ମୋଦୀଙ୍କ ‘୪୦୦ ପାର୍’ ଖେଳ ! ଇନ୍ଦୋରରୁ କଂଗ୍ରେସ ପ୍ରାର୍ଥୀ ନିର୍ବାଚନରୁ ଓହରି ବିଜେପିରେ..
ପ୍ରସାଦ ରାଓ
ନୂଆଦିଲ୍ଲୀ / ଏପ୍ରିଲ ୨୯
୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ୩୭୦ ଓ ଏନଡିଏ ମେଂଟ ୪୦୦ରୁ ଅଧିକ ଆସନରେ ବିଜୟୀ ହେବ ବୋଲି ଘୋଷଣା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ନିର୍ବାଚନ ଅଭିଯାନ ଅରମ୍ଭ କରିଥିବା ବେଳେ ବିଜେପି ଶାସିତ ରାଜ୍ୟରେ ଏହାର ଝଲକ ଦେଖିବାକୁ ମିଳିଲାଣି । ଗତ ସପ୍ତାହରେ ଗୁଜରାଟର ସୁରଟ ଲୋକସଭା ଆସନରେ ନାମାଂକନପତ୍ର ଯାଂଚ ବେଳେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱ ରଦ୍ଦ ହୋଇଯାଇଥିଲା ଏବଂ ନାଟକୀୟ ପରିସ୍ଥିତିରେ ବିଏସପି ଓ ସ୍ୱାଧୀନ ପ୍ରାର୍ଥୀ ଥିବା ଅନ୍ୟ ଆଠ ଜଣ ସେମାନଙ୍କ ନାମାଂକନ ପ୍ରତ୍ୟାହାର କରି ନେଇଥିଲେ । ଫଳରେ, ସୁରଟ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଥିବା ମୁକେଶ ଦଲାଲ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିବା ଏପ୍ରିଲ ୨୨ ତାରିଖ ଦିନ ଘୋଷଣା ହୋଇଥିଲା । ବିଜେପି ତାହାର ‘୪୦୦ ପାର୍’ ଅଭିଯାନ ପ୍ରାରମ୍ଭରେ ସୁରଟ ଲୋକସଭା ଆସନ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଜିତି ନେବା ପରେ ମଧ୍ୟ ପ୍ରଦେଶରେ ଖେଳ ଦେଖାଇଛି । ମଧ୍ୟ ପ୍ରଦେଶର ଇନ୍ଦୋର ଲୋକସଭା ଆସନ ପାଇଁ ମାର୍ଚ୍ଚ ୧୩ ତାରିଖରେ ଭୋଟ ହେବାକୁ ଥିବା ବେଳେ ସେଠାରୁ କଂଗ୍ରେସ ପ୍ରାର୍ଥୀ ଥିବା ଅକ୍ଷୟ ବାମ୍ ଆଜି ନିର୍ବାଚନ ଦୌଡରୁ ଓହରି ଯାଇ ବିଜେପିରେ ଯୋଗ ଦେବା କଂଗ୍ରେସ ପାଇଁ ବଡ ଝଟକା ହୋଇଛି । ମଧ୍ୟ ପ୍ରଦେଶର ବରିଷ୍ଠ କଂଗ୍ରେସ ନେତା କୈଳାଶ ବିଜୟବର୍ଗୀ ଆଜି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ଫଟୋ ପୋଷ୍ଟ୍ କରିଛନ୍ତି, ଯେଉଁଥିରେ କି ଇନ୍ଦୋରରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅକ୍ଷୟ ବାମ୍ ତାଙ୍କ ସହ ଗୋଟିଏ ଦାମୀ କାର୍ ରେ ଯାଉଥିବା ଦେଖିବାକୁ ମିଳୁଛି । ଏହି ପୋଷ୍ଟରେ ବିଜୟବଗୀ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଓ ରାଜ୍ୟ ବିଜେପି ସଭାପତି ଭି.ଡି.ଶର୍ମାଙ୍କ ନେତୃତ୍ୱରେ ଅକ୍ଷୟ ବାମ୍ ଙ୍କ ବିଜେପିରେ ଯୋଗଦାନକୁ ସ୍ୱାଗତ କରାଯାଉଛି । ଆଜି ମଧ୍ୟ ପ୍ରଦେଶର ଇନ୍ଦୋର ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସରେ କଂଗ୍ରେସ ପ୍ରାର୍ଥୀ ଅକ୍ଷୟ ବାମ୍ ନିର୍ବାଚନ ଦୌଡରୁ ଓହରି ଯିବା ଓ ବିଜେପିରେ ଯୋଗ ଦେବା କଂଗ୍ରେସକୁ ଖେଳ ଆରମ୍ଭରୁ ଆଉଟ୍ କରି ଦେବା ଭଳି ହୋଇଛି । କେବଳ କଂଗ୍ରେସ ପ୍ରାର୍ଥୀ ବାମ୍ ନୁହନ୍ତି, ଇନ୍ଦୋର ଆସନରୁ ପ୍ରାର୍ଥୀ ହୋଇଥିବା ଅନ୍ୟ ତିନି ଜଣ ମଧ୍ୟ ଆଜି ବିଧିବଦ୍ଧ ଭାବରେ ସେମାନଙ୍କ ନାମାଂକନ ପ୍ରତ୍ୟାହାର କରି ନେଇଛନ୍ତି ଏବଂ ଏହି ପ୍ରକ୍ରିୟାର ଭିଡିଓଗ୍ରାଫ୍ ହୋଇଛି ବୋଲି ଜିଲ୍ଲାପାଳ ଆଶିଷ ସିଂହ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତ । କଂଗ୍ରେସ ପ୍ରାର୍ଥୀ ଅକ୍ଷୟ ବାମ୍ ଆଜି ବିଜେପି ବିଧାୟକ ରମେଶ ମେଣ୍ଡୋଲାଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ଓ ବିଧିବଦ୍ଧ ଭାବେ ତାଙ୍କ ନାମାଂକନ ପ୍ରତ୍ୟାହାର କରି ନେଇଥିଲେ । ମଧ୍ୟ ପ୍ରଦେଶର ତିନି ଜଣ ପୂର୍ବତନ ବିଧାୟକଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଦଳ ଛାଡି ବିଜେପିକୁ ଚାଲି ଯିବାରୁ କଂଗ୍ରେସ ଚଳିତ ନିର୍ବାଚନରେ ୪୫ ବର୍ଷ ବୟସ୍କ ଅକ୍ଷୟ ବାମ୍ ଙ୍କୁ ଇନ୍ଦୋର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା । ଇନ୍ଦୋରରୁ ସାଂସଦ ଥିବା ବିଜେପିର ଶଙ୍କର ଲାଲୱାନୀଙ୍କ ସହ ତାଙ୍କର ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଥିଲା । ତେବେ, ଅକ୍ଷୟ ଆଜି ଇନ୍ଦୋର ଆସନରୁ ନିର୍ବାଚନ ଦୌଡରୁ ଓହରି ଯାଇ ବିଜେପିରେ ଯୋଗଦେଇ କଂଗ୍ରେସ ନେତୃତ୍ୱକୁ ଦ୍ୱିତୀୟ ବଡ ଝଟକା ଦେଇଛନ୍ତି । ଆଜିର ଘଟଣାକୁ ନେଇ କଂଗ୍ରେସର ଆଂଚଳିକସ୍ତର ନେତାମାନେ କଂଗ୍ରେସ ନେତୃତ୍ୱ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଅକ୍ଷୟଙ୍କୁ ପ୍ରାର୍ଥୀ କରିବା ପାଇଁ ଦଳର ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏଠାରେ ସୂଚନାଯୋଗ୍ୟ, ଅକ୍ଷୟଙ୍କ ନାମାଂକନପତ୍ର ଯାଂଚ ସମୟରେ ୧୭ ବର୍ଷ ତଳର ଏକ ପୁରୁଣା ‘ହତ୍ୟା ଉଦ୍ୟମ’ ମାମଲା (ଆଇପିସି ୩୦୭ ଦଫା) ସେଥିରେ ଦର୍ଶାଯାଇ ନଥିବାରୁ ବିଜେପି ଆଇନ ସେଲ୍ ନାମାଂକନର ବିରୋଧ କରିଥିଲେ । ତେବେ, ନାମାଂକନ ଦାଖଲ ସମୟରେ ଅକ୍ଷୟ ଏହି ଅପରାଧର ବିବରଣୀ ସେଥିରେ ଯୋଡିବା ପରେ ନିର୍ବାଚନ ଅଧିକାରୀ ବିଜେପି ଆଇନ ସେଲ୍ ର ଅଭିଯୋଗକୁ ଅଣଦେଖା କରି ନାମାଂକନକୁ ଗ୍ରହଣ କରିଥିଲେ । ଗୁଜରାଟର ସୁରଟ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଂକନ ରଦ୍ଦ କରାଯିବା ପଛରେ କାରଣ ଦର୍ଶାଯାଇଥିଲା ନାମାଙ୍କନପତ୍ରରେ ସାକ୍ଷୀମାନଙ୍କ ଦସ୍ତଖତ ଜାଲ ହୋଇଛି । ସୁରଟ ଘଟଣାରେ କଂଗ୍ରେସ ପ୍ରାର୍ଥୀ ଛଅ ବର୍ଷ ପାଇଁ ଦଳରୁ ବହିଷ୍କୃତ ହୋଇଥିବା ବେଳେ ଏହାପଛରେ ବିଜେପିର ଷଡଯନ୍ତ୍ର ଥିବା ବିରୋଧୀ ଅଭିଯୋଗ କରିଛନ୍ତି ଏବଂ ନିର୍ବାଚନ କମିଶନଙ୍କ ନିରବତାକୁ ଦାୟି କରିଛନ୍ତି । ଆଜି ଇନ୍ଦୋରରେ ଘଟିଥିବା ଘଟଣା ଆଉ ଏକ ଝଲକ । କଂଗ୍ରେସ ପ୍ରାର୍ଥୀ ନିଜେ ନିର୍ବାଚନରୁ ଓହରି ବିଜେପିରେ ଯୋଗଦେବା ପଛରେ ମଧ୍ୟ ଶାସକ ଦଳର ଷଡଯନ୍ତ୍ର ରହିଥିବା ବିରୋଧୀ ମେଂଟ ଅଭିଯୋଗ କରିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS