ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି, ଅବଗଣନା ଆରମ୍ଭ…


ପ୍ରସାଦ ରାଓ
ଭୁବନେଶ୍ୱର ମେ’୨୫
ଆସନ୍ତା ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଏକ ବର୍ଷ ପୂର୍ତ୍ତି ହେବ । ଗତ ବର୍ଷ ଠିକ୍ ଏହି ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମାଝୀ ଓ ତାଙ୍କ ସରକାର ଶପଥ ନେଇଥିଲେ । ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବାର ସୁଯୋଗ ପାଇଥିଲା । ୨୦୨୪ ନିର୍ବାଚନରେ ବିଜେପି ପାଇଁ ‘ଓଡ଼ିଆ ଅସ୍ମିତା’ ଥିଲା ଏକ ପ୍ରମୁଖ ପ୍ରସଙ୍ଗ । ୨୪ ବର୍ଷର ବିଜେଡି ଶାସନରେ ଅତିଷ୍ଟ ରାଜ୍ୟବାସୀ ଚାହୁଁଥିଲେ ପରିବର୍ତ୍ତନ । ତାହାକୁ ବଳ ଦେଇଥିଲା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ଏବଂ ଦଳ ଓ ଶାସନକୁ ଏକପ୍ରକାର ନିଜ ଅକ୍ତିଆରକୁ ନେଇ ସାରିଥିବା ପୂର୍ବତନ ଆଇଏଏସ୍ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ମାତ୍ରାଧିକ ସକ୍ରିୟତା । ରାଜ୍ୟରେ ନବୀନଙ୍କ ନାମରେ ଶାସନ ଚାଲିଥିଲା ଏବଂ ୨୦୨୪ରେ ମଧ୍ୟ ବିଜେଡି କ୍ଷମତାକୁ ଫେରିବ ବୋଲି ମାତ୍ରାଧିକ ଆତ୍ମବିଶ୍ୱାସ ରଖିଥିଲା । ନିର୍ବାଚନର ଠିକ୍ ଛଅ ମାସ ପୂର୍ବରୁ ପାଣ୍ଡିଆନ ଛାୟା ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟସାରା ହେଲକପ୍ଟରରେ ବୁଲି ନୂଆ, ପୁରୁଣା ପ୍ରକଳ୍ପ ନାମରେ କୋଟି କୋଟି ଟଙ୍କା ବାଂଟିଥିଲେ । ଏପରିକି, ହାତପାଆନ୍ତାରେ ଥିବା କଟକ, ଖୋର୍ଦ୍ଧାକୁ ହେଲକପ୍ଟରରେ ଗସ୍ତ କରୁଥିଲେ । ଠିକ୍ ନିର୍ବାଚନ ପୂର୍ବରୁ ଆଇଏଏସ୍ ଚାକିରୀରୁ ଇସ୍ତଫା ଦେଇ ପାଣ୍ଡିଆନ ବିଜେଡିରେ ସାମିଲ ହୋଇଥିଲେ ଏବଂ ଦଳର ପ୍ରଚାର ମଂଗ ଧରି ସେ ହିଁ ଭାବି ମୁଖ୍ୟମନ୍ତ୍ରୀ, ଏଭଳି ଏକ ବାର୍ତ୍ତା ଜନସାଧାରଣରେ ପହଂଚାଇବାକୁ ଉଦ୍ୟମ କରିଥିଲେ । ଯାହାକି ବିଜେଡି ପାଇଁ ବୁମେରାଂ ହେଲା ।
ନବୀନ ଘରୁ ବାହାରୁ ନାହାନ୍ତି, ଷଷ୍ଠ ଥର ପାଇଁ ବିଜେଡି କ୍ଷମତାକୁ ଫେରିଲେ ଜଣେ ଅଣ-ଓଡ଼ିଆ ଅଧିକାରୀ ମୁଖ୍ୟମନ୍ତ୍ରୀ ଆସନ ମାଡି ବସିବେ । ଏଭଳି ଏକ ଧାରଣା ବଳବତ୍ତର ହେବାରୁ ଓଡ଼ିଶାବାସୀ ବିଜେଡିକୁ ମୁହଁ ମୋଡିବା ଆରମ୍ଭ କରି ଦେଇଥିଲେ । ନିର୍ବାଚନ ତାରିଖ ଘୋଷଣା ପରେ ମଧ୍ୟ ବିଜେଡି-ବିଜେପି ମେଂଟ ସମ୍ଭାବନାକୁ ନେଇ ନୂଆଦିଲ୍ଲୀରେ ଦୁଇ ଦଳର ବିରିଷ୍ଠ ନେତୃସ୍ତରରେ ଆଲୋଚନା ଚାଲି ଥିଲା । ତେବେ, ରାଜ୍ୟରେ ବିଜେଡି ବିରୋଧରେ ଏକ ଆନ୍ତଃପ୍ରୋତ ଥିବା ଓ ବିଜେଡି-ବିଜେପି ମଧ୍ୟରେ ମେଂଟ ହେଲେ କଂଗ୍ରେସ ଫାଇଦା ପାଇବା ନିଶ୍ଚିତ ଥିବା ଦେଖି ବିଜେପି ମେଂଟ କଥାବାର୍ତ୍ତାରୁ ଓହରି ଯାଇଥିଲା । ପରେ, ନିର୍ବାଚନ ଫଳାଫଳ କଣ ହେଲା ସମସ୍ତେ ଜାଣନ୍ତି । ବିଜେପି ରାଷ୍ଟ୍ରୀୟ ଓ ରାଜ୍ୟ ନେତୃତ୍ୱ ପାଣ୍ଡିଆନଙ୍କୁ ଆକ୍ରମଣ କରିବାକୁ ଯାଇ ବିଜେଡି ବିରୋଧରେ ‘ଓଡ଼ିଆ ଅସ୍ମିତା’କୁ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ କଲେ ଏବଂ ରାଜ୍ୟବାସୀଙ୍କ ମନରେ ବିଜେଡି ପ୍ରତି ଥିବା ବିମୁଖତାରୁ ପୂର୍ଣ୍ଣ ଫାଇଦା ଉଠାଇଲେ । ଚବିଶି ନିର୍ବାଚନରେ ବିଜେଡି ବିଜେପି ତୁଳନାରେ ଅଧିକ ଭୋଟ ପାଇଥିଲେ ମଧ୍ୟ ୫୧ ବିଧାନସଭା ଆସନରେ ସୀମିତ ରହିଲା ଓ ବିଜେପି ୭୮ ବିଧାନସଭା ଆସନ ଜିତି ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର କଲା । ରାଜ୍ୟରେ ବିଜେପିକୁ କ୍ଷମତାକୁ ଆଣିବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯଥେଷ୍ଟ ଭୂମିକା ଥିଲେ ମଧ୍ୟ ଦଳର କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ମୁଖ୍ୟମନ୍ତ୍ରୀ ନ କରି ଜୁନ ୧୧ ତାରିଖରେ ବିଧାୟକ ମୋହନ ଚରଣ ମାଝୀଙ୍କ ନାମ ଘୋଷଣା କଲେ ଏବଂ ମାଝୀ ୧୨ ତାରିଖ ଦିନ ତାଙ୍କ ନୂତନ ମନ୍ତ୍ରୀ ପରିଷଦ ସହ ଜନତା ମଇଦାନରେ ଶପଥ ଗଅହଣ କଲେ ।
ଏହା ହେଉଛି, ରାଜ୍ୟର ୨୪ ବର୍ଷର ବିଜେଡି ସରକାରଙ୍କ ଅବିଶ୍ୱସନୀୟ କ୍ଷମତା ହରାଇବା ଏବଂ ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ପ୍ରତିଷ୍ଠା ହେବାର ରୋଚକ କାହାଣୀ । ମାଝୀ କେବେ ଭାବି ନଥିଲେ ଓଡ଼ିଶା ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ବିଜେପି ରାଷ୍ଟ୍ରୀୟ ନେତୃତ୍ୱ ତାଙ୍କ ମୁଣ୍ଡରେ ସୁନା କଳସରୁ ପାଣି ଢାଳିବା ପରେ ସେ ଶାସନର ମଂଗ ଧରିଛନ୍ତି ଏବଂ ନିଜକୁ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଭାବେ ଉପସ୍ଥାପନ କରିବା ପାଇଁ ଗଳା ଏଗାର ମାସ ହେଲା ଅହରହ ଉଦ୍ୟମ କରୁଛନ୍ତି । ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ବିଗତ ୨୪ ବର୍ଷ ମଧ୍ୟରେ କୋଚିତ ଲୋକଙ୍କ ସହ ମିଶିଛନ୍ତି । ଦଳର କର୍ମୀଙ୍କ କଥା ଦୂରେ ଥାଉ; ମନ୍ତ୍ରୀ, ବିଧାୟକ ଓ ସାଂସଦ ଓ ଦଳୀୟ ନେତାମାନେ ମଧ୍ୟ ତାଙ୍କୁ ସିଧାସଳଖ ଭେଟିବା ସୁଯୋଗ ପାଇ ନାହାନ୍ତି । କେତେବେଳେ ପ୍ୟାରୀ ବାବୁ (ପୂର୍ବତନ ପ୍ରଶାସକ ପ୍ୟାରୀ ମୋହନ ମହାପାତ୍ର) ପାଚେରୀ ହୋଇ ଠିଆ ହୋଇଛନ୍ତି ତ କେତେବେଳେ ଭି.କାର୍ତ୍ତିକେୟ ପାଣ୍ଡିଆନ (ପୂର୍ବତନ ପ୍ରଶାସକ) । ଶେଷ କିଛି ବର୍ଷ ପାଣ୍ଡିଆନ ହିଁ ବିଜେଡି ରାଜନୀତିରେ ସର୍ବେସର୍ବା ଥିଲେ । ନିର୍ବାଚନ ସମୟରେ ଦଳୀୟ ନେତା, ମନ୍ତ୍ରୀ, ବିଧାୟକ, ସାଂସଦମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ପାଇଁ ସଭାମଂଚ ପ୍ରସ୍ତୁତ କରୁଥିଲେ, ଲୋକ ଯୋଗାଡ କରୁଥିଲେ ଏବଂ ମଂଚ ଉପରେ ଏକାକୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଉପସ୍ଥିତ ରହି ଭାଷଣ ଦେଉଥିବା ବେଳେ ମଂଚ ତଳେ ଦଳର ନେତା, ମନ୍ତ୍ରୀ, ବିଧାୟକ, ସାଂସଦମାନେ କରତାଳି ଦେବା କାର୍ଯ୍ୟ କରୁଥିଲେ । ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ହେବା ପରେ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟରୁ ଦେଖୁଛନ୍ତି । ମୁଖ୍ୟମନ୍ତ୍ରୀ ମାଝୀ ନିଜ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ଜନ ଅଭିଯୋଗ ଶୁଣାଣୀ ଶିବିରମାନ ଆୟୋଜନ କରୁଛନ୍ତି ଏବଂ ଅଭିଯୋଗ ଶୁଣିବା ସହ ତାହାର ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ନେଉଛନ୍ତି । ସମ୍ବଲପୁର ଯାଇ ସେଠାରେ ଅୟୋଜିତ କାର୍ଯ୍ୟକ୍ରମରେ ପଶ୍ଚିମାଂଚଳର ୧୦ଟି ଜିଲ୍ଲାର ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ । ଦକ୍ଷିଣାଂଚଳର ଆଠଟି ଜିଲ୍ଲା ପାଇଁ ଚଳିତ ମାସରେ ଅନୁରୂପ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ସୁଦ୍ଧା ତାହା ହୋଇ ନାହିଁ ।
ତଥାପି, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ଦୁଃଖ ଜଣାଇବାର ସୁଯୋଗ ହାତଛଡା କରିବାକୁ କେହି ଚାହୁଁ ନଥିବା ମାଝୀ ସରକାର ବଡ ସଫଳତା କୁହାଯିବ । ୨୦୨୪ ନିର୍ବାଚନ ସମୟରେ ବିଜେପି ରାଜ୍ୟବାସୀଙ୍କୁ ୨୧ଟି ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲା । ଗତ ୧୧ ମାସ ମଧ୍ୟରେ ସେଥିରୁ ୧୨ଟି ପ୍ରତିଶ୍ରୁତି ପୂରଣ କରାଯାଇଛି । ବାକି ପ୍ରତିଶ୍ରୁତି ସବୁ ପ୍ରତିଶ୍ରୁତି ମଧ୍ୟ ଆଗାମୀ ଦିନରେ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମାଝୀ ଦୃଢତାର ସହ କହିଛନ୍ତି । ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ରୋଡମ୍ୟାପ୍ କୁ ନେଇ ସରକାର କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀ ଦାବି କରୁଥିବା ବେଳେ ଓଡ଼ିଶାକୁ ଶିଳ୍ପାୟନ ଦିଗରେ ଆଗେଇ ନେଇ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ ସରକାରଙ୍କ ଆଡୁ କାମ ଚାଲିଥିବା ଦେଖିବାକୁ ମିଳୁଛି । ତେବେ, ପୂର୍ବ ସରକାର ମଧ୍ୟ ରାଜ୍ୟବାସୀଙ୍କୁ ବ୍ୟାପକ ଶିଳ୍ପାୟନ ଓ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ୨୪ ବର୍ଷ ଧରି ପ୍ରତିଶ୍ରୁତି ଦେଇ ଆସୁଥିଲେ । ଦେଶ ବିଦେଶକୁ ଯାଇ ବ୍ୟବସାୟିକ ସମାବେଶ ଓ ସମ୍ମିଳନୀମାନ ଆୟୋଜନ କରୁଥିଲେ । ହଜାର ହଜାର କୋଟି ଟଙ୍କାର ପୁଂଜି ଓଡ଼ିଶାକୁ ଆସୁଥିବାର ଗୋଲାପି ଚିତ୍ର ଦେଉଥିଲେ । ତେବେ, ସେସବୁ ଧୂଆଁବାଣ ସଦୃଶ ହୋଇଥିଲା । ମୁଖ୍ୟମନ୍ତ୍ରୀ ମାଝୀଙ୍କ ସରକାର ମଧ୍ୟ ଏକାଭଳି ଗୋଲାପି ଚିତ୍ର ଆଂକୁଛନ୍ତି, ଦେଶ ବିଦେଶରୁ ହଜାର ହଜାର କୋଟି ଟଙ୍କାର ପୁଂଜି ଆଣି ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପ୍ରତିଶ୍ରୁତି ଦେଉଛନ୍ତି । ଓଡ଼ିଶାବାସୀ ଅପେକ୍ଷା କରିଛନ୍ତି କେବେ ଓଡ଼ିଶା ଶିଳ୍ପ ସମୃଦ୍ଧ ହେବ ଏବଂ ରାଜ୍ୟର ବେକାର ଯୁବକ ଯୁବତୀ ନିଯୁକ୍ତି ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେବେ ନାହିଁ – ତାହା ଦେଖିବାକୁ । କେନ୍ଦ୍ର ଓ ରାଜ୍ୟରେ ଏବେ ବିଜେପିର ଡବଲ ଇଂଜିନ ସରକାର ଥିବାରୁ ମାଝୀ ସରକାର ପ୍ରତିଶ୍ରୁତି ରକ୍ଷା କରିବାରେ ସଫଳ ହେବେ ବୋଲି ରାଜ୍ୟବାସୀଙ୍କ ବିଶ୍ୱାସ ରହିଛି ।
ବିଡମ୍ବନାର ବିଷୟ ହୋଇଛି, ଗତ ବିଜେଡି ସରକାର ଅମଳରେ ରାଜ୍ୟରେ ଚିଟ୍ ଫଣ୍ଡ୍ ଦୁର୍ନୀତି ଭଳି ଏକାଧିକ ବଡ ଦୁର୍ନୀତି ହୋଇଥିଲା । ବିଜେପି କ୍ଷମତାକୁ ଆସିବା ସଂଗେ ସଂଗେ ପୂର୍ବ ସରକାରଙ୍କ ଦୁର୍ନୀତି ସବୁର ତଦନ୍ତ କରାଇ ଦୁର୍ନୀତିଗ୍ରସ୍ତ ନେତା ଓ ଅଧିକାରୀଙ୍କୁ ଜେଲରେ ପୁରାଇବ ବୋଲି ପ୍ରତିଶ୍ରୁତିବଦ୍ଧ ଥିଲା । ଗଲା ଏଗାର ମାସ ହେଲା ସେହି ପ୍ରତିଶ୍ରୁତିକୁ ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ମନ୍ତ୍ରୀମାନେ ଦୋହରାଉଛନ୍ତି ସିନା ଏପର୍ଯ୍ୟନ୍ତ ସେଦିଗରେ ପାଦେ ଆଗେଇ ନାହାନ୍ତି । ଚିଟ୍ ଫଣ୍ଡ୍ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କ ମୂଳ ପୁଂଜୀ ଅନ୍ତତଃ ଫେରସ୍ତ ମିଳିବ ବୋଲି ଆଶ୍ୱାସନା ଦିଆଯାଇଥିଲା । ସରକାର ଏଗାର ମାସ ପୂରଣ କରି ସାରିଥିବା ବେଳେ କୁହାଯାଉଛି, ଚିଟ୍ ଫଣ୍ଡ୍ ଟଙ୍କା ଫେରସ୍ତ ପାଇଁ ହୋଇଥିବା ଆବେଦନପତ୍ର ସବୁ ଲୁଟ୍ ହୋଇ ଯାଇଛି । ତେଣୁ, କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ବିଳମ୍ବିତ ହେବ । ଏଗାର ମାସ ହେଲାଣି ରାଜ୍ୟ ମନ୍ତ୍ରୀ ପରିଷଦରେ ଛଅଟି ମନ୍ତ୍ରୀ ପଦ ଖାଲି ପଡିଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ପରିଷଦ ସଦସ୍ୟମାନେ ଏକାଧିକ ବିଭାଗର ଦାୟିତ୍ୱ ମୁଣ୍ଡାଇ କୌଣସି ବିଭାଗକୁ ନ୍ୟାୟ ଦେଇପାରୁ ନାହାନ୍ତି । ମନ୍ତ୍ରୀମାନଙ୍କ ଅନଭିଜ୍ଞତା ସରକାରଙ୍କୁ ଅଧିକାଂଶ ସମୟରେ ଲୋକହସା କରୁଛି । ଏଗାର ମାସ ହେଲା ରାଜ୍ୟରେ କୌଣସି ନିଗମ ବା ସରକାରୀ, ବେସରକାରୀ ସଂସ୍ଥାର ଅଧ୍ୟକ୍ଷ ନିଯୁକ୍ତି ହୋଇପାରୁ ନାହାନ୍ତି । ରାଜ୍ୟ ବିଜେପି ସଭାପତି ଚୟନ ପହ୍ମ ଘୁଂଚି ଘୁଂଚି ଯାଉଛି । ଦଳ ଓ ସରକାର ମଧ୍ୟରେ ସମନ୍ୱୟର ଘୋର ଅଭାବ ଏବଂ ନେତାଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ଏହାର ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି । ତେବେ, ସରକାର କହୁଛନ୍ତି, ପୂର୍ବ ସରକାର ଅମଳରେ ରାଜ୍ୟରେ କୌଣସି କାମ ହେଉନଥିଲା । ବିଜେପି ସରକାର ୨୪ ମିନିଟରେ ନିଷ୍ପତ୍ତି ନେଉଛନ୍ତି ଓ କାର୍ଯ୍ୟକାରୀ କରୁଛନ୍ତି ।
ବିଜେପି କ୍ଷମତାକୁ ଆସୁ ଆସୁ ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିଲା, ମନ୍ଦିର ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ କର୍ପସ ପାଂଠି ଗଠନ ହୋଇଛି । ‘ସୁଭଦ୍ରା’ ଯୋଜନାରେ ରାଜ୍ୟର ଏକ କୋଟିରୁ ଅଧିକ ମହିଳା ଅନ୍ତର୍ଭୁକ୍ତ ହୋଇ ନିୟମିତ ଭାବେ ପ୍ରୋତ୍ସାହନ ରାଶି ପାଉଛନ୍ତି । ସରକାର ଧାନ ସଂଗ୍ରହ ପାଇଁ ଚାଷୀଙ୍କୁ କୁଇଂଟାଲ ପିଛା ୮୦୦ଟଙ୍କା ବୋନସ ସହ ମୋଟ ୩୧୦୦ ଟଙ୍କା ଏମଏସପି ଦେଉଛନ୍ତି । ଚାଷୀଙ୍କ ଖାତାକୁ ନିୟମିତ ଭାବେ ପ୍ରୋତ୍ସାହନ ରାଶି ମଧ୍ୟ ଯାଉଛି । ରାଜ୍ୟ ସରକାର ନିକଟରେ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟକୁ ‘ରାଜ୍ୟ ବିପର୍ଯ୍ୟୟ’ ଭାବେ ଗ୍ରହଣ କରାଯିବ ଓ କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରିଛନ୍ତି । ରାଜ୍ୟରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ୧୨.୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ଘୋଷଣା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟର ମନ୍ତ୍ରୀମାନଙ୍କୁ ସେମାନଙ୍କ ଏଗାର ମାସର ରିପୋର୍ଟ କାର୍ଡ ମାଗିଛନ୍ତି । ବର୍ଷ ପୂର୍ତ୍ତି ଅବସରରେ ତାହା ସର୍ବସାଧାରଣ କରାଯିବ । ଯେଉଁ ମନ୍ତ୍ରୀଙ୍କ କାର୍ଯ୍ୟ ସନ୍ତୋଷଜନକ ନଥିବ ତାଙ୍କୁ ବିଦା କରାଯାଇ ନୂଆ ମନ୍ତ୍ରୀଙ୍କୁ ନିଆଯିବ । ସରକାର ସବୁ ଦୃଷ୍ଟିରୁ ଓଡ଼ିଶାବାସୀଙ୍କ ବିଶ୍ୱାସ ଜିତିବାକୁ କାର୍ଯ୍ୟ କରୁଛନ୍ତି ବୋଲି ମାଝୀ ସରକାର ଦାବି କରୁଛନ୍ତି । ତେବେ, ବିପକ୍ଷ ମୋହନ ସରକାରଙ୍କୁ ରଂଗ ଓ ନାମ ବଦଳା ସରକାର କହି ଗଲା ଏଗାର ମାସ ହେଲା ଛିଗୁଲାଉଛନ୍ତି । ଏଭଳି ସ୍ଥିତିରେ ଓଡ଼ିଶା ବିଜେପି ସରକାର ଜୁନ ୧୨ ତାରିଖରେ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରାଯାଇ ଜାକଜମକରେ ଉତ୍ସବ ପାଳନ କରିବା ଯୋଜନା ରହିଛି । ବର୍ଷ ପୂର୍ତ୍ତି ଅବସରରେ ମାଝୀ ସରକାରଙ୍କ ଆଡୁ ରାଜ୍ୟବାସୀଙ୍କ ପାଇଁ ଆଉ କି ନୂଆ ଘୋଷଣା ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
– ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS