ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ଭୋଟ ଏପ୍ରିଲ ୨୬ରେ
ପ୍ରସାଦ ରାଓ
ନୂଆଦିଲ୍ଲୀ/ଏପ୍ରିଲ ୨୧
ଏପ୍ରିଲ ୨୬ରେ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ସେଦିନ ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୮୯ ଲୋକସଭା ଆସନ ପାଇଁ ମତଦାନ ହେବ । ଆସାମର ୦୫, ବିହାରର ୦୫, ଛତିଶଗଡ଼ର ୦୩, ଜମ୍ମୁ-କଶ୍ମୀରର ଗୋଟିଏ, କର୍ଣ୍ଣାଟକର ୧୪ଟି, କେରଳର ୨୦ଟି, ମଧ୍ୟ ପ୍ରଦେଶର ୦୭ଟି, ମହାରାଷ୍ଟ୍ରର ୦୮ଟି, ମଣିପୁରର ଗୋଟିଏ, ରାଜସ୍ଥାନର ୧୩ଟି, ତ୍ରିପୁରାର ଗୋଟିଏ (ତ୍ରିପୁରା ଇଷ୍ଟ), ଉତ୍ତର ପ୍ରଦେଶର ୦୮ଟି ଓ ପଶ୍ଚିମ ବଂଗର ୦୩ଟି ଆସନରେ ସେଦିନ ଭୋଟ ହେବାକୁ ଯାଉଛି । ଦେଶରେ ସାତ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେଉଛି । ଏପ୍ରିଲ ୧୯ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ଦେଶର ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୧୦୨ ଲୋକସଭା ଆସନ ପାଇଁ ମତଦାନ ସରିଛି । ପାଖାପାଖି ୬୪ ପ୍ରତିଶତ ମତଦାତା ୧୯ ତାରିଖରେ ଭୋଟ ଦେଇଥିଲେ । ଉତ୍ତର-ପୂର୍ବାଂଚଳ ରାଜ୍ୟ ତ୍ରିପୁରାରେ ସର୍ବାଧିକ ୮୦ ପ୍ରତିଶତ ମତଦାନ ହୋଇଥିବା ବେଳେ ବିହାରରେ ସର୍ବନିମ୍ନ ୪୯ ପ୍ରତିଶତରୁ କମ୍ ମତଦାନ ହୋଇଛି । ଏପ୍ରିଲ ୧୯ ତାରିଖ ଦିନ ମଣିପୁରର ଆଭ୍ୟନ୍ତରୀଣ ମଣିପୁର ଲୋକସଭା ଆସନ ପାଇଁ ମତଦାନ ସମୟରେ ୧୧ଟି ଭୋଟ ଗ୍ରହଣ କେନ୍ଦ୍ରରେ ଗୁଳି ଫୁଟିବା, ଭୋଟ କେନ୍ଦ୍ରରେ ଧସେଇ ପଶିବା, ଇଭିଏମ ଭଂଗାରୁଜା କରିବା ଭଳି ଅଭିଯୋଗ ହୋଇଥିଲା । ଏସବୁ ଭୋଟ ଗ୍ରହଣ କେନ୍ଦ୍ରରେ ଆସନ୍ତା କାଲି (୨୨ ତାରିଖ) ପୁନଃ ମତଦାନ ହେବ ବୋଲି ଇସିଆଇ ସୂଚନା ଦେଇଛି । ଏପ୍ରିଲ ୨୬ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତାରେ ଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି – ମଥୁରାରୁ ବିଜେପି ଟିକଟରେ ତୃତୀୟ ଥର ପାଇଁ ନିର୍ବାଚନ ଲଢୁଥିବା ପୁରୁଖା ବଲିଉଡ଼ ଅଭିନେତ୍ରୀ ହେମା ମାଲିନୀ, ମିରଟରୁ ବିଜେପି ପ୍ରାର୍ଥୀ ଥିବା ରାମାୟଣ ସିରିଏଲ୍ ଅଭିନେତା ଅରୁଣ ଗୋଭିଲ, କେରଳର ୱାଏନାଡରୁ ଦ୍ୱିତୀୟ ଥର ପାଇଁ ନିର୍ବାଚନ ଲଢୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଥରୁଭନାଇପୁରମରୁ ପ୍ରାର୍ଥୀ ଥିବା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର । ୱାଏନାଡ ଆସନରେ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ସିପିଆଇରୁ ବରିଷ୍ଠ ନେତ୍ରୀ ଆନ୍ନି ରାଜା ଓ ବିଜେପିରୁ କେରଳ ରାଜ୍ୟ ସଭାପତି କେ. ସୁରେନ୍ଦ୍ରନ ପ୍ରାର୍ଥୀ ଅଛନ୍ତି । ସେହିଭଳି, ଥିରୁଭନାଥପୁରମରେ ଶଶି ଥରୁରଙ୍କ ବିରୋଧରେ ବିଜେପିରୁ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ପ୍ରାର୍ଥୀ ରହିଛନ୍ତି । ଦେଶରେ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ମେ’ ୭ରେ, ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ମେ’ ୧୩ରେ, ପଂଚମ ପର୍ଯ୍ୟାୟ ନିର୍ବାଚନ ମେ’୨୦ରେ, ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ମେ’ ୨୫ ଏବଂ ଶେଷ ପର୍ଯ୍ୟାୟ ନିର୍ବାଚନ ଜୁନ ୦୧ରେ ହେବ । ଜୁନ ୦୪ ତାରିଖରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ ।
ରାହୁଲ ଅସୁସ୍ଥ, ରାଂଚି ନିର୍ବାଚନ ସମାବେଶକୁ ଗଲେନି
‘ଇଣ୍ଡିଆ’ ମେଂଟ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ମଧ୍ୟ ପ୍ରଦେଶର ସତନା ଓ ଝାଡ଼ଖଣ୍ଡର ରାଂଚିରେ ଦୁଇଟି ନିର୍ବାଚନସଭା ଓ ସମାବେଶରେ ଯୋଗ ଦେବା କାର୍ଯ୍ୟକ୍ରମ ଥିଲା । ତେବେ, ଅସୁସ୍ଥତା କାରଣରୁ ସେ ଯୋଗ ଦେଉନଥିବା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏକ ‘ଟ୍ୱିଟ୍’ରେ ସୂଚନା ଦେଇଛନ୍ତି । ରାହୁଲ ଗନେ୍ଧୀ ହଠାତ ଅସୁସ୍ଥ ହୋଇପଡିବାରୁ ଆଜି ସତନାରେ ଆୟୋଜିତ ନିର୍ବାଚନ ସଭା ଓ ରାଂଚିରେ ଆୟୋଜିତ ‘ଇଣ୍ଡିଆ’ ମେଂଟ ମହାସମାବେଶରେ ଯୋଗ ଦେଉନଥିବା ସେ କହିଛନ୍ତି । ରମେଶ କହିଛନ୍ତି, ରାହୁଲ ଯିବା ପାଇଁ ପ୍ରସ୍ତୁତ ଥିଲେ, କିନ୍ତୁ ହଠାତ ଅସୁସ୍ଥ ହୋଇପଡିବାରୁ ଦିଲ୍ଲୀ ବାହାରକୁ ଯିବ ସମ୍ଭବ ହେଉନି । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ସତନା ନିର୍ବାଚନ ସଭାରେ ଭାଷଣ ଦେବା ପରେ ରାଂଚିରେ ଆୟୋଜିତ ‘ଇଣ୍ଡିଆ’ ମେଂଟ ନିର୍ବାଚନୀ ସମାବେଶରେ ଯୋଗ ଦେବେ । ରମେଶ ‘ଏକ୍ସ’ରେ ଏହି ପୋଷ୍ଟ୍ କରିଛନ୍ତି । ରାଂଚିରେ ଆୟୋଜିତ ‘ଇଣ୍ଡିଆ’ ମେଂଟର ମହାସମାବେଶରେ କିଏ ଯୋଗଦେଉଛନ୍ତି ଭିନ୍ନ କଥା, ତେବେ, ରାଂଚିରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ, ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ, ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ, ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (ଜେଏମଏମ) ଓ ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କ ପୋଷ୍ଟର ଛାଇ ଯାଇଛି । ଏବେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି । ସେହିଭଳି, ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ରାଂଚି ଜମି ଦୁର୍ନୀତି ଓ ମାଇନିଂ ଦୁର୍ନୀତି ମାମଲାରେ ଗିରଫ ହୋଇ ରାଂଚି ଜେଲରେ । ତେଣୁ, ଆଜିର ‘ଇଣ୍ଡିଆ’ ମେଂଟ ସମାବେଶରେ ଏଆଇସିସି ସଭାପତି ଖାର୍ଗେ, ସମାଜବାଦୀ ପାର୍ଟି ଜାତୀୟ ସଭାପତି ଅଖିଳେଶ ଯାଦବ, ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ଅରବିନ୍ଦ କେଜରୀୱାଲଙ୍କ ପତ୍ନୀ ସୁନିତା କେଜରୀୱାଲ ଓ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ବୋଲି ସୂଚନା ମିଳୁଛି ।
ନିର୍ବାଚନ ସଂଗୀତରୁ ‘ହିନ୍ଦୁ’ ଓ ‘ଜୟ ଭବାନୀ’ ଶବ୍ଦ ହଟାଅ !
ଚଳିତ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ‘ଶିବସେନା’ ବିଭାଜିତ ଅବସ୍ଥାରେ ନିର୍ବାଚନ ମଇଦାନରେ ରହିଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଶିବେସେନା ଗୋଷ୍ଠୀ ନିର୍ବାଚନ କମିଶନଙ୍କ ଦ୍ୱାରା ‘ପ୍ରକୃତ ଶିବସେନା’ ମାନ୍ୟତା ଓ ଦଳର ମୂଳ ନିର୍ବାଚନ ଚିହ୍ନ ‘ଧନୁ-ତୀର’ ପାଇବା ପରେ ବାଲାସାହେବ ଠାକରେଙ୍କ ମୂଳ ଶିବସେନାର ଦାୟଦ ବୋଲି ନିଜକୁ ଦାବି କରୁଥିବା ତାଙ୍କ ପୁତ୍ର ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶିବସେନା (ୟୁବିଟି) ବା ଶିବସେନା (ଉଦ୍ଧବ ବାଲାସୋହେବ ଠାକରେ) ନାମରେ ନିର୍ବାଚୟ ମଇଦାନରେ ଅବତୀର୍ଣ୍ଣ ହୋିଛନ୍ତି । ନିର୍ବାଚନ କମିଶନ ତାଙ୍କୁ ନିର୍ବାଚନ ଲଢିବା ପାଇଁ ‘ମଶାଲ’ ଚିହ୍ନ ଦେଇଛନ୍ତି । ‘ମଶାଲ’ ଚିହ୍ନକୁ ରାଜ୍ୟର ମତଦାତାଙ୍କ ନିକଟରେ ବହୁଳ ଭାବେ ପହଂଚାଇ ଆଦୃତ କରାଇବା ପାଇଁ ଉଦ୍ଧବ ଠାକରେ ଗୋଷ୍ଠୀ ଏକ ନିର୍ବାଚନ ସଂଗୀତ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ କି ‘ହିନ୍ଦୁ’ ଓ ‘ଜୟ ଭବାନୀ’ ଶବ୍ଦ ରହିଛି । ନିର୍ବାଚନ କମିଶନ ଏହି ଦୁଇଟି ଶବ୍ଦ ସଂଗୀତରୁ ହଟାଇବାକୁ ଶିବସେନା (ୟୁବିଟି)କୁ ନିର୍ଦେଶ ଦେଇ ନୂଆ ବିବାଦର ସୂତ୍ରପାତ କରିଚନ୍ତି । କୌଣସି ପରିସ୍ଥିତିରେ ନିର୍ବାଚନ ସଂଗୀତରୁ ଏହି ଦୁଇଟି ଶବ୍ଦ ହଟିବ ନାହିଁ ବୋଲି ଉଦ୍ଧବ ଆଜି ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟି କରିଛନ୍ତି । ସେ କହିଛନ୍ତି, ନିର୍ବାଚନ କମିଶନଙ୍କ ନିର୍ଦେଶ ମହାରାଷ୍ଟ୍ରବାସୀଙ୍କ ଅପମାନିତ କଲା ଭଳି ହୋଇଛି । ‘ଛତ୍ରପତି ମହାରାଜା ଶିବାଜୀ ତୁଲଜା ଭବାନୀ ଠାକୁରାଣୀଙ୍କ ଆଶୀର୍ବାଦରେ ହିନ୍ଦୱା ସ୍ୱରାଜ ପ୍ରତିଷ୍ଠା କରିଥିଲେ । ଆମେ ତୁଲଜା ଠାକୁରାଣୀଙ୍କ ନାମରେ କିମ୍ବା ହିନ୍ଦୁ ଧର୍ମ ନାମରେ ଭୋଟ ମାଗୁନୁ । ଦଳର ନିର୍ବାଚନ ସଂଗୀତରୁ ‘ହିନ୍ଦୁ’ ଓ ‘ଜୟ ଭବାନୀ’ ଶବ୍ଦ ହଟାଇବାକୁ ନିର୍ବାଚନ କମିଶନଙ୍କ ନିର୍ଦେଶ ଅପମାନସୂଚକ ଓ ଅସହ୍ୟ ।’ ଆମେ ‘ଜୟ ଭବାନୀ’ ଓ ‘ଜୟ ଶିବାଜୀ’ କହିବାରୁ ବିରତ ହେବୁ ନାହିଁ ବୋଲି ଉଦ୍ଧବ କହିବା ସହ ନିର୍ବାଚନ କମିଶନ ଯାହା କାର୍ଯ୍ୟାନୁଷ୍ଠାନ କରିବା କଥା କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । ଉଦ୍ଧବ ଏକ ସାଧାରଣ ସଭାରେ ମଧ୍ୟ ଏକଥା କହିଛନ୍ତି । ଶିବସେନା (ୟୁବିଟି)ର ନିର୍ବାଚନୀ ସଂଗୀତରୁ ‘ହିନ୍ଦୁ’ ଓ ‘ଜୟ ଭବାନୀ’ ଶବ୍ଦ ବାଦ୍ ଦେବାକୁ ନିର୍ବାଚନ କମିଶନ ନୋଟିସ ଦେଇଥିବା ଦର୍ଶାଇ ସେ କହିଛନ୍ତି, ‘ଯଦି ଆମ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୁଏ ଆମେ ନିର୍ବାଚନ କମିଶନଙ୍କୁ ପଚାରିବୁ – କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟରଙ୍କୁ ଆହ୍ୱାନ ଦେଇଥିଲେ ‘ଜୟ ବଜରଂଗବଲୀ’ ଉଚ୍ଚାରଣ କରି ଇଭିଏମ୍ ବଟନ ଦବାଅ । ବିଜେପି ନେତା ଅମିତ ଶାହା ମଧ୍ୟ ବିଜେପି ସପକ୍ଷରେ ଭୋଟ ଦେଲେ ରାମଲାଲାଙ୍କ ଦର୍ଶନ ପାଇଁ ମାଗଣାରେ ସେମାନଙ୍କୁ ଅଯୋଧ୍ୟା ନିଆଯିବ ବୋଲି ଭୋଟରଙ୍କୁ ପ୍ରତିଶୃତି ଦେଇଥିଲେ । ଏବେ କଣ ଆଇନ ବଦଳିଛି କି ? ନିର୍ବାଚନ କମିଶନଙ୍କୁ ଏହା ପଚାରା ଯାଇଥିଲେ ମଧ୍ୟ ଉତ୍ତର ମିଳୁନି । ଯଦି ଆଇନ ବଦଳିଛି ତେବେ ଆମେ ଆମ ନିର୍ବାଚନ ସଭାଗୁଡିକରେ ‘ହର ହର ମହାଦେବ’ ସ୍ଲୋଗାନ ଦେବୁ ବୋଲି ଉଦ୍ଧବ କହିଛନ୍ତି । ସେ କହିଛନ୍ତି, ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ତାଙ୍କ ପିତା (ଉଦ୍ଧବଙ୍କ ପିତା) ବାଲାସାହେବ ଠାକରେ ‘ହିନ୍ଦୁତ୍ୱ’ର ପ୍ରଚାର କରି ଛଅ ବର୍ଷ ପାଇଁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ଏବଂ ଭୋଟଦାନରୁ ବାଚ୍ଛନ୍ଦ ହୋଇଥିଲେ । ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନଗୁଡିକରେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ନେତା ଶାହା ସେମାନଙ୍କ ଭାଷଣରେ ଯେଉଁ ଧାର୍ମିକ ଧ୍ରୁବୀକରଣ ସୃଷ୍ଟି ଉଦ୍ୟମ କରିଛନ୍ତି ସେସବୁ କଣ ଜନପ୍ରତିନିଧି ଆଇନରେ ‘ଦୁର୍ନୀତି ଉପାୟ’ ବହିର୍ଭୁତ କି (?) ବୋଲି ଉଦ୍ଧବ ପ୍ରଶ୍ନ କରିଛନ୍ତି । ନିର୍ବାଚନ କମିଶନଙ୍କ ନୋଟିସ ଓ ଉଦ୍ଧବଙ୍କ ପ୍ରତିକ୍ରିୟା ଆଗାମୀ ଦିନର ନିର୍ବାଚନ ପ୍ରଚାରକୁ ଅଧିକ ସରଗରମ କରିବ- ଏଥିରେ କୌଣସି ସନ୍ଦେହ ନାହିଁ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS