ଓଡ଼ିଶା ବିଜେପି ସଭାପତି ଚୟନ କେବେ ?


ଭୁବନେଶ୍ୱର ୧୨/୫ (ପ୍ରସାଦ ରାଓ): ସମସ୍ତଙ୍କ ଆଖି ଥିଲା ବିଜେଡି ଉପରେ । ୨୦୨୪ ସାଧାରଣ ନିର୍ବାଚନରେ ଆକସ୍ମିକ ପରାଜୟ ପରେ ଦଳ ଏକପ୍ରକାର ବିଶୃଙ୍ଖଳ ଓ ଦିଗହୀନ ହୋଇପଡିଥିଲା । ଦଳରେ ବିଦ୍ରୋହ ଏପରିି ଚରମସ୍ତରରେ ପହଂଚି ଥିଲା ଯେ ଦଳ ଛିନ୍ନଛତ୍ର ହୋଇଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା । ନିଆଁରେ ଘିଅ ଢାଳି ଥିଲେ ବିଜେଡିର ରାଜ୍ୟସଭା ସାଂସଦମାନେ । କେନ୍ଦ୍ର ସରକାରଙ୍କ ଦ୍ୱାରା ସଂସଦରେ ଆଗତ ୱାକଫ୍ ବୋର୍ଡ ସଂଶୋଧନ ବିଧେୟକକୁ ବିଜେଡି ବିରୋଧ କରିବ ବୋଲି ଦଳର ନେତା ନବୀନ ପଟ୍ଟନାୟକ ପ୍ରଥମେ ଘୋଷଣା କରିଥିଲେ ମଧ୍ୟ ଠିକ୍ ଭୋଟିଂ ସମୟରେ ବିବେକାନୁମୋଦିତ ଭୋଟ ଦେବାକୁ ନିର୍ଦେଶ ଯାଇଥିଲା । ଫଳରେ, ବିଜେଡି ରାଜ୍ୟସଭା ସାଂସଦମାନେ ବିଭ୍ରାନ୍ତ ହେବା ସହ ଅଧିକାଂଶ ସାଂସଦ ବିଧେୟକ ସପକ୍ଷରେ ଭୋଟ ଦେଇ ଦଳ ଭିତରେ ବିଭେଦକୁ ଚରମରେ ପହଂଚାଇ ଥିଲେ । ବିଜେଡି ନେତୃତ୍ୱର ଏଭଳି ଦୋମୁହାଁ ଆଚରଣକୁ ଦଳର ଅଧିକାଂଶ ବରିଷ୍ଠ ନେତା ବିରୋଧ କରିବା ସହ ଦଳର ମୁଖ୍ୟଙ୍କୁ କୈଫିୟତ ମାଗିବାକୁ ପଛାଇ ନଥିଲେ । ଏଭଳି ସ୍ଥିତିରେ ବିଜେଡି କେତେବେଳେ ଯେ ଭାଂଗି ଗୁଣ୍ଡ ହୋଇଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଚାଲିଥିବା ଦଳର ସାଂଗଠନିକ ନିର୍ବାଚନ ଶେଷ ହେବା ପରେ ସବୁ କିଛି ସ୍ୱାଭାବିକ ହୋଇଯିବ ବୋଲି ବିଜେଡି ମୁଖ୍ୟଙ୍କ ଅନୁଗତ ନେତାମାନେ ଆଶାବ୍ୟକ୍ତ କରିଥିଲେ । ବାସ୍ତବରେ ତାହା ହିଁ ହୋଇଛି । ଦଳରେ ବିଦ୍ରୋହ ସଂପୂର୍ଣ୍ଣ ଥମି ନଥିଲେ ମଧ୍ୟ ଏପ୍ରିଲ ୧୯ ତାରିଖ ଦିନ ଦଳର ମୁଖ୍ୟ ନବୀନ ପଟ୍ଟନାୟକ ନିଦ୍ଦ୍ୱର୍ନ୍ଦ୍ୱରେ ନବମ ଥର ପାଇଁ ବିଜେଡି ସଭାପତି ନିର୍ବାଚିତ ହୋଇଛନ୍ତି । ସଭାପତି ନିର୍ବାଚନ ପୂର୍ବରୁ ଦଳ ୩୩ ସାଂଗଠନିକ ଜିଲ୍ଲାରୁ ୧୮ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରି ସଭାପତି ନିର୍ବାଚନ ପାଇଁ ବାଟ ଫିଟାଇ ଦେଇଥିଲା । ବଳକା ୧୫ଟି ଜିଲ୍ଲାରୁ ଛଅଟି ଜିଲ୍ଲାର ସଭାପତିଙ୍କ ନାମ ମେ’ ୫ ତାରିଖ ଦିନ ଘୋଷଣା ସରିଛି । ଆଉ ୯ଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା ବାକି ରହିଛି । ମେ’ ୫ରେ ବିଜେଡିର ରାଜ୍ୟ ସଂଗଠନର କାର୍ଯ୍ୟକର୍ତ୍ତାମାନଙ୍କ ନାମ ମଧ୍ୟ ଘୋଷଣା ସରିଛି । ୨୫ ବର୍ଷ ପରେ ଦଳର ରାଜନୈତିକ ବ୍ୟାପାର କମିଟି ଗଠନ ହୋଇଛି ଏବଂ ନବୀନ ତାହାର ଅଧ୍ୟକ୍ଷ ରହି ସେ ହିଁ ବିଜେଡିର ସର୍ବେସର୍ବା ବୋଲି ସଂକେତ ଦେଇଛନ୍ତି । ବିଜେଡି ରାଜନୈତିକ ବ୍ୟାପାର କମିଟି ସମେତ ରାଜ୍ୟ ସାଂଗଠନିକ କାର୍ଯ୍ୟକର୍ତ୍ତା ଚୟନରେ ବରିଷ୍ଠତା ଓ ଅଭିଜ୍ଞତା ଅପେକ୍ଷା ଆନୁଗତ୍ୟକୁ ପ୍ରଧାନ୍ୟ ଦିଆଯାଇଥିବାରୁ ଦଳର ଅଧିକାଂଶ ବରିଷ୍ଠ ନେତା ଅସନ୍ତୁଷ୍ଟ । ତଥାପି, କାଁ ଭାଁ କେତେଜଣଙ୍କୁ ଛାଡି ଦେଲେ ଅନ୍ୟମାନେ ଅସନ୍ତୋଷକୁ ଢୋକି ନେଇଛନ୍ତି । ବିଜେଡିର ସାଂଗଠନିକ ନିର୍ବାଚନ ସରି କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା ସରିବା ପରେ ଏବେ ଚର୍ଚ୍ଚକୁ ଆସି ଯାଇଛି ବିଜେପିର ସଭାପତି ନିର୍ବାଚନ । ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ କାର୍ଯ୍ୟକାଳ ୨୦୨୩ରୁ ସରବା ପରେ ୨୦୨୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ କାର୍ଯ୍ୟକାଳ ବୃଦ୍ଧି ହୋଇଥିଲା । ନିର୍ବାଚନ ସରିଲେ ଦଳକୁ ଜଣେ ନୂଆ ସଭାପତି ମିଳିବେ ବୋଲି ରାଜ୍ୟ ବିଜେପି ନେତାମାନେ ଆଶା ରଖିଥିଲେ । ତେବେ, ନିର୍ବାଚନ ସରି ରାଜ୍ୟରେ ବିଜେପି ସରକାର ଗଠନର ଏଗାର ମାସ ହେଲାଣି, ରାଜ୍ୟକୁ ନୂଆ ସଭାପତି ମିଳି ନାହାନ୍ତି । ରାଜ୍ୟ ବିଜେପି ସଭାପତି ପଦ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଗୋଷ୍ଠୀ ମଧ୍ୟରେ ଯେଉଁ ଛକାପଂଝା ଚାଲିଛି ତାହା ବିଜେପି ରାଷ୍ଟ୍ରୀୟ ନେତୃତ୍ୱକୁ କୌଣସି ନିଷ୍ପତ୍ତି ନେବାରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଆଲୋଚନା ହେଉଛି । ଜୁନ ୧୨ ତାରିଖରେ ରାଜ୍ୟରେ ନୂଆ ବିଜେପି ସରକାର ଶପଥ ନେଇଥିଲେ । ବିଜେପି ସଭାପତି ସାମଲ ବିଧାନସଭା ନିର୍ବାଚନରେ ହାରିବାରୁ ମୁଖ୍ୟମନ୍ତ୍ରୀ ହେବାରୁ ବଂଚିତ ହୋଇଥିବା ବେଳେ ବିଜେପି ରାଷ୍ଟ୍ରୀୟ ନେତୃତ୍ୱ କେଉଁଝର ବିଧାୟକ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧାଇ ଧର୍ମେନ୍ଦ୍ରଙ୍କ ଆଶା ମଉଳାଇ ଦେଇଥିଲେ । ସାମଲଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପିର ସରକାର ପ୍ରତିଷ୍ଠା ହୋଇଥିବାରୁ ସେ ସଭାପତି ପଦରେ ଆଗକୁ ମଧ୍ୟ ରହିବାକୁ ଦାବିଦାର ଥିବା ବେଳେ କେନ୍ଦ୍ର ମନ୍ତ୍ରୀ ପ୍ରଧାନ ତାଙ୍କ ଘନିଷ୍ଟ ସମର୍ଥକ ଭାବେ ଜଣାଶୁଣା ଗୋଲକ ମହାପାତ୍ରଙ୍କୁ ବିଜେପି ରାଜ୍ୟ ସଭାପତି କରିବାକୁ ଅଂଟା ଭିଡିଛନ୍ତି । ଏଭଳି ସ୍ଥିତିରେ ବିଜେପିର ସଭାପତି ଝଗଡା ତୁଟୁନି । ୨୦୨୫ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟ ବିଜେପିକୁ ନୂଆ ସଭାପତି ମିଳିବେ ବୋଲି ଦଳର ରାଷ୍ଟ୍ରୀୟ ନେତାମାନେ ଯେଉଁ ଘୋଷଣା କରିଥିଲେ । ତେବେ, ମେ’ ମାସ ହେଲାଣି ସଭାପତି କିଏ ହେବ ଘୋଷଣା ହୋଇପାରୁନି । ବାରମ୍ବାର ବିଜେପି ରାଷ୍ଟ୍ରୀୟ ନେତାମାନେ ଓଡିଶା ଆସୁଛନ୍ତି, ରାଜ୍ୟ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରୁଛନ୍ତି, ଦଳରେ ଲାଗି ରହିଥିବା ଆଭ୍ୟନ୍ତରୀଣ କନ୍ଦଳ ରାଜ୍ୟ ବିଜେପିର ଦୁର୍ବଳତାକୁ ପଦାରେ ପକାଇବା ସହ ମୋହନ ମାଝୀଙ୍କ ସରକାରକୁ ମଧ୍ୟ ପ୍ରଭାବିତ କରୁଛି ଚେତାଉଛନ୍ତି । ତଥାପି, ଛକାପଂଝାର ଅବସାନ ଘଟୁନି କି ନୂଆ ସଭାପତିଙ୍କ ନାମ ଘୋଷଣା ହୋଇପାରୁନି । ଏବେ ବିଜେପି ନେତାମାନେ କହୁଛନ୍ତି, ସରକାରଙ୍କୁ ବର୍ଷ ପୂରିବା ବେଳକୁ ନୂଆ ରାଜ୍ୟ ସଭାପତିଙ୍କ ନାମ ଘୋଷଣା ସରିଥିବ । ବିଜେପିର ନୂଆ ରାଜ୍ୟ ସଭାପତିଙ୍କ ନାମ ଘୋଷଣା ଯେତେ ବିଳମ୍ବିତ ହେଉଛି ଅନ୍ୟାନ୍ୟ ରାଜ୍ୟସ୍ତରୀୟ କାର୍ଯ୍ୟକର୍ତ୍ତା ଚୟନ ମଧ୍ୟ ସେତିକି ବିଳମ୍ବିତ ହେଉଛି । ସମାଲଙ୍କ ସଭାପତିତ୍ୱରେ ବିଭିନ୍ନ ପଦପଦବୀରେ ଥିବା ନେତାମାନେ ଆଗକୁ ରହିବେ କି ନୂଆ ସଭାପତି କିଏ ଆସିଲେ ବଦଳିବେ (?) – ସେନେଇ ସନ୍ଦେହରେ ଅଛନ୍ତି । ତେଣୁ, ରାଜ୍ୟ ସରକାର ଓ ଦଳ ମଧ୍ୟରେ ଯେଭଳି ସମନ୍ୱୟ ରହିବା କଥା ରହୁନି । ମୋହନ ମାଝୀଙ୍କ ସରକାରରେ ଛଅଟି ମନ୍ତ୍ରୀ ପଦ ସହ ବିଭିନ୍ନ ନିଗମ, ସରକାରୀ, ବେସରକାରୀ ପ୍ରତିଷ୍ଠାନର ଅଧ୍ୟକ୍ଷ ନିଯୁକ୍ତି ହୋଇ ପାରୁନି । ସରକାରୀ ଓକିଲ ନିଯୁକ୍ତି ମଧ୍ୟ ବିଳମ୍ବିତ ହୋଇ ଚାଲିଛି । ବିଭିନ୍ନ ପଦପଦବୀ ପାଇଁ ଆଶାୟୀ ବିଜେପି ନେତାମାନେ ଏକପ୍ରକାର ନିରାଶାରେ ଥିବା ଦେଖିବାକୁ ମିଳୁଛି । ବିଜେପି ରାଷ୍ଟ୍ରୀୟ ସଭାପତି ଡକ୍ଟର ଜେପି ନଡ୍ଡା ଯେତେବେଳେ ବି ଓଡ଼ିଶା ଗସ୍ତରେ ଆସୁଛନ୍ତି ଦଳୀୟ ନେତାଙ୍କ ବୈଠକ କରି ନିଜ ଭିତରେ ଥିବା ଅବୁଝାମଣା ଦୂର କରିବାକୁ ପରାମର୍ଶ ଦେଉଛନ୍ତି । ନିକଟରେ ପୁରୀରେ ଅନୁଷ୍ଠିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦଳୀୟ ବିଧାୟକ ଓ ସାଂସଦମାନଙ୍କୁ ଅହଂଭାବ ଛାଡି ଲୋକଙ୍କ ନିକଟକୁ ଯିବାକୁ ଓ ଲୋକଙ୍କ କାମ କରିବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ କଂଗ୍ରେସକୁ ସଭାପତି ଭାବେ ମିଳି ସାରିଛନ୍ତି । ନବୀନ ପଟ୍ଟନାୟକ ନବମ ଥର ପାଇଁ ବିଜେଡି ସଭାପତି ହୋଇଛନ୍ତି । କେବଳ ବିଜେପି ବାକି ରହିଛି । ବିଜେପି ଚାଣକ୍ୟ ତଥା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମେ’ ୧୦ ଓ ୧୧ରେ ଦୁଇ ଦିନ ପାଇଁ ଓଡ଼ିଶା ଗସ୍ତରେ ଆସି ଦଳୀୟ ନେତାଙ୍କ ସହ ଆଲୋଚନା କରିବା ପରେ କିଛି ଜଣାପଡିବ ବୋଲି ଆଶା କରାଯାଉଥିଲା । ତେବେ, ପହଲଗାମ ନରସଂହାରକୁ ନେଇ ପାକିସ୍ତାନ ବିରୋଧରେ ଭାରତର ସେନା କାର୍ଯ୍ୟାନୁଷ୍ଠାନ ଚାଲିଥିବା କାରଣରୁ ଶାହା ଓଡ଼ିଶା ଗସ୍ତ ବାତିଲ କରିଥିଲେ । ଗତକାଲି ସନ୍ଧ୍ୟାରୁ ଦୁଇ ଦେଶ ମଧରେ ଅସ୍ତ୍ର ବିରତି ହୋଇ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ରହିଛି । ଏବେ ପୁଣି ଥରେ ବିଜେପିର ସଭାପତି ଚୟନ ଚର୍ଚ୍ଚକୁ ଆସି ଯିବ ବୋଲି ରାଜନୈତିକ ବିଶ୍ଲେଷକମାନେ ଅନୁମାନ କରୁଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS