ବଜାରରେ ‘ନମୋ’ ଶାଢୀକୁ ଟକ୍କର ଦେଉଛି ‘ଇନ୍ଦିରା-ପ୍ରିୟଙ୍କା’ଶାଢୀ – ଭୋଟରଙ୍କ ପସନ୍ଦ ସ୍ପଷ୍ଟ ହେବ ମେ’୨୩ରେ..
(ସ୍ୱତନ୍ତ୍ର ପ୍ରତିନିଧି ଅଭିପ୍ସା ପୂଜାରୀ)
ନୂଆଦିଲ୍ଲୀ, ଏପ୍ରିଲ ୪: ବାଜିଲାଣି ୨୦୧୯ ନିର୍ବାଚନର ବିଗୁଲ । ସବୁ ଦଳ ନିଜ ନିଜ ପ୍ରଚାରରେ ମାଧ୍ୟମରେ ଲାଗିଛନ୍ତି ସାଧାରଣ ଜନତାର ମନ ଜିଣିବା ପାଇଁ । ବିଜେପି ସମର୍ଥକମାନେ ଚାରି ଆଡେ ପଦ୍ମର ପାଖୁଡା ବିଛେଇବା ବେଳେ କଂଗ୍ରେସ ସମର୍ଥକମାନେ ହାତ ପତାଇ ମାଗୁଛନ୍ତି ଭୋଟ । ତେବେ, ଏଥର ନିର୍ବାଚନ ପ୍ରଚାର ଫର୍ମୁଲାରେ କପି-ପେଷ୍ଟ୍ ଭୋଟରଙ୍କୁ ରୋମାଂଚିତ କରିଛି । ୫ ବର୍ଷ ତଳେ,୨୦୧୪ ସାଧାରଣ ନିର୍ବାଚନରେ ବିଜେପି ସମର୍ଥକମାନେ ‘ମୋଦୀ ଶାଢ଼ୀ’ ବିକ୍ରି ମାଧ୍ୟମରେ ନିର୍ବାଚନ ପ୍ରଚାର କରିଥିଲେ । ଏସିଆ ମହାଦେଶର ସର୍ବବୃହତ ଲୁଗା ବଜାର ଏବଂ ଶାଢ଼ୀ ତିଆରିର ପେଣ୍ଠ ସ୍ଥଳ ଭାବେ ପରିଚିତ ଗୁଜରାଟର ସୁରତ୍ ସହରରୁ ମୋଦୀ ସମର୍ଥକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛବି ଥିବା ଶାଢ଼ୀ ପ୍ରସ୍ତୁତ କରାଇ ବାଂଟିବା ବ୍ୟବସ୍ଥା କରିଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ଠିକ୍ ସେହି ପନ୍ଥା ଅନୁସରଣ କରିଛି କଂଗ୍ରେସ । ସୁରଟ୍ ନିବାସୀ ଗୌରବ ଶ୍ରୀମାଲି ପ୍ରିୟଙ୍କା, ରାହୁଲ ଓ ଇନ୍ଦିରା ଗାନ୍ଧୀଙ୍କ ଛବି ଥିବା ଶାଢ଼ୀ ତିଆରି କରାଇଛନ୍ତି । ପ୍ରଥମେ ସେ ଏଥିରୁ ୧୨୦ ଖଣ୍ଡ ଶାଢୀ ତିଆରି କରାଇ ମୁମ୍ବାଇସ୍ଥିତ କଂଗ୍ରେସ କର୍ମକର୍ତାଙ୍କ ନିକଟକୁ ପଠାଇ ଥିଲେ । ବର୍ତମାନ ଚାହିଦା ଅନୁସାରେ ଏହି ଶାଢ଼ୀ ତିଆରି ଚାଲିଛି । ଖଣ୍ଡିଏ ଶାଢ଼ୀର ମୂଲ୍ୟ ମାତ୍ର ୭୦୦ ଟଙ୍କା । ବେପାର ବି ଭଲ ଚାଲିଥିବା କହୁଛନ୍ତି ବେପାରୀ । ୧୫ ଦିନ ହେଲା ପ୍ରିୟଙ୍କା ଶାଢ଼ୀ, ପତକା, ଟୋପି ବ୍ରକ୍ରି କରୁଥିବା ଜିତରାମ୍ ଶାଢ଼ୀ ଷ୍ଟଲ୍ ମାଲିକ ନିଜ ବେପାରକୁ ନେଇ ଖୁବ୍ ସନ୍ତୁଷ୍ଟ । ଅନ୍ୟପଟେ ନରେନ୍ଦ୍ର ମୋଦୀ କ୍ୟାମ୍ପ୍ ‘ନମୋ’ ସ୍ଲୋଗାନ୍ ଦେଇ ନିର୍ବାଚନ ପ୍ରଚାର ଚଲାଇଛି । ‘ନମୋ’ ଆପ୍ ମାଧ୍ୟମରେ ପ୍ରଚାର କାର୍ଯ୍ୟକ୍ରମକୁ ଆଗେଇ ନେଉଛନ୍ତି ପଦ୍ମ ଦଳ । ‘ନମୋ’ କ୍ୟାପ୍, ‘ମେଁ ଭି ଚୌକିଦାର ହୁଁ’ ଟି-ସାର୍ଟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା କାନ୍ଥ ଘଂଟା, ଷ୍ଟେସନାରୀ ଜିନିଷ, ବେଲୁନ୍, ଛତା ଆଦି ‘ନମୋ ରଥ’ ନାମକ ଏକ ଟ୍ରକରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ‘ମେଁ ଭି ଚୌକିଦାର ହୁଁ’ ଟି ସାର୍ଟ ମାତ୍ର ୨୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ମୋଦୀ କାନ୍ଥ ଘଂଟାର ମୂଲ୍ୟ ମାତ୍ର ୨୭୫ ଟଙ୍କା । ‘ନମୋ’ ବ୍ୟବସାୟ ୨୦୧୮ ସେପ୍ଟେମ୍ବରରେ ଆରମ୍ଭ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ୧୦ କୋଟି ଟଙ୍କା ଲାଭ କରିଥିବା କୁହାଯାଉଛି । ବିଜେପି ଦାବି କରୁଛି, ‘ନମୋ’ ପ୍ରୋଜେକ୍ଟ୍ ସାଧାରଣ ଜନତାଙ୍କ ଭାବନା ସହିତ ଜଡିତ । ତେଣୁ, ଏଥିରୁ ଆସୁ ଥିବା ଅର୍ଥ ସମ୍ପୂର୍ଣ୍ଣ ଭାବେ ‘ନମାମି ଗଙ୍ଗେ ପ୍ରୋଜେକ୍ଟ’ରେ ବିନିଯୋଗ ହେବ । ଜଣେ ବିଜେପି କର୍ମକର୍ତା ମନୋଜ ଗୋଏଲ୍ ଏହି ସୂଚନା ଦେଇ ଥିବା ବେଳେ କଂଗ୍ରେସ ଦାବି କରୁଛି ‘ପ୍ରିୟଙ୍କା-ଶାଢୀ’ ଏବେ ବଜାରରେ ସମାନ ଭାବେ ଲୋକପ୍ରିୟ । ମହିଳାମାନେ ପ୍ରିୟଙ୍କା, ରାହୁଲ ଓ ଇନ୍ଦିରା ଗାନ୍ଧୀଙ୍କ ଛବିରେ ଚିତ୍ରିତ ଶାଢୀ ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି । ଏମିତି ତ ଜାତୀୟ ରାଜନୀତିରେ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇ ପରସ୍ପରର କୁତ୍ସାରଟନା କରୁଛନ୍ତି । ‘ନମୋ’ ଶାଢୀକୁ ପ୍ରିୟଙ୍କା-ଇନ୍ଦିରା ଶାଢୀ ମାହୋଲରେ ସାମାନ୍ୟ ରସ ଭରିଛି । ତେବେ, ଭୋଟ ଦେବା ବେଳେ ଭୋଟର କେଉଁ ଶାଢୀକୁ ଅଧିକ ପସନ୍ଦ କରିଛନ୍ତି ତାହା ମେ’ ୨୩ରେ ଜଣାପଡିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS