ନିହାଲିନୀ ବିଦାୟ, ପ୍ରସୁନ୍ନ ଯୋଶୀ ନୂଆ ସିବିଏଫସି ଅଧ୍ୟକ୍ଷ
ଭୁବନେଶ୍ୱର,୧୩ ଅଗଷ୍ଟ
ମୋଅନୁଭବ ମିଡ଼ିଆ
ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ପାଇଁ ଅଗଷ୍ଟ ୧୧ତାରିଖ ଶୁକ୍ରବାର ଥିଲା ଖୁସୀର ଦିନ । କାରଣ, ଦୁଇ ବର୍ଷରୁ ଅଧିକ ହେଲା ଫିଲ୍ମ ସେନସର୍ ବୋର୍ଡ ସାଟିଫିକେଟ୍ ଦେବା ନା’ରେ ଚାଲି ଥିଲା ଚଳଚ୍ଚିତ୍ର ନିର୍ମାତା, ନିଦେ୍ର୍ଦଶକମାନଙ୍କୁ ଶୋଷଣ । ଫିଲ୍ମରେ କେଉଁ ଦୃଶ୍ୟ ରହିବ, କେଉଁ ଦୃଶ୍ୟ ରହିବନି, କିଭଳି ଭାଷାର ପ୍ରୟୋଗ ହୋଇପାରିବ, କି କି ଶବ୍ଦ ବ୍ୟବହାର କରାଯିବ ନାହିଁ, ଓଠରେ ଓଠ ଯୋଡି ‘ଚୁମ୍ବନ’ ଦେବା ଦୃଶ୍ୟ ଅଶ୍ଳିଳତାରେ ଯିବ, ମୁମ୍ବାଇକୁ ‘ବମ୍ବାଇ’ କୁହା ଯାଇ ପାରିବ ନାହିଁ , ଝିଅଟିଏ ଖଟରେ ଶୋଇ ଗ୍ଲାସ୍ରେ ମଦ ଢାଳୁଥିବା ଦୃଶ୍ୟ ପ୍ରଦର୍ଶନ ଯୋଗ୍ୟ ନୁହେଁ…ଇତ୍ୟାଦି ଇତ୍ୟାଦି – କଟକଣା ଲାଗୁ କରି ଥିଲେ ସିବିଏଫସି ଅଧ୍ୟକ୍ଷ ପହଲାଜ ନିହାଲିନୀ । ୨୦୧୫ ଜାନୁୟାରୀରେ ଦାୟିତ୍ୱ ନେଉ ନେଉ ତାଲିକାଟିଏ ଧରାଇ ଦେଇଥିଲେ ଚଳଚ୍ଚିତ୍ର ନିର୍ମାତା, ନିଦେ୍ର୍ଦଶକମାନଙ୍କୁ ।
ନିକଟରେ ରିଲାଜ ହୋଇଥିବା ମଧୁର ଭଣ୍ଡାରକରଙ୍କ ଫିଲ୍ମ ‘ଇନ୍ଦୁ ସରକାର’ ସିବିଏଫସି (ସେନସର୍ ବୋର୍ଡ ଅଫ୍ ସାର୍ଟିଫିକେସନ୍)ର କୋପ ଦୃଷ୍ଟିର ସଦ୍ୟତମ ଶିକାର ଥିଲା । ୧୯୭୫-୭୬ରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜାରୀ କରିଥିବା ଏମର୍ଜେନ୍ସି ବା ଜରୁରୀକାଳୀନ ପରିସ୍ଥିତି ଏବଂ ସେହି ସମୟରେ ହୋଇଥିବା ସରକାରୀ ମାତ୍ରାଧିକ୍ୟକୁ ନେଇ ଏହି ଚଳଚ୍ଚିତ୍ରଟି ନିର୍ମିତ । ତେବେ, ଜରୁରୀକାଳୀନ ପରିସ୍ଥିତି ବେଳେ ‘ନସ୍ବନ୍ଦୀ’ ଭଳି ଯେଉଁ ଦମନମୂଳକ କାର୍ଯ୍ୟାନୁଷ୍ଠାନ ହୋିଥିଲା ତାହାର ପ୍ରଦର୍ଶନ ହୋିଥିବାରୁ ସେନସର୍ ବୋର୍ଡ ଅଧ୍ୟକ୍ଷ ପହଲାଜ ନିହାଲିନୀଙ୍କୁ ଲାଗିଲା ଫିଲ୍ମଟି ଦର୍ଶକଙ୍କ ପାଇଁ ପ୍ରଦର୍ଶନଯୋଗ୍ୟ ନୁହେଁ । ଏହା ପ୍ରମାଣିକ ଚଳଚ୍ଚିତ୍ର ନୁହେଁ, ଏକ ନିଦ୍ଧିଷ୍ଟ ସମୟ ଓ ସେହି ସମୟର ଘଟଣାବଳୀକୁ ଏକ ନାଟ୍ୟରୂପ ବୋଲି ଭଣ୍ଡାରକର ଯେତେ ବୁଝାଇଲେ ବି ସିବିଏଫସି ଅଧ୍ୟକ୍ଷ ବୁଝିଲେ ନାହିଁ । ‘ଇନ୍ଦୁ ସରକାର’କୁ ମୁକ୍ତିଲାଭ ପାଇଁ ସାର୍ଟିଫିକେଟ୍ ପ୍ରଦାନ କରା ନ ଯିବାରୁ ନିର୍ମାତା, ନିଦେ୍ର୍ଦଶକ ସର୍ବୋଚ୍ଚ ନ୍ୟାୟାଳୟର ଆଶ୍ରୟ ନେଲେ । ନ୍ୟାୟାଳୟର ରାୟରେ ଚିତ୍ରଟିକୁ ପ୍ରଦର୍ଶନ ଅନୁମତି ମିଳିବା ପରେ ପିଲ୍ମଟି ରିଲାଜ୍ ହେଲା ।
କେବଳ, ‘ଇନ୍ଦୁ ସରକାର’ ନୁହେଁ, ତା’ ପୂର୍ବରୁ ‘ଉଡ୍ତା ପଞ୍ଜାବ’ ଠାରୁ ଆରମ୍ଭ କରି ‘ବାବୁ ମୋସାୟ ବନ୍ଧୁକବାଜ୍’ ପର୍ଯ୍ୟନ୍ତ ଫିଲ୍ମର ନିର୍ମାତା, ନିଦେ୍ର୍ଦଶକମାନେ ସିବିଏଫସି ଦ୍ୱାରା ନିର୍ଯାତିତ ହୋଇ ଆସିଛନ୍ତି । ପଞ୍ଜାବରେ ଚାଲି ଥିବା ଅବାଧ ନିଶା କାରବାର ଏବଂ ତାହା ଦ୍ୱାରା ଯୁବପୀଢି କେମିତି ଅବାଟକୁ ଚାଲି ଯାଉଛନ୍ତି – ସେହି କଥାବସ୍ତୁ ଉପରେ ୨୦୧୬ରେ ନିର୍ମିତ ଫିଲ୍ମ ‘ଉଡ୍ତା ପଞ୍ଜାବ’କୁ ନାକେଦମ୍ କରି ଦେଇଥିଲେ ନିହାଲିନୀ । ୯୪ଟି ଦୃଶ୍ୟ କାଟିବାକୁ ବାଧ୍ୟ କରାଯିବାରୁ ପଅଯୋଜକ, ନିଦେ୍ର୍ଦଶକ କୋର୍ଟଙ୍କ ଆଶ୍ରୟ ନେଇ ଫିଲ୍ମ ପ୍ରଦର୍ଶନ ପାଇଁ ଅନୁମତି ଆଣିଲେ । ‘ବାବୁମୋସାୟ ବନ୍ଧୁକବାଜ୍’ରେ ୪୮ଟି କଟ୍ ନେଇ ନୱଜଉଦ୍ଦିନ୍ ସିଦ୍ଦିକି କ୍ଷୁବ୍ଧ । ‘ଲିପ୍ଷ୍ଟିକ୍ ଅଣ୍ଡର ବୁର୍ଖା’ ଭଳି ଏକ ଭିନ୍ନଧର୍ମୀ ଚଳଚ୍ଚିତ୍ରକୁ ସାର୍ଟିଫିକେଟ୍ ଦେବାକୁ ମନା କରି ଦିଆଗଲା । କୁହା ଗଲା, ଏହି ଚଳଚ୍ଚିତ୍ରଟି ନାରୀକୈନ୍ଦ୍ରୀକ ଏବଂ ମହିଳାଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟାକୁ ଉପହାସ କଲା ଭଳି ପ୍ରସ୍ତୁତ ହୋଇଛି । ସିବିଏଫସି ସେନସର୍ ସାର୍ଟିଫିକେଟ୍ ଦେବାକୁ ମନା କରିବାରୁ ଏହି ଚଳଚ୍ଚିତ୍ରର ନିଦେ୍ର୍ଦଶକ ଅଳଙ୍କ୍ରିତା ଶ୍ରୀବାସ୍ତବ ଟ୍ରିବ୍ୟୁନାଲର ଆଶ୍ରୟ ନେଇ ଜିତିଲେ । ଫିଲ୍ମ ରିଲାଜ୍ ହେଲା । ଏହିଭଳି ଅନେକ ଉଦାହରଣ ରହିଛି ପହଲାଜ ନିହାଲିନୀଙ୍କ ମନ୍ମାନୀର ।
ଜାନୁୟାରୀ ୨୦୧୫ରେ ପହଲାଜ ନିହାଲିନୀ ସିବିଏଫସିର ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ । ୨୦୧୮ ଜାନୁୟାରୀ ପର୍ଯ୍ୟନ୍ତ ତିନି ବର୍ଷିଆ କାର୍ଯ୍ୟକାଳର ପରିସମାପ୍ତି ପୂର୍ବରୁ ତାଙ୍କୁ ଏହି ମନ୍ମାନି ପାଇଁ ବିଦାୟ ନେବାକୁ ପଡ଼ିଛି । ସେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା, ନିଦେ୍ର୍ଦଶକଙ୍କ ପାଇଁ ଏତେଦୂର ଆତଙ୍କର କାରଣ ହୋଇଥିଲେ ଯେ, ତାଙ୍କ ବିଦାୟ କରାଯିବା ସକାଶେ ବିଭିନ୍ନ ମହଲରୁ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଉପରେ ଚାପ ବଢି ଚାଲି ଥିଲା । ସରକାର ବି ଅଶ୍ୱସ୍ତି ଅନୁଭବ କରି ୨୦୧୬ରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଶ୍ୟାମ୍ ବେନେଗଲ୍ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ ଫିଲ୍ମ ସେନ୍ସସର୍ ସାର୍ଟିଫିକେସନ୍ ନିୟମାବଳୀର ସୁଧାର ଆଣିବା ପାଇଁ । ପହଲାଜ ନିହାଲିନୀ ନିଜେ ସେନ୍ସର ସାଟିଫିକେଟ୍ ପାଇଁ ଆବେଦନ କରା ଯାଇଥିବା ଚଳଚ୍ଚିତ୍ରଟି ନ ଦେଖି ବୋର୍ଡର ସଦସ୍ୟମାନଙ୍କ ସୁପାରିଶ ଅନ୍ଧ ଭାବରେ କାର୍ଯକାରୀ କରି ଚାଲି ଥିଲେ ବୋଲି ଅଭିଯୋଗ ଉଠି ଥିଲା । ତେବେ, ସେ ସିବିଏଫସିର ଅଧ୍ୟକ୍ଷ, ସବୁ ଫିଲ୍ମ ଦେଖିବାର ଆବଶ୍ୟକତା ଅନୁଭବ କରୁ ନାହାନ୍ତି । ବୋର୍ଡ ସଦସ୍ୟଙ୍କ ସୁପାରିଶକୁ ହିଁ କାର୍ଯ୍ୟକାରୀ କରୁଛନ୍ତି ବୋଲି ନିହାଲିନୀ ନିଜ ପକ୍ଷ ରଖି ଥିଲେ । ଚଳଚ୍ଚିତ୍ର ନିର୍ମାତା, ନିଦେ୍ର୍ଦଶକମାନେ ଅତିଷ୍ଟ ହୋଇ ସରକାରଙ୍କ ଉପରେ ଚାପ ବଢାଇବାରୁ ନିହାଲିନୀଙ୍କୁ ବିଦାୟ କରାଯିବା ନିଷ୍ପତ୍ତି ହୋଇଥିଲା । ପ୍ରକାଶ ଝା, ମଧୁର ଭଣ୍ଡାରକର ବା ଚନ୍ଦ୍ର ପ୍ରକାଶ ଦ୍ୱିବେଦୀଙ୍କ ମଧ୍ୟରୁ କେହି ଜାଣେ ସିବିଏଫସି ମୁଖ୍ୟ ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲି ଥିଲା ବେଳେ ସମସ୍ତଙ୍କୁ ଚମକ୍ରୃତ କରି ସରକାର ଅଗଷ୍ଟ ୧୧ ତାରିଖ ଦିନ ନିହାଲିନୀଙ୍କୁ ହଟାଇ ତାଙ୍କସ୍ଥାନରେ ପ୍ରଖ୍ୟାତ ଚଳଚ୍ଚିତ୍ର ଗୀତୀକାର ପ୍ରସୁନ୍ନ ଯୋଶୀଙ୍କୁ ସିବିଏଫସି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ।
ଯୋଶୀ ୨୦୧୫ରେ ‘ପଦ୍ମଶ୍ରୀ’ରେ ସମ୍ମାନୀତ ହୋଇଥିବା ବେଳେ ଶ୍ରେଷ୍ଠ ଗୀତିକାର ଭାବରେ ଦୁଇ ଥର ଜାତୀୟ ପୁରସ୍କାର ପାଇଛନ୍ତି । ବିଜ୍ଞାପନ ବ୍ୟବସାୟରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ମଧ୍ୟ ଜଣେ ଚଳଚ୍ଚିତ୍ର ଗୀତୀକାର ଭାବେ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛ ଭାରତ ଅଭିଯାନର ଲିରିକ ତାଙ୍କ ଦ୍ୱାରା ଲେଖାଳ ଯାଇଛି । “ତାରେ ଜମିନ୍ ପର”, “ରଂଗ୍ ଦେ ବସନ୍ତୀ”, “ନୀରଜା” ପ୍ରଭୃତି ଚଳଚ୍ଚତ୍ରରେ ତାଙ୍କ ଦ୍ୱାରା ଲିଖିତ ଲିରିକ୍ ଓ ସଂଳାପ ବେଶ୍ ଆଦୃତ ହୋଇପାରିଛି । ଯୋଶୀଙ୍କ ନିଯୁକ୍ତିରେ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ବେଶ୍ ଆଶାର ସଂଚାର ହୋଇଛି ।
୨୦୧୫ଜାନୁୟାରୀରେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନେଇଥିବା ଦୁଇଟି ନିଯୁକ୍ତି ନିଷ୍ପତ୍ତି ବିବଦମାନ ଥିଲା । ପ୍ରଥମଟି ହେଉଛି – ସିବିଏଫସି ଅଧ୍ୟକ୍ଷ ଭାବେ ନିହାଲିନୀଙ୍କ ନିଯୁକ୍ତି । ଦ୍ୱିତୀୟଟି ଥିଲା, ଫିଲ୍ମ ଏଣ୍ଡ୍ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏଫଟିଆଇଆଇ)ର ଅଧ୍ୟକ୍ଷ ଭାବେ ଗଜେନ୍ଦ୍ର ଚୌହାନଙ୍କ ନିଯୁକ୍ତି । ଗଜେନ୍ଦ୍ର ଚୌହାନଙ୍କ ନିଯୁକ୍ତି ବିରୋଧରେ ଏଫଟିଆଇଆଇରେ ୧୩୯ ଦିନ ଧରି ଧର୍ମଘଟ ଚାଲି ଥିବାର ଅପବାଦ ରହିଛି । ନିହାଲିନୀଙ୍କୁ ବିରୋଧ ସ୍ୱର ଫିଲ୍ମ ଶିଳ୍ପ ଭିତରେ ସୀମୀତ ଥିଲା ସିନା ତାଙ୍କର ଅତ୍ୟଧିକ ମନ୍ମାନୀ ଓ ଶୋଷଣ କାର୍ଯ୍ୟକାଳ ପୁରିବା ଆଗରୁ ଘରମୁହାଁ ହେବାକୁ ବାଟ ଦେଖାଇ ଦେଇଥିଲା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS