ଲୋକସଭା ନିର୍ବାଚନ ମହାପର୍ବ ଆରମ୍ଭ, ଆଠ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ଭାଗ୍ୟ ଭୋଟ ବାକ୍ସରେ..
ପ୍ରସାଦ ରାଓ
ନୂଆଦିଲ୍ଲୀ/ଏପ୍ରିଲ ୧୯
ଆଜି ଦେଶର ୧୮ତମ ଲୋକସଭା ନିର୍ବାଚନ ପାଇଁ ମତଦାନ ମହାପର୍ବ ଆରମ୍ଭ ହୋଇଛି । ଏପ୍ରିଲ ୧୯ରୁ ଜୁନ ୦୧ ତାରିଖ ପର୍ଯ୍ୟନ୍ତ ସାତ ପର୍ଯ୍ୟାୟରେ ଏହି ନିର୍ବାଚନ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୧୦୨ଟି ଲୋକସଭା ଆସନରେ ଭୋଟ ଗ୍ରହଣ ହୋଇଛି । ଏହି ୧୦୨ ଆସନ ମଧ୍ୟରେ ତାମିଲନାଡୁର ସମସ୍ତ ୩୯ ଲୋକସଭା ଆସନ ସମେତ ରାଜସ୍ଥାନର ୧୨ଟି, ୟୁପିର ୦୮ଟି, ମଧ୍ୟ ପ୍ରଦେଶର ୦୬ଟି, ଉତ୍ତରାଖଣ୍ଡର ୦୫ଟି, ଅରୁଣାଚଳ ପ୍ରଦେଶର ୦୨ଟି, ମେଘାଳୟର ୦୨ଟି, ଆଣ୍ଡାମାନ ନିକୋବର ଦ୍ୱୀପ, ମିଜୋରାମ, ନାଗାଲାଣ୍ଡ, ପୁହୁଚେରୀ, ସିକିମ ଓ ଲକ୍ଷାଦ୍ୱୀପର ଗୋଟିଏ ଲେଖାଏଁ ଆସନ ସହ ଆସାମ ଓ ମହାରାଷ୍ଟ୍ରର ପାଂଚଟି ଲେଖାଏଁ ଲୋକସଭା ଆସନ, ବିହାରର ଚାରିଟି ଲୋକସଭା ଆସନ, ପଶ୍ଚିମ ବଂଗର ୦୩ଟି ଲୋକସଭା ଆସନ, ମଣିପୁରର ୦୨ଟି ଲୋକସଭା ଆସନ ଏବଂ ତ୍ରିପୁରା, ଛତିଶଗଡ଼ ଓ ଜମ୍ମୁ-କଶ୍ମୀରର ଗୋଟିଏ ଲେଖାଏଁ ଆସନ ଅନ୍ତର୍ଭୁକ୍ତ । ୧୮ ତମ ଲୋକସଭା ନିର୍ବାଚନ ସହ ଚାରିଟି ରାଜ୍ୟ ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ଅରୁଣାଚଳ ପ୍ରଦେଶ ଓ ସିକିମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଅରୁଣାଚଳ ପ୍ରଦେଶର ୬୦ ଓ ସିକିମର ୩୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଆଗୁଆ ହେଉଥିବା ବେଳେ ଓଡ଼ିଶାର ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ପାଇଁ ମେ’ ୧୩ରୁ ଜୁନ ୦୧ ତାରିଖ ପର୍ଯ୍ୟନ୍ତ ଚାରି ପର୍ଯ୍ୟାୟରେ ଭୋଟ ହେବ । ନିର୍ବାଚନ କମିଶନ ଗତକଲି ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ କକରିଛନ୍ତି । ଆଜି ମତଦାନ ହେଉଥିବା ରାଜ୍ୟରେ ଅପରାହ୍ନ ୩ଟା ସୁଦ୍ଧା ୪୯.୭୮ ପ୍ରତିଶତ ମତଦାନ ସରିଥିବା ସୂଚନା ମିଳିଥିଲା । ତାମିଲନାଡୁରେ ଅପରାହ୍ନ ୩ଟା ସୁଦ୍ଧା ୫୧ ପ୍ରତିଶତ ମତଦାନ ହୋଇଥିବା ବେଳେ ରାଜସ୍ଥାନରେ ୪୧.୫ ପ୍ରତିଶତ, ୟୁପିରେ ୪୭.୪ ପ୍ରତିଶତ, ମଧ୍ୟ ପ୍ରଦେଶରେ ୫୩.୪ ପ୍ରତିଶତ ହୋଇଛି । ଅରୁଣାଚଳ ପ୍ରଦେଶ ଓ ସକିମରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେଉଛି । ଅପରାହ୍ନ ୩ଟା ସୁଦ୍ଧା ସିକିମରେ ୫୨.୭ ଓ ଅରୁଣାଚଳ ପ୍ରଦେଶରେ ୫୪.୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଆଜି ପଶ୍ଚିମ ବଂଗରେ ମତଦାନ ସମୟରେ କୁଚବିହାରରେ ଭୋଟରଙ୍କୁ ପ୍ରଭାବିତ କରିବା ଏବଂ ପୋଲିଂ ଏଜେଂଟଙ୍କୁ ଆକ୍ରମଣ ଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଥିବା ବେଳେ କୌଣସି ପ୍ରକାର ହିଂସାତ୍ମକ ଘଟଣା ଘଟି ନାହିଁ ବୋଲି ରାଜ୍ୟ ପୁଲିସ କହିଛନ୍ତି । ତେବେ, ରାଜ୍ୟରେ କ୍ଷମତାରେ ଥିବା ଟିଏମସି (ତୃଣମୂଳ କଂଗ୍ରେସ) କଥିତ ହିଂସା ପାଇଁ ବିଜେପିକୁ ଦାୟି କରିଥିବା ବେଳେ ବିଜେପି ଟିଏମସିକୁ ଦାୟି କରିଛି । ମଣିପୁରର ବିଷ୍ଣୁପୁରରେ ଥିବା ଏକ ମତଦାନ କେନ୍ଦ୍ରରେ ଗୁଳି ଫୁଟିଥିବା ଅଭିଯୋଗ ହୋଇଛି । ଇମ୍ଫାଲ ପୂର୍ବ ଜିଲ୍ଲାରେ ଥିବା ଏକ ମତଦାନ କେନ୍ଦ୍ରରେ ଭଂଗାରୁଜା ହୋଇଛି । ତାମିଲନାଡୁର ସାଲେମ ଜିଲ୍ଲାରେ ଥିବା ଏକ ମତଦାନ କେନ୍ଦ୍ରରେ ଦୁଇ ଜଣ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ୭୭ ବର୍ଷ ବୟସ୍କା ମହିଳା ଅଛନ୍ତି । ୧୮ତମ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଦେଶର ୫୪୩ ଲୋକସଭା ଆସନରୁ ଅନ୍ତତଃ ୩୭୦ ଆସନ ଦଖଲ କରିବ ଓ ଏନଡିଏ ୪୦୦ରୁ ଅଧିକ ଆସନରେ ବିଜୟୀ ହେବ ବୋଲି ଲକ୍ଷ୍ୟଧାର୍ଯ୍ୟ କରି ପ୍ରଚାର ଅଭିଯାନକୁ ଶାଣିତ କରିଥିବା ବେଳେ ବିରୋଧୀ ମେଂଟ ‘ଇଣ୍ଡିଆ’ ମୋଦୀଙ୍କ ସରକାରରେ ଦେଶରେ ଗଣତନ୍ତ୍ର ବିପନ୍ନ ହୋଇପଡିଥିବା ଦର୍ଶାଇ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକୁ ସୁରକ୍ଷିତ ରଖିବା ପାଇଁ ମୋଦୀ ସରକାରକୁ କ୍ଷମତାଚ୍ୟୁତ କରିବାକୁ ଜନତାଙ୍କୁ ଆହ୍ୱାନ ଦେଇଛି । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୩୦୩ ଆସନରେ ଓ ଏନଡିଏ ୩୫୩ ଆସନରେ ବିଜୟୀ ହୋଇଥିଲା । ବିଜେପି ୨୦୧୯ରେ ୨୦୧୪ ତୁଳନାରେ ୫ ପ୍ରତିଶତ ଅଧିକ ଆସନ ପାଇଥିଲା । ୨୦୨୪ ନିର୍ବାଚନରେ ବିଜେପି ହିନ୍ଦି ଭାଷାଭାଷୀ ଅଂଚଳ ଏବଂ ଉତ୍ତର ପୂର୍ବାଂଚଳ ରାଜ୍ୟରେ ବିରୋଧୀଙ୍କୁ ମୂଳପୋଛ କରିବା ସହ ଓଡ଼ିଶା, ପଶ୍ଚିମ ବଂଗ ଓ ଦକ୍ଷିଣାଂଚଳ ରାଜ୍ୟରେ ଭଲ ପ୍ରଦର୍ଶନ କରିବା ଆଶା କରୁଛି । ବିଶେଷକରି, ଦକ୍ଷିଣାଂଚଳ ରାଜ୍ୟ ଆନ୍ଧ୍ର ପ୍ରଦେଶ, ତେଲାଂଗାନା, ତାମିଲନାଡୁ, କର୍ଣ୍ଣାଟକ ଓ କେରଳରେ ଏଥର ବିଜେପି ଜୋରଦାର ନିର୍ବାଚନ ପ୍ରଚାର କରିଛି । ତେବେ, ଦଳ ‘ନିର୍ବାଚନୀ ବଣ୍ଡ୍’କୁ ନେଇ ବିବାଦରେ ଫସିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାରର ଏହା ସବୁଠାରୁ ବଡ ଦୁର୍ନୀତି ବା ଲୁଟ୍ ବୋଲି ବିରୋଧୀ, ବିଶେଷକରି କଂଗ୍ରେସ ଅଭିଯୋଗ କରୁଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସହ ଅଭିଯୁକ୍ତ ଭାବେ ଗିରଫ ହୋଇ ଜେଲ ଯାଇଥିବା ତେଲେଂଗାନାର ଜଣେ ଫାର୍ମା ବ୍ୟବସାୟୀ କିଭଳି ବିଜେପିକୁ କୋଟି କୋଟି ଟଙ୍କାର ‘ନିର୍ବାଚନୀ ବଣ୍ଡ୍’ ଦେବା ପରେ ଜେଲରୁ ମୁକୁଳିଛନ୍ତି ଏବଂ ମାମଲାର ରାଜସାକ୍ଷୀ ହୋଇଛନ୍ତି ତାହା ବିରୋଧୀ ଜନସାଧାରଣରେ ପହଂଚାଉଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଏହି ଅବକାରୀ ଦୁର୍ନୀତି ମାମଲାରେ ଠିକ୍ ସାଧାରଣ ନିର୍ବାଚନ ପୂର୍ବରୁ ‘ଆମ୍ ଆଦମୀ ପାଟି’ର୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ଗିରଫ କରି ଜେଲରେ ପୁରାଇବା କଥାକୁ ମଧ୍ୟ ବିରୋଧୀ ବଡ ପ୍ରସଙ୍ଗ କରିଛନ୍ତି । କେଜରୀୱାଲଙ୍କ ପୂର୍ବରୁ ଇଡି ଏକ ଜମିଜମା ଦୁର୍ନୀତି ମାମଲାରେ ପୂର୍ବତନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରି ଜେଲରେ ପୁରାଇଛି । ବିରୋଧୀ ମେଂଟକୁ ଭୟ କରୁଥିବାରୁ ବିଜେପି ହେମନ୍ତ ସୋରେନ (ଜେଏମଏମ), କେଜରୀୱାଲ (ଆପ୍) ଭଳି ତୁଂଗ ନେତାଙ୍କୁ ଠିକ୍ ନିର୍ବାଚନ ପୂର୍ବରୁ ଗିରଫ କରି ଜେଲରେ ପୁରାଇଛି ବୋଲି ବିରୋଧୀଙ୍କ ଆଡୁ ଅଭିଯୋଗ ହେଉଛି । ଦେଶବାସୀ ମୋଦୀଙ୍କ ଦଶ ବର୍ଷର ଶାସନରେ ହୋଇଥିବା କାମ ଏବଂ ଦେଶରେ ଗଣତନ୍ତ୍ର ବିପଦରେ ଥିବା ନେଇ ବିରୋଧୀ ମେଂଟର ବ୍ୟାଖ୍ୟାନ ମଧ୍ୟରୁ କାହାକୁ ଏହି ନିର୍ବାଚନରେ ଗୁରୁତ୍ୱ ଦେଉଛନ୍ତି ତାହା ଜୁନ ୦୪ ତାରିଖରେ ନିର୍ବାଚନ ଫଳାଫଳ ଆସିଲେ ସ୍ପଷ୍ଟ ହେବ । ଆଜି ହୋିଥିବା ଭୋଟରେ ୦୮ ଜଣ କେନ୍ଦ୍ର ମନ୍ତ୍ରୀ, ଦୁଇ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ରାଜ୍ୟପାଳଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକରି, ଜିତେନ୍ଦ୍ର ସିଂହ, କିରଣ ରିଜ୍ଜୁ, ସଂଜୟ ବାଲିଆନ, ଅର୍ଜୁନ ରାମ ମେଘୱାଲ, ତେଳେଂଗାନାର ପୂର୍ବତନ ରାଜ୍ୟପାଳ ତାମିଲସାଇ ସୌନ୍ଦରାରାଜନ, ଲୋକସଭାରେ କଂଗ୍ରେସର ଉପ ନେତା ଥିବା ଗୌରବ ଗୋଗୋଇ ଓ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ରାଜ୍ୟରୁ ଲୋକସଭା ପ୍ରାର୍ଥୀ ଅଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS