ଭୁବନେଶ୍ୱର ସମାବେଶରେ କଂଗ୍ରେସ ନେତା ଦୀପେନ୍ଦ୍ର ହୁଡ୍ଡା ଯାହା କହିଲେ…


ପ୍ରସାଦ ରାଓ
ଭୁବନେଶ୍ୱର ମେ’ ୩୦
ଏପ୍ରିଲ ୨୨ ତାରିଖରେ ଜମ୍ମୁ-କଶ୍ମୀରର ପହଲଗାମ ନିକଟରେ ପାକ୍ ପ୍ରୟୋଜିତ ଆତଙ୍କବାଦୀଙ୍କ ଗୁଳିମାଡରେ ୨୫ ଜଣ ଜଣ ଭାରତୀୟ ପର୍ଯ୍ୟଟକଙ୍କ ସମେତ ମୋଟ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ସମଗ୍ର ଦେଶକୁ ଆକ୍ରୋଶରେ ଭରି ଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ ନିର୍ଦେଶରେ ପାକିସ୍ତାନ ବିରୋଧରେ ଭାରତୀୟ ସେନା ପକ୍ଷରୁ ‘ଅପରେସନ ସିନ୍ଦୂର’ ନାମରେ ପାକିସ୍ତାନ ବିରୋଧରେ ଯେଉଁ ସେନା କାର୍ଯ୍ୟାନୁଷ୍ଠାନ ଚାଲିଛି ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ତାହାକୁ ଆରମ୍ଭରୁ ସମର୍ଥନ କରୁଥିବା ଘୋଷଣା କରିଛି । ଦଳ ଦୃଢ ଭାବେ ସରକାର ଓ ଭାରତୀୟ ସେନା ପଛରେ ଠିଆ ରହିଛି ବୋଲି କଂଗ୍ରେସ ଦଳର ପ୍ରମୁଖ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ‘ଅପରେସନ ସିନ୍ଦୂର’ ଆରମ୍ଭରୁ ସ୍ପଷ୍ଟ କରିଛନ୍ତି । ଭାରତୀୟ ବାୟୁ ସେନାର ଅତର୍କିତ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନରୁ ପରିଚାଳିତ ହେଉଥିବା ଅନ୍ୟୁନ ନଅଟି ଗୁରୁତ୍ୱପୂର୍ଣ୍ଣ ଆତଙ୍କବାଦୀ ଆଡ୍ଡା ଧ୍ୱଂସ ହୋଇଛି । ପାକିସ୍ତାନର ପାଲଟା ଆକ୍ରମଣର ଜବାବ ଦେବାକୁ ଯାଇ ଭାରତୀୟ ବାୟୁ ସେନା ଲାହୋର ପର୍ଯ୍ୟନ୍ତ ମାଡି ଯାଇ ପାକିସ୍ତାନ ସେନାରେ ବ୍ୟାପକ କ୍ଷୟକ୍ଷତି କରିଛି । ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ନିର୍ଣ୍ଣାୟକ ମୋଡରେ ଥିବା ସମୟରେ ଭାରତବାସୀ ପାକିସ୍ତାନ ଧୂଳି ଚାଟିବା ଅପେକ୍ଷାରେ ଥିଲେ । ତେବେ, ଭାରତ ଅଧିପନ୍ତୁରିଆ ଭାବେ ଯୁଦ୍ଧ ବିରତି ଘୋଷଣା କଲା । ତାହା ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପଙ୍କ ଚାପରେ । ଯୁଦ୍ଧ ବିରତି ଘୋଷଣା ନକଲେ ଆମେରିକା ଭାରତ ଓ ପାକିସ୍ତାନ ସହ ବ୍ୟବସାୟିକ ସଂପର୍କକୁ ଛିନ୍ନ କରିବ ବୋଲି ଆମେରିକା ରାଷ୍ଟ୍ରପତି ଟ୍ରଂପ୍ ଦୁଇ ଦେଶର ନେତୃତ୍ୱକୁ ଚେତାବନୀ ଦେବାରୁ ପାକିସ୍ତାନ ବିରୋଧରେ ଚାଲିଥିବା ଏକ ନିର୍ଣ୍ଣାୟକ ଯୁଦ୍ଧରୁ ଭାରତ ଅଧାପନ୍ତୁରିଆ ଭାବେ ଓହରି ଆସି ସାମୟିକ ଯୁଦ୍ଧ ବିରତି ଘୋଷଣା କରିଛି । ରାଷ୍ଟ୍ରପତି ଟ୍ରଂପ ଏଭଳି ଚେତାବନୀ ଦେଇ ଦୁଇ ଦେଶ ମଧ୍ୟରେ ସମ୍ଭାବ୍ୟ ଏକ ଆଣବିକ ଯୁଦ୍ଧକୁ ଏଡାଇବାରେ ସଫଳ ହୋଇଛନ୍ତି ବୋଲି ଥରେ ନୁହେଁ, ଆଠ ଥର ସାମାଜିକ ଗଣମାଧ୍ୟମରେ ବୟାନ ଦେଇ ଯୁଦ୍ଧ ବିରତିର ଶ୍ରେୟ ନେଉଛନ୍ତି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଆମେରିକା ରାଷ୍ଟ୍ରପତି ଟ୍ରଂପଙ୍କ ବୟାନକୁ ଖଣ୍ଡନ କରିବା ଦୂରେ ଥାଉ, ନିରବ ରହୁଥିବା ଏକ ବିଭ୍ରାନ୍ତିର ବାତାବରଣ ସୃଷ୍ଟି କରିଛି । କଂଗ୍ରେସ ସର୍ବଦା ଭାରତୀୟ ସେନାର ଦକ୍ଷତା ଓ ସୌର୍ଜ୍ୟକୁ ସମ୍ମାନ ଦେଇ ଆସିଛି ।
‘ଅପରେସନ ସିନ୍ଦୂର’ରେ ଦଳ ସରକାରଙ୍କ ସହିତ ରହିଛି ଏବଂ ପାକିସ୍ତାନ ଏକ ‘ଆତଙ୍କବାଦୀ ରାଷ୍ଟ୍ର’ ବୋଲି ସମଗ୍ର ବିଶ୍ୱକୁ ଅବଗତ କରାଇବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଯେଉଁ ସର୍ବଦଳୀୟ ପ୍ରତିନିଧି ଦଳ ବିଭିନ୍ନ ରାଷ୍ଟ୍ରଙ୍କୁ ଯାଇଛନ୍ତି ସେଥିରେ କଂଗ୍ରେସ ସାମିଲ ଅଛନ୍ତି । ତେବେ, ‘ଅପରେସନ ସିନ୍ଦୂର’କୁ ଭାରତ ସରକାର ଅଚାନକ ସ୍ଥଗିତ ରଖିବା ଏବଂ ଆମେରିକା ରାଷ୍ଟ୍ରପତି ଟଂପ ଏକାଧିକ ଥର ବୟାନ ମାଧ୍ୟମରେ ଯୁଦ୍ଧ ବିରତିର ଶ୍ରେୟ ନେବାକୁ ଉଦ୍ୟମ କରିବା ପଛରେ କଣ ଭିତିରି ରହସ୍ୟ ରହିଛି ତାହା ଦେଶବାସୀ ଜାଣିବାକୁ ଚାହୁଁଛନ୍ତି । ଏହି ପ୍ରସଙ୍ଗରେ ସଂସଦରେ ଆଲୋଚନା ହେବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚାହୁଁଛନ୍ତି ଓ ତୁରନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକିବାକୁ ସରକାରଙ୍କ ନିକଟରେ ଦାବି କରୁଛନ୍ତି । କେନ୍ଦ୍ର ସରକାର ଏହି ଦାବି ଗ୍ରହଣ କରିବା ପରିବର୍ତ୍ତେ ଭାରତୀୟ ସେନାର ଅତୁଳନୀୟ ସୌର୍ଯ୍ୟ ‘ଅପରେସନ ସିନ୍ଦୂର’କୁ ନେଇ ରାଜନୀତି କରିବା ଓ ସେଥିରୁ ରାଜନୈତିକ ଫାଇଦା ଉଠାଇବାକୁ ଉଦ୍ୟମ କରିବା କ୍ଷୋଭର ବିଷୟ । ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକି ‘ଅପରେସନ ସିନ୍ଦୂର’ ଉପରେ ଆଲୋଚନା କରିବାକୁ ସାଂସଦମାନଙ୍କୁ ସୁଯୋଗ ଦେଲେ ଜନସାଧାରଣରେ ରହିଥିବା ସନ୍ଦେହ ଦୂର ହୋଇପାରିବ । କଂଗ୍ରେସ ଦଳ ତାହା ଚାହୁଁଛୁ । ତେଣୁ, ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯାଉ ବୋଲି ଦାବି କରୁଛି । ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦୀପେନ୍ଦ୍ର ସିଂହ ହୁଡ୍ଡା । ଗତକାଲି ଏଠାରେ ଓଡ଼ିଶା ପାଇଁ ନିଯୁକ୍ତ ଏଆଇସିସି ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କ ଉପସ୍ଥିତିରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ମୁଖ୍ୟାଳୟ ‘କଂଗ୍ରେସ ଭବନ’ ନିକଟରେ ଆୟୋଜିତ ‘ଜୟ ହିନ୍ଦ୍, ଜୟ ସେନା’ ସମାବେଶରେ ହୁଡ୍ଡା ଏହା କହିଛନ୍ତି । ସମାବେଶରେ କଂଗ୍ରେସ ନେତାମାନେ ଅପରେସନ ସିନ୍ଦୂରର ସଫଳତାର ଶ୍ରେୟ ଭାରତୀୟ ସେନାକୁ ଦେବା ସହ କିଛି ଅବସରପ୍ରାପ୍ତ ସେନାନୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବରିଷ୍ଠ କଂଗ୍ରେସର ନେତା ହୁଡ୍ଡା ଅତିଥି ଭାବେ ଯୋଗ ଦେଇ କଂଗ୍ରେସ କେଉଁ ପରିସ୍ଥିତିରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯିବା ଚାହୁଁଛି ତାହା ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ପହଲଗାମ ଗୁଳିକାଣ୍ଡରେ ନିରୀହ ପର୍ଯ୍ୟଟକ ମରିଥିବା ଘଟଣାକୁ ଭାରତ ସରକାର ଗମ୍ଭୀରତାର ସହ ନେଇ ଭାରତୀୟ ସେନାକୁ ପାକିସ୍ତାନ ପ୍ରୟୋଜିତ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ ।
‘ଅପରେସନ ସିନ୍ଦୂର’ ସଫଳ ହେବା ମଧ୍ୟ ସ୍ୱାଗତଯୋଗ୍ୟ । ଦେଶର ତିନି ସେନା ଏହାର ଶ୍ରେୟ ନେବାର ହକଦାର । ତେବେ, କେନ୍ଦ୍ର ସରକାର ଏହି ସେନା କାର୍ଯ୍ୟାନୁଷ୍ଠାନର ରାଜନୀତିକରଣ କରି ଯେଭଳି ଢଙ୍ଗରେ ସଭା ସମିତିରେ ଉପସ୍ଥାପନ କରୁଛନ୍ତି ଏବଂ ସେଥିରୁ ଦଳୀୟ ଫାଇଦା ନେବାକୁ ଉଦ୍ୟମ କରୁଛନ୍ତି, ଯୁଦ୍ଧ ବିରତିକୁ ନେଇ ପ୍ରଶ୍ନ ଉଠାଉଥିବା ବିରୋଧୀଙ୍କୁ ଯେଭଳି ଭାବେ ଟାର୍ଗେଟ କରୁଛନ୍ତି ତାହା ଗ୍ରହଣୀୟ ନୁହେଁ ବୋଲି ଏହି ସମାବେଶରେ ହୁଡ୍ଡାଙ୍କ ସମେତ ପ୍ରାୟ ସବୁ କଂଗ୍ରେସ ନେତା ମତବ୍ୟକ୍ତ କରିଥିଲେ । ଦେଶର ଯବାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ କଂଗ୍ରେସ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ଏଭଳି ୧୫ଟି ସମାବେଶ ଆୟୋଜନ କଲାଣି ବୋଲି କଂଗ୍ରେସ ନେତା ହୁଡ୍ଡା ସଭାରେ କହିଥିଲେ । ଅଧାପନ୍ତୁରିଆ ଭାବେ ପାକିସ୍ତାନ-ବିରୋଧୀ ସାମରିକ କାର୍ଯ୍ୟାନୁଷ୍ଠାନ ଭାରତ ସରକାର ସ୍ଥଗିତ ରଖିବାକୁ ନେଇ ବିରୋଧୀ ଯଦି କିଛି ପ୍ରଶ୍ନ କରୁଛନ୍ତି ସେମାନଙ୍କୁ ‘ଦେଶ ବିରୋଧୀ’ କହି ସମାଲୋଚନା କରାଯାଉଛି । ଅନ୍ୟପକ୍ଷରେ, ବିଜେପି ନେତାମାନେ ଭାରତୀୟ ବିଦେଶ ସଚିବଙ୍କଠାରୁ ଆରମ୍ଭ କରି ସେନାର ମହିଳା ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଟ୍ରୋଲ୍ କରୁଥିବା ବେଳେ ସରକାର ନିରବ ରହୁଛନ୍ତି । ଏହା ସରକାରଙ୍କ ଦୋମୁହାଁ ନୀତି ବୋଲି କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି । ଗତକାଲିର ସମାବେଶରେ ରାଜ୍ୟର ଅଧିକାଂଶ କଂଗ୍ରେସ ନେତାଙ୍କ ସମେତ ବିଭିନ୍ନ ଅଂଚଳରୁ ଆସିଥିବା ଶହ ଶହ କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇଥିଲେ । ଓଡ଼ିଶା କଂଗ୍ରେସର ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ରାଜ୍ୟ ବିଧାନସଭାରେ କଂଗ୍ରେସ ବିଧାୟକ ଦେଳ ନେତା ରାମଚନ୍ଦ୍ର କାଡାମ, ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ବିଧାୟକ ରମେଶ ଜେନାଙ୍କ ସମେତ ବହୁ କଂଗ୍ରେସ ନେତାଙ୍କ ଉପସ୍ଥିତି ସମାବେଶକୁ ସଫଳ କରିବାରେ ସହାୟକ ହୋଇଥିଲା ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS