ଓଡ଼ିଶାର ମିଡ଼ିଆକୁ ‘ଥାର୍ଡ ଫ୍ଲୋର୍’ ଆତଙ୍କ !
– ପ୍ରସାଦ ରାଓ –
ଭୁବନେଶ୍ୱର, ୨୨ ମାର୍ଚ୍ଚ: ନିକଟରେ ଶାସକ ବିଜେଡ଼ି ପକ୍ଷରୁ ଓଡ଼ିଶା ଟେଲିଭିଜନ ଲିମିଟେଡ଼ (ଓଟିଭି)ର ବିଭିନ୍ନ ବିତର୍କ ଓ ଆଲୋଚନା କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ନିଆ ଯାଇଥିବା ନିଷ୍ପତ୍ତି ସମାଲୋଚନାମୂଳକ ସାମ୍ବାଦିକତା ପ୍ରତି ବିପଦ ସୃଷ୍ଟି କରିଛି । ସତୁରୀ ଦଶକରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଦେଶରେ ଜରୁରୀ ପରିସ୍ଥିତି ଜାରି କରିଥିବା ସମୟରେ ମିଡ଼ିଆ ସେନସରସିପ୍ ଭଳି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିଲା। ସମ୍ବାଦପତ୍ର ଓ ସାମ୍ବାଦିକମାନେ ସରକାର ବିରୋଧୀ ଲେଖା ଛାପିବା ପାଇଁ ଭୟ କରୁଥିଲେ । ମିଡ଼ିଆରେ କଣ ପ୍ରକାଶ ପାଇବ, କଣ ନାହିଁ – ତାହା ସରକାରୀ ଅଧିକାରୀମାନେ ନିର୍ଦ୍ଧାରଣ କରୁଥିଲେ । ସେ ସମୟରେ ବିରୋଧୀ ଦଳର ପ୍ରତିନିଧିତ୍ୱ କରୁ ଥିବା ଖବରକାଗଜ ଓ ପତ୍ରପତ୍ରିକାର ସାମ୍ବାଦିକମାନେ ଗିରଫ ଭୟରେ ଆତ୍ମଗୋପନ କରିବାକୁ ବାଧ୍ୟ ହୋଇ ଥିଲେ । ଜରୁରୀ ପରିସ୍ଥିତି ହଟିବା ପରେ ହିଁ ସବୁ କିଛି ସ୍ୱାଭାବିକ ହୋଇ ଥିଲା ।
ବର୍ତମାନ ଠିକ୍ ସେହି ଜରୁରୀ ପରିସ୍ଥିତି ଅବସ୍ଥା ସୃଷ୍ଟି ହୋଇଛି । ଜାତୀୟ ସ୍ତରରେ ଅଧିକାଂଶ ଗଣମାଧ୍ୟମ ଶାସକ ବିଜେପିର ଗୁଣଗାନ କରି ସରକାରଙ୍କ ସୁହାଇଲା ଭଳି ଖବର ପରିବେଷଣ କରୁଥିବା ବେଳେ ଏନଡ଼ିଟିଭି ଭଳି କିଛି ହାତ ଗଣତି ଗଣମାଧ୍ୟମ କେନ୍ଦ୍ର ସରକାରଙ୍କୁ ସମାଲୋଚନା ଅବ୍ୟାହତ ରଖି ରୋଷର ଶିକାର ହୋଇଛନ୍ତି । ଓଡ଼ିଶାରେ ମଧ୍ୟ ଦୀର୍ଘ ୧୮ ବର୍ଷ ହେଲା କ୍ଷମତାସୀନ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବିଜେଡ଼ି ସରକାର ୨୦୧୯ ନିର୍ବାଚନକୁ ଆଖିରେ ରଖି ହଠାତ୍ ସମାଲୋଚନା ପ୍ରତି ବିମୁଖ ହୋଇ ପଡିବା ଲକ୍ଷ୍ୟ କରାଯାଉଛି । ୧୭ ବର୍ଷ ଧରି ସରକାର ସବୁ ପ୍ରକାର ସମାଲୋଚନାକୁ ହେୟଜ୍ଞାନ କରି ନୀଳକଂଠଙ୍କ ସଦୃଶ ପିିଇ ଯାଉଥିଲେ । ଏବେ ହଠାତ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଡ଼ିଆ ସମାଲୋଚନା ପ୍ରତି ଏତେ ସ୍ପର୍ଶକାତର ହେବାର କାରଣ କଣ (?), ତାହାହିଁ ପ୍ରଶ୍ନବାଚୀ ହୋଇଛି । ୨୦ ବର୍ଷ ଧରି ଓଟିଭି ଶାସକ ଦଳର ମୁଖପାତ୍ରର ଦାୟିତ୍ୱ ତୁଲାଇ ଆସୁ ଥିଲା । ସରକାର ନିଜର ପ୍ରଚାର ପାଇଁ ଏହି ବୈଦ୍ୟୁତିକ ଗଣମାଧ୍ୟମକୁ ବ୍ୟବହାର କରୁଥିଲେ । ହଠାତ୍ ସବୁ ପ୍ରକାର ଶାଳୀନତାକୁ ପଛରେ ପକାଇ ସରକାର ଗଣମାଧ୍ୟମକୁ ଆସି ଏହି ବୈଦ୍ୟୁତିକ ଗଣମାଧ୍ୟମର ସବୁ ପ୍ରକାର ବିତର୍କ ଓ ଆଲୋଚନା କାର୍ଯ୍ୟକ୍ରମକୁ ଦଳ ବର୍ଜନ କରିବ ବୋଲି ନିଷ୍ପତ୍ତି ଘୋଷଣା କରିବା ଏବଂ ଅନ୍ୟ ଗଣମାଧ୍ୟମ ଗୁଡିକ କୌଣସି ପ୍ରକାର ପ୍ରତିବାଦର ସ୍ୱର ନ ଉଠାଇ ସରକାରଙ୍କୁ ପ୍ରୋତ୍ସାହିତ କରିବା ବିଡମ୍ବନାର ବିଷୟ ହୋଇଛି ।
ସରକାରୀ ଦଳ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କାରଣ ହେଉଚି, ସଂପୃକ୍ତ ମିଡ଼ିଆ ସଂସ୍ଥାର ମାଲିକାନା ଥିବା ପରିବାରର ମୁଖ୍ୟ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ୨୦୧୪ରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାର ପ୍ରତିଷ୍ଠା ହେବା ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟତର ହେବା ସହ ରାଜ୍ୟର ଶାସନ ବ୍ୟବସ୍ଥାକୁ ସମାଲୋଚନା କରି ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ନ ହେଲେ ମଧ୍ୟ ତାଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତିକେୟନ ପାଂଡିୟାନଙ୍କୁ କଡା ସମାଲୋଚନା କରି ତୃତୀୟ ମହଲାରେ ରୋଷର ଶିକାର ହୋଇଛନ୍ତି । ସ୍ତମ୍ଭକାର ଭାବେ ସେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ଅଡ଼ୁଆରେ ପକାଇଲା ଭଳି ବିଭିନ୍ନ ଲେଖା ଜାତୀୟ ସମ୍ବାଦପତ୍ରରେ ପ୍ରକାଶ କରି ଦଳୀୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି । ଏଥିସକାଶେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆଡୁ ବାରମ୍ବାର ତାଗିଦ କରାଯିବା ପରେ ବିଜେଡ଼ିର ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବିତ କରାଯାଇ ଥିଲା । ସଂସଦରେ ମଧ୍ୟ ତାଙ୍କୁ ବିଡ଼େଡ଼ି ସାଂସଦଙ୍କ ସହ ଏକାଠି ବସିବାକୁ ଦିଆ ନ ଯାଇ ଅଲଗା ଆସନ ବ୍ୟବସ୍ଥା କରାଯିବାକୁ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖା ଯାଇ ଥିଲା । ବିଜେଡ଼ି ସାଂସଦ ଭାବେ ସେ ଯେଉଁ ସବୁ ସଂସଦୀୟ କମିଟିରେ ସଦସ୍ୟ ଥିଲେ ସେଥିରୁ ତାଙ୍କ ହଟାଇ ଦିଆଯାଇ ଦଳର ଅନ୍ୟ ଜଣେ ସାଂସଦଙ୍କୁ ସେହି ସୁଯୋଗ ଦେବାକୁ ବିଜେଡ଼ି ସଂସଦୀୟ ଦଳ ଅଧ୍ୟକ୍ଷ ବାଚସ୍ପତିଙ୍କୁ ଅନୁରୋଧ କରି ଚିଠି ଲେଖି ଥିଲେ । ଏସବୁ କାର୍ଯ୍ୟାନୁଷ୍ଠାନ ସଂପୁର୍ଣର୍ ଭାବେ ଦଳୀୟ ଥିଲା । କୀନ୍ତୁ, ମାଲିକଙ୍କ ପାଇଁ ସଂପୃକ୍ତ ବୈଦ୍ୟୁତିକ ଗଣମାଧ୍ୟମ ବିରୋଧରେ ଶାସକ ଦଳକୁ ସମାଲୋଚନା କରୁଥିବା ଏବଂ ପକ୍ଷଭୁକ୍ତ ହୋଇ ଥିବା ଆଳ ଦେଖାଇ ବର୍ଜନ କରିବାକୁ ନିଷ୍ପତ୍ତି ନିଆଯିବା ଏବଂ ସାମ୍ବାଦିକ ସମ୍ମିଳନୀ ଡ଼ାକି ଏକଥା କହିବା ଦଳର ଭାବମୂର୍ତୀ ପ୍ରତି କେତେଦୂର ଅନୁକୂଳ ହୋଇଛି (!)- ତାହା ଆଲୋଚନାର ବିଷୟ । ତେବେ, ଓଡ଼ିଶାର ଗଣମାଧ୍ୟମ ଶିଳ୍ପ ପ୍ରତି ମଧ୍ୟ ଏହା ଏକ ଆହ୍ୱାନ, ଏଥିରେ କୌଣସି ସନେ୍ଦହ ନାହିଁ । ଥାର୍ଡ ଫ୍ଲୋର୍ ବା ସଚିବାଳୟରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିଦେ୍ର୍ଦଶ ବିନା ଏହା ସମ୍ଭବ ନୁହେଁ । ଦୀର୍ଘ ବର୍ଷ ହେଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ଭାଳୁ ଥିବା ତାଙ୍କ ବ୍ୟକ୍ତିଗତ ସଚିବ ତଥା ଆଇଏଏସ୍ ଅଧିକାରୀ ପାଂଡିୟାନଙ୍କ ଅହଂ ଭାବକୁ ସନ୍ତୁଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୋଟିଏ ମିଡ଼ିଆ ସଂସ୍ଥା ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ କରୁଥିବା ବେଳେ ରାଜ୍ୟର ଅନ୍ୟ ମିଡ଼ିଆ ସଂସ୍ଥା ଓ ସାମ୍ବାଦିକମାନେ ପ୍ରତିକ୍ରିୟାଶୂନ୍ୟ ରହିବା ମଧ୍ୟ ତଥ୍ୟାଭିଜ୍ଞ ମହଲକୁ ଆଚମ୍ବିତ କରିଛି ।
ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ ପରେ କିଛି ହାତଗଣତି ସାମ୍ବାଦିକ ଓ ଓଟିଭି ସହ ସ୍ତମ୍ଭକାର ଭାବେ ସଂପୃକ୍ତ କିଛି ବ୍ୟକ୍ତି ଏହାର ନିନ୍ଦା କରିଛନ୍ତି । ବିଜେଡ଼ି ସରକାରଙ୍କ ଏହି ନିଷ୍ପତ୍ତି ଆତ୍ମଘାତୀ ବୋଲି ସେମାନେ କହିଛନ୍ତି । କିନ୍ତୁ, ଅଧିକାଂଶ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମ ନୀରବ ରହିବାକୁ ପସନ୍ଦ କରିଛନ୍ତି । କାରଣ, ସେମାନେ ଏହାକୁ ଶାସକ ଦଳର ଆଭ୍ୟନ୍ତରୀଣ କନ୍ଦଳ କହି ଏଡାଇ ଯାଇଛନ୍ତି । ଏଭଳି ପଦକ୍ଷେପ ଯେ ସାମଗ୍ରିକ ଭାବେ ଓଡ଼ିଶାର ମିଡ଼ିଆ ଶିଳ୍ପ ପ୍ରତି ଏକ ପରୋକ୍ଷ ଆକ୍ରମଣ, ଏହା ସେମାନଙ୍କ ବିଚାର ପରିସର ବାହାରେ । କେନ୍ଦ୍ରରେ ଥିବା ବିଜେପି ନେତୃତ୍ୱାଧୀନ ମେଂଟ ସରକାର ଯେପରି ନିଜକୁ ସୁହାଇଲା ଭଳି ମିଡ଼ିଆ ମ୍ୟାନେଜମେଂଟ୍ କରୁଛନ୍ତି ରାଜ୍ୟ ବିଜେଡ଼ି ସରକାର ମଧ୍ୟ ଅଧିକାଂଶ ମିଡ଼ିଆ ସଂସ୍ଥା ଓ ସାମ୍ବାଦିକଙ୍କୁ ନିଜ ହାତ ମୁଠାରେ ରଖି ସରକାର ବିରୋଧୀ ପ୍ରଚାରକୁ ପ୍ରୟାସ କରୁଥିବା ଦେଖିବାକୁ ମିଳୁଛି । ଓଟିଭିକୁ ନେଇ ରାଜ୍ୟ ସରକାରଙ୍କ ନୂତନ ଆଭିମୁଖ୍ୟରୁ ତାହା ସ୍ପଷ୍ଟ ହେଉଛି । ତୃତୀୟ ମହଲାର ଅହକାଂରକୁ ବିରୋଧ ନ କରି ପ୍ରଶ୍ରୟ ଦେବା ଯେ ଭବିଷ୍ୟତରେ ଅନ୍ୟ ମିଡ଼ିଆ ସଂସା୍ଥଙ୍କ ପାଇଁ ବିପଦ ସୃଷ୍ଟି କରି ପାରେ, ତାହା ଜଳଜଳ ଦିଶୁଛି । କିନ୍ତୁ ଆଖିରେ ଅନ୍ଧ ପୁଟୁଳି ବାନ୍ଧିଥିବା ମିଡ଼ିଆ ସଂସ୍ଥା ମାଲିକମାନେ ତାହା ଦେଖି ପାରୁ ନାହାନ୍ତି ।
ଅତୀତରେ ଜେବି ପଟ୍ଟନାୟକଙ୍କ କଂଗ୍ରେସ ସରକାର ଅମଳରେ ମଧ୍ୟ ଏଭଳି ବିଭାଜନ ଓ ଶାସନ ଚାଲି ଥିଲା । ଅଶୀ ଦଶକରେ ଜେବିଙ୍କ ସୁରକ୍ଷାକବଚ ହୋଇ ଥିବା ସାମ୍ବାଦିକମାନେ ସମସ୍ତ ପ୍ରକାର ସୁରକ୍ଷା ଓ ସରକାରୀ ସୁବିଧା ପାଇ ଅୟସରେ ଥିବା ବେଳେ ସରକାରଙ୍କୁ ସମାଲୋଚନା କରୁଥିବା ସାମ୍ବାଦିକମାନେ ସବୁ ସୁବିଧାରୁ ବଂଚିତ ରହୁ ଥିଲା । ତକ୍ରାଳୀନ ଇଣ୍ଡିଆନ ଏକ୍ସପ୍ରେସ୍ ରାଜ୍ୟ ପ୍ରତିନିଧି ଅରୁଣ ସିହ୍ନା ସରକାରଙ୍କ ଗୋଡାଣିଆ ହେବେ ନାହିଁ କହି ରାଜ୍ୟ ସରକାର ଯାଚି ଥିବା ସରକାରୀ ସୁବିଧା, ସୁଯୋଗ ନେବାକୁ ମନା କରି ଥିଲେ । ସରକାରଙ୍କ ଗୋଡାଣିଆ ନ ହେବାରୁ ନବ ମହାପାତ୍ରଙ୍କ ଭଳି ଜାଣ ଗ୍ରାମାଂଚଳ ସାମ୍ବାଦିକଙ୍କ ପତ୍ନୀ ଛବିରାଣୀ ମହାପାତ୍ରଙ୍କୁ ବିଲୁଆଖାଇ ନଦୀ ବାଲିରେ ଗଣଦୁଷ୍କର୍ମ ଓ ନିର୍ମମ ହତ୍ୟାର ଶିକାର ହେବାକୁ ପଡି ଥିଲା । ଅଶୀ ଦଶକରେ ତକ୍ରାଳୀନ ସରକାରଙ୍କୁ ସୁରକ୍ଷା ଦେଇ ଥିବା ସାମ୍ବାଦିକମାନେ ଏବେ ବି ସରକାରୀ ସୁବିଧା, ସୁଯୋଗ ଉପଭୋଗ କରୁଛନ୍ତି । ଯେଉଁମାନଙ୍କ ମୃତ୍ୟ ଘଟିଲାଣି ସେମାନଙ୍କ ପରିବାର ସେହି ସୁବିଧା ସବୁ ପାଉଛନ୍ତି । ଏହା ଏକ ବଡ ପ୍ରଲୋଭନ ହୋଇ ପାରେ । କିନ୍ତୁ, ଆଜି ରାଜ୍ୟର ଗୋଟିଏ ଗଣମାଧ୍ୟମ କୋଣଠେସା ହୋଇଛି, କାଲି ତୃତୀୟ ମହଲାର କ୍ରୋଧର ଶିକାର ହୋଇ ଅନ୍ୟ କିଏ ବି ସମଦଶା ଭୋଗି ପାରେ । ତେଣୁ, ଆତଙ୍କିତ ନ ହୋଇ ମିଳିତ ଭାବେ ଏହାର ସମ୍ମୁଖୀନ ହେବାର ସମୟ ଆସିଛି । ତେବେ, ଓଡ଼ିଶାର ବିଭାଜିତ ମିଡ଼ିଆ ଶିଳ୍ପ ନିଜସ୍ୱ ଗାରିମାକୁ ନା ଚାଟୁକାରିତାକୁ ମହତ୍ୱ ଦେବ, ତାହା ସମୟ କହିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS