍ଚାତଗାମୀ କରିଛି । ମୁଖ୍ୟମନ୍ତ୍ରୀ ପରିସ୍ଥିତିକୁ କିଭଳି ମୁକାବିଲା କରିବେ ଦେଖିବାକୁ ସମଗ୍ର ରାଜ୍ୟ ଅପେକ୍ଷା କରିଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS