ଆଦର୍ଶ ଆଚରଣ ବିଧି ଉଲଂଘନ: ବିଜେପି, କଂଗ୍ରେସକୁ ଇସିଙ୍କ ନୋଟିସ
ପ୍ରସାଦ ରାଓ
ନୂଆଦିଲ୍ଲୀ/ ଏପ୍ରିଲ ୨୫
ଆସନ୍ତା କାଲି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଶାସକ ବିଜେପି ଓ ମୁଖ୍ୟ ବିରୋଧୀ କଂଗ୍ରେସର ଷ୍ଟାର୍ ପ୍ରଚାରକମାନେ ପରସ୍ପର ପ୍ରତି ଆକ୍ଷେପ, ପ୍ରତ୍ୟାକ୍ଷେପ ଅଧିକ ଶାଣିତ କରିଛନ୍ତି । ଏହା ଏତେଦୂର ନିମ୍ନସ୍ତରକୁ ଗଲାଣି ଯେ ନିର୍ବାଚନ କମିଶନ ଦୁଇ ଦଳ ବିରୋଧରେ ହୋଇଥିବା ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗକୁ ବିଚାର ପାଇଁ ଗ୍ରହଣ କରି ଆଜି ସେମାନଙ୍କୁ ନୋଟିସ ଜାରି କରିଛନ୍ତି । ୨୯ ତାରିଖ ସକାଳେ ୧୧ଟା ସୁଦ୍ଧା ନୋଟିସର ଉତ୍ତର ଦେବାକୁ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ରାଜସ୍ଥାନର ବଂଶୱାରାଠାରେ ଆୟୋଜିତ ଏକ ନିର୍ବାଚନ ସଭାରେ କଂଗ୍ରେସର ନିର୍ବାଚନ ଇସ୍ତାହାରକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ସିପିଆଇ ଓ ସିପିଆଇ (ଏମଏଲ) ପକ୍ଷରୁ ତାଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଆଚରଣ ବିଧି ଉଲଂଘନ ଅଭିଯୋଗ ହୋଇଥିବା ବେଳେ ବିଜେପି କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳର କୋଟାୟମଠାରେ ହୋଇଥିବା ଏକ ନିର୍ବାଚନ ସଭାରେ ଦେଇଥିବା ମନ୍ତବ୍ୟ ଉପରେ ଆପତ୍ତି ଦର୍ଶାଇ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି । ନିର୍ବାଚନ କମିଶନ ଉଭୟ ପକ୍ଷଙ୍କ ଅଭିଯୋଗକୁ ବିଚାର ପାଇଁ ଗ୍ରହଣ କରି ଆଜି ବିଜେପି ଓ ବିରୋଧୀ ପକ୍ଷଙ୍କୁ ନୋଟିସ ଜାରି କରିଛି ।
ପ୍ରଧାନମନ୍ତ୍ରୀ ମୋଦୀ ରାଜସ୍ଥାନର ବଂଶୱାରାରେ ଅନୁଷ୍ଠିତ ନିର୍ବାଚନ ସଭାରେ କଂଗ୍ରେସର ନିର୍ବାଚନ ଇସ୍ତାହାରକୁ ସମାଲୋଚନା କରି କହିଥିଲେ ଏହା ‘ମୁସଲିମ୍ ଲିଗ୍’ର ଇସ୍ତାହାର ଭଳି ହୋଇଛି । କଂଗ୍ରେସ କ୍ଷମତାକୁ ଆସିଲେ ମା’, ଭଉଣୀଙ୍କ ସୁନା, ଗହଣାର ମୂଲ୍ୟାୟନ କରିବ ଏବଂ ତାହା ଅନ୍ୟମାନଙ୍କୁ ବାଂଟି ଦେବ । ୟୁପିଏ ସରକାରରେ ଡକ୍ଟର ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ସମୟରେ ଦେଇଥିବା ଏକ ବୟାନକୁ ମୋଦୀ ନିର୍ବାଚନ ସଭାରେ ଦେହରାଇ ଥିଲେ । ଦେଶର ସଂପତ୍ତି ଉପରେ ପ୍ରଥମ ହକ୍ ହେଉଛି ମୁସଲମାନଙ୍କ ବୋଲି ଡକ୍ଟର ସିଂହ ୟୁପିଏ ସରକାରରେ ପ୍ରଧାନମନ୍ତ୍ରୀ ଥିବା ସମୟରେ ବୟାନ ଦେଇଥିବାରୁ କଂଗ୍ରେସ ଆପଣମାନଙ୍କ ସଂପତ୍ତି କାହାକୁ ବାଂଟିବ ସ୍ପଷ୍ଟ । ଦେଶରେ ଯେଉଁମାନଙ୍କ ଅଧିକ ସନ୍ତାନ ଅଛନ୍ତି ଏବଂ ଯେଉଁମାନେ ଅନୁପ୍ରବେଶକାରୀ ସେମାନଙ୍କ ଭିତରେ ହିଁ କଂଗ୍ରେସ ସଂପତ୍ତି ବାଂଟି ଦେବ । ଏହା ଆପଣମାନଙ୍କ ପାଇଁ ଗ୍ରହଣୀୟ ହେବ କି (?) ବୋଲି ମୋଦୀ ପ୍ରଶ୍ନ କରିଥିଲେ । ତେବେ, କଂଗ୍ରେସର ନିର୍ବାଚନ ଇସ୍ତାହାରରେ ଏକଥା କେଉଁଠି ଲେଖା ଅଛି ବୋଲି କଂଗ୍ରେସ ଓ ବିରୋଧୀ ପ୍ରଶ୍ନ କରିବା ସହ ବିଜେପିର ଏକ ନମ୍ବର ଷ୍ଟାର୍ କ୍ୟାଂପେନର ପ୍ରଧାନମନ୍ତ୍ରୀ ମୋଦୀ ମନଗଢା ଓ ଉତ୍ତେଜନା ସୃଷ୍ଟି କଲା ଭଳି ମନ୍ତବ୍ୟ ଆଦର୍ଶ ଆଚରଣ ବିଧିର ଉଲଂଘନ କରିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।
ସେହିଭଳି, କେରଳର କୋଟାୟମଠାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ନିର୍ବାଚନ ସଭାରେ ଦେଇଥିବା ମନ୍ତବ୍ୟକୁ ନେଇ ବିଜେପି ଆପତ୍ତି ଉଠାଇଛି । କୋଟାୟମ ନିର୍ବାଚନ ସଭାରେ ରାହୁଲ କହିଥିଲେ, ‘ଜଣେ ଝିଅ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ୍ ହୋଇ ଆସିଲେ ପରିବାର ସଦସ୍ୟମାନେ ମାଲୟାଲମ ଭାଷାରେ ତାଙ୍କୁ ଅଭିନନ୍ଦନ ଜଣାଇଥା’ନ୍ତି । ଜଣେ ଭାଇ ଅନ୍ୟ ଜଣେ ଭାଇକୁ ହରାଇଲେ ମାଲୟାଲମ ଭାଷରେ ହିଁ ନିଜ ବେଦନା ବ୍ୟକ୍ତ କରିଥାଏ । ମାଲୟାଲମ ହେଉଛି କେରଳ ଓ କେରଳ ହେଉଛି ମାଲୟାଲମ । ପ୍ରଧାନମନ୍ତ୍ରୀ ବିଭିନ୍ନ ସମୟରେ ଦେଇଥିବା ଭାଷଣରେ ଗୋଟିଏ ଦେଶ, ଗୋଟିଏ ଭାଷା ଓ ଗୋଟିଏ ସଂପ୍ରଦାୟ କଥା କହୁଥିବା ମୁଁ ଶୁଣିଛି । ଆପଣ କେମିତି କହିବେ ତାମିଲ ଲୋକ ତାମିଲ ଭାଷା କୁହନ୍ତୁନି, କେରଳ ବାସିନ୍ଦା ମାଲୟାଲମ କୁହନ୍ତୁ ନାହିଁ ?’ ବୋଲି ରାହୁଲ ପ୍ରଶ୍ନ କରିଥିଲେ । ବିଜେପି ଏହାକୁ ଆପତ୍ତିଜନକ କହି ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ନିର୍ବାଚନ କମିଶନ ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭିନ୍ନ ଭିନ୍ନ ଭାବେ ନୋଟିସ ପଠାଇ ନିର୍ବାଚନ ପ୍ରଚାର ସମୟରେ ଷ୍ଟାର୍ କ୍ୟାପେନରମାନେ ଗୁଣାତ୍ମକତା ଓ ଉଚ୍ଚତମ ମୂଲ୍ୟବୋଧ ରକ୍ଷା କରିବା ଓ ଦାୟିତ୍ୱ ସଂପନ୍ନ ହେବା ଉପରେ ଗୁରୁତ୍ୱ ଦେଇଛନ୍ତି ।
ନିର୍ବାଚନ ପ୍ରଚାରରେ ସର୍ବଭାରତୀୟ ଆଭିମୁଖ୍ୟ ପ୍ରଦର୍ଶନ ଉପରେ ମଧ୍ୟ କମିଶନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଆଂଚଳିକସ୍ତରରେ ପ୍ରଚାର ସମୟରେ ବାତାବରଣ ଗରମ ରହିଥାଏ ଓ ଅନେକ ସମୟରେ ଭାଷଣ ବିକୃତ ବା ଭିନ୍ନ ଅର୍ଥବୋଧକ ହୋଇଯାଏ ବୋଲି ନିର୍ବାଚନ କମିଶନ ଚିଠିରେ କହିବା ସହ ଦୁଇ ଦଳ ନିଜ ନିଜ ଷ୍ଟାର କ୍ୟାଂପେନରମାନଙ୍କୁ ଏଦିଗରେ ସଚେତନ କରିବାକୁ ନିର୍ଦେଶ ଦେଇଛନ୍ତି । ନିର୍ବାଚନ କମିଶନ ପ୍ରଧାନମନ୍ତ୍ରୀ ମୋଦୀ ଓ କଂଗ୍ରେସ ନେତା ରାହୁଲଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଗ୍ରହଣ କରିବା ସହ ନଡ୍ଡା ଓ ଖାର୍ଗେଙ୍କୁ ଏପ୍ରିଲ ୨୯ ତାରିଖ ସକାଳ ୧୧ଟା ସୁଦ୍ଧା ଉତ୍ତର ରଖିବାକୁ ନିର୍ଦେଶ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ, କଂଗ୍ରେସ କ୍ଷମତାକୁ ଆସିଲେ ମହିଳାଙ୍କ ‘ମଂଗଳସୂତ୍ର’ ମଧ୍ୟ ଛାଡିବ ନାହିଁ । ସେସବୁ ବିକି ସେହି ଅର୍ଥ ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ବାଂଟି ଦେବ । କଂଗ୍ରେସର ନିର୍ବାଚନ ଇସ୍ତାହାରରୁ ଏଭଳି ସୂଚନା ମିଳୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ କିଛି ଦିନ ହେଲା ବିଭିନ୍ନ ନିର୍ବାଚନ ସଭାରେ ଲଗାତର ଅଭିଯୋଗ କରିଆସୁଛନ୍ତି, ଯାହାକି ଏକ ବିତର୍କର ବାତାବରଣ ସୃଷ୍ଟି କରିଛି । କଂଗ୍ରେସର ଇସ୍ତାହାର ‘ମୁସଲିମ ଲିଗ୍’ର ଇସ୍ତାହାର ଭଳି ହୋଇଛି ବୋଲି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଆକ୍ଷେପ କଂଗ୍ରେସକୁ କ୍ଷୁବ୍ଧ କରିଛି ।
‘ମଂଗଳସୂତ୍ର’କୁ ନେଇ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ କଂଗ୍ରେସ କେବଳ ନୁହେଁ, ଅନ୍ୟ ବିରୋଧୀ ରାଜନୈତିକ ଦଳ ମଧ୍ୟ ବିରୋଧ କରିବା ସହ ନିର୍ବାଚନ ଇସ୍ତାହାରରେ କେଉଁଠି ଏହା ଉଲ୍ଲେଖ ରହିଛି ପ୍ରଧାନମନ୍ତ୍ରୀ ଓ ବିଜେପି ଦେଖାନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମରେ ଏହାକୁ ନେଇ କିଛି ଦିନ ହେଲା ସରଗରମ ବିତର୍କ ଚାଲିଛି । ପ୍ରଧାନମନ୍ତ୍ରୀଙ୍କ ସଂକୀର୍ଣ୍ଣ ମନୋଭାବକୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ସମାଲୋଚନା କରିବା ସହ କଂଗ୍ରେସର ନିର୍ବାଚନ ଇସ୍ତାହାରରେ ଏହା କେଉଁଠି ଉଲ୍ଲେଖ ରହିଛି ଜାଣିବାକୁ ଚାହିଁଛନ୍ତି । ମୋଦୀଙ୍କ ବକ୍ତବ୍ୟ ମନଗଢା ଓ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ବୋଲି ସେମାନେ ଅଭିଯୋଗ କରିବା ସହ ନିର୍ବାଚନ କମିଶନ ନିରବଦ୍ରଷ୍ଟା ଥିବାରୁ କଡା ସମାଲୋଚନା କରୁଥିଲେ । ଆଜି ନିର୍ବାଚନ କମିଶନ ସକ୍ରିୟତା ଦେଖାଇ ପ୍ରଧାନମନ୍ତ୍ରୀ ମୋଦୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ଆଦର୍ଶ ଆଚରଣ ବିଧି ଉଲଂଘନ ଅଭିଯୋଗକୁ ସଂଜ୍ଞାନକୁ ନେଇ ବିଜେପି ଓ କଂଗ୍ରେସ ମୁଖ୍ୟଙ୍କୁ ନୋଟିସ ଜାରି କରିଛନ୍ତି । ତେବେ, ବିଜେପି ମୁଖ୍ୟ ନଡ୍ଡା ଓ କଂଗ୍ରେସ ମୁଖ୍ୟ ଖାର୍ଗେ ୨୯ ତାରିଖ ସକାଳେ ସେମାନଙ୍କୁ ମିଳିଥିବା ନୋଟିସର କି ଉତ୍ତର ରଖୁଛନ୍ତି – ତାହା ଉପରେ ସମଗ୍ର ଦେଶର ନଜର ରହିବ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS