ଓଡ଼ିଶା ମାଟିରୁ ମୋଦୀ, ନବୀନଙ୍କୁ ଟାର୍ଗଟ କଲେ ରାହୁଲ ଗାନ୍ଧୀ
ପ୍ରସାଦ ରାଓ
ଭୁବନେଶ୍ୱର/ ଏପ୍ରିଲ ୨୮
ବରିଷ୍ଠ କଂଗ୍ରେସ ନେତା ତଥା ୱଇନାଡ (କେରଳ) ସାଂସଦ ରାହୁଲ ଗାନ୍ଧୀ ଆଜି ଓଡ଼ିଶାର ସାଲେପୁର ନିକଟସ୍ଥ କୁଲେଇଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ନିର୍ବାଚନ ସଭାରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ଦିଲ୍ଲୀରୁ କିଛି ଅରବପତିଙ୍କ ତୁଷ୍ଟିକରଣରେ ମାତି ଥିବା ବେଳେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କିଛି ମୁଷ୍ଠିମେୟ ଲୋକଙ୍କ ତୁଷ୍ଟିକରଣରେ ବ୍ୟସ୍ତ । ଅନ୍ୟମାନେ କେବଳ ତାହା ଦେଖୁଛନ୍ତି । ତେଲେଂଗାନାରେ କଂଗ୍ରେସ ବିଜେପି ଓ ବିଆରଏସର ବିବାହ ସଂପନ୍ନ କରିଥିଲା । ପ୍ରତିଦିନ ବିବାହ ଶୋଭାଯାତ୍ରା ବାହାରୁ ଥିଲା । ରାଜ୍ୟବାସୀ ତେଲେଂଗାନାରେ କଂଗ୍ରେସକୁ କ୍ଷମତାକୁ ଆଣିବା ପରେ ଦଳ ଯେଉଁ ସବୁ ଘୋଷଣାମାନ କରିଥିଲା ସେସବୁ କାର୍ଯ୍ୟକାରୀ ହେଉଛି । ଓଡ଼ିଶାରେ ମଧ୍ୟ କଂଗ୍ରେସ ବିଜେଡ଼ି ଓ ବିଜେପିର ବିବାହ କରାଇ ସାରିଛି । ଚଳିତ ନିର୍ବାଚନରେ ଦୁଇ ଦଳ (ବିଜେଡ଼ି ଓ ବିଜେପି) ପରସ୍ପର ବିରୋଧରେ ଲଢୁଥିବା ବାହାରକୁ ଦେଖାଉ ଥିଲେ ମଧ୍ୟ ବାସ୍ତବରେ ସେମାନେ ପରଦା ଆଢୁଆଳରେ ବୁଝାମଣା ଭିତରେ ନିର୍ବାଚନ ମଇଦାନରେ ଅଛନ୍ତି । ଓଡ଼ିଶାବାସୀ ୨୦୨୪ ନିର୍ବାଚନରେ କଂଗ୍ରେସକୁ କ୍ଷମତାକୁ ଆଣିଲେ ଅନ୍ୟ କଂଗ୍ରେସ ଶାସିତ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ଦଳର ବିଭିନ୍ନ ଗ୍ୟାରେଂଟି ଫଟାଫଟ୍ କାର୍ଯ୍ୟକାରୀ କରାଯିବ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି । ଦେଶରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଏହା ପ୍ରଥମ ନିର୍ବାଚନ ସଭା (ନ୍ୟାୟ ସଭା) ଥିଲା । ରାହୁଲ ପୂର୍ବାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବା ପରେ ଦଳ ପକ୍ଷରୁ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣୀ ମଧୁସୂଦନ ଦାସ (ଓଡ଼ିଶାରେ ମଧୁବାବୁ ଭାବେ ପରିଚିତ)ଙ୍କ ଆଜି ୧୭୬ତମ ଜନ୍ମ ଜୟନ୍ତୀ ଥିବାରୁ ରାହୁଲ ଭୁବନେଶ୍ୱର ବିମାନ ବନ୍ଦରରୁ ସିଧା ମଧୁବାବୁଙ୍କ ଜନ୍ମସ୍ଥାନ ସାଲେପୁରର ସତ୍ୟଭାମାପୁରକୁ ଯାଇ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଂଜଳୀ ଅର୍ପଣ କରିଥିଲେ । ସେଠାରୁ ସେ କୁଲେଇ ନ୍ୟାୟ ସଭାକୁ ଯାଇଥିଲେ । ସକାଳୁ ସକାଳୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସତ୍ତ୍ୱେ ସଭା ସ୍ଥଳରେ ଆଶାତୀତ ଜନସମାଗମ ହୋଇଥିଲା । ରାହୁଲ ଉତ୍ସାହିତ ହୋଇ ପ୍ରାୟ ୨୦ ମିନିଟ ଭାଷଣ ଦେଇ ଉଭୟ କେନ୍ଦ୍ର ବିଜେପି ଓ ଓଡ଼ିଶା ବିଜେଡ଼ି ସରକାରଙ୍କୁ କଠୋର ସମାଲୋଚନା କରିଥିଲେ । ଓଡ଼ିଶାରେ ନୀବନ ବାବୁ ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ପ୍ରକୃତ ଶାସନ ଅନ୍ୟ ହାତରେ ରହିଛି ବୋଲି କହି ରାହୁଲ ଆଇଏଏସରୁ ବିଜେଡ଼ି ନେତା ହୋଇଥିବା ଏବଂ ରାଜ୍ୟ ୫-ଟି ଅଧ୍ୟକ୍ଷ ଥିବା ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କୁ ପରୋକ୍ଷ ଟାର୍ଗେଟ୍ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ବୁଝାମଣା ଭିତରେ ମୁଷ୍ଠିମେୟଙ୍କ ତୁଷ୍ଟିକରଣରେ କରୁଛନ୍ତି ଏବଂ ସମସ୍ତ ଲାଭ ସେମାନଙ୍କୁ ଦେଉଛନ୍ତି ବୋଲି ରାହୁଲ ଅଭିଯୋଗ କରିବା ସହ କଂଗ୍ରେସ କେନ୍ଦ୍ରରେ କ୍ଷମତାକୁ ଆସିଲେ ପ୍ରତ୍ୟେକ ପରିବାରର ମହିଳା ମୁଖ୍ୟଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କା, କେବଳ ରାଜ୍ୟ (ଓଡ଼ିଶା)ରେ କ୍ଷମତାକୁ ଆସିଲେ ମାସିକ ୨ ହଜାର ଟଙ୍କା ଲେଖାଏଁ ବର୍ଷକୁ ୨୪ ହଜାର ଟଙ୍କା ବ୍ୟାଙ୍କ ଟ୍ରାନ୍ସଫର କରିିବ, ରାଜ୍ୟବାସୀଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇ ଦିଆଯିବ, ପ୍ରତ୍ୟେକ ପରିବାରକୁ ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର, ବେକାର ଯୁବକ, ଯୁବତୀଙ୍କୁ ତିନି ହଜାର ଟଙ୍କା ଲେଖାଏଁ ମାସିକ ଆର୍ଥିକ ସହାୟତା, କୃଷକଙ୍କୁ ଧାନ, ଗହମର ଉଚିତ ମୂଲ୍ୟ, ଏମଏସପିକୁ ଆଇନଗତ ମାନ୍ୟତା, ଧାନର ଏମଏସପି କୁଇଂଟାଲ ପିଛି ୩ ହଜାର ଟଙ୍କା, ମନରେଗା ମଜୁରୀ ୪୦୦ ଟଙ୍କାକୁ ବୃଦ୍ଧି କରାଯିବ । ଆଦିବାସୀଙ୍କୁ ଜଂଗଲ ଜମି ହସ୍ତାନ୍ତର କରାଯିବ । ବେକାର ଯୁବକ, ଯୁବତୀଙ୍କୁ ଚାକିରୀ ଗ୍ୟାରେଂଟି, ପେହେଲି ନୌକରି ଯୋଜନା କାର୍ଯ୍ୟକାରୀ କରାଯିବା, ଆଶା ଓ ଅଂଗନବାଡୀ କର୍ମୀଙ୍କ ପାରିଶ୍ରମିକ ଦୁଇ ଗୁଣ କରାଯିବ ପ୍ରଭୃତି ଗ୍ୟାରେଂଟି ଘୋଷଣା କରିବା ସହ ତୁରନ୍ତ ସେସବୁ ଲାଗୁ ହୋଇଯିବ ବୋଲି କହିଥିଲେ । ରାହୁଲଙ୍କ ପାଂଚଟି ନ୍ୟାୟ ଏବଂ ବିଭିନ୍ନ ଗ୍ୟାରେଂଟି ଅତ୍ୟନ୍ତ ଲୋଭନୀୟ । ଆଜିର ସାଧାରଣ ସଭାରେ ଜନସମାଗମ ମଧ୍ୟ ବେଶ୍ ଉତ୍ସାହଜନକ । ତେବେ, ରାହୁଲ ରାଜ୍ୟବାସୀଙ୍କ ନିକଟରେ ଯେଉଁ ବାର୍ତ୍ତା ପହଂଚାଇବାକୁ ଚାହିଁଛନ୍ତି ତାହା ପହଂଚାଇବା ପାଇଁ କଂଗ୍ରେସର ରାଜ୍ୟରେ ସାମାର୍ଥ୍ୟ ଓ ସଂଗଠନ ରହିଛି ତ (?) ବୋଲି କିଛି ରାଜନୈତିକ ବିଶ୍ଲେଷକ ରାହୁଲଙ୍କ ସଭା ପରେ ପ୍ରଶ୍ନ କରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS