ଦୁଷ୍କର୍ମ ମାମଲାରେ ନାବାଳିକା ଓ ମାନସିକ ଭିନ୍ନକ୍ଷମ ମହିଳା କୋର୍ଟରେ ହାଜର ହୋଇ ବୟାନ ରଖିବା ଜରୁରୀ ନୁହେଁ – ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ, ୩୦ ଅକ୍ଟୋବର: ନିକଟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମ କୋର୍ଟ) ଦେଇ ଥିବା ଏକ ଐତିହାସିକ ରାୟ ଚର୍ଚ୍ଚାର ପରିସରକୁ ଆସିଛି । ସୁପ୍ରିମ କୋର୍ଟଙ୍କ ଏକ ଦୁଇ ଜଣିଆ ଖଣ୍ଡପୀଠ ମୁମ୍ବାଇ ହାଇକୋର୍ଟଙ୍କ ଏକ ରାୟ ଉପରେ ବିଚାରଣା କରି ନାବାଳିକା ବା ମାନସିକ ଦୃଷ୍ଟିରୁ ଭିନ୍ନକ୍ଷମ ମହିଳା ଦୁଷ୍କର୍ମ ପୀଡ଼ିତା ହୋଇଥିଲେ ମାମଲାର ବିଚାରଣା ବେଳେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡବିଧାନ କରିବା ସକାଶେ ସଂପୃକ୍ତ ନାବାଳିକା ବା ମାନସିକ ଭିନ୍ନକ୍ଷମ ମହିଳା ନିମ୍ନ ଅଦାଲତରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଥିବା ଜରୁରୀ ନୁହେଁ ବୋଲି କହିଛନ୍ତି । ପାରିପାଶ୍ୱିର୍କ ପରିସ୍ଥିତି ଏବଂ ଅଭିଯୁକ୍ତଙ୍କ ବିରୋଧରେ ଥିବା ପ୍ରମାଣିକ ତଥ୍ୟକୁ ଭିତ୍ତି କରି ଦଣ୍ଡବିଧାନ କରାଯାଇ ପାରିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରି ଦେଇଛନ୍ତି ।
ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ୍ ଏ.କେ. ଗୋଏଲ୍ ଓ ଜଷ୍ଟିସ୍ ୟୁ.ୟୁ. ଲଳିତଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁମ୍ବାଇ ହାଇକୋର୍ଟଙ୍କ ରାୟକୁ ଖାରଜ କରି ଅଭିଯୁକ୍ତକୁ ସାତ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ସୁପ୍ରିମ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ, ପୀଡ଼ିତା ନାବାଳିକା ବା ମାନସିକ ଭିନ୍ନକ୍ଷମ ହୋଇଥିଲେ ନିମ୍ନ ଅଦାଲତରେ ଜେରାର ସମ୍ମୁଖୀନ ହୋଇ ନ ଥିବା ଭଳି ସାମାନ୍ୟ କାରଣ ଦର୍ଶାଇ ହାଇକୋର୍ଟରେ ନିମ୍ନ ଅଦାଲତଙ୍କ ରାୟକୁ ଖାରଜ କରାଯିବା ଏବଂ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଯିବା ଯଥାର୍ଥ ନୁହେଁ । ପାରିପାଶ୍ୱିକ ପ୍ରମାଣ ଭିତ୍ତିରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡିତ କରାଯିବା ଆବଶ୍ୟକ । ସୁପ୍ରିମ କୋର୍ଟଙ୍କ ଏହି ରାୟ ଦୁଷ୍କର୍ମ ପୀଡ଼ିତା କୋର୍ଟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇ ନ ଥିବାରୁ ଦର୍ଶାଇ ଅଭିଯୁକ୍ତଙ୍କୁ ମାମଲାରୁ ଖସାଇବାର ଗଳା ବାଟକୁ ବନ୍ଦ କରି ଦେଇଛି ।
୨୦୦୮ ମସିହାରେ ନାଗପୁର ନିକଟରେ ଜଣେ ମୂକ-ବଧୀର ଓ ମାନସିକ ଭିନ୍ନକ୍ଷମ ବାଳିକାଙ୍କୁ ମିଠା ଖାଇବାକୁ ଡାକି ନେଇ ଜଣେ ଦୁର୍ବୁତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ନିମ୍ନ ଅଦାଲତ ଅଭିଯୁକ୍ତକୁ ପାରିପାଶ୍ୱିର୍କ ପ୍ରମାଣ ଭିତ୍ତିରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡବିଧାନ କରାଯାଇ ଥିଲା । ତେବେ, ଅଭିଯୁକ୍ତ ଜଣକ ତଳ କୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ମୁମ୍ବାଇ ହାଇକୋର୍ଟରେ ଅପିଲ କରିଥିଲେ ଏବଂ ହାଇକୋର୍ଟ ମାମଲାର ବିଚାର କରି ପୀଡ଼ିତା ତଳ କୋର୍ଟରେ ବିଚାରପତିଙ୍କ ସମ୍ମୁଖରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇ ନ ଥିବାରୁ ଦର୍ଶାଇ ଅଭିଯୋଗର ସତ୍ୟତା ଏବଂ ଦୁଷ୍କର୍ମ ସହିତ ଅଭିଯୁକ୍ତଙ୍କ ସଂପୃକ୍ତିକୁ ନେଇ ପ୍ରଶ୍ନ ଉଠାଇ ଥିଲେ । ଦୁଷ୍କର୍ମ ଅଭିଯୋଗର ସତ୍ୟତା ଜଣା ପଡୁ ନଥିବାରୁ ନିମ୍ନ ଅଦାଲତର ଦଣ୍ଡାଦେଶ ଖାରଜ କରି ଦିଆଗଲା ବୋଲି ହାଇକୋର୍ଟ କହିଥିଲେ । ମାମଲା ସୁପ୍ରିମ କୋର୍ଟରେ ପହଂଚିବା ପରେ ସର୍ବୋଚ୍ଚ ନ୍ୟାୟାଳୟର ଏହି ଖଣ୍ଡପୀଠ ମାମଲାର ବିଚାରଣା କରି, ସଂପୃକ୍ତ ନାବାଳିକା ମାନସିକ ଓ ଶାରୀରିକ ଦୃଷ୍ଟିରୁ ଭିନ୍ନକ୍ଷମ ହୋଇଥିବାରୁ ନିମ୍ନ ଅଦାଲତରେ ବିଚାରପତିଙ୍କ ସମ୍ମୁଖରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇପାରି ନ ଥିବା ସେଭଳି କିଛି ଗୁରୁତର ବ୍ୟାପାର ନୁହେଁ ବୋଲି କହିଛନ୍ତି । ନାବାଳିକା ପ୍ରତି ଦୁଷ୍କର୍ମ ହୋଇଥିବାର ଯଥେଷ୍ଟ ପ୍ରାମାଣିକ ଓ ପାରିପାଶ୍ୱିର୍କ ତଥ୍ୟ ରହି ଥିବା ଦର୍ଶାଇ ଖଣ୍ଡପୀଠ ମୁମ୍ବାଇ ହାଇକୋର୍ଟଙ୍କ ରାୟକୁ ଖାରଜ କରିବା ସହ ଅଭିଯୁକ୍ତଙ୍କୁ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଅଭିଯୁକ୍ତ ଜଣକ ମିଠା ଖୁଆଇବା ବାହାନାରେ ପୀଡ଼ିତା ନାବାଳିକାକୁ ସାଥିରେ ନେଇଥିଲେ । ଦୁଷ୍କର୍ମ ହେବା ଦିନ ଅଭିଯୁକ୍ତଙ୍କୁ ପୀଡ଼ିତାଙ୍କ ସହ ଦେଖିବାକୁ ମିଳି ଥିଲା ଏବଂ ଦୁଷ୍କର୍ମର ଶିକାର ହେବା ପରେ ନାବାଳିକା ଜଣକ ଘରକୁ ଫେରି ନିଜ ମା’ଙ୍କୁ ସବୁ କଥା ଜଣାଇଥିଲେ । ତେଣୁ, ପୀଡ଼ିତାଙ୍କ ମା’ଙ୍କ ବୟାନ ଏବଂ ତଦନ୍ତ ବେଳ ମିଳିଥିବା ପାରିପାଶ୍ୱିର୍କ ତଥ୍ୟ, ପ୍ରମାଣ ଅଭିଯୁକ୍ତକୁ ଦଣ୍ଡିତ କରିବା ପାଇଁ ଯଥେଷ୍ଟ ବୋଲି ସୁପ୍ରିମ କୋର୍ଟ କହିଛନ୍ତି । ସୁପ୍ରିମ କୋର୍ଟଙ୍କ ଏହି ରାୟ ସମଗ୍ର ଦେଶର ହାଇକୋର୍ଟ ଓ ନିମ୍ନ ଅଦାଲତ ପାଇଁ ଏକ ଦିଗବାରେଣୀ ହୋଇଛି । ବିଭିନ୍ନ କାରଣରୁ ନାବାଳିକା ଓ ମାନସିକ ଦୃଷ୍ଟିରୁ ଦୁର୍ବଳ ମହିଳାମାନେ ଏଭଳି ସ୍ପର୍ଶକାତର ମାମଲାରେ କୋର୍ଟରେ ହାଜର ହୋଇ ସେମାନଙ୍କ ଦୁର୍ଦ୍ଦଶା ବୟାନ କରିପାରୁ ନ ଥିବାରୁ ଦେଶର ସମସ୍ତ ଟ୍ରାଏଲ୍ କୋର୍ଟ ଓ ହାଇକୋର୍ଟ ପୀଡ଼ିତାଙ୍କୁ ନିିର୍ଭୀକ ଭାବେ ନିଜ କଥା କହିବାର ସୁଯୋଗ ଦେବା ସକାଶେ ସ୍ୱତନ୍ତ୍ର ଶୁଣାଣୀ କେନ୍ଦ୍ରମାନ ଖୋଲିବାକୁ ଏବଂ ଆବଶ୍ୟକ ଭିତ୍ତିଭୂମୀ ଯୋଗାି ଦେବାକୁ ସୁପ୍ରିମ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ପ୍ରାରମ୍ଭରେ ଦେଶର ସମସ୍ତ ହାଇକୋର୍ଟ ନିଜ ନିଜ କାର୍ଯ୍ୟ କ୍ଷେତ୍ରରେ ତିନି ମାସ ମଧ୍ୟରେ ଅନ୍ତତଃ ଦୁଇଟି ଲେଖାଏଁ ସ୍ୱତନ୍ତ୍ର ଶୁୁଣାଣୀ କେନ୍ଦ୍ର ଖୋଲିବାକୁ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ନିଦେ୍ର୍ଦଶ ମିଳିଛି । ଏହାଦ୍ୱାରା, ପୀଡ଼ିତାମାନେ ବିନା ଦ୍ୱିଧାରେ କୋର୍ଟର ଦ୍ୱାରସ୍ଥ ହୋଇପାରିବେ ଏବଂ ଭୟମୁକ୍ତ ଭାବେ ନିଜ କଥା କହିପାରିବେ ବୋଲି ସୁପ୍ରିମ କୋର୍ଟ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS