ଦେଶର ପରିବର୍ତୀତ ରାଜନୈତିକ ପରିସ୍ଥିତି ଜନତା ପାଇଁ ସତର୍କଘଂଟି…!
– ପ୍ରସାଦ ରାଓ –
ଭୁବନେଶ୍ୱର
୩ ଅଗଷ୍ଟ,୨୦୧୭
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଏନଡ଼ିଏ ସରକାର ପ୍ରତିଷ୍ଠା ହେବା ଦିନ ଠାରୁ ଦେଶରେ ଯେଉଁ ସୁଖଦ ଓ ଦୁଃଖଦ ରାଜନୈତିକ ପରିବର୍ତନ ଆସିଛି, ତାହା ଦେଶବାସୀଙ୍କୁ କେଉଁ ଆଡକୁ ଟାଣି ନେଉଛି, ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ତେବେ, ଦେଶରେ ଗୋଟିଏ ସରକାର ରହିଛି ଏବଂ କାମ କରୁଛି, ସମସ୍ତେ ତାହା ଅନୁଭବ କରୁଛନ୍ତି । ମୋଦୀ ସରକାର ପୂର୍ବରୁ ଦଶ ବର୍ଷ କେନ୍ଦ୍ରରେ ୟୁପିଏ ସରକାର ଥିଲା । ତକ୍ରାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିଜ୍ଞତାକୁ ନେଇ କାହାରି ସନେ୍ଦହ ନଥିଲା । କିନ୍ତୁ, ସରକାରର ମଙ୍ଗ ଯେ ସିଂହଙ୍କ ହାତରେ ନାହିଁ, ଏକଥା ପ୍ରତ୍ୟେକ ଭାରତବାସୀ ଜାଣିକଥିଲେ । ଯେଉଁମାନେ ମଙ୍ଗ ଧରି ଥିଲେ, ସେମାନେ ନିଜ ସ୍ୱାର୍ଥ ପାଇଁ ଜନସ୍ୱାର୍ଥକୁ ‘ବଳୀ’ ଦେବାକୁ ପଛାଉ ନ ଥିଲେ । ହଜାର ହଜାର କୋଟି ଟଙ୍କାର ବିଭିନ୍ନ ଦୁର୍ନୀତି ୟୁପିଏ ସରକାରଙ୍କୁ ନିନ୍ଦିତ କରିଥିଲା । ପ୍ରଧାନମନ୍ତ୍ରୀ ସିଂହ ଲଗାମ ଲଗାଇବା ସ୍ଥିତିରେ ନଥିଲେ । କେବଳ ୟୁପିଏର ମଙ୍ଗ ଧରିଥିବା କଂଗ୍ରେସ ନୁହେଁ, ସହଯୋଗୀ ଆରଜେଡ଼ି, ଡ଼ିଏମକେ ଓ ଅନ୍ୟ ଦଳର ନେତାମାନେ ଦୁର୍ନୀତିକୁ ‘ନୀତି’ କରି ଦେଶବାସୀଙ୍କ ମନରେ ଧାରଣା ସୃଷ୍ଟି କରିଥିଲେ ଯେ, ଏହି ବ୍ୟାଧୀର କୌଣସି ପ୍ରତିକାର ନାହିଁଁ । ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ୫ ବର୍ଷରୁ ଅଧିକ କାରାଦଣ୍ଡ ହେଲେ ଜଣେ ରାଜନେତା ଛଅ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢି ପାରିବେ ନାହିଁଁ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ଦେବା ପରେ ଆରଜେଡ଼ି ମୁଖ୍ୟ ଲାଲୁ ଯାଦବଙ୍କୁ ସୁରକ୍ଷା ଦେବା ପାଇଁ କଂଗ୍ରେସ ଏକ ଅଧ୍ୟାଦେଶ ଆଣିବାକୁ ଉଦ୍ୟମ କଲା । ତକ୍ରାଳୀନ ପ୍ରଧାନମନ୍ତ୍ରୀ ସିଂହ, କାହା ଚାପରେ ହେଉ ନା କାହିଁଁକି, ଅଧ୍ୟାଦେଶ ଆଣିବା ସକାଶେ ପ୍ରସ୍ତୁତ ସାରି ଥିବା ବେଳେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀରେ ତାହାକୁ ‘ନନ୍ସେନ୍ସ’ କହି ଡ଼୍ରାଫ୍ଟ୍ ଅଧ୍ୟାଦେଶକୁ ଫାଡି ଦେବାରୁ ଗଣତନ୍ତ୍ର ବର୍ତି ଯାଇଥିଲା । ସିଂହଙ୍କୁ ତାହା ବାଧି ଥିଲା । ତେବେ, ରାହୁଲଙ୍କୁ ସବୁ ମହଲରେ ପ୍ରଶଂସା, ପଛରେ ଥିବା କଂଗ୍ରେସ ରାଜନୀତିକୁ ଉଜାଗର କରିଥିଲା । ରାହୁଲ ଜଣେ ସ୍ପର୍ଶକାତର ଯୁବ ନେତା ବୋଲି ଯେଉଁ ଧାରଣା ସୃଷ୍ଟି କରାଯାଇଥିଲା ପରବର୍ତୀ ସମୟରେ ତାହା ପ୍ରତିପାଦିତ ହୋଇପାରି ନାହିଁ । ଦେଶର ସର୍ବ ପୂରାତନ ରାଜନୈତିକ ଦଳ କଂଗ୍ରେସର ଆଜିର ଦୟନୀୟ ଅବସ୍ଥା ପାଇଁ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଯୁବରାଜ ରାହୁଲଙ୍କୁ ସମାନ ଭାବେ ଦାୟୀ କରାଯାଉଛି ।
ୟୁପିଏ ସରକାର ଅମଳରେ ଦେଶରେ ଯେଲିକମ୍ ଓ ଅନ୍ୟାନ୍ୟ କ୍ଷେତ୍ରରେ ହୋଇଥିବା ହଜାର ହଜାର କୋଟି ଟଙ୍କାର ଦୁର୍ନୀତିର ଉଚିତ ଜବାବ ଦେଇଥିଲେ ଦେଶର ଜନସାଧାରଣ ୨୦୧୪ ସାଧାରଣ ନିର୍ବାଚନରେ । ୟୁପିଏ ପ୍ରାୟତଃ ମୂଳପୋଛ ଅବସ୍ଥାକୁ ଚାଲି ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡ଼ିଏ ସରକାର ବିପୁଳ ଜନମତ ଆଧାରରେ ଦେଶର ଶାସନ କରୁଛି । ଗଲା ତିନି ବର୍ଷରେ ସରକାର ବିରୋଧରେ ଗୋଟିଏ ବି ଦୁର୍ନୀତି ଅଭିଯୋଗ ଆସି ନ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଗର୍ବର ସହ କହୁଛନ୍ତି । ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଏହାକୁ ପ୍ରଚାରର ମୁଖ୍ୟ ଆଧାର କରିଛନ୍ତି । ବିଜେପି ସରକାରରେ ଦେଶର ବଡ ବଡ ଶିଳ୍ପପତି ହିଁ ଉପକୃତ ହେଉଛନ୍ତି ବୋଲି ବିରୋଧୀଙ୍କ ପ୍ରଚାର ପ୍ରଭାବ ହୀନ ମନେ ହେଉଛି । ଦେଶରେ ଯେଉଁ ଭଳି ଗେରୁଆ ରାଜନୀତି ବିଛାଇ ହେବାରେ ଲାଗିଛି, ତାହା ନରେନ୍ଦ୍ର ମୋଦୀଙ୍କ ‘କରିସ୍ମା’ ବୋଲି ବିରୋଧୀମାନେ ବି ବିଶ୍ୱାସ କରୁଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ କୂଟ ବୁଦ୍ଧି ଓ ନରେନ୍ଦ୍ର ମୋଦୀଙ୍କ ବାକ୍ଚାତୁରୀ ଦେଶର ୧୮ଟି ରାଜ୍ୟରେ ବିଜେପି ଓ ତାହାର ସହଯୋଗୀ ଦଳଙ୍କୁ କ୍ଷମତାସୀନ କରାଇଛି । ଓଡ଼ିଶା, ପଶ୍ଚିମ ବଙ୍ଗ, କେରଳ ସମେତ ଦକ୍ଷିଣାଂଚଳ ରାଜ୍ୟଙ୍କୁ ଏବେ ଟାର୍ଗଟ୍ କରାଯାଇଛି । କେରଳର କମ୍ୟୁନିଷ୍ଟ୍ ସରକାର ବିଜେପି ଓ ହିନ୍ଦୁବାଦୀଙ୍କ ପ୍ରତି ଦମନମୂଳକ ଆଚରଣ ପ୍ରଦର୍ଶ କରୁଥିବା ଏବଂ ବିଜେପି କର୍ମୀଙ୍କୁ ଆଖିବୁଜା ହତ୍ୟା କରାଯାଉଥିବା ଅଭିଯୋଗ ଦେଶର ରାଜନୀତିକୁ ଗରମ କରି ରଖିଛି । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଥିବା ତୀକ୍ତ ସଂପର୍କ ସମସ୍ତେ ଜାଣନ୍ତି । ବିଜେପି ଆସାମରେ ସରକାର ପ୍ରତିଷ୍ଠା କରିବା ପରେ ପଛିମ ବଙ୍ଗ ପିଛା ପଡ଼ିଛି । ଗୋର୍ଖାଲ୍ୟାଣ୍ଡ୍ ଆନେ୍ଦାଳନ ଏବେ ରାଜ୍ୟ ରାଜନୀତିକୁ ଅସ୍ଥିର କରି ରଖିଛି । ଓଡ଼ିଶାରେ ସକାଳୁ ଉଠିଲେ ବିଜେଡ଼ି ଓ ବିଜେପି ନେତାମାନେ ‘ସଉତୁଣୀ’ଙ୍କ ଭଳି ରାସ୍ତାଘାଟ ଓ ଟେଲିଭିଜନ ଚ୍ୟାନେଲରେ କଳି କରୁଛନ୍ତି । ୨୦୧୭ ପଂଚାୟତ ନିର୍ବାଚନରେ ସାମାନ୍ୟ ଅଧିକ ଜିଲ୍ଲା ପରିଷଦ ଆସନ ପାଇ ବିଜେପି ଉତ୍ସାହିତ । ଭାବୁଛି, ବିଜେଡ଼ିକୁ ରାଜ୍ୟବାସୀ ପ୍ରତ୍ୟାଖାନ କଲେଣି । ରାଜ୍ୟରେ କଂଗ୍ରେସ ଏକ ଅନିଶ୍ଚିତ ଭବିଷ୍ୟତ ମଧ୍ୟ ଦେଇ ଗତି କରୁ ଥିବାରୁ ଏହି ମଉକାରେ ବିଜେପି କ୍ଷମତାସୀନ ହୋଇ ପାରିବ । ନରେନ୍ଦ୍ର ମୋଦୀ ଓ ଅମିତ ଶାହାଙ୍କ ବିଶ୍ୱସ୍ତ ସେନାପତି ଭାବେ ପରିଚିତ କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଦଳର ମୁଖପାତ୍ର ଥିବା ସଜ୍ଜନ ଶର୍ମା, ଗୋଲକ ମହାପାତ୍ର, ଭୃଗୁ ବକ୍ସିପାତ୍ର, ପୃଥ୍ୱୀରାଜ ହରିଚନ୍ଦନଙ୍କ ଭଳି ଯୁବ ନେତୃତ୍ୱ ଦଳର ମୋର୍ଚ୍ଚା ସମ୍ଭାଳୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଡୁୁଆରେ ପକାଇବା ପାଇଁ କୌଣସି ଇସ୍ୟୁ ବା ସୁଯୋଗକୁ ସେମାନେ ହାତଛଡା କରୁ ନାହାନ୍ତି । ବିଜେଡ଼ିର ବ୍ୟାଙ୍କ୍ ଆକାଉଂଟ୍କୁ ନେଇ ହେଉ ବା ହିଂଜିଳୀ ନିର୍ବାଚନ ମଂଡଳୀରେ ୨୦୧୪ ନିର୍ବାଚନରେ ହୋଇଥିବା ଖର୍ଚକୁ ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ହିସାବକୁ ନେଇ ହେଉ, ନବୀନଙ୍କୁ ଘେରିବା ରାଜ୍ୟ ବିଜେପିର କୌଶଳ ହୋଇଛି । ତାହା ବିଜେଡ଼ି ଓ ନବୀନଙ୍କ ଭାବମୂର୍ତୀରେ ଆଂଚ ଆଣୁ ଥିବା କେହି ଅସ୍ୱୀକାର କରିପାରିବେ ନାହିଁ । ଅନ୍ୟପକ୍ଷରେ, ବିଜେଡ଼ିର ଦଳୀୟ ପ୍ରବକ୍ତାମାନେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କୁ ଢାଲ କରି ବିଜେପି ବିରୋଧରେ ମେର୍ଚା ଖୋଲିଛନ୍ତି ।
ଦକ୍ଷିଣାଂଚଳ ରାଜ୍ୟ ମଧ୍ୟରୁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଗତ ରାଷ୍ଟ୍ରପତି ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ମୋଦୀଙ୍କ ପ୍ରତି ସମର୍ଥନର ସଂକେତ ଦେଇଥିଲେ । ଚନ୍ଦ୍ରବାବୁ ମୂଳରୁ କଂଗ୍ରେସ ବିରୋଧୀ ରାଜନୀତି କରୁଛନ୍ତି ଏବଂ ଏନଡ଼ିଏ ସହିତ ଅଛନ୍ତି । ତେବେ, ଚନ୍ଦ୍ରଶେଖର ରାଓ କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ କଂଗ୍ରେସର ହାତଛାଡି ଏନଡ଼ିଏରେ ସାମିଲ ହୋଇଛନ୍ତି । ତାମିଲନାଡୁରେ ଡ଼ିଏମ୍କେ ୟୁପିଏ ସହ ରହି ଥିବାରୁ ଏନଡ଼ିଏରେ ଏଆଇଡ଼ିଏମକେକୁ ସାମିଲ ପାଇଁ ମୋଦୀ-ଶାହା ଯୋଡି ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଲିତାଙ୍କ ମୃତ୍ୟୁ ପରଠାରୁ ଗୋଟି ଚଳାଇ ଆସିଛନ୍ତି । ରାଜ୍ୟରେ ତୀବ୍ର ଅନ୍ତଦ୍ୱର୍ନ୍ଦ୍ୱ ଦେଇ ଗତି କରୁଥିବା ଏଆଇଡ଼ିଏମକେର ପନିରସେଲଭମ୍ ଓ ପାଲାନିସ୍ୱାମୀ ଗୋଷ୍ଠୀ ମଧ୍ୟରେ ସଲାସୁତୁରା କରାଇ ଏନ୍ଡ଼ିଏରେ ସାମିଲ କରାଇବା ଯୋଜନା ଚୂଡାନ୍ତ ସ୍ତରରେ ରହିଛି । ଏବେ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଏମ୍. ଭେଙ୍କାୟା ନାଇଡୁଙ୍କୁ ଦେଶର ଉପ-ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ଦକ୍ଷିଣ ଭାରତୀୟଙ୍କୁ ଦଳ ପ୍ରତି ଆକୃଷ୍ଟ କରିଛି । ପଂଜାବ କଂଗ୍ରେସ ଦଖଲରେ ଅଛି । ୨୦୧୮ ଓ ୧୯ରେ ନିର୍ବାଚନ ହେବାକୁ ଥିବା ରାଜ୍ୟ ମଧ୍ୟରୁ ରାଜସ୍ଥାନ,ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ଼ ବିଜେପି ଶାସନାଧିନ ଥିବା ବେଳେ ହିମାଚଳ ପ୍ରଦେଶରେ କଂଗ୍୍େରସର କ୍ଷମତାସୀନ ରହିଛି । ତେବେ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ବ୍ୟାପକ ଦୁର୍ନୀତି ଓ ଆୟ ବହିର୍ଭୁତ ସଂପତ୍ତି ଠୁଳ କରିବା ମାମଲାରେ ଛନ୍ଦି ହୋଇ ରହିଛନ୍ତି । ସରକାର ବିରୋଧରେ ଥିବା ସିବିଆଇ ମାମଲା ଓ ଜନ ଅସଂତୋଷ ବିଜେପିକୁ ଫାଇଦା ଦେବା ଆଶା କରାଯାଉଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିର୍ମଳ ଭାବମୂର୍ତୀ ଏବଂ ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରିବାରେ ନିଷ୍ଠାଭାବ ବିଜେପି ପାଇଁ ବଡ ଚ୍ୟାଲେଂଜ୍ ଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ମୁଖ୍ୟ ଅମିତ ଶାହା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଂଗ୍ରେସ-ଆରଜେଡ଼ି-ଜେଡ଼ିୟୁ ମହାମେଂଟରୁ ୟଭିନି ଆଣି ବିହାରରେ ଜେଡ଼ିୟୁ-ବିଜେପିର ମିଳିତ ସରକାର ପ୍ରତିଷ୍ଠା ମାଧ୍ୟମରେ ଏହି ବାଧା ଦୂର କରିଛନ୍ତି । ବିହାରରେ ଜୁଲାଇ ୨୬/୨୭ ତାରିଖରେ ଘଟି ଥିବା ଇସ୍ତପା ଓ ନୂତନ ସରକାର ଗଠନ ନାଟକ ଭାରତୀୟ ରାଜନୀତିରେ କିଛି ଅସାଧାରଣ ଘଟଣା ନ ଥିଲା । ବିଳମ୍ବରେ ହେଲ ବି ରାଜ୍ୟ ରାଜନୀତି କଡ ଲେଉଟାଇବ ବୋଲି ସମସ୍ତେ ଜାଣିଥିଲେ । କାରଣ, ନୀତୀଶଙ୍କ ଭଳି ଜଣେ ସ୍ୱାଭିମାନୀ ନେତା କଂଗ୍ରେସର ନିଷ୍କ୍ରୀୟ ନେତୃତ୍ୱ ଓ ଲାଲୁଙ୍କ ଭଳି ଜଣେ କଥିତ ଦୁର୍ନୀତିଗ୍ରସ୍ତ ଓ ସ୍ୱାର୍ଥସର୍ବସ୍ୱ ନେତାଙ୍କ ସହ ଅଧିକ ଦିନ ଗୋଟିଏ ଛାତ ତଳେ ଏକାଠି କାମ କରିବା ସମ୍ଭବ ନଥିଲା । ସମୟର ଆବଶ୍ୟକତାକୁ ନେଇ ସେମାନଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ୩୬ ଘଂଟା ମଧ୍ୟରେ ଗୋଟିଏ ସରକାରର ପତନ ଓ ଅଉ ଗୋଟିଏ ସରକାର କ୍ଷମତାସୀନ ହେବା ଏବଂ ମୁଖ୍ୟମନ୍ତ୍ରୀ ଅପରିବର୍ତୀତ ରହିବା ବିରଳ ଘଟଣା ହୋଇପାରେ, କିନ୍ତୁ ଅତୀତରେ ବି ଅଣ କଂଗ୍ରେସ ଶାସନରେ ଏଭଳି ନଜିର ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଭିପି ସିଂହଙ୍କୁ ଗାଦିଚ୍ୟୁତ କରି ଦେଶରେ କଂଗ୍ରେସ ସମର୍ଥନରେ ଜନତା ପାର୍ଟି ନେତା ଚନ୍ଦ୍ରଶେଖର ସରକାର ଗଠନ କରିବା ସହ ନିଜେ ପ୍ରଧାନମନ୍ତ୍ରୀ ହୋଇଥିଲେ ।
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୧୩ରେ ବିଜେପିର ହାତ ଛାଡିବାର ମୁଖ୍ୟ କାରଣ ଥିଲେ ବର୍ତମାନର ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମାଦୀ । ବିଜେପି ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରି ୨୦୧୪ ନିର୍ବାଚନର ନେତୃତ୍ୱ ନେବାକୁ ଆଗକୁ ଛାଡିବାରୁ ନୀତୀଶ ଅସନ୍ତୁଷ୍ଟ ହୋଇ ବିଜେପି ହାତ ଛାଡି ଥିଲେ । ବିହାରରେ ଚାଲିଥିବା ସରକାରରୁ ବିଜେପି ବିଦାୟ ନେଇ ଥିଲା । ୨୦୧୪ ସାଧାରଣ ନିର୍ବାଚନରେ ତୀବ୍ର ମୋଦୀ ହାୱା ଯୋଗୁ ବିହାରରେ ଜେଡ଼ିୟୁ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୪୦ ଲୋକସଭା ଆସନରୁ ମାତ୍ର ୨ଟି ଜେଡ଼ିୟୁ ଖାତାକୁ ଆସିବାରୁ ନୀତୀଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ନିଜର ଘନିଷ୍ଠ ସହଯୋଗୀ ଆଦିବାସୀ ବିଧାୟକ ଜୀତନ ରାମ ମାଂଝୀଙ୍କୁ ମୁଖ୍ୟମନ୍ତ୍ରୀ କଲେ । କିଛି ମାସ ପରେ ମାଂଝୀ ଜେଡ଼ିୟୁକୁ ଠିକ୍ ଦିଗଦର୍ଶନ ଦେଇ ପାରୁ ନଥିବା ଅଭିଯୋଗ କରି ନୀତୀଶ ତାଙ୍କୁ ହଟାଇ ପୁନର୍ବାର ବିହାର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଲେ । ବିହାରରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ସକାଶେ ୨୦୧୫ ନିର୍ବାଚନରେ ସେ ଆରଜେଡ଼ି ଓ କଂଗ୍ରେସ ସହ ମହାମେଂଟ ଗଠନ କଲେ । ନୀତୀଶଙ୍କ ପରିଶ୍ରମ ଯୋଗୁ ମହାମେଂଟ ସଂଖ୍ୟା ଗରିଷ୍ଠତା ପାଇ କ୍ଷମତାକୁ ଆସିଲା । ନୀତୀଶ ପଂଚମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେଲେ । ପରବର୍ତୀ କାହାଣୀ କାହାରିକୁ ଅଛପା ନାହିଁ । ବିହାରରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାର ବିରୋଧରେ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କାର ବେନାମୀ ସଂପତ୍ତି ଠୁଳ କରିବା ନେଇ ହୋଇଥିବା ନୂଆ ସିବିଆଇ ମାମଲା ରାଜନୀତିର ମୋଡ ବଦଳାଇ ଦେଇଛି । ଲାଲୁଙ୍କ ସମେତ ତାଙ୍କ ପତ୍ନୀ ରାବ୍ରି ଦେବୀ, ପୁତ୍ର ବିଦାୟୀ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ଝିଅ ସାଂସଦ ମୀସା ଭାରତୀ ଓ ଜ୍ୱାଇଁ ଏବେ ସିବିଆଇ ସ୍କାନରରେ । ଲାଲୁ ୟୁପିଏ ସରକାରରେ ରେଳମନ୍ତ୍ରୀ ଥିବା ସମୟରେ ଗୋଟିଏ ନିଦ୍ଧିଷ୍ଟ ବ୍ୟବସାୟ ପ୍ରତିଷ୍ଠାନକୁ ଅହେତୁକ ଅନୁକଂପା ପ୍ରଦର୍ଶନ କରି ପାଟନାର ଏକ ମୂଲ୍ୟବାନ ଜମି ଶାଗ-ମାଛ ଦରରେ ହାତେଇ ଥିଲେ । ଓଡ଼ିଶାର ପୁରୀ ସମେତ ଦେଶର ୧୨ଟି ସ୍ଥାନରେ ସିବିଆଇ ଓ ପ୍ରବର୍ତନ ନିଦେ୍ର୍ଦଶାଳୟ ପକ୍ଷରୁ ଚଢାଉ କରାଯାଇ ଲାଲୁ ଓ ତାଙ୍କ ପରିବାର ବିରୋଧରେ ତଥ୍ୟ, ପ୍ରମାଣ ସଂଗ୍ରହ କରାଯାଇଛି । ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିବାରୁ ନୈତିକତା ଦୃଷ୍ଟିରୁ ତେଜସ୍ୱୀ ଇସ୍ତଫା ଦେବା ନୀତୀଶ ଚାହୁଁଥିଲେ । ବିଜେପି ଆଡୁ ମଧ୍ୟ ତେଜସ୍ୱୀଙ୍କ ଇସ୍ତଫା ଦାବିରେ ନୀତୀଶଙ୍କ ଉପରେ ପ୍ରବଳ ଚାପ ରହି ଥିଲା । ନୀତୀଶ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ଓ ଉପ ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟି ସମସ୍ୟା ସମାଧାନର ବାଟ ବାହାର କରିବାକୁ ଉଦ୍ୟମ କରିଥିଲେ । ତେବେ, କଂଗ୍ରେସ ଆଡୁ କୌଣସି ସହାୟତା ମିଳି ନଥିଲା । ଜୁଲାଇ ୨୮ ତାରିଖ ପର୍ଯ୍ୟନ୍ତ ତେଜସ୍ୱୀଙ୍କୁ ସମୟ ଦିଆଯାଇଥିଲା ବେଳେ ଜୁଲାଇ ୨୬ ବୈଠକରେ ‘ତେଜସ୍ୱୀ ଇସ୍ତଫା ଦେବେ ନାହିଁଁ’ ବୋଲି ଲାଲୁ ରୋକଠୋକ୍ ଜଣାଇ ଦେବାରୁ ନୀତୀଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ‘ମହାଗଠବନ୍ଧନ ସରକାର’ର ପୂର୍ଣଛେଦ ଟାଣିି ଥିଲେ । ନୀତୀଶଙ୍କ ଆକସ୍ମିକ ନିଷ୍ପତ୍ତି ଲାଲୁଙ୍କୁ ବିଚଳିତ କରିଥିବା ବେଳେ ବିଜେପି ନୀତୀଶଙ୍କ ନେତୃତ୍ୱରେ ପରବର୍ତୀ ସରକାର ଗଠନ ପାଇର୍ ସବୁ ପ୍ରକାର ବିଧିବ୍ୟବସ୍ଥା ପୂରଣ ଦିଗରେ ଲାଗି ପଡି ଥିଲା । ଯେପରି କି, ବହୁ ଦିନ ଆଗରୁ ଏଥି ପାଇଁ ପ୍ରସ୍ତୁତି ସରିଥିଲା । ରାଜ୍ୟପାଳଙ୍କ ନିଦେ୍ର୍ଦଶ ଅନୁସାରେ ୨୭ରେ ନୀତୀଶ ଓ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ଶପଥ ଗ୍ରହଣ ଏବଂ ୨୮ରେ ବିଧାନସଭାରେ ‘ଫ୍ଲୋର୍ ଟେଷ୍ଟ୍’ ସରିଲା । ୧୩୧ ବିଧାୟକଙ୍କ ସମର୍ଥନରେ ଜେଡ଼ିୟୁ-ବିଜେପି ସରକାରକୁ ବୈଧ କରାଇ ନିଆ ଗଲା । ଲାଲୁଙ୍କ ପରିବାରକୁ ନେଇ ସରକାର ଚଳାଇବା ଅସହ୍ୟ ହେବାରୁ ସେ ମହାମେଂଟ ଛାଡ଼ି ବିଜେପି ସହ ସରକାର ଗଠନ କଲେ ବୋଲି ନୀତୀଶ ସଫେଇ ଦେଇଛନ୍ତି । ଦକ୍ଷିଣପନ୍ଥୀଙ୍କ ପରବର୍ତୀ ଶିକାର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେବାକୁ ଯାଉଥିବା ଏବେ ରାଜନୈତିକ ମହଲରେ ଚର୍ଚା ହେଉଛି ।
ତେବେ, ଓଡ଼ିଶାର ରାଜନୈତିକ ପରିସ୍ଥିତି ବିହାର ଠାରୁ ଭିନ୍ନ । ମୁଖ୍ୟମନ୍ତ୍ରୀ ପଟ୍ଟାନାୟକଙ୍କ ସ୍ୱଚ୍ଛତାକୁ ନେଇ ବିଜେପି ଯେତେ ଯାହା ଅଭିଯୋଗ କରୁଛି, ବିଜେଡ଼ି ତାହାର ଜବାବ ଦେବାକୁ ପଛାଉ ନାହିଁ । ୨୦୦୦ ମସିହାରୁ ନବୀନ ନିରନ୍ତର ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଛନ୍ତି । ପ୍ରଥମେ ବିଜେପି ସହ ବିଜେଡ଼ି ମେଂଟ କରି ସରକାର ଚଳାଇ ଥିଲା । ୨୦୦୮ରେ ସ୍ୱାମୀ ଳକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା ଏବଂ ପରବର୍ତୀ କନ୍ଧମାଳ ଦଙ୍ଗା ନଅ ବର୍ଷ ପାଖାପାଖି ଚାଲିଥିବା ବିଜେଡ଼ି-ବିଜେପି ମେଂଟ ସରକାରକୁ ପ୍ରଭାବିତ କରିଥିଲା । ଠିକ୍ ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ବିଜେପି ହାତ ଛାଡି ଏକାକୀ ନିର୍ବାଚନ ଲଢି ଥିଲେ ଏବଂ ତୃତୀୟ ଥର ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୪ ସାଧାରଣ ନିର୍ବାଚନରେ ବିଜେଡ଼ି ରାଜ୍ୟ ବିଧାନସଭାର ୧୪୭ରୁ ୧୧୭ ଆସନରେ ବିଜୟୀ ହୋଇ କଂଗ୍ରେସ ଓ ବିଜେପିକୁ ପୁରା ଚିତ୍ କରି ଦେଇଥିଲା । ରାଜ୍ୟ ବିଧାନସଭାରେ କଂଗ୍ରେସ ସଂଖ୍ୟା ଦୃଷ୍ଟିରୁ ଦ୍ୱିତୀୟ ସ୍ଥାନରେ ଥିଲେ ମଧ୍ୟ ବିରୋଧୀ ଦଳର ମାନ୍ୟତା ପାଇ ନାହିଁ । ନବୀନଙ୍କ ଶାସନରେ ରାଜ୍ୟରେ ଚିଟ୍ଫଣ୍ଡ୍ ଦୁର୍ନୀତି ଭଳି ବହୁ-କୋଟି ଟଙ୍କାର ଦୁର୍ନୀତି ହୋଇଛି । ତେବେ, ସେଥିରେ ମୁଖ୍ୟମନ୍ତ୍ରୀଙ୍କ ସିଧାସଲଖ ସଂପୃକ୍ତିର ପ୍ରମାଣ ଏପର୍ଯ୍ୟନ୍ତ ଆଗକୁ ଆସି ନାହିଁଁ । ବିଜେଡ଼ିର କିଛି ଏମପି, ମନ୍ତ୍ରୀ, ବିଧାୟକ, ପୂର୍ବତନ ବିଧାୟକ ଓ ନେତାଙ୍କୁ ଚିଟ୍ ଫଣ୍ଡ୍ ଦୁର୍ନୀତି ଦାଗ ଲାଗିଛି । କିଛି ଜେଲ୍ରେ ଅଛନ୍ତି, ଆଉ କିଛି ଜେଲ୍ ଯିବା ଭୟରେ ଆତଙ୍କିତ । ସିବିଆଇ ତଦନ୍ତ ମନ୍ଥର ଗତିରେ ଚାଲିଛି । ଦେଶବ୍ୟାପୀ ‘ମୋଦୀ’ ହାୱା ଥାଇ ଓଡ଼ିଶାରେ ବିଜୁ ଜନତା ଦଳ ୨୦୧୪ ନିର୍ବାଚନରେ ରାଜ୍ୟ ବିଧାନସଭାରେ ୧୪୭ରୁ ୧୧୭ ଆସନ ଏବଂ ଲୋକସଭାର ୨୧ରୁ ୨୦ ଆସନରେ ବିଜୟୀ ହେବା ବିଜେପି ସମେତ ରାଜ୍ୟର ଅନ୍ୟ ସବୁ ଛୋଟ, ବଡ଼ ଦଳଙ୍କୁ ଚିନ୍ତାରେ ପକାଇଛି । ବିହାର ଢାଂଚାରେ ଓଡ଼ିଶାରେ ବିଜେଡ଼ିକୁ କ୍ଷମତାରୁ ହଟାଇବା ପାଇଁ ବିଜେପି ପକ୍ଷରୁ ମିଶନ୍ -୨୦୧୯ କାର୍ଯ୍ୟକାରୀ କରାଯାଇଛି । ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଗଞ୍ଜାମ, ଯାଜପୁର ଓ ଖୋଦ୍ଧା ଜିଲ୍ଲାରେ ବିଜେଡ଼ି ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ନବୀନଙ୍କ ଅପାରଗ ସରକାରକୁ ‘ମୂଳରୁ ଓପାଡ଼ି’ ସମୁଦ୍ରରେ ଫିଙ୍ଗି ଦେବାକୁ ସେ ଦଳୀୟ କର୍ମୀ ଓ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ୧୨୦ ବିଧାନସଭା ଆସନରେ ବିଜୟୀ ହୋଇ ସରକାର ଗଢିବ ବୋଲି ଶାହା ବାହାସ୍ପୋଟ ମାରି ଥିଲେ । ତେବେ, ଏହାର ଆଧାରକୁ ନେଇ ବିଜେପି ନିକଟରେ କୌଣସି ଠୋସ୍ ଯୁକ୍ତି ନାହିଁ । ନବୀନ ନିକଟରେ ଏକ ଜାତୀୟ ଇଂରାଜୀ ପତ୍ରିକାକୁ ସାକ୍ଷାତକାର ଦେଇ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟବାସୀଙ୍କ ସେବା କରିବାକୁ ଆଗ୍ରହୀ ଥିବା କହିବା ପରେ ବିରୋଧୀଙ୍କ ଗାତ୍ରଦାହ ବଢିଛି । ବହୁ-କୋଟିର ଚିଟ୍ଫଣ୍ଡ୍ ଠକେଇ, ଚାଷି ଆତ୍ମହତ୍ୟା, ଦୁର୍ଗମ ଅଂଚଳକୁ ଗମନାଗମନ ସୁବିଧାର ଅଭାବ, ସ୍ୱାସ୍ଥ୍ୟ ସେବାରେ ବିପର୍ଯ୍ୟସ୍ତ ଅବସ୍ଥା, ନଗଡା ଅପପୃଷ୍ଟି ଏବଂ ଶିଶୁ ମୃତ୍ୟୁ ଭଳି ଘଟଣା ରାଜ୍ୟ ସରକାରଙ୍କ ଭାବମୂର୍ତୀକୁ ପ୍ରଭାବିତ କରିଥିବା ସତ୍ୱେ ନବୀନଙ୍କ ଦୃଢୋକ୍ତି ବିଜେପିକୁ ବିଚଳିତ କରିଛି । ନବୀନଙ୍କ ପ୍ରତି ବିରୋଧୀଙ୍କ ବ୍ୟକ୍ତିଗତ ସମାଲୋଚନା ରାଜ୍ୟ ରାଜନୀତିକୁ ସରଗରମ କରିଛି । ବିଜେପିକୁ ବିକଳ୍ପ ଭାବେ ଦେଖୁ ଥିବା ଅଳ୍ପ କିଛି ବିଜେଡ଼ି ସାଂସଦ ବିଭୀଷଣ ସାଜି ଦଳର ଦୁର୍ବଳତା ବିଜେପିକୁ ଟେକି ଦେଉଛନ୍ତି । ନବୀନ ମଧ୍ୟ ବିଜେପି ରଣନୀତିର ମୁକାବିଲା ପାଇଁ ଆରଏସ୍ଏସ୍ ଢାଂଚାରେ କର୍ମଶାଳା, ପ୍ରଶିକ୍ଷଣ ଶିବିର ଆୟୋଜନ କରି କର୍ମୀଙ୍କ ମଧ୍ୟରେ ତତ୍ପରତା ବଢାଇଲେଣି । ୨୦୧୮ ପୌର ନିର୍ବାଚନ ସେମି-ଫାଇନାଲ ହେବାକୁ ଥିବାରୁ ଦୁଇ ପକ୍ଷ ମଧ୍ୟରେ ଲଢେଇ ଘମାଘୋଟ ହେଉଛି । ଫଳାଫଳ ଦେଖିବା ପରେ ବିଜେପି ଫାଇନାଲର ନୀଳନକ୍ସା ପ୍ରସ୍ତୁତ କରିବ ବୋଲି ଦଳ ବାହାରେ ଚର୍ଚ୍ଚା ହେଉଛି ।
Bartaman lagi Congress dalara abasta atyanta kharap tathapi. Sachin pilot,jyotirditya sindhia,priyanka Bhadra pari Taruna neta Congress re au akhiles,tejaswi,stalin,m Maya,mamata nka pari neta puni bhabisyata re netrutwa nebar sujog paibe abam trs,ysrc,sibasena,bjd,nc,pdp,lokadal pari Dala Mane sujog dekhi Ranga badaleibaku paranti .kintu jahabi heu anek Dina pare desa anchalik Dala mananka dabdaba ru nijaku mukulai parichi abam desare aka stira Sarkar hoiparichi tenu Shi Sarkar Kichi nua Kari dekhaiba ahi asa samstanka pakhare rahichi.
Lekha ti atyanta ucha kotira .abam dekhajau agami dinare ubhay desa au rajya rajaniti re ki parivartan heuchi ?