ଭଞ୍ଜନଗର ନିକଟରେ ପୁଲିସ୍ ସହ ଗୁଳି ବିନିମୟ: ଝାରଖଣ୍ଡୀ ସୁପାରି କିଲର୍ ଓ ତା’ ସହଯୋଗୀ ଗିରଫ
ବ୍ରହ୍ମପୁର, ୯ ଡ଼ିସେମ୍ବର(ମୋଅନୁଭବ ମିଡ଼ିଆ): ଝାଡଖଣ୍ଡର କୁଖ୍ୟାତ ଅପରାଧୀ ବବୁଲ ପାଶ୍ୱ୍ୱାନ୍ ଓ ତା’ ସହଯୋଗୀ ଜିତେନ୍ଦ୍ର ନାୟକ ଶୁକ୍ରବାର ଦିନ ଗଞ୍ଜାମ ପୁଲିସ ହାତରେ ଧରା ପଡ଼ିଛନ୍ତି । ବବୁଲ ପାଶ୍ୱାନ ଜଣେ ସୁପାରି କିଲର୍ । ଜେଲରେ ଥିବା ଜଣେ ଅପରାଧୀକୁ ହତ୍ୟା କରିବା ସକାଶେ ସେ ସୁପାରି ନେଇ ସହଯୋଗୀଙ୍କ ସହ ଗଞ୍ଜାମ ଜିଲ୍ଲାରେ ଡ଼େରା ପକାଇ ଥିବା ଖବର ପାଇ ଭଂଜନଗର ପୁଲିସ ଅଚାନକ ଚଢାଉ କରିଥିଲେ । ପୁଲିସ ସହ ଗୁଳି ବିନିମୟରେ ବବୁଲ୍ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛି । ତା’ର ଦୁଇ ଗୋଡରେ ଗୁଳି ବାଜିଛି । ତେବେ, କାହାକୁ ମାରିବା ସକାଶେ ବବୁଲ୍ ସୁପାରି ନେଇ ଗଞ୍ଜାମ ଜିଲ୍ଲାରେ ଡ଼େରା ପକାଇ ଥିଲା, ତାହା ପୁଲିସ କହୁ ନାହାନ୍ତି । ଦୁଇଟି ଭିନ୍ନ ଭିନ୍ନ ଏନ୍କାଉଂଟରରେ ବବୁଲ୍ ପାଶ୍ୱାନ ଓ ତା’ ସହଯୋଗୀ ଜିତେନ୍ଦ୍ରକୁ ଗିରଫ କରାଯାଇଛି ବୋଲି ଗଞ୍ଜାମ ପୁଲିସ କହିଛନ୍ତି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବବୁଲ୍ ପାଶ୍ୱ୍ୱାନ ବିରୋଧରେ ୪୦ରୁ ଅଧିକ ମାମଲା ରହିଛି । ସେ ପୂର୍ବରୁ ଝାଡଖଣ୍ଡର ପିଏଲ୍ଏଫଆଇ ସଦସ୍ୟ ଥିଲା । ପରେ ନିଜର ଏକ ଗ୍ୟାଙ୍ଗ୍ କରି ଝାଡଖଣ୍ଡରୁ ଓଡ଼ିଶାର ରାଉରକେଲା ପର୍ଯ୍ୟନ୍ତ ଲୁଟପାଟ୍ ଓ ଅନ୍ୟାନ୍ୟ ଅପରାଧ ଚଳାଇ ଥିଲା । ପୁଲିସ ତା’ ନିକଟରୁ ଗୋଟିଏ ପିସ୍ତଲ, ଦୁଇଟି ଜୀବନ୍ତ ବୋମା ଓ ଗୋଟିଏ କାର୍ ଜବତ କରିଛନ୍ତି । ବବୁଲ୍ ଜେଲରେ ଥିବା ଜଣେ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବା ସମୟରେ ହତ୍ୟା କରିବାକୁ ଓଡ଼ିଶାର କୌଣସି ଜଣେ ବ୍ୟକ୍ତିଙ୍କ ଠାରୁ ସୁପାରି ନେଇ ଥିଲା ବୋଲି ଗଞ୍ଜାମ ଏସପି ଆଶିଷ ସିଂହ କହିଛନ୍ତି । ବବୁଲ୍ ଓ ତା’ର ଦୁଇ ଜଣ ସହଯୋଗୀଙ୍କ ସଂପର୍କରେ ପୁଲିସକୁ ଖବର ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ବିଭିନ୍ନ ସ୍ଥାନରେ ବ୍ଲକେଡ୍ ଚାଲି ଥିଲା । ପୁଲିସ ସନେ୍ଦହରେ ଗୋଟିଏ କାର୍କୁ ପିଛା କରିବାରୁ ଭଞ୍ଜନଗର ନିକଟସ୍ଥ ନିଧିପଲ୍ଲୀ ଠାରେ ଏହି ଅପରାଧୀଙ୍କ ସହ ପୁଲିସର ଗୁଳି ବିନିମୟ ହୋଇଥିଲା । ଅପରାଧୀଙ୍କ ଆଡୁ ପୁଲିସ ଉପରେ ଦୁଇ ରାଉଣ୍ଡ ଗୁଳି ଫାୟାର ହେବାରୁ ପୁଲିସ ପାଲଟା ଗୁଳି ଚଳାଇ ଥିଲେ । ପୁଲିସ ଗୁଳିରେ ବବୁଲ୍ ଗୁରୁତର ଆହତ ହୋଇ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ହସପିଟାଲରେ ଚିକିତ୍ସିତ ହେଉଛି । ତା’ ଅବସ୍ଥା ଗୁରୁତର ଥିବା ବରିଷ୍ଠ ପୁଲିସ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ପୁଲିସ ଏନକାଉଂଟର ସମୟରେ ବବୁଲ୍ର ସହଯୋଗୀ ଜିତେନ୍ଦ୍ର ଖସି ପଳାଇ ଥିଲା । ତାରସିଂ ଅଂଚଳରେ ଆଉ ଏକ ଏନକାଉଂଟରରେ ସେ ପୁଲିସ ହାବୁଡରେ ପଡିଛି । ଗୋଟିଏ ପିସ୍ତଲ, ଜୀବନ୍ତ ଗୁଳି ଓ ଗୋଟିଏ ମଟର ସାଇକଲ ତା’ଠାରୁ ଜବତ କରାଯାଇଛି । ଗଞ୍ଜାମ ପୁଲିସର ଏହା ଏକ ବଡ ସଫଳତା ବୋଲି ପୁଲିସ ପ୍ରଶାସନ କହିଛି । ଘଟଣାର ତଦନ୍ତ ଚାଲୁ ରହିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS