ପୁଣି ଝଟକା – କେଜରୀୱାଲଙ୍କ ହାଜତ ମିଆଦ ମେ’ ୦୭ ପର୍ଯ୍ୟନ୍ତ ବଢିଲା
ପ୍ରସାଦ ରାଓ
ନୂଆଦିଲ୍ଲୀ/ ଏପ୍ରିଲ ୨୩
ଦିଲ୍ଲୀ ସରକାରଙ୍କ ଅବକାରୀ ନୀତିରେ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ଗତ ୧ ତାରିଖରୁ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ନ୍ୟାୟିକ ହାଜତ ମିଆଦ ମେ’ ୦୭ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଆଜି କକେଜରୀୱାଲଙ୍କ ନ୍ୟାୟିକ ହାଜତ ମିଆଦ ବଢାଇଛନ୍ତି । କେଜରୀୱାଲଙ୍କ ସମେତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ତେଲେଂଗାନା ବିଆରଏସ୍ ନେତ୍ରୀ ତଥା ଏମଏଲସି କେ.କବିତାଙ୍କୁ ଆଜି ଜେଲରୁ ଭର୍ଚୁଆଲ ମାଧ୍ୟମରେ ରାଉଜ୍ ଏଭିନ୍ୟୁ କୋର୍ଟରେ ପେସ୍ କରାଯାଇଥିଲା । କବିତାଙ୍କ ନ୍ୟାୟିକ ହାଜତ ମିଆଦ ମଧ୍ୟ ମେ’ ୦୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । କେଜରୀୱାଲ, କବିତାଙ୍କ ସହ ଏକ ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ତିହାର ଜେଲରେ ଥିବା ଜନୈକ ଚନପ୍ରିତ ସିଂହଙ୍କୁ ମଧ୍ୟ ଆଜି ଇଡି ଭର୍ଚୁଆଲ ମାଧ୍ୟମରେ ରାଉଜ୍ ଏଭିନ୍ୟୁ କୋର୍ଟରେ ପେସ୍ କରିଥିଲା । କୋର୍ଟ ସମସ୍ତଙ୍କ ନ୍ୟାୟିକ ହାଜତ ମିଆଦ ୧୪ ଦିନ ବଢାଇଛନ୍ତି । ସେମାନଙ୍କୁ ମେ’ ୭ ତାରିଖରେ କୋର୍ଟରେ ହାଜର କରିବାକୁ କୋର୍ଟ ତଦନ୍ତକାରୀ ସଂସ୍ଥାକୁ ନିର୍ଦେଶ ଦେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଏକ ମନିଲଂଡରିଂ ମାମଲାରେ ଇଡି ବାରମ୍ବାର ସମନ କରିବା ପରେ ମାର୍ଚ୍ଚ ୨୧ ତାରିଖ ରାତିରେ ତାଙ୍କ ସରକାରୀ ବାସଭବନରୁ ଗିରଫ କରିଥିଲେ । ୨୨ ତାରିଖ ଅପରାହ୍ନରେ ତାଙ୍କୁ ଦିଲ୍ଲୀ ରାଉଜ୍ ଏଭିନ୍ୟୁ କୋର୍ଟରେ ପେସ୍ କରାଯାଇଥିଲା । ଦିଲ୍ଲୀ କୋର୍ଟ ଦୁଇ ପର୍ଯ୍ୟାୟରେ ଦଶ ଦିନ ପାଇଁ ଇଡିକୁ କେଜରୀୱାଲଙ୍କ ରିମାଣ୍ଡ ଦେବା ପରେ ଏପ୍ରିଲ ୦୧ ତାରିଖରେ ନ୍ୟାୟିକ ହାଜତ (ତିହାର ଜେଲ)କୁ ପଠାଇ ଦେଇଛନ୍ତି । କେଜରୀୱାଲ ଇଡି ଗିରଫଦାରୀ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରି ସୁଫଳ ନ ପାଇବାରୁ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି । ସୁପ୍ରିମ କୋର୍ଟ କେଜରୀୱାଲଙ୍କୁ ତୁରନ୍ତ କୌଣସି ଆଶ୍ୱସ୍ତି ଦେଇନଥିଲେ । ଗତ ୧୫ ତାରିଖ ଦିନ ସୁପ୍ରିମ କୋର୍ଟର ଏକ ଦୁଇ ଜଣିଆ ବେଂଚ୍ କେଜରୀୱାଲଙ୍କ ଆଡୁ ହୋଇଥିବା ଆବେଦନର ଶୁଣାଣୀ କରିଥିଲେ ମଧ୍ୟ ତୁରନ୍ତ ଆଶ୍ୱସ୍ତି ନଦେଇ ଏହା ଉପରେ ଉତ୍ତର ରଖିବାକୁ ଇଡିକୁ ନିର୍ଦେଶ ଦେଇଛନ୍ତି । ଏପ୍ରିଲ ୨୯ ତାରିଖରେ ସୁପ୍ରିମ କୋର୍ଟରେ କେଜରୀୱାଲଙ୍କ ଆବେଦନର ପରବର୍ତ୍ତୀ ଶୁଣାଣୀ ହେବ । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ କେଜରୀୱାଲଙ୍କ ବିରୋଧରେ ଇଡି ନିକଟରେ ଯଥେଷ୍ଟ ପ୍ରମାଣ ଥିବା ଦର୍ଶାଇ ତାଙ୍କ ଆବେଦନକୁ ଖାରଜ କରିଛନ୍ତି । ଇତିମଧ୍ୟରେ, ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ନେଇ ଆଉ ଏକ ବିବାଦ ର୍ଚ୍ଚାରେ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ପ୍ରତି ତିହାର ଜେଲ କର୍ତ୍ତୃପକ୍ଷ ଉଦାସୀନ ବୋଲି ‘ଆପ୍’ ପକ୍ଷରୁ ଅଭିଯୋଗ ହୋଇ ମାମଲା କୋର୍ଟରେ ପହଂଚି ଥିଲା । ‘ଆପ୍’ର ଅଭିଯୋଗ ହେଉଛି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ଗଲା ୩୦ ବର୍ଷ ହେଲା ଟାଇପ୍-୨ ଡାଇବେଟିସ୍ (ମଧୁମେହ) ରୋଗରେ ପୀଡିତ ଥାଇ ଚିକିତ୍ସତ ହେଉଛନ୍ତି । ଜେଲରେ ତାଙ୍କ ଚିକିତ୍ସା ପ୍ରତି ଉଦାସୀନତା କାରଣରୁ କେଜରୀୱାଲଙ୍କ ଓଜନ ହ୍ରାସ ହୋଇଛି ଏବଂ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଖରାପ ହେଉଛି । ତାଙ୍କୁ ଜେଲରେ ଇନସୁଲିନ୍ ଦିଆଯାଉନି ବୋଲି କେଜରୀୱାଲ ଅଭିଯୋଗ କରିଥିବା ବେଳେ ସେ ନିଜର ରକ୍ତ ଶର୍କରା ବଢାଇବା ପାଇଁ ଜେଲରେ ଥାଇ ଆମ୍ବ, ମିଠା ପ୍ରଚୁର ପରିମାଣରେ ଖାଉଛନ୍ତି ବୋଲି ଇଡି ଅଭିଯୋଗ କରିଛି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କେଜରୀୱାଲ କୋର୍ଟରୁ ଜାମିନ ପାଇବାକୁ ଏଭଳି ଫନ୍ଦି କରୁଛନ୍ତି ବୋଲି ଇଡି କୋର୍ଟରେ ଅଭିଯୋଗ କରିଥିଲା । ତେବେ, ‘ଆପ୍’ର ଅଭିଯୋଗ ହେଉଛି, କେନ୍ଦ୍ର ସରକାର କେଜରୀୱାଲଙ୍କୁ ଓ ‘ଆପ୍’କୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରି ଦେବାକୁ ଷଡଯନ୍ତ୍ର କରିଛନ୍ତି । ତିହାର ଜେଲ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବା ଯୋଜନା ଚାଲିଛି ବୋଲି ଦିଲ୍ଲୀ ସରକାରର ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ନେତ୍ରୀ ଆତିଶୀ ମାର୍ଲିନା ଗଲା କିଛି ଦିନ ହେଲା ଲଗାତର ଗଣମାଧ୍ୟମରେ ଅଭିଯୋଗ କରୁଛନ୍ତି । କେଜରୀୱାଲ ନିଜ ଘରୋଇ ଡାକ୍ତରଙ୍କ ସହ ଭର୍ଚୁଆଲ ମାଧ୍ୟମରେ ପ୍ରତିଦିନ ୧୫ ମିନିଟ ଲେଖାଏଁ ପରାମର୍ଶ କରିବାକୁ ଦିଲ୍ଲୀ କୋର୍ଟର ଅନୁମତି ଲୋଡି ଥିଲେ । କିନ୍ତୁ, ଦିଲ୍ଲୀ ରାଉଜ୍ ଏଭିନ୍ୟୁ କୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ ଗତ ସୋମବାର ଦିନ କେଜରୀୱାଲଙ୍କ ଆବେଦନ ଖାରଜ କରିଛନ୍ତି । କିନ୍ତୁ, ଜେଲରେ ଥିବା କେଜରୀୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରି ଆବଶ୍ୟକତା ଥିଲେ ତାଙ୍କୁ ଇନସୁଲିନ୍ ଦିଆଯିବାକୁ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧୀନ ‘ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇସେନ୍ସ’ (ଏମ୍ସ)ର ଡାକ୍ତରୀ ପ୍ୟାନେଲକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ତିହାର ଜେଲରେ ଅଟକ ଥିବା କେ.କବିତା ହେଉଛନ୍ତି ତେଲେଂଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ର୍ରଶେଖର ରାଓଙ୍କ ଝିଅ ତଥା ବିଆରଏସ ନେତା କେ.ଟି.ରାମାରାଓଙ୍କ ଭଉଣୀ । ଦିଲ୍ଲୀ ସରକାରଙ୍କ ଅବକାରୀ ଦୁର୍ନୀତି ମାମଲାରେ ଇଡି କବିତାଙ୍କୁ ଗତ ମାର୍ଚ୍ଚ ୧୫ ତାରିଖ ଦିନ ହାଇଦ୍ରାବାଦ ବଂଜାରା ହିଲ୍ସ ସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଥିଲା । ପରେ, ସିବିଆଇ ମଧ୍ୟ ଜେଲରେ ଥିବା କବିତାଙ୍କୁ ଜେରା କରିବା ପରେ ଗିରଫ କରିଛି । ଜାମିନ ପାଇଁ ତାଙ୍କ ଆବେଦନର ଶୁଣାଣୀ ସରିଥିଲେ ରାୟ ସ୍ଥଗିତ ରହିଛି । ମେ’ ୦୨ ତାରିଖରେ ରାୟ ଆସିବ ବୋଲି ସୂଚନା ମିଳୁଛି । ଦିଲ୍ଲୀ ସରକାର ୨୦୨୧-୨୨ରେ ଯେଉଁ ନୂତନ ଅବକାରୀ ନୀତି କାର୍ଯ୍ୟକାରୀ କରିଥିଲେ ସେଥିରେ କେ. କବିତାଙ୍କ ‘ସାଉଥ୍ ଗୃପ୍’ ସର୍ବାଧିକ ଫାଇଦା ପାଇଥିବା ଏବଂ ଦିଲ୍ଲୀରେ ମଦ ଦୋକାନ ଖୋଲିବାକୁ ଲାଇସନ୍ସ ପାଇଁ କ୍ଷମତାରେ ଥିବା ‘ଆମ୍ ଆଦମୀ ପାର୍ଟି’କୁ ୬୦୦ କୋଟି ଟଙ୍କା ଲାଂଚ ଦେଇଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାମାନେ (ଇଡି ଓ ସିବିଆଇ) ଅଭିଯୋଗ କରି ଆସୁଛନ୍ତି । ଲାଂଚ ଟଙ୍କାକୁ ‘ଆପ୍’ ୨୦୨୨ ଗୋଆ ବିଧାନସଭା ନିର୍ବାଚନ ପାଇଁ ପ୍ରଚାରରେ ଖର୍ଚ୍ଚ କରିଥିବା ଏବଂ ସେଥିରୁ କିଛି ଅଂଶ ପଂଜାବ ବିଧାନସଭା ନିର୍ବାଚନରେ ମଧ୍ୟ ଖର୍ଚ୍ଚ ହୋଇଥିବା ପ୍ରମାଣ ମିଳିଛି ବୋଲି ଇଡି କୋର୍ଟରେ ଦାଖଲ କରିଥିବା ଅଭିଯୋଗପତ୍ରରେ ଦର୍ଶାଇବା ପରେ କେଜରୀୱାଲ ଓ କବିତାଙ୍କ ଅଡୁଆ ବଢିଛି । ରାଜନୈତିକ ଦୃଷ୍ଟିରୁ ସେମାନେ ବେଶ୍ ପ୍ରଭାବଶାଳୀ ହୋଇଥିବାରୁ ଜାମିନ ମିଳିଲେ ସେମାନେ ସାକ୍ଷ୍ୟ, ପ୍ରମାଣ ନଷ୍ଟ କରିବାରେ ସଫଳ ହେବେ ବୋଲି ଇଡି କୋର୍ଟରେ ଯୁକ୍ତି ଉପସ୍ଥାପନ କରିବା ଫଳରେ ନିମ୍ନ ଅଦାଲତ ସେମାନଙ୍କ ହାଜତ ମିଆଦ ବଢାଇ ଚାଲିଛନ୍ତି । ଦିଲ୍ଲୀ ହାଇକୋର୍ଟ ରାୟ କେଜରୀୱଲଙ୍କ ବିରୋଧରେ ଯିବା ପରେ ସୁପ୍ରିମ କୋର୍ଟ ହିଁ ତାଙ୍କ ପାଇଁ ଏକମାତ୍ର ଭରସା ହୋଇଛି । କେନ୍ଦ୍ର ସରକାର ରାଜନୈତିକ ଅଭିସନ୍ଧି ରଖି ଇଡି, ସିବିଆଇ ଓ ଅନ୍ୟ କେନ୍ଦ୍ରୀୟ ଏଜେନ୍ସୀଙ୍କୁ ବିରୋଧୀ ରାଜନୈତିକ ନେତାଙ୍କ ବିରୋଧରେ ପ୍ରୟୋଗ କରୁଛନ୍ତି ବୋଲି ବିରୋଧୀ ଦଳଙ୍କ ଆଡୁ ସମ୍ମିଳିତ ଭାବେ ଅଭିଯୋଗ ହୋଇଆସୁଥିବା ବେଳେ କେନ୍ଦ୍ର ସରକାର ଏହାକୁ ଅଗ୍ରାହ୍ୟ କରୁଛନ୍ତି । ସରକାର କେବଳ ଦୁର୍ନୀତି ବିରୋଧରେ କଠୋରତା ଅବଲମ୍ବନ କରୁଛନ୍ତି, କେନ୍ଦ୍ରୀୟ ଏଜେନ୍ସୀମାନେ ଆଇନ ଅନୁସାରେ ସେମାନଙ୍କ କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ର ସରକାର ପାଲଟା ଯୁକ୍ତି କରୁଛନ୍ତି । ଦେଶରେ ୧୮ତମ ଲୋକସଭା ନିର୍ବାଚନ ପାଇଁ ଗତ ୧୯ ତାରିଖରୁ ସାତ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇସାରିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ, ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ (ରାଂଚି ଜମି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି) ଭଳି ବିରୋଧୀ ମେଂଟ ନେତା ଜେଲରେ ରହିବା ମେଂଟ ପାଇଁ ବଡ ସମସ୍ୟା ହୋଇଛି । ତଥାପି, ଜେଲରେ ଥିବା ଦୁଇ ନେତାଙ୍କ ପତ୍ନୀ ସୁନିତା କେଜରୀୱାଲ ଓ କଳ୍ପନା ସୋରେନ ନିର୍ବାଚନ ମଇଦାନକୁ ଆସି ଜନତାଙ୍କ ସହାନୁଭୂତି ଗୋଟାଇବାକୁ ଉଦ୍ୟମ କରୁଥିବାରୁ ବିରୋଧୀ ମେଂଟ ଏଥିରୁ କେତେଦୂର ଫାଇଦା ପାଉଛି ତାହା ଜୁନ ୪ ତାରିଖରେ ଜଣାପଡିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS