ମେ’ ୨ ତାରିଖ ପର୍ଯ୍ୟନ୍ତ ତ୍ରାହି ନାହିଁ
ପ୍ରସାଦ ରାଓ
ଭୁବନେଶ୍ୱର/ ଏପ୍ରିଲ ୨୮
ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି । ମେ’ ୨ ତାରିଖ ପର୍ଯ୍ୟନ୍ତ ଏଥିରୁ ତ୍ରାହି ନାହିଁ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସତର୍କବାଣୀ ଶୁଣାଇଛି । ରାଜ୍ୟର କିଛି ଜିଲ୍ଲାରେ କାଳବୈଷାଖୀ ବର୍ଷା, ପବନ ହେଉଥିଲେ ମଧ୍ୟ ତାପମାତ୍ର କମିବା ଦିଗରେ ବିଶେଷ ସହାୟକ ହେଉନାହିଁ । ଆଜି ଆଇଏମଡି ଭୁବନେଶ୍ୱର-କଟକ ଦ୍ୱୈତନଗରୀ ସମେତ ରାଜ୍ୟର କିଛି ଜିଲ୍ଲାରେ ଅସହ୍ୟ ‘ହିଟ୍ ୱେଭ୍’କୁ ନେଇ ରେଡ୍ ଆଲର୍ଟ ଜାରି କରିଛି । ଶନିବାର କଟକ, ଭୁବନେଶ୍ୱରରେ ପାରଦ ୪୩ ଡିଗ୍ରୀ ଉପରେ ରହିଥିଲା । କଟକରେ ସର୍ବାଧିକ ଉତ୍ତାପ ୪୩.୪ ଡିଗ୍ରୀ ସେଲସିୟସ ଥିବା ବେଳେ ଭୁବନେଶ୍ୱରରେ ୪୪.୬ ଡିଗ୍ରୀ ରହିଥିଲା । ଆଜି ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ରହିଥିଲା ୪୧.୬ ଡିଗ୍ରୀ ସେଲସିୟସ । ବାଲେଶ୍ୱର, ଚାନ୍ଦବାଲି ଓ କେଉଁଝରରେ ମଧ୍ୟ ୪୦ ଡିଗ୍ରୀ ଉପରେ ରହିଥିଲା । ଶନିବାର ଦିନ ଓଡ଼ିଶାର ୩୩ଟି ସ୍ଥାନରେ ଦିନ ବେଳର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଓ ଅଧିକ ରହିଥିଲା । ଆଜି ମଧ୍ୟ ସକାଳ ସାଢେ ୮ଟା ସୁଦ୍ଧା ଅନୁଗୁଳ ଜିଲ୍ଲାରେ ସର୍ବାଧିକ ଉତ୍ତାପ ୩୬ ଡିଗ୍ରୀ ଥିବା ବେଳେ ଭାବାନୀପାଟଣା ଓ ତାଳଚେରରେ ୩୫.୫ ଡିଗ୍ରୀ ଓ ୩୫.୪ ରହିଥିଲା । କଟକ ଓ ଭୁବନେଶ୍ୱରର ତାପମାତ୍ର ସକାଳ ସାଢେ ୮ଟା ସୁଦ୍ଧା ଯଥାକ୍ରମେ ୩୩.୨ ଓ ୩୩.୪ ଡିଗ୍ରୀ ସେଲସିୟସରେ ପହଂଚି ସାରିଥିଲା । ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ ଗୁଳୁଗୁଳି ପରିମାଣ ୬୫ ପ୍ରତିଶତ ରହିବା ସମୟରେ ଭୁବନେଶ୍ୱରରେ ତାହା ୭୧ ପ୍ରତିଶତ ଓ କଟକରେ ୭୪ ପ୍ରତିଶତ ରହିଥିବା ଆଇଏମଡି ଭୁବନେଶ୍ୱରର ବୈଜ୍ଞାନିକ ଉମାଶଙ୍କର ଦାସ ଆଜି ଗଣମାଧ୍ୟମକୁ କହିଛନ୍ତି । ମେ’ ୨ ତାରିଖ ଯାଏଁ ପାଣିପାଗ ଅବସ୍ଥା ବଦଳିବାର ନାହିଁ । କିଛି ଜିଲ୍ଲାରେ ଦିନ ବେଳର ଉତ୍ତାପ ୪୪ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ପହଂଚି ଯିବ ବୋଲି ସେ କହିଛନ୍ତି । ମେ’ ୨ ତାରିଖ ପରେ ଓଡ଼ିଶାରେ ଗ୍ରାଷ୍ମପ୍ରବାହ କିଛିଟା କମିଲେ ମଧ୍ୟ ପରେ ପୁନର୍ବାର ତାହା ଉପର ମୁହାଁ ହେବ ବୋଲି ସେ ସତର୍କ କରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS