ଇଭିଏମ୍-ଭିଭିପାଟ୍ ମାମଲାରେ ସୁପ୍ରିମ କୋର୍ଟ ରାୟ ସଂରକ୍ଷିତ ରହିଲା
ପ୍ରସାଦ ରାଓ
ନୂଆଦିଲ୍ଲୀ/ ଏପ୍ରିଲ ୨୪
ଦେଶରେ ସାଧାରଣ ନିର୍ବାଚନ ପରିଚାଳନା କ୍ଷେତ୍ରରେ ବ୍ୟବହାର ହେଉଥିବା ଇଭିଏମ୍ (ଇଲୋକେଟ୍ରାନିକ ଭୋଟିଂ ମେସିନ)ଗୁଡିକ ଯେ ପୂର୍ଣ୍ଣତଃ ତୃଟି-ମୁକ୍ତ ନୁହଁନ୍ତି, ସେଥିରେ ମଧ୍ୟ ପ୍ରୋଗ୍ରାମିଂ କରାଯାଇ ଭୋଟ ଜାଲିଆତି ସମ୍ଭାବନା ରହିଛି ବୋଲି ବିଭିନ୍ନ ନିର୍ବାଚନ ସମୟରେ ବିରୋଧୀ ଦଳଙ୍କ ପକ୍ଷରୁ ହେଉଥିବା ଅଭିଯୋଗର କୌଣସି ବଳିଷ୍ଠ ଆଧାର ନାହିଁ । କେବଳ ‘ସାମାନ୍ୟ’ ସନ୍ଦେହ ଆଧାରରେ ଅଦାଲତ କୌଣସି ନିର୍ଣ୍ଣୟ ନେଇ ପାରିବେ ନାହିଁ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ଆଜି ଏଡିଆର (ଆସୋସିଏସନ୍ ଅଫ୍ ଡେମୋକ୍ରେଟିକ୍ ରିଫର୍ମସ୍) ପକ୍ଷରୁ ହୋଇଥିବା ଏକ ଅବେଦନର ଶୁଣାଣୀ ସମୟରେ ସ୍ପଷ୍ଟ କରି ଦେଇଛନ୍ତି । ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ଓ ଜଷ୍ଟିସ ଦୀପଂକର ଦତ୍ତଙ୍କୁ ନେଇ ଗଠିତ ବେଂଚ୍ ଏଡିଆର ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ କହିଛନ୍ତି, ସୁପ୍ରିମ କୋର୍ଟ ନିର୍ବାଚନ ପରିଚାଳନାକୁ ନିୟନ୍ତ୍ରଣ କରୁ ନାହାନ୍ତି, ଦେଶରେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଏକ ସାମ୍ବିଧାନିକ ସଂସ୍ଥା ହୋଇଥିବା ଦୃଷ୍ଟିରୁ ସଂସ୍ଥା କିଭଳି ଭାବେ ତାହାର କାର୍ଯ୍ୟ ସଂପାଦନ କରିବ ସେନେଇ ନିର୍ଦେଶ ଦେବାକୁ ମଧ୍ୟ ଚାହୁଁ ନାହାନ୍ତି । ସାମାନ୍ୟ ସନ୍ଦେହ ଆଧାରରେ ଅଦାଲତ କୌଣସି ନିର୍ଣ୍ଣୟ ନେଇ ପାରିବେ ନାହିଁ ବୋଲି ବିଚାରପତି ଦ୍ୱୟ କହିବା ସହ ବର୍ତ୍ତମାନ ପାଇଁ ରାୟ ସଂରକ୍ଷିତ ରଖିଛନ୍ତି । ଯେକୌଣସି ନିର୍ବାଚନରେ ମତଦାତା ଇଭିଏମ୍ ରେ ମତଦାନ କରିବା ସମୟରେ ନିଜ ସମର୍ଥିତ ପ୍ରାର୍ଥୀଙ୍କ ନାମ ଓ ନିର୍ବାଚନ ଚିହ୍ନ ଦେଖି ବଟନ ଦବାଇ ଥାଆନ୍ତି । ଭୋଟ ସେମାନେ ଦେଇଥିବା ବ୍ୟକ୍ତି ଓ ଚିହ୍ନକୁ ଯାଇଛି କି ନାହିଁ ତାହା ତୁରନ୍ତ ଇଭିଏମ୍ ସହ ସଂଲଗ୍ନ ଅନ୍ୟ ଏକ ମେସିନ୍ ‘ଭିଭିପାଟ୍’ରେ ସ୍ୱଳ୍ପ ସମୟ ପାଇଁ ପ୍ରଦର୍ଶିତ ହୋଇଥାଏ । ତେବେ, ଭିଭିପାଟ୍ ବ୍ୟବସ୍ଥାରେ ଭୋଟ୍ କାହାକୁ ଯାଇଛି ତାହା ଚିରୁକୁଟି (ସ୍ଲିପ୍) ଆକାରରେ ବାହାରିବା ସୁବିଧା ରହିଛି । ମତଦାତାଙ୍କ ଭୋଟ ସହ ଭିଭିପାଟ୍ ମେସିନରୁ ବାହାରିଥିବା ଚିରୁକୁଟିକୁ ମିଳାଇଲେ ଭୋଟ ସଠିକ୍ ବ୍ୟକ୍ତିଙ୍କୁ ଯାଇଛି କି ନାହିଁ ଜଣାପଡିଥାଏ । ତେବେ, ସଂପ୍ରତ୍ତି ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଖିବୁଜି ପାଂଚଟି ଇଭିଏମ୍ ମେସିନରେ ହୋଇଥିବା ମିତଦାନ ସହ ଭିଭିପାଟ୍ ଚିରୁକୁଟିର ମେଳ କରାଯାଇ ଭୋଟ ଠିକ୍ ବ୍ୟକ୍ତିଙ୍କୁ ଯାଇଛି କି ନାହିଁ ତଦାରଖ କରାଯାଉଛି । ତେବେ, ବିରୋଧୀ ଚାହୁଁଛନ୍ତି ଇଭିଏମ୍ ମାଧ୍ୟମରେ ହେଉଥିବା ପ୍ରେତ୍ୟେକ ଭୋଟକୁ ଭିଭିପାଟ୍ ସ୍ଲିପ୍ ସହ ଯାଂଚ କରାଯାଉ । ଏଡିଆର ମଧ୍ୟ ଇଭିଏମ ମାଧ୍ୟମରେ ଭୋଟିଂର ସଠିକତା ଉପରେ ସନ୍ଦେହ ପ୍ରକାଟ କରି ସୁପ୍ରିମ କୋର୍ଟକୁ ଯାଇଛି । ଇଭିଏମ୍ ଜରିଆରେ ହେଉଥିବା ପ୍ରତିଟି ଭୋଟକୁ ଭିଭିପାଟ୍ ବ୍ୟବସ୍ଥାରେ ବାହାରୁ ଥିବା ସ୍ଲପ୍ ସହ ମିଳାଇ ଯାଂଚ (କ୍ରସ୍-ଚେକ୍) କରାଯିବା ସକାଶେ ଅଦାଲତ ନିର୍ଦେଶ ଦେବାକୁ ଏଡିଆର ସୁପ୍ରିମ କୋର୍ଟକୁ ନିବେଦନ କରିଛି । ଏହି ଆବେଦନ ଉପରେ ସୁପ୍ରିମ କୋର୍ଟରେ କିଛି ଦିନ ହେଲା ଶୁରାଣୀ ଚାଲିଥିଲା । ଆଜି ଏହା ଉପରେ ସୁପ୍ରିମ କୋର୍ଟଙ୍କ ରାୟ ଆସିବା ଆଶା କରାଯାଉଥିଲା । ସୁପ୍ରିମ କୋର୍ଟରେ ଆଜି ସକାଳେ ଶୁଣାଣୀ ଆରମ୍ଭ ହେବା ପରେ ବିଚାରପତି ଦ୍ୱୟ ଇଭିଏମ ବ୍ୟବସ୍ଥାରେ ଥିବା ମାଇକ୍ରୋକଂଟ୍ରୋଲର ଏବଂ ସେସବୁ ରି-ପ୍ରୋଗ୍ରାମିଂ ହୋଇପାରିବ କି ନାହିଁ ନିର୍ବାଚନ କମିଶନଙ୍କଠାରୁ ଜାଣିବାକୁ ଚାହିଁଥିଲେ । ନିର୍ବାଚନ କମିଶନଙ୍କ ଜଣେ ଅଧିକାରୀ ଅପରାହ୍ନ ୨ଟାରେ ଅଦାଲତରେ ଉପସ୍ଥିତ ହୋଇ ଏସଂପର୍କରେ ବୁଝାଇବାକୁ ନିର୍ଦେଶ ମଧ୍ୟ ଦେଇଥିଲେ । ନିର୍ବାଚନ କମିଶନ ଅଧିକାରୀ ଅପରାହ୍ନରେ କୋର୍ଟରେ ଉପସ୍ଥିତ ରହି ଅଦାଲତକୁ ଜଣାଇଥିଲେ ଯେ, ଇଭିଏମ୍ ଭୋଟିଂ ବ୍ୟବସ୍ଥାରେ ଯେଉଁ ତିନିଟି ୟୁନିଟ ରହିଛି ସେମାନଙ୍କ ନିଜସ୍ୱ ମାଇକ୍ରୋକଂଟ୍ରୋଲର ବ୍ୟବସ୍ଥା ରହିଛି, ଯାହାକି ଥରେ ହିଁ ପ୍ରୋଗ୍ରାମିଂ ହୋଇପାରିବ । ଆବେଦନକାରୀଙ୍କ ଓକିଲ ପ୍ରଶାନ୍ତ ଭୂଷଣ ଯୁକ୍ତି ରଖିଥିଲେ, ମାଇକ୍ରୋକଂଟ୍ରୋଲରଗୁଡିକରେ ଥିବା ପ୍ଲାସ୍ ମେମୋରୀର ରି-ପ୍ରୋଗ୍ରାମିଂ ସମ୍ଭବ । ତେଣୁ, ଇଭିଏମ୍ ଗୁଡିକର ରି-ପ୍ରୋଗ୍ରାମିଂ ସମ୍ଭମ ନୁହେଁ ବୋଲି ନିର୍ବାଚନ କମିଶନ ଆଡୁ ଯେଉଁ ଯୁକ୍ତି ଦର୍ଶାଯାଇଛି ତାହା ଠିକ୍ ନୁହେଁ । ତେବେ, ସୁପ୍ରିମ କୋର୍ଟ ବେଂଚ କହିଛନ୍ତି, ନିର୍ବାଚନ କମିଶନଙ୍କ ବୈଷୟିକ ରିପୋର୍ଟ ବିଶ୍ୱାସଯୋଗ୍ୟ । ବୈଷୟିକ ରିପୋର୍ଟରେ କୁହାଯାଇଛି, ମାଇକ୍ରୋକଂଟ୍ରୋଲରଗୁଡିକରେ ଥିବା ପ୍ଲାସ୍ ମେମୋରୀ ପରିମାଣ ବହୁତ କମ୍ । ତେବେ, ସେଥିରେ ୧୦୨୪ଟି ନିର୍ବାଚନ ଚିହ୍ନ ଷ୍ଟୋର ହୋଇପାରିବ, ସଫ୍ଟୱେର୍ ନୁହେଁ । ମାଇକ୍ରୋକଂଟ୍ରୋଲରଗୁଡିକରେ ଥିବା କଂଟ୍ରୋଲ ୟୁନିଟ୍ କୌଣସି ଦଳ ବା ଚିହ୍ନକୁ ନୁହେଁ, କେବଳ ଇଭିଏମ୍ ର ବଟନ୍ କୁ ମନେ ରଖିବାକୁ ସକ୍ଷମ । ପ୍ଲାସ୍ ମେମୋରୀରେ ମାଲିସିଅସ୍ ପ୍ରେଗ୍ରାମ୍ ଲୋଡ୍ କରିବା ସମ୍ଭବ ହୋଇପାରେ (!) ବୋଲି ପ୍ରଶାନ୍ତ ଭୂଷଣ ଯୁକ୍ତି କରିବାରୁ କେବଳ ସନ୍ଦେହକୁ ଆଧାର କରି ‘ଆମେ’ କୌଣସି ନିର୍ଣ୍ଣୟ ନେଇ ପାରିବୁ କି (?) ବୋଲି ସୁପ୍ରିମ କୋର୍ଟ ପାଲଟା ପ୍ରଶ୍ନ କରିଥିଲେ । ‘ଆମେ ଅନ୍ୟ ଏକ ସାମ୍ବିଧାନିକ ସଂସ୍ଥାର ନିୟନ୍ତ୍ରଣ ଅଧିକାରୀ ନୁହଁ କି ନିର୍ବାଚନକୁ ଆମେ ନିୟନ୍ତ୍ରଣ କରୁନାହୁଁ’ ବୋଲି ସୁପ୍ରିମ କୋର୍ଟ ବେଂଚ୍ ମତ ରଖିବା ସହ ରାୟ ସଂରକ୍ଷିତ ରଖିିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS