କଲଚରାଲ ଏକାଡେମୀ ତରଫରୁ ବ୍ୟାସକବି ଜୟନ୍ତୀ ପାଳିତ
ରାଉରକେଲା, ୨୨ ଜାନୁୟାରୀ: ନିକଟରେ ସ୍ଥାନୀୟ କଲଚରାଲ ଏକାଡେମୀ ତରଫରୁ ଅନୁଷ୍ଠାନର ସଭା ଗୃହରେ ବ୍ୟାସକବି ଫକୀରମୋହନ ଜୟନ୍ତୀ ଓ କଥା ସାହିତ୍ୟ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଗାଳ୍ପିକ ରବି ପଟ୍ଟନାୟକ ଓ କଲଚରାଲ ଏକାଡେମୀର ପୂର୍ବତନ ସଦସ୍ୟ ଦେବେନ୍ଦ୍ର ମହାନ୍ତିଙ୍କ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ. ପ୍ରଭାତ ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସଂପାଦକ ଅକ୍ଷୟ ସାମଲ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ବିଶିଷ୍ଟ ସାହିତ୍ୟକ ଡ. ଜ୍ୟୋତି ନନ୍ଦ ମୁଖ୍ୟ ଅତିଥି ଓ ଡ.ଅଜୟ ଦାଶ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଓଡିଆ କଥା ସାହିତ୍ୟର ଅବକ୍ଷୟଷ୍ଣୁ ଧାରା ସଂପର୍କରେ ଆଲୋକପାତ କରିଥିଲେ । କ୍ରମଶଃ ଓଡିଆ ଗାଳ୍ପିକମାନେ ବାସ୍ତବତା ଠାରୁ ଦୁରେଇ ଯିବା ସହ ଅବାସ୍ତବ ଓ ଅମୂଳକ କାହାଣୀ ଲେଖିବା ସହ ପୁରସ୍କାର ପଛରେ ଦୌଡିବା କାରଣରୁ ସାହିତ୍ୟ ରସାତଳଗାମୀ ହେଉଥିବା ସେ ଉଲ୍ଲେଖ କରିଥିଲେ । ଏହି ଅବସରରେ ବିଶିଷ୍ଟ ସାହିତ୍ୟକ ଭୂପେନ ମହାପାତ୍ରଙ୍କୁ ‘ଦେବେନ୍ଦ୍ର ମହାନ୍ତି ସ୍ମୃତି ସମ୍ମାନ’ ପୁରସ୍କାର ପ୍ରଦାନ କରାଯାଇଥିଲା । ଶ୍ରୀ ମହାପାତ୍ର ସ୍ୱର୍ଗତ ଦେବେନ୍ଦ୍ର ବାବୁଙ୍କ ସହ ତାଙ୍କ ଅନ୍ତରଙ୍ଗ ମୁହୁର୍ତର ଅବତାରଣା କରିବା ସହ ଉଭୟଙ୍କ ସାହିତ୍ୟରେ ଥିବା ସାମଂଜସ୍ୟ ସଂପର୍କରେ ଉଲ୍ଳେଖ କରିଥିଲେ । ସାଂପ୍ରତିକ ସାହତ୍ୟରେ କିପରି ଅଶ୍ଳିଳତା ପ୍ରବେଶ କରିଛି ତାର ଉଦାହରଣ ଦେବା ସହ ବାସ୍ତବହୀନ ସାହତ୍ୟ ସୃଷ୍ଟି କାରଣରୁ ପାଠକ କ୍ରମଶଃ ସାହିତ୍ୟ ଠାରୁ ଦୂରେଇ ଯାଉଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ । ଅନ୍ୟତମ ବକ୍ତା ଭାବେ ଯୋଗଦେଇ ଓଡିଆ ଦୈନିକ ‘ଚନ୍ଦ୍ରପ୍ରଭା’ର ସଂପାଦକ ରବି କାନୁନ୍ଗୋ ସ୍ୱର୍ଗତ ଦେବେନ୍ଦ୍ର ମାହନ୍ତିଙ୍କ ଖବର କାଗଜରେ ପ୍ରକାଶିତ ସ୍ତମ୍ଭ ସଂପର୍କରେ ଆଲୋଚନା କରିବା ସହ ଶ୍ରୀ ମହାନ୍ତିଙ୍କ ସହ ତାଙ୍କ ଆଳାପ ଆଲୋଚନାର ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଅଧ୍ୟାପକ ଡ. ନଗେନ କୁମାର ଦାସ ସନ୍ଦର୍ଭ ପାଠ କରିଥିବା ବେଳେ ଶେଷରେ ଦେବେନ୍ଦ୍ର ମହାନ୍ତି ସ୍ମୃତି ସଂସଦର ଅଧ୍ୟକ୍ଷ ପଶୁପତିନାଥ ଚାଟାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ । (ଫଟୋ/ ରିପୋର୍ଟ – ଶିବ ପ୍ରସାଦ ଦାସ)
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS