ନାବାଳିକା ପତ୍ନୀର ସହମତି ବିନା ସଂଭୋଗ ଆଇନସମ୍ମତ !


ନୂଆଦିଲ୍ଲୀ, ସେପ୍ଟେମ୍ବର ୩ ତାରିଖ: ନାବାଳିକା ପତ୍ନୀ ସହ ବିବାହ-ପରବର୍ତୀ ସଂଭୋଗକୁ ‘ବଳତ୍କାର’ କୁହାଯିବା ନେଇ ଭାରତୀୟ ଦଣ୍ଡବିଧି ଆଇନରେ ବ୍ୟବସ୍ଥା ନ ଥିବା ବେଳେ ‘ପୋକ୍ସୋ’ ଆଇନରେ ୧୮ ବର୍ଷରୁ କମ୍ ବୟସର ବାଳିକାକୁ ‘ନାବାଳିକା’ର ସଂଜ୍ଞା ଦିଆଯାଇ ଶିଶୁମାନଙ୍କ ମୌଳିକ ଅଧିକାର ସୁରକ୍ଷା ଆଇନ ଲାଗୁ କରାଯିବା ବ୍ୟବସ୍ଥା ଥିବାରୁ ଏକ ବିବଦମାନ ପରିସ୍ଥିତି ସୃଷ୍ଟି ହୋଇଛି । ‘ପୋକ୍ସା’ ଆଇନ ଓ ଭାରତୀୟ ଦଣ୍ଡବିଧି ଆଇନ ମଧ୍ୟରେ ସମନ୍ୱୟ ନାହିଁ । ଦେଶର ସଂବିଧାନରେ ୧୮ ବର୍ଷରୁ କମ୍ ବୟସର ବାଳିକା ଏବଂ ୨୧ ବର୍ଷରୁ କମ୍ ବୟସର ବାଳକଙ୍କୁ ‘ନାବାଳକ’ ସଂଜ୍ଞା ଦିଆଯାଇ ସେମାନଙ୍କର ନିଜସ୍ୱ ନିଷ୍ପତ୍ତି ନେବାର ଅଧିକାର ନାର୍ହିଁ ବୋଲି କୁହାଯାଇଛି । ତେବେ, ବିବାହ କ୍ଷେତ୍ରରେ ୧୫ ବର୍ଷରୁ ଉଦ୍ଧ୍ୱର୍ ବୟସର ନାବାଳିକାଙ୍କ ପତି ସହମତି ଥାଉ ବା ନଥାଉ ସଂଭୋଗ କରିବା ‘ବଳତ୍କାର’ କୁହାଯାଇପାରିବ ନାହିଁଁ ବୋଲି ଥିବା ଆଇପିସିରେ ଥିବା ବ୍ୟବସ୍ଥା ‘ପୋକ୍ସୋ’ ଆଇନର ଖିଲାପ କରୁଥିବା ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟରେ ଅଭିଯୋଗ ହୋଇଛି ।
୧୫ରୁ ୧୮ ବର୍ଷ ବୟସ ସୀମାର ନାବାଳିକା ସହ ବିବାହ ପରବର୍ତୀ ସଂଭୋଗକୁ ‘ବଳତ୍କାର’ ଭାବେ ଗ୍ରହଣ କରାଯାଇ ଶିଶୁମାନଙ୍କ ମୌଳିକ ଅଧିକାର ସୁରକ୍ଷା ‘ପୋକ୍ସୋ’ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ‘ଇଂଡ଼ିପେଣ୍ଡେଂଟ୍ ଥଟ୍’ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିକଟରେ ଆବେଦନ କରିଛି । ସମ୍ବିଧାନରେ ୧୮ ବର୍ଷରୁ କମ୍ ବୟସର ବାଳିକାଙ୍କୁ ‘ନାବାଳିକା’ କୁହାଯାଉଥିବା ବେଳେ ଆଇପିସିରେ ୧୫ ବର୍ଷରୁ ଅଧିକ ବୟସର ବିବାହିତ ନାବାଳିକାଙ୍କ ସହ ସେମାନଙ୍କ ପତି ସଂଭୋଗ କରିବା ଧର୍ତବ୍ୟ ଅପରାଧ ନୁହେଁ କୁହାଯିବା ଏବଂ ସଂପୃକ୍ତ ପତି ବିରୋଧରେ ଆଇନଗତ କାର୍ଯାନୁଷ୍ଠାନ ନ ହେବା ନାବାଳିକାଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଛି ବୋଲି ଅଭିଯୋଗ କରାଯାଇ ‘ପୋକ୍ସୋ’ ଆଇନ ଓ ଆଇପିସି ମଧ୍ୟରେ ଥିବା ଏହି ଅସାମଂଜସ୍ୟ ଦୂର କରାଯିବାକୁ ସଂପୃକ୍ତ ଏନଜିଓ ଅପିଲ୍ କରିଛି । ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ ଏହାର ଶୁଣାଣୀ କରି ୧୫ ବର୍ଷରୁ ଅଧିକ ବୟସର ନାବାଳିକାଙ୍କ ବିନା ସହମତିରେ ବିବାହ-ପରବର୍ତୀ ସଂଭୋଗ ‘ପୋକ୍ସୋ’ ଆଇନକୁ ଆକର୍ଷିତ କରୁଛି ବୋଲି ମତ ବ୍ୟକ୍ତ କରିଛନ୍ତି । ତେବେ, ବାସ୍ତବ କ୍ଷେତ୍ରରେ ଆଇପିସିରେ ଥିବା କୋହଳ ବ୍ୟବସ୍ଥା ପ୍ରତି ସାମ୍ବିଧାନିକ ସୁରକ୍ଷା ମିଳୁ ଥିବାରୁ ଏଭଳି କ୍ଷେତ୍ରରେ ‘ପୋକ୍ସୋ’ ଆଇନ କେତେଦୂର କାର୍ଯ୍ୟକାରୀ କରାଯାଇ ପାରିବ ବୋଲି ପ୍ରଶ୍ନ ଉଠୁଛି ।
ଅନୁଧ୍ୟାନରୁ ଜଣାପଡିଛି, ‘ପୋକ୍ସୋ’ ଆଇନରେ ୧୮ ବର୍ଷରୁ କମ୍ ବୟସ୍କ ବାଳିକାଙ୍କୁ ‘ନାବାଳିକା’ର ସଂଜ୍ଞା ଦିଆଯାଇଥିବା ବେଳେ ୧୫ରୁ ୧୮ ବର୍ଷ ବୟସ ସୀମାର ନାବାଳିକାଙ୍କ ବାବାହ ଏବଂ ବିବାହ ପରବର୍ତୀ ସଂଭୋଗକୁ ଭାରତୀୟ ଦଣ୍ଡବିଧି ଆଇନରେ ଧର୍ତବ୍ୟ ଅପରାଧ ଭାବେ ଗ୍ରହଣ କରାଯାଉ ନାହିଁ । ଫଳରେ, ଏହି ବୟସ ସୀମାର ନାବାଳିକାମାନେ ବିବାହ ପରବର୍ତୀ ସଂଭୋଗ ଯୋଗୁ ଶାରୀରିକ ଓ ମାନସିକ ଶେଷଣର ଶିକାର ହେଉଛନ୍ତି । ତେଣୁ ଏହାକୁ ‘ବଳତ୍କାର’ କୁହାଯାଇ ‘ପୋକ୍ସୋ’ ଆଇନ ଅନୁଯାୟୀ ସଂପୃକ୍ତ ନାବାଳିକାଙ୍କ ପତି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ‘ଇଂଡ଼ିପେଣ୍ଡେଂଟ୍ ଥଟ୍’ ପକ୍ଷରୁ ସୁପ୍ରିମ କୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇଛି । ସୁପ୍ରିମକୋର୍ଟର ମାନ୍ୟବର ବିଚାରପତି ଜଷ୍ଟିସ ମଦନ ବି ଲୋକୁର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣୀ କରିଥିଲେ । ଜଣେ ବ୍ୟକ୍ତି ନିଜ ନାବାଳିକା ପତ୍ନୀ, ଯାହାର ବୟସ ୧୫ ବର୍ଷରୁ ଅଧିକ ହୋଇଥିବ, ତା’ ସହିତ ସଂଭୋଗ କରିବା ‘ବଳତ୍କାର’ ନୁହେଁ ବୋଲି ଆଇପିସିରେ ଥିବା ବ୍ୟବସ୍ଥାର ଯଥାର୍ଥକୁ ଅନୁଧ୍ୟାନ କରି ଖଣ୍ଡପୀଠ କହିଛନ୍ତି ଯେ, ୧୫ରୁ ୧୮ ବର୍ଷ ବୟସର ନାବାଳିକା ପତ୍ନୀର ସହମତି ଥାଉ ବା ନଥାଇ ଯୌନ ସଂଭୋଗକୁ ଆଇପିସିରେ ଧର୍ତ୍ତବ୍ୟ ଅପରାଧର ଆଇନଗତ ମାନ୍ୟତା ଦିଆଯାଇ ନାହିଁ । ‘ପୋକ୍ସୋ’ ଆଇନ ଅନୁସାରେ ଏହାକୁ ‘ବଳତ୍କାରା’ କୁହାଗଲେ ବି ଆଇନ ପ୍ରଣେତାମାନେ ବିବାହକୁ ଏକ ସାମାଜିକ ଅନୁଷ୍ଠାନ କହି ୧୫ ବର୍ଷରୁ ଉଦ୍ଧ୍ୱର୍ ବୟସର ନାବାଳିକାଙ୍କ ବିବାହକୁ ସହମତି ଦେଇ ଥିବାରୁ ଏବଂ ନାବାଳିକାର ସହମତ ଥାଉ ବା ନ ଥାଉ ବିବାହ-ପରବର୍ତୀ ସଂଭୋଗକୁ ସାମାଜିକ ମାନ୍ୟତା ମିଳୁ ଥିବାରୁ ଏହାକୁ ‘ବଳତ୍କାର’ ଭାବେ ଗ୍ରହଣ କରାଯାଉ ନାହିଁ ।
ନାବାଳିକା ବିବାହ ବିରୋଧରେ ଦେଶରେ ବ୍ୟାପକ ସଚେତନାତା ସୃଷ୍ଟି କରାଯାଉଥିବା ଯୋଗୁ ୧୫ରୁ ୧୮ ବର୍ଷ ବୟସ ସୀମାର ନାବାଳିକାଙ୍କ ବିବାହ ସଂଖ୍ୟା ବହୁ ମାତ୍ରାରେ କମିଛି । ତଥାପି, ୧୮ ବର୍ଷରୁ କମ୍ ବୟସରେ ବିବାହ କରୁଥିବା ନାବାଳିକାଙ୍କ ସଂଖ୍ୟା କିଛି କମ୍ ନୁହେଁ ବୋଲି ଅନୁଧ୍ୟନ ସମୟରେ ଜଣାପଡିଛି । ୨୦୧୫-୧୬ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ) ରିପୋର୍ଟ ଅନୁଯାୟୀ, ବିହାର, ଗୋଆ, ହରିୟାନା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତାମିଲନାଡୁ, ଉତ୍ତରାଖଂଣ୍ଡ, ପଶ୍ଚିମ ବଂଗ ପ୍ରଭୃତି ରାଜ୍ୟରେ ୨୦୦୫-୦୬ ତୁଳନାରେ ୨୦୧୫-୧୬ ବେଳକୁ ୧୮ ବର୍ଷରୁ କମ୍ ବୟସରେ ବିବାହ ସଂଖ୍ୟା ଯଥେଷ୍ଟ କମିଛି । ନାବାଳିକାଙ୍କ ସହ ବିବାହ ପରବର୍ତୀ ସଂଭୋଗକୁ ‘ବଳତ୍କାର’ କୁଆଯାଇ ଏହାକୁ ଧର୍ତବ୍ୟ ଅପରାଦ ମାନ୍ୟତା ଦିଆଯିବାକୁ ‘ଇଣ୍ଡିପେଣ୍ଡେଂଟ୍ ଥଟ୍’ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ହୋଇଥିଲା । ବିବାହ ପରବର୍ତୀ ସହମତି ଭିତ୍ତିକ ସଂଭୋଗ ବୟସ ସୀମା ବର୍ତମାନ ୧୫ ବର୍ଷରୁ ଅଧିକ ଥିବା ବେଳେ ତାହା ୧୮ ବର୍ଷରୁ ଅଧିକ କରାଯିବାକୁ ଏନଜିଓ ଆବେଦନ କରିଥିଲା । ଆଇପିସିର ଦଫା ୩୭୫ (ରେପ୍)ରେ ଯେଉଁ ସଂଶୋଧନ ହୋଇଛି ତାହାର ସାଂବିଧାନିକ ବୈଧତାକୁ ମଧ୍ୟ କୋର୍ଟରେ ଚ୍ୟାଲେଂଜ କରାଯାଇଥିଲା । ଆବେଦନକାରୀଙ୍କ ଓକିଲ ଗୌରବ ଅଗ୍ରୱାଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରି ଶିଶୁମାନଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ପ୍ରଣିତ ‘ପୋକ୍ସୋ’ ଆଇନର ସ୍ୱାତନ୍ତ୍ରତା ସଂପର୍କରେ ଦୃଷ୍ଟି ଆକର୍ଷଣ କରାଇ ଆଇପିସିର କୌଣସି ଦଫା ଏହା ବିରୋଧରେ ଯାଇ ପାରିବ ନାହିଁ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ । ‘ପୋକ୍ସୋ’ ଆଇନର ୪୨ ‘କ’ ଧାରା ଉଲ୍ଲେଖ କରି ଆଇପିସିରେ ଥିବା ଅସମାଂଜସ୍ୟ ଏହାକୁ ପ୍ରଭାବିତ କରିପାରିବ ନାହିଁ ବୋଲି କହିଥିଲେ ।
ଆଇପିସିର ଧାରା ୩୭୫ ଏବଂ ସମ୍ବିଧାନର ଆର୍ଟିକିଲ୍ ୧୨ ମଧ୍ୟରେ ସମନ୍ୱୟ ନ ଥିବା ଏହି ଅନୁଧ୍ୟାନ ବେଳେ ଜଣାପଡିଛି । ୧୮ ବର୍ଷରୁ କମ୍ ବୟସର ବାଳିକାଙ୍କୁ ଦୁଇଟି ଶ୍ରେଣୀରେ ବିଭାଜିତ କରାଯାଇ ବିବାହିତ ଓ ଅବିବାହିତ ଶ୍ରେଣୀଭୁକ୍ତ କରାଯାଇଛି । ଜଣେ ପତି ତା’ର ନାବାଳିକା ପତ୍ନୀ (୧୫ରୁ ୧୮ ବର୍ଷ ବୟସ ସୀମାର)ର ସହମତି ଥାଉ ବା ନ ଥାଉ ସଂଭୋଗ କରିବା ଅପରାଧ ନୁହେଁ ବୋଲି ଆଇପିସିରେ କୁହାଯାଇଛି । ସବୁ କ୍ଷେତ୍ରରେ ନାବାଳକ, ନାବାଳିକାଙ୍କ ସହମତିର ବୟସ ସୀମା ୧୮ ବର୍ଷରୁ ଉଦ୍ଧ୍ୱର୍ ଧାର୍ଯ୍ୟ ହୋଇଥିବା ବେଳେ ବିବାହ ଓ ଦୈହିକ ସଂପର୍କ କ୍ଷେତ୍ରରେ ନାବାଳିକାଙ୍କ ପାଇଁ ତାହା ୧୫ ବର୍ଷରୁ ଅଧିକ ଧାର୍ଯ୍ୟ କରାଯିବା ଆଇନରେ ରହିଥିବା ବ୍ୟତିକ୍ରମକୁ ସ୍ପଷ୍ଟ କରୁଛି । ଏହି ବ୍ୟତିକ୍ରମ ହଟିବା ନିତାନ୍ତ ଅବଶ୍ୟକ ବୋଲି ‘ଇଣ୍ଡିପେଣ୍ଡେଂଟ୍ ଥଟ୍’ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି । ତେବେ, କେନ୍ଦ୍ର ସରକାର ଆଇନର ଯଥାର୍ଥ ପ୍ରତିପାଦିତ କରିବାକୁ ଯାଇ କୋର୍ଟକୁ ଜଣାଇଛନ୍ତି ଯେ, ବିବାହ ଏକ ପବିତ୍ର ସାମାଜିକ ବ୍ୟବସ୍ଥା ହୋଇ ଥିବାରୁ ଏବଂ ଦେଶରେ ନାବାଳକଙ୍କ ବିବାହକୁ ଆଇନ ସ୍ୱୀକୃତି ଦେଇ ନଥିଲେ ବି ବାସ୍ତବ କ୍ଷେତ୍ରରେ ବହୁ ସଂଖ୍ୟାରେ ୧୫ରୁ ୧୮ ବର୍ଷର ବାଳିକାଙ୍କ ବିବାହ ହେଉ ଥିବାରୁ ବ୍ୟବସ୍ଥାକୁ ଆଇପିସିରେ ସୁରକ୍ଷା ଦେବାକୁ ପଡୁଛି । ତେବେ, ଆଡଭୋକେଟ୍୍ ଅଗ୍ରୱାଲ ସରକାରଙ୍କ ଏହି ଯୁକ୍ତିକୁ ଖଣ୍ଡନ କରି କହିଥିଲେ, ୧୮ ବର୍ଷରୁ କମ୍ ବୟସର ବାଳିକା ଶାରୀରିକ ଓ ମାନସିକ ଦୃଷ୍ଟିରୁ ମ୍ୟାଚୁର ନୁହନ୍ତି । ପରିଣାମ ସଂପର୍କରେ ସେମାନେ ସଂପୂର୍ଣ୍ଣ ଅଜ୍ଞ । ଦେଶରେ ୧୮ ବର୍ଷରୁ କମ୍ ବୟସରେ କିଛି ମାତ୍ରାରେ ବିବାହ ସଂପନ୍ନ ହେଉଥିବାରୁ ତାହାକୁ ଦୃଷ୍ୟାନ୍ତ ଭାବରେ ଗ୍ରହଣ କରି ନାବାଳିକାଙ୍କ ସମ୍ମତି ଦେବାର ବୟସ ୧୮ରୁ ୧୫କୁ ଖସାଇ ଦିଆଯିବା ଯଥାର୍ଥ ନୁହେଁ ।
ଦେଶରେ ବାଳ ବିବାହକୁ ନିଷିଦ୍ଧ କରାଯାଇଥିଲେ ବି ଏଯାବତ୍ ସଂପୂର୍ଣ୍ଣତଃ ବିଲୋପ କରାଯାଇପାରି ନାହିଁଁ । ଦେଶରେ ୨.୩ କୋଟି ନାବାଳିକା ବିବାହିତ । ଗତ ତିନି ବର୍ଷ ମଧ୍ୟରେ ୮୯୯ଟି ବାଳ ବିବାହ ମାମଲା ରେଜିଷ୍ଟ୍ରି ହୋଇଛି । ୧୩୬ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୧୮ରୁ ୨୯ବର୍ଷ ବୟସର ଶତକଡା ୪୨ ଭାଗ ମହିଳା ୧୮ ବର୍ଷରୁ କମ୍ ବୟସରେ ବିବାହ କରିଥିବା ଏନଏଫଏଚଏସ୍ ରିପୋର୍ଟରୁ ଜଣାପଡ଼ିଛି । ତେଣୁ, ୧୮ ବର୍ଷରୁ କମ୍ ବୟସରେ ବିବାହକୁ ସ୍ୱୀକୃତି ଦେବାରେ ସରକାର ଓ ଆଇନ ପ୍ରଣେତାଙ୍କ ବାଧ୍ୟବାଧକତା ଏଥିରୁ ସ୍ପଷ୍ଟ ହେଉଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS