ଗଂଜାମ ରାଜନୀତି: କଂଗ୍ରେସ, ବିଜେଡିର କେହି ସଭାପତି ନାହାନ୍ତି, ବିଜେପିର ଥାଇ ମଧ୍ୟ ନଥିବା ଭଳି !


ପ୍ରସାଦ ରାଓ
ଭୁବନେଶ୍ୱର ଜୁନ ୦୪
ଗଂଜାମ ଜିଲ୍ଲାର ତିନି ପ୍ରମୁଖ ରାଜନୈତିକ ଦଳ ଏବେ ନେତୃତ୍ୱ ସଂକଟ ଦେଇ ଗତି କରୁଛନ୍ତି । ଜିଲ୍ଲା ବିଜେଡି ଓ କଂଗ୍ରେସର କେହି ସଭାପତି ନାହାନ୍ତି । ଦୁଇ ଦଳ ସ୍ଥାଣୁ ଅବସ୍ଥାରେ ଥିବା ବେଳେ ବିଜେପି ଜଣେ ଯୁବ ନେତାଙ୍କୁ ଗଂଜାମ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦେଇଥିଲେ । ତେବେ, ଶାସନରେ ଥିବା ଦଳରେ ଗୋଷ୍ଠୀ ବିବାଦ ଓ ଛକାପଂଝା ସ୍ୱାଭାବିକ । ଗଂଜାମ ଜିଲ୍ଲା ବିଜେପି ସେହି ସଂକଟ ଦେଇ ଗତ କରୁଥିବା ଆଲୋଚନା ହେଉଛି । ଦୀର୍ଘ ବର୍ଷ ଧରି ଜିଲ୍ଲାରେ କଂଗ୍ରେସ ଓ ବିଜେଡିର ରାଜତ୍ୱ ଚାଲିଥିଲା । ଅଶି ଓ ନବେ ଦଶକରେ ଜିଲ୍ଲା କଂଗ୍ରେସ ନେତାଙ୍କ କବ୍ଚାରେ ଥିଲା । ୨୦୦୦ ପରଠାରୁ ଗଂଜାମରେ ବିଜେଡିର ରାଜୁତି ଚାଲିଥିଲା । ୨୦୨୪ ନିର୍ବାଚନରେ ରାଜ୍ୟରେ ବିଜେଡିର ଶୋଚନୀୟ ପରାଜୟ ଓ ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ପରେ ଗଂଜାମ ରାଜନୀତିର ଚିତ୍ର ଓ ଚରିତ୍ର ବଦଳି ଯାଇଛି ।
ଗଂଜାମ ଜିଲ୍ଲାର ୧୩ ବିଧାନସଭା ଆସନରୁ ୧୧ ଆସନରେ ବିଜେପି ବିଧାୟକ ଥିବା ବେଳେ ବିଜେଡି ଓ କଂଗ୍ରେସ ଗୋଟିଏ ଲେଖାଏଁ ଆସନରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଛନ୍ତି । ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ମାତ୍ର ୪ ହଜାର ଭୋଟ ବ୍ୟବଧାନରେ ହିଂଜିଳି ଆସନରୁ ବିଜୟୀ ହୋଇଥିବା ବେଳେ ଗଂଜାମ ଜିଲ୍ଲାର ସାନଖେମୁଣ୍ଡି ଆସନରେ କଂଗ୍ରେସର ବିଜୟ ହୋଇଛି । କଂଗ୍ରେସ ନେତା ରମେଶ ଜେନା ଲଗାତର ନହେଲେ ବି ଦ୍ୱତୀୟ ଥର ପାଇଁ ସାନଖେମୁଣ୍ଡି ବିଧାନସଭା ଆସନରୁ ନିର୍ବାଚିତ ହୋଇ ଜିଲ୍ଲାରେ କଂଗ୍ରେସର ଅସ୍ତିତ୍ୱ ବଂଚାଇ ରଖିଛନ୍ତି । ଜେନା ଦୁଇ ବର୍ଷ ଧରି ଜିଲ୍ଲା କଂଗ୍ରେସ ସଭାପତି ଥିଲେ । ତାଙ୍କ ପରେ ଦଳ ଏଯାବତ କାହାରିକୁ ଜିଲ୍ଲା ସଭାପତି ନିଯୁକ୍ତି ଦେଇନଥିବା ବେଳେ ବିଜେଡି ମଧ୍ୟ ନିର୍ବାଚନ ସରି ପ୍ରାୟ ଏକ ବର୍ଷ ବିତିଲାଣି ଗଂଜାମ ପାଇଁ ଜଣେ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତ ଦେଇପାରି ନାହିଁ।
ବିଜେଡିର ୩୩ଟି ସାଂଗଠନିକ ଜିଲ୍ଲା ମଧ୍ୟରୁ ଗତ ମେ’ ୫ ତାରିଖ ସୁଦ୍ଧା ୨୪ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା ସରିଛି । ଯେଉଁ ୯ଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା ହେବାକୁ ବାକି ରହିଛି ସେଥିରେ ଗଂଜାମ ଜିଲ୍ଲା । ବିଗତ ୨୪ ବର୍ଷ ଧରି ଏହି ଜିଲ୍ଲା ‘ମୁଖ୍ୟମନ୍ତ୍ରୀଙ୍କ ଜିଲା’ ଭାବେ ପରିଚିତ ଥିଲା ଏବଂ ନବୀନଙ୍କ ନାମରେ ଜିଲ୍ଲା ରାଜନୀତି ଚାଲିଥିଲା । ପୂର୍ବତନ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଦୀର୍ଘ ବର୍ଷ ଧରି ଗଂଜାମ ଜିଲ୍ଲାରେ ଦଳର ମଂଗ ଧରିଥିଲେ । ବର୍ତ୍ତମାନର ବିଜେପି ସାଂସଦ (ବ୍ରହ୍ମପୁର) ପ୍ରଦୀପ ପାଣିଗ୍ରାହୀ ମଧ୍ୟ ନବୀନଙ୍କ ଅନୁଗତ ତାଲିକାରେ ଥିବା ସମୟରେ ଗଂଜାମ ଜିଲ୍ଲା ବିଜେଡି ସଭାପତି ଭାବେ ଦାୟିତ୍ୱ ତୁଲାଇ ଥିଲେ । ତେବେ, ବିଭିନ୍ନ କାରଣରୁ ସେ ନବୀନଙ୍କ ଅନୁକଂପା ହରାଇବା ପରେ ଦଳରେ କୋଣଠେସା ହୋଇ ୨୦୨୪ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେବାକୁ ବାଧ୍ୟ ହୋଇଥିଲେ ।
ପ୍ରଦୀପଙ୍କ ପରେ ଦଳ ପୁନର୍ବାର ଚ୍ୟାଉ ପଟ୍ଟନାୟକଙ୍କ ହାତକୁ ଚାଲି ଯାଇଥିଲା । ୨୦୨୪ ନିର୍ବାଚନରେ ଚ୍ୟାଉ ପଟ୍ଟନାୟକଙ୍କ ସମେତ ଦଳର ଅନ୍ୟତମ ଟାଣୁଆ ନେତା ବିକ୍ରମ ପଣ୍ଡା ପରାଜିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଥାଇ ନବୀନ ମାତ୍ର ୪ ହଜାର ଭୋଟ ବ୍ୟବଧାନରେ ହିଂଜିଳି ଆସନରୁ ଜିତିବା ଏବଂ ଗଲା ୨୪ ବର୍ଷ ଧରି ଗଂଜାମ ରାଜନୀତିକୁ ନିୟନ୍ତ୍ରଣ କରି ଆସୁଥିବା ବିଜେଡି ଜିଲ୍ଲାବାସୀଙ୍କ ଦ୍ୱାରା ପ୍ରତ୍ୟାଖାତ ହୋଇ ମାତ୍ର ଗୋଟିଏ ଆସନରେ ସୀମିତ ରହିବା ବିଜେଡି ପାଇଁ ବଡ ଝଟକା ହୋଇଛି । ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାରେ ଥିବା ସମୟରେ ଗଂଜାମ ଜିଲ୍ଲା ପାଇଁ ସମୟ ଦେଉ ନଥିଲେ । ଏବେ କ୍ଷମତାରୁ ଯିବା ପରେ ବର୍ଷେ ପାଖାପାଖି ହେଲା ହିଂଜିଳି ଯିବା ରାସ୍ତା ଭୁଲି ଯାଇଛନ୍ତି । ଗଂଜାମ ଜିଲ୍ଲାରେ ଦଳ ସଂକଟରେ ଥିବା ସମୟରେ ବିଜେଡି ନେତୃତ୍ୱ ଜିଲ୍ଲା ପାଇଁ ଜଣେ ସଭାପତି ନିଯୁକ୍ତ କରିପାରୁ ନାହାନ୍ତି । ନବୀନ ଲଗାତର ନବମ ଥର ପାଇଁ ବିଜେଡି ସଭାପତି ନିର୍ବାଚିତ ହେବା ପୂର୍ବରୁ କେବଳ କୋରମ ପାଇଁ ୧୮ଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଥିଲେ । ରାଜ୍ୟ ସଭାପତି ଭାବେ ନିର୍ବାଚିତ ହେବା ପରେ ସେ ଗତ ମେ’ ୫ ତାରିଖରେ ଦଳର ସାଂଗଠନିକ ପୁନର୍ଗଠନ କରି ରାଜ୍ୟ ସଂଗଠନର ଅନ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିବା ସମୟରେ ବଳକା ୧୫ଟି ଜିଲ୍ଲାରୁ ଛଅଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ତେବେ, ଗଂଜାମ ଜିଲ୍ଲାରେ ସେଥିରେ ନାହିଁ ।
୨୫ ବର୍ଷ ପରେ ନବୀନ ଗଠନ କରିଥିବା ବିଜେଡିର ରାଜନୈତିକ ବ୍ୟାପାର କମିଟିରେ ଗଂଜାମ ଜିଲ୍ଲାର ଏକମାତ୍ର ନେତା ତଥା ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସ୍ଥାନ ପାଇଥିବା ବେଳେ ସାତ ଥରର ବ୍ରହ୍ମପୁର ବିଧାୟକ ତଥା ଗଂଜାମ ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ରାଜ୍ୟ ବିଜେଡି ମତ୍ସ୍ୟଜୀବୀ ସେଲ୍ ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତ ହୋଇ ସନ୍ତୁଷ୍ଟ । ସେ ଦଳର ଗଂଜାମ ଜିଲ୍ଲା ସଭାପତି ଦୌଡରୁ ଏକପ୍ରକାର ବାଦ ପଡିଛନ୍ତି । ସେହିପରି, ନବୀନଙ୍କ ନବଗଠିତ ବିଜେଡି ରାଜ୍ୟ କାର୍ଯ୍ୟକାରୀ କମିଟିରେ ପୂର୍ବତନ ମନ୍ତ୍ରୀ ଉଷା ଦେବୀ, ବିକ୍ରମ କେଶରୀ ଆରୁଖ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ବରିଷ୍ଠ ଉପସଭାପତି, ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ଛାଡି ବିଜେଡିରେ ଯୋଗ ଦେଇ ବ୍ରହ୍ମପୁର ଲୋକସଭା ଆସନରୁ ପରାଜିତ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଦଳର ବରିଷ୍ଠ ସାଧାରଣ ସଂପାଦକ ଓ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଦଳର ଅନ୍ୟତମ ସାଧାରଣ ସଂପାଦକ ନିଯୁକ୍ତ ହୋଇଛନ୍ତି । ଏସବୁ ନିଯୁକ୍ତି ପରେ ଗଂଜାମ ଜିଲ୍ଲା ବିଜେଡି ସଭାପତି ଦୌଡରେ ଥିବା ଏକମାତ୍ର ନେତା ହେଉଛନ୍ତି ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା । ସେ ଜିଲ୍ଲା ସଭାପତି ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଥିବା ବେଳେ ବିଜେଡି ମୁଖିଆ ତାଙ୍କ ନାମ ଘୋଷଣା ନକରି ଝୁଲାଇ ରଖିବା ଅନେକ ସଂଶୟ ସୃଷ୍ଟି କରିଛି ।
ବିକ୍ରମ ଗଂଜାମ ଜିଲ୍ଲା କଂଗ୍ରେସର ଜଣେ ପ୍ରମୁଖ ତଥା ବରିଷ୍ଠ ଯୁବ ନେତା ଥିଲେ । ୨୦୧୯ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ସେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ଚନ୍ଦ୍ରଶେଖର ବିଜେଡି ଟିକଟରେ ବ୍ରହ୍ମପୁର ଲୋକସଭା ଆସନରୁ ଓ ବିକ୍ରମ ବ୍ରହ୍ମପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିଲେ । ଏହି ଦୁଇ ପୂର୍ବ କଂଗ୍ରେସ ନେତା ଦଳ ଛାଡି ବିଜେଡିରେ ଯୋଗଦେବା ପରେ ୨୦୧୯ରୁ ୨୦୨୪ ପାଂଚ ବର୍ଷ ଗଂଜାମ ଜିଲ୍ଲା ବିଜେଡି ଦୁଇଟି ଶିବିରରେ ବିଭାଜିତ ହୋଇ ରହିଛି – ମୂଳ ବିଜେଡି ଓ କଂଗ୍ରେସ-ବିଜେଡି । ଦୁଇ ଗୋଷ୍ଠୀ ମଧ୍ୟରେ ନେତୃତ୍ୱକୁ ନେଇ ଛକାପଂଝା ଜାରି ରହିଛି । ତେବେ, ୨୦୨୪ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଚନ୍ଦ୍ରଶେଖର ଓ ବିକ୍ରମଙ୍କ ଗୋଷ୍ଠୀ ରାଜ୍ୟ ବିଜେଡି ସଂଗଠନରେ ସକ୍ରିୟ ଥିବା ସମୟରେ ଗଂଜାମ ଜିଲ୍ଲାର ମୂଳ ବିଜେଡି ନେତମାନେ ଏକପ୍ରକାର ଶୁପ୍ତ ଅବସ୍ଥାରେ ଥିବା ଆଲୋଚନା ହେଉଛି ।
ପୂର୍ବତନ ବିଧାୟକ ରମେଶ ଚ୍ୟାଉ ପଟ୍ଟନାୟକ ଗଂଜାମ ଜିଲ୍ଲା ବିଜେଡି ସଭାପତି ଦୌଡରେ ଥାଇ ବିଜେଡି ମତ୍ସ୍ୟଜୀବୀ ସେଲ୍ ର ରାଜ୍ୟ ବରିଷ୍ଠ ଉପସଭାପତି ଭାବେ ବିଜେଡି ମୁଖିଆଙ୍କ ଦ୍ୱାରା ନିଯୁକ୍ତ ହେବା ପରେ ଜିଲ୍ଲା ସଭାପତି ଦୌଡରେ ନଥିବା କହୁଛନ୍ତି । ଚ୍ୟାଉ ବାବୁ କହୁଛନ୍ତି- ସେ ଏବେ ବିଜେଡି ଜିଲ୍ଲା ସଭାପତି ଦୌଡରେ ନାହାନ୍ତି । ଜିଲ୍ଲା ସଭାପତି ପଦ ପାଇଁ ବିକ୍ରମଙ୍କୁ ସେ ପୂର୍ଣ୍ଣ ସମର୍ଥନ କରୁଛନ୍ତି । ବିକ୍ରମଙ୍କ ନାମ ଘୋଷଣା କରିବାରେ ବିଳମ୍ବ କାହିଁକି (?) ବୋଲି ପ୍ରଶ୍ନର ଉତ୍ ତର ଦେବାକୁ ଯାଇ ଚ୍ୟାଉ ବାବୁ କହିଛନ୍ତି, ରାଜ୍ୟର ଆଉ ନଅଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା ବାକି ରହିଛି । ବିଜେଡି ସୁପ୍ରିମୋ ଅତିଶୀଘ୍ର ନୂଆ ସଭାପତିଙ୍କ ନାମ ଘୋଷଣା କରିବେ । ଗଂଜାମ ଜିଲ୍ଲା ବିଜେଡି ସଭାପତିଙ୍କ ନାମ ଘୋଷଣା ହେବ । ତେବେ, ଦଳର ଜିଲ୍ଲା ସଭାପତିଙ୍କ ନାମ ଘୋଷଣାରେ ବିଳମ୍ବ ହେବା ଦ୍ୱାରା ଦଳରେ ଅସ୍ଥିରତା ବଢୁ ନାହିଁ କି (?) ବୋଲି ପ୍ରଶ୍ନ ହେଲେ ଦଳରେ କିଛି ସମସ୍ୟା ନାହିଁ କହି ସେ ଏହି ପ୍ରଶ୍ନକୁ ଟାଳି ଦେଇଛନ୍ତି ।
କେବଳ ବିଜେଡି ନୁହେଁ, କଂଗ୍ରେସରେ ମଧ୍ୟ କେହି ଜିଲ୍ଲା ସଭାପତି ନାହାନ୍ତି । ଫଳରେ,ଦଳରେ ଛକାପଂଝା ବଢିଛି । ଜିଲ୍ଲା ସଭାପତି ପଦ ସକାଶେ ଦଳର ବରିଷ୍ଠ ନେତା ଦୀପକ ପଟ୍ଟନାୟକ ଓ ରଶ୍ମୀ ରଂଜନ ପଟ୍ଟନାୟକଙ୍କ ମଧ୍ୟରେ ଛକାପଂଝା ଚାଲିଥିବା ରାଜନେଅତିକ ବିଶ୍ଲେଷକ ମହଲରେ ଆଲୋଚନା ହେଉଛି । ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଦୀପକଙ୍କୁ ସମର୍ଥନ କରୁଥିବା ବେଳେ ରଶ୍ମୀ ରଂଜନ ରାଜ୍ୟ ବାହାରେ ଥାଇ ଗଂଜାମ କଂଗ୍ରେସ ନେତୃତ୍ୱକୁ ନିଜ ନିୟନ୍ତ୍ରଣ ନେବାକୁ ଉଦ୍ୟମ କରୁଥିବା କୁହାଯାଉଛି । ଅନ୍ୟପକ୍ଷରେ, ଗଂଜାମ ଜିଲ୍ଲାର ୧୩ ବିଧାନସଭା ଆସନରୁ ୧୧ଟିରେ ବିଜେପି ବିଧାୟକ ଥାଇ ମଧ୍ୟ ଜିଲ୍ଲାରେ ବିଜେପି ସଂଗଠନ ଯେଭଳି ସୁଦୃଢ ହେବା କଥା ହୋଇପାରୁନାହିଁ ବୋଲି ଜିଲ୍ଲାର ରାଜନୈତିକ ବିଶ୍ଲେଷକମାନେ କହୁଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଓ ରାଜ୍ୟ ଖଣି ଏବଂ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ମଧ୍ୟରେ ଯେଉଁ ଗୋଷ୍ଠୀ ବିବାଦ ଓ ରାଜନୈତିକ ଛକାପଂଝା ଚାଲିଛି ତାହା ଗଂଜାମ ବିଜେପି ରାଜନୀତିକୁ ଅସ୍ଥିର କରି ରଖିଛି । ଏହି ଦୁଇ ନେତା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଏକାଠି ଦିଶୁଥିଲେ ମଧ୍ୟ ଆନ୍ତରିକ ଭାବେ ଏକାଠି ନାହାନ୍ତି । ତେଣୁ, ଦଳର ସଂଗଠନ ସୁଦୃଢ ହୋଇପାରୁନି ।
ନିକଟରେ ରାଜ୍ୟ ବିଜେପି ନେତୃତ୍ୱ ଦଳର ଯୁବ ନେତା ସରୋଜ ସାବତଙ୍କୁ ଗଂଜାମ ଜିଲ୍ଲା ବିଜେପି ସଭାପତି ଭାବେ ନିଯୁକ୍ତି ଦେଇଥିଲେ । ଜଣେ ଯୁବକ ଦଳର ଦାୟିତ୍ୱ ନେଲେ ଦଳ ସୁଦୃଢ ହେବ ଏବଂ ଆଗକୁ ବଢିବ ବୋଲି ସମସ୍ତଙ୍କ ଆଶା ଥିଲା । ତେବେ, ବ୍ରହ୍ମପୁର ସାଂସଦ ପାଣିଗ୍ରାହୀ ଓ ରାଜ୍ୟ ପରିବହନ ମନ୍ତ୍ରୀ ଜେନାଙ୍କ ମଧ୍ୟରେ ତୀକ୍ତତା ଦଳର ଜିଲ୍ଲା ସଭାପତି ସାବତଙ୍କୁ ଅନେକ ସମୟରେ ଅଡୁଆରେ ପକାଉ ଥିବା ଆଲୋଚନା ହେଉଛି । ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାରଙ୍କ ସହଯୋଗରେ ସେ ଦଳକୁ ଚଳାଇବାକୁ ଉଦ୍ୟମ କରୁଥିଲେ ମଧ୍ୟ ଦଳରେ ଚାଲିଥିବା ଛକାପଂଝା ଯୋଗୁଁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରୁ ମଧ୍ୟ ଦୂରେଇ ରହୁଥିବା କୁହାଯାଉଛି । ଏସବୁ ସତ୍ତ୍ୱେ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିବାରୁ ଡବଲ ଇଂଜିନ ସରକାରରେ ଗଂଜାମ ଜିଲ୍ଳାର ବିକାଶ ହେବ ବୋଲି ଜିଲ୍ଲାବାସୀ ଆଶାବାଦୀ । ଜିଲ୍ଲାରେ ବିଜେପି ସଂଗଠନ ଆଭ୍ୟନ୍ତରୀଣ ସଂକଟ ଦେଇ ଗତି କରୁଥିବା ବେଳେ ଏଯାବତ୍ ବିଜେଡି ଓ କଂଗ୍ରେସ ସେମାନଙ୍କ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରି ନ ଥିବାରୁ ରାଜନୀତି ସ୍ଥାଣୁ ଅବସ୍ଥାରେ ରହିଛି । ଦୁଇ ବିରୋଧୀ ଦଳ ସେମାନଙ୍କ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିବା ପରେ ତିନି ଦଳର ରାଜନୀତି କଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS