ମୁନା ଖାନଙ୍କ ବିଦ୍ରୋହ, ବିଜେଡିରେ ଥିବା ଅସନ୍ତୋଷକୁ ପଦାରେ ପକାଇଛି ?


ଭୁବନେଶ୍ୱର ୧୬/୫
ପ୍ରସାଦ ରାଓ
ମେ’ ୫ ତାରିଖରେ ବିଜେଡିର ନୂତନ ରାଜ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା ପରେ ଦଳରେ ଅସନ୍ତୋଷ କୁହୁଳୁ ଥିଲେ ମଧ୍ୟ ବାହାରକୁ ସବୁ କିଛି ସ୍ୱାଭାବିକ ଥିବା ମନେ ହେଉଥିଲା । ଯେଉଁ କିଛି ବରିଷ୍ଠ ନେତା ବିଭିନ୍ନ କାରଣରୁ ବିଜେଡି ନେତୃତ୍ୱ ବିରୋଧରେ ଗଣମାଧ୍ୟମକୁ ଆସି ଖୋଲାଖୋଲି ବିଷୋଦଗାର କରୁଥିଲେ ସେମାନଙ୍କୁ ଦଳର ପଦପଦବୀରୁ ବଂଚିତ କରାଯାଇଥିବା ବେଳେ ୨୫ ବର୍ଷ ବ୍ୟବଧାନରେ ଗଠିତ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି ‘ରାଜନୈତିକ ବ୍ୟାପାର କମିଟି’ରେ ବହୁ ପୁରୁଖା ନେତା ସ୍ଥାନ ପାଇନଥିଲେ । ୧୦ ଜଣିଆ ରାଜନୈତିକ ବ୍ୟାପର କମିଟିରେ କେବଳ ଅନୁଗତ ହିଁ ସ୍ଥାନ ପାଇଥିଲେ । ପୂର୍ବରୁ ଦଳର ପ୍ରମୁଖ କ୍ଷମତା କେନ୍ଦ୍ର ଥିବା ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପଦକୁ ଦଳର ନେତୃତ୍ୱ ଉଚ୍ଛେଦ କରିଦେବା ସହ କିଛି ବରିଷ୍ଠ ନେତାଙ୍କୁ ବିଭିନ୍ନ ଆଗୁଆ ସଂଗଠନର ପ୍ରମୁଖ ଉପ ସଭାପତି ଦାୟିତ୍ୱ ଦେଇଥିଲେ ଏବଂ ୭୧ ଜଣ ନେତାଙ୍କୁ ବରିଷ୍ଠ ଉପ ସଭାପତି, ଉପ ସଭାପତି, କୋଷାଧ୍ୟକ୍ଷ, ବରିଷ୍ଠ ସାଧାରଣ ସଂପାଦକ ଓ ସାଧାରଣ ସଂପାଦକ ଦାୟିତ୍ୱ ଦେଇ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିଥିଲେ । ସେହିଭଳି, ବିଜେଡି ସଂଖ୍ୟାଲଘୁ ସେଲ୍ର ପୁନର୍ଗଠନ କରାଯାଇ ମୁନା ଖାନ (ମୁଜିବୁଲ୍ଲା ଖାନ)ଙ୍କୁ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯିବା ସହ ଦିଲୀପ ତିର୍କୀଙ୍କ ଆବାହକତ୍ୱରେ ପାଂଚ ଜଣିଆ କମିଟି ଗଠନ ହୋଇଛି, ଯେଉଁଥିରେ କି ରିଜୱାନା ବେଗମ ସହ-ଆବାହକ, ମୁଜିବୁଲ୍ଲା ଖାନ (ମୁନା ଖାନ) ଦକ୍ଷିଣାଂଚଳ, ଆୟୁବ ଖାନଙ୍କ ପଶ୍ଚିମାଂଚଳ ଓ ଏସ.କେ. ନିଜାମୁଦ୍ଦିନଙ୍କୁ କେନ୍ଦ୍ରାଂଚଳ ସଂଯୋଜକ ରହିଛନ୍ତି । ଦଳରେ ହୋଇଥିବା ସାଂଗଠନିକ ପରିବର୍ତ୍ତନ ବରିଷ୍ଠ ନେତାମାନଙ୍କୁ ଅସନ୍ତୁଷ୍ଟ କରିଥିଲେ ମଧ୍ୟ କେହି ଖୋଲାଖୋଲି ସାମ୍ନାକୁ ଆସୁନଥିଲେ । ତେଣୁ, ବିଜେଡି ମୁଖିଆ ଧରି ନେଇଥିଲେ ସବୁକିଛି ନିୟନ୍ତ୍ରଣରେ ରହିଛି । ଏଭଳି ଏକ ପରିସ୍ଥିତିରେ ପହଲଗାମ ନରସଂହାରକୁ ନେଇ ଦେଶରେ ଏକ ଯୁଦ୍ଧର ବାତାବରଣ ସୃଷ୍ଟି ହେଲା । ଦଳମତ ନିର୍ବିଶେଷରେ ସବୁ ରାଜନୈତିକ ଦଳ ପହଲାଗାମ ଘଟଣାକୁ ନିନ୍ଦା କରିବା ସହ ପାକ୍ ପ୍ରୟୋଜିତ ଆତଙ୍କବାଦ ବିରୋଧରେ କେନ୍ଦ୍ର ସରକାରଙ୍କ ସାମରିକ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଦେଲେ । ମେ’ ୭ ତାରିଖରୁ ପାଂଚ ଦିନ ପାକିସ୍ତାନ ବିରୋଧରେ ଭାରତର ଯେଉଁ ସାମରିକ କାର୍ଯ୍ୟାନୁଷ୍ଠାନ ଚାଲିଲା ସେଥିରେ କୌଣସି ରାଜନୈତିକ ଦଳର ଆଭ୍ୟନ୍ତରୀଣ ଅସନ୍ତୋଷ ପଦାକୁ ଆସିବା ସମ୍ଭାବନା ନଥିଲା । ତେବେ, ଭାରତ-ପାକିସ୍ତାନ ମଧ୍ୟରେ ଅସ୍ଥାୟୀ ଯୁଦ୍ଧ ବିରତି ଘୋଷଣାର ଦୁଇ ଦିନ ପରେ ଦଳରେ ହୋଇଥିବା ସାଂଗଠନିକ ପରିବର୍ତ୍ତନକୁ ନେଇ ଅସନ୍ତୋଷ ପଦାକୁ ଆସିଛି । ବିଜେଡି ସଂଖ୍ୟାଲଘୁ ସେଲ୍ ପୂର୍ବତନ ଅଧ୍ୟକ୍ଷ ମୁନା ଖାନ ପଦଚ୍ୟୁତ ହୋଇ ସଂଖ୍ୟାଲଘୁ ସେଲ୍ ର ଦକ୍ଷିଣାଂଚଳ ସଂଯୋଜକ ନିଯୁକ୍ତ ହୋଇଥିବାରୁ ଅସନ୍ତୋଷ ବ୍ୟକ୍ତ କରି ଗତକାଲି ଏହି ପଦବୀରୁ ଇସ୍ତଫା ଦେଇଛନ୍ତି । ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁନାଙ୍କୁ ବିଜେଡି ସଂଖ୍ୟାଲଘୁ ସେଲ୍ ଦକ୍ଷିଣାଂଚଳ ସଂଯୋଜକ ପଦରୁ ଇସ୍ତଫା ନ ଦେବାକୁ କିଛି ନେତା ମନାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ଶୁଣି ନଥିଲେ । ଗତକାଲି ସେ ନିଜର ଇସ୍ତଫାପତ୍ର ଧରି ‘ନବୀନ ନିବାସ’ରେ ପହଂଚି ଥିଲେ ଏବଂ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ନିଜର ଅସନ୍ତୋଷ ଜାହିର କରିବା ସହ ଇସ୍ତଫାପତ୍ର ଧରାଇ ଦେଇଥିଲେ । ନବୀନ ନିବାସରେ ମୁନା ତିନି ଘଂଟା ଥିବା ମଧ୍ୟରେ ରାଜ୍ୟ ବିଜେଡି କାର୍ଯ୍ୟାଳୟ ‘ଶଙ୍ଖ ଭବନ’ରେ ନିରବତା ଛାଇ ରହିଥିଲା । ଦଳର କୌଣସି ନେତା ମୁନାଙ୍କ ଏହି ପଦକ୍ଷେପକୁ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ରାଜି ନଥିଲେ । ‘ସେ ନବୀନ ନିବାସ ଯାଇଛନ୍ତି, ନବୀନ ବାବୁଙ୍କୁ ଭେଟି ଫେରି ଆସିବେ’ ବୋଲି ଜଣେ ନେତା ଏହି ପ୍ରତିନିଧିଙ୍କୁ କହିଥିଲେ । ତେବେ, ମୁନା ଖାନ ନବୀନ ନିବାସ ଛାଡି ସମୟରେ ଗଣମାଧ୍ୟମର ପ୍ରଶ୍ନକୁ ଏଡାଇ ଯାଇଛନ୍ତି । ବିଜେଡି ମଧ୍ୟ ମୁନାଙ୍କ ଇସ୍ତଫା ସଂପର୍କରେ କୌଣସି ଔପଚାରିକ ପ୍ରତିକ୍ରିୟା ରଖି ନାହିଁ । ଯାହା ଖବର ମିଳିଛି, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ମୁନା ଖାନଙ୍କୁ ଶୁଣିବା ପରେ ଚିରାଚରିତ ଢଙ୍ଗରେ ‘କଣ ହୋଇଛି ବୁଝିବା’ କହି ତାଙ୍କୁ ଆଶ୍ୱସ୍ତ କରିଥିଲେ । ମୁନା ମଧ୍ୟ ସାଂଗରେ ନେଇଥିବା ଇସ୍ତଫାପତ୍ର (ସଂଖ୍ୟାଲଘୁ ସେଲ୍ ଦକ୍ଷିଣାଂଚଳ ସଂଯୋଜକ ପଦରୁ) ନବୀନଙ୍କୁ ଧରାଇ ଫେରି ଆସି ଥିଲେ । ଗତକାଲିର ଏହି ଘଟଣା ବିଜେଡି ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଆଂଚଳିକ ଗଣମାଧ୍ୟମରେ ମଧ୍ୟ ଏହା ପ୍ରମୁଖ ଖବର ହୋଇ ଗତକାଲି ଦିନ ସାରା ପ୍ରସାରିତ ହୋଇଥିଲା । ଯେହେତୁ ସାଂସଦ ମୁନା ଖାନ ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ୱାକଫ୍ (ସଂଶୋଧନ) ବିଧେୟକ ବିରୋଧରେ ଭୋଟ ଦେବା ପରେ ଓଡ଼ିଶା ଫେରି ସଂଖ୍ୟାଲଘୁ ସଂପ୍ରଦାୟ ପ୍ରତି ଦଳର ଆଭିମୁଖ୍ୟ କଣ ବୋଲି ପ୍ରଶ୍ନ କରି ନବୀନ ନିବାସରେ ହାଂଗାମା କରିଥିଲେ ଏବଂ ଦଳର ସାଂଗଠନିକ ନିର୍ବାଚନରେ ତାଙ୍କ ପଦ ଅବନତି ପାଇଁ ଏହା ବଡ କାରଣ ଭାବେ ବିଚାର କରାଯାଉଛି, ମୁନାଙ୍କ ଗତକାଲିର ହାଇ-ଡ୍ରାମାକୁ ଗଣମାଧ୍ୟମ ବିଶେଷ ଗୁରୁତ୍ୱ ଦେବା ସ୍ୱାଭାବିକ । ଏଥିରେ କିଛି ସନ୍ଦେହ ନାହିଁ ଯେ, ରାଜ୍ୟସଭା ସାଂସଦ ମୁନା ଖାନ ବିଜେଡିର ପୂର୍ବ ନିଷ୍ପତ୍ତି ଅନୁସାରେ ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ୱାକଫ୍ (ସଂଶୋଧନ) ବିଧେୟକ ବିରୋଧରେ ବୟାନ ଦେଇଥିଲେ । ତେବେ, ବିଧେୟକ ଉପରେ ଭୋଟିଂ ବେଳକୁ ବିଜେଡି ନେତୃତ୍ୱ ମନ ପରିବର୍ତ୍ତନ କରି ବିବେକାନୁମୋଦିତ ଭୋଟ ଦେବାକୁ ଦଳର ସାଂସଦମାନଙ୍କୁ ନିର୍ଦେଶ ଦେଇଥିବା ବେଳେ ମୁନା ଏଭଳି ନିଷ୍ପତ୍ତିକୁ ସନ୍ଦେହ କରି ବିଧେୟକ ବିରୋଧରେ ଭୋଟ ଦେଇଥିଲେ । ଦଳର ପରିବର୍ତ୍ତିତ ନିଷ୍ପତ୍ତି ସଂପର୍କରେ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ଥିବା ଡ.ସସ୍ମିତ ପାତ୍ର ସବୁ ସାଂସଦଙ୍କୁ ସୂଚିତ କରିଥିଲେ ମଧ୍ୟ ବିଜେଡି ସଂଖ୍ୟାଲଘୁ ସେଲ୍ ଅଧୃକ୍ଷ ଥିବା ମୁନା ଖାନ ତାହାକୁ ଗ୍ରହଣ କରିନପାରି ବିଧେକ ବିରୋଧରେ ଭୋଟ ଦେବା ସହ ସଂସଦୀୟ ଦଳ ନେତା ଡ.ସସ୍ମିତ ପାତ୍ରଙ୍କୁ କଠୋର ସମାଲୋଚନା କରିବାକୁ ପଛାଇ ନଥିଲେ । ଓଡ଼ିଶା ଫେରିବା ପରେ ସେ ବିମାନ ବନ୍ଦରରୁ ନବୀନ ନିବାସକୁ ବିରାଟ ଶୋଭାଯାତ୍ରାରେ ଯାଇ ସଂଖ୍ୟାଲଘୁ ସଂପ୍ରଦାୟ ପ୍ରତି ଦଳର ଆଭିମୁଖ୍ୟ କଣ (?) ବୋଲି ନବୀନଙ୍କୁ ପ୍ରଶ୍ନ କରିଥିଲେ । ନବୀନ ନିବାସରେ ପ୍ରଥମ ଥର ପାଇଁ ‘ପାଣ୍ଡିଆନ ଗୋ-ବ୍ୟାକ୍’ ସ୍ଲୋଗାନ’ ଶୁଣିବାକୁ ମିଳିଥିଲା । ସସ୍ମିତଙ୍କ ବିରୋଧରେ ସେ ଅଭିଯୋଗ କରିବାକୁ ତାହାର ତଦନ୍ତ କରାଯିବ ଓ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନବୀନ ତାଙ୍କୁ ଆଶ୍ୱସ୍ତ କରିଥିଲେ । ତେବେ, ନବୀନଙ୍କ ସସ୍ମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ଦୂରେ ଥାଏ ରାଜ୍ୟ ବିଜେଡିର ସାଂଗଠନିକ ନିର୍ବାଚନରେ ମୁନା ଖାନଙ୍କ ପକ୍ଷଛେଦନ କରି ସଂଖ୍ୟାଲଘୁ ସେଲ୍ ÷ଅଧ୍ୟକ୍ଷଙ୍କୁ ଦକ୍ଷିଣାଂଚଳ ସଂଯୋଜକ କରିଛନ୍ତି । ଦିଲ୍ଲୀପ ତୀର୍କିଙ୍କ ତାଙ୍କ ସ୍ଥାନରେ ଆବାହକ ଭାବେ ଅବସ୍ଥାପିତ କରିଛନ୍ତି, ଯାହାକି ମୁନାଙ୍କ ପାଇଁ ଅପମାନସୂଚକ ହୋଇଛି । ଗତକାଲି ସଂଖ୍ୟାଳଘୁ ସେଲ୍ ଦକ୍ଷିଣାଂଚଳ ସଂଯୋଜକ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ଦଳ ତାହା ଗ୍ରହଣ କଲା କି ନାହିଁ ଆଜି ଅପରାହ୍ନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କେବଳ ମୁନା ଖାନ ନୁହନ୍ତି, ବିଜେଡି ରାଜ୍ୟ ସଂଗଠନର ବହୁ ନେତା ପଦପଦବୀକୁ ନେଇ ଅସନ୍ତୁଷ୍ଟ ଥିଲେ ମଧ୍ୟ ମୁହଁ ଖୋଲୁ ନାହାନ୍ତି । ମୁନା ମୁହାଁ ଖୋଲିବା ପରେ ଆଗକୁ ଅନ୍ୟ ନେତା ମଧ୍ୟ ମୁହଁ ଖୋଲି ପାରନ୍ତି । ତେଣୁ, ମୁନାଙ୍କ ବିଦ୍ରୋହ ଦଳ ପାଇଁ ଆଗକୁ କିଭଳି ସମସ୍ୟା ସୃଷ୍ଟି କରିବ ତାହା ଉପରେ ସମସ୍ତଙ୍କ ନଜର ରହିବ, ଏଥିରେ କୌଣସି ସନ୍ଦେହ ନାହିଁ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS