‘ଫୋନୀ’କୁ ନେଇ ଭୟ, ସରକାର ପ୍ରସ୍ତୁତ
(ଭୁବନେଶ୍ୱରରୁ ରିପୋର୍ଟ- ଅଭିପ୍ସା ପୁଜାରୀ)
ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ‘ଫୋନୀ’ ଅତି ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେଇ ଓଡ଼ିଶା ଉପକୂଳକୁ ମାଡି ଆସୁଛି । ଏହା ୧୯୯୯ ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି । ଏହି ସାମୁଦ୍ରିକ ଝଡ଼ ପୁରୀ ବାଲୁଖଣ୍ଡରେ ଲ୍ୟାଣ୍ଡଫଲ୍ କରିବ ବୋଲି ବୁଧବାର (ମେ’ ୧ତାରିଖ) ସନ୍ଧ୍ୟା ସୁଦ୍ଧା ମିଳି ଥିବା ରିପୋର୍ଟରୁ ଜଣାପଡିଛି । ସାମୁଦ୍ରିକ ଝଡ଼ ‘ଫୋନୀ’ ପୁରୀଠାରୁ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରାୟ ୬୫୦ କି.ମି ଦୂରରେ ଥିବା ଏବଂ ଘଂଟା ପ୍ରତି ୬ କିଲୋ ମିଟର ବେଗରେ ଓଡିଶା ଦିଗକୁ ମାଡି ଆସୁଥିବା ସୂଚନା ମିଳିଛି । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଂଟାକୁ ୧୭୫ ରୁ୧୮୫ କିମି, ଏପରିକି ୨୦୦ କି.ମି.ରୁ ଅଧିକ ରହିବ ବୋଲି ଆଇଏମ୍ଡିର ତଥ୍ୟ ଭିତ୍ତିରେ ରାଜ୍ୟ ସରକାର କହିଛନ୍ତି । ୩ ତାରିଖ ସନ୍ଧ୍ୟା ସାଢେ ୫ଟା ସୁଦ୍ଧା ଏହି ସାମୁଦ୍ରିକ ଝଡ଼ ପୁରୀ ନିକଟରେ ଲ୍ୟାଣ୍ଡଫଲ୍ କରି ପଶ୍ଚିମ ବଂଗ ଆଡକୁ ମୁହାଁଇବ ବୋଲି ଆକଳନ କରାଯାଉଛି । ରାଜ୍ୟ ସରକାର ‘ଫୋନୀ’ର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ସାରିଲେଣି । ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇ ପରିସ୍ଥିତିର ମୁକାବିଲ ପାଇଁ ପ୍ରସ୍ତୁତ ରଖାଯାଇଛି । ପ୍ରାଣୀ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ନନ୍ଦନ କାନନ ପ୍ରାଣୀ ଉଦ୍ୟାନକୁ ୪ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ଦ ରଖା ଯାଇଛି । ସରକାର ୨ ତାରିଖରୁ ସ୍କୁଲ କଲେଜ ବନ୍ଦ କରିଛନ୍ତି । ପୁରୀ ଶ୍ରୀକ୍ଷେତ୍ରକୁ ଆସି ଥିବା ପର୍ଯ୍ୟଟକଙ୍କୁ ସୁରକ୍ଷା ସଂପର୍କରେ ସତର୍କ କରି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବୁଧବାର ଦିନ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟାର ମୁକାବିଲା କାର୍ଯ୍ୟ ତଦାରଖ କରିବାକୁ ୧୧ ଜଣ ଆଇପିଏସ୍ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ଯେପରି ହୋଡିଂ ନ ହେବ ସେଥିପ୍ରତି ମଧ୍ୟ ସରକାର ଦୃଷ୍ଟି ରଖିଥିବା କୁହାଯାଉଛି । ସେହିପରି, ଜିଲ୍ଲା ପ୍ରଶାସନଗୁଡ଼ିକୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ୨୮ଟି ଏନ୍.ଡି.ଆର.ଏଫ୍ ଟିମ୍ ଏବଂ ୨୦ଟି ଓଡ୍ରାଫ୍ଟ ଟିମ ମୁତୟନ ହୋଇଛନ୍ତି । ସରକାରଙ୍କ ସମସ୍ତ ପଦକ୍ଷେପ ପରେ ମଧ୍ୟ ସାଧାରଣ ଜନତା ଆତଙ୍କିତ । ପ୍ରବଳ ବର୍ଷା ଓ ବାତ୍ୟା ପରିସ୍ଥିତିକୁ ଦେଖି ଗରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ସମସ୍ତେ ବ୍ୟସ୍ତ । ଫଳରେ, ଆଳୁ, ପିଆଜ ଓ ଅନ୍ୟାନ୍ୟ ସାମଗ୍ରୀ ଦର ଆକାଶଛୁଆଁ ହୋଇଛି । ୨ ତାରିଖରୁ ଦକ୍ଷିଣ ଓଡିଶାରେ ଓ ୩ ତାରିଖରୁ ଉପକୂଳ ଓଡ଼ିଶାରେ ପବଳ ପବନ, ବର୍ଷା ହେବା ଅନୁମାନ କରାଯାଉଛି । ପୁରୀ, ଗଂଜାମ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଅତ୍ୟଧିକ ଭାବେ ପ୍ରଭାବିତ ହେବ ।
କେନ୍ଦ୍ର ସରକାରଙ୍କ ଆଗୁଆ ସହାୟତା :
କେବେ ହୋଇ ନ ଥିଲା ଯାହା ଏଥର ହୋଇଛି । ସାମୁଦ୍ରିକ ଝଡ଼ ‘ଫୋନୀ’ ଓଡ଼ିଶା ମୁହାଁ ମାଡି ଆସୁଥିବା ବେଳେ କେନ୍ଦ୍ର ସରକାର ପରିସ୍ଥିତିର ମୁକାବିଲା ପାଇଁ କ୍ଷୟକ୍ଷତି ହେବାକୁ ଥିବା ରାଜ୍ୟଙ୍କୁ ଆଗୁଆ ଆର୍ଥିକ ସହାୟତା ଦେଇଛନ୍ତି । ଓଡ଼ିଶା ସମେତ ଆଗୁଆ ଆର୍ଥିକ ସହାୟତା ପାଇଥିବା ରାଜ୍ୟ ହେଉଛନ୍ତି- ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଓ ପଶ୍ଚିମ ବଂଗ । କେନ୍ଦ୍ର ସରକାର ଓଡିଶା ପାଇଁ ୩୪୦.୮୭୫ କୋଟି ଟଙ୍କା, ଆନ୍ଧ୍ର ପ୍ରଦେଶ ପାଇଁ ୨୦୦.୨୫ କୋଟି ଟଙ୍କା, ତାମିଲନାଡୁ ପାଇଁ ୩୦୯.୩୭୫ କୋଟି ଟଙ୍କା ଏବଂ ପଶ୍ଚିମବଙ୍ଗ ପାଇଁ ୨୩୫.୫୦ କୋଟି ଟଙ୍କା, ଏପରି ମୋଟ ୧୦୮୬ କୋଟି ଟଙ୍କାର ଆଗୁଆ ସହାୟତା ଦେଇଥିବା କହିଛନ୍ତି । ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ ରାଜ୍ୟ ବିଯର୍ପ୍ୟୟ ପ୍ରତିକାର ପାଣ୍ଠିକୁ ଏହି ଟଙ୍କା ମିଳିଛି । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାକୁ କେନ୍ଦ୍ର ସରକାର ଅଧିକ ଅର୍ଥ ରାଶି ମଂଜୁର କରିବା ପଛରେ କେନ୍ଦ୍ର ସରକାରଙ୍କ ସହୃଦୟତା ରହିଛି ନା ରାଜନୀତି ରହିଛି ସେ ନେଇ ଏବେ ଚର୍ଚ୍ଚା ହେଉଛି । ଆଗରୁ କେବେ ବନ୍ୟା, ବାତ୍ୟା ସମୟରେ କେନ୍ଦ୍ର ସରକାର ଆଗୁଆ ସହାୟତା ଦେବାର ନଜିର ନାହିଁ । ଓଲଟା, ରାଜ୍ୟ ସରକାର କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବା ପରେ କେନ୍ଦ୍ର ସରକାର କାଟଛାଂଟ କରି ଆର୍ଥିକ ସହାୟତା ଦେଇଥା’ନ୍ତି । ୨୦୧୯ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଫାଇଲିନ୍’ ଓ ‘ହୁଡ଼ହୁଡ଼’କୁ ନେଇ କେନ୍ଦ୍ର ସରକାର ତଥା ଶାସକ ବିଜେପିକୁ କଟୁ ସମାଲୋଚନା କରିଥିଲେ । ଓଡ଼ିଶାବାସୀ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ହଟହଟ୍ଟା ହୋଉଥିବା ବେଳେ ଶାସକ ବିଜେପି ନେତା ବା କେନ୍ଦ୍ର ନେତୃବର୍ଗ କେବେ ବି ଲୋକଙ୍କ ପାଖରେ ପହଂଚି ନାହାନ୍ତି, କେନ୍ଦ୍ରୀୟ ସହାୟତା ମିଳିବାରେ ମଧ୍ୟ ଓଡ଼ିଶାକୁ ଅବହେଳା କରାଯାଇଛି ବୋଲି ୨୦୧୯ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ଆକ୍ଷେପ କରିଥିଲେ । ଏହା କେନ୍ଦ୍ର ସରକାରଙ୍କ ଚୈତନ୍ୟ ଉଦୟ କରିଛି କି (?) ବୋଲି ସାଧାରଣରେ ପ୍ରଶ୍ନ ହେଉଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS