ଓଡ଼ିଶାରେ ଓବିସି ରାଜନୀତି ତେଜୁଛି ..


ପ୍ରସାଦ ରାଓ
ଭୁବନେଶ୍ୱର ୨୩/୫
ଓଡ଼ିଶାର ମୋଟ ଜନସଂଖ୍ୟାର ୫୪ ପ୍ରତିଶତ ହେଉଛନ୍ତି ପଛୁଆ ବର୍ଗ ବା ଓବିସି ଶ୍ରେଣୀ । ଭୋଟ ବ୍ୟାଙ୍କ ରାଜନୀତିରେ ସେମାନଙ୍କ ବିଶେଷ ଗୁରୁତ୍ୱ ଥିଲେ ମଧ୍ୟ ଶିକ୍ଷା, ନିଯୁକ୍ତି କ୍ଷେତ୍ରରେ ସେମାନଙ୍କ ପାଇଁ ଉଚିତ ଆରକ୍ଷଣ ବ୍ୟବସ୍ଥା ନାହିଁ । ଶାସନରେ ଥିବା ଦଳମାନେ ସୁପ୍ରିମ କୋର୍ଟଙ୍କ ମୋଟ ୫୦ ପ୍ରତିଶତ ଆରକ୍ଷଣ ସୀମାକୁ ଢାଲ କରି ଓବିସିଙ୍କ ସଂରକ୍ଷଣ କଥା ଆସିଲେ ପଛଘୁଂଚା ଦେଉଛନ୍ତି । ନିକଟରେ ଓଡ଼ିଶା ସରକାର ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ସାଧାରଣ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ଆରକ୍ଷଣ ଘୋଷଣା କରିବା ପରେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ରାଜ୍ୟରେ ଅନୁସୂଚିତ ଜନଜାତିଙ୍କୁ ୨୨.୫ ପ୍ରତିଶତ ଓ ଅନୁସୂଚିତ ଜାତିଙ୍କୁ ୧୬.୨୫ ପ୍ରତିଶତ ଆରକ୍ଷଣ ସୁବିଧା ମିଳୁଥିବା ବେଳେ ସଂଖ୍ୟାଗରିଷ୍ଠ ଓବିସି ବା ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ସାଧାରଣ ଶିକ୍ଷା କ୍ଷେତ୍ରରେ ମାତ୍ର ୧୧.୨୫ ପ୍ରତିଶତ ଆରକ୍ଷଣ ପ୍ରତିଶ୍ରୁତି ଗ୍ରହଣୀୟ ନୁହେଁ ବୋଲି ବିରୋଧୀ କହୁଛନ୍ତି । ବିଜେଡି ଓ କଂଗ୍ରେସ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ଆରକ୍ଷଣ ଦାବିରେ ସରକାରଙ୍କୁ ଘେରିବା ଆରମ୍ଭ କରି ଦେଇଛନ୍ତି ।
ବୁଧବାର (ମେ’ ୨୧) ଦିନ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ପକ୍ଷରୁ ଓବିସିଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ଆରକ୍ଷଣ ଦାବିରେ ରାଜଭବନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ । ବିଜେଡି ଓବିସି ସେଲ୍ ଆବାହକ ତଥା ବିଧାୟକ ଅରୁଣ ସାହୁ, ଏସଟି ସେଲ୍ ଆବାହକ ମଂଗଳା କିସାନ ଓ ଦଳର ଏସସି ସେଲ୍ ଆବାହକ ମହେଶ ସାହୁ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ । ରାଜ୍ୟପାଳଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ବିଜେଡି ପକ୍ଷରୁ ମେଡିକାଲ ଓ ଇଂଜିନିୟରିଂ ଶିକ୍ଷା କ୍ଷେତ୍ରରେ ଓବିସିଙ୍କୁ ତୁରନ୍ତ ୧୧.୨୫ ପ୍ରତିଶତ ଆରକ୍ଷଣ ସୁବିଧା ଅନ୍ତର୍ଭୁକ୍ତ କରାଯିବା ଦାବି କରାଯାଇଛି । ଏହାଛଡା, ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସିଙ୍କ ପାଇଁ ୨୭ ପ୍ରତିଶତ ଏବଂ ମେଡିକାଲ ଓ ଇଂଜିନିୟରିଂ ଶିକ୍ଷା କ୍ଷେତ୍ରରେ ଅନସୂଚିତ ଜନଜାତି ଓ ଅନୁସୂଚିତ ଜାତି ପାଇଁ ୩୮.୭୫ ପ୍ରତିଶତ ଆରକ୍ଷଣ ଦାବି କରାଯାଇଛି । ସ୍ମାରକପତ୍ରରେ କୁହାଯାଇଛି, କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡିକରେ ଓ ଅନେକ ରାଜ୍ୟରେ ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି । ଏସଟି, ଏସସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ ୩୮.୭୫ ପ୍ରତିଶତ ଏବଂ ଇଂଜିନିୟରିଂ, ମେଡିକାଲ ଓ ଅନ୍ୟ ବୈଶକ୍ଷିକ ଶିକ୍ଷା କ୍ଷେତ୍ରରେ ୨୦ ପ୍ରତିଶତ ଆରକ୍ଷଣ ବ୍ୟବସ୍ଥା ରହିଛି । ଓଡ଼ିଶାରେ ମଧ୍ୟ ଏସଟି, ଏସସି ଛାତ୍ରଛାତ୍ରୀଙ୍କ ପାଇଁ ଇଂଜିନିୟରିଂ, ମେଡିକାଲ ଓ ଅନ୍ୟ ବୈଷୟିକ ପାଠ୍ୟକ୍ରମରେ ୩୮.୭୫ ପ୍ରତିଶତ ଆରକ୍ଷଣ ବ୍ୟବସ୍ଥା କରାଯାଉ ।
ଗୁରୁବାର ଲୋୟର ପିଏମଜିରେ ଥିବା ମୁଖ୍ୟମନ୍ତ୍ରୀ ଆବାସ ନିକଟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶିକ୍ଷା, ନିଯୁକ୍ତି ଓ ଅନ୍ୟ ସମସ୍ତ କ୍ଷେତ୍ରରେ ଓବିସିଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବିରେ ୨୪ ଘଂଟିଆ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଓଡିଶା ପାଇଁ ନିଯୁକ୍ତ ଏଆଇସିସି ପ୍ରଭାରୀ, ସହ-ପ୍ରଭାରୀଙ୍କ ଉପସ୍ଥିତିରେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଗଣବିକ୍ଷୋଭରେ ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଥିବା ବହୁ ବରିଷ୍ଠ ଓ କନିଷ୍ଠ କଂଗ୍ରେସ ନେତା ଅଂଶ ଗ୍ରହଣ କରିଥିଲେ । ଗଣବିକ୍ଷୋଭ ସ୍ଥଳରେ ଆୟୋଜିତ ସଭାରେ ସେମାନେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଥିବା ବିଜେପି ସରକାରଙ୍କୁ କଡା ସମାଲୋଚନା କରିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେତେବେଳେ ଦେଶବ୍ୟାପୀ ଜାତିଗତ ଜନଗଣନା କଥା ଉଠାଇ କେନ୍ଦ୍ର ସରକାରଙ୍କୁ ଘେରୁଥିଲେ ବିଜେପି ନେତୃତ୍ୱ ତାହାକୁ ପ୍ରତ୍ୟାଖାନ କରି ରାହୁଲ ଗାନ୍ଧୀଙ୍କୁ ଦେଶଦ୍ରୋହୀ କହୁଥିଲେ । ତଥାପି ରାହୁଲ ଦବି ନଯାଇ ଜାତିଗତ ଜନଗଣନା ଓ ଜାତି ଅନୁପାତରେ ବିଭିନ୍ନ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦାବିରେ ଅଟଳ ରହିଥିଲେ । ଯେଉଁ ବିଜେପି ଦଳ ଓ ସରକାର ରାହୁଲ ଗାନ୍ଧୀଙ୍କ ଜାତିଗତ ଜନଗଣନା ଦାବିକୁ ଦେଶଦ୍ରୋହ କାର୍ଯ୍ୟ ବୋଲି ଆକ୍ଷେପ କରି ଗାଳିଗୁଲଜ କରୁଥିଲେ ସେହି ସରକାର ପରିସ୍ଥିତିି ଚକ୍ରରେ ୨୦୨୬ରେ ହେବାକୁ ଥିବା ଜନଗଣନା ସହ ଦେଶରେ ଜାତିଗତ ଜନଗଣନା ମଧ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ‘ନିଜ ଛେପ ନିଜେ ଢୋକିଛନ୍ତି’ ବୋଲି ଅଧିକାଂଶ କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ।
୨୦୨୪ ଜୁନ ୧୨ ତାରିଖରେ ଓଡ଼ିଶାରେ ପ୍ରଥମ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ପ୍ରତିଷ୍ଠା ହୋଇଥିଲା । ଆସନ୍ତା ଜୁନ ୧୨ ତାରିଖରେ ସରକାର ଏକ ବର୍ଷ ପୂତ୍ତି କରିବାକୁ ଯାଉଛନ୍ତି । ବର୍ଷ-ପୂର୍ତ୍ତିର ରିପୋର୍ଟ କାର୍ଡ ଉପସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ଆଡୁ ପ୍ରସ୍ତୁତି ଚାଲି ଥିବା ବେଳେ ମୁଖ୍ୟମନ୍ତ୍ରୀ ମାଝୀ ଚଳିତ ମାସରେ ଓବିସି ବର୍ଗଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ମେଡିକାଲ ଓ ଇଂଜିନିୟରିଂ ନହେଲେ ବି ସାଧାରଣ ଶିକ୍ଷା କ୍ଷେତ୍ରରେ ଓବିସିଙ୍କୁ ୧୧.୨୫ ପ୍ରତିଶତ ଆରକ୍ଷଣ ସୁବିଧା ମିଳିବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଏହା କେବଳ ନିଜର ରିପୋର୍ଟ କାର୍ଡକୁ ମଜଭୂତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏକ ପ୍ରୟାସ ବୋଲି କଂଗ୍ରେସ ଆଜି ସମାଲୋଚନା କରିବା ସହ ଓବିସିଙ୍କୁ ଶିକ୍ଷା, ନିଯୁକ୍ତି ଓ ଅନ୍ୟ ସମସ୍ତ କ୍ଷେତ୍ରରେ ୨୭ ପ୍ରତିଶତ ଆରକ୍ଷଣ ଦେବାକୁ ଦାବି କରିଛି । ଏହି ଦାବି ପୂରଣ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ କଂଗ୍ରେସର ଆନ୍ଦୋଳନ କାର୍ଯ୍ୟକ୍ରମ ଜାରି ରହିବ ବୋଲି କଂଗ୍ରେସ ନେତୃତ୍ୱ ଘୋଷଣା କରିଛନ୍ତି । ପିସିସି ପକ୍ଷରୁ ଆୟୋଜିତ ଆଜିର ଗଣବିକ୍ଷୋଭରେ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ଜୟଦେବ ଜେନା, ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ, ତାଙ୍କ ବିଧାୟିକା କନ୍ୟା ସୋଫିଆ ଫଦେ୍ର୍ଦାସ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସମେତ ବହୁ ନେତାଙ୍କୁ ଦେଖିବାକୁ ମିଳି ନଥିଲା । ତେବେ, ପୂର୍ବତନ ବିଧାୟକ ଶରତ ରାଉତ, ସଂତୋଷ ସିଂହ ସାଲୁଜା, କିଶୋର ପଟେଲଙ୍କ ଭଳ କିଛି ବରିଷ୍ଠ ନେତା ଗଣବିକ୍ଷୋଭ ମଂଚରେ ଉପସ୍ଥିତ ଥିଲେ ।
ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ ବା ଓବିସିଙ୍କ ପାଇଁ ରାଜ୍ୟରେ ଶିକ୍ଷା, ନିଯୁକ୍ତି ଓ ଅନ୍ୟ ସମସ୍ତେ କ୍ଷେତ୍ରରେ ୨୭ ପ୍ରତିଶତ ଆରକ୍ଷଣ ବ୍ୟବସ୍ଥା ଦାବିରେ ବିରୋଧୀ ବିଜେଡି ଓ କଂଗ୍ରେସ ଆନ୍ଦୋଳନ, ବିକ୍ଷୋଭ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ରାଜ୍ୟ ବିଜେପି ସଂଗଠନ ଓ ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମର୍ଥନରେ ଠିଆ ହୋଇଛନ୍ତି । ରାଜ୍ୟର ସାମାଜିକ ଓ ଆର୍ଥିକ ଅସ୍ୱଚ୍ଛଳ ବର୍ଗ ଓ ଏସଇବିସି ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଯେଉଁ ୧୧.୨୫ ପ୍ରତିଶତ ଆରକ୍ଷଣ ଘୋଷଣା କରାଯାଇଛି ତାହା ଏକ ‘ଐତିହାସକ ନିଷ୍ପତ୍ତି’ ବୋଲି ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଗତ ୧୬ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । କେବଳ ସାଧାରଣ ଶିକ୍ଷା କ୍ଷେତ୍ରରେ ନୁହେଁ, ମେଡିକାଲ ଓ ଇଂଜିନିୟରିଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ଓବିସିଙ୍କ ପାଇଁ ୧୧.୨୫ ପ୍ରତିଶତ ଆରକ୍ଷଣ ବ୍ୟବସ୍ଥା ହେବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମେ’ ୨୦ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିଶ୍ରୁତି ଦେଇଛନ୍ତି । କଂଗ୍ରେସ ଓ ବିଜେଡି ରାଜ୍ୟରେ ଦୀର୍ଘ ବର୍ଷ କ୍ଷମତାରେ ରହି ମଧ୍ୟ ଓବିସିଙ୍କୁ ୨୭ ପ୍ରତିଶତ ଆରକ୍ଷଣ ଦେଇ ପାରିଲେ ନାହିଁ କାହିଁକି (?) ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ଦେଶରେ ସମସ୍ତ ପ୍ରକାର ଆରକ୍ଷଣର ସୀମା ମୋଟ ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖାଯିବାକୁ ସୁପ୍ରିମ କୋର୍ଟଙ୍କ ଯେଉଁ ନିର୍ଦେଶ ରହିଛି ତାହା ବିଭିନ୍ନ ଜାତି, ବର୍ଗଙ୍କ ପାଇଁ ଆରକ୍ଷଣ ବୃଦ୍ଧିରେ ମୁଖ୍ୟ ପ୍ରତିବନ୍ଧକ ହୋଇଥିବା ସମସ୍ତେ ସ୍ୱୀକାର କରୁଛନ୍ତି । ତଥାପି, ଆରକ୍ଷଣ ବଢାଇବା ଦାବିକୁ ନେଇ ରାଜନୀତିରେ ବିରାମ ଘଟୁନାହିଁ । ମୁଖ୍ୟମନ୍ତ୍ରୀ ସାଧାରଣ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫ ଆରକ୍ଷଣ ଘୋଷଣା କରିବା ପରେ ଓଡ଼ିଶାରେ ଯେଉଁ ରାଜନୀତି ଜୋର ଧରିଛି ତାହାର ପୂର୍ଣ୍ଣଛେଦ କେଉଁଠି ଓ କେବେ ପଡିବ (?) – ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS