ସ୍ୱପ୍ନ ବଣିକ ଅମିତ ଶାହା ଓଡ଼ିଶାରେ : ୨୦୧୯ରେ ଓଡ଼ିଶା ଦଖଲ ଜାଲ ବୁଣୁଛନ୍ତି !
– ପ୍ରସାଦ ରାଓ –
ଭୁବନେଶ୍ୱର ଜୁଲାଇ ୪: ଭାରତୀୟ ଜନତା ପାର୍ଟିର ଜାତୀୟ ସଭାପତି ଅମିତ ଶାହାଙ୍କ ଓଡ଼ିଶା ଗସ୍ତର ଉଦେ୍ଦଶ୍ୟ କାହା ପାଇଁ ଅଛପା ନୁହେଁ । ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶା ଦଖଲର ସ୍ୱପ୍ନ ବୁଣିବାକୁ ଆସିଛନ୍ତି ସେ । ୨୦୧୪ ବିଧାନସଭା ନିର୍ବାଚନରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡ଼ି ୧୪୭ରୁ ୧୧୭ ବିଧାନସଭା ଆସନ ଦଖଲ କରିଥିବା ବେଳେ ୨୦୧୯ରେ ବିଜେପି ୧୨୦ ଆସନ ଦଖଲ କରି ଓଡ଼ିଶାରେ ରାଜ୍ ଆରମ୍ଭ କରିବ ବୋଲି ଆଜି (୪ତାରିଖ) ଭୁବନେଶ୍ୱର ଆସି ଗଞ୍ଜାମ ଜିଲ୍ଲାରେ ‘ମୋ ବୁଥ୍ ଶକ୍ତିଶାଳୀ’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ବେଳେ ଶାହା ଦୃଢତାର ସହ କହିଥିବା ସୂଚନା ମିଳିଛି ।
ଶାହା ତିନି ଦିନିଆ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଛନ୍ତି । ବିଜେପିକୁ ୨୦୧୯ରେ କ୍ଷମତାସୀନ କରିବା ପାଇଁ ଯେଉଁ ଯୋଜନା ଆରମ୍ଭ ହୋଇଛି ତାହାର ଜାଲ ବୁଣିବା ହେଉଛି ଏହି ଗସ୍ତର ଏକମାତ୍ର ଉଦେ୍ଦଶ୍ୟ । କଂଗ୍ରେସ ଉପ ସଭାପତି ରାହୁଲ ଗାନ୍ଧୀଙ୍କ ଭଳି ବିଜେପି ଜାତୀୟ ସଭାପତି ଅମିତ ଶାହା ମଧ୍ୟ ଆଦିବାସୀ, ଦଳିତ, ପଛୁଆ ବର୍ଗ ଭୋଟ ହାତେଇବା ସକାଶେ ଗାଁରେ ବସି ପାଂଚଟି ପରିବାରକୁ ଭେଟି ଦୁଃଖ, ସୁଖ ହେବା ଏବଂ ଦଳିତ ଘରେ ଭୋଜନ କରିବା ଫର୍ମୁଲାକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ଆଜି ଶାହା ବିଜେଡ଼ିର ଗଡ ଗଞ୍ଜାମ ଜିଲ୍ଲାକୁ ଭାଙ୍ଗିବା ଉଦ୍ୟମର ଶୁଭାରଂଭ କରିଥିଲେ । ଭୁବନେଶ୍ୱରରୁ ବାହାରି ଗଞ୍ଜାମ ଜିଲ୍ଲାର ହୁଗୁଳାପଟା ଠାରେ ପହଂଚିବା ପରେ ଗ୍ରାମବାସୀ ଓ ଦଳୀୟ କର୍ମୀଙ୍କୁ ଭେଟିବା ସହ ପାଂଚଟି ପରିବାରଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝି ଥିଲେ । ସେହି ଗ୍ରାମର ଜଣେ ଦଳିତଙ୍କ ଘରେ କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସହ ଶାହା ମଧ୍ୟାହ୍ନ ଭୋଜନ କରିଥିଲେ । ପରେ ଅପରାହ୍ନରେ ଆମ୍ବପୁଆଠାରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେଇ ସେମାନଙ୍କୁ ବୁଥ୍ ସ୍ତରୀୟ କାର୍ଯ୍ୟକ୍ରମ ଆଗେଇ ନେବାକୁ ଉତ୍ସାହିତ କରିଥିଲେ ।
ବିଜେପି ଜାତୀୟ ସଭାପତି ଶାହା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଲେ ଯେ, ଗତ ୧୭ ବର୍ଷ ଭିତରେ ରାଜ୍ୟ ବିକାଶ କ୍ଷେତ୍ରରେ ସଂପୂର୍ଣ ପଛୁଆ ରହିଛି । ରାଜ୍ୟର ସବୁ ଲୋକଙ୍କ ପାଖରେ ବିଜୁଳି ଓ ପାନୀୟ ଜଳ ପହଂଚି ପାରିନି । ଗାଁ ଗଣ୍ଡାରେ ଶୌଚାଳୟ ସୁବିଧା ମଧ୍ୟ ହୋଇ ପାରିନି । ଶିକ୍ଷିତ ଯୁବକଙ୍କ ମଧ୍ୟରେ ବେକାରୀ ବଢିଛି । ଓଡ଼ିଶା ଖଣିଜ ସଂପଦ, ପ୍ରାକୃତିକ ସଂପଦରେ ଭରପୁର । ଶତାଧିକ କିମି ବେଳାଭୂମୀ ରହିଛି । ତଥାପି ରାଜ୍ୟର ଦାରିଦ୍ର ଦୂର ହୋଇ ନାହିଁ । ବିକାଶ କ୍ଷେତ୍ରରେ ଓଡ଼ିଶା ପଛରେ ରହିଛି । ବିଜେଡ଼ିର କୁଶାସନ ବିରୋଧରେ ୨୦୧୯ରେ ଯେଉଁ ଭୋଟ ହେବ, ସେଥିରେ ବିଜେପି ରାଜ୍ୟ ବିଧାନସଭାର ଦୁଇ ତୃତୀୟାଂଶ ଆସନ ଦଖଲ କରି ରାଜ୍ୟରେ ସରକାର ଗଢିବ ବୋଲି ଶାହା କହିଥିଲେ । ରାଜ୍ୟର ୩୭୦୦୦ ବୁଥରେ ନିର୍ଦ୍ଧାରିତ ସମୟ ମଧ୍ୟରେ ବୁଥ୍ କମିଟି ଗଠନ କରାଯିବ । ତୃଣମୂଳ ସ୍ତରରେ ସେ କାର୍ଯ୍ୟ କରିଛନ୍ତି ଏବଂ ଲୋକଙ୍କ ସମସ୍ୟା କଣ ଜାଣିଛନ୍ତି । ତାହାକୁ ନେଇ ଦଳର ରଣ କୌଶଳ ସ୍ଥିର କରାଯିବ ବୋଲି ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବାକୁ ଯାଇ ସେ କହିଥିଲେ । ଶାହା ତାଙ୍କର ତିନି ଦିନିଆ ଓଡ଼ିଶା ଗସ୍ତ ଗଞ୍ଜାମ ଜିଲ୍ଲାରୁ ଆରମ୍ଭ କରିଥିବା ବେଳେ ବୁଧବାର ଯାଜପୁର ଜିଲ୍ଲାରେ ଅନୁରୂପ କାର୍ଯ୍ୟକ୍ରମ ରଖିଥିବା ଦଳୀୟ ସୂତ୍ରରୁ ଜଣାପଡିଛି । ଆଜି ସେ ଭୁବନେଶ୍ୱରରୁ ସଡ଼କ ପଥରେ ଗଞ୍ଜାମ ଜିଲ୍ଲାର ହୁଗୁଳାପଟା ଯିବା ସମୟରେ ବହୁ ସଂଖ୍ୟାରେ ଜନସାଧାରଣ ରାସ୍ତାରେ ତାଙ୍କୁ ସଂବର୍ଦ୍ଧନା ଦେଇଥିଲେ । ଭୁବନେଶ୍ୱର ଅତିଥି ଭବନରେ ମଧ୍ୟ ତାଙ୍କୁ ଭେଟିବା ସକାଶେ ବେଶ୍ ଗହଳି ଦେଖିବାକୁ ମିଳିଥିଲା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS