ଚାଷୀଙ୍କ ପାଇଁ ବଡ ଯୋଜନା ଲକ୍ଷ୍ୟରେ ମୋଦୀ ସରକାର !
ରିପୋର୍ଟ : ଶିବ ପ୍ରସାଦ ଦାସ
ଦୀର୍ଘ ଦିନ ହେଲା ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ବିରୋଧୀ ଶିବିର ଦ୍ୱାରା ସମାଲୋଚନାର ଶିକାର ହେଉଥିବା କେନ୍ଦ୍ର ସରକାର ସଂପ୍ରତି ଚାଷୀଙ୍କ ଲାଗି ଏକ ବଡ ଘୋଷଣା କରିବାକୁ ଯୋଜନା କରୁଛନ୍ତି । ଏହି ଯୋଜନା ଅନୁସାରେ ଚାଷୀଙ୍କୁ ଧାନର ସହାୟକ ମୂଲ୍ୟ ବୃଦ୍ଧି ଓ କମ୍ ମୂଲ୍ୟରେ ଖାଦ୍ୟଶସ୍ୟ ବିକ୍ରୀ ଭଳି ସମସ୍ୟାର ଆଉ ସାମନା କରିବାକୁ ପଡିବ ନାହିଁ । ଏଭଳି ଏକ ଯୋଜନା ଲାଗି କେନ୍ଦ୍ର ଏନଡ଼ିଏ ସରକାର ପଚାଶ ହଜାର କୋଟି ଟଙ୍କାର ଏକ ବଡ ପାଣ୍ଠି ଗଠନ କରିବେ । ସେହି ପାଣ୍ଠିରୁ ଚାଷୀଙ୍କ ସବୁ ପ୍ରକାର କ୍ଷତି ଭରଣା କରାଯିବା ଲାଗି ନିଷ୍ପତି ହେଉଛି । ଏନେଇ ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀ ସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ବିଧିବଦ୍ଧ ଭାବେ ସରକାର ଆଗାମୀ ବଜେଟରେ ଏହାକୁ କ୍ୟାବିନେଟ ମୋହର ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଏଥି ନେଇ କୃଷି ମନ୍ତ୍ରଣାଳୟ ଓ ବିତ୍ତ ମନ୍ତ୍ରଣାଳୟ ମଧ୍ୟରେ ସମସ୍ତ ପ୍ରକାର ମତ ବିନିମୟ ସରିଥିବା ଜଣାପଡିଛି । ସରକାର ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ ଅତିକମ୍ ରେ ଖାଦ୍ୟଶସ୍ୟ ଉତ୍ପାଦନରେ ହେଉଥିବା ସେମାନଙ୍କ ଖର୍ଚ୍ଚ ସମତୁଲ ମୂଲ୍ୟ ମିଳିବା ଉପରେ ଅଧିକ ଜୋର ଦେଇଛନ୍ତି । ପୂର୍ବରୁ ସରକାର ଯେଉଁ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିଛନ୍ତି ବାସ୍ତବରେ ଚାଷୀ ସେଥିରୁ ତାହାର ଖର୍ଚ୍ଚ ମଧ୍ୟ ପାଉ ନ ଥିବା ସରକାର ହୃଦୟଙ୍ଗମ କରିଥିବା ଜଣାପଡିଛି । ଏଣୁ, ଏହି ଯୋଜନାରେ ନିଶ୍ଚିତ ବଜାର ବ୍ୟବସ୍ଥା, ଖାଦ୍ୟକୁ ଗଛିତ ରଖିବା ଓ ଘରୋଇ କମ୍ପାନୀ ଦ୍ୱାରା ଖଦ୍ୟଶସ୍ୟ ସଂଗ୍ରହ ଓ ସର୍ବନିମ୍ନ ସହାୟକ ମୂଲ୍ୟର ବ୍ୟବସ୍ଥା କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ନୂତନ ଯୋଜନା ଅନୁସାରେ ସରକାର ଯେଉଁ କ୍ଷେତ୍ରରେ ଚାଷୀ ତା’ ଦ୍ୱାରା ଉତ୍ପାଦିତ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ କମ୍ ମୂଲ୍ୟ ପାଉଛି ସେ କ୍ଷେତ୍ରରେ ଖାଦ୍ୟ ଶସ୍ୟର ମୂଲ୍ୟ ଓ ସର୍ବନିମ୍ନ ସହାୟକ ମୂଲ୍ୟ ଭିତରେ ଥିବା ଅନ୍ତରକୁ ସରକାର ବହନ କରିବାର ପ୍ରବଧାନ ରହିଛି । ସେହିପରି କିଛି ବିଶେଷ କ୍ଷେତ୍ରରେ ସରକାର ଘରୋଇ କମ୍ପାନୀ ଦ୍ୱାରା ମଧ୍ୟ ଶସ୍ୟ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଭଳି କ୍ଷେତ୍ରରେ ଘରୋଇ କମ୍ପାନୀଙ୍କ ଲାଗି ଟିକସ ଛାଡର ବ୍ୟବସ୍ଥା କରିବାର ପ୍ରବଧାନ ରହିଛି । ଏହାଛଡା ଧାନ ଓ ଗହମ ସହ ଅନ୍ୟାନ୍ୟ ଶସ୍ୟ ଲାଗି ମଧ୍ୟ ଏହି ଯୋଜନାରେ ପ୍ରାବଧାନ ରହିଛି ।
ବର୍ତମାନର ଏନଡିଏ ସରକାର ୨୦୧୪ ସାଧାରଣ ନିର୍ବାଚନ ସମୟରେ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଶସ୍ୟ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା କରିବାକୁ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲେ । କିନ୍ତୁ, ତାହାକୁ ନେଇ ବିଭିନ୍ନ କୃଷକ ସଂଗଠନ ସହ ସରକାରଙ୍କ ମତ ମେଳଖାଉ ନ ଥିବାରୁ କେନ୍ଦ୍ର ସରକାରଙ୍କ ଚୂଡାନ୍ତ ନିଷ୍ପତ୍ତି କଣ ହେବ, ତାହା ସ୍ପଷ୍ଟ ହୋଇ ନାହିଁ । କେନ୍ଦ୍ର ସରକାର ନିଜର ନିଷ୍ପତ୍ତି ଚୂଡାନ୍ତ କରିବା ସକାଶେ କେନ୍ଦ୍ର ମନ୍ତ୍ରୀ ପରିଷଦ ଦ୍ୱାରା ଗୃହୀତ ତିନୋଟି ପ୍ରସ୍ତାବ ରାଜ୍ୟ ସରକାରମାନଙ୍କ ପାଖକୁ ପଠାଇ ଚାଷୀଙ୍କ ହିତକୁ ଆଖିରେ ରଖି କେଉଁ ପ୍ରସ୍ତାବକୁ ରାଜ୍ୟମାନେ ସମର୍ଥନ ଦେବେ ତାହା ଜାଣିବାକୁ ଚାହିଁଛନ୍ତି । ରାଜ୍ୟ ସରକାର ମାନଙ୍କ ଠାରୁ ଉପଯୁକ୍ତ ପ୍ରସ୍ତାବ ପାଇବା ପରେ ୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଉପସ୍ଥାପନ କରିବାକୁ ଥିବା ବଜେଟରେ ତାହା ପ୍ରତିଫଳିତ ହେବ । ଚାଷୀଙ୍କ ପାଇଁ ସରକାରଙ୍କ ନୀତି କଣ ହେବ ତାହା ମଧ୍ୟ ସ୍ପଷ୍ଟ ହୋଇଯିବ। ତେଣୁ, କେନ୍ଦ୍ର ସରକାର ଚାଷୀଙ୍କୁ ପାଇଁ ଯେଉଁ ନିର୍ବାଚନୀ ଉପହାର ଦେବାକୁ ଚିନ୍ତା କରୁଛନ୍ତି ତାହା ଚାଷୀକୂଳର କେତେଦୂର ହୀତ ସାଧନ କରିବ ଦେଖିବା ସକାଶେ ସମସ୍ତେ ଚାହିଁ ରହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS