୨୦୧୬ ଶିକ୍ଷକ ନିଯୁକ୍ତିକୁ ଅସିଦ୍ଧ କଲେ କୋଲକାତା ହାଇକୋର୍ଟ, ରାଜନୀତି ସରଗରମ


ପ୍ରସାଦ ରାଓ
ଏପ୍ରିଲ ୨୨
ରାଜ୍ୟସ୍ତରୀୟ ସିଲେକ୍ସନ୍ ଟେଷ୍ଟ-୨୦୧୬ (ଏସଏଲଏସଟି) ମାଧ୍ୟମରେ ପଶ୍ଚିମ ବଂଗର ବିଭିନ୍ନ ସରକାରୀ ପ୍ରୟୋଜିତ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଯେଉଁ ୨୫ ହଜାରରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା ସେଥିରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତାର ଅଭିଯୋଗ ହୋଇଥିଲା । କୋଲକାତା ହାଇକୋର୍ଟ ଆଜି ଏହି ମାମଲାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏସଏଲଏସଟି -୨୦୧୬ ମାଧ୍ୟମରେ ଯେଉଁ ଶିକ୍ଷକ ନିଯୁକ୍ତି ହୋଇଥିଲା ହାଇକୋର୍ଟ ତାହାକୁ ରଦ୍ଦ କରି ଦେବା ସହ ଗତ ଆଠ ବର୍ଷ ହେଲା କାର୍ଯ୍ୟ କରୁଥିବା ଶିକ୍ଷକମାନେ ସରକାରୀ ତହବିଲରୁ ଯେଉଁ ଦରମା ନେଇଛନ୍ତି ତାହା ସୁଧ ସହ ଫେରାଇବାକୁ ହାଇକୋର୍ଟ ସେମାନଙ୍କୁ ନିର୍ଦେଶ ଦେଇଛନ୍ତି । ଏହାଛଡା, ୨୦୧୬ରେ ହୋଇଥିବା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାର ତଦନ୍ତ କରି ତିନି ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ସିବିଆଇକୁ ନିର୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ରାୟ ଆଜି ପଶ୍ଚିମ ବଂଗ ରାଜନୀତିକୁ ସରଗରମ କରିଛି ।
ଆଜି ହାଇକୋର୍ଟ ଡିଭିଜନ ବେଂଚ୍ ରାୟ ଆସିବା ପରେ ପଶ୍ଚିମ ବଂଗ ସ୍କୁଲ ସର୍ଭିସ କମିଶନ (ଏସଏସସି) ଅଧ୍ୟକ୍ଷ ସିଦ୍ଧାର୍ଥ ମଜୁମଦାର ଗଣମାଧ୍ୟମରେ କହିଛନ୍ତି, କୋର୍ଟଙ୍କ ରାୟ ଫଳରେ ୨୫ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ହରାଇବାକୁ ଯାଉଛନ୍ତି । ହାଇକୋର୍ଟ ଡିଭିଜନ ବେଂଚ୍ ରାୟର ପୁଂଖାନୁପୁଂଖ ଅନୁଧ୍ୟାନ ସହ ଆଇନର ତର୍ଜମା କରାଯିବ ଏବଂ ରାୟକୁ ସୁପ୍ରିମ କୋର୍ଟରେ ଚ୍ୟାଲେଂଜ କରାଯିବ । କୋଲକାତା ହାଇକୋର୍ଟ ଏସଏଲଏସଟି-୨୦୧୬ ମାଧ୍ୟମରେ ହୋଇଥିବା ଶିକ୍ଷକ ନିଯୁକ୍ତିକୁ କେବଳ ବାତିଲ କରି ନାହାନ୍ତି, ନୂଆ କରି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ପଶ୍ଚିମ ବଂଗ ସ୍କୁଲ ସର୍ଭିସ କମିଶନ (ଏସଏସସି)କୁ ନିର୍ଦେଶ ଦେଇଛନ୍ତି । ମାମଲାର ୩୦୦ ପୃଷ୍ଠାର ରାୟ ଆସିଛି । ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କୋଲକାତା ହାଇକୋର୍ଟଙ୍କ ରାୟକୁ ନେଇ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ଉତ୍ତର ବଂଗର ରାୟଗଂଜଠାରେ ମମତା ଏକ ନିର୍ବାଚନ ସଭାରେ ଭାଷଣ ଦେବା ଅବସରରେ କହିଛନ୍ତି, ଏସଏଲଏସଟି-୨୦୧୬ ମାଧ୍ୟମରେ ରାଜ୍ୟରେ ହୋଇଥିବା ଶିକ୍ଷକ ନିଯୁକ୍ତିକୁ କୋଲକାତା ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ‘ବେଆଇନ’ । ରାଜ୍ୟ ସରକାର ଏହି ରାୟକୁ ଉପର ଅଦାଲତରେ ଚ୍ୟାଲେଂଜ କରିବେ । ବିଚାର ବିଭାଗର କିିଛି ଲୋକଙ୍କୁ ବିଜେପି ନେତା ପ୍ରଭାବିତ କରିବା ସହ ରାୟକୁ ମଧ୍ୟ ପ୍ରଭାବିତ କରିଥିବା ସେ ଅଭିଯୋଗ କରିଛନ୍ତି । କୋଲକାତା ହାଇକୋର୍ଟ ୨୦୧୬ରେ ହୋଇଥିବା ଶିକ୍ଷକ ନିଯୁକ୍ତିକୁ ରଦ୍ଦ କରିବା ଦ୍ୱାରା ଯେଉଁ ଶିକ୍ଷକମାନେ ନିଯୁକ୍ତି ହରାଇବାକୁ ଯାଉଛନ୍ତି ସେମାନଙ୍କୁ ଆଶ୍ୱସ୍ତ କରିବାକୁ ଯାଇ ମମତା କହିଛନ୍ତି, ‘ଆପଣମାନଙ୍କ ପଛରେ ସରକାର ଅଛନ୍ତି । ନ୍ୟାୟ ମିଳିବ । ହାଇକୋର୍ଟ ରାୟ ବିରୋଧରେ ଆମେ ଉପର କୋର୍ଟରେ ଆବେଦନ କରିବୁ’ ।
ଅପରପକ୍ଷରେ, କୋଲକାତା ହାଇକୋର୍ଟଙ୍କ ରାୟକୁ ବିଜେପି ପଶ୍ଚିମ ବଂଗ ଶାଖା ସ୍ୱାଗତ କରିଛି । ବିଜେପି କହିଛି, ତୃଣମୂଳ କଂଗ୍ରେସ ୨୦୧୬ରେ ରାଜ୍ୟରେ ଯେଉଁ ଶିକ୍ଷକ ନିଯୁକ୍ତି ଦେଇଥିଲେ ସେଥିରେ ଅନିୟମତିତା ହୋଇଥିବା କୋଲକାତା ହାଇକୋର୍ଟ ରାୟରୁ ସ୍ପଷ୍ଟ ହେଉଛି । କୋର୍ଟ ଏହି ନିଯୁକ୍ତିକୁ ବାତିଲ କରିବା ସହ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକଙ୍କୁ ଆଜି ସୁଦ୍ଧା ପାଇଥିବା ଦରମା ଟଙ୍କା ସୁଧ ସହ ସରକାରୀ ତହବିଲକୁ ଫେରାଇବାକୁ ନିର୍ଦେଶ ଦେଇ ଯେଉଁମାନେ ନିଯୁକ୍ତି ପାଇଁ ହକଦାର୍ ଥିଲେ ସେମାନଙ୍କ ମୁହଁରେ ହସ ଫୁଟାଇଛି । ଏବେ ପୁତୁର (ଅଭିଷେକ ବାନାର୍ଜୀ) ଓ ପିଉସୀ (ମମତା ବାନାର୍ଜୀ) ଘରକୁ ଯିବା ସମୟ ଆସି ଯାଇଛି । ବିଜେପି ପଶ୍ଚିମ ବଂଗ ଶାଖା ପକ୍ଷରୁ ‘ଏକ୍ସ’ରେ ଏହି ପୋଷ୍ଟ୍ କରାଯାଇ ମମତା ସରକାରଙ୍କୁ କଟାକ୍ଷ କରାଯାଇଛି ।
ମୁଖ୍ୟମନ୍ତ୍ରୀ ବାନାର୍ଜୀ ମଧ୍ୟ ବିଜେପିର କଟାକ୍ଷର ଉତ୍ ତର ଦେବାକୁ ଯାଇ କହିଛନ୍ତି, କୋଲକାତା ହାଇକୋର୍ଟ ରାୟ ଆସିବା ପରେ ଯେଉଁ ୨୬ ହଜାର ଶିକ୍ଷକ ନିଯୁକ୍ତି ହରାଉଛନ୍ତି ସେମାନଙ୍କ ଉପରେ ଦେଢ ଲକ୍ଷ ପରିବାର ନିର୍ଭରଶୀଳ । ଗତ ଆଠ ବର୍ଷ ହେଲା ଏହି ଶିକ୍ଷକମାନେ ଦରମା ଅର୍ଥରେ ନିଜ ପରିବାର ଚଳାଉ ଥିଲେ । କୋଲକାତା ହାଇକୋର୍ଟ ସେମାନଙ୍କ ନିଯୁକ୍ତିକୁ ରଦ୍ଦ କରି ନେଇଥିବା ଦରମା ସୁଧ ସହ ସରକାରୀ ତହବିଲକୁ ଫେରାଇବାକୁ ନିର୍ଦେଶ ଦେବା ଦ୍ୱାରା ଏହି ସବୁ ପରିବାର ରାସ୍ତାକୁ ଚାଲି ଆସିଛନ୍ତି । ସେମାନେ କେଉଠୁ ଟଙ୍କା ଆଣିବେ ଯେ ଫେରାଇବେ (?) ବୋଲି ମମତା ପ୍ରଶ୍ନ କରିଛନ୍ତି । ରାଜ୍ୟ ବିଜେପିର ପ୍ରମୁଖ ନେତା ତଥା ବିଧାନସଭାର ବିରୋଧୀ ଦଳ ନେତା ଥିବା ଶୁଭେନ୍ଦୁ ଅଧିକାରୀ ଗତ ଶନିବାର ଦିନ ଦଳୀୟ କର୍ମୀଙ୍କୁ ଭବିଷ୍ୟବାଣୀ କରିଥିଲେ, ‘ସୋମବାର ଯାଏଁ ଅପେକ୍ଷା କର, ଏକ ବଡ ଧରଣର ‘ବୋମା’ ବିସ୍ଫୋରଣ ହେବ । ସେହି ବିସ୍ଫୋରଣରେ ପିଉସୀ-ପୁତୁରାଙ୍କ ଦଳ ଛିନ୍ନଛତ୍ର ହୋଇଯିବେ । ଆଉ ଉଧେଇ ପାରିବେ ନାହିଁ ।’
କୋଲକତା ହାଇକୋର୍ଟରୁ ଆଜି ଏଭଳି ଏକ ରାୟ ଦେଉଛନ୍ତି ବୋଲି ଶୁଭେନ୍ଦୁ ଆଗୁଆ କେମିତି ଜାଣିଲେ ଯେ ଭବିଷ୍ୟବାଣୀ କଲେ (?) ବୋଲି ମମତା ପ୍ରଶ୍ନ କରିବା ସହ କୋଲକାତା ହାଇକୋର୍ଟଙ୍କ ରାୟ ୨୫ ହଜାରରୁ ଅଧିକ ଶିକ୍ଷକଙ୍କ ଚାକିରୀ ଛଡାଇ ନେଇ ସେମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଛି ବୋଲି କହିଛନ୍ତି । ଅପରପକ୍ଷରେ, ଗଣାମଧ୍ୟମ ପ୍ରତିନିଧିମାନେ ଶୁଭେନ୍ଦୁଙ୍କୁ ଗତ ଶନିବାରର ଭବିଷ୍ୟବାଣୀ ସଂପର୍କରେ ପ୍ରଶ୍ନ କରିବାରୁ ସେ କହିଛନ୍ତି, ପଶ୍ଚିମ ବଂଗ ସରକାର ଗୁରୁତର ସଂକଟରେ ଥିବା ଓ ଏକ ବଡ ରାଜନୈତିକ ଝଡର ସାମ୍ନା କରିବାକୁ ଯାଉଥିବା ସେ ଦଳୀୟ କର୍ମୀଙ୍କୁ କହିଥିଲେ । ଏଥିରେ ଅନ୍ୟ କିଛି ଉଦ୍ଦେଶ୍ୟ ନଥିଲା । ଲୋକସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ କୋଲକାତା ହାଇକୋର୍ଟ ବିଚାରପତି ଜଷ୍ଟିସ ଦେବାଂଶୁ ବାସକ ଓ ମହମ୍ମଦ ସବ୍ବର ରସିଦିଙ୍କୁ ନେଇ ଗଠିତ ଡିଭିଜନ ବେଂଚ୍ ଦେଇଥିବା ୨୦୧୬ ଶିକ୍ଷକ ନିଯୁକ୍ତି ସଂପର୍କିତ ରାୟ ରାଜ୍ୟ ରାଜନୀତିକୁ ଅଧିକ ଚଳଚଂଚଳ କରିଛି ।
ଏଠାରେ ସୂଚନା ଯୋଗ୍ୟ ଯେ, ପଶ୍ଚିମ ବଂଗ ସରକାର ଏସଏଲଏସଟି-୨୦୧୬ ମାଧ୍ୟମରେ ମୋଟ ୨୪,୬୪୦ ଶିକ୍ଷକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ପ୍ରକାଶିତ ବିଜ୍ଞପ୍ତି ଆଧାରରେ ୨୩ ଲକ୍ଷ ପ୍ରାର୍ଥୀ ଏହି ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ । ସରକାର ଶିକ୍ଷକ ନିଯୁକ୍ତି ପରୀକ୍ଷା କରିବା ପରେ ୨୫,୭୫୩ଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ତେବେ, ଯେଉଁମାନେ ପରୀକ୍ଷା ଦେଇ ମଧ୍ୟ ନିଯୁକ୍ତି ସୁଯୋଗ ପାଇ ନଥିଲେ ସେମାନେ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ । ସିବିଆଇ ଏହାର ତଦନ୍ତ କରୁଥିଲା ଏବଂ ଶିକ୍ଷକ ନିଯୁକ୍ତି ସମୟରେ ପଶ୍ଚିମ ବଂଗ ଶିକ୍ଷା ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀ ସମେତ ରାଜ୍ୟ ସ୍କୁଲ ସର୍ଭିସ କମିଶନର ବହୁ ଅଧିକାରୀଙ୍କୁ ଗିରଫ କରିଥିଲା । ପାର୍ଥଙ୍କ ଘରେ ଓ ସଂପର୍କିୟ ମାନଙ୍କ ଘରେ ଚଢାଉ କରି ବିପୁଳ ପରିମାଣର ନଗଦ ଅର୍ଥ ଜବତ କରିଥିଲା । କୋଲକାତା ହାଇକୋର୍ଟ ବିଚାରପତି ଜଷ୍ଟିସ ଅଭିଜିତ ଗଂଗୋପାଧ୍ୟାୟ (ଏବେ ଆଗୁଆ ଅବସର ନେଇ ରାଜନୀତିରେ ଅଛନ୍ତି)ଙ୍କ ଜଣିକିଆ ବେଂଚ ଶିକ୍ଷକ ନିଯୁକ୍ତିରେ ଅନିୟମତାର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇ ରାଜ୍ୟ ସରକାରଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଥିଲେ । ପରବର୍ତ୍ତୀ ସମୟରେ ଜଷ୍ଟିସ ଗଂଗୋପାଧ୍ୟାୟ ହାଇକୋର୍ଟ ବିଚାରପତି ପଦରୁ ଆଗୁଆ ଅବସର ନେଇ ବିଜେପିରେ ଯୋଗ ଦେଇଛନ୍ତି ଓ ଚଳିତ ଲୋକସଭା ନିର୍ବାଚନରେ ସେ ପଶ୍ଚିମ ବଂଗରୁ ପ୍ରାର୍ଥୀ ଅଛନ୍ତି ।
ଜଷ୍ଟିସ ଗଂଗୋପାଧ୍ୟାୟଙ୍କ ରାୟ ବିରୋଧରେ ରାଜ୍ୟ ସରକାର ସୁପ୍ରିମ କୋର୍ଟକୁ ଯାଇଥିଲେ ମଧ୍ୟ ସୁପ୍ରିମ କୋର୍ଟ ତାହା ବିଚାର ପାଇଁ ଗ୍ରହଣ ନକରି କୋଲକାତା ହାଇକୋର୍ଟ ଏକ ଡିଭିଜନ ବେଂଚ୍ ଗଠନ ମାଧ୍ୟମରେ ଶିକ୍ଷକ ନିଯୁକ୍ତି ମାମଲାର ଶୁଣାଣୀ କରିବାକୁ ନିର୍ଦେଶ ଦେଇଥିଲେ । ଗତ ମାର୍ଚ୍ଚ ୨୦ ତାରିଖରେ କୋଲକତା ହାଇକୋର୍ଟର ଡିଭିଜନ ବେଂଚ୍ ମାମଲାର ଶୁଣାଣୀ ଶେଷ କରି ରାୟ ସ୍ଥଗିତ ରଖିଥିଲେ । ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି । କୋଲକାତା ହାଇକୋର୍ଟ ଶିକ୍ଷକ ନିଯୁକ୍ତି ମାମଲାର ତଦନ୍ତ ତିନି ମାସରେ ଶେଷ କରି କୋଟରେ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦେଶ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡୁଆ ଆଗକୁ ବଢିବା ନିଶ୍ଚିତ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS