‘କଂଗ୍ରେସ-ମୁକ୍ତ’ ଭାରତ କେବଳ ‘ସ୍ଲୋଗାନ’,ବାସ୍ତବତା ଠାରୁ ଦୂରରେ !
– ଶିବ ପ୍ରସାଦ ଦାସ-
ଭାରତକୁ ‘କଂଗ୍ରେସ-ମୁକ୍ତ’ କରିବା ପାଇଁ ବିଜେପି ଅଂଟା ଭିଡିଛି । ଗୋଟିଏ ପରେ ଗୋଟିଏ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜୟ ବାନା ଉଡାଇ କଂଗ୍ରେସର ଅସ୍ତିତ୍ୱ ପ୍ରତି ଆହ୍ୱାନ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ କୁଟୀଳ ରାଜନୀତି ଓ ଅଭିଜ୍ଞତା ସାମନାରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ହଡବଡାଉ ଥିଲେ ବି ମୁକାବିଲା କରୁଥିବା ଦେଖିବାକୁ ମିଳୁଛି । ବିଜେପି କୁଟୀଳ ରାଜନୀତିର ସଦ୍ୟ ଉଦାହରଣ ହେଉଛି କର୍ଣ୍ଣାଟକରେ କ୍ଷମତା ଦଖଲ ପାଇଁ ବିଜେପିର ଅସାଧୁ ଉଦ୍ୟମ । ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ବିଜେପିକୁ ଅଡୁଆରେ ପକାଇଛି ସିନା, କଳେ-ବଳେ-କୌଶଳେ କ୍ଷମତା ଦଖଲ କରିବା ନିଶା ତଳକୁ ଖସିନି । ଏଠି ପ୍ରଶ୍ନ ଉଠୁଛି, ଭାରତ ବର୍ଷକୁ କଂଗ୍ରେସ-ମୁକ୍ତ କରିବା ସମ୍ଭବ କି? ଯଦି ଏହା ସମ୍ଭବ ହୁଏ ବିଜେପିର ବିକଳ୍ପ କିଏ ??
ଏଭଳି ପ୍ରଶ୍ନ ହେବାରେ କିଛି ଅସ୍ୱାଭାବିକତା ନାହିଁ । ଦେଶରେ ଗୋଟିଏ ପଟେ ହିନ୍ଦୁବାଦୀ ସଂଗଠନ ଦ୍ୱାରା ପରିଚାଳିତ ବିଜେପି ଏବଂ ଅନ୍ୟ ପଟେ ଆଂଚଳିକ ଦଳମାନଙ୍କ ଦୃତ ଅଭିବୃଦ୍ଧି ଜାତୀୟ କଂଗ୍ରେସର ଅସ୍ତତ୍ୱ ପ୍ରତି ବିପଦ ସୃଷ୍ଟି କରିଛି । ସ୍ୱାଧୀନତା ପରଠାରୁ ଦୀର୍ଘ ୩୦ ବର୍ଷ କାଳ (୧୯୪୭ରୁ ୧୯୭୭) କଂଗ୍ରେସ ଏକାକୀ ଦେଶର ଶାସନ ଭାର ସମ୍ଭାଳି ଥିଲା । ହିନ୍ଦୁବାଦୀ ରାଜନୈତିକ ଦଳମାନେ କଂଗ୍ରସର ଏହି ଏକଚାଟିଆ ଶାସନ ଦେଖି ଇର୍ଶାରେ ଜଳୁ ଥିଲେ ମଧ୍ୟ ଯଥେଷ୍ଟ ଜନସମର୍ଥନ ଅଭାବରୁ କିଛି କରି ପାରୁ ନ ଥିଲେ । ୧୯୭୬ରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀ ପରିସ୍ଥିତି ଜାରି କରି ମନମାନି କରିବା ପରେ ଭାରତୀୟ ରାଜନୀତିରେ ପଟ୍ଟ ପରିବର୍ତର୍ନ ଘଟି ଥିଲା । କଂଗ୍ରେସ ବିରୋଧୀମାନେ ମେଂଟ କରି କ୍ଷମତା ଦଖଲର ସୁଯୋଗ ପାଇ ଥିଲେ । ପରବର୍ତୀ ସମୟରେ ଗୋଟିଏ ପଟେ କଂଗ୍ରେସ ଓ ତାର ସହଯୋଗୀ ଦଳମାନେ ଏବଂ ଅନ୍ୟପଟେ କଂଗ୍ରେସ ବିରୋଧୀମାନେ ଦେଶର ରାଜନୀତିକୁ ପ୍ରଭାବିତ କରି ଆସିଛନ୍ତି । ମେଂଟ ସରକାରର ଏକ ନୂତନ ଯୁଗ ପ୍ରଚଳିତ ହୋଇଛି । ସ୍ୱାଧୀନତା ପରେ କଂଗ୍ରେସ ଦଳ ଏକାକୀ ଦେଶକୁ ୩୦ ବର୍ଷ ଶାସନ କରି ଥିବାରୁ ବିଜେପି ୫୦ ବର୍ଷ ଶାସନ କରିବାକୁ ପ୍ରସ୍ଥୁତ ହେବା ଆବଶ୍ୟକ ବୋଲି କର୍ଣ୍ଣାଟକ ବିଧାନସଭାରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକର୍ତା ମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି । ବର୍ତମାନ ପରିପ୍ରେକ୍ଷୀରେ ଦେଶରେ ଜାତୀୟ କଂଗ୍ରେସର ଅବସ୍ଥା ଯାହା ହୋଇଛି ସେଥିରେ ଦକ୍ଷିଣପନ୍ଥୀମାନେ ଉତ୍ସାହିତ ହୋଇ ଏଭଳି ସ୍ୱପ୍ନ ଦେଖିବା ଅସ୍ୱାଭାବିକ ନୁହେଁ । ଭାରତର ରାଜନୈତିକ ଇତିହାସକୁ ଦେଖିଲେ ସ୍ୱାଧୀନତା ସଂଗ୍ରାମ ପରଠାରୁ ହିନ୍ଦୁବାଦୀ ସଂଗଠନମାନେ ଦେଶରେ କ୍ଷମତା ଦଖଲ ଉଦ୍ୟମ କରି ଆସିଛନ୍ତି ଏବଂ କଠିନ ପରିଶ୍ରମ ଓ ଦୀର୍ଘ ସମୟର ସଂଘର୍ଷ ପରେ ଏକ ପୂର୍ଣ୍ଣ ବହୁମତ ଥିବା ସରକାର ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଛନ୍ତି । ଦେଶର ଅଧିକାଂଶ ରାଜ୍ୟ ଏବେ ଦକ୍ଷିଣପନ୍ଥୀଙ୍କ ଦଖଲରେ । ସ୍ୱାଧିନତା ପରେ ଦେଶରେ କଂଗ୍ରେସ ଓ ଅଣ କଂଗ୍ରେସ ରାଜନୈତିକ ଦଳମାନେ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ ହୋଇ ଯେଉଁ କ୍ଷମତା ଲଢେଇରେ ସାମିଲ ହୋଇଥିଲେ ତାହା ଗତ ଏକ ଦଶନ୍ଧୀ ମଧ୍ୟରେ ବିଜେପି ବନାମ କଂଗ୍ରେସ ନେତୃତ୍ୱାଧୀନ ଅଣ ବିଜେପି ଦଳଙ୍କ ମଧ୍ୟରେ ଲଢେଇରେ ରୂପାନ୍ତରିତ ହୋଇଛି ।
୭୦ ବର୍ଷ ମଧ୍ୟରେ ଦେଶରେ ରାଜନୈତିକ ଦଳଙ୍କ ଉତଥାନ ଓ ପତନର ଇତିହାସକୁ ଅନୁଧ୍ୟାନ କଲେ ଏହି ସମୟ ମଧ୍ୟରେ ଅନେକ ରାଜନୈତିକ ଦଳ ଗଠନ ହୋଇ ବିଲୁପ୍ତ ହୋଇଯାଇ ଥିବାରୁ ଅନେକ ନଜିର ରହିଛି । ଜନତା ପାର୍ଟି, ଜନତା ଦଳ, ଲୋକଦଳ, ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ଜନତା ଦଳ (ଯୁନାଇଟେଡ଼), ଜନତା ଦଳ (ଧର୍ମନିରପେକ୍ଷ), ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ତୃଣମୂଳ କଂଗ୍ରେସ, ତେଲୁଗୁ ଦେଶମ, ବିଜୁ ଜନତା ଦଳ, ଅକାଳୀଦଳ ଭଳି ଅଗଣିତ ଛୋଟ, ବଡ ରାଜନୈତିକ ଦଳର ସୃଷ୍ଟି ହୋଇଛି । କିଛି ଜାତୀୟ ରାଜନୈତିକ ଦଳ ବିଲୟ ପରେ ନୂଆ ରୂପରେ ମୁଣ୍ଡ ଟେକିଛନ୍ତି । ଶତାଧିକ ଆଂଚଳିକ ଦଳ କ୍ଷମତା ଅଳିନ୍ଦରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ଅଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, କିଛି ଆଂଚଳିକ ଦଳ ନିଜର ଅସ୍ତିତ୍ୱ ରକ୍ଷା କରିବାରେ ସକ୍ଷମ ହୋଇ ଥିଲେ ମଧ୍ୟ ନିଜକୁ ଜାତୀୟ ଦଳ ଭାବେ ଉପସ୍ଥାପନ କରିବା ଓ ଅନ୍ୟ ରାଜ୍ୟରେ ନିଜର କ୍ଷମତା ବିସ୍ତାର କରିବାରେ ବିଫଳ ହୋଇଛନ୍ତି । ଅତୀତରେ ଭାରତୀୟ ରାଜନୀତିରେ ନିଜର ପ୍ରଭାବକୁ ଦୃଢତାର ସହ ପ୍ରତିପାଦିତ କରି ଥିବା ଏବଂ ଜାତୀୟ ସ୍ତରରେ କଂଗ୍ରେସର ପ୍ରମୁଖ ବିରୋଧୀ ଭାବେ ସରକାରଙ୍କ ବିଭିନ୍ନ ନୀତିର ସମାଲୋଚନା କରିବା ସହ ଜାତୀୟ ବିତର୍କର ସୂତ୍ରପାତ କରି ଆସି ଥିବା ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି ଓ ଭାରତୀୟ କମ୍ୟନିଷ୍ଟ ପାର୍ଟି ନିଜର ଅସ୍ତତ୍ୱ ବଜାୟ ରଖିଥିଲେ ମଧ୍ୟ ପୂର୍ବର ସେହି ତେଜ ନାହିଁ । ସାଂପ୍ରତକି ସମୟର ରାଜନୀତିକୁ ଅନୁଧ୍ୟାନ କଲେ ସ୍ପଷ୍ଟ ଜଣାପଡୁଛି, ଦେଶରେ ଏବେ ବି ରାଜନୈତିକ ଦଳ ସଂଖ୍ୟାରେ କମ୍ ନାହାନ୍ତି, କିନ୍ତୁ ଜାତୀୟ ଦଳର ମାନ୍ୟତା ଦାବି କରୁଥିବା ଦଳଙ୍କ ମଧ୍ୟରୁ ଅଧିକାଂଶ ଏକାଧିକ ରାଜ୍ୟରେ ସରକାର ଗଠନ କରିବା ଦୂର କଥା, ରାଜ୍ୟ ବିଧାନସଭାରେ ସେମାନଙ୍କ ପ୍ରତିନିଧିତ୍ୱ ମଧ୍ୟ ଦେଖିବାକୁ ମିଳୁ ନାହିଁ । ଭିନ୍ନ ଭିନ୍ନ ଆଦର୍ଶକୁ ନେଇ ଗଠିତ କିଛି ରାଜନୈତିକ ଦଳ ଅନ୍ୟ ରାଜ୍ୟରେ ସେମାନଙ୍କ ସାଂଗଠନ ଅଭିବୃଦ୍ଧି କଥା ଚିନ୍ତା କରୁଥିବା ବେଳେ ବିଜେପିର ଅଭିବୃଦ୍ଧି ସେମାନଙ୍କ ପାଇଁ ବାଧକ ହୋଇଛି ।
ସ୍ୱାଧୀନତା ପରେ ଦେଶରେ ବିଭାଜିତ ଅବସ୍ଥାରେ ଥିବା କମ୍ୟୁନିଷ୍ଟମାନେ ବିଭିନ୍ନ ରାଜ୍ୟରେ ସେମାନଙ୍କ ସଂଗଠନ ସକ୍ରୀୟ ରଖି ରାଜନୈତିକ କାର୍ଯ୍ୟକଳାପ ଚଳାଇ ଥିଲେ ମଧ୍ୟ କମ୍ୟୁନିଷ୍ଟ ଶାସିତ ରାଜ୍ୟ ସଂଖ୍ୟା କମି କମି ଚାଲିଛି । ପଶ୍ଚିମ ବଙ୍ଗ ଏବେ ତୃଣମୂଲ କଂଗ୍ରେସ ହାତରେ । ତ୍ରିପୁରା ବି ବିଜେପି ଦଖଲ କରି ନେଇଛି । କେରଳରେ କମ୍ୟୁନିଷ୍ଟମାନେ ସୀମିତ । ସେହିପରି, ଜନତା ପାର୍ଟି ଓ ପରେ ଜନତା ଦଳ ଦେଶର ପ୍ରମୁଖ ଜାତୀୟ ଦଳ ଭାବେ ମୁଂଡ ଟେକି ଏକାଧିକ ଥର ସରକାର ଗଢ଼ି ଥିଲେ ମଧ୍ୟ ପରବର୍ତୀ ସମୟରେ ବିଭାଜିତ ହୋଇ ଅସ୍ତିତ୍ୱ ହରାଇଛନ୍ତି । ଜନତା ପାର୍ଟି ଓ ଜନତା ଦଳରୁ ସୃଷ୍ଟି ହୋଇ ଥିବା ଜନତା ଦଳ (ଏସ୍), ଜନତା ଦଳ (ୟୁ), ବିଜେଡି, ରାଜଦ, ସପା, ଲୋକଦଳ, ଲୋକ ଜନଶକ୍ତି ଦଳ, ଲୋକଦଳ (ଚୌତାଲା) ପରି ଦଳମାନେ କ୍ଷମତା ପାଇଁ ନୀତି, ଆଦର୍ଶକୁ ପରିତ୍ୟାଗ କରି ଜନ ସମର୍ଥନ ହରାଇଛନ୍ତି । ଏସବୁ ଦଳର ନେତାମାନେ ପୁନର୍ବାର ବିରୋଧୀ ମେଂଟକୁ ଉଜ୍ଜୀବିତ କରି ବିଜେପି ଓ କଂଗ୍ରେସର ଏକ ମଜବୁତ ବିକଳ୍ପ ହେବାକୁ ଉଦ୍ୟମ କରୁଥିଲେ ମଧ୍ୟ ତାହାର ନେତୃତ୍ୱ କିଏ ନେବ ସ୍ଥିର ହୋଇପାରୁ ନ ଥିବାରୁ ଆଲୋଚନା ବିଫଳ ହେଉଛି । ଫଳରେ, ଏଯାବତ୍ ତୃତୀୟ ବିକଳ୍ପର ସ୍ୱପ୍ନ ଅଧୁରା ରହିଛି । ସତୁରୀ ଓ ଅଶୀ ଦଶକର ଜନତା ପାର୍ଟି ଓ ଜନତା ଦଳର ଉତ୍ତର ଦାୟଦମାନେ ଏବେ ୟୁପି, ଓଡିଶା, ବିହାର, କର୍ଣ୍ଣାଟକ, ହରିଆନା ପରି ରାଜ୍ୟରେ ସରକାର କରିଛନ୍ତି ବା ପ୍ରମୁଖ ଦଳ ଭାବେ ରହିଛନ୍ତି ସିନା ବ୍ୟକ୍ତିଗତ ସ୍ୱାର୍ଥ ଓ ଅଂହକାର ଯୋଗୁ ସେମାନେ ସଂଗଠିତ ହୋଇ ପାରୁ ନାହାନ୍ତି । ଫଳରେ, ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ପୂର୍ଣ୍ଣ ବହୁମତ ପାଇ କେନ୍ଦ୍ରରେ ନିରଂକୁଶ କ୍ଷମତା ଉପଭୋଗ କରୁଛି । ଜାତୀୟ କଂଗ୍ରେସ ଠାରୁ ସଂପର୍କ ବିଛିନ୍ନ କରି ପିଡିପି, ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ), ୱାଇଏସ୍ଆର କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି ଭଳି ଆଂଚଳିକ ଦଳର ନେତାମାନେ ନିଜ ଦମ୍ ରେ ରାଜନୀତି କରୁଛନ୍ତି ସିନା ଆଦର୍ଶ, ସମନ୍ୱିତ ଲକ୍ଷ୍ୟ ଓ ଜାତୀୟ ନୀତିର ଅଭାବରୁ ଜାତୀୟ ରାଜନୈତିକ ଦୃଶ୍ୟପଟ୍ଟରେ ଗୁରୁତ୍ୱ ହରାଇ ଥିବା ଲକ୍ଷ୍ୟ କରାଯାଉଛି । ଟିଏମସି ନେତ୍ରୀ ମମତା ବାନାର୍ଜୀ ତାଙ୍କ ପୂର୍ବତନ କଂଗ୍ରେସ ସହଯୋଗୀ ଟିଆରଏସ୍ ନେତା ଚନ୍ଦ୍ରଶେଖର ରାଓଙ୍କ ସହ ମିଶି ତୃତୀୟ ସାମ୍ମୁଖ୍ୟର ପରିକଳ୍ପନା କରୁଥିବା ବେଳେ କଂଗ୍ରେସକୁ ଏହାର ଏକ କ୍ଷୁଦ୍ର ସହଯୋଗୀ ଭାବେ ରଖିବାକୁ ଚାହୁଁ ଥିବାରୁ କଂଗ୍ରେସ ଦୂରେଇ ରହୁଛି । ଫଳରେ, ‘ଘରେ ନ ପସୁଣୁ ମୁଂଡରେ ଚାଳ ବାଜିବା’ ନ୍ୟାୟରେ ପ୍ରସ୍ତାବିତ ତୃତୀୟ ସମ୍ମୁଖ୍ୟର ଅନ୍ଧାରରେ ରହିଛି । ଆଦର୍ଶ ଓ ଜାତୀୟ ନୀତି ନଥ ।ଇ କୌଣସି ରାଜନୈତିକ ଦଳ ବା ସାମ୍ମୁଖ୍ୟ ଜାତୀୟ ସ୍ତରରେ ସୁଶାସନ ଦେବାର ପ୍ରତିଶ୍ରୁତି ରଖିବା ଅବାସ୍ତବ ଓ ଛଳନାପୂର୍ଣ୍ଣ ହିଁ କୁହାଯିବ ।
ଏବେ ଆସିବା ମୂଳ ପ୍ରସଂଗକୁ । ବିଜେପି ଯେଉଁ ‘କଂଗ୍ରେସମୁକ୍ତ ଭାରତ’କଥା କହୁଛି, ତାହା କେତେଦୂର ବାସ୍ତବତା ପରଖିବା । ଦେଶର ୩୦ ରାଜ୍ୟରୁ ୩ଟିରେ ଏବେ କଂଗ୍ରେସ ସରକାର ସୀମିତ । ତେବେ, ୨୦ରୁ ଉଦ୍ଧ୍ୱର୍ ରାଜ୍ୟରେ ଦଳ ମୁଖ୍ୟ ବିରୋଧୀ ଭୂମିକାରେ ରହିଛି । କଂଗ୍ରେସର ମୁଖ୍ୟ ଶତୃ ହୋଇଛି – ଅହଂକାର, ଦୁର୍ନୀତି, ରାଜନୈତିକ ଆଦର୍ଶରୁ ବିଚ୍ୟୁତି ଓ ଉପଯୁକ୍ତ ନେତୃତ୍ୱର ଅଭାବ । ଭାରତ ଭଳି ଏକ ବହୁଭାଷୀ ଓ ବିବିଧତାପୂର୍ଣ୍ଣ ଦେଶରେ କଂଗ୍ରେସ ଭଳି ଏକ ଶତାଧିକ ବର୍ଷ ଐତିହ୍ୟ ସଂପନ୍ନ ଦଳ ନିଶ୍ଚିହ୍ନ ହୋଇଯିବ ବୋଲି ଭାବିବା ମୁର୍ଖାମୀ । ଦଳ ପଛରେ କେବଳ ଗୌରବମୟ ଐତିହ୍ୟ ନୁହେଁ, ଗାନ୍ଧୀ ପରିବାର ଭଳି ଏକ ସମର୍ପିତ ଭାବଧାରାର ନେତୃତ୍ୱ ରହିଛି । ଫଳରେ, ଏବେ ମଧ୍ୟ କଂଗ୍ରେସର ବିକଳ୍ପ ଭାରତରେ ସୃଷ୍ଟି ହୋଇ ପାରି ନାହିଁ । ପୂର୍ବର ଜନତା ଦଳ, ବହୁଜନ ସମାଜ ପାର୍ଟି, କମ୍ୟୁନିଷ୍ଟ ଓ ‘ଆପ୍’ ପରି ରାଜନୈତିକ ଦଳଙ୍କ ବିବର୍ତନ ଧାରାକୁ ଲକ୍ଷ୍ୟ କଲେ ଭାରତରେ ପୁନର୍ବାର ଏକ ଶକ୍ତିଶାଳୀ ଜାତୀୟ ଦଳର ସୃଷ୍ଟି ସମ୍ଭବ ନ ଥିବା ସ୍ପଷ୍ଟ ହେଉଛି । ଏହା ସତ୍ୟ ଯେ, ଭାରତ ବର୍ଷକୁ କେବଳ ଏକ ଜାତୀୟ ଦଳ ହିଁ ଉପଯୁକ୍ତ ନେତୃତ୍ୱ ଦେଇ ପାରିବ । ତେଣୁ, ବିଜେପି ଦେଶକୁ କଂଗ୍ରେସ-ମୁକ୍ତ କରିବାର ଯେଉଁ ସ୍ଲୋଗାନ ଦେଉଛି ତାହା ପଛରେ କେବଳ ରାଜନୀତି ହିଁ ରହିଛି । ବାସ୍ତବତା ନାହିଁ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS