ମୋହନ ସରକାରଙ୍କ ବର୍ଷ ପୂତ୍ତିର ଅବଗଣନା… ‘ସୁଭଦ୍ରା’ ଯୋଜନା ଅଢେଇ କୋଟି ମହିଳାଙ୍କ ଆଶା ଥିଲା, ପାଇଲେ କୋଟିଏ !


ପ୍ରସାଦ ରାଓ
ଭୁବନେଶ୍ୱର ମେ’ ୨୮
ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ହେବା ପରେ ସରକାରଙ୍କ ‘ଫ୍ଲାଗ୍ ସିପ୍’ ଯୋଜନା ହୋଇଛି ‘ସୁଭଦ୍ରା’ । ସରକାର ଏହି ଯୋଜନାକୁ ସଫଳତାର ମାପକାଠି ଦର୍ଶାଇ ବ୍ୟାପକ ପ୍ରଚାର ପ୍ରସାର କରୁଛନ୍ତି । ରାଜ୍ୟର ପ୍ରାୟ ଅଢେଇ କୋଟି ମହିଳାଙ୍କ ମଧ୍ୟରୁ କୋଟିଏରୁ ଅଧିକ ମହିଳାଙ୍କୁ ଏହି ଯୋଜନାରେ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି । ସେମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଲଖ ପ୍ରୋତ୍ସାହନ ରାଶି ପଠା ଯାଉଛି । ତେଣୁ, ପ୍ରଚାର ଜୋରଦାର ହେବା ସ୍ୱାଭାବିକ । ୨୦୨୪ ମେ’-ଜୁନରେ ହୋଇଥିବା ସାଧାରଣ ନିର୍ବାଚନରେ ରାଜ୍ୟର ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପିର ଏହା ଥିଲା ‘ଥୋପ’ । ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ହେଲେ ସବୁ ମହିଳାଙ୍କୁ ‘ସୁଭଦ୍ରା’ ଯୋଜନାରେ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ମିଳିବ ଓ ତାହା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଯିବ ବୋଲି ବିଜେପି ନେତୃତ୍ୱ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଦଳର ସମସ୍ତ ବରିଷ୍ଠ ନେତା ‘ସୁଭଦ୍ରା’ ଯୋଜନାର ମାର୍କେଟିଂ କରିଥିଲେ । ରାଜ୍ୟର ସମସ୍ତ ମହିଳା ଭୋଟରଙ୍କୁ ଦଳ ସପକ୍ଷରେ ଆକର୍ଷିତ କରିବା ଏହି ଯୋଜନାର ଉଦ୍ଦେଶ୍ୟ ଥିଲା । ରାଜ୍ୟରେ ବିଜେପିର ସରକାର ଆସିଲେ ସେମାନଙ୍କ ବ୍ୟାଙ୍କ ଖାତାକୁ ଏକଠି ୫୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଆସିବ ଏବଂ ସେହି ଅର୍ଥରେ ସେମାନେ ନିଜର କିଛି ବ୍ୟବସାୟ କରି ରୋଜଗାରକ୍ଷମ ହେବେ ବୋଲି ସେମାନେ ଆଶା ରଖିଥିଲେ । ୨୦୨୪ ଜୁନରେ ଓଡ଼ିଶାରେ ବିଜେପି ସରକାର ପ୍ରତିଷ୍ଠା ହେଲା । ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ନୂଆ ସରକାର ଶପଥ ନେଲେ । ତେବେ, ‘ସୁଭଦ୍ରା’ ଯୋଜନାକୁ ନେଇ ରାଜ୍ୟର ପ୍ରାୟ ଅଡେଇ କୋଟି ମହିଳା ଯେଉଁ ସ୍ୱପ୍ନ ଦେଖୁଥିଲେ ତାହା ଭଂଗ ହୋଇଛି । ୨୦୨୪ ସେପ୍ଟେମ୍ବର ୧୭ରେ ଏହି ଯୋଜନାର ଯେଉଁ ରୂପରେଖ ସାମ୍ନାକୁ ଆସିଲା ତାହା କୋଟିଏରୁ ଅଧିକ ମହିଳାଙ୍କ ସ୍ୱପ୍ନକୁ ଚୁରମାର କରି ଦେଇଛି । ରାଜ୍ୟର ଅଧାରୁ ଅଧିକ ମହିଳା ଠକାମୀର ଶିକାର ହୋଇଥିବା ଅନୁଭବ କରୁଛନ୍ତି । ସରକାର ନିର୍ବାଚନ ପ୍ରତିଶ୍ରୁତିରେ ସୁଭଦ୍ରା ଯୋଜନା ପାଇଁ କୌଣସି ବୟସସୀମା ଦର୍ଶାଇ ନଥିଲେ ମଧ୍ୟ କ୍ଷମତାକୁ ଆସିବା ପରେ କେବଳ ୨୧ରୁ ୬୦ ବର୍ଷ ବୟସର ମହିଳା ଏହି ଯୋଜନା ଅର୍ନ୍ତଭୁକ୍ତ ହୋଇପାରିବେ ବୋଲି ନିୟମାବଳୀ ପ୍ରସ୍ତୁତ କଲେ । ତାହା ସହ ଆବେଦନକାରୀ ମହିଳାମାନେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ନଥିବେ, ଆୟକରଦାତା ହୋଇନଥିବେ ଏବଂ ସରକାରଙ୍କ ଅନ୍ୟ କୌଣସି ଆର୍ଥିକ ପ୍ର୍ରୋତ୍ସାହନ ଯୋଜନାରେ ୧୫୦୦ ଟଙ୍କାରୁ ଅଧିକ ପ୍ରୋତ୍ସାହନ ରାଶି ପାଉନଥିବେ ବୋଲି ସରକାର ଯେଉଁ ନିୟମାବଳୀ ପ୍ରସ୍ତୁତ କଲେ ସେଥିରେ କୋଟିଏରୁ ଅଧିକ ମହିଳା ଆପେ ଆପେ ଯୋଜନାରୁ ବାଦ୍ ପଡିଲେ । ଯେଉଁମାନେ ଏହି ଯୋଜନାରେ ଅର୍ନ୍ତଭୁକ୍ତ ହେବାର ସୁଯୋଗ ପାଇଲେ ସେମାନଙ୍କୁ କୁହାଗଲା ବ୍ୟାଙ୍କ ଆକାଉଂଟ ସହ ଆଧାର ସଂଯୋଗ କରିବାକୁ ପଡିବ ଓ ଆବେଦନପତ୍ର ସହ କେୱାଇସି (ନୋ ୟୁଅର କଷ୍ଟମର) ଦାଖଲ କରିବାକୁ ପଡିବ । ନିଜକୁ ଯୋଗ୍ୟ ବିବେଚିତ କରୁଥିବା ମହିଳାମାନେ ବ୍ୟାଙ୍କ ଆକାଉଂଟ ସହ ଆଧାରକୁ ସଂଯୋଗ କରିବା ଏବଂ କେୱାଇସି ଦାଖଲ ପାଇଁ ବ୍ୟାଙ୍କରୁ ଜନସେବା କେନ୍ଦ୍ର ପର୍ଯ୍ୟନ୍ତ ଅସମ୍ଭବ ଭିଡ କଲେ । ବ୍ୟାଙ୍କଗୁଡିକରେ ଅନ୍ୟ ସମସ୍ତ କାର୍ଯ୍ୟ ଏକପ୍ରକାର ଠପ୍ ହୋଇ ଯାଇଥିଲା । ଅନେକ ଯୋଗ୍ୟ ହିତାଧିକାରୀ କେୱାଇସି ସର୍ତ୍ତ ପୂରଣ କରିବାରେ ଅସୁବିଧାର ସମ୍ମୁଖୀନ ହୋଇ ଏପର୍ଯ୍ୟନ୍ତ ‘ସୁଭଦ୍ରା’ ରାଶି ପାଇ ନାହାନ୍ତି । ସେମାନେ ବ୍ୟାଙ୍କ ଓ ଜନସେବା କେନ୍ଦ୍ରକୁ ଧାଉଁଥିବା ଦେଖିବାକୁ ମିଳୁଛି । ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସମସ୍ୟା ସଂପର୍କରେ ଅବଗତ ଥିବା କହୁଛନ୍ତି । ସଂପୃକ୍ତ ମହିଳାମାନେ ଆବେଦନପତ୍ର ଦାଖଲ କରିବା ସମୟରେ କିଛି ତୃଟି ରହି ଥିବାରୁ ସେମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଇ ପାରୁନି । ତେବେ, ତୃଟି ସୁଧାରିବା ପାଇଁ କୌଣସି ସମୟ ସୀମା ନଥିବାରୁ ସେମାନେ ତୃଟି ସୁଧାରି ଆବେଦନ କଲେ ଟଙ୍କା ମିଳି ଯିବ ବୋଲି ମନ୍ତ୍ରୀ କହୁଛନ୍ତି । ବିଜେପି ପ୍ରଥମେ ରାଜ୍ୟର ସମସ୍ତ ମହିଳାଙ୍କୁ ‘ସୁଭଦ୍ରା’ ଯୋଜନାରେ ଏକାଠି ୫୦ ହଜାର ଟଙ୍କା ମିଳିବ ବୋଲି ଘୋଷଣା କରିଥିଲା । ସରକାରକୁ ଆସିବା ପରେ ବୟସ ସୀମା ଓ ସର୍ତ୍ତାବଳୀ ଧାର୍ଯ୍ୟ କଲା । ଯୋଗ୍ୟ ବିବେଚିତ ମହିଳାଙ୍କୁ ଏକାଠି ୫୦ ହଜାର ଟଙ୍କା ମିଳିବ ବୋଲି ଯେଉଁ ଘୋଷଣା କରିଥିଲା ତାହାକୁ ଗିଳି ଦେଇ ପାଂଚ ବର୍ଷରେ ପାଂଚଟି କିସ୍ତିରେ ୫୦ ହଜାର ଟଙ୍କା ମିଳିବ ବୋଲି କହିଲା । ବର୍ଷକୁ ଯେଉଁ ୧୦ ହଜାର ଟଙ୍କା ମିଳିବ ତାହା ମଧ୍ୟ ପାଂଚ ହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ ସେମାନଙ୍କ ବ୍ୟାଙ୍କ ଖାତାକୁ ଯିବ ବୋଲି ସରକାର କହିଲେ । କୋଟିଏରୁ ଅଧିକ ମହିଳା ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସେମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ମଧ୍ୟ ପଠା ଯାଉଛି । ତେବେ, ଛଅ ମାସରେ ଥରେ ପାଂଚ ହଜାର ଟଙ୍କା ବ୍ୟାଙ୍କ ଖାତାକୁ ଗଲେ ମାସକୁ ହାରାହାରି ୮୩୩ ଟଙ୍କା ପଡୁଛି । ଏଥିରେ ହିତାଧିକାରୀ ମହିଳାମାନେ କି ବ୍ୟବସାୟ କରିବେ ଓ କେମିତି ଆର୍ଥିକ ସ୍ୱଚ୍ଛଳ ହେବେ (?) ବୋଲି ସଚେତନ ନାଗରିକମାନେ ପ୍ରଶ୍ନ କରୁଛନ୍ତି । ତେବେ, ଓଡ଼ିଶା ସରକାର ‘ସୁଭଦ୍ରା’ ଯୋଜନାକୁ ବଡ ସଫଳତା କହି ନିଜ ଢୋଲ ନିଜେ ପିଟୁଛନ୍ତି । ଅନ୍ୟପକ୍ଷରେ, ଯେଉଁ କୋଟିଏରୁ ଅଧିକ ମହିଳା ୨୧ ବର୍ଷରୁ କମ୍ ଓ ୬୦ ବର୍ଷରୁ ଅଧିକ ଥାଇ ଆରମ୍ଭରୁ ‘ସୁଭଦ୍ରା’ ଯୋଜନାରୁ ବାଦ୍ ପଡି ଯାଇଛନ୍ତି ସେମାନେ ବିଜେପି ସରକାରଙ୍କ ନିର୍ବାଚନ ପ୍ରତିଶ୍ରୁତି ‘ଡାହା ମିଛ’ ଥିଲା କହି ସରକାରଙ୍କୁ ସମାଲୋଚନା କରୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ‘ସୁଭଦ୍ରା’ ଯୋଜନାର ପାଂଚ ବର୍ଷର ବ୍ୟୟ ଅଟକଳ ୫୫, ୮୨୫ କୋଟି ଟଙ୍କା ରଖିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷ ବଜେଟରେ ୧୦,୧୪୫ କୋଟି ଟଙ୍କା ବ୍ୟୟବରାଦ ରହିଛି । ଏହି ଯୋଜନାରେ ରାଜ୍ୟର ମହିଳାମାନେ ବାଣିଜ୍ୟ ବ୍ୟବସାୟ କରି ସ୍ୱବଳମ୍ବୀ ହେବେ ଏବଂ ଆଗାମୀ ପାଂଚ ବର୍ଷରେ ଓଡ଼ିଶା ଅର୍ଥନୀତିକୁ ଗତିଶୀଳ କରିବାରେ ସହାୟକ ହେବ ବୋଲି ସରକାର କହୁଥିବା ବେଳେ ବାସ୍ତବିକତା କଣ ତାହା ଜଣେ ଅନୁଭବ କରିପାରୁଥିବ । ‘ସୁଭଦ୍ରା’ ଯୋଜନା ୨୦୨୪ ନିର୍ବାଚନରେ ବିଜେପି ପାଇଁ ‘ଗେମ୍ ଚେଂଜର୍’ ହେଲା ସତ, କିନ୍ତୁ ରାଜ୍ୟରେ ମହିଳା ଉଦ୍ୟୋଗୀ ସୃଷ୍ଟି କରିବାରେ ଏହି ଯୋଜନା କେତେ ସଫଳ ହେବ, ତାହା ବଡ ପ୍ରଶ୍ନ ହୋଇଛି । ପୂର୍ବ ସରକାର ରାଜ୍ୟରେ ‘ମିଶନ ଶକ୍ତି’ ଯୋଜନା କାର୍ଯ୍ୟକାରୀ କରି ୭୦ ଲକ୍ଷ ମହିଳାଙ୍କୁ ସେଥିରେ ସାମିଲ କରିଥିଲେ । ମୋଟ ୭ ଲକ୍ଷ ମହିଳା ସ୍ୱୟଂ ସହାୟତା ଗୋଷ୍ଠୀ (ଏସଏଚଜି) ଗଠନ ହୋଇଥିଲା । ପ୍ରତି ଗୃପରେ ୧୦ ଜଣ ମହିଳା ସଦସ୍ୟ ରହୁଥିଲେ ଏବଂ ରାଜ୍ୟ ସରକାର ସେମାନଙ୍କୁ ବିଭିନ୍ନ ପ୍ରକାର ଆର୍ଥିକ ପ୍ରୋତ୍ସାହନ ଦେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ରୋଜଗାରକ୍ଷମ କରିଥିଲେ । ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ନିଜ ଉଦ୍ୟମରେ ବିଭିନ୍ନ ସାମଗ୍ରୀ ଉତ୍ପାଦନ କରି ବଜାରରେ ବିକୁଥିଲେ ଓ ଗୋଷ୍ଠୀର ମହିଳାମାନେ ଆର୍ଥିକ ସ୍ୱଚ୍ଛଳ ହେଉଥିଲେ । ତେବେ, ପୂର୍ବ ସରକାର ସେମାନଙ୍କୁ ବିଭିନ୍ନ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ବ୍ୟବହାର କରି ନିଜର ଶକ୍ତି ପ୍ରଦର୍ଶନ କରୁଥିଲେ । ବିଜେଡିର ଏହି ରଣନୀତିକୁ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ମଧ୍ୟ ପ୍ରଶଂସା କରିବା ସହ ଏହା ମହିଳା ସଶକ୍ତୀକରଣର ଏକ ନିଦର୍ଶନ ବୋଲି ସ୍ୱୀକାର କରୁଥିଲେ । ବିଜେଡିର ଏହି ଭୋଟ ବ୍ୟାଙ୍କକୁ ଭାଂଗିବା ପାଇଁ ବିଜେପି ‘ସୁଭଦ୍ରା’ ଯୋଜନା ଘୋଷଣା କରିଥିଲା ଏବଂ ରାଜ୍ୟରେ ଏକ ପରିବର୍ତ୍ତନର ଲହର ଚାଲିଥିବା ବେଳେ ମହିଳା ମତଦାତାମାନେ ବିଜେପି ସରକାର ଆସିଲେ ସେମାନଙ୍କୁ ଗୋଟିଏ ଥରରେ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ମିଳିବା ଆଶାରେ ବିଜେପି ସପକ୍ଷରେ ମତଦାନ କରିଥିଲେ । ତେବେ, କ୍ଷମତାକୁ ଆସିବା ପରେ ବିଜେପି ଯେଉଁ ରୂପରେ ‘ସୁଭଦ୍ରା’ ଯୋଜନା କାର୍ଯ୍ୟକାରୀ କରିଛି ତାହା ଓଡ଼ିଶାରେ ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ଆଶା କ୍ଷୀଣ । କେବଳ ପୂର୍ବ ସରକାରଙ୍କ ‘ମିଶନ ଶକ୍ତି’କୁ ନିଷ୍କ୍ରିୟ କରିବା ବିଜେପିର ଉଦ୍ଦେଶ୍ୟ ଥିଲା, ଯାହା ସାଧାନ ହୋଇଥିବା ଏବେ ଜଳଜଳ ହୋଇ ଦିଶୁଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
(ଆଜିର ‘ଅନୁପମ ଭାରତ’ ପ୍ରଥମ ପୃଷ୍ଠା ହ୍ୟାଙ୍ଗର ଷ୍ଟୋରୀ)
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS