ମୁନା ଖାନ, ଭୂପିନ୍ଦର ଓ ଶଶୀ ବେହେରାଙ୍କ ପରେ କିଏ ?


ପ୍ରସାଦ ରାଓ
ଭୁବନେଶ୍ୱର ୧୮/୫
ମେ’ ୧୭ରେ ବିଜେଡି ମୁଖ୍ୟାଳୟ ‘ଶଙ୍ଖ ଭବନ’ରେ ନବଗଠିତ ବିଜେଡି ରାଜନୈତିକ ବ୍ୟାପାର କମିଟିର ପ୍ରଥମ ବୈଠକ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଦୀର୍ଘ ୨୫ ବର୍ଷ ପରେ ଗଠିତ ଦଳର ଏହି ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟିର ପ୍ରଥମ ବୈଠକ ଏଭଳି ଏକ ସମୟରେ ହୋଇଛି ଯେତେବେଳେ କି ଦଳ ଘୋର ବିଶୃଙ୍ଖଳା ଦେଇ ଗତି କରୁଛି । ତେଣୁ, ରାଜନୈତିକ ବ୍ୟାପର କମିଟି ବୈଠକରେ ଦଳୀୟ ବିଶୃଙ୍ଖଳାକୁ ଦମନ କରିବା ପାଇଁ କି ନିଷ୍ପତ୍ତି ନିଆଯାଉଛି, ତାହା ଉପରେ ସମସ୍ତଙ୍କ ନଜର ଥିଲା । ତେବେ, ବୈଠକ ପରେ ଗଣମାଧ୍ୟମକୁ ଯାହା ଖବର ଦିଆଯାଇଛି ସେଥିରେ ଦଳରେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରି ଆସୁଥିବା ନେତାମାନଙ୍କ ବିରୋଧରେ ବିଜେଡି ରାଜନୈତିକ ବ୍ୟାପାର କମିଟିର ଆଭିମୁଖ୍ୟ କଣ, ସେ ନେଇ ସାମାନ୍ୟତମ ଅଭାସ ଦିଆଯାଇନାହିଁ । ଅନ୍ୟପକ୍ଷରେ, ବିଜେଡିର ଏହି ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି ବୈଠକରେ ଦେଶ ତଥା ରାଜ୍ୟର ସାଂପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା ହୋଇ ଚାରିଟି ପ୍ରସ୍ତାବ ଗୃହୀତ କରାଯାଇଥିବା ଜଣାପଡିଛି । ସେଥିରେ, ରାଜ୍ୟରେ ବିଜେଡି ସଂଗଠନକୁ ସୁଦୃଢ କରାଯିବା ନିଷ୍ପତ୍ତି ମଧ୍ୟ ଥିବା କୁହାଯାଉଛି । ତେବେ, ୨୦୨୪ ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ ଦଳରେ ଯେଉଁ ବିଦ୍ରୋହ ମୁଣ୍ଡ ଟେକିଛି ଓ ଜଣେ ପରେ ଜଣେ ନେତା ଗଣମାଧ୍ୟମକୁ ଆସି ଦଳୀୟ ନେତୃତ୍ୱ ବିରୋଧରେ ଯେଭଳି ବିଷୋଦଗାର କରୁଛନ୍ତି ତାହାକୁ ନେଇ ବିଜେଡି ରାଜନୈତିକ ବ୍ୟାପାର କମିଟିରେ କିଛି ଆଲୋଚନା ହୋଇଛି କି ନାହିଁ (?), ଯଦି ଆଲୋଚନା ହୋଇଛି ରାଜନୈତିକ ବ୍ୟାପାର କମିଟି ବିଦ୍ରୋହୀ ନେତାଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥିର କରିଛି (?) ସେନେଇ ଦଳ ପକ୍ଷରୁ କିଛି କହାଯାଇନି । ଦଳରେ ସବୁ କିଛି ଯେମିତି ସ୍ୱାଭାବିକ ରହିଛି, ସେଭଳି ଏକ ଚିତ୍ର ରାଜନୈତିକ ବ୍ୟାପର କମିଟି ବୈଠକ ପରେ ଗଣମାଧ୍ୟମ ସାମ୍ନାକୁ ଆସିଛି । ଏଠାରେ ସୂଚନାଯୋଗ୍ୟ ଯେ, ୨୦୨୪ ନିର୍ବାଚନ ବିପର୍ଯ୍ୟୟ ପରରୁ ବିଜେଡି ଘୋର ଆଭ୍ୟନ୍ତରୀଣ କନ୍ଦଳ ଦେଇ ଗତି କରୁଛି । ଦଳର ବହୁ ପୁରୁଖା ନେତା ନିର୍ବାଚନରେ ବିଜେଡିର ଅନାକାଂକ୍ଷିତ ପରାଜୟ ପାଇଁ ସେହି ସମୟରେ ଦଳରେ ପ୍ରଭାବଶାଳୀ ଥିବା ଗୋଟିଏ ଗୋଷ୍ଠୀକୁ ଦାୟି କରିବା ସହ ଏହି ଗୋଷ୍ଠୀର ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ମୁଖ୍ୟଙ୍କ ନିକଟରେ ଦାବି କରି ଆସୁଛନ୍ତି । କିଛି ନେତା ଗଣମାଧ୍ୟମକୁ ଯାଇ ଖୋଲାଖୋଲି ବୟାନବାଜୀ ମଧ୍ୟ କରିଛନ୍ତି । ତେବେ, ଦଳର ସାଂଗଠନିକ ନିର୍ବାଚନ ସରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଯିବ କହି ଅନୁଗତ ନେତାମାନେ ଏହି ସଂକଟକୁ ଟାଳି ଆସୁଥିଲେ । ଏପ୍ରିଲ ୨୯ ତାରିଖରେ ନବୀନ ପଟ୍ଟନାୟକ ଲଗାତର ନବମ ଥର ପାଇଁ ଦଳର ସଭାପତି ନିର୍ବାଚିତ ହେଲେ ଏବଂ ମେ’ ୫ ତାରିଖରେ ବିଜେଡିର ନୂତନ ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କ ତାଲିକା ଘୋଷଣା ହେଲା । ନବଗଠିତ ୧୦ ଜଣିଆ ରାଜନୈତିକ ବ୍ୟାପାର କମିଟିରେ ଦଳର ମୁଖ୍ୟ ଏକ ନମ୍ବରରେ ଥିବା ବେଳେ ଅନ୍ୟ ୯ ଜଣ ହେଉଛନ୍ତି ମୁଖିଆଙ୍କ ଅନୁଗତ କୁହାଯାଉଥିବା ନେତା । ବରିଷ୍ଠଙ୍କୁ ଏଥିରେ ସ୍ଥାନ ମିଳିଲା ନାହିଁ । କିଛି ବରିଷ୍ଠ ନେତାଙ୍କୁ ବିଭିନ୍ନ ଆଗୁଆ ସଂଗଠନର ବରିଷ୍ଠ ଉପ ସଭାପତି ଭାବେ ଅବସ୍ଥାପିତ କରାଯାଇ ସନ୍ତୁଷ୍ଟ କରିବା ଉଦ୍ୟମ ହେଲା । ଦଳର ସଂଗଠନରେ ୭୧ ଜଣ ବରିଷ୍ଠ ଉପ ସଭାପତି, ଉପ ସଭାପତି, କୋଷାଧ୍ୟକ୍ଷ, ବରିଷ୍ଠ ସାଧାରଣ ସଂପାଦକ ଓ ସାଧାରଣ ସଂପାଦକ ପଦରେ ରହିଲେ । ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭଳି ଅଭିଜ୍ଞ ନେତାମାନେ ବିଜେଡି ରାଜନୈତିକ ବ୍ୟାପାର କମିଟିରେ ସ୍ଥାନ ପାଇଲେ ନାହିଁ । ବିଜେଡି ସଂଖ୍ୟାଲଘୁ ସେଲ୍ ପୁନର୍ଗଠନ କରାଯାଇ ରାଜ୍ୟସଭା ସାଂସଦ ମୁନା ଖାନ (ମୁଜିବୁଲ୍ଲା ଖାନ)ଙ୍କୁ ଅଧ୍ୟକ୍ଷ ପଦରୁ ହଟାଇ ଦିଆଗଲା ଓ ଦିଲୀପ ତିର୍କୀଙ୍କ ଆବାହକତ୍ୱରେ ଗିଠିତ କମିଟିରେ ମୁନା ଦକ୍ଷିଣାଂଚଳ ସଂଯୋଜକ ଭାବେ ଅବସ୍ଥାପିତ ହେଲେ । ଦଳରେ ହୋଇଥିବା ଏଭଳି ଅନେକ ସାଂଗଠନିକ ପରିବର୍ତ୍ତନ ଦୀର୍ଘ ବଷ ଧରି ଦଳର ନେତୃତ୍ୱ ନେଇ ଆସିଥିବା ବରିଷ୍ଠ ନେତାମାନଙ୍କୁ କ୍ଷୁବ୍ଧ କରିଛି । କିଛି ନେତା ଗଣମାଧ୍ୟମକୁ ଆସି ନେତୃତ୍ୱ ବିରୋଧରେ ବୟାନ ଦେଇ ଦଳରେ କୋଣଠେସା ହୋଇଥିବା ବେଳେ ଆଉ କିଛି ନେତା ଅଜାଗା ଘା’ ନିଜେ ଦେଖି ପାରୁ ନାହାନ୍ତି ବା ଅନ୍ୟ କାହାକୁ ଦେଖାଇ ପାରୁ ନାହାନ୍ତି । ଯାହା ମିଳିଲା ସେମାନେ ସେଥିରେ ସନ୍ତୁଷ୍ଟ ବୋଲି ଦେଖାଉଛନ୍ତି । ତେବେ, ଦଳର ସଂଖ୍ୟାଲଘୁ ସେଲ୍ ଅଧ୍ୟକ୍ଷରୁ ଦକ୍ଷିଣାଂଚଳ ସଂଯୋଜକ ପଦକୁ ପଦଚ୍ୟୁତ ହୋଇଥିବା ମୁନା ଖାନ ବିଳମ୍ବରେ ହେଲେ ମଧ୍ୟ ସର୍ବସାଧାରଣରେ ନିଜର ଅସନ୍ତୋଷ ଜାହିର କରିଛନ୍ତି । ମେ’ ୧୫ ତାରିଖ ଦିନ ମୁନା ନିଜର ଇସ୍ତଫାପତ୍ର ଧରି ‘ନବୀନ ନିବାସ’ ଯାଇଥିଲେ ଓ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କୁ ପଦଚ୍ୟୁତ କରାଯାଇଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ମୁନା ଖାନଙ୍କ ଅଭିଯୋଗ ଶୁଣିବା ପରେ ‘କଣ ହୋଇଛି ବୁଝିବା’ କହି ଟାଳି ଦେବାରୁ ସେ ଇସ୍ତଫାପତ୍ର (ସଂଖ୍ୟାଲଘୁ ସେଲ୍ ଦକ୍ଷିଣାଂଚଳ ସଂଯୋଜକ ପଦରୁ) ନବୀନଙ୍କୁ ଧରାଇ ‘ନବୀନ ନିବାସ’ ଛାଡି ଥିଲେ । ଆଜି ସୁଦ୍ଧା ମୁନା ଗଣମାଧ୍ୟମରେ ନିଜର ଇସ୍ତଫା ନେଇ କୌଣସି ବୟାନ ଦେଇ ନାହାନ୍ତି ବା ବିଜେଡି ନେତୃତ୍ୱ ମୁନାଙ୍କ ଇସ୍ତଫାକୁ ନେଇ ଔପଚାରିକ ଭାବେ କିଛି କହି ନାହାନ୍ତି । ମୁନାଙ୍କ ଇସ୍ତଫା ନେଇ ଗଣମାଧ୍ୟମରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଶନିବାର ଦିନ ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂହ ଓ ଶଶୀ ଭୂଷଣ ବେହେରା ଭିନ୍ନ ଭିନ୍ନ ଭାବେ ଗଣମାଧ୍ୟମ ସାମ୍ନାକୁ ଆସି ବିଜେଡି ନେତୃତ୍ୱ ବିରୋଧରେ ବିଷୋଦଗାର କରିଛନ୍ତି । ୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥଙ୍କ ପରାଜୟ ପାଇଁ ସେମାନେ ବିଜେଡି ମୁଖିଆଙ୍କୁ ଦାୟି କରିଛନ୍ତି । ବିଜେଡି ମୁଖିଆ ଘରେ ବସି ଅନ୍ୟ ହାତରେ ନିର୍ବାଚନ ପରିଚାଳନା ଦାୟିତ୍ୱ ଛାଡିବାରୁ ବିଜେଡିର ନିର୍ବାଚନ ବିପର୍ଯ୍ୟୟ ଘଟିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି । ବିଜେଡି-ବିଜେପି ଭିତିରି ବୁଝାମଣା ନେଇ ମଧ୍ୟ ସେମାନେ ସନ୍ଦେହ ବ୍ୟକ୍ତ କରିଛନ୍ତି । ଭୂପିନ୍ଦର ଅତୀତରେ କଂଗ୍ରେସର ଜଣେ ବରିଷ୍ଠ ନେତା ଥିଲେ ଓ କଂଗ୍ରେସ ଛାଡି ବିଜେଡିକୁ ଯିବା ସମୟରେ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ । ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସରୁ ତାଙ୍କୁ ନିମନ୍ତ୍ରଣ ମିଳି ସାରିଛି । ଆଇପିଏଲରେ ଭଲ ଖେଳୁଥିବା ଖୋଳାଳୀଙ୍କୁ ସମସ୍ତେ ଖୋଜନ୍ତି କହି ଭୂପିନ୍ଦର କଂଗ୍ରେସକୁ ଫେରିବା ଉପକ୍ରମ କରୁଥିବା ବେଳେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ତାଙ୍କୁ ସ୍ୱାଗତ କଲା ଭଳି ଗଣମାଧ୍ୟମରେ ବୟାନ ଦେଇଛନ୍ତି । ଦଳ ଛାଡି ପଳାଇ ଥିବା ସବୁ ନେତାଙ୍କ ପାଇଁ ଦଳ ଦ୍ୱାର ଉନ୍ମୁକ୍ତ ରଖିଛି ବୋଲି ଶନିବାର ଜେନା ଗଣମାଧ୍ୟମରେ ବୟାନ ଦେଇଥିଲେ, ଯାହାକି ଭୂପିନ୍ଦରଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଥିଲା କୁହାଯାଇପାରେ । ଏମିତି ବି ଭୂପିନ୍ଦର ନିର୍ବାଚନ ପରାଜୟ ପରେ ବିଜେଡି ନେତୃତ୍ୱକୁ ସମାଲୋଚନା କରି ନବଗଠିତ ବିଜେଡି ରାଜ୍ୟ କାର୍ଯ୍ୟକର୍ତ୍ତା ତାଲିକାରେ ସ୍ଥାନ ପାଇ ନାହାନ୍ତି । ପୂର୍ବତନ ବିଧାୟକ ଶଶୀ ଭୂଷଣ ବେହେରା ମଧ୍ୟ ଏକଭଳି ପରିସ୍ଥିତି ସୃଷ୍ଟି କରି ଦଳରେ କୋଣଠେସା ହୋଇସାରିଛନ୍ତି । ନବୀନ ତାଙ୍କୁ ଦଳର ରାଜ୍ୟ ସଂଗଠନରେ କୌଣସି ଦାୟିତ୍ୱ ଦେଇ ନାହାନ୍ତି । ବେହେରା ବିଜେଡିରେ ରହିବେ କି ଅନ୍ୟ କେଉଁ ଦଳକୁ ଯିବେ – ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ସମ୍ଭବତଃ ସେ ବିଜେପି ମୁହାଁ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ମୁନା ଖାନ ଗୁରୁବାର ଦିନ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କୁ ଭେଟି ଅସନ୍ତୋଷ ଜାହିର କରିବା ସହ ଦଳର ସଂଖ୍ୟାଲଘୁ ସେଲ୍ ଦକ୍ଷିଣାଂଚଳ ସଂଯୋଜକ ପଦରୁ ଇସ୍ତଫାପତ୍ର ଦେଇ ଦେବା ପରେ ଶନିବାର ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂହ ଓ ଶଶୀ ଭୂଷଣ ବେହେରା ଅଲଗା ଅଲଗା ଗଣମାଧ୍ୟମ ସାମ୍ନାକୁ ଆସି ବିଜେଡି ନେତୃତ୍ୱକୁ ନିର୍ବାଚନ ବିପର୍ଯ୍ୟୟ ପାଇଁ ଦାୟି କରିବା ଏବଂ ‘କ୍ୟାପଟେନ’ଙ୍କ ବିଫଳତା କହି ନବୀନଙ୍କୁ ଆଂଗୁଠି ଦେଖାଇବା ରାଜ୍ୟ ରାଜନୀତିକୁ ସରଗରମ କରିଛି । ବିଜେଡି ନେତା ଭୂପିନ୍ଦର ସିଂହ ଓ ଶଶୀ ଭୂଷଣ ବେହରାଙ୍କ ନବୀନ-ବିରୋଧୀ ବୟାନ ଶନିବାର ପୂର୍ବାହ୍ନରୁ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ବେଳେ ଅପରାହ୍ନରେ ‘ଶଙ୍ଖ ଭବନ’ରେ ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକ ବସିଥିଲା । ଦଳର ମୁଖ୍ୟ ନିଜେ ରାଜନୈତିକ ବ୍ୟାପାର କମିଟିରେ ଅଧ୍ୟକ୍ଷତା କରୁଥିଲେ । ବିଦ୍ରୋହୀଙ୍କୁ ନେଇ ବୈଠକରେ କିଛି ଗୋଟାଏ ବଡ ନିଷ୍ପତ୍ତି ହୋଇପାରେ ବୋଲି ସମସ୍ତେ ଅନୁମାନ କରୁଥିଲେ ଓ ବୈଠକର ନିଷ୍କର୍ଷକୁ ଅପେକ୍ଷା କରିଥିଲେ । କିନ୍ତୁ, ବୈଠକ ସରିବା ପରେ ଯାହା ସାମ୍ନାକୁ ଆସିଛି ସେଥିରେ ବାରୁଦର ଗନ୍ଧ ମଧ୍ୟ ନାହିଁ । ରାଜ୍ୟରେ ଦଳ ନିଜର ସଂଗଠନକୁ ସୁଦୃଢ କରିିବାକୁ ନିଷ୍ପତ୍ତି ନେଇଛି ବୋଲି ଦଳ ପକ୍ଷରୁ ବୟାନ ଆସିଛି । ବିଜେଡି ନେତୃତ୍ୱ ବିଦ୍ରୋହ ପ୍ରସଙ୍ଗକୁ ଏଡାଇ ଯିବାକୁ ଉଦ୍ୟମ କରିଥିବା ଏଥିରୁ ଅନୁମାନ କରି ହେଉଛି । ତେବେ, ମୁନା ଖାନ, ଭୂପିନ୍ଦର ସିଂହ ଓ ଶଶୀ ଭୂଷଣ ବେହେରାଙ୍କ ପରେ କେଉଁ ନେତା ଆଗକୁ ଆସିବେ (?) ଦେଖିବାକୁ ସମସ୍ତଙ୍କ ଅପେକ୍ଷା ରହିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS