ଜଳୁଛି ରାଜ୍ୟ, ଜଳୁଛି ରାଜଧାନୀ
ପ୍ରସାଦ ରାଓ
ଭୁବନେଶ୍ୱର/ଏପ୍ରିଲ ୧୯
କଂକ୍ରିଟ ଜଂଗଲରେ ଭରା ରାଜଧାନୀ ଜଳୁଛି ଅଗ୍ନି ବର୍ଷାରେ । ଆଜି ମଧ୍ୟ ରାଜଧାନୀର ତାପାମାତ୍ରା ରହିଛି ୪୩.୬ ଡିଗ୍ରୀ ସେଲସିୟସ । ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି ଭୁବନେଶ୍ୱର । ୨୧ତାରିଖ ପର୍ଯ୍ୟନ୍ତ ଏଥିରୁ ନିସ୍ତାର ନାହିଁ ବୋଲି ଆକଳନ କରିଛି ଆଇଏମଡି (ଭାରତୀୟ ପାଣିପାଗ ବିଭାଗ) । ଆଇଏମଡି ଭୁବନେଶ୍ୱର ନିର୍ଦେଶକ ମନୋରମା ମହାନ୍ତି ଦେଇଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର, ବୌଦ୍ଧ ଓ ଅନୁଗୁଳରେ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଉପରେ ଥିବା ବେଳେ ରାଜ୍ୟର ୨୭ଟି ସହରରେ ୪୧ ଡିଗ୍ରୀ ସେଲସିୟସ ଉପରେ ରହିଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜନିତ ବଢୁଥିବା ତାପମାତ୍ର ସମଗ୍ର ରାଜ୍ୟକୁ ଅସ୍ତବ୍ୟସ୍ତ କରିଥିବା ବେଳେ ରାଜଧାନୀ ବାସିନ୍ଦା କେବଳ ଦିନରେ ନୁହେଁ, ରାତିରେ ମଧ୍ୟ ତାତି ଅଧିକ ରହୁଥିବାରୁ ଛଟପଟ ହେଉଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋ-ଭୋଲଟେଜ୍ ସମସ୍ୟା ରହୁଥିବାରୁ ପଂଖା ସବୁ ମଲା ଭଳି ବୁଲୁଛି । ତେଣୁ, ଘର ଭିତରେ ରହିଲେ ମଧ୍ୟ ତାତିରୁ ତ୍ରାହି ମିଳୁନି । ଟାଟା କଂପାନୀ ରାଜ୍ୟରେ ବିଦ୍ୟୁତ ବିତରଣ ବ୍ୟବସ୍ଥା ହାତକୁ ନେବା ପରେ ମଧ୍ୟ ଲୋ-ଭୋଲଟେଜ୍ ସମସ୍ୟା ସୁଧୁରିନି । ଅପରପକ୍ଷରେ, ବିଦ୍ୟୁତ ବିଭ୍ରାଟ ଓ ଅସମୟରେ ଘଂଟା ଘଂଟା ଧରି ଅଘୋଷିତ ବିଦ୍ୟୁତ କାଟ୍ ସମସ୍ୟାକୁ ବହୁଗୁଣିତ କରିଛି । ଆଇଏମଡି ଭୁବନେଶ୍ୱରର ନିର୍ଦେଶିକା ମହାନ୍ତି ଆଜି ରାଜ୍ୟର ଉପକୂଳ ଅଂଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଦାହ ସହ ଗୁଳୁଗୁଳିର ଚେତାବନୀ ଦେଇଛନ୍ତି । କେବଳ ଦିନ ନୁହଁ, ରାତି ମଧ୍ୟ ପ୍ରବଳ ତାତିରୁ ବାଦ୍ ରହିବ ନାହିଁ ବୋଲି ସେ କହିଛନ୍ତି । ୨୦ ଓ ୨୧ ତାରିଖ ମଧ୍ୟ ଏକାଭଳି ପରିସ୍ଥିତି ରହିବ । ୨୧ ତାରିଖ ପରେ ବିଜୁଳି, ବଜ୍ରପାତ ସହ ବର୍ଷା, ପବନର ଝଟକା ପାଗ ବଦଳାଇପାରେ ବୋଲି ଆଶା କରାଯାଉଛି । ମୟୁରଭଂଜ, ଅନୁଗୁଳ, ନୟାଗଡ, ବଲାଂଗୀର ଓ କଳାହାଣ୍ଡିରେ ସର୍ବୋଚ୍ଚ ତାପମାତ୍ର ୪୫ ଡିଗ୍ରୀ ସେଲସିୟସ ଟପି ଯିବାର ସମ୍ଭାବନା ଥିବା ଆଇଏମଡି ସୂତ୍ରରୁ ଜଣାପଡିଛି । କେଉଁଝର, ମୟୁରଭଂଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, ନୟାଗଡ ଓ କନ୍ଧମାଳ ଜିଲ୍ଲା ପାଇଁ ଆଇଏମଡି ୟେଲୋ ୱାର୍ଣ୍ଣିଂ ଜାରି କରିଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାର ଏପ୍ରିଲ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିଛନ୍ତି । ତେବେ, ପରିସ୍ଥିତି ନ ସୁଧୁରିଲେ ସ୍କୁଲ, କଲେଜ ଛୁଟିର ଅବଧି ବଢିପାରେ ବୋଲି ଆଲୋଚନା ହେଉଛି । ଏକଦା ରାଜଧାନୀର କଳେବର ସୀମିତ ଥିଲା ଏବଂ ଜନବସତି ଚାରି ପାଖରେ ଗଛପତ୍ରର ସବୁଜିମା ଭଳି ରହୁଥିଲା । ଫଳରେ, ପ୍ରଚଣ୍ଡ ଗ୍ରୀଷ୍ମରେ ମଧ୍ୟ ରାଜଧାନୀରେ ସୁଶିତଳ ବାତାବରଣ ରହୁଥିଲା । ଅଶି ଦଶକରୁ ରାଜଧାନୀର ସଂପ୍ରସାରଣ ହୋଇ ଏବେ ଏହାର କଳେବର ଆଖିପାଉ ନାହିଁ । ଚାରି ଆଡେ କଂକ୍ରିଟ ଜଂଗଲ, ବହୁତଳ ବିଶିଷ୍ଟ ଆପାର୍ଟମେଂଟ; ସବୁଜିମାର ସ୍ଥାନ ନେଇଛି ସିମେଂଟ, କଂକ୍ରିଟରେ ତିଆରି ଘର, ଫ୍ଲାଏଓଭର । ପିଚୁ ରାସ୍ତା ମଧ୍ୟ ଲୋପ ପାଇଲାଣି । କଂକ୍ରିଟ୍ ସ୍ଲାବ ବା ଇଟାର ରାସ୍ତା ଗଳିକନ୍ଦିର ଶୋଭା ବଢାଉଛି । ରାଜଧାନୀରେ ଆଉ ଜଳାଶୟ ବୋଲି କିଛି ନାହିଁ । ଯେଉଁ ସବୁ ଜଳାଶୟ ଥିଲା ସେସବୁ ପୋତି ଦିଆଯାଇ ତାହା ଉପରେ ବହୁତଳ ବିଶିଷ୍ଟ ଆପାର୍ଟମେଂଟ ନିର୍ମାଣ ହୋଇଛି ବା ନିର୍ମାଣ ଚାଲିଛି । ଜଳାଶୟ ସବୁ ପୋତି ଦେଇ କଂକ୍ରିଟ ଜଂଗଲ ସୃଷ୍ଟି କରାଯାଇଥିବାରୁ ଭୂତଳ ଜଳସ୍ତର ବା ୱାଟର ଟେବୁଲ ମଧ୍ୟ ଏତେ ତଳକୁ ଖସିଲାଣି ଯେ ଭୁବନେଶ୍ୱରବାସୀ ମଧ୍ୟ ଖୁବଶୀଘ୍ର ବେଂଗାଲୁରୁ ଭଳି ଜଳ ସଂକଟର ସାମ୍ନା କରିବାକୁ ଯାଉଛନ୍ତି ବୋଲି ସର୍ବସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇସାରିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଘରକୁ ପାଇପ ଜଳ ଯୋଗାଣ ଯୋଜନା କାର୍ଯ୍ୟକାରୀ କରାଯାଇଥିଲେ ମଧ୍ୟ ନଦୀ, ନାଳ ଶୁଣିଲା ପଡିଛି । ଭୂତଳ ଜଳକୁ ଆପାଂର୍ଟମେଂଟଗୁଡିକ ଶୋଷି ନେଉଛନ୍ତି । କେଉଁଠୁ ପାଣି ମିଳିବ ଯେ ସରକାର ପ୍ରତି ଘରକୁ ପାଇପ ମାଧ୍ୟମରେ ତାହା ଯୋଗାଇ ଦେବେ (?) ବୋଲି ପ୍ରଶ୍ନ ହେଉଛି । ଚଳିତ ବର୍ଷ ରାଜ୍ୟରେ ଲୋକସଭା ସହ ବିଧାନସଭା ନିର୍ବାଚନ ହେଉଥିବାରୁ ସହରାଂଚଳ ଓ ଗ୍ରାମାଂଚଳରେ ଗ୍ରୀଷ୍ମର ପ୍ରାରମ୍ଭରୁ ଦେଖା ଦେଇଥିବା ପାନୀୟ ଜଳ ସଂକଟ ରାଜନୀତିର ପ୍ରମୁଖ ପ୍ରସଙ୍ଗ ହୋଇଛି । ଶାସକ ଓ ବିରୋଧୀ ଉଭୟେ ଉଭୟଙ୍କୁ ସମାଲୋଚନା କରୁଥିଲେ ମଧ୍ୟ ଯିଏ ଯେତେବେଳେ କ୍ଷମତାରେ ରହିଛି ବିକାଶ ନାମରେ ସିଏ କଂକ୍ରିଟ ଜଂଗଲ ଓ ବ୍ୟାପକ ଭାବେ ଗଛକଟାକୁ ପ୍ରୋତ୍ସାହିତ କରି ଆସିଛି । ତେଣୁ, ସରକାର ବଦଳୁ ବା ନବଦଳୁ ରାଜ୍ୟବାସୀ ଆଗକୁ ଅଧିକ ଗ୍ରୀଷ୍ମ ପ୍ରଦାହ ଓ ଜଳ ସଂକଟର ସାମ୍ନା କରିବାକୁ ଯାଉଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS