ଓଡ଼ିଶା ରାଜନୀତିରେ ଏକାକୀ ଅଭିମନ୍ୟୁ ନବୀନ..
– ପ୍ରସାଦ ରାଓ –
ଭୁବନେଶ୍ୱର, ୨୮ ଏପ୍ରିଲ: ଏପ୍ରିଲ ୧୧ରୁ ଓଡ଼ିଶାରେ ଆରମ୍ଭ ହୋଇଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ସୋମବାର ଅର୍ଥାତ ଏପ୍ରିଲ ୨୯ରେ ସରୁଛି । ଓଡ଼ିଶାର ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ନିର୍ବାଚନ ହେବାକୁ ଥିବା ବେଳେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ଆସନ ବ୍ୟତୀତ ଅନ୍ୟ ସମସ୍ତ ଆସନରେ ଭୋଟ ହୋଇଛି । ପାଟକୁରା ଆସନରୁ ବିଜେଡ଼ି ପ୍ରାର୍ଥୀ ଥିବା ପୂର୍ବତନ ମନ୍ତ୍ରୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁ ଏହି ଆସନରେ ଭୋଟ ସ୍ଥଗିତ ରହିଛି । ମେ’ ୧୯ରେ ପାଟକୁରା ପାଇଁ ଭୋଟ ହେବ ବୋଲି ଭାରତର ନିର୍ବାଚନ ଆୟୋଗ ଘୋଷଣା କରି ଅନିଶ୍ଚିତତା ଦୂର କରିଛନ୍ତି । ତେଣୁ, ଧାର୍ଯ୍ୟ ତାରିଖ ସୁଦ୍ଧା ଦେଶବ୍ୟାପୀ ନିର୍ବାଚନ ସରି ମେ’ ୨୩ରେ ସବୁ ଆସନର ଫଳାଫଳ ପ୍ରକାଶ ପାଇବା ନିଶ୍ଚିତ ।
ମେ’ ୧୯ରେ ପାଟକୁରା ଉପ ନିର୍ବାଚନ ଥିବାରୁ ରାଜ୍ୟରେ ଚାରି ପର୍ଯ୍ୟାୟରେ ଭୋଟ ଶେଷ ହୋଇଥିଲେ ମଧ୍ୟ ରାଜନୈତିକ ବାତାବରଣ ଉଷ୍ଣ ରହିଛି । କାରଣ, ପାଟକୁରା ଉପନିର୍ବାଚନକୁ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କ ଦଳ ବିଜେଡ଼ି ଏବଂ ବିରୋଧୀ ବିଜେପି ସମ୍ମାନର ପ୍ରଶ୍ନ ଭାବେ ଧରି ନେଇଛନ୍ତି । ଓଡ଼ିଶା ରାଜନୀତିର ଅନ୍ୟତମ ଭୀଷ୍ମ ପିତାମହ ଭାବେ ପରିଚିତ ନବୀନ-ବିରୋଧୀ ନେତା ବିଜୟ ମହାପାତ୍ର ଏହି ଆସନରୁ ବିଜେପି ପ୍ରାର୍ଥୀ ଅଛନ୍ତି । କାଲି ଚତୁର୍ଥ ପର୍ଯ୍ୟାୟ ଭୋଟ ସବୁ ସରୁ ବିଜେଡ଼ିର ସମସ୍ତ ରଥୀ, ମହାରଥୀ ପାଟକୁରାରେ ଡ଼େରା ପକାଇବେ । ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର ପାଟକୁରା ଉପ ନିର୍ବାଚନ ପରେ ହିଁ ସରିବ । କାଲି ମୋଟାମୋଟି ଭାବେ ସରିବାକୁ ଯାଉଥିବା ୨୦୧୯ ନିର୍ବାଚନ ମହାଯୁଦ୍ଧ ଓଡ଼ିଶାରେ ଉଭୟ ବିଜେଡ଼ି ଓ ବିଜେପି ପାଇଁ କୌଣସି ଗୁଣରେ କୁରୁକ୍ଷେତ୍ରଠାରୁ କମ୍ ନ ଥିଲା । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ବିଜେଡ଼ିକୁ ଘେରିବାର କୌଣସି ସୁଯୋଗକୁ ହାତଛଡା କରି ନ ଥିବା ବେଳେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ଓଡ଼ିଶାରେ କଂଗ୍ରେସ ସ୍ଥିତି ଦୁର୍ବଳ ଥିବା ସତ୍ୱେ ଉଭୟ ବିଜେପି ଓ ବିଜେଡ଼ିକୁ ଟାର୍ଗେଟ୍ କରି ନିଜର ଉପସ୍ଥିତି ଜାହିର କରିଛନ୍ତି । ଅପରପକ୍ଷରେ, ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ‘ଏକାକୀ ଅଭିମନ୍ୟୁ’ ସାଜି ଦଳର ନିର୍ବାଚନ ରଥରେ ସାରଥୀ ହୋଇଥିବା ଏବଂ ସାରା ରାଜ୍ୟ ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳି ଥିଲା । କେତେବେଳେ ମହିଳା ଏସଏଚଜି ସମାବେଶ ତ ଅନ୍ୟ କେତେବେଳେ ‘କାଳିଆ’ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯାଇଛନ୍ତି ।
ପ୍ରଥମେ ପ୍ରଥମେ ନବୀନଙ୍କୁ ଘେରିବା ପାଇଁ ବିରୋଧୀ ପିପିଲିର ବେବିନା ଓ କୋରାପୁଟର କୁନ୍ଦୁଲି ଗଣଦୁଷ୍କର୍ମ ମାମଲାକୁ ପ୍ରସଙ୍ଗ କରିଥିଲେ । ଓଡ଼ିଶାରେ ନାରୀ ଅସୁରକ୍ଷିତ, ଏଭଳି ଏକ ଧାରଣା ଜନ୍ମାଇବା ପାଇଁ ବିଜେପି ପ୍ରାଣପଣେ ଉଦ୍ୟମ କରିଥିଲା । ଏପରିକି, ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁହଁରେ ବେବିନା କଥା କୁହାଇ ରାଜ୍ୟରେ ହଇଚଇ ସୃଷ୍ଟି କରିବା ସହ ତକ୍ରାଳୀନ କୃଷି ମନ୍ତ୍ରୀ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ କ୍ଷମତାରୁ ହଟାଇବାରେ ବିଜେପି ସଫଳ ହୋଇଥିଲା । ଏହାଛଡା, ରାଜ୍ୟ ସରକାରଙ୍କ ଅପାରଗତା ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ମଧ୍ୟ ବିଜେପିର ପ୍ରଚାର ସରଗରମ ଥିଲା । ପରିଣତ ବୟସରେ ମଧ୍ୟ ଦଳର ଏକକ ନେତୃତ୍ୱ ନେଉଥିବା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବ (?), ତାହା ମଧ୍ୟ ବିଜେପିର ନିର୍ବାଚନ ପ୍ରସଙ୍ଗ ଥିଲା । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ମୁହଁ କିଏ (?) ବୋଲି ପାଲଟା ପ୍ରଶ୍ନ କରିବା ସହ ବିଜେଡ଼ି ସରକାର ରାଜ୍ୟରେ କରିଥିବା ବିକାଶମୂଳକ କାର୍ଯ୍ୟର ଲମ୍ବା ସୂଚୀ ଉପସ୍ଥାପନ କରି ବିଜେପିକୁ ମୁହଁତୋଡ ଜବାବ ଦେଇଥିଲେ । ରାଜ୍ୟ ସରକାର ଅପାରଗ ନୁହଁନ୍ତି, କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ସରକାର ପାଂଚ ବର୍ଷ ଭିତରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଅନୁଦାନ କାଂଟଛାଂଟ କରି, କିଛି କେନ୍ଦ୍ରୀୟ ଯୋଜନା ବନ୍ଦ କରି ଏବଂ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ନ ଦେଇ ଅବହେଳା କରି ଆସିଛନ୍ତି ଏବଂ କେନ୍ଦ୍ର ମନ୍ତ୍ରୀ ପରିଷଦରେ ଥିବା ଓଡ଼ିଶାର ଜଣେ ମନ୍ତ୍ରୀ ଓଡ଼ିଶା-ବିରୋଧୀ କାର୍ଯ୍ୟ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିବା ସହ ଓଡ଼ିଶାକୁ ଦୁର୍ବଳ କରିବାକୁ କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ନିନ୍ଦା କରିଛନ୍ତି । ସେ ଅସୁସ୍ଥ ନୁହନ୍ତି, ସଂପୂର୍ଣ୍ଣ ସୁସ୍ଥ – ଏହା ପ୍ରମାଣିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଅବସ୍ଥା ସଂପର୍କୀତ ଏକ ଭିଡ଼ିଓ ବିଜେଡ଼ି ଜାରି କରିଥିଲା । ଦୁଇ ମାସରୁ ଉଦ୍ଧ୍ୱର୍ ସମୟ ହେଲା ମୁଖ୍ୟମନ୍ତ୍ରୀ ଏକାକୀ ରାଜ୍ୟରେ ନିରନ୍ତର ନିର୍ବାଚନ ପ୍ରଚାର କରି ମୁଖ୍ୟମନ୍ତ୍ରୀ ତାହା ସାବ୍ୟସ୍ତ କରିଛନ୍ତି । ଏପରିକି, ଚତୁର୍ଥ ପର୍ଯ୍ୟାୟ ଭୋଟ ପ୍ରଚାର ସରିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଜ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରୁଥିବା ରାଜ୍ୟବାସୀ ଦେଖିଛନ୍ତି ।
ରାଜ୍ୟରେ ଲଗାତର ୧୯ ବର୍ଷ କ୍ଷମତାରେ ଥିବା ବିଜେଡ଼ିର ଦଳର ମୁଖ୍ୟଙ୍କ ନିକଟରେ ଅସଂଖ୍ୟ ଲୋକବଳ ଓ ସମ୍ବଳ ଥାଇ ସୁଦ୍ଧା ସେ ଏକାକୀ ସାରା ରାଜ୍ୟ ବୁଲି ଦଳ ପାଇଁ ନିର୍ବାଚନ ପ୍ରଚାର କରିବାର ଆବଶ୍ୟକତା କାହିଁକି ପଡିଲା? ଏଭଳି ଏକ ପ୍ରଶ୍ନ ରାଜ୍ୟବାସୀଙ୍କ ମନକୁ ଆନ୍ଦୋଳିତ କରୁ ଥାଇପାରେ । ତାହାର ଉତ୍ତର ଅତ୍ୟନ୍ତ ସରଳ । ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କ ନିରାଡମ୍ବର ଜୀବନଶୈଳୀ ଦ୍ୱାରା ପ୍ରଭାବିତ, ଏଥିରେ କିଛି ସନ୍ଦେହ ନାହିଁ । ଓଡ଼ିଶାର କିମ୍ବଦନ୍ତୀ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁତ୍ର ଭାବେ ସେ ୯୦ ଦଶକ ଶେଷ ଭାଗରେ ଓଡ଼ିଶା ରାଜନୀତିରେ ପ୍ରବେଶ କରି ଏନଡ଼ିଏ ସରକାରରେ କେନ୍ଦ୍ର ମନ୍ତ୍ରୀ ହୋଇ ଥିଲେ । ପରେ ୨୦୦୦ ମସିହାରୁ ୧୯ ବର୍ଷ ହେଲା ରାଜ୍ୟକୁ ଏକ ସ୍ଥିର ସରକାର ଦେଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତଥାପି ତାଙ୍କରି ଦଳର ବହୁ ନେତା ଚିଟଫଣ୍ଡ୍ ଦୁର୍ନୀତି ଭଳି ବହୁ ଦୁର୍ନୀତିରେ ଛନ୍ଦି ହୋଇ ସିବିଆଇ ଜେରାର ସମ୍ମୁଖୀନ ହେବା ଏବଂ ଜେଲ୍ ଯିବା ନବୀନଙ୍କ ପ୍ରତି ଅଡୁଆ ହୋଇଛି । ବିଜେପି ଓ କଂଗ୍ରେସ ବିଜେଡ଼ିର ଏହି ଦୁର୍ବଳତାରୁ ଫାଇଦା ନେବାକୁ ଉଦ୍ୟମ କରିଛନ୍ତି । ଗୋଟିଏ ସରକାର ଦୀର୍ଘ ସମୟ ଶାସନ ରହିବା ପରେ ସେହି ସରକାରକୁ ବଦଳାଇବା ପାଇଁ ଜନସାଧାରଣରେ ମାନସିକତା ସୃଷ୍ଟି ହେବା ସ୍ୱାଭାବିକ । ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଭୋଟରଙ୍କ ସେହି ମାନସିକତାରୁ ଫାଇଦା ନେବାକୁ ପର୍ଯ୍ୟାପ୍ତ ପ୍ରୟାସ କରିଛନ୍ତି । କେନ୍ଦ୍ର ସରକାର ନିଜ ଆବଶ୍ୟକତା ସମୟରେ ନବୀନଙ୍କ ସହାୟତା ନେଇ ଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ଅଂଟା ଭିଡିବା କଥାକୁ ରାଜନୀତି କହି ‘ବିଶ୍ୱାସଘାତକା’କୁ ନ୍ୟୁନ କରିବା ଠିକ୍ ହେବ ନାହିଁ । ନବୀନ କିନ୍ତୁ ଶାନ୍ତ । ସ୍ୱାଭାବ ସୁଲଭ ଢଙ୍ଗରେ ସେ ବିଜେପିକୁ ମାପିଚୁପି ସମାଲୋଚନା କରିଛନ୍ତି । ମାରାଥନ ଗସ୍ତରେ ଯାଇ ସମଗ୍ର ରାଜ୍ୟରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ମାଧ୍ୟମରେ ସେ ଦଳ ବିରୋଧରେ ରହି ଥିବା ଅନ୍ତଃସ୍ରୋତକୁ କାଟି ଦଳକୁ ପୁନର୍ବାର ପୂର୍ବସ୍ଥିତିକୁ ଫେରାଇ ଆଣିବା ଉଦ୍ୟମ କରିଛନ୍ତି । ପ୍ରଚାରର ଶେଷ ପର୍ଯ୍ୟାୟରେ ନବୀନ ଦୃଢ ଭାବେ ଘୋଷଣା କରିଛନ୍ତି, ଓଡ଼ିଶାରେ ଦଳ ପୂର୍ବ ଥର ତୁଳନାରେ ଏଥର ଭଲ ଫଳାଫଳ କରିବ । ପଂଚମ ଥର ପାଇଁ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସେହି ଉତ୍ସବରେ ଉପସ୍ଥିତ ରହିବାକୁ ନବୀନ ଆଗୁଆ ଆମନ୍ତ୍ରଣ ଦେଇ ନିଜ ଆତ୍ମବିଶ୍ୱାସର ପରିଚୟ ଦେବା ସହ ବିଜେପିକୁ କଟାକ୍ଷ କରିଛନ୍ତି ।
ଏହି ଆତ୍ମବିଶ୍ୱାସର କାରଣ ହେଉଛି, ନବୀନ ଅନ୍ୟ କାହାକୁ ଭରସା ନ କରି ଏକାକୀ ସମଗ୍ର ରାଜ୍ୟ ବୁଲି ଥିଲେ ଏବଂ ଭୋଟରଙ୍କ ସହ ସିଧାସଳଖ ସଂପର୍କ ସ୍ଥାପନ କରିଥିଲେ । ତାଙ୍କ ରୋଡ-ସୋ’ଗୁଡିକରେ ଲକ୍ଷାଧିକ ଜନତାଙ୍କ ଉପସ୍ଥିତି ଓ ସିଧାସଳଖ ଭାବର ଆଦାନ ପ୍ରଦାନ ଓଡ଼ିଶାବାସୀଙ୍କ ମନରେ ତାଙ୍କ ପ୍ରତି ରହିଥିବା ବିଶ୍ୱାସକୁ ପ୍ରତିଫଳିତ କରିଛି । ଇତିମଧ୍ୟରେ ସେ ଓଡ଼ିଶାବାସୀଙ୍କ ଆତ୍ମାକୁ ଚୁଇଁବାର କୌଶଳ ଶିଖି ନେଲେଣି ବୋଲି ତାଙ୍କ ସମାଲୋଚକମାନେ ମଧ୍ୟ ସ୍ୱୀକାର କରୁଛନ୍ତି । ନିର୍ବାଚନ ପ୍ରଚାରର ପ୍ରାରମ୍ଭରେ ନବୀନଙ୍କ ଭାଷଣରେ ଆତ୍ମିୟତାର ଝଲକ କମ୍, ଯାନ୍ତ୍ରିକତା ଅଧିକ ଦେଖିବାକୁ ମିଳି ଥିଲା । ତେବେ, ପ୍ରଚାରର ଶେଷ ପର୍ଯ୍ୟାୟରେ ସେ ଭାବପ୍ରବଣ ହୋଇ କହୁଥିବା ଜନତା ଦେଖିଛନ୍ତି । କେବଳ ସେ ସୁସ୍ଥ ନାହାନ୍ତି, ଓଡ଼ିଶାର ଚାରି କୋଟି ଜନତାକୁ ନିଜର ପରିବାର ଭାବେ ଗ୍ରହଣ କରି ନେଇଛନ୍ତି । ପଂଚମ ଥର ପାଇଁ କ୍ଷମତାସୀନ ହେଲେ ରାଜ୍ୟର ବିକାଶଧାରାକୁ ସେ ଅଧିକ ତ୍ୱରାନ୍ୱିତ କରିବେ ବୋଲି ନବୀନ ପ୍ରଚାରର ଶେଷ ଭାଗରେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କଲା ବେଳେ ସେଥିରେ ଭାବପ୍ରବଣତାର ଝଲକ ଦେଖିବାକୁ ମିଳିଛି । ତାଙ୍କ ପରେ ବିଜେଡ଼ିର ନେତୃତ୍ୱ ନେବ କିଏ ? ବିରୋଧୀ ଉଠାଇ ଥିବା ଏହି ପ୍ରଶ୍ନର ଉତ୍ତର ମଧ୍ୟ ନବୀନ ସିଧାସଳଖ ଦେଇଛନ୍ତି । ତାଙ୍କ ପରେ କିଏ ଦଳର ନେତୃତ୍ୱ ନେବ ତାହା ଦଳ ସ୍ଥିର କରିବ ବୋଲି ନବୀନ ଉତ୍ତର ରଖିଛନ୍ତି ।
୨୦୧୯ ସାଧାରଣ ନିର୍ବାଚନରେ ନବୀନଙ୍କ ସାମନାରେ ବଡ ଚ୍ୟାଲେଂଜ ହୋଇଥିଲା ସରକାର ବିରୋଧୀ ଅନ୍ତଃସ୍ରୋତ । ଓଡ଼ିଶାରେ ମହିଳା ସୁରକ୍ଷିତ ନୁହନ୍ତି ବୋଲି ବିଜେପି ଓ କଂଗ୍ରେସର ପ୍ରଚାର ସହ ଚାଷୀ ଆତ୍ମହତ୍ୟା, ରାଜ୍ୟରେ ବୃଦ୍ଧି ପାଇ ଥିବା ବେକାରୀ, ସରକାର ଓ ପ୍ରଶାସନରେ ସ୍ଥାଣୁ ଅବସ୍ଥା ଏବଂ ପାଣ୍ଡିଆନଙ୍କ ଭଳି ପ୍ରଶାସକଙ୍କ ଦଳ ଓ ଶାସନରେ ହସ୍ତକ୍ଷେପକୁ ନେଇ ଦଳ ଭିତରେ ଅସନ୍ତୋଷ ଏବଂ ବାହାରେ ସମାଲୋଚନା ନବୀନଙ୍କୁ ଅତିଷ୍ଟ କରିଥିଲା । କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡ଼ିରୁ ବହିଷ୍କାର କରାଯିବା ପଛରେ ଏହା ପ୍ରମୁଖ କାରଣ ରହିଥିଲା । ସରକାର ବିରୋଧରେ ବିରୋଧୀଙ୍କ ଅହରହ ପ୍ରଚାର ନବୀନଙ୍କୁ ପ୍ରତିରକ୍ଷାତ୍ମକ ସ୍ଥିତିରେ ରଖିଥିଲେ ମଧ୍ୟ ନିର୍ବାଚନ ତାରିଖ ଘୋଷଣାର ବହୁ ପୂର୍ବରୁ ସେ ରାଜ୍ୟର ଯୁବକ, ଯବତୀଙ୍କ ସହ ସେଲ୍ଫି ଉଠାଇବା, ତାଙ୍କରି ଛତ୍ରଛାୟା ତଳେ ଗଢି ଉଠି ଥିବା ୭୦ ଲକ୍ଷରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରିବା, ମହିଳାଙ୍କ ପାଇଁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ଦେଶବ୍ୟାପୀ ଅଭିଯାନ ଚଳାଇବା, ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା ଘୋଷଣା କରି ୪୦ ଲକ୍ଷ ଚାଷୀଙ୍କ ନିକଟରେ ଆର୍ଥିକ ସହାୟତା ପହଂଚାଇବା ଭଳି ସୁଚିନ୍ତିତ କାର୍ଯ୍ୟକ୍ରମ ମାଧ୍ୟମରେ ନିଜକୁ ସମ୍ଭାଳି ନେଇ ଥିଲେ । ବିଜେଡ଼ିର ନିର୍ବାଚନରେ ଦଳର ପ୍ରାର୍ଥୀ ଚୟନ ବେଳେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରି ସେ ଦେଶବାସୀଙ୍କୁ ଚକିତ କରିଛନ୍ତି । ନବୀନଙ୍କୂ ଅନୁସରଣ କରି ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟରେ ମହିଳାଙ୍କ ପାଇଁ ୪୨ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିବା ବେଳେ ବାସ୍ତବରେ ପଶ୍ଚିମ ବଂଗର ମହିଳାମାନେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ସୁବିଧା ପାଉଛନ୍ତି ବୋଲି ମମତା କହିଛନ୍ତି । ଏଆଇସିସି ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ନୀତିକୁ ସମର୍ଥନ ଦେଇଛନ୍ତି । ରାଜ୍ୟରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ ସମୟରେ ଦଳ ପକ୍ଷରୁ ୩୩ ପ୍ରତି ସ୍ଥାନରେ ମହିଳାଙ୍କୁ ପ୍ରାର୍ଥୀତ୍ୱ ଦେବାକୁ ନିର୍ଦେଶ ଆସିଥିଲା । କିନ୍ତୁ, ପିସିସି ଆବଶ୍ୟକ ସଂଖ୍ୟାରେ ମହିଳାଙ୍କୁ ପ୍ରାର୍ଥୀତ୍ୱ ଦେଇ ନ ପାରି ଅସନ୍ତୋଷର ଶିକାର ହୋଇଥିଲା ।
ଓଡ଼ିଶାରେ ନବୀନଙ୍କ ସବୁଠାରୁ ବଡ ଉପଲବ୍ଧୀ ହେଉଛି ‘କାଳିଆ’ ଯୋଜନା । ସେ ଭୂମିହୀନ କୃଷି ଶ୍ରମିକଙ୍କୁ ଏହି ଯୋଜନାରେ ସାମିଲ କରି କେନ୍ଦ୍ର ସରକାରଙ୍କୁ ଚକ୍ମା ଦେଇଛନ୍ତି । ଓଡ଼ିଶାର ଚାଷୀଙ୍କୁ ସେମାନଙ୍କ ଉତ୍ପାଦନର ଉଚିତ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ମିଳୁ ନ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରି ଧାନର କୁଇଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ଟଙ୍କା ଧାର୍ଯ୍ୟ କରାଯିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । କିନ୍ତୁ, କେନ୍ଦ୍ର ସରକାର ତାହାକୁ ଉପେକ୍ଷା କରି ୨୦୧୮ରେ ଧାନର କୁଇଂଟାଲ ପିଛା ଏମଏସପି ୨୦୦ ଟଙ୍କା ବଢାଇ ୧୭୭୦ ଟଙ୍କା ଧାର୍ଯ୍ୟ କଲେ, ଯାହାକି ଦେଶବ୍ୟାପୀ ଚାଷୀଙ୍କୁ ଅସନ୍ତୁଷ୍ଟ କରିଥିଲା । କେବଳ ଓଡ଼ିଶା ନୁହେଁ, ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି, ତାହା ୨୦୧୮ ଡ଼ିସେମ୍ବରରେ ଅନୁଷ୍ଠିତ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ପ୍ରତିଫଳିତ ହୋଇଛି । ଚାଷୀ ଅସନ୍ତୋଷ ଏହି ତିନି ରାଜ୍ୟରେ ଦୀର୍ଘ ବର୍ଷ ଧରି କ୍ଷମତାରେ ଥିବା ବିଜେପି ସରକାରଙ୍କୁ ଗାଦିଚ୍ୟୁତ କରି କୃଷି ଋଣ ଛାଡ ପ୍ରତିଶ୍ରୁତି ଦେଇଥିବା ଭାରତୀୟ ଜାତୀୟ କଂଗ୍ରେସକୁ କ୍ଷମତାକୁ ଆଣିଛି । ପ୍ରଥମେ ଏହାକୁ ‘ଆଂଟି ଇନକମ୍ବେନ୍ସି’ ଭୋଟ କହି ଫାଙ୍କିବାକୁ ଚେଷ୍ଟା କରିଥିବା ବିଜେପି ପରେ ଚାଷୀ ଅସନ୍ତୋଷ କଥା ସ୍ୱୀକାର କରିଛି । ଓଡ଼ିଶା ମଧ୍ୟ ଉଭୟ ‘ଆଂଟି ଇନ୍କମ୍ବେନ୍ସି’ ଓ ଚାଷୀ ଅସନ୍ତୋଷ କାମ କରୁଥିବା ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଋଣଛାଡର ବିକଳ୍ପ ଭାବେ ‘କାଳିଆ’ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନାରେ କେବଳ ଚାଷୀ ନୁହନ୍ତି, କୃଷି ଶ୍ରମିକ ଓ ଭୂମିହୀନ ଶ୍ରମିକ ମଧ୍ୟ ଉପକୃତ ହେଉଛନ୍ତି । ଯୋଜନା ପ୍ରାରମ୍ଭରେ ୪୦ ଲକ୍ଷ ଚାଷୀ ପରିବାରକୁ ଏଥିରେ ଅନ୍ତର୍ଭୁକ୍ତ ହେବା କତା କୁହାଯାଇଥିଲା । ପରବର୍ତର୍ୀ ସମୟରେ ତାହା ୬୦ ଲକ୍ଷକୁ ବୃଦ୍ଧି କରାଯାଇଛି । କେନ୍ଦ୍ର ସରକାର ତାହାର ଅନୁକରଣ କରି ପିଏମ୍ (ପ୍ରଧାନମନ୍ତ୍ରୀ)-କିଶାନ ଯୋଜନା କାର୍ଯ୍ୟକାରୀ କରିଥିଳେ ମଧ୍ୟ ସେଥିରେ ଭୂମିହୀନ ଶ୍ରମିକଙ୍କ ପାଇଁ କିଛି ବ୍ୟବସ୍ଥା ନ ଥିବାରୁ ନବୀନଙ୍କ ଯୋଜନା ଉକ୍ରୃଷ୍ଟ ବୋଲି ନୀତି ଆୟୋଗ ଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥାଙ୍କ ଦ୍ୱାରା ପ୍ରଶଂସିତ ହୋଇଛି । ତେବେ, ଏହି ଯୋଜନାରୁ ଓଡ଼ିଶା ସରକାର ଯେଭଳି ନିର୍ବାଚନୀ ଫାଇଦା ନ ପାଆନ୍ତି ସେଥି ସକାଶେ ନିର୍ବାଚନ କମିସନଙ୍କ ମାଧ୍ୟମରେ ‘କାଳିଆ’ ସହାୟତା ବଂଟନ ଉପରେ ରୋକ୍ ଲଗା ଯାଇଛି । କେନ୍ଦ୍ର ସରକାରଙ୍କ ପିଏମ୍-କିଶାନ ଯୋଜନା ଉପରେ ନିର୍ବାଚନ କମିସନ ରୋକ୍ ଲଗାଇ ନ ଥିବା ବେଳେ ‘କାଳିଆ’ର ବାଟ ଓଗାଳିବା ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ, ଏଥିରେ କିଛି ସନ୍ଦେହ ନାହିଁ । ଶାସକ ବିଜେଡ଼ି ପକ୍ଷରୁ ମଧ୍ୟ ଏ ନେଇ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଲିଖିତ ପ୍ରତିବାଦ କରାଯାଇଛି । କିନ୍ତୁ, ନିର୍ବାଚନ ଆୟୋଗ ନୀରବ । ଏଥିଯୋଗୁ ଦ୍ୱିତୀୟ କିସ୍ତି ‘କାଳିଆ’ ସହାୟତା ପାଇ ନ ଥିବା ଚାଷୀ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ବିଜେଡ଼ି ପଂଚମ ଥର କ୍ଷମତାସୀନ ହେଉ ହେଉ ଚାଷୀଙ୍କୁ ଏକାଥରକେ ଦୁଇଟି ଯାକ କିସ୍ତିର ଆର୍ଥିକ ସହାୟତା ପ୍ରଦାନ କରିଯିବ ବୋଲି ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଆଶ୍ୱସ୍ତ କରିଛନ୍ତି । କେନ୍ଦ୍ର ସରକାର ଜାଣିଶୁଣି ‘କାଳିଆ’ର ବାଟ ଓଗାଳିଛନ୍ତି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । ସେ ବଂଚି ଥିବା ପର୍ଯ୍ୟନ୍ତ ଚାଷୀଙ୍କୁ ‘କାଳିଆ’ ସହାୟତା ମିଳିବାରେ କେହି ପ୍ରତିବନ୍ଧକ ସୃଷ୍ଟି କରିବାରିବ ନାହିଁ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତି ଚାଷୀଙ୍କ ଭିତରେ ସୃଷ୍ଟି କରାଯାଇ ଥିବା ଅଶାନ୍ତିକୁ ପ୍ରସମିତ କରିବାରେ କେତେଦୂର ସହାୟକ ହୋଇଛି, ତାହା ମେ’ ୨୩ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେବ । ତେବେ, ଗୋଟିଏ କଥା କହି ଏହି ଲେକାଟି ଶେଷ କରିବାକୁ ଚାହୁଛି । ତାହା ହେଲା, ରାଜ୍ୟରେ ପଂଚମ ଥର ପାଇଁ ବିଜେଡ଼ିକୁ କ୍ଷମତାକୁ ଆଣିବା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ନିଜକୁ ଯେଭଳି ଭାବେ ବଦଳାଇଛନ୍ତି ଏବଂ ନିଜର ଗମ୍ଭୀର ଭାବମୂର୍ତର୍ୀକୁ ପରିତ୍ୟାଗ କରି ଭାବପ୍ରବଣତାକୁ ଯେଭଳି ଭାବେ ଆଶ୍ରା କରିଛନ୍ତି ତାହା ବିଜେଡ଼ିକୁ ନିର୍ବାଚନ ପୂର୍ବ ପ୍ରତିକୂଳ ସ୍ଥିତିରୁ ଉଦ୍ଧାର କରି ଅନୁକୂଳ ବାତାବରଣ ସୃଷ୍ଟି କରିଛି, ତାହା ପ୍ରଚାର ଶେଷ ପର୍ଯ୍ୟାୟରେ ଅନୁଭବ କରି ହୋଇଛି । ଏହି ପ୍ରତିକୂଳ ବାତାବରଣ ଓଡ଼ିଶା ଦଖଲ ପାଇଁ ବିଜେପିର ନିଶାକୁ ଓଡ଼ିଶା ମାଟିରେ ହିଁ କବର ଦେବ ବୋଲି ଅନୁମାନ କରାଯାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS