ଗୁରୁବାର ହେଲା ଗଂଜାମରେ ୧୨ଟି ଶିଲ୍ପର ଶିଳାନ୍ୟାସ, ଚିମିନିରୁ ଧୂଆଁ ଉଠିବ ତ ?


ପ୍ରସାଦ ରାଓ
ଭୁବନେଶ୍ୱର ମେ’ ୦୮
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଗଂଜାମ ଜିଲ୍ଲାରେ ୨୮ ହଜାର କୋଟି ଟଙ୍କାର ୧୨ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଯାହାକି ଗଂଜାମବାସୀଙ୍କ ମନରେ ନୂତନ ଆଶାର ସଂଚାର କରିଛି । ପୂର୍ବ କଂଗ୍ରେସ ଓ ବିଜେଡି ସରକାରରେ ଜିଲ୍ଲାବାସୀ ଶିଳ୍ପାୟନର ସ୍ୱପ୍ନ ଦେଖିଥିଲେ ମଧ୍ୟ ତାହା ସ୍ୱପ୍ନରେ ରହିଥିଲା । ମୁଖ୍ୟମନ୍ତ୍ରୀ ମାଝୀଙ୍କ ଦ୍ୱାରା ହୋଇଥିବା ଶିଳାନ୍ୟାସ ସବୁ ବାସ୍ତବ ରୂପ ନେଲେ ଜିଲ୍ଲାରେ ୧୫ ହଜାରରୁ ଅଧିିକ କର୍ମ ନିଯୁକ୍ତି ସୃଷ୍ଟି ହେବା କୁହାଯାଉଛି । କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲ ଇଂଜିନ ସରକାର ଥିବାରୁ ମାଝୀ ସରକାର ପ୍ରତିଶ୍ରୁତି ପାଳନ କରିପାରନ୍ତି ବୋଲି ଜିଲ୍ଲାବାସୀ ଆଶା କରୁଛନ୍ତି । ଜିଲ୍ଲାରେ ପ୍ରଥମ ଥର ପାଇଁ ବିଜେପି ବିପୁଳ ଜନସମର୍ଥନ ପାଇଛି । ୨୦୨୪ ବିଧାନସଭା ନିର୍ବାଚନରେ ଜିଲ୍ଲାର ୧୩ଟି ବିଧାନସଭା ଆସନରୁ ୧୧ଟି ବିଜେପିକୁ ଯାଇଛି । ବ୍ରହ୍ମପୁର ଓ ଆସିକା ସାଂସଦ ମଧ୍ୟ ବିଜେପିର । ତେଣୁ, ସରକାରରେ ଜିଲ୍ଲାର ଶିଳ୍ପ ସ୍ୱପ୍ନ ପୂରଣ କରିବେ ବୋଲି ଜନତା ବିଶ୍ୱାସ କରୁଛନ୍ତି । ତେବେ, ଏସବୁ ପ୍ରସ୍ତାବିତ ଶିଳ୍ପ ସଂସ୍ଥାର ଚିମିନିରୁ ଧୂଆଁ ଉଠିବ ନା ଅତୀତରେ ଜିଲ୍ଲାବାସୀଙ୍କୁ ଯେଭଳି ଧୋକା ମିଳିଥିଲା ସେଭଳି ହେବ (?) – ସେ ନେଇ ଜିଲ୍ଲାବାସୀଙ୍କ ମନରେ ସଂଶୟ ମଧ୍ୟ ରହିଛି ।
ଗଂଜାମ ଜିଲ୍ଲା ମୁଖ୍ୟତଃ ଏକ କୃଷି ପ୍ରଧାନ ଜିଲ୍ଲା । ତେବେ, ଜିଲ୍ଲାରେ ବିସ୍ତୃତ ବେଳାଭୂମି ରହିଛି । ଗୋପାଳପୁର ବେଳାଭୂମିରେ ସମୁଦ୍ର ବାଲିରେ ବିପୁଳ ପରିମାଣର ବିରଳ ମୃତ୍ତିକା ରହିଛି, ଯାହାକୁ ଭିତ୍ତିକରି କେନ୍ଦ୍ର ସରକାରଙ୍କ ଭାରତୀୟ ବିରଳ ମୃତ୍ତିକା ସଂସ୍ଥା (ଆଇଆରଇ) ଛତ୍ରପୁର ନିକଟ ମାଟିଖାଲଠାରେ ଏକ କାରଖାନା ବସାଇ ଦୀର୍ଘ ବର୍ଷ ହେଲା ଇଲୁମୁନାଇଟ୍, ମେନିଜାଇଟ୍ ଭଳି ବିରଳ ମୃତ୍ତିକା ଉତ୍ପାଦନ କରୁଛି ଏବଂ ବିଦେଶକୁ ରପ୍ତାନୀ କରୁଛି । ଆଇଆରଇ ଉତ୍ପାଦନ ପୂର୍ବରୁ ପାରାଦୀପ ଓ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ବନ୍ଦର ଦେଇ ବିଦେଶକୁ ରପ୍ତାନୀ ହେଉଥିଲା । ଏହା ଅତ୍ୟନ୍ତ ବ୍ୟୟସାପେକ୍ଷ ଥିବାରୁ ଅଶି ଦଶକରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଆଇଆରଇ ନାକଟସ୍ଥ ମତ୍ସ୍ୟଜୀବୀ ଗ୍ରାମ ଆର୍ଯ୍ୟପଲ୍ଲୀରେ ଏକ କ୍ଷୁଦ୍ର ବନ୍ଦର ନିର୍ମାଣର ପରିକଳ୍ପନା କରିଥିଲେ । ତତ୍କାଳୀନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆଗ୍ରହରୁ ମାତ୍ର ୨୮ କୋଟି ଟଙ୍କାରେ ଗୋପଳପୁର କ୍ଷୁଦ୍ର ବନ୍ଦର ନିର୍ମାଣ ହୋଇ ୧୯୮୭ ମସିହାରେ ଉଦ୍ଘାଟିତ ହୋଇଥିଲା । ଆଇଆରଇ ଦ୍ୱାରା ଉତ୍ପାଦିତ ବିରଳ ଇଲୁମୁନାଇଟ ଓ ଅନ୍ୟାନ୍ୟ ମୂଲ୍ୟବାନ ଦ୍ରବ୍ୟ ବିଦେଶକୁ ପଠାଇବା ସହ ଗହମ, ସାର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ କରିବା ଏହି ବନ୍ଦର ପ୍ରତିଷ୍ଠାର ଲକ୍ଷ୍ୟ ଥିଲା । ଯାହାକି କଂଗ୍ରେସ ସରକାର ଅମଳରେ ସାକାର ହୋଇଥିଲା ।
ଏହି ବନ୍ଦରକୁ ଏକ ‘ସବୁ ଦିନିଆ’ ବନ୍ଦର କରିବା ସେତେବେଳର ସରକାରଙ୍କ ଅଭିଳାଷ ଥିଲା । ଗୋପାଳପୁର ବନ୍ଦର ସବୁଦିନିଆ ବୃହତ ବନ୍ଦର ହେଲେ ଜିଲ୍ଲାକୁ ବନ୍ଦର-ଭିତ୍ତିକ ଶିଳ୍ପ ଆସିବ ଏବଂ ଗଂଜାମ ଜିଲ୍ଲାର ମୁଖ୍ୟ ସହର ବ୍ରହ୍ମପୁର ସମେତ ଛତ୍ରପୁର, ଗୋପାଳପୁରରୁ ଚିକିଟି ପର୍ଯ୍ୟନ୍ତ ଅଂଚଳକୁ ନେଇ ବିଶାଖପାଟଣା ଭଳି ଏକ ବିସ୍ତୃତ ଶିଳ୍ପ ସହର ଗଢି ଉଠିବ ବୋଲି ସେହି ସମୟରେ ଗଂଜାମବାସୀ ସ୍ୱପ୍ନ ଦେଖିଥିଲେ । ଗଂଜାମବାସୀଙ୍କ ଏହି ସ୍ୱପ୍ନକୁ ବଳ ଦେଇଥିଲା ଟାଟା ଷ୍ଟିଲ । ଆର୍ଯ୍ୟପଲ୍ଲୀରେ ବନ୍ଦର ସୁବିଧା ଓ ଛତ୍ରପୁର ସହ ବନ୍ଦରର ରେଳ ସଂଯୋଗକୁ ଦେଖି ଟାଟା ଷ୍ଟିଲ ଛତ୍ରପୁର ନିକଟରେ ୨୦ ହଜାର କୋଟି ଟଙ୍କା ବ୍ୟୟରେ ଏକ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଆଗେଇ ଆସିଥିଲା । ଏହି ମୋଗା ଇସ୍ପାତ କାରଖାନା ପାଇଁ ରାଜ୍ୟ ସରକାରଙ୍କ ‘ଇଡକୋ’ ସହାୟତାରେ ଜମି ଅଧିଗ୍ରହଣ ମଧ୍ୟ ହୋଇଥିଲା । ଗୋପାଳପୁରକୁ ବନ୍ଦରକୁ ସବୁ ଦିନିଆ ବନ୍ଦରରେ ପରିଣତ କରିବା ଦାୟିତ୍ୱ ଟାଟା କଂପାନୀ ଉପରେ ନ୍ୟସ୍ତ ଥିଲା । ନବେ ଦଶକରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ମିଳିତ ଭାବେ ଏକ ଜନସଭାରେ ଟାଟା ଷ୍ଟିଲର ପ୍ରସ୍ତାବିତ ମୋଗା ଇସ୍ପାତ କାରଖାନାକୁ ନେଇ ଘୋଷଣା କରିଥିଲେ ଓ ଏହି ଅଧାରରେ ଗଂଜାମବାସୀ ‘ଶିଳ୍ପ ସମୃଦ୍ଧି’ର ସ୍ୱପ୍ନ ଦେଖିଥିଲେ ।
ଟାଟା କଂପାନୀର ପ୍ରସ୍ତାବିତ ମେଗା ଇସ୍ପାତ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଚାଲିଥିବା ବେଳେ ସୋରଡାର ପିପଳପଂକାରୁ ଛତ୍ରପୁର ପର୍ଯ୍ୟନ୍ତ ପାଇପଲାଇନ ବିଛା ଯାଇ ଇସ୍ପାତ କାରଖାନା ସହ ଗଢି ଉଠିବାକୁ ଥିବା ଶିଳ୍ପାଂଚଳକୁ ଜଳଯୋଗାଣ ପ୍ରସ୍ତାବ ରହିିଥିଲା । ତେବେ, ମୂଲ୍ୟବାନ ଚାଷ ଜମି ଓ କିଆ ଫୁଲ ଜଂଗଲକୁ ରାଜ୍ୟ ସରକାର ଅଧିଗ୍ରହଣ କରୁଥିବା ଦେଖି ଛତ୍ରପୁର ଅଂଚଳରେ କମ୍ୟୁନିଷ୍ଟ ନେତାଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଏକ ଟାଟା-ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିଲା । ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପକୁ ମୁଷ୍ଠିମେୟ ନେତାଙ୍କ ଦୃଢ ବିରୋଧ ସହ ପିପଳପଂକାରୁ ପାଇପଲାଇନ ଲାଇନ ବିଛା ଯାଇ ନଦୀ ଜଳକୁ ଟାଟା କଂପାନୀ ପାଇଁ ଛତ୍ରପୁର ପର୍ଯ୍ୟନ୍ତ ଅଣାଯିବା ପ୍ରସ୍ତାବକୁ ବିଭିନ୍ନ ଆଳରେ ପରିବେଶ କର୍ମୀ ବିରୋଧ କରିଥିଲେ, ଯାହାକି ଛତ୍ରପୁର ନିକଟରେ ଗୋପାଳପୁର ମେଗା ଇସ୍ପାତ କାରଖାନା ପ୍ରତିଷ୍ଠାରେ ମୁଖ୍ୟ ପ୍ରତିବନ୍ଧକ ହୋଇଥିଲା । ଜନସାଧାରଣଙ୍କ ବିରୋଧକୁ ଦେଖି ଟାଟା କଂପାନୀ ଏହି ପ୍ରକଳ୍ପ ପ୍ରତିଷ୍ଠା ପ୍ରସ୍ତାବରୁ ଓହରି ଯାଇ ପ୍ରକଳ୍ପକୁ ଅନ୍ୟତ୍ର ସ୍ଥାନାନ୍ତର କରି ଦେଇଥିଲା । ଟାଟା କଂପାନୀର ଗୋପାଳପୁର ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ଯୋଜନାରେ ପୂର୍ଣ୍ଣଛେଦ ପଡିବା ସେତେବେଳ ଗଂଜାମବାସୀଙ୍କ ସ୍ୱପ୍ନ ଭଂଗ କରିଥିଲା ।
୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ବିଜୁ ଜନତା ଦଳ (ବିଜେଡି) ସରକାର ପ୍ରତିଷ୍ଠା ହେବା ପରେ ରାଜ୍ୟରେ ଯାହା ସବୁ ମେଗା ଶିଳ୍ପ ପ୍ରତିଷ୍ଠା ହୋଇଛି ସେସବୁ ଯାଜପୁର ଜିଲ୍ଲାର କଳିଙ୍ଗନଗର ଅଂଚଳରେ । ଗଂଜାମ ଜିଲ୍ଲା ଭାଗରେ ଗୋଟିଏ ବି ଶିଳ୍ପ ପଡି ନାହିଁ । ନାମକୁ ମାତ୍ର ଗଂଜାମ ଜିଲ୍ଲା ଥିଲା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା । ଗୋପାଳପୁର କ୍ଷୁଦ୍ର ବନ୍ଦର ମଧ୍ୟ ଘରୋଇ ସଂସ୍ଥାଙ୍କ ହାତକୁ ଚାଲି ଯାଇଥିଲା । ବିଜେପି ସରକାରରେ ଏବେ ଏହି ବନ୍ଦର ଶିଳ୍ପପତି ଗୌତମ ଆଦାନୀଙ୍କ ନିୟନ୍ତ୍ରଣକୁ ଚାଲି ଯାଇଛି । ଛତ୍ରପୁର ନିକଟରେ ଟାଟା କଂପାନୀର ଗୋପାଳପୁର ମେଗା ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ‘ଇଡକୋ’ ଯେଉଁ ମୂଲ୍ୟବାନ ଜମି ଅଧିଗ୍ରହଣ କରିଥିଲା ତାହା ଦୀର୍ଘ ବର୍ଷ ଧରି ପାଚେରୀ ଆବଦ୍ଧ ହୋଇ ପଡିଆ ପଡିବାରୁ ଯେଉଁମାନଙ୍କ ଜମି ଅଧିଗ୍ରହଣ ହୋଇଥିଲା ସେମାନେ ଜମି ଫେରସ୍ତ ପାଇଁ ଅଡି ବସିଲେ । ଏହି ଦାବି ଆନ୍ଦୋଳନର ମୋଡ ନେଉଥିବା ଦେଖି କେନ୍ଦ୍ର ସରକାର ଅଧିଗ୍ରହଣ ହୋଇଥିବା ଜମିକୁ ‘ଟାଟା ଷ୍ଟିଲ ସ୍ପେଶାଲ ଇକୋନୋମିକ ଜେନ୍’ ଭାବେ ଘୋଷଣା କରି ସେଠାରେ ଶିଳ୍ପାୟନର ସ୍ୱପ୍ନ ଦେଖାଇଲେ । ଇତିମଧ୍ୟରେ ଟାଟା ଷ୍ଟିଲ ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ କିଛି ଛୋଟକାଟିଆ ଶିଳ୍ପ ପ୍ରତିଷ୍ଠା ହୋଇ ଚିମିନିରୁ ଧୂଆଁ ବାହାରୁଛି । ତେବେ, ଗଂଜାମବାସୀଙ୍କ ସ୍ୱପ୍ନ ଅଧୁରା ରହିଛି । ଜିଲ୍ଲାରେ ଏଯାବତ୍ କୌଣସି ବଡ ଶିଳ୍ପ ପ୍ରତିଷ୍ଠା ହୋଇନାହିଁ ।
ଗଂଜାମ ଜିଲ୍ଲାରେ ଶିଳ୍ପ କହିଲେ ରହିଛି କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନ ଆଇଆରଇ ଓ ଗଂଜାମ ଏନଏସି ଅଂଚଳରେ ଥିବା ଘରୋଇ ଶିଳ୍ପ ସଂସ୍ଥା ଜୟଶ୍ରୀ କେମିକାଲ୍ସ । ଆସିକାରେ ପ୍ରତିଷ୍ଠିତ ଏସୀୟାର ପ୍ରଥମ ଚିନି କାରଖାନା ଏବେ ଆର୍ଥିକ ଦୃଷ୍ଟିରୁ ଅସ୍ୱଚ୍ଛଳ । ଆସିକା ସୂତା କଳ କେବେଠୁ ବନ୍ଦ ପଡିଛି । ଗଂଜାମ ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିଲେ ମଧ୍ୟ କୌଣସି ସରକାର ଜିଲ୍ଲାରେ କୃଷି ଭିତ୍ତିକ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଦିଗରେ ଏପର୍ଯ୍ୟନ୍ତ ପଦକ୍ଷେପ ନେଇ ନାହାନ୍ତି । ଗଂଜାମବାସୀ ଶିଳ୍ପାୟନକୁ ନେଇ ଏକପ୍ରକାର ନିରାଶ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଅଶାର କିରଣ ଦେଖାଇଛନ୍ତି । ଗୁରୁବାର (ଜୁନ ୫ ତାରିଖ) ଦିନ ମୁଖ୍ୟମନ୍ତ୍ରୀ ମାଝୀ ରାଜ୍ୟ ଶିଳ୍ପମନ୍ତ୍ରୀ ସଂପଦ ଚରଣ ସ୍ୱାଇଁ, ଜିଲ୍ଲାର ଦୁଇ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ଆସିକା ସାଂସଦ ଅନୀତା ପ୍ର୍ରି୍ରୟଦର୍ଶିନୀ ଏବଂ ଜିଲ୍ଲାର ବିଜେପି ବିଧାୟକମାନଙ୍କ ସହ ଛତ୍ରପୁରରେ ଏକ ଜନସଭା କରି ଜିଲ୍ଲା ପାଇଁ ୨୮,୦୮୪ କୋଟି ଟଙ୍କାର ୧୨ଟି ଶିଳ୍ପର ଶିଳାନ୍ୟାସ କରିଛନ୍ତି । ଏସବୁ ଶିଳ୍ପ କାର୍ଯ୍ୟକାରୀ ହେଲେ ଜିଲ୍ଲାରେ ୧୫ ହଜାରରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ୧୨ଟି ଶିଳ୍ପ ମଧ୍ୟରୁ ୫ଟି ଟାଟା ଷ୍ଟିଲ ଏସିଇଜେଡରେ ପ୍ରତିଷ୍ଠା ହେବ ବୋଲି ଘୋଷଣା ହୋଇଥିବା ବେଳେ ଗୋପାଳପୁରରେ ଦୁଇଟି, ଛତ୍ରପୁରରେ ଦୁଇଟି, ବୁଗୁଡାରେ ଗୋଟିଏ ଏବଂ ବରପାଲିରେ ଦୁଇଟି ଶିଳ୍ପ ପ୍ରତିଷ୍ଠା ହେବାକୁ ଅଛି । ଟାଟା ଷ୍ଟିଲ ଏସଇଜେଡରେ ପ୍ରତିଷ୍ଠା ହେବାକୁ ଥିବା ୫ଟି ପ୍ରକଳ୍ପ ହେଉଛି – ଓସିଓର ଏନର୍ଜି ପ୍ରାଇଭେଟ ଲିମିଟେଡର ୭, ୨୦୦ କୋଟି ଟଙ୍କାର ଗ୍ରୀନ ହାଇଡ୍ରୋଜେନ ଏଣ୍ଡ ଗ୍ରୀନ ଆମୋନିଆ ପ୍ରକଳ୍ପ, ୟୁପିଏଲ ଲିମିଟେଡର ୪୦୦୦ କୋଟି ଟଙ୍କାର ସ୍ପେଶିଆଲିଟି କେମିକାଲ୍ସ ପ୍ରକଳ୍ପ, ଏଚଏଚପି ଫାଇଭ ପ୍ରାଇଭେଟ ଲିମିଟେଡର ୪୦୦୦ କୋଟି ଟଙ୍କାର ହାଇଡ୍ରୋଜେନ ଏଣ୍ଡ ଗ୍ରୀନ ଆମୋନିଆ ପ୍ରକଳ୍ପ, ସାତ୍ତ୍ୱିକ ସୋଲାର ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡର ୩,୫୦୦ କୋଟି ଟଙ୍କାର ଗ୍ରୀନ ଏନର୍ଜି ଇକ୍ୱିପମେଂଟ ଏବଂ ୱାଲ୍ଡ ଗ୍ରୀନ ଏନର୍ଜି ପ୍ରାଇଭେଟ ଲିମିଟେଡର ୨,୫୦୦ କୋଟି ଟଙ୍କାର ଆଉ ଏକ ଗ୍ରୀନ ଏନର୍ଜି ଇକ୍ୱିପମେଂଟ ପ୍ରକଳ୍ପ ।
ଗୋପାଳପୁରରେ ପେଟ୍ରୋନେଟ୍ ଏଲଏନର୍ଜି ଲିମିଟେଡର ୬,୫୦୦ କୋଟି ଟଙ୍କାର ଏଲଏନଜି ଟର୍ମିନାଲ ଏବଂ କ୍ରୋଚେଟ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡର ୧୮ କୋଟି ଟଙ୍କାର ‘ଇକୋ ରିସର୍ଟ’ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଥିବା ବେଳେ ଛତ୍ରପୁରରେ ଜିଓ ଇମ୍ପାକ୍ସ ଏଣ୍ଡ ଲଜିଷ୍ଟିକ୍ସ ପ୍ରାଇଭେଟ ଲିମିଟେଡର ୨୦୭ କୋଟି ଟଙ୍କାର ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ ଏବଂ ଓଡ଼ିଶା ମନୋଲିଥିକର ୪୦ କୋଟି ଟଙ୍କାର ରିଫ୍ରାକ୍ଟୋରୀ ଏଣ୍ଡ ନୋଜେଲ ଫିଲିଂ କଂପାଉଣ୍ଡ ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ଗଂଜାମ ଜିଲ୍ଲାର ବୁଗୁଡାରେ ତରଂଗିଣୀ ଡିଷ୍ଟିଲିଆରିଜ ପ୍ରାଇଭେଟ ଲିମିଟେଡ ପକ୍ଷରୁ ୧୪୯ କୋଟି ଟଙ୍କାର ଆଗ୍ରୋ ପ୍ରୋସେସିଂ (ବାୟୋ ଇଥୋନାଲ) ପ୍ଲାଂଟ ଏବଂ ବରପାଲି ଠାରେ ଜେଏସଆର ଗ୍ରୀନେକ୍ସର ୩ କୋଟି ଟଙ୍କାର ଇ-ୱେଷ୍ଟ୍ ରିଫରବିସ ପ୍ରଡକ୍ଟସ ଓ ଲିନେକ୍ସ ଓରଥେ ସର୍ଜିକାଲ ପ୍ରାଇଭେଟ ଲିମିଟେଡର ୨.୫ କୋଟି ଟଙ୍କାର ମେଡିକାଲ ଇମ୍ପ୍ଲିମେଂଟସ୍ ମାନୁଫାକଚରିଂ ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ ହୋଇଛି । କେଉଁ ଶିଳ୍ପରେ କେତେ କର୍ମନିଯୁକ୍ତି ସମ୍ଭାବନା ରହିଛି ତାହାର ହିସାବ ମଧ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଛି । ୧୨ଟି ଯାକ ପ୍ରକଳ୍ପ ଘରୋଇ ସଂସ୍ଥାଙ୍କ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଯାଉଛି । ଏସବୁ ପ୍ରକଳ୍ପ ବାସ୍ତବ ରୂପ ନେଲେ ୧୫,୪୫୫ ଜଣ କର୍ମନିଯୁକ୍ତି ପାଇବେ ବୋଲି ସରକାର କହିଛନ୍ତି । ତେବେ, ଏହି ସବୁ ଶିଳ୍ପ କେବେ ବାସ୍ତବ ରୂପ ନେବ ତାହାର କୌଣସି ସମୟ ସୀମା ଦିଆଯାଇନଥିବା ଗଂଜାମବାସୀଙ୍କ ସନ୍ଦେହ ବଢାଉଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଆସନ୍ତା ୧୨ ତାରିଖରେ ଏକ ବର୍ଷ ପୂର୍ତ୍ତି କରୁଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଅଂଚଳ ଗସ୍ତ କରି ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରୁଛନ୍ତି ଏବଂ ଶିଳାନ୍ୟାସ କରୁଛନ୍ତି । ଗୁରୁବାର ଦିନ ଗଂଜାମ ଜିଲ୍ଲାରେ ହୋଇଥିବା ୨୮ ହଜାର କୋଟି ଟଙ୍କାର ଶିଳାନ୍ୟାସ ଏଥିରେ ଅନ୍ତର୍ଭୁକ୍ତ । ଏହା ପଛରେ ‘ବର୍ଷ ପୂର୍ତ୍ତି ରିପୋର୍ଟ କାର୍ଡକୁ’ ସମୃଦ୍ଧ କରିବା ଉଦ୍ଦେଶ୍ୟ ରହିଛି ନା ସରକାର ବାସ୍ତବରେ କିଛି କାମ କରିବାକୁ ଆଗ୍ରହୀ ତାହା ଆଗକୁ ଜଣାପଡିବ । ନବେ ଦଶକରେ କଂଗ୍ରେସ ସରକାର ଓ ଟାଟା ଷ୍ଟିଲ୍ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ନାଁରେ ଗଂଜାମବାସୀଙ୍କୁ ଭଣ୍ଡାଇ ଥିଲେ । ବିଜେଡିର ୨୪ ବର୍ଷର ଶାସନରେ ଗଂଜାମ ଜିଲ୍ଲା ଶିଳ୍ପ ଦୃଷ୍ଟିରୁ ସଂପୂର୍ଣ୍ଣ ଅବହେଳାର ଶିକାର ହୋଇଥିଲା । ଏବେ, ମୋହନ ମାଝୀଙ୍କ ସରକାର ଗଂଜାମ ଜିଲ୍ଲାରେ ୧୨ଟି ଶିଳ୍ପ ପ୍ରତିଷ୍ଠାର ଶିଳାନ୍ୟାସ କରି ଗଂଜାମବାସୀଙ୍କ ମନରେ ନୂଆ ସ୍ୱପ୍ନ ବୁଣିଛନ୍ତି । ଏସବୁ ଶିଳ୍ପ ବାସ୍ତବ ରୂପ ନେଇ ଚିମିନଗୁଡିକରୁ ଧୂଆଁ ଉଠିଲେ ହିଁ ସରକାରଙ୍କ ପ୍ରତିବଦ୍ଧତା ଜଣାପଡିବ ଓ ଗଂଜାମବାସୀ ସରକାରଙ୍କୁ ବିଶ୍ୱାସକୁ ନେବେ ।
– ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
(ଦୈନିକ ‘ଅନୁପମ ଭାରତ’ ପ୍ରଥମ ପୃଷ୍ଠାରେ ୮ ତାରିଖ ପ୍ରକାଶିତ)
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS