ଗୁରୁବାର ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି, ଉପଲବ୍ଧିକୁ ନେଇ ସରକାରଙ୍କୁ ବିଜେଡିର କଟାକ୍ଷ..


ପ୍ରସାଦ ରାଓ
ଭୁବନେଶ୍ୱର ମେ’୧୧
ଆସନ୍ତା କାଲି (ଜୁନ ୧୨) ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀଙ୍କ ସରକାରର ଏକ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ଆଜି ଶ୍ରୀଜୀଉଙ୍କ ସ୍ନାନ ପୂର୍ଣ୍ଣମୀ ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ଦେବ ଦର୍ଶନ କରିଥିବା ବେଳେ କାଲି ସରକାରଙ୍କ ଜନ୍ମ ଦିନ ପାଳନ କରିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋହନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବାକୁ ଥିଲା । ତେବେ, ଜୁନ ୨୦ରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଥିବାରୁ କାଲି ପ୍ରସ୍ତାବିତ ଭବ୍ୟ ଉତ୍ସବ ୨୦ ତାରିଖ ହେବା ଆଶା କରାଯାଉଛି । ତେବେ, ମୁଖ୍ୟମନ୍ତ୍ରୀ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବା ଆରମ୍ଭ କରି ସାରିଛନ୍ତି । ଗତକାଲି ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ମିଳିତ ଭାବେ ଗୀତ ଗୋବିନ୍ଦ ସଦନରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଗୋଟିଏ ବର୍ଷର ଉପଲବ୍ଧିକୁ ସାମ୍ବାଦିକଙ୍କ ନିକଟରେ ଉପସ୍ଥାପନ କରିଛନ୍ତି । ପୂର୍ବ ସରକାର ୨୪ ବର୍ଷ କ୍ଷମତାରେ ରହି ଯାହା କରି ନାହାନ୍ତି ତାଙ୍କ ସରକାର ୨୪ ମିନିଟରେ ସେହି ନିଷ୍ପତ୍ତି ନେଇ କାର୍ଯ୍ୟରେ ରୂପାନ୍ତର କରିଛନ୍ତି ବୋଲି ବାହାସ୍ପୋଟ ମାରିଛନ୍ତି । ସରକାରଙ୍କ ବିଭିନ୍ନ ଉପଲବ୍ଧିକୁ ସେ ବିସ୍ତୃତ ଭାବେ ଉପସ୍ଥାପନ କରିଛନ୍ତି । ସନ୍ଧ୍ୟାରେ ସେ ରାଜ୍ୟ ଅତିଥି ଭବନରେ ହାତ ଗଣତି କିଛି ଖବର କାଗଜ ସଂପାଦକଙ୍କ ସହ ଆଲୋଚନା କରି ସେମାନଙ୍କ ସହ ଫଟୋ ସେସନ୍ କରିଥିଲେ । ତେବେ, ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକୁ ବାଏଁ ବାଏଁ ଉଡାଇ ଦେଇଥିଲେ ବୋଲି ସୂଚନା ମିଳିଛି ।
ଅନ୍ୟ ପକ୍ଷରେ, ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ଗତକାଲି ଭୁବନେଶ୍ୱର ‘ଶଙ୍ଖ ଭବନ’ରେ ଦଳର ନବଗଠିତ ରାଜ୍ୟ କାର୍ଯ୍ୟକାରୀଣୀର ସଦସ୍ୟମାନଙ୍କ ସମ୍ମିଳନୀ କରି ମୋହନ ସରକାରଙ୍କୁ କଡା ସମାଲୋଚନା କରିଛି । ରାଜ୍ୟ ସରକାରଙ୍କ ଗୋଟିଏ ବର୍ଷର ଉପଲବ୍ଧି ଲମ୍ବା ଭାଷଣ ଓ ବଡ ବଡ ବିଜ୍ଞାପନରେ ସୀମିତ । ଏଥିରେ ବିକାଶ ଆସେ ନାହିଁ ବୋଲି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି । ଭାଷଣ ଆଳରେ ପଟ୍ଟନାୟକ କହିଛନ୍ତି, ଗଣତନ୍ତ୍ରରେ ସାଧାରଣ ଲୋକ ହେଉଛନ୍ତି ମାଲିକ । ବିଜେଡି ଜନମତ ନ ପାଇ ବିରୋଧୀ ଦଳରେ ବସିଛି ଓ ଦାୟିତ୍ୱବାନ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଛି । ରାଜ୍ୟ ସରକାର ନିଜକୁ ‘ଲୋକଙ୍କ ସରକାର’ ବୋଲି କହୁଥିଲେ ମଧ୍ୟ ଏକ ବର୍ଷର ଶାସନରେ କେବଳ ଲମ୍ବା ଭାଷଣ ଦେବା ଓ ବଡ ବଡ ବିଜ୍ଞାପନ ଛାପିବା ବ୍ୟତୀତ ଆଉ କିଛି କରି ନାହାନ୍ତି । ସେମାନଙ୍କ ସହ ଲୋକ କାହାନ୍ତି (?) ବୋଲି ପଟ୍ଟନାୟକ କହିଥିଲେ । ପଟ୍ଟନାୟକ କହିଥିଲେ, ରାଜ୍ୟରେ ୨୪ ବର୍ଷର ବିଜେଡି ଶାସନରେ ୯୦ ପ୍ରତିଶତ ଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ଉପକାର ପାଉଥିଲେ । ବିଜେପି ସରକାର ରାଜ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା ପରେ ଯୋଜନାର ହିତାଧିକାରୀଙ୍କୁ ଔଷଧ ମିଳୁ ନାହିଁ ବା ବିନା ଟଙ୍କାରେ ହସ୍ପିଟାଲରେ ଚିକିତ୍ସା ମିଳୁ ନାହିଁ । ହଜାର ହଜାର ସଂଖ୍ୟାରେ ପୁରୁଷ, ମହିଳା ଓ ଶିଶୁ ଆୟୁଷ୍ମାନ ଯୋଜନା ହିତାଧିିକାରୀ ଥାଇ ମଧ୍ୟ ହଇରାଣ ହେଉଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟ ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟର ୩୦ ଜିଲ୍ଲାରୁ ୧୯ ଜିଲ୍ଲାରେ ସିଡିଏମଓ (ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ) ପଦବୀ ଖାଲି ପଡିଛି ବୋଲି ପଟ୍ଟନାୟକ କହିଛନ୍ତି ।
ପଟ୍ଟନାୟକ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ସରକାରରେ ରାଜ୍ୟର ୭୦ ଲକ୍ଷ ମହିଳା ‘ମିଶନ ଶକ୍ତି’ରେ ଅନ୍ତର୍ଭୁକ୍ତ ହୋଇ ସଶକ୍ତ ହୋଇଥିଲେ । ବିଜେପିର ଗୋଟିଏ ବର୍ଷର ଶାସନରେ ମିଶନ ଶକ୍ତି ଆନ୍ଦୋଳନକୁ ଦୁର୍ବଳ କରିବା ବ୍ୟତୀତ ଅନ୍ୟ କିଛି କାମ ହୋଇ ନାହିଁ । ଏହା ଦ୍ୱାରା ବ୍ୟାଙ୍କରେ ମା’ମାନେ ହଇରାଣ ହେଉଛନ୍ତି । ସରକାରୀ ଦପ୍ତରରେ ସେମାନଙ୍କ କାମ ହେଉ ନାହିଁ । ମିଶନ ଶକ୍ତି କାର୍ଯ୍ୟକ୍ରମରେ ଦିନେ ଦୁବାଇ ଓ ସିଙ୍ଗାପୁର ଯାଇଥିବା ମା’ମାନେ ଆଜି ଘରେ ବସି ହତାଶ ହେଉଛନ୍ତି । ସେମାନଙ୍କ ଆତ୍ମବଳ ଭାଂଗି ଯାଇଛି । ଏହା ହେଉଛି ମୋହନ ସରକାରଙ୍କ ସଫଳତାର ଦୃଷ୍ଟାନ୍ତ । ବିଜେଡି ସରକାରରେ ଆରମ୍ଭ ହୋଇଥିବା ମିଶନ ଶକ୍ତି ଯୋଜନା ସମଗ୍ର ଦେଶରେ ସୁନାମ ଅର୍ଜନ କରିଥିଲା । ମୋହନ ସରକାର ମହିଳା ସଶକ୍ତୀକରଣ କାର୍ଯ୍ୟରେ ବାଧା ସୃଷ୍ଟି କରି ଭୁଲ କରିଛନ୍ତି । ରାଜ୍ୟର ମହିଳାମାନେ ଏହି ସରକାରକୁ କେବେ କ୍ଷମା ଦେବେ ନାହିଁ । ସରକାର ନିର୍ବାଚନ ସମୟରେ ଚାଷୀଙ୍କ ଦେଇଥିବା ପ୍ରତିଶ୍ରୁତି କଥା ମନେ ପକାଇ ଦେଇ ବିରୋଧୀ ଦଳ ନେତା ପଟ୍ଟନାୟକ କହିଥିଲେ, ରାଜ୍ୟର ସବୁ ଚାଷୀଙ୍କୁ ଏମଏସପି ଦେବାକୁ ଓ ଧାନ ସଂଗ୍ରହ ସମୟରେ କଟନି ଛଟନି ବନ୍ଦ କରିବାକୁ ମୋହନ ସରକାରଙ୍କ ନିର୍ବାଚନ ପ୍ରତିଶ୍ରୁତି ଥିଲା । ସମ୍ମିଳନୀରେ ବହୁ ଚାଷୀ ଭାଇ ଭଉଣୀ ଉପସ୍ଥିତ ଥିବାରୁ ସେମାନେ କୁହନ୍ତୁ ରାଜ୍ୟରେ କଟନି ଛଟନି ବନ୍ଦ ହୋଇଛି କି (?) ବୋଲି ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ସେ କହିଲେ, ମିଲରଙ୍କ ଦୟାରେ ଏବେ ଚାଷୀମାନେ । ମିଲରମାନେ (ଧାନ କଳ ମାଲିକମାନେ) ସରକାରଙ୍କୁ ଡରୁ ନାହାନ୍ତି । ଚାଷୀ କାହାକୁ ଗୁହାରୀ କରିବେ (?) ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି । ରାଜ୍ୟର ଚାଷୀମାନେ କୃଷି ଋଣ ପାଇବାରେ ହଇରାଣ ହେଉଥିବା ସେ ଅଭିଯୋଗ କରିଛନ୍ତି ।
ବିଜେଡି ସରକାରରେ ରାଜ୍ୟରେ ରେକର୍ଡ ପରିମାଣର ଜଳସଚେନ ବ୍ୟବସ୍ଥା ହୋଇଥିଲା । ବିଜେପି ଶାସନକୁ ଆସିବାର ଗୋଟିଏ ବର୍ଷ ମଧ୍ୟରେ ଚାଲିଥିବା କାମ ସବୁକୁ ବନ୍ଦ କରି ଦେଇଛି । ଲୋକଙ୍କ ସରକାରରେ ଲୋକେ ନାରଖାର ହେଉଛନ୍ତି – ଏବେ ଜନତା ଚେତିଲେଣି । ସରକାର ବୁଝନ୍ତୁ ବୋଲି ପଟ୍ଟନାୟକ କହିଥିଲେ । ରାଜ୍ୟର ଋଣଭାର ସଂପର୍କରେ ପଟ୍ଟନାୟକ କହିଛନ୍ତି, ୨୦୦୦ ମସିହାରେ ରାଜ୍ୟରେ ବିଜେଡି ସରକାର ପ୍ରତିଷ୍ଠା ସମୟରେ ରାଜ୍ୟର ଋଣଭାର ୧୮ ହଜାର କୋଟି ଟଙ୍କା ଥିଲା । ଓଭର ଡ୍ରାଫ୍ଟରେ ସରକାର ଚାଲିଥିଲା । ୨୦୨୪ରେ ସରକାର ଦାୟିତ୍ୱ ଛାଡିବା ବେଳକୁ ସରକାରୀ ଟ୍ରେଜେରୀରେ ୪୫ ହଜାର କୋଟି ଟଙ୍କା ବଳକା ଥିଲା । ତେବେ, ମୋହନ ସରକାର ଏବେ ରେକର୍ଡ ପରିମାଣର ଋଣରେ ଚାଲିଛନ୍ତି । ୨୦୦୫-୦୬ରେ ଓଡ଼ିଶାରେ ଗରିବୀ ୬୩.୮୩ ପ୍ରତିଶତ ଥିବା ବେଳେ ୨୦୨୩ରେ ତାହା ୧୧.୭ ପ୍ରତିଶତକୁ ଖସି ଆସିଥିଲା । ୧୦୨.୭୮ ଲକ୍ଷ ଲୋକ ଦାରିଦ୍ର ସୀମାରେଖା ଉପରକୁ ଉଠିଥିଲେ । ଆଇଏମଆର, ଏମଏମଆର ଆଦି ସବୁ ବିକାଶ ମାପକାଠିରେ ରାଜ୍ୟର ଉନ୍ନତି ଦେଖିବାକୁ ମିଳୁଥିଲା । ଗଲା ଏକ ବର୍ଷରେ ସରକାର ବିକାଶ କ୍ଷେତ୍ରରେ ସ୍ଥାଣୁ । ବିଜେଡି ଲୋକଙ୍କ ସହିତ ରହିଛି । ଲୋକଙ୍କ କଲ୍ୟାଣ ଏବଂ ଓଡ଼ିଶାର ଉନ୍ନତି ଦିଗରେ କାର୍ଯ୍ୟ କରୁଛି ଓ କରିବ । ବିଜେଡି ନେତା ଓ କର୍ମୀମାନେ ଗ୍ରାମାଂଚଳ ଓ ସହରାଂଚଳ ଲୋକଙ୍କ ସେବାରେ ସର୍ବଦା ବ୍ୟାପୃତ ରହିବାକୁ ଗତକାଲି ପଟ୍ଟନାୟକ ଆହ୍ୱାନ ଦେଇଥିଲେ ।
ବିଜେଡି ପକ୍ଷରୁ ଗତକାଲିଠାରୁ ଜନଜାଗରଣ ଅଭିଯାନ ଆରମ୍ଭ କରାଯାଇଛି । ରାଜ୍ୟ ସରକାରଙ୍କ ବିଫଳତାକୁ ରାଜ୍ୟବାସୀଙ୍କ ସମ୍ମୁଖରେ ରଖିବା ସକାଶେ ବିଜେଡି ୧୩ ତାରିଖ ଦିନ ଯାଜପୁରରେ ମହିଳା ଏବଂ ୧୮ ତାରିଖରେ ପୁରୀରେ ଯୁବ ଓ ଛାତ୍ର ସମ୍ମିଳନୀ କରିବ ବୋଲି ଘୋଷଣା କରିଛି । ମହିଳା, ଯୁବ ଓ ଛାତ୍ରଙ୍କୁ ମୋହନ ସରକାର ଅବହେଳା କରୁଥିବା ବିଜେଡି ଅଭିଯୋଗ କରିଛି । ଦଳର ବରିଷ୍ଠ ଉପ ସଭାପତି ପ୍ରମିଳା ମଲ୍ଲିକ ଓ ଦଳର ଉପ ସଭାପତି ସଂଜୟ ଦାସବର୍ମା ଗତକାଲି ଶଙ୍ଖ ଭବନରେ ସାମାଦି ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି । ପ୍ରମିଳା ମଲ୍ଲିକ କହିଲେ, ମହିଳାଙ୍କ ସଶକ୍ତୀକରଣ ପାଇଁ ବିଜୁ ପଟ୍ଟନାୟକ ପ୍ରଥମେ ପଂଚାୟତସ୍ତରରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ନୀବନ ପଟ୍ଟନାୟକ ପରେ ମହିଳାଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ । ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଥିଲା । ବିଜେପି କ୍ଷମତାକୁ ଆସିବା ପରେ ମିଶନ ଶକ୍ତିକୁ ଦୁର୍ବଳ କରିବାକୁ ‘ସୁଭଦ୍ରା’ ଯୋଜନା କାର୍ଯ୍ୟକାରୀ କରିଛି । ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ଦୁଇ ବର୍ଷରେ ୫୦ ହଜାର ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ପାଂଚ ବର୍ଷରେ ୧୦ ହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ ଦେଉଛି । ତାହା ମଧ୍ୟ କୋଟିଏ ମହିଳାଙ୍କୁ । ରାଜ୍ୟର ଦେଢ ଲକ୍ଷ ଯୁବକ ଯୁବତୀଙ୍କ ରାଜ୍ୟ ସରକାର ନିଯୁକ୍ତି ଦେବାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାର ପାଣିରେ ଗାର ହୋଇଛି ବୋଲି ସଂଜୟ ଦାସ ବର୍ମା ଅଭିଯୋଗ କରିଥିଲେ । ବିଜେଡି ଏସଂପର୍କରେ ଜନଚେତନା ଜାଗ୍ରତ କରିବ ବୋଲି ବିଜେଡିର ଦୁଇ ବରିଷ୍ଠ ନେତା ଗଣମାଧ୍ୟମକୁ କହିଛନ୍ତି ।
ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ସରକାରଙ୍କୁ ଆକ୍ରମଣ କରିବାୁ ଯୋଜନା ପ୍ରସ୍ତୁତ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମାଝୀ ସମ୍ବାଦିକ ସମ୍ମିଳନୀ କରି ଗୋଟିଏ ବର୍ଷର ଉପଲବ୍ଧିର ଗୋଲାପୀ ଚିତ୍ର ଉପସ୍ଥାପନ କରୁଛନ୍ତି । ଚାଷୀଙ୍କୁ ଧାନ କ୍ୱିଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଅତିରିକ୍ତ ୮୦୦ ଟଙ୍କା ଇନପୁଟ୍ ସହାୟତା ଦିଆଯାଇଥିବା, ଉକ୍ରର୍ଷ ଓଡ଼ିଶା-୨୦୨୫ କନକ୍ଲାଭରେ ରାଜ୍ୟକୁ ୫୯୩ଟି ପ୍ରକଳ୍ପ ପାଇଁ ୧୬.୭୩ ହଜାର କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଥିବା, ଆୟୁଷ୍ମାନ ଭାରତ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ଲୋକଙ୍କୁ ନଗଦବିହୀନ ଚିକିତ୍ସା ସୁବିଧା ଦିଆଯାଉଥିବା, ରାଜ୍ୟର ଏକ କୋଟି ମହିଳାଙ୍କୁ ‘ସୁଭଦ୍ରା’ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ବାର୍ଷିକ ୧୦ ହଜାର ଟଙ୍କା ଲେଖାଁଏ ପାଂଚ ବର୍ଷରେ ପଚାର ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବା ବ୍ୟବସ୍ଥା ହୋଇଥିବା, ଶ୍ରୀଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପ୍ରସାର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଂଠି ଗଠନ କରାଯାଇଥିବା ପ୍ରଭୃତିର ଏକ ଲମ୍ବା ତାଲିକା ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥାପନ କରିଛନ୍ତି । ଗୋଟିଏ ପଟେ ବିଜେପି ସରକାର ବର୍ଷ ପୂର୍ତ୍ତି ଉତ୍ସବ ପାଳନର ପ୍ରସ୍ତୁତି ଚଳାଇ ଥିବା ବେଳେ ଅନ୍ୟପଟେ ମୁଖ୍ୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି । ଗୋଟିଏ ବର୍ଷର ମୋହନ ସରକାର କେବଳ ଭାଷଣବାଜୀ ଓ ବଡ ବଡ ବିଜ୍ଞାପନ ଛାପି ନିଜର ପ୍ରଚାର କରିବାରେ ବ୍ୟସ୍ତ, ବିକାଶ କାମରେ ଶୂନ ବୋଲି ବିରୋଧୀ ଅଭିଯୋଗ କରୁଥିବାରୁ ଆଗକୁ ରାଜ୍ୟ ରାଜନୀତି ଅଧିକ ସରଗରମ ହେବା ଅନୁମାନ କରାଯାଉଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS