ସାମାଜିକ କର୍ମୀଙ୍କୁ ସରକାର ଏତେ ଡରୁଛନ୍ତି କାହିଁକି ?


ପ୍ରସାଦ ରାଓ
ଭୁବନେଶ୍ୱର
ଜୁଲାଇ ୧୨
ଗଂଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଂଚଳରୁ ଆସି ସୁନ୍ଦରଗଡର ବଣାଇରୁ ଦକ୍ଷିଣ ଓଡ଼ିଶାର ମାଲକାନଗିରି ଜିଲ୍ଲା ପର୍ଯ୍ୟନ୍ତ ଆଦିବାସୀ, ଦଳିତଙ୍କ ଅଧିକାର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବରିଷ୍ଠ ସାମାଜିକ କର୍ମୀ ପ୍ରଫୁଲ୍ଲ ସମାନ୍ତରାୟଙ୍କୁ ଓଡ଼ିଶା ସରକାର ଏତେ ଭୟ କରୁଛନ୍ତି କାହିଁକି ? ଆଜି ଦିନରେ ତାହା ବଡ ପ୍ରଶ୍ନ ହୋଇଛି । ସାମନ୍ତରାୟ ଜଣେ ଲୋହିଆବାଦୀ ନେତା । ଖଣି ମାଫିଆ ଓ କଂପାନୀ-ରାଜ୍ ବିରୋଧରେ ସେ ଦୀର୍ଘ ବର୍ଷ ହେଲା ଲଢି ଆସୁଛନ୍ତି । ଯେଉଁଠି ଖଣି ଖାଦାନ ଭରା ଅଂଚଳରେ ଖଣି ନିଲାମ ହେଉଛି ସେହି ଅଂଚଳରେ ବର୍ଷ ବର୍ଷ ଧରି ବସବାସ କରୁଥିବା ଆଦିବାସୀ, ଦଳିତମାନେ ଜମି, ଜଂଗଲ ଓ ଜୀବିକା ହରାଉଛନ୍ତି ଓ ଉପଯୁକ୍ତ ଭାବେ ସେମାନଙ୍କ ଥଇଥାନ କାରଯିବା ଦାବିରେ ସଂଗଠିତ ହୋଇ ମେଳି କରୁଛନ୍ତି । ସେମାନଙ୍କ ସଂଗଠିତ ସ୍ୱରକୁ ସରକାରଙ୍କ ନିକଟରେ ପହଂଚାଇବା କାର୍ଯ୍ୟ କରୁଛନ୍ତି ସାମାଜିକ କର୍ମୀମାନେ । ବିସ୍ଥାପିତ ହୋଇଥିବା ଆଦିବାସୀ ଓ ଦଳିତମାନେ ସେମାନଙ୍କ ଥଇଥାନ ବ୍ୟବସ୍ଥା ଅତ୍ୟନ୍ତ ନିମ୍ନମାନର ଥିବା ଦର୍ଶାଇ ସରକାରଙ୍କୁ ଘେରୁଥିବା ବେଳେ ଖଣି ଖାଦନ ନିଲାମ ହେବାକୁ ଥିବା ଅଂଚଳରେ ଭିଟାମାଟି, ଚାଷ ଜମି, ଜଳ ଓ ଜଂଗଲ ଅଧିକାର ହରାଇବା ଆଶଙ୍କାରେ ଆତଙ୍କିତ ରହୁଥିବା ଆଦିବାସୀ ଓ ଦଳିତମାନେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଯାଇ ଜିଲ୍ଲା ପୁଲିସ ଓ ପ୍ରଶାସନର ଶରବ୍ୟ ହେଉଛନ୍ତି । ସେମାନଙ୍କୁ ବଳ ପ୍ରୟୋଗ କରାଯାଇ ଦବାଇବାର ଉଦ୍ୟମ ହେଉଛି । ଅନେକ ଆଦିବାସୀ ଓ ଦଳିତ ଏହି ଲଢେଇରେ ଭାଗ ନେଇ ଗିରଫ ହୋଇ ଜେଲରେ ସଢୁଥିବା ବେଳେ ସାମନ୍ତରାଙ୍କ ଭଳି ସାମାଜିକ କର୍ମୀମାନେ ସେମାନଙ୍କ ନିକଟରେ ପହଂଚି ଲଢିବାକୁ ସାହାସ ଦେଉଛନ୍ତି ।
ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ବିସ୍ତୃତ ଖଣି ଖାଦାନ ଭରା ପାହାଡ, ଜଂଗଲରେ ପୁରୁଷ ପୁରୁଷ ଧରି ବସବାସ କରୁଥିବା ଆଦବାସୀ, ଦଳିତଙ୍କୁ ବିସ୍ଥାପନ କରାଯାଇ ବଡ ବଡ କଂପାନୀଙ୍କୁ ଖଣି ଖାଦାନ ଲିଜ୍ ଦିଆଯାଉଛି । ଫଳରେ, ଜମି, ଜଳ, ଜଂଗଲ ଉପରେ ଆଦିବାସୀ, ଦଳିତମାନେ ସେମାନଙ୍କ ଅଧିକାର ହରାଇ ଯେତେବେଳ ସରକାରଙ୍କ ବିରୋଧରେ ସ୍ୱରତ୍ତ୍ ତୋଳନ କରୁଛନ୍ତି ସରକାରୀ କଳ ଓ କଂପାନୀମାନେ ସେମାନଙ୍କୁ ଦମନ କରିବାକୁ ବଳ ପ୍ରୟୋଗ କରୁଛନ୍ତି । ଫଳରେ, ନ୍ୟାଯ୍ୟ ଅଧିକାରର ସୁରକ୍ଷା ପାଇଁ ଲଢୁଥିବା ଆଦିବାସୀ ଓ ଦଳିତଙ୍କୁ ମାଓବାଦୀ କହି ଗିରଫ କରାଯାଇ ଜେଲରେ ଭରି ଦିଆଯାଉଛି । ସାମନ୍ତରାୟଙ୍କ ଭଳି ସାମାଜିକ କର୍ମୀମାନେ ଯେତେବେଳେ ଏହି ଆଦିବାସୀ, ଦଳିତଙ୍କ ନିକଟରେ ପହଂଚି ସେମାନଙ୍କ ବିରୋଧର ସ୍ୱରକୁ ଶାଣିତ କରିବାକୁ ପ୍ରୟାସ କରୁଛନ୍ତି ସେମାନଙ୍କୁ ମଧ୍ୟ ସରକାର-ବିରୋଧୀ ଓ କଟ୍ଟର ନକ୍ସଲବାଦୀ କହି ସରକାରୀ କଳ ଦମନ କରିବାକୁ ଉଦ୍ୟମ କରୁଛି । ସରକାରୀ ଗୁଇନ୍ଦାମାନେ ସେମାନଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି । ଆଦିବାସୀ, ଦଳିତଙ୍କ ନିକଟରେ ସେମାନେ ଯେପରି ପହଂଚି ନ ପାରିବେ ସେଦିଗରେ ଉଦ୍ୟମ କରାଯାଉଛି । କେତେବେଳ ସେମାନଙ୍କ ଉପରେ ନିଷେଧାଦେଶ ଜାରି ହେଉଛି ତ ଆଉ କେତେବେଳେ ବାଟରୁ ଅପହରଣ ଉଦ୍ୟମ ହେଉଛି । ଗତ ଜୁନ ୫ ତାରିଖ ଦିନ ଦେଶର ବରିଷ୍ଠ ତଥା ସୁପରିଚିତ ସାମଜିକ କାର୍ଯ୍ୟକର୍ତ୍ତା ମେଧା ପାଟକରଙ୍କ କ୍ଷେତ୍ରରେ ମଧ୍ୟ ତାହା ହୋଇଛି ।
ଜୁଲାଇ ୪ ତାରିଖ ଦିନ ଏହି ପ୍ରତିନିଧି ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀରେ ସାମୟିକ ଭାବେ ରହୁଥିବା ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାୟଙ୍କୁ ଭେଟି ସରକାର ସାମାଜିକ କର୍ମୀଙ୍କୁ ଭୟ କରିବାର କାରଣ କଣ ଜାଣିବାକୁ ଚାହିଁଥିଲେ । ସାମନ୍ତରାୟଙ୍କ ସହ ଦୁଇ ଘଂଟାରୁ ଅଧିକ ସମୟ ହୋଇଥିବା ଆଲୋଚନାରୁ ଏହା ଜଣାପଡିଥିଲା ଯେ ସରକାର ଚାହୁଁ ନାହାନ୍ତି ବର୍ଷ ବର୍ଷ ଧରି ପଦାନତ ହୋଇ ରହିଥିବା ଆଦିବାସୀ, ଦଳିତଙ୍କୁ କେହି ସେମାନଙ୍କ ଅଧିକାରକୁ ନେଇ ସଚେତନ କରୁ । ସାମନ୍ତରାୟ ତାଙ୍କ ଦୀର୍ଘ ଅଭିଜ୍ଞତାକୁ ଏହି ପ୍ରତିନିଧିଙ୍କ ସହ ବାଂଟି ଥିଲେ । ସାମନ୍ତରାୟଙ୍କ କହିବା ଅନୁସାରେ ରାଜ୍ୟରେ ସରକାର ବଦଳିଛି ସିନା ଶାସନ ବ୍ୟବସ୍ଥା ପୂର୍ବ ଭଳି ରହିଛି । ସେଥିରେ କିଛି ପରିବର୍ତ୍ତନ ହୋଇ ନାହିଁ । ବିଜେଡିର ୨୪ ବର୍ଷର ଶାସନରେ ଯାହା ଚାଲିଥିଲା ଗଲା ବର୍ଷେ ହେଲା ବିଜେପି ଶାସନରେ ମଧ୍ୟ ତାହା ଚାଲିିଛି । ରାଜ୍ୟର ଶାସନ ବ୍ୟବସ୍ଥା ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଥିଲେ ମଧ୍ୟ ଆଦିବାସୀ, ଦଳିତଙ୍କ ଅବସ୍ଥାରେ କିଛି ପରିବର୍ତ୍ତନ ଆସିନି । ବିଗତ ଦିନ ମାନଙ୍କରେ କଂପାନୀଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାର ଆଦିବାସୀ, ଦଳିତଙ୍କ ସ୍ୱାର୍ଥକୁ ଜଳାଜଂଳୀ ଦେଉଥିଲେ । ବିଜେପି ବିରୋଧୀ ଦଳରେ ଥାଇ ତାହାର ବିରୋଧ କରୁଥିଲା । ଦଳ ସରକାରକୁ ଆସିବା ପରେ ଶୋଷଣ ସେଇମିତି ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ନିଜର କୌଣସି କର୍ତ୍ତୃତ୍ୱ ନାହିଁ । କେନ୍ଦ୍ରରୁ ଯାହା ନିର୍ଦେଶ ଆସୁଛି ତାହା କେବଳ ସେ କାର୍ଯ୍ୟକାରୀ କରୁଛନ୍ତି । ଯେହେତୁ ଆଦାନୀ, ଆମ୍ବାନୀଙ୍କ ଭଳି ବଡ ବଡ ଉଦ୍ୟୋଗପତିମାନେ କେନ୍ଦ୍ର ସରକାରଙ୍କ ବିଚାରଧାରାକୁ ନିୟନ୍ତ୍ରଣ କରୁଛନ୍ତି ଓଡ଼ିଶାରେ ସେମାନଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦିଆଯାଇ ଖଣି, ଖାଦାନ, ବନ୍ଦର ସେମାନଙ୍କ ହାତରେ ଟେକି ଦିଆଯାଉଛି । ଗଂଜାମ ଜିଲ୍ଲାର ଗୋପାଳପୁର ବନ୍ଦରକୁ ଗୌତମ ଆଦାନୀଙ୍କ ହାତରେ ଟେକି ଦିଆଯିବା ଏହାର ଏକ ନଗ୍ନ ଉଦାହରଣ ।
ଦକ୍ଷିଣ ଓଡ଼ିଶାର ରାୟଗଡା-କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ଥିବା ତିନିଟି ପାର୍ବତ୍ୟାଂଚଳ କୁଟି୍ରମାଳି, ସୁଜୁମାଳି ଓ ମାଝିଂମାଳିରେ ବକ୍ସାଇଟ୍ ଓ ଅନ୍ୟାନ୍ୟ ଖଣିଜ ସଂପଦ ଭରପୁର ରହିଛି । ୧୯୯୫ ମସିହାରେ ତତ୍କାଳୀନ ସରକାର କୁଟ୍ରିମାଳି ପର୍ବତରେ ଥିବା ବକ୍ସାଇଟ୍ ଖଣି ଏଲଏଣ୍ଡଟିକୁ ଟେକି ଦେଇଥିଲେ । କାଶୀପୁର ଅଂଚଳରେ କାର୍ଯ୍ୟ କରୁଥିବା ‘ଅଗ୍ରଗାମୀ’ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ (ଏନଜିଓ) ଆଡୁ ତାହାର ତୀବ୍ର ବିରୋଧ ହେବାରୁ ଏଲଏଣ୍ଡଟି କଂପାନୀ ଖଣି ଖନନରୁ ବିରତ ରହିଥିଲା । ୧୯୯୭ରେ ସରକାର ବାଫିରିମାଳି ପାର୍ବତ୍ୟାଂଚଳରେ ଥିବା ବକ୍ସାଇଟ୍ ଖଣି ଏଲଏଣ୍ଡଟିକୁ ଲିଜ୍ ଆକାରରେ ହସ୍ତାନ୍ତର କରିଥିଲେ । କେଉଁଠି ହେଲେ ଏଲଏଣ୍ଡଟିର ଆଲୁମିନା କାରଖାନା ନଥିବା ବେଳେ ସରକାର ବାଫିରିମାଳି ବକ୍ସାଇଟ୍ ଖଣି ଦେବାକୁ ସେହି ଅଂଚଳର ଆଦିବାସୀ, ଦଳିତମାନେ ତାହାର ଦୃଢ ବିରୋଧ କରିଥିଲେ । ଫଳରେ, ୨୦୦୦ ମସିହାରେ ପୁଲିସର ଗୁଳିକାଣ୍ଡ ଘଟିଥିଲା । ୨୦୧୫ରେ ବିଜେଡି ସରକାର ୨୦୦୬ ଜଂଗଲ ସୁରକ୍ଷା ଆଇନକୁ ଅଣଦେଖା କରି କୁଟ୍ରିମାଳି ପାହାଡରେ ଥିବା ବକ୍ସାଇଟ୍ ଖଣି ନିଲାମ କଲେ । ତେବେ, ଖଣି ସବୁ କାହାକୁ ନିଲାମ ଦିଆଯାଇଛି ବୋଲି ପ୍ରଶ୍ନ ହେବାରୁ କାହାରିକୁ ହେଲେ ଖଣି ନିଲାମ ଦିଆଯାଇନି ବୋଲି ସରକାରଙ୍କ ଆଡୁ ସଫେଇ ଦିଆଗଲା । ୨୦୨୧ରେ ସିଜୁମାଳି ପାହାଡ ବେଦାନ୍ତକୁ ଓ କୁଟ୍ରିମାଳି ପାହାଡ ଆଦାନୀକୁ ଲିଜ୍ରେ ଦିଆଯାଇଥିବା ବେଳେ ୨୦୨୨ ପର୍ଯ୍ୟନ୍ତ ସେହି ଅଂଚଳର ଆଦିବାସୀ, ଦଳିତମାନେ ତାହା ଜାଣି ନଥିଲେ । ୨୦୨୨ରେ ସାମନ୍ତରାୟ ସେହି ଅଂଚଳକୁ ଯାଇ ସଚେତନତା ସୃଷ୍ଟି କରିବା ପରେ ଅଂଚଳବାସୀ ଜାଣିଲେ ଓ ଖଣି ଲିଜ୍ ର ବିରୋଧ କଲେ । ବାଫିରିମାଳି ସମେତ ବିଭିନ୍ନ ଖଣି ଖାଦାନ ଥିବା ପାର୍ବତ୍ୟାଂଚଳରେ ମାଇନିଂ ଯୋଗୁଁ ସେହି ଅଂଚଳର ଆଦିବାସୀ, ଦଳିତମାନେ ଯେଭଳି ଘୋର ପ୍ରଦୂଷଣ ମଧ୍ୟରେ ଦିନ କାଟୁଛନ୍ତି ସେସଂପର୍କ ସାମନ୍ତରାୟ ସୂଚନା ଦେଇଛନ୍ତି । ସେମାନଙ୍କ ନିକଟରେ ଜମି ନାହିଁ କି ରୋଜଗାର ନାହିଁ । ତେଣୁ, ସେମାନେ ଦୁଦ୍ଦିନ ଭିତରେ ଜୀବିକା ନିର୍ବାହ କରୁଛନ୍ତି ବା ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି ବୋଲି ସେ କହିଛନ୍ତି ।
ସାମନ୍ତରାୟ କହିଛନ୍ତି, ବିଜେଡି ସରକାର ଅମଳରେ ସିଜୁମାଳି ବେଦାନ୍ତକୁ ଓ ନନ୍ଦପୁର ଖଣି ଆଦାନୀଙ୍କୁ ଦିଆଯାଇଛି । ୨୦୨୩ରେ ସେହି ଅଂଚଳରେ ବସବାସ କରୁଥିବା ଆଦିବାସୀ ଓ ଦଳିତମାନେ ଖଣି ନିଲାମ ବିରୋଧରେ ପ୍ରବଳ ପ୍ରତିବାଦ କରିଥିଲେ । ଲୋକଙ୍କ ପ୍ରତିବାଦ ବଢିବାରୁ ଓ ପୁଲିସର ଦମନଲୀଳା ଚାଲିବାରୁ ସେ ୨୦୨୩ ଅଗଷ୍ଟରେ ସେହି ଅଂଚଳକୁ ଯାଇଥିଲେ । ଜିିଲ୍ଲା ପୁଲିସ ଓ ସାଧାରଣ ପ୍ରଶାସନ ଯେଉଁ ୨୫ ଜଣଙ୍କୁ ଗିରଫ କରି ଜେଲରେ ପୁରାଇ ଥିଲେ ସେମାନଙ୍କ ଜମାନତରେ ବାହାରକୁ ଆଣିବା ତାଙ୍କ ଲକ୍ଷ୍ୟ ଥିଲା । ତେବେ, ସେ ଯେଉଁ ହୋଟେଲରେ ରହି ସାମ୍ବାଦିକ ସମ୍ମିଳନୀ ଡାକିଥିଲେ ତାହା ଜଣାପଡିବା ପରେ ତାଙ୍କୁ ଅପହରଣ କରିବାକୁ ଉଦ୍ୟମ ହୋଇଥିଲା । କଂପାନୀ ଲୋକ ବୋଲି ସେ ଅନୁମାନ କରୁଛନ୍ତି । ଗଣମାଧ୍ୟମ ପ୍ରତିନିଧିମାନେ ଏକଥା ଜାଣିବା ପରେ ସରକାରଙ୍କ ଉପରେ ଚାପ ବଢିଥିଲା ଏବଂ ଅପହରଣକାରୀ ତାଙ୍କୁ ନିଜ ହେପାଜତରେ ଆଣି ବ୍ରହ୍ମପୁର ଛାଡିଥିଲେ । ତେବେ, ତାଙ୍କୁ ଅପହରଣ କରାଯାଇ ମାଓବାଦୀ ମାମଲାରେ ଛନ୍ଦିବାର ଷଡଯନ୍ତ୍ର ହୋଇଥିଲା ବୋଲି ସାମନ୍ତରାୟ ଅଭିଯୋଗ କରିଛନ୍ତି । ବିଜେଡି ଶାସନରେ ବାଲାଂଗୀର ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ଲୋୟର ସୁକତେଲ ପ୍ରେଜେକ୍ଟରେ ମଧ୍ୟ ସେଠାକାର ଅଧିବାସୀଙ୍କ ବିରୋଧକୁ ଦମନ କରିବା ପାଇଁ ସରକାରଙ୍କ ଆଡୁ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ବିସ୍ଥାପନର ପ୍ରତିବାଦ ଓ ଉପଯୁକ୍ତ ଥଇଥାନ ଦାବିରେ ଅଂଚଳର ଅଧିବାସୀ ଆନ୍ଦୋଳନ କରୁଥିଲେ । ସେମାନଙ୍କୁ ସମର୍ଥନ ଦେବାକୁ ଯିବା ସମୟରେ ପୁଲିସର ଗୁଇନ୍ଦା ଅଧିକାରୀମାନେ ତାଙ୍କୁ ଛେକି ଦେଇଥିଲେ । ତେବେ, ତାଙ୍କ ନିକଟରେ ବଲାଂଗୀର ନୁହେଁ, ବରଗଡ ଯିବାକୁ ରେଳ ଟିକଟ ଥିଲା । ତାହା ଜଣାଇବା ପରେ ଗୁଇନ୍ଦା ଅଧିକାରୀମାନେ ସମ୍ବଲପୁର ଷ୍ଟେସନରେ ତାଙ୍କୁ ଅଟକ ରଖି ଉପରିସ୍ଥ ଅଧିକାରୀଙ୍କ ସହ ଯୋଗଯୋଗ କରିଥିଲେ । ତାଙ୍କୁ ବରଗଡ ଯିବାକୁ ଦିଆଯାଇଥିଲା । ଏଭଳି ଅନେକ ଅଭିଜ୍ଞତା ସାମନ୍ତରା କହିଛନ୍ତି । ଥରେ ବାଲାଂଗୀର ଯିବା ସମୟରେ ସରକାରୀ ଅଧିକାରୀମାନେ ପୂର୍ବରୁ ଖବର ପାଇ ରେଳ ଷ୍ଟେସନରେ ଛକି ରହିଥିଲେ ଓ ସେ ଗାଡିରୁ ଓହ୍ଲାଇବା ପରେ ଫୁଲମାଳ ପିନ୍ଧାଇ ଘରକୁ ଫେରିଯିବାକୁ ବାଧ୍ୟ କରିଥିଲେ ।
ସାମନ୍ତରାୟଙ୍କ କହିବା ଅନୁସାରେ, କୋରାପୁଟରୁ ରାୟଗଡା ଓ ରାୟଗଡାରୁ ନିୟମଗିରି ଏବଂ ବଲାଂଗୀରର ଗନ୍ଧମାର୍ଦ୍ଦନ ପର୍ଯ୍ୟନ୍ତ ପାର୍ବତ୍ୟାଚଳରେ ପ୍ରଚୁର ପରିମାଣର ବକ୍ସାଇଟ୍ ଗଚ୍ଛିତ ରହିଛି । କୋରାପୁଟ ଜିଲ୍ଲାର ପଂଚପଟ୍ଟମାଳି ପାହାଡ ‘ନାଲକୋ’ର ନିୟନ୍ତ୍ରଣରେ ରହିଥିବା ବେଳେ କଲରାପାଟ, ସିଜୁମାଳି, ବଫରମାଳି ପର୍ବତ ଅନ୍ୟ କଂପାନୀଙ୍କୁ ମାଇନିଂ ପାଇଁ ଦିଆଯାଇଛି । ରାଜ୍ୟ ସରକାର ଖଣି ବାବଦରେ ୫୦ ହଜାର କୋଟି ଟଙ୍କା ରାଜସ୍ୱ ପାଉଥିବା ବେଳେ ତାହାକୁ ଏକ ଲକ୍ଷ କୋଟିକୁ ବୃଦ୍ଧି କରିବା ଯୋଜନାରେ ଅଛନ୍ତି । ତେଣୁ, ପୂର୍ବ ସରକାରଙ୍କ ଭଳି ବର୍ତ୍ତମାନର ସରକାର ମଧ୍ୟ ଆଦିବାସୀ, ଦଳିତଙ୍କ ଜମି, ଜଳ, ଜଂଗଲ ଓ ପରିବେଶ ଅଧିକାର ପ୍ରତି ଆଖି ବୁଜି ଦେଇଛନ୍ତି । ୨୦୨୫ ଜୁନ ୫ ତାରିଖରେ ସାମାଜିକ କର୍ମୀ ସାମନ୍ତରାୟ ସିଜୁମାଳିରେ ପରିବେଶ କର୍ମୀ ମେଧା ପାଟକରଙ୍କ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ତେବେ, ମେଧାଙ୍କୁ ରାୟଗଡା ଷ୍ଟେସନରେ ଅଟକ ରଖାଯାଇ ଭୁବନେଶ୍ୱର ଫେରିବାକୁ ବାଧ୍ୟ କରାଯାଇଥିଲା । ୪ ତାରିଖ ରାତିରେ ରାୟଗଡା ଜିଲ୍ଲା ପୁଲିସ ସିଜୁମାଳିରେ ୧୪୪ ଧାରା ଜାରି କରି ତିନି ଜଣଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲେ । ସାମନ୍ତରାୟ ଓ ମେଧାଙ୍କ ସମେତ ୨୫ ଜଣଙ୍କୁ ଦୁଇମାସ ପର୍ଯ୍ୟନ୍ତ ରାୟଗଡା ଜିଲ୍ଲାରେ ପ୍ରବେଶ କରି ପାରିବେ ନାହିଁ ବୋଲି ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଥିଲା । ଏହି ନିଷେଧାଦେଶକୁ ଓଡ଼ିଶା ହାଇକୋର୍ଟରେ ଚ୍ୟାଲେଂଜ କରାଯିବା ପରେ ହାଇକୋର୍ଟ ତାହା ଉପରେ ୨୯ ତାରିଖ ପର୍ଯ୍ୟନ୍ତ ସ୍ଥଗିତାଦେଶ ଜାରି କରିଛନ୍ତି । ଜଣେ ଜିଲ୍ଲାପାଳ କେମିତି ସାଧାରଣ ନାଗରିକଙ୍କ ଜିଲ୍ଲାରେ ପ୍ରବେଶ ଉପରେ ଏଭଳି ନିଷେଧାଦେଶ ଜାରି କରୁଛନ୍ତି ବୋଲି ଓଡ଼ିଶା ହାଇକୋର୍ଟ ବିସ୍ମୟ ପ୍ରକାଶ କରିଥିବା ସାମନ୍ତରାୟଙ୍କଠାରୁ ସୂଚନା ମିଳିଛି ।
ସାମନ୍ତରାୟଙ୍କ ଯୁକ୍ତି ହେଉଛି, ରାଜ୍ୟରେ ଥିବା ଖଣି ଖାଦାନରୁ କଂପାନୀମାନେ ଖଣିଜ ସଂପଦ ଉତ୍ତୋଳନ କରିବା ସହ ତାହାକୁ ପ୍ରୋସେସିଂ କରି କଂଚାମାଲ ବାହାରକୁ ରପ୍ତାନୀ କରୁଛନ୍ତି । ଏହି କଂଚାମାଲର ଉପଯୋଗ କରି ଅନ୍ୟମାନେ ବ୍ୟବସାୟ କରି ସମୃଦ୍ଧ ହେଉଥିବା ବେଳେ ଖଣି ଖାଦାନ ଥିବା ଅଂଚଳରେ ମୂଳ ଆଦିବାସୀ ଓ ଦଳିତମାନେ ଜମି, ଜଂଗଲ, ଜୀବିକା, ଜଳ ହରାଇ ବିସ୍ଥାପନର ଶିକାର ହେଉଛନ୍ତି । ସେମାନଙ୍କୁ ଥଇଥାନ ନାମରେ ଅତ୍ୟନ୍ତ ଦୂଷିତ ପରିବେଶରେ ରହିବାକୁ ବାଧ୍ୟ କରାଯାଉଛି । ରାଜ୍ୟର ଖଣି ଖାଦାନରେ ଗଚ୍ଛିତ ଥିବା ଲୁହା ପଥର ସରି ଆସିଲାଣି । ୨୫/୩୦ ବର୍ଷ ମଧ୍ୟରେ ଲୁହା ପଥର ସରିବା ପରେ ଲୁହା ଖଣି ସବୁ ବନ୍ଦ ହୋଇଯିବ । ରାଜ୍ୟରେ ଥିବା ବକ୍ସାଇଟ୍ ସଂପଦ ହାତେଇବାକୁ ଏବେ କଂପାନୀଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ବିକାଶ ନାମରେ ରାଜ୍ୟରେ ଥିବା ସମସ୍ତ ପ୍ରାକୃତିକ ସଂପଦକୁ ସାରି ଦେବା କି ବୋଲି ସେ ପ୍ରଶ୍ନ କରିଛନ୍ତି । ଖଣିଜ ସଂପଦରୁ କେତେ ବ୍ୟବହାର କରାଯିବ ଓ କେତେ ଭବିଷ୍ୟତ ପୀଢି ପାଇଁ ଗଚ୍ଛିତ ରଖାଯିବ ? – ସରକାର ତାହାର ଏକ ରୂପରେଖ ପ୍ରସ୍ତୁତ କରିବାକୁ ସାମନ୍ତରାୟ ଗୁରୁତ୍ୱ ଦେଇଛନ୍ତି । ଜଳବାୟୁ ନ୍ୟାୟ ପାଇଁ ଜମି, ଜଂଗଲ ଓ ଜଳର ସୁରକ୍ଷା ଏକାନ୍ତ ଜରୁରୀ ନୁହେଁ – ଏହା ଉପରେ ଏକ ବିତର୍କର ଆବଶ୍ୟକତା ଥିବା ସେ କହିଛନ୍ତି । ରାଜ୍ୟର ସମସ୍ତ ରାଜନୈତିକ ଦଳ ଓ ବୁଦ୍ଧିଜୀବୀଙ୍କୁ ସେ ବିତର୍କ ପାଇଁ ଆହ୍ୱାନ ଦେଇଥିଲେ ସୁଦ୍ଧା କାହାରି ସହମତି ମିଳି ନଥିବା ସାମନ୍ତରାୟ ପ୍ରକାଶ କରିଛନ୍ତି । ଖଣି ଖାଦାନ ଅଂଚଳରେ ବସବାସ କରୁଥିବା ଆଦିବାସୀ, ଦଳିତଙ୍କୁ ଜଂଗଲ ଆଇନ ଅନୁଯାୟୀ ଉପଯୁକ୍ତ ଥଇଥାନ କରାଯିବାକୁ ସେ ଦାବି କରୁଥିବାରୁ ରାଜ୍ୟ ସରକାର ଓ କଂପାନୀମାନେ ତାଙ୍କ ଭୟ କରୁଛନ୍ତି ବୋଲି ସାମନ୍ତରାୟ କହିଛନ୍ତି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
(ସୂଚନା: କଂଗ୍ରେସ ନେତା ରାହୁଲ ଗାନ୍ଧୀ ୧୧ ତାରିଖ ଭୁବନେଶ୍ୱର ଆସିଥିବା ସମୟରେ ରାୟଗଡା-କଳାହାଣ୍ଡିର ମା’, ମାଟି, ମାଳି ସୁରକ୍ଷା ମଂଚର ଏକ ପ୍ରତିନିଧି ଦଳ ତାଙ୍କୁ ଭେଟି ସେମାନଙ୍କ ଜଳ, ଜଂଗଲ, ଜମି ଓ ପରିବେଶକୁ ନେଇ ଦୀର୍ଘ ବର୍ଷ ଧରି ରହି ଆସିଥିବା ସମସ୍ୟା ଅବଗତ କରାଇଛନ୍ତି । ରାହୁଲ ମଧ୍ୟ ଆଦିବାସୀ, ଦଳିତଙ୍କ ସମସ୍ୟାକୁ ନେଇ ରାଜ୍ୟରେ ଆନ୍ଦୋଳନ ଜାରି ରଖିବାକୁ ନିଜ ଦଳର କର୍ମୀମାନଙ୍କୁ ନିର୍ଦେଶ ଦେଇଛନ୍ତି ।)
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS