ଟ୍ୱେଂଟି-୨୦ ବିଶ୍ୱ କପ୍ କ୍ରିକେଟ୍ ଘୁଂଚିପାରେ
ନୂଆଦିଲ୍ଲୀ, ମେ’୧୭
ଆସନ୍ତା ଅକ୍ଟୋବର ୧୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟ୍ୱେଂଟି-୨୦ ବିଶ୍ୱକପ୍ କ୍ରିକେଟ୍ କରୋନା ମହାମାରୀ ପାଇଁ ଘୁଂଚିପାରେ । ଏଭଳି ସୂଚନା ଆସିଛି । ଖାସ୍ ଏହି ବିଷୟରେ ଆଲୋଚନା ପାଇଁ ମେ’ ୨୮ରେ ଆଇସିସି ବୋର୍ଡ ବୈଠକ ବସିବ । ଏହି ବିଶ୍ୱକପ୍ ୨୦୨୨କୁ ଘୁଂଚାଇବା ସପକ୍ଷରେ ବୋର୍ଡର କିଛି ସଦସ୍ୟ ମତ ଦେଉଥିବା ଜଣାପଡିଛି । ଆଇସିସିର ଇଭେଂଟ କମିଟି ମୁଖ୍ୟ କ୍ରିସ୍ ଟେଟ୍ଲେ ଏହାର ୨୮ ତାରିଖ ବୈଠକରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଆଇସିସି ଇଭେଂଟ୍ କମିଟି ତିନିଟି ବିକଳ୍ପ ସଂପର୍କରେ ବିଚାର କରିପାରେ । ପ୍ରଥମଟି ହେଉଛି, ଜନଗହଳିକୁ ଅନୁମତି ସହ ୧୪ ଦିନିଆ ସଂଗରୋଧ ନିୟମ ମାନି ଧାର୍ଯ୍ୟ ସମୟରେ ଟ୍ୱେଂଟି-୨୦ ବିଶ୍ୱକପ୍ ଖେଳାଯିବା । ଦ୍ୱିତୀୟ ବିକଳ୍ପ ରହିଛି, ଦର୍ଶକଙ୍କ ଉପସ୍ଥିତି ବିନା ଷ୍ଟାଡିୟମରେ ବିଶ୍ୱକପ୍ ଖେଳ ହେବା । ଶେଷ ବିକଳ୍ପ ୨୦୨୨କୁ ବିଶ୍ୱକପ୍ ଘଂଚାଯିବା । ଏହି ତିନିଟି ବିକଳ୍ପକୁ ଆଖିରେ ରଖି ୨୮ ତାରିଖ ଆଲୋଚନା ହେବ ଏବଂ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି । ଟ୍ୱେଂଟି-୨୦ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତା ୨୦୨୨କୁ ଘଂଚିବା ପ୍ରସ୍ତାବରେ କ୍ରିକେଟ୍ ଅଷ୍ଟ୍ରେଲିଆ ସହମତ ହୋଇପାରେ ବୋଲି ଆଇସିସିର କିଛି ପ୍ରଭାବଶାଳୀ ସଭ୍ୟ ଆଶା କରୁଛନ୍ତି । ୨୦୨୧ ଫେବୃୟାରୀ-ମାର୍ଚ୍ଚରେ ଏହି ବିଶ୍ୱକପ୍ ଆୟୋଜନ ନିଷ୍ପତ୍ତି ହେଲେ ତାହା କାର୍ଯ୍ୟକାରୀ କରିବା ସମ୍ଭବ ହୋଇ ନ ପାରେ । କାରଣ, ସାଂପ୍ରତିକ କରୋନା ସ୍ଥିତିରେ ସମସ୍ତ ୧୬ଟି ଟିମ୍, ସହକାରୀ ଷ୍ଟାଫ୍ ଓ ଟିଭି ପରିଚାଳକଙ୍କ ପାଇଁ ସଂଗରୋଧ ବ୍ୟବସ୍ଥାର ବ୍ୟୟଭାର ଅତ୍ୟଧିକ ହୋଇଯିବ । ସେତେବେଳକୁ ଯଦି କୌଣସି ରାଷ୍ଟ୍ରରେ କରୋନା ସ୍ଥିତି ସୁଧୁରି ନ ଥିବ, ସେହି ରାଷ୍ଟ୍ରର ଟିମ୍ ଖେଳିବାକୁ ଯାଇ ପାରିବେ ନାହିଁ । ଏହାଛଡା, ମହିଳା ଦିନିକିଆ ବିଶ୍ୱକପ୍ ଓ ଆଇସିସିର ଅନ୍ୟାନ୍ୟ ଇଭେଂଟ୍ ସବୁ ବାଧାପ୍ରାପ୍ତ ହେବ । ତେଣୁ, ୨୦୨୦ ଶେଷ ଭାଗରେ ହେବାକୁ ଥିବା ଏହି ଟ୍ୱେଂଟି-୨୦ ବିଶ୍ୱକପ୍ କ୍ରିକେଟ୍ ୨୦୨୨କୁ ଘୁଚାଇବା ହିଁ ବୁଦ୍ଧିମତ୍ତା ହେବ ବୋଲି ଚର୍ଚ୍ଚା ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS