ବ୍ରାହ୍ମଣଙ୍କୁ ଆକ୍ଷେପ ମହଙ୍ଗା ପଡିଲା, ଦାମ ରାଉତ ମନ୍ତ୍ରୀ ପଦରୁ ବହିଷ୍କୃତ
ଭୁବନେଶ୍ୱର,୨୩ ଡ଼ିସେମ୍ବର: ରାଜ୍ୟ କୃଷି ମନ୍ତ୍ରୀ ଡ଼କ୍ଟର ଦାମୋଦର ରାଉତଙ୍କୁ ଶୁକ୍ରବାର ଦିନ ମନ୍ତ୍ରୀ ପରିଷଦରୁ ହଟାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡ଼କ୍ଟର ରାଉତ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇ ଏକ ବନ୍ଧୁ ମିଳନ ଉତ୍ସବରେ ଯୋଗ ଦେଇଥିବା ଅବସରରେ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଇ ଥିବା ଖବର ପାଇ ଥିଲେ । ଏଥିରେ ସେ ବିଚଳିତ ନ ହୋଇ ‘ଯାହା ହେବା କଥା ହେବ, ସେ ୨୬ ତାରିଖ ପୁରୀରେ ହେବାକୁ ଥିବା ଦଳର ପ୍ରତିଷ୍ଠା ଉତ୍ସବରେ ନିଶ୍ଚିତ ଯୋଗ ଦେବେ’ ବୋଲି ସେଠାରେ ଉପସ୍ଥିତ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଦାମ ବାବୁ କହିଥିଲେ । ନିକଟରେ, ମାଲକାନଗିରି ଠାରେ ମାଲ୍ୟବନ୍ତ ଉତ୍ସବରେ ଯୋଗ ଦେବା ଅବସରରେ ମନ୍ତ୍ରୀ ଡ଼କ୍ଟର ରାଉତ ବାହ୍ମଣମାନଙ୍କୁ ‘ଭିକାରୀ’ ବୋଲି ଆକ୍ଷେପ କରି ରୋଷର ଶିକାର ହୋଇଥିଲେ । ଏହି ମନ୍ତବ୍ୟ ପାଇଁ ପରେ ସେ କ୍ଷମା ମାଗିଛନ୍ତି । ତେବେ, ଆସନ୍ତା ୨୬ ତାରିଖ ପୁରୀରେ ବିଜେଡ଼ିର ପ୍ରତିଷ୍ଠା ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ମନ୍ତ୍ରୀ ଡ଼କ୍ଟର ରାଉତଙ୍କ ମନ୍ତବ୍ୟକୁ ନେଇ ସେଠାରେ ବ୍ରାହ୍ମଣ ସମାଜ ପକ୍ଷରୁ ଯୋରସୋର ବିକ୍ଷୋଭ ପ୍ରଦର୍ଶନ ଚାଲି ଥିବାରୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଦାମଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ବାଧ୍ୟ ହେଲେ ବୋଲି ଚର୍ଚ୍ଚା ହେଉଛି । ମନ୍ତ୍ରୀ ଡ଼କ୍ଟର ରାଉତ କହିଛନ୍ତି ଯେ, ତାଙ୍କୁ ଗୋଟିଏ ଘଂଟା ମଧ୍ୟରେ ଇସ୍ତଫା ଦେବାକୁ କୁହାଯାଇଥିଲା । ସେ ନିର୍ବାଚନ ମଣ୍ଡଳୀରେ ଥିବାରୁ ଫେରିବା ପରେ ଆଲୋଚନା କରିବେ ବୋଲି ଜଣାଇଥିଲେ । କିନ୍ତୁ, ସେ ଫେରିବା ଯାଏ ଅପେକ୍ଷା ନ କରି ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀ ପରିଷଦରୁ ବହିଷ୍କାର କରାଗଲା ବୋଲି ଘୋଷଣା କରିଛନ୍ତି । ଅପରପକ୍ଷରେ, ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ରାଜ୍ୟ କୃଷି, ମତ୍ସ୍ୟ, ପଶୁସଂପଦ ବିକାଶ ଓ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ଼କ୍ଟର ରାଉତଙ୍କୁ ମନ୍ତ୍ରୀ ପରିଷଦରୁ ବହିଷ୍କାର କରାଗଲା ବୋଲି ଘୋଷଣା କରି କହିଛନ୍ତି ଯେ, କୌଣସି ଜାତି, ଧର୍ମ ଓ ସଂପ୍ରଦାୟ ବିରୋଧରେ ଆକ୍ଷେପମୂଳକ ମନ୍ତବ୍ୟକୁ ସେ କଦାପି ବରଦାସ୍ତ କରିବେ ନାହିଁ । ମନ୍ତ୍ରୀ ଡ଼କ୍ଟର ରାଉତ ଏଭଳି ମନ୍ତବ୍ୟ ଦେଇ ଥିବାରୁ ତାଙ୍କୁ ମନ୍ତ୍ରୀ ପରିଷଦରୁ ବହିଷ୍କାର କରାଯାଇଛି ଏବଂ ଏସଂପର୍କରେ ଏକ ଚିଠି ସନ୍ଧ୍ୟାରେ ରାଜ୍ୟପାଳଙ୍କ ନିକଟକୁ ପଠାଇ ଦିଆଯାଇଛି । ଡ଼କ୍ଟର ରାଉତ ନିକଟରେ ଯାଜପୁରଠାରେ ଏକ ସଭାରେ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରତି ଆକ୍ଷେପମୂଳକ ମନ୍ତବ୍ୟ ଦେଇ ଦୃଢ ବିରୋଧର ସମ୍ମୁଖୀନ ହୋଇଥିଲେ । ମୁଖ୍ୟମନ୍ତ୍ରୀ ତାହାକୁ ନାପସନ୍ଦ କରିବାରୁ ସେ ଅଙ୍ଗନବାଡ଼ି କର୍ମୀଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ୨୦୧୦ରେ ମନ୍ତ୍ରୀ ରାଉତ ଦଳିତମାନଙ୍କ ପ୍ରତି ମଧ୍ୟ ଆକ୍ଷେପମୂଲକ ମନ୍ତବ୍ୟ ଦେଇ ବିରୋଧର ସମ୍ମୁଖୀନ ହୋଇଥିଲେ । ବିଜେଡ଼ି ଦଳିତ ସଂଗଠନର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡ଼ି ନେତା ବିଷ୍ଣୁ ଦାସ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରି ବହୁ ଆଗରୁ ଦାମଙ୍କ ୁ ବହିଷ୍କାର କରାଯିବା ଉଚିତ ଥିଲା ବୋଲି କହିଛନ୍ତି । ଦାମଙ୍କୁ ବହିଷ୍କାର କରାଯିବା ପରେ କୃଷି, ମତ୍ସ୍ୟ ଓ ପଶୁ ସଂପଦ ବିକାଶ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଦିଆଯାଇଥିବା ବେଳେ ସାଧାରଣ ଉଦ୍ୟୋଗ ବିଭାଗ ରାଜ୍ୟ ଅର୍ଥ ମନ୍ତ୍ରୀ ଶଶି ଭୂଷଣ ବେହେରାଙ୍କ ହାତରେ ନ୍ୟସ୍ତ କରାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS