ଜାତୀୟ ଆଦିବାସୀ ଲୋକ ନୃତ୍ୟ ଓ ନାଟକ ମହୋତ୍ସବ ଉଦଯାପିତ
ରାଉରକେଲା (ମୋ ଅନୁଭବ)ସ୍ଥାନୀୟ ସିଭିକ୍ ସେଂଟର ପ୍ରେକ୍ଷାଳୟରେ ରାଉରକେଲାର ପ୍ରମୁଖ ନାଟ୍ୟ ଅନୁଷ୍ଠାନ ‘ସ୍ପନ୍ଦନ’ ଓ ଆରଏସପିର ମିଳିତ ଆନୁକୁଲ୍ୟରେ ତିନି ଦିନ ଧରି ଜାତୀୟ ଆଦିବାସୀ ଲୋକ ନୃତ୍ୟ ଓ ନାଟକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାନ୍ତାଳୀ, ହୋ, ସାଦରୀ ପ୍ରଭୃତି ଆଦିବାସୀ ଭାଷାରେ ରଚିତ ନାଟକ ପରିବେଷଣ ହୋଇଥିଲା । ରାଜ୍ୟର ଓ ପଡୋଶୀ ରାଜ୍ୟ ଛତିଶଗଡ ଏବଂ ଝାରଖଂଡର ପ୍ରମୁଖ ୪ଟି ନାଟ୍ୟ ଅନୁଷ୍ଠାନ ସହ ବହୁ ନୃତ୍ୟାନୁଷ୍ଠାନ ଏଥିରେ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ଦିବସରେ ‘ସ୍ପନ୍ଦନ’ର ସଭାପତି ପ୍ରକାଶ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏମ୍ମା ଏକ୍କା ମୁଖ୍ୟ ଅତିଥି ଓ ଆରଏସପିର ବରିଷ୍ଠ ଅଧିକାରୀ ନିରୋଦ ସମାନ୍ତରାୟ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଆଦିବାସୀ ନାଟ୍ୟ ମହୋତ୍ସବର ଭୂୟସୀ ପ୍ରଶଂସା କରିଥିଲେ ।
ମହୋତ୍ସବର ପ୍ରଥମ ଦିବସରେ ନାଟ୍ୟକାର ପ୍ରଦୀପ ପଣ୍ଡାଙ୍କ ରଚିତ ଓ ସାଲଖୁ ମାରାଂଡିଙ୍କ ନିର୍ଦେଶିତ ‘ସାଦରୀ’ ନାଟକ ‘ଆଦୀମ ଗାଛ୍’ ରାଉରକେଲା ସ୍ଥିତ ସାରନା ନବ ଯୁବକ ସଂଘର ଯୁବ କଳାକର ମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା । ନାଟକଟିରେ ଆଦିବାସୀ ଉଚ୍ଚ ଶିକ୍ଷିତ ଯୁବକମାନେ ସରକାରୀ ଚାକିରୀ ପାଇବା ପରେ କିପରି ପରିବାର ଠାରୁ ଦୂରେଇ ଯାଉଛନ୍ତି ଓ ଏହା ଫଳରେ ଆଦିବାସୀମାନେ ଯେଉଁ ଗରିବକୁ ସେହି ଗରିବ ହୋଇ ରହୁଛନ୍ତି, ତାହା ନିଖୁଣ ଭାବେ ପରିବେଷଣ କରାଯାଇଥିଲା । ଦ୍ୱିତୀୟ ଦିବସରେ ପ୍ରଥମାର୍ଧରେ ଶୁଭଙ୍କର ଚକ୍ରବର୍ତୀଙ୍କ ରଚିତ ଓ ଦୁର୍ଗା ଦାସ ଟପ୍ପୋଙ୍କ ଅନୁବାଦିତ ସାଦରୀ ଭାଷାର ନାଟକ ‘ଆଫେତ ବିପେତ’ ପରିବେଷଣ ହୋଇଥିଲା । ନାଟ୍ୟକାର ପଲ୍ଲବ ଚାଟାର୍ଜୀ ଏହି ନାଟକକୁ ନିର୍ଦେଶନା ଦେଇଥିଲେ । ରାଉରକେଲା ଓରାମପଡା କଲଚାରଲ ଆସୋସିଏସନର କଳାକାରମାନେ ନାଟକଟିକୁ ଜନ୍ନ୍ ରୂପ ଦେଇଥିଲେ । ନାଟକଟି ମୁଖ୍ୟତଃ ଆଦୀବାସୀମାନେ କିପରି ଭାବେ ସରକାରୀ ଯୋଜନା ନା’ରେ ଶୋଷଣର ଶିକାର ହୁଅନ୍ତି ଓ ବିଶିଷ୍ଟ ଜନବାଦୀ ଆଦିବାସୀ ନେତା ସାଲୋଖ ସୋରେନଙ୍କ ଜୀବନାବଳୀ ଉପରେ ପର୍ୟ୍ୟବସିତ ଥିଲା । ଏହି ନାଟକରେ ସ୍ଥାନୀୟ ନେତାଙ୍କଠାରୁ ଆରମ୍ଭ କରି ନାଟ୍ୟକାର ଓ ଲେଖକମାନେ ବି ଆତଙ୍କବାଦୀଙ୍କ ଶୋଷଣର ଶିକାର ହେବା ସହ ସେମାନଙ୍କ ଅଧିକାରରୁ ବଂଚିତ ହେଉଥିବା ପ୍ରଦର୍ଶିତ ହୋଇଥିଲା । ସେପରି ଦ୍ୱିତୀୟ ଦିବସର ଦ୍ୱିତୀୟାର୍ଧରେ ମେଦିସ ଆର୍ଟିଷ୍ଟ୍ ଆସୋସିଏସନ ଅଫ୍ ଟ୍ରାଇବାଲ, ଝାରଖଂଡର କଳାକାରମାନେ ‘ହୋ’ ଭାଷାରେ ରଚିତ ନାଟକ ‘କମଲୀ’ ପରିବେଷଣ କରି ଥିଲେ । ନାଟକଟିରେ ଜଳ, ଜମି, ଜଙ୍ଗଳକୁ ନେଇ କିଛି ରାଜନୈତିକ ବ୍ୟକ୍ତି ବିଶେଷ ରାଜନୀତି କରୁଥିବା ବେଳେ ସରଳ ଆଦିବାସୀମାନେ ଏହାର ଶିକାର ହେଉଥିବା ପ୍ରଦର୍ଶିତ ହୋଇ ଥିଲା । ତୃତୀୟ ଦିବସରେ ଚାଇଁବସାର ନାଟ୍ୟ ସଂସ୍ଥା ‘ବିଦୁଚନ୍ଦନ ଓଲିଡିନ ଆଶ୍ରା’ ତରଫରୁ ‘ସାନ୍ତାଳୀ’ ନାଟକ ‘ହାଏରେ ଇନାଗ କରୋମ ଖାତିର ଓଲୋଙ୍ଗ’ ପରିବେଷିତ ହୋଇଥିଲା ।
ଉଦଯାପନୀ ଦିବସ ଅବସରରେ ସୁନ୍ଦରଗଡ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ସନ୍ତୋଷ ଅମାତ ମୁଖ୍ୟ ଅତିଥି ଏବଂ ପୂର୍ବତନ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଓ ‘ସେଲୁ’ ହକି ଏକାଡେମୀର ପ୍ରଶିକ୍ଷକ ପିଟର ତିର୍କୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ୟ୍ୟକ୍ରମର ପ୍ରଶଂସା କରିଥିଲେ । ଏହି ଅବସରରେ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ଆଦିବାସୀ ପ୍ରତିଭା ଓ ନାଟ୍ୟ ପ୍ରତିଭାମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଧୀତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଦୁର୍ଗାଦାସ ଟପ୍ପୋ, ଡ. ସତ୍ୟ ମିଶ୍ର, ପ୍ରଫେସର ସମର ମୁଦୁଲି ପ୍ରମୁଖ ପରିଚାଳନା କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS