ସୁପ୍ରିମ କୋର୍ଟ ରାୟ ପରେ ମଧ୍ୟ ଇଭିଏମ ବିବାଦରେ ପୂର୍ଣ୍ଣଛେଦ ପଡୁନି ?
ପ୍ରସାଦ ରାଓ
ନୂଆଦିଲ୍ଲୀ/ ଏପ୍ରିଲ ୨୬
ନିର୍ବାଚନ ଆସିଲେ ଶାସକ ଓ ବିରୋଧୀ ରାଜନୈତିକ ଦଳମାନେ ଇଭିଏମକୁ ନେଇ ଉଚ୍ଚବାଚ ହେବା ସାଧାରଣ କଥାରେ ପରିଣତ ହୋଇଛି । ନିର୍ବାଚନରେ ଯଦି ଶାସକ ଦଳ ଆଶାତୀତ ସଫଳତା ପାଏ ବିରୋଧୀ ତୁରନ୍ତ ଇଭିଏମକୁ ଦାୟି କରିବା ସହ ଚଂଚକତାର ଅଭିଯୋଗ ଆଣିଥା’ନ୍ତି । ତେବେ, ଶାସକ ଦଳ ପ୍ରଶ୍ନ କରିଥାଏ, ଯେଉଁ ବିରୋଧୀ ଶାସିତ ରାଜ୍ୟରେ ବିରୋଧୀଙ୍କ ଭଲ ପ୍ରଦର୍ଶନ ହୋଇଛି ବା ହେଉଛି ସେଠି ସେମାନେ ଇଭିଏମକୁ ଆଂଗୁଠି ଦେଖାଉ ନାହାନ୍ତି କାହିଁକି ? ଏହି ବାଦାନୁବାଦ ଭିତରେ ସୁପ୍ରିମ କୋର୍ଟ ଆଜି ଇଭିଏମ ମାଧ୍ୟମରେ ମତଦାନ ସପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଦେଶରେ ଇଭିଏମ ମାଧ୍ୟମରେ ହେଉଥିବା ମତଦାନକୁ ଶତ ପ୍ରତିଶତ ଭିଭିପାଟ୍ ମେସିନରୁ ବାହାରୁ ଥିବା ସ୍ଲିପ୍ ସହ ଯାଂଚ କରାଯିବାକୁ କିମ୍ବା ପୂର୍ବ ଭଳି ଭୋଟ କାଗଜ ବା ବ୍ୟାଲଟ ପେପର ଜରିଆରେ ନିର୍ବାଚନ କରାଯିବାକୁ ହୋଇଥିବା ଏକାଧିକ ଆବେଦନକୁ ଆଜି ସୁପ୍ରିମ କୋର୍ଟ ଖାରଜ କରିବା ସହ ଇଭିଏମ ମାଧ୍ୟମରେ ହିଁ ଦେଶରେ ମତଦାନ ଜାରି ରହିବ ବୋଲି ସ୍ପଷ୍ଟ କରି ଦେଇଛନ୍ତି । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଯଦି ପ୍ରାର୍ଥୀ ଚାହିଁବେ ଲିଖିତ ଭାବେ ଆବେଦନ କରିପାରିବେ ଏବଂ ପ୍ରାର୍ଥୀଙ୍କ ଆବେଦନ ଉପରେ ଇଭିଏମ ନିର୍ମାଣକାରୀ ସଂସ୍ଥାଙ୍କ ଏକ ଇଂଜିନିୟର ଟିମ୍ କିଛିଟା ଇଭିଏମକୁ ଯାଂଚ କରି ପାରିବେ । ତେବେ, ସେବାବଦରେ ଖର୍ଚ୍ଚ କଣ ରହିବ ରହିବ ତାହା ଭାରତୀୟ ନିର୍ବାଚନ ଆୟୁକ୍ତ ଧାର୍ଯ୍ୟ କରି ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ଆଜି ସୁପ୍ରିମ କୋର୍ଟ ବିକଳ୍ପ ବ୍ୟବସ୍ଥା ରଖିଛନ୍ତି ।
ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ଓ ଜଷ୍ଟିସ ଦୀପଂକର ଦତ୍ତ ଆଜି ଦୁଇଟି ଭିନ୍ନ ରାୟ ପାଠ କରିଥିଲେ ମଧ୍ୟ ଇଭିଏମ ମାଧ୍ୟମରେ ହିଁ ନିର୍ବାଚନ ଜାରି ରହିବ ବୋଲି ସହମତିରେ ରାୟ ପ୍ରକାଶ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ସୁପ୍ର୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଦୁଇ ଜଣିଆ ବେଂଚ୍ ନିକଟରେ ଯୁକ୍ତି ଉପସ୍ଥାପନ କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ମତଦାନକୁ ନେଇ ତିନିଟି ବିକଳ୍ପ ବିଚାରପତିଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା । ଏହି ବିକଳ୍ପଗୁଡିକ ହେଉଛି, ଦେଶ ପୁନର୍ବାର ବ୍ୟାଲଟ ପେପର ମାଧ୍ୟମରେ ମତଦାନ ବ୍ୟବସ୍ଥାକୁ ଫେରୁ ଅଥବା ଇଭିଏମ ମାଧ୍ୟମରେ ମତଦାନ ଜାରି ରହିଲେ ମତଦାନାଙ୍କୁ ଭୋଟ ଦେବା ପରେ ଭିଭିପାଟ୍ ମେସିନରୁ ବାହାରି ଥିବା ସ୍ଲିପ୍ (ଚିରୁକୁଟି)କୁ ହସ୍ତାନ୍ତର କରାଯାଉ, ଯାହାକୁ କି ମତଦାତା ନିଜେ ଯାଂଚ କରି ଭୋଟ ବାକ୍ସରେ ଗଳାଇବା ପରେ ତାହାର ଗଣତି ହେଉ । ତୃତୀୟ ବିକଳ୍ପ ହେଉଛି, ଇଭିଏମରେ ହୋଇଥିବା ଭୋଟକୁ ଭିଭିପାଟ୍ ମେସିନ ସ୍ଲିପ୍ ସହ ଶତ ପ୍ରତିଶତ ଯାଂଚ କରାଯାଇ ଫଳାଫଳ ପ୍ରକାଶ କରାଯାଉ । ସୁପ୍ରିମ କୋର୍ଟ ବେଂଚ୍ ଆବେଦନକାରୀଙ୍କ ଏହି ତିନିଟି ଯାକ ବିକଳ୍ପକୁ ଖାରଜ କରିଛନ୍ତି । ଜଷ୍ଟିସ ଖାନ୍ନା ଓ ଜଷ୍ଟିସ ଦତ୍ତ ଦେଇଥିବା ରୁଲିଂରେ କହିଛନ୍ତି ଇଭିଏମ ମାଧ୍ୟମରେ ଭୋଟିଂକୁ ନେଇ ସମସ୍ତ ବୈଷୟିକ ଦିଗ ଓ ପ୍ରେଟୋକଲ୍ ଉପରେ ବିସ୍ତୃତ ଚର୍ଚ୍ଚା କରିବା ପରେ ସେମାନେ ଏହି ରାୟ ଦେଇଛନ୍ତି ।
ଜଷ୍ଟିସ ଦତ୍ତ ତାଙ୍କ ରୁଲିଂରେ କହିଛନ୍ତି, କୌଣସି ବୈଷୟିକ ବ୍ୟବସ୍ଥା ବା ସଂସ୍ଥାକୁ ଅନ୍ଧ ଭାବେ ଅବିଶ୍ୱାସ କଲେ ତାହା ଭୁଲ ରାସ୍ତାରେ ପରିଚାଳିତ କରିବ । ତେଣୁ, କୌଣସି ବ୍ୟବସ୍ଥା ବା ସଂସ୍ଥାକୁ ଆକଳନ କରାଯିବା ସମୟରେ ଗଠନମୂଳକ ଚିନ୍ତାଧାରା ରହିବା ନିତାନ୍ତ ଜରୁରୀ । ମତଦାନ ବେଳେ ଭିଭିପାଟ୍ ପେପର୍ ସ୍ଲିପ୍ ସବୁକୁ ଗଣତି ପାଇଁ ଇଲୋକ୍ଟୋନିକ କାଉନ୍ଟିଂ ମେସନର ବ୍ୟବସ୍ଥା ଏବଂ ଇଲେକ୍ଟୋନିକ ଭୋଟିଂ ମେସିନ (ଇଭିଏମ)ରେ ନିର୍ବାଚନ ଚିହ୍ନ ସହ ତାହା କେଉଁ ରାଜନୈତିକ ଦଳର ଚିହ୍ନଟ ହେଲା ଭଳି ଏକ ବାରକୋଡର ବ୍ୟବସ୍ଥା ରଖାଯିବା ସଂପର୍କରେ ବିଚାରପତି ଜଷ୍ଟିସ ଖାନ୍ନା ନିର୍ବାଚନ କମିଶନଙ୍କୁ ପରାମର୍ଶ ଦେବା ସହ ତାହା ଉପରେ ବିଚାର କରିବାକୁ କହିଛନ୍ତି । ଆସନ୍ତା ମେ’ ୧ ତାରିଖ ବା ତାହା ପରେ ଭିଭିପାଟ୍ ମେସିନରେ ରାଜନୈତିକ ଦଳଙ୍କ ନିର୍ବାଚନ ଚିହ୍ନ (ସିମ୍ବଲ) ଲୋଡ୍ କରାଯିବା ପରେ ସିମ୍ବଲ ଲୋଡିଂ ୟୁନିଟ (ଏସଏଲୟୁ)ଗୁଡିକୁ କଂଟେନର ରଖା ଯିବାକୁ ଏବଂ ଭୋଟ ଫଳାଫଳ ପ୍ରକାଶ ପାଇବାର ଅନ୍ୟୁନ ୪୫ ଦିନ ପର୍ଯ୍ୟନ୍ତ ଇଭିଏମଗୁଡିକ ସହ ଏହି ଏସଏଲୟୁ କଂଟେନରଗୁଡିକୁ ଷ୍ଟ୍ରଂଗରୁମରେ ସୁରକ୍ଷିତ ରଖାଯିବାକୁ ଜଷ୍ଟିସ ଖାନା ନିର୍ଦେଶ ଦେବା ସହ ଯଦି ଇଭିଏମ ଭୋଟିଂକୁ ନେଇ କୌଣସି ଅଭିଯୋଗ ଆସେ ସେଗୁଡିକୁ ଖୋଲି ଯାଂଚ କରାଯାଇପାରିବ ବୋଲି କହିଛନ୍ତି ।
ଜଷ୍ଟିସ ଖାନାଏହା ମଧ୍ୟ କହିଛନ୍ତି, କୌଣସି ଲୋକସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ଭୋଟ ପାଇ ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ପଛକୁ ଦୁଇ ବା ତିନି ନମ୍ବରରେ ଥିବା ପ୍ରାର୍ଥୀ ଲିଖିତ ଭାବେ ଆବେଦନ କଲେ ଇଭିଏମ ପ୍ରସ୍ତୁତିକାରୀ କଂପାନୀର ଇଂଜିନିୟରମାନେ ସେହି ନିର୍ବାଚନ ମଣ୍ଡଳୀର ପାଂଚ ପ୍ରତିଶତ ଇଭିଏମର ବାଲଟ୍ ୟୁନିଟ, କଂଟ୍ରୋଲ ୟୁନିଟ ଓ ଭିଭିପାଟ୍ ସ୍ଲିପ୍ କୁ ଯାଂଚ କରି ପାରିବେ । ସଂପୃକ୍ତ ପ୍ରାର୍ଥୀ ବା ତାଙ୍କ ପ୍ରତିନିଧି ଭୋଟ ଗ୍ରହଣ କେନ୍ଦ୍ର ବା ସିରିଅଲ୍ ନମ୍ବର ଆଧାରରେ ଇଭିଏମଗୁଡିକୁ ଚିହ୍ନଟ କରିବେ । ଯାଂଚ ସମୟରେ ସମସ୍ତ ପ୍ରାର୍ଥୀ ଓ ସେମାନଙ୍କ ଏଜେଂଟ୍ ଉପସ୍ଥିତ ରହି ପାରିବେ । ଭୋଟ ଫଳାଫଳ ଆସିବାର ସାତ ଦିନ ମଧ୍ୟରେ ପ୍ରାର୍ଥୀଙ୍କୁ ଯାଂଚ ପାଇଁ ଅନୁରୋଧ କରିବାକୁ ପଡିବ । ଜିଲ୍ଲା ନିର୍ବାଚନ ଅଧିକାରୀ ଇଭିଏମ୍ ଇଂଜିନିୟର ଦଳ ସହ ପରାମର୍ଶ କରି ବର୍ଣ୍ଣଟ୍ ମେମୋରୀ ମାଇକ୍ରୋକଂଟ୍ରୋଲରଗୁଡିକ ଠିକଠାକ୍ ରହିଛି ବୋଲି ସାର୍ଟିଫାଏ କରିବେ । ଯାଂଚ ସରିବା ପରେ ଏଥିପାଇଁ କେତେ ଖର୍ଚ୍ଚ ହୋଇଛି ତାହା ନିର୍ବାଚନ କମିଶନ ଦର୍ଶାଇବେ ଏବଂ ଆବେଦନକାରୀ ପ୍ରାର୍ଥୀ ତାହା ବହନ କରିବେ । ଇଭିଏମ ଟ୍ୟାଂପରିଂ ହୋଇଥିବା ଯଦି ଜଣାପଡିବ ପ୍ରାର୍ଥୀଙ୍କୁ ତାଙ୍କ ଖର୍ଚ୍ଚ ଫେରସ୍ତ ମିଳି ଯିବ ବୋଲି ସୁପ୍ରିମ କୋର୍ଟ ଆଜିର ରାୟରେ କହିଛନ୍ତି ।
ସୁପ୍ରିମ କୋର୍ଟର ରାୟ ଆସୁ ଆସୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରରେ ଏକ ନିର୍ବାଚନ ସଭାରେ ବିରୋଧୀ ‘ଇଣ୍ଡିଆ’ ମେଂଟକୁ ତୀବ୍ର ଆକ୍ରମଣ କରିଛନ୍ତି । ସେ କହିଛନ୍ତି, ଇଭିଏମ ମାଧ୍ୟମରେ ହେଉଥିବା ମତଦାନାକୁ ଭିଭିପାଟ୍ ମେସନରୁ ବାହାର ଥିବା ସ୍ଲିପ୍ ସହ ଶତ ପ୍ରତିଶତ ଯାଂଚ କରାଯାଇ ନିର୍ବାଚନ ଫଳାଫଳ ପ୍ରକାଶ କରାଯିବା ପାଇଁ ବିରୋଧୀ ଯେଉଁ ଆବେଦନ କରିଥିଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଆଜି ତାହାକୁ ଖାରଜ କରି ଦେଇଛନ୍ତି । ଇଭିଏମରେ ମତଦାନକୁ ନେଇ ଜନସାଧାରଣରେ ଅବିଶ୍ୱାସ ଭାବ ସୃଷ୍ଟି କରି ବିରୋଧୀ ବଡ ‘ପାପ’ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ, ଅଣ-ଲାଭକାରୀ ସଂସ୍ଥା ଆସୋସିଏସନ୍ ଅଫ୍ ଡେମୋକ୍ରେଟିକ ରିଫର୍ମସ୍ (ଏଡିଆର) ପକ୍ଷରୁ ସୁପ୍ରିମ କୋର୍ଟରେ ଏହି ସବୁ ଆବେଦନ ହୋଇଥିଲା । ଅପରପକ୍ଷରେ, ଭୋଟର-ଭେରିଫାଇବଲ୍ ପେପର ଅଡିଟ ଟ୍ରାଏଲ (ଭିଭିପାଟ୍)କୁ ନେଇ ପ୍ରଧାନମନ୍ତ୍ରୀ ଦେଇଥିବା ବୟାନ ଉପରେ କଂଗ୍ରେସ କଡା ପ୍ରତିକ୍ରିୟା ରଖିଛି ।
କଂଗ୍ରେସ ନେତା ପବନ ଖେରା ବିରୋଧୀ ମେଂଟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ବିଜେପି ନେତା ଜିଏଲଭି ନରସିଂହ ରାଓ ଇଭିଏମର ବିଶ୍ୱସନୀୟତାକୁ ପ୍ରଶ୍ନ ଉଠାଇ ଯେଉଁ ବହି ଲେଖିଛନ୍ତି ତାହାକୁ ବରିଷ୍ଠ ବିଜେପି ନେତା ଲାଲ କୃଷ୍ଣ ଆଡଭାନୀ ଉନ୍ମୋଚନ କରିବା କଣ ଭୁଲ ଥିଲା ? କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏର ସରକାର ଥିବା ସମୟରେ ୨୦୧୦ରେ ରାଓଙ୍କ ବହି ‘ଡେମୋକ୍ରେସୀ ଆଟ୍ ରିସ୍କ ! କେନ୍ ୱି ଟ୍ରଷ୍ଟ୍ ଆୱାର ଇଲୋକ୍ଟୋନିକ୍ ଭୋଟିଂ ମେସିନ୍ସ୍ ?’ ବହି ଆଡଭାନୀଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା । ଆଜିର ସୁପ୍ରିମ କୋର୍ଟ ରାୟ ପରେ ଇଭିଏମକୁ ନେଇ ଶାସକ ଓ ବିରୋଧୀଙ୍କ ଲଢେଇ ଅନ୍ୟ ଏକ ଫୋରମରେ ଆରମ୍ଭ ହୋଇଯାଇଥିବାରୁ ଜୁନ ୦୧ ତାରିଖରେ ଦେଶର ୧୮ତମ ସାଧାରଣ ନିର୍ବାଚନ ସରିବା ପର୍ଯ୍ୟନ୍ତ ଲମ୍ବା ଚାଲିବା ସ୍ପଷ୍ଟ ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS