ଲୋକସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟରେ ୬୩.୫୦ ପ୍ରତିଶତ ମତଦାନ
ପ୍ରସାଦ ରାଓ
ନୂଆଦିଲ୍ଲୀ/ ଏପ୍ରିଲ ୨୭
ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହୋଇଥିବା ୧୮ତମ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଗତକାଲି ସରିଛି । ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୮୮ଟି ଲୋକସଭା ଆସନ ପାଇଁ ଭୋଟ ଗତକାଲି ମତଦାନ ହୋଇଥିଲା । ଏହି ପର୍ଯ୍ୟାୟରେ ୬୩.୫୦ ପ୍ରତିଶତ ମତଦାତା ଭୋଟ ଦେଇଥିବା ଏବଂ ମତଦାନ ମୋଟାମୋଟି ଶାନ୍ତିପୂର୍ଣ୍ଣ ହୋଇଥିବା ନିର୍ବାଚନ କମିଶନ କହିଛନ୍ତି । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ସରିଥିଲେ ମଧ୍ୟ ବିଭିନ୍ନ ମତଦାନ କେନ୍ଦ୍ରରେ ମତଦାତାଙ୍କ ଭିଡ଼ ରହିଥିଲା । ରାତି ୮ଟା ସୁଦ୍ଧା ମିଳିଥିବା ରିପୋର୍ଟ ମୁତାବକ ୬୩.୫୦ ପ୍ରତିଶତ ମତଦାନ ହୋଇଥିଲେ ମଧ୍ୟ ସବୁ ଭୋଟ ଗ୍ରହଣ କେନ୍ଦ୍ରରୁ ଆସିବା ପରେ ମତଦାନ ପ୍ରତିଶତ ଆହୁରି ବଢିବ ବୋଲି କମିଶନ କହିଛନ୍ତି । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୧୦୨ ଲୋକସଭା ଆସନରେ ମତଦାନ ହୋଇଥିଲା । ଗତକାଲି କେରଳର ସମସ୍ତ ୨୦ ଲୋକସଭା ଆସନ ସହ କର୍ଣ୍ଣାଟକର ୨୮ରୁ ୧୪ ଲୋକସଭା ଆସନ, ରାଜସ୍ଥାନର ୧୩ଟି ଆସନ, ମହାରାଷ୍ଟ୍ର ଓ ଯୁପିର ୮ଟି ଲେଖାଏଁ ଆସନ, ମଧ୍ୟ ପ୍ରଦେଶର ୬ଟି, ଆସାମ ଓ ବିହାରର ୫ଟି ଲେଖାଏଁ ଆସନ, ଛତିଶଗଡ଼ ଓ ପଶ୍ଚିମ ବଂଗର ୩ଟି ଲେଖାଏଁ ଆସନଏବଂ ମଣିପୁର,ତ୍ରିପୁରା ଓ ଜମ୍ମୁ-କଶ୍ମୀରର ଗୋଟିଏ ଲେଖାଏଁ ଆସନରେ ମତଦାନ ସରିଛି । ଗତ ସପ୍ତାହରେ ମତଦାନ ୬୫ ପ୍ରତିଶତ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ କମିଛି ଓ ହାରାହାରି ୬୩ ପ୍ରତିଶତ ରହିଛି । ୨୦୧୯ରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ପରିମାଣ ଥିଲା ୬୮ ପ୍ରତିଶତ । ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ମୁତାବକ ଗତକାଲି ତ୍ରିପୁରାରେ ସର୍ବାଧିକ ୭୯.୪୬ ପ୍ରତିଶତ ମତଦାନ ହୋଇଥିବା ବେଳେ ମଣିପୁର ତାହା ପଛକୁ ରହିଛି । ମଣିପୁରରେ ମତଦାନ ହାର ୭୭.୩୨ ପ୍ରତିଶତ ଥିବା ବେଳେ ୟୁପିରେ ୫୪.୮୫ ପ୍ରତିଶତ ଓ ବିହାରରେ ୫୫.୦୮ ପ୍ରତିଶତ ରହିଛି । ତ୍ରିପୁରା ଇଷ୍ଟ (ଏସଟି) ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଶାନ୍ତିପୂର୍ଣ୍ଣ ରହିଥିବା ବେଳେ ଦୁଇଟି ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ଶତ ପ୍ରତିଶତ ହୋଇଥିବା ଜଣାପଡିଛି । ମଣିପୁରରେ ଗତକାଲି ମତଦାନ ସମୟରେ ବହୁ ସଂଖ୍ୟାରେ ସୁରକ୍ଷା ଯବାନଙ୍କ ମୁତୟନ ହୋଇଥିବା ସତ୍ତ୍ୱେ ମତଦାନ ୭୭.୩୨ ପ୍ରତିଶତ ହୋଇଥିଲା । ୟୁପିର ଯେଉଁ ସବୁ ଲୋକସଭା ଆସନ ପାଇଁ ଗତକାଲି ମତଦାନ ହୋଇଥିଲା ୨୦୧୯ରେ ସେସବୁ ଆସନରେ ୬୨ ପ୍ରତିଶତ ମତଦାନ ହୋିଥିବା ବେଳେ ୨୦୨୪ରେ ସାତ ପ୍ରତିଶତ ମତଦାନ କମ୍ ହୋଇଛି । କେରଳରେ ଗତକାଲି ୭୦.୨୧ ପ୍ରତିଶତ ମତଦାନ ହୋଇଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୱାଏନାଡ ଲୋକସଭା କ୍ଷେତ୍ରରେ ୭୨.୭୦ ପ୍ରତିଶତ ମତଦାନ ହୋଇଛି । ମଧ୍ୟ ପ୍ରଦେଶରେ ୫୭.୮୮ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିବା ବେଳେ ଆସାମର ପାଂଚଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଏହି ପର୍ଯ୍ୟାୟରେ ପ୍ରାୟ ୭୧.୧୧ ପ୍ରତିଶତ ମତଦାନ ହୋଇଛି । ମହାରାଷ୍ଟ୍ରର ଆଠଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ୫୭.୮୩ ପ୍ରତିଶତ ମତଦାତା ମତଦାନ କରିଥିବା ବେଳେ ରାଜସ୍ଥାନରେ ୬୪.୦୭ ପ୍ରତିଶତ ମତଦାନ ହୋଇଛି । ବିହାରରେ ୫୫.୦୮ ପ୍ରତିଶତ, ଜମ୍ମୁ-କଶ୍ମୀରରେ ୭୧.୯୧ ପ୍ରତିଶତ ଓ ପଶ୍ଚିମ ବଂଗରେ ୭୧.୮୪ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ପଶ୍ଚିମ ବଂଗରୁ ନିର୍ବାଚନ କମିଶନଙ୍କୁ ଇଭିଏମ ମେସିନକୁ ନେଇ ପ୍ରାୟ ୩୦୦ ଅଭିଯୋଗ ମିଳିଥିବା ଜଣାପଡିଛି । ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ବେଂଗାଲୁରୁର ପ୍ରାୟ ୫୦ ପ୍ରତିଶତ ମତଦାତା ମତଦାନରୁ ବିରତ ରହିଥିଲେ । ବେଂଗାଲୁରୁର ତିନିଟି ସହରାଂଚଳ ବେଂଗାଲୁରୁ ସେଂଟ୍ରାଲ, ବେଂଗାଲୁରୁ ଉତ୍ତର ଓ ବେଂଗାଲୁରୁ ଦକ୍ଷିଣରେ ମତଦାନ ପ୍ରତିଶତ କମ୍ ଥିଲା । ବେଂଗାଲୁରୁ ସେଂଟ୍ରାଲରେ ମତଦାନ ପ୍ରାୟତଃ ୫୨.୮୧ ପ୍ରତିଶତ ରହିଥିବା ବେଳେ ବେଂଗାଲୁରୁ ଉତ୍ତରରେ ୫୪.୪୨ ପ୍ରତିଶତ ଓ ବେଂଗାଲୁରୁ ଦକ୍ଷିଣରେ ୫୩.୧୫ପ୍ରତିଶତ ରହିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS