ସାଧାରଣ ଜନତା ହଟ୍ଟହଟା ହେଉ ଥିବା ବେଳେ ରାଜନେତା ନାଟକ କରୁଛନ୍ତି ?
ଭୁବନେଶ୍ୱର, ଏପ୍ରିଲ ୨୧: ରଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ଏଟିଏମ୍ ଗୁଡ଼ିକରେ ଟଙ୍କା ଭର୍ତି ହେଉ ନ ଥିବାରୁ ଜନସାଧାରଣଙ୍କ ସମସ୍ୟା ବହୁଗୁଣିତ ହୋଇଛି । ପ୍ରାୟ ଏକ ସପ୍ତାହ ହେଲା ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଟିଏମ୍ ର ସଟର୍ ଖୋଲୁନି । ବିଶେଷକରି, ସାଧାରଣ ଜନତା ଅଧିକ ଭରସା କରୁଥିବା ଭାରତୀୟ ଷ୍ଟେଟ୍୍ ବ୍ୟାଙ୍କ (ଏସବିଆଇ)ର ଏଟିଏମ୍ ଗୁଡ଼ିକ ଅବସ୍ଥା ଅଧିକ ସଂଗୀନ । କୌଣସି ଏସବିଆଇ ଏଟିଏମ୍ ରୁ ଟଙ୍କା ମିଳୁ ନ ଥିବାରୁ ଜନସାଧାରଣ ଗୋଟିଏ ଏଟିଏମ୍ ରୁ ଅନ୍ୟ ଏଟିଏମ୍ କୁ ଧାଇଁ ନିରାଶ ହେଉଛନ୍ତି । କାଁଭାଁ କିଛି ଘରୋଇ ବ୍ୟାଙ୍କ ଏଟିଏମ୍ କାମ କରୁଥିବାରୁ ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ନହେଲେ ପରିସ୍ଥିତି ବିମୁଦ୍ରକରଣ ସମୟ ଭଳି ଅଣାୟତ୍ତ ହୋଇ ସାରନ୍ତାଣି । ଜନସାଧାରଣଙ୍କ ଏହି ଦୂରବସ୍ଥା ସୁଧୁରି ନାହିଁ ସତ, କିନ୍ତୁ ଏହାକୁ ନେଇ ରାଜନୀତି ଯୋର୍ ଧରିଛି । କଥା କଥାରେ ସାଧାରଣ ଜନତା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁ ଥିବା ରାଜନୈତିକ ଦଳ ଓ ନେତମାନେ ପରିସ୍ଥିତି କେମିତି ସୁଧୁରିବ ତାହାର ବାଟ ନ କରି ଧାରଣା ଓ ଲଟକା ଜାରି କରିବାର ନୂଆ ନାଟକ ଆରମ୍ଭ କରିଛନ୍ତି ।
ରାଜ୍ୟ ସାରା ଏଟିଏମ୍ ଗୁଡ଼ିକ ଅଚଳ ଥିବା ପ୍ରତିବାଦରେ ଶନିବାର ଦିନ ଶାସକ ବିଜେଡ଼ି ପକ୍ଷରୁ ସ୍ଥାନୀୟ ରିଜର୍ଭ ବ୍ୟାଙ୍କ ଓ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ସମ୍ମୁଖରେ ଦୁଇ ଘଂଟିଆ ଧରି ଧାରଣା ଦିଆ ଯାଇଥିବା ବେଳେ ବିଜେପି ପକ୍ଷରୁ ଏହାର କାଉଂଟର ଭାବେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଫଳତାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଲଟକା’ ଜାରି କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସାଧାରଣ ଲୋକଙ୍କ ସମସ୍ୟାକୁ ଗୌଣ କରିବା ସକାଶେ ବିଜେପି ଏଭଳି କାର୍ଯ୍ୟ କରିଥିବା ସାଧାରଣରେ ସମାଲୋଚନା ହେଉଛି । କ୍ୟାସ୍ କ୍ରଂଚ୍ ପ୍ରତିବାଦରେ ପୂର୍ବ ଘୋଷଣା ଅନୁସାରେ ବିଜେଡ଼ି ନେତା ଓ କର୍ମୀମାନେ ସକାଳ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା, ସବ୍ ଡ଼ିଭିଜନ ଓ ବ୍ଲକ ମୁଖ୍ୟାଳୟରେ ଥିବା ଜାତୀୟକରଣ ବ୍ୟାଙ୍କ ଗୁଡ଼ିକ ସାମନାରେ ଧାରଣାରେ ବସି ଥିଲେ । ତେବେ, ତାହା ଶାନ୍ତିପୂର୍ଣ୍ଣ ଥିବାରୁ ବ୍ୟାଙ୍କ ଗୁଡିକର ବ୍ୟବସାୟ ପ୍ରଭାବିତ ହୋଇ ନଥିଲା । କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାର ଦେଶର ବ୍ୟାଙ୍କିଂ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ଦେଇଛନ୍ତି । ଏଟିଏମ୍ ଗୁଡ଼ିକରେ ଟଙ୍କା ଭର୍ତି କରାଯାଉ ନ ଥିବାରୁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡିଛି ବୋଲି ବିଜେଡ଼ି ଅଭିଯୋଗ କରିଛି । ଅନ୍ରପକ୍ଷରେ, ବିଜେଡ଼ିର ଏହି ଧାରଣା କାର୍ଯ୍ୟକ୍ରମର କାଉଂଟର ସ୍ୱରୂପ ଶନିବାର ଦିନ ରାଜ୍ୟ ବିଜେପି ନେତାମାନେ ଜନସାଧାରଣଙ୍କ ଏହି ଜରୁରୀ ସମସ୍ୟାଠାରୁ ନିଜକୁ ଦୂରେଇ ନେଇ ରାଜ୍ୟର ଜନସାଧାରଣଙ୍କୁ ସରକାର ସର୍ବନିମ୍ନ ସେବା ଯୋଗାଇ ଦେବାରେ ବିଫଳ ହୋଇଥିବା ଦର୍ଶାଇ ରାଜ୍ୟର ୧୧୩ଟି ମହନଗର ନିଗମ, ପୌର ପରିଷଦ ଓ ବିଜ୍ଞପିତ ଅଂଚଳ ପରିଷଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ‘ଲଟକା’ ଜାରି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତିି । ବିଜେପି ରାଜ୍ୟ ଶାଖାର ସିନିୟର ନେତାମାନେ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ସହରର ବିଭିନ୍ନ ୱାର୍ଡରେ ଥିବା ସମସ୍ୟାର ୭ଦିନ ମଧ୍ୟରେ ସମାଧାନ ନ ହେଲେ ବିଏମ୍ ସି କାର୍ଯ୍ୟାଳୟକୁ ଅଚଳ କରି ଦେବାକୁ ଚେତାବନୀ ଦେଇଛନ୍ତି । ଆସନ୍ତା ପୌର ନିର୍ବାଚନ ଓ ୨୦୧୯ ସାଦାରଣ ନିର୍ବାଚନକୁ ଆଖିରେ ରଖି ଦୁଇ ରାଜନୈତିକ ଦଳ ଆଜି ଦିନରେ ନିଜ ନିଜ ରାଜନୈତିକ ରୁଟି ସେକି ଥିବା ବେଳେ ଏଟିଏମ୍ ସମସ୍ୟା ପୂର୍ବବତ୍ ଅସମାଧିତ ରହିଥିବା ଦେଖିବାକୁ ମିଳିଛି ।
କେନ୍ଦ୍ର ସରକାର, ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ବିଭିନ୍ନ ଜାତୀୟକରଣ ବ୍ୟାଙ୍କ (ଏସବିଆଇ ସମେତ) ଦେଶରେ ଟଙ୍କାର ଅଭାବ ନାହିଁ, ଏଟିଏମ୍ ସଂକଟ ସାମୟିକ ଏବଂ ତୁରନ୍ତ ଏହାର ସମାଧାନ ହୋଇ ଯିବ ବୋଲି ତିନି ଦିନ ହେଲା ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି ସିନା କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଟିଏମ୍ ରେ ଆଜି ସୁଦ୍ଧା ଟଙ୍କା ଭର୍ତି ହୋଇ ନାହିଁ । ଏସବିଆଇ ସମେତ ଅଧିକାଂଶ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଏଟିଏମ୍ ସଟରରେ ‘ନୋ କ୍ୟାସ୍’ ଲଟକା ଝୁଲୁଛି । କିଛି ଏଟିଏମ୍ ରେ ଏହି ଲଟକା ଲାଗି ନାହିଁ ସତ, କିନ୍ତୁ କାର୍ଡ ଭର୍ତି କଲେ ମେସିନ୍ ରୁ କ୍ୟାସ୍ ବାହାରୁ ନାହିଁ । ଯେଉଁ ଛପା କାଗଜ ବାହାରୁଛି ସେଥିରେ ଲେଖା ରହିଛି – ମେସିନରେ କ୍ୟାସ୍ ବା ଟଙ୍କା ନାହିଁ । ଏଭଳି ଅସମୟରେ ରାଜନୈତିକ ଦଳମାନେ ରାଜ୍ୟର ସାଧାରଣ ଜନତାଙ୍କ ପଛରେ ଠିଆ ନ ହୋଇ ନିଜ ନିଜ ରାଜନୈତିକ ଆଜେଣ୍ଡାକୁ କାର୍ଯ୍ୟକାରୀ କରିବାକୁ ଯାଇ ପରସ୍ପର ବିରୋଧରେ ଲଟକା ଝୁଲାଇବା କେଉଁ ମାନବିକତାର ପରିଚୟ ଦେଉଛି (?) ବୋଲି ସାଧାରଣରେ ପ୍ରଶ୍ନ ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS