ଅସହିଷ୍ଣୁତା ସତ୍ୱେ ଗଣତନ୍ତ୍ର ବଂଚିଛି


– ପ୍ରସାଦ ରାଓ –
ଜୁନ ୧୪ ତାରିଖ
ଭାରତୀୟ ରାଜନୀତିରେ ଅସହିଷ୍ଣୁତା ବଢିଛି । ଏକଥା ମୁଁ ନୁହେଁ, ଦେଶର ବହୁ ବୁଦ୍ଧିଜୀବୀ ଅଭିଯୋଗ କରି ଆସୁଛନ୍ତି । ସ୍ପଷ୍ଟ ମତବ୍ୟକ୍ତ କରୁଥିବା ଲେଖକ, ସାମ୍ବାଦିକ ଓ ସୃଜନଧର୍ମୀ କଳାକାରମାନେ ବିଗତ ଦିନରେ ବିଭିନ୍ନ ସମୟରେ ଅସହିଷ୍ଣୁତାର ଶିକାର ହୋଇଥିବା ଅଭିଯୋଗ ରହିଛି । ଅଭିଯୋଗ କରି ବହୁ ଲେଖକ ଓ କଳାକାର ଅତୀତରେ ସେମାନଙ୍କୁ ମିଳି ଥିବା ପୁରସ୍କାର ଫେରାଇବା ଶାସକ ଦଳ ପାଇଁ ଅପମାନସୂଚକ ଥିଲା । ୨୦୧୯ ସାଧାରଣ ନିର୍ବାଚନରେ ନିର୍ଦ୍ଧିଷ୍ଟ କିଛି ବୁଦ୍ଧିଜୀବୀ କ୍ଷମତାସୀନ ଦଳକୁ ଭୋଟ ନ ଦେବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ । ଏଭଳି ପ୍ରଚାରର ପ୍ରତିହତ କରିବା ସକାଶେ ଶାସକ ଦଳ ପାଲଟା ପ୍ରଚାର ହାତକୁ ନେଇ ଦକ୍ଷିଣପନ୍ଥୀ ଚିନ୍ତାଧାରାକୁ ସମର୍ଥନ କରୁଥିବା କିଛି ସାହିତି୍ୟକ, ବୁଦ୍ଧଜୀବୀ ଓ ସୃଜନଧର୍ମୀ କଳାକାରଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସପକ୍ଷରେ ଭୋଟ ପାଇଁ ଆହ୍ୱାନ ଦେଇଥିଲା । ଭାରତୀୟ ରାଜନୀତିରେ ଏଭଳି ଆକ୍ଷେପ, ପ୍ରତ୍ୟାକ୍ଷେପ ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇ ଥିବାରୁ ଭୋଟର ତାହାକୁ ଗୁରୁତ୍ୱ ନ ଦେଇ ବିଜେପି ସପକ୍ଷରେ ବିପୁଳ ମତଦାନ କରିଛନ୍ତି । ଦେଶରେ ଦ୍ୱିତୀୟ ଥର ପାଇଁ ନରେନ୍ଦ୍ର ମୋଦୀଙ୍କ ସରକାର ପ୍ରତିଷ୍ଠା ହୋଇଛି । ନିର୍ବାଚନ ସରିବା ପରେ ସବୁ କିଛି ବ୍ୟବସ୍ଥିତ ହୋଇଯିବ ବୋଲି ଜନତାରେ ଆଶା ଥିଲା । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଦ୍ୱିତୀୟ ଥର କ୍ଷମତାସୀନ ହେବା ପରେ ଦେଶରେ ଅସହିଷ୍ଣୁତାକୁ ଆଉ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ । କିନ୍ତୁ, ଦଳର କିଛି ବରିଷ୍ଠ ନେତା ଅସହିଷ୍ଣୁତାରୁ ଉଦ୍ଧ୍ୱର୍କୁ ଉଠି କ୍ଷମତା କଥା ଚିନ୍ତା କରିପାରୁ ନ ଥିବା ନିକଟରେ ଉତ୍ତର ପ୍ରଦେଶରେ ଜଣେ ସାମ୍ବଦିକଙ୍କୁ ଗିରଫ କରାଯିବା ଓ ଅନ୍ୟ ଜଣେ ସାମ୍ବାଦିକଙ୍କ ପ୍ରତି ଜିଆରପିର ଦୁର୍ବ୍ୟବହାର ଘଟଣାରୁ ସ୍ପଷ୍ଟ ହେଉଛି । ୨୦୧୯ ନିର୍ବାଚନରେ ବିଜେପିକୁ ମିଳି ଥିବା ବିପୁଳ ଜନମତ ଅତୀତର ସବୁ ତୃଟୀକୁ ଜନତା ମାଫ କରି ଦେଇ ଥିବା ନେଇ ନୀରବ ସ୍ୱୀକୃତି ବୋଲି ଏହି ନେତାମାନେ ଭାବି ନେଇଥିବା ୟୁପି ଘଟଣାରୁ ଅନୁମାନ କରାଯାଉଛି ।
ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ବିଭିନ୍ନ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଦିଗ୍ଦର୍ଶନ ଦେଇ ଦେଶରେ ଗଣତନ୍ତ୍ରକୁ ବଂଚାଇ ଆସିଛି । ୟୁପି ଘଟଣାରେ ମଧ୍ୟ କୋର୍ଟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଗିଦ କରି ଗଣତନ୍ତ୍ର ବଂଚି ଥିବାର ସଂଦେଶ ଦେଇଛି । କୌଣସି ପରିସ୍ଥିତିରେ ମଧ୍ୟ ଦେଶର ସାଧାରଣ ଜନତାଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ ଗତ ୧୧ ତାରିଖ ଦିନ ରାୟ ଦେଇ ସଂଖ୍ୟାର ଖେଳ ସ୍ୱାଧୀନଚେତାଙ୍କ ସ୍ୱରକୁ ଚପାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ନୂଆଦିଲ୍ଲୀର ମୁକ୍ତଜୀବୀ (ଫ୍ରିଲାନ୍ସ) ସାମ୍ବାଦିକ ପ୍ରଶାନ୍ତ କନୋଜିଆଙ୍କ ୟୁପି ପୁଲିସ ବିନା କାରଣରେ ଗିରଫ କରି ଜେଲ ପଠାଇ ଦେବା ଘଟଣାରେ ସୁପ୍ରିମ କୋର୍ଟ ଖଣ୍ଡପୀଠର ଏହି ରାୟ ସମସ୍ତଙ୍କୁ ଆଶ୍ୱସ୍ତ କରିଛି । କୋର୍ଟଙ୍କ ନିର୍ଦେଶରେ କନୋଜିଆ ଜେଲରୁ ତୁରନ୍ତ ମୁକ୍ତ ହୋଇଛନ୍ତି । ତେବେ, ୟୁପି ସରକାର ଏଥିରୁ କିଛି ଶିକ୍ଷାଲାଭ କରି ନ ଥିବା ପରବର୍ତୀ ଘଟଣାଗୁଡ଼ିକରୁ ଜଣାପଡିଛି ।
ସାମ୍ବାଦିକ କନୋଜିଆଙ୍କ ବିରୋଧରେ ୟୁପି ପୁଲିସର ଅଭିଯୋଗ ହେଉଛି, ସେ ସାମାଜିକ ଗଣମାଧ୍ୟମରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବାଧିବା ଭଳି ମନ୍ତବ୍ୟ ଦେଇଛନ୍ତି । ମନ୍ତବ୍ୟଟି ହେଉଛି – ‘ଆରେଷ୍ଟ ! ଆରେଷ୍ଟ ! ଲିବରିଟି ହେଜ୍ ବିନ୍ ଇନଫ୍ରିଂଜଡ୍’… । ଏହି ମନ୍ତବ୍ୟ ପାଇଁ ଗତ ଜୁନ ୮ ତାରିଖରେ ୟୁପି ପୁଲିସ ଦିଲ୍ଲୀ ଆସି କନୋଜିଆଙ୍କୁ ଘରୁ ଉଠାଇ ନେଇ ଥିଲେ । ତାଙ୍କୁ ଗିରଫ କରାଯାଇ ତଳ କୋର୍ଟରେ ହାଜର କରାଯିବା ପରେ ୨୧ ତାରିଖ ଯାଏଁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା । ପୁଲିସ ସାଦା ପୋଷାକରେ ଆସି କନୋଜିଆଙ୍କୁ ଘରୁ ଉଠାଇ ନେବା ସହ ତାଙ୍କ ବିରୋଧରେ ଆପରାଧୀକ ମାନହାନୀ ଅଭିଯୋଗ (ଆଇପିସିର ୫୦୫ ଦଫା) ସହ ଆଇଟି (ସୂଚନା ଓ ପ୍ରଯୁକ୍ତି) ଆଇନରେ ମାମଲା ରୁଜୁ କରିଥିଲେ । ଉଲ୍ଳେଖନୀୟ ହେଉଛି, ଯୋଗୀ ଆଦିତ୍ୟନାଥ ନିଜେ ଅଭିଯୋଗକାରୀ ନ ହୋଇ ୟୁପିର ଜଣେ ଥାନା ସବ୍-ଇନସପେକ୍ଟରଙ୍କୁ ମୋହରା କରି ଏତାଲା ରେଜିଷ୍ଟ୍ରି କରାଇ ଥିଲେ । ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ବିରୋଧରେ ସାମ୍ବାଦିକ କାନୋଜିଆଙ୍କ ଟିପ୍ପଣୀ ‘ଛାତି ଚିରି ଦେଲା ଭଳି’ (ଭେରି ଷ୍ଟ୍ରଂଗ୍) ଥିଲା ବୋଲି ସୁପ୍ରିମ କୋର୍ଟରେ ସରକାରଙ୍କ ଅତିରିକ୍ତ ସଲିସିଟର ଜେନେରାଲ ଯୁକ୍ତି ବାଢିଛନ୍ତି । କନୋଜିଆ କେବଳ ଯୋଗୀଙ୍କୁ ନୁହେଁ, ଦେବାଦେବୀଙ୍କ ସଂପର୍କରେ ବିଭିନ୍ନ ସମୟରେ କଟୁ ଟିପ୍ପଣୀମାନ ଦେଇ ଥିବାର ଦଲିଲ ସୁପ୍ରିମ କୋର୍ଟରେ ପୁଲିସ ପେସ୍ କରିଥିଲେ । ତେବେ, ସୁପ୍ରିମ କୋର୍ଟ ଖଣ୍ଡପୀଠ ସେସବୁ ଗ୍ରହଣ ନ କରି ପୁଲିସ କନୋଜିଆଙ୍କୁ ଘରୁ ଉଠାଇ ଆଣି ଜେଲକୁ ପଠାଇ ଦେବାର ସେମିତି କିଛି କାରଣ ନ ଥିଲା ବୋଲି କହିଛନ୍ତି । କନୋଜିଆଙ୍କୁ ୨୧ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇ ଥିବା ତଳ କୋର୍ଟକୁ ମଧ୍ୟ ସୁପ୍ରିମ କୋର୍ଟ ଖଣ୍ଡପୀଠ ଭର୍ଛନା କରିଛନ୍ତି । ସାମ୍ବାଦିକ କନୋଜିଆଙ୍କ ବିରୋଧରେ କିଛି ଗର୍ହିତ ଅଭିଯୋଗ ଥିଲେ ତାହା ସ୍ୱାଭାବିକ ପ୍ରକ୍ରିୟାରେ ବିଚାର ହେବାରେ କିଛି ଅସୁବିଧା ନାହିଁ । ତେବେ, ମୁଖ୍ୟମନ୍ତ୍ରୀଙ୍କ ସଂପର୍କରେ କିଛି କଠୋର ଟିପ୍ପଣୀ ଦେଇଥିବା ଯୋଗୁ ତାଙ୍କୁ ଘରୁ ଉଠାଇ ନେଇ ଜେଲରେ ଠୁଂକି ଦିଆଯିବା ସାଧାରଣ ନାଗରିକର ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରିଛି ବୋଲି କୋର୍ଟ କହିବା ସହ କନୋଜିଆଙ୍କୁ ତୁରନ୍ତ ଖଲାସ କରଛନ୍ତି ।
କନୋଜିଆଙ୍କ ବିରୋଧରେ ଲକ୍ଷ୍ନୌ ପୁଲିସର ସାଇବର ସେଲ୍ ହଜରତଗଂଜ ପୁଲିସ ଥାନାରେ ଜୁନ ୭ରେ ମାମଲା ରୁଜୁ କରିଥିଲା । ୮ ତାରିଖ ଦିନ ବେଳେ ପୁଲିସ ତାଙ୍କୁ ନୂଆଦିଲ୍ଲୀସ୍ଥିତ ବାସଭବନରୁ ଉଠାଇ ନେଇ ଆଇପିସିର ୫୦୫ ଦଫା ଓ ଆଇଟି ଆଇନର ୬୬ ଧାରାରେ କୋର୍ଟରେ ହାଜର କରାଇ ଜେଲକୁ ପଠାଇ ଥିଲା । କନୋଜିଆଂକ ପୋଷ୍ଟ୍ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ବାଧିଲା ଭଳି ହୋଇଛି ବୋଲି ହଜରତଗଂଜ ଥାନା ସବ୍-ଇନିସପେକ୍ଟର ଅଶୋକ ଗୁପ୍ତା ନିଜ ଆଡୁ ମାମଲା ଦାଏର କରି ଥିଲେ । ଏହି ମାମଲାରେ ଲାଗୁ ଥିବା ସବୁ ଦଫା ଜାମିନଯୋଗ୍ୟ ହୋଇଥିବା ବେଳେ ସାଦା ପୋଷାକରେ ଆସି ଥିବା ଲକ୍ଷ୍ନୌ ପୁଲିସ ତାଙ୍କୁ ଦିଲ୍ଲୀ ଘରୁ ଉଠାଇ ନେଇ ଜାମିନ ଦେବା ପରିବର୍ତେ ଜେଲକୁ ପଠାଇ ଦେବା ‘କଳା ଆଇନ’ ବୋଲି ଜାତୀୟ ସ୍ତରରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । କନୋଜିଆଙ୍କ ପତ୍ନୀ ଜାଗିଶା ଆରୋରା ୟୁପି ପୁଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ କରି ତୁରନ୍ତ ଶୁଣାଣୀ ପାଇଁ ନିବେଦନ କରିଥିଲେ । କାନୋଜିଆଙ୍କୁ ଘରୁ ଉଠାଇ ନେବା ବେଳେ ପୁଲିସ ତାଙ୍କୁ (ଜିଗିଶାଙ୍କୁ) ଗିରଫ ସଂପର୍କରେ କୌଣସି ମେମୋ ଦେଇ ନ ଥିବା ଓ ଗିରଫ କରିବା କାରଣ ମଧ୍ୟ ସୂଚିତ କରି ନ ଥିବା ଜିଗିଶା ଅଭିଯୋଗ କରିଥିଲେ । ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ୍ ଅଜୟ ରାସ୍ତୋଗୀଙ୍କୁ ନେଇ ଗଠିତ ଏକ ଅବକାଶକାଳୀନ ଖଣ୍ଡପୀଠ ଜାଗିଶା ଆରୋରାଙ୍କ ଓକିଲ ନିତ୍ୟା ରାମକ୍ରିଷ୍ଣନ୍ ପିଟିସନକୁ ବିଚାର ପାଇଁ ଗ୍ରହଣ କରି ମଙ୍ଗଳବାର (୧୧ ତାରିଖ) ତାହାର ଜରୁରୀ ଶୁଣାଣୀ କରିଥିଲେ । ୪୦ ମିନିଟର ଶୁଣାଣୀ ସମୟରେ ଖଣ୍ଡପୀଠ କାନୋଜିଆଂକ ପୋଷ୍ଟ୍ ଗୁଡିକୁ ନାପସନ୍ଦ କରିଥିଲେ ମଧ୍ୟ ୟୁପି ପୁଲିସର କାର୍ଯ୍ୟାନୁଷ୍ଠାନକୁ ଅଗଣତାନ୍ତ୍ରିକ ଦର୍ଶାଇଛନ୍ତି । ସରକାର ଚାହିଁଲେ କାନୋଜିଆଙ୍କ ଟିପ୍ପଣୀ ସଂପର୍କରେ ତଦନ୍ତ କରାଇ ପାରିବେ ଏବଂ ପ୍ରଚଳିତ ଆଇନ ଅନୁଯାୟୀ ତାହାର ବିଚାରଣା ହୋଇପାରିବ । କିନ୍ତୁ, କୌଣସି ଠୋସ୍ କାରଣ ନ ଥାଇ କନୋଜିଆଙ୍କୁ ଘରୁ ଉଠାଇ ଆଣି ଜେଲକୁ ପଠାଇବା ମାନବାଧୀକାରର ଉଲଂଘନ ବୋଲି ଖଣ୍ଡପୀଠ ରୋକଠୋକ୍ କହିଛନ୍ତି ।
ସୁପ୍ରିମ କୋର୍ଟ ଖଣ୍ଡପୀଠ ଜାଗିଶାଙ୍କ ଆବେଦନ ଉପରେ ମଙ୍ଗଳବାର ଦିନ ଶୁଣାଣୀ କଲା ବେଳେ ଜାଗିଶାଙ୍କ ଓକିଲ ନିତ୍ୟାଙ୍କୁ କୋର୍ଟରେ ମୁହଁ ଖୋଲିବା ଆବଶ୍ୟକତା ପଡି ନ ଥିଲା । କାରଣ, ମାମଲାର ଶୁଣାଣୀ ସମୟରେ ପୁଲିସ ଅଗଣତାନ୍ତ୍ରିକ କାର୍ଯ୍ୟ କରିଥିବା ଖଣ୍ଡପୀଠର ହୃଦବୋଧ ହୋଇ ସାରି ଥିଲା ।
ସରକାରଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଥିବା ଅତିରିକ୍ତ ସଲିସିଟର ଜେନେରାଲ ବିକ୍ରମଜିତ ବାନାର୍ଜୀ କନୋଜିଆଙ୍କ ବିରୋଧରେ ପୁଲିସ ଆଇପିସିର ୫୦୫ ଦଫାରେ ଆପରାଧିକ ମାନହାନୀ ମାମଲା ରୁଜୁ କରିବା ଯଥାର୍ଥତା ବୋଲି ଦର୍ଶାଇ ତଳ କୋର୍ଟ କନୋଜିଆଙ୍କୁ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଥିବାରୁ ତାଙ୍କ ପତ୍ନୀ ଏହା ବିରୋଧରେ ୟୁପି ହାଇକୋର୍ଟକୁ ନ ଯାଇ ସିଧାସଳଖ ସୁପ୍ରିମ କୋର୍ଟରେ ଆବେଦନ କରିବା ଯଥାର୍ଥ ନୁହେଁ ବୋଲି କହିଥିଲେ । ଜାଗିଶାଙ୍କ ଆବେଦନ ଖାରଜ କରିବା ପାଇଁ ବାନାର୍ଜୀ ଖଣ୍ଡପୀଠଙ୍କ ନିକଟରେ ଯୁକ୍ତି ଉପସ୍ତାପନ କରିଥିବା ବେଳେ କୋର୍ଟ ତାହାକୁ ଗ୍ରହଣ ନ କରି, ‘ଆମେ ମଧ୍ୟ ସାମାଜିକ ଗଣମାଧ୍ୟମର ରୋଷରୁ ବାଦୁ ପଡୁ ନାହୁଁ’ ବୋଲି ଟିପ୍ପଣୀ ରଖିଥିଲେ । ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, କନୋଜିଆଙ୍କ ଟିପ୍ପଣୀ ସହ କୋର୍ଟ ସହମତ ନାହାନ୍ତି । ତାଙ୍କୁ ଖଲାସ କରିବା ସକାଶେ ନିର୍ଦେଶ ଦେବା ଦ୍ୱାରା କୋର୍ଟ ସେ ଦେଇଥିବା ଟିପ୍ପଣୀ ସବୁକୁ ସ୍ୱୀକୃତି ଦେଇଛନ୍ତି ବୋଲି ଭାବିବା ଭୁଲ । ତେବେ, ତଳ କୋର୍ଟଙ୍କ ନିର୍ଦେଶ ବିରୋଧରେ ହାଇକୋର୍ଟକୁ ଯାଅ କହି ସର୍ବୋଚ୍ଚ ନ୍ୟୟାଳୟ ହେତ ଟେକି ଦେବା ସମୀଚିନ ନୁହେଁ । ଭାରତୀୟ ସମ୍ବିଧାନରେ ପ୍ରତ୍ୟେକ ନାଗରିକଙ୍କୁ ଯେଉଁ ସ୍ୱାଧୀନତା ମିଳିଛି ତାହାର ସୁରକ୍ଷା ଓ ପବିତ୍ରତାକୁ ବଜାୟ ରଖା ଯିବା ଅନିବାର୍ଯ୍ୟ । ଭାରତୀୟ ସମ୍ବିଧାନ ବିଶ୍ୱର ସର୍ବଶ୍ରେଷ୍ଠ ସମ୍ବିଧାନ ବୋଲି ଉଲ୍ଲେଖ କରି ‘ନାଗରିକର ଅଧିକାର ସଂପର୍କରେ ସମ୍ବିଧାନରେ ଯାହା ଉଲ୍ଲେଖିତ ରହିଛି ସେଥିରୁ କାହାରିକୁ ବଂଚିତ କରାଯିବା ଗ୍ରହଣଯୋଗ୍ୟ ନୁହେଁ’ ବୋଲି ସ୍ପଷ୍ଟ କରିଛନ୍ତି ।
ସୁପ୍ରିମ କୋର୍ଟଙ୍କ ଏହି ରାୟ ଦେଶର ଗଣତନ୍ତ୍ର-ପ୍ରେମୀଙ୍କ ମନରେ ଆତ୍ମବିଶ୍ୱାସ ଭରିଛି । କାରଣ, କନୋଜିଆଙ୍କ ଗିରଫଦାରୀକୁ ନେଇ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା । କେବଳ ୟୁପି ସାମ୍ବାଦିକ ନୁହନ୍ତି, ଜାତୀୟ ସମ୍ବାଦପତ୍ରରେ ମଧ୍ୟ ଯୋଗୀ ସରକାରଙ୍କ କାର୍ଯ୍ୟାନୁଷ୍ଠାକୁ ସମାଲୋଚନା କରାଯାଇଥିଲା । ଏକ ଜାତୀୟ ଇଂରାଜୀ ଦୈନିକର ଜୁନ ୧୧ ତାରିଖ ସଂପାଦକୀୟରେ ‘କ୍ଷମତାର ଦୂରୁପଯୋଗ’ ଶୀର୍ଷକରେ ଅଗ୍ରଲେଖା ପ୍ରକାଶ ପାଇ ଥିଲା ଯେଉଁ ଥିରେ କି ‘ମାନହାନୀ’ ଭଳି ଦେୱାନୀ ମାମଲାକୁ ଧର୍ତବ୍ୟ ଆପରାଧ କର ିଦେବାକୁ ବୋଧହୁଏ ଯୋଗୀ ସରକାର ଚାହିଁଛନ୍ତି (!) ବୋଲି ମନ୍ତବ୍ୟ ଦିଆଯାଇ ଥିଲା । କେବଳ କନୋଜିଆଙ୍କ କ୍ଷେତ୍ରରେ ନୁହେଁ, ଗୋଟିଏ ନୋଇଡା ଭିତ୍ତିକ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲର ଆଂକର ଓ ସଂପାଦକଙ୍କୁ ଏକ ସମାଲୋଚନାମୂଳକ କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ୟୁପି ପୁଲିସ ମାମଲାରେ ଛନ୍ଦି ହାରାଶ କରିଥିବା ସଂପୃକ୍ତ ସଂବାଦପତ୍ରରେ ଦର୍ଶା ଯିବା ସହ ଏହା ଗଣତନ୍ତ୍ରର କଂଠରୋଧ ବୋଲି ଦର୍ଶାଯାଇ ଥିଲା । ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମାଲୋଚନାକୁ ‘ମର୍ଯାଦାହାନୀ’ ପର୍ଯ୍ୟାୟକୁ ନିଆ ଯାଇ ଗିରଫଦାରୀ କରାଯିବା ଓ ଜେଲରେ ପୁରାଇ ଦିଆ ଯିବା ଏକ ‘କଳା ଆଇନ’ ଏବଂ ଭୟ ସୃଷ୍ଟିକାରୀ । ୨୦୧୯ ସାଧାରଣ ନିର୍ବାଚନ ବେଳେ ଆମେ ଦେଶର ରାଜନେତା ନେତାମାନେ ପରସ୍ପର ବିରୋଧରେ ଯେଭଳି ଅରୁଚିକର ଓ ଅଶାଳୀନ ମନ୍ତବ୍ୟ ଦେଉଥିଲେ ତାହା ଯଦି ଧର୍ତବ୍ୟ ଅପରାଧ ହେଲା ନାହିଁ ଜଣେ ସାମ୍ବାଦିକଙ୍କ ଟିପ୍ପଣୀ କିଭଳି ଧର୍ତବ୍ୟ ଅପରାଧ ହୋଇ ଗଲା ବୋଲି ବିଭିନ୍ନ ମହଲରେ ସମାଲୋଚନା କରାଯିବା ସହ ଦେଶରେ ଦୁଇ ପ୍ରକାର ଗଣତାନ୍ତ୍ରିକ ବ୍ୟବସ୍ଥାର ରହିଛି କି (?) ବୋଲି ପ୍ରଶ୍ନ କରାଯାଇଛି । ସୁପ୍ରିମ କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଅନ୍ୟ ଏକ ଜାତୀୟ ସମ୍ବାଦପତ୍ର ତାହାର ସଂପାଦକୀୟ ସ୍ତମ୍ଭରେ (ଜୁନ ୧୩ ତାରିଖ) ‘ଦେଶର ସାମ୍ବାଦିକମାନେ ଏତେ ଅସୁରକ୍ଷିତ ଯେ ସେମାନଙ୍କ ଅଧିକାର ଓ ସ୍ୱାଧୀନତା ରକ୍ଷା କରିବାକୁ କୋର୍ଟଙ୍କ ହସ୍ତକ୍ଷେପ ଆବଶ୍ୟକ ପଡୁଛି (?)’ ବୋଲି ପ୍ରଶ୍ନ ଉଠାଇଛି ।
୧୧ ତାରିଖ ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କ ରାୟ ପ୍ରକାଶ ପାଇବା ପରେ ୟୁପିରେ ଖବର ସଂଗ୍ରହ କରୁଥିବା ଜଣେ ଗ୍ରାମୀଣ ସାମ୍ବାଦିକଙ୍କୁ ରେଳବାଇ ପୁଲିସ ନିସ୍ତୁକ ମାଡ଼ ମାରି ଜେଲରେ ପୁରାଇ ଦେବା ଓ ମାନସିକ ନିର୍ଯ୍ୟାତନା ଦେବା ଖବର ପଶୁବଳର ଅସୁସ୍ଥ ମାନସିକତାକୁ ଉଜାଗର କରୁଛି । କେବଳ ୟୁପି ନୁହେଁ, ଦେଶର ଅନ୍ୟାନ୍ୟ ପ୍ରାନ୍ତରେ ମଧ୍ୟ ଏଭଳି ଅସହିଷ୍ଣୁତ ରହିଛି । କାଁ ଭାଁ ଏଭଳି ଘଟୁଛି କହି ମୁଖ୍ୟ ପ୍ରସଙ୍ଗକୁ ଏଡାଇ ଯିବା ବିପଜ୍ଜନକ । ବିଶେଷକରି, କେନ୍ଦ୍ର ଓ ରାଜ୍ୟମାନଙ୍କରେ ବହୁମତ ପାଇ କ୍ଷମତା ଭୋଗ କରୁଥିବା ସରକାରମାନେ ପଶୁବଳ ପ୍ରୟୋଗରେ ବିଶ୍ୱାସ କରିଥା’ନ୍ତି । ୟୁପିର ଆଦିତ୍ୟନାଥ ସରକାର ଏ କ୍ଷେତ୍ରରେ ଆଗୁଆ । ୨୦୧୯ ସାଧାରଣ ନିର୍ବାଚନରେ ୟୁପିରେ କିଛି ମାତ୍ରାରେ କ୍ଷମତା ବିକେନ୍ଦ୍ରୀକରଣ ହେବ ବୋଲି ଅନେକ ଆଶା କରୁଥିଲେ । ତେବେ, କଂଗ୍ରେସ ଓ ଅନ୍ୟ ବିରୋଧୀ ଯୋଗୀ ସରକାରଙ୍କୁ ଦୋହଲାଇବାରେ ବିଫଳ ହେଲେ । ଫଳରେ, ରାଜ୍ୟରେ ଭିନ୍ନମତ ପୋଷଣ କରୁଥିବା ସାମ୍ବାଦିକ, ଲେଖକ, କଳାକାରମାନେ ସରକାରଙ୍କ ରୋଷର ଶିକାର ହେବା ସ୍ୱାଭାବିକ । କେନ୍ଦ୍ରରେ କ୍ଷମତାସୀନ ସରକାର ଏଥି ସକାଶେ ମୂଳରୁ ବଦନାମ । ଯୋଗୀ ଏହି ତାଲିକାରେ ସର୍ବାଗ୍ରେ ରହିଛନ୍ତି । ସାମାଜିକ ଗଣମାଧ୍ୟମ ପୂର୍ବରୁ ସେତେ ପ୍ରଭାବ ରଖୁ ନ ଥିଲା । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଏହାର ବହୁଳ ବ୍ୟବହାର ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ବଢାଇ ଦେଇଛି । ଯେ କୌଣସି ସମାଲୋଚନା ବା ଟିପ୍ପଣୀ ତ୍ୱରିତ ଗତିରେ ସମଗ୍ର ବିଶ୍ୱରେ ପହଂଚି ଯିବା ଯୋଗୁ ରାଜନେତା, ବିଶେଷକରି ଶାସକ ଦଳ ନେତାମାନେ ଆତଂକିତ । ୟୁପି ଘଟଣା ଭଳି ଘଟଣା କାଲି ଅନ୍ୟ ରାଜ୍ୟରେ ମଧ୍ୟ ଘଟି ପାରେ । ତଳ କୋର୍ଟ ଗୁଡିକରେ ଅନେକ ସମୟରେ ରାଜ୍ୟ ସରକାରଙ୍କୁ ସୁହାଇଲା ଭଳି ରାୟ ପ୍ରକାଶ ପାଇ ଥାଏ । ତେଣୁ, ଦେଶର ନାଗରିକମାନେ ଶେଷ ଭରସା ଭାବେ ଧରି ନେଇଛନ୍ତି ସୁପ୍ରିମ କୋର୍ଟକୁ । ଆଜିର ଦିନରେ ସୁପ୍ରିମ କୋର୍ଟ ଚାପମୁକ୍ତ ରହି ନାଗରିକ ଅଧିକାର ସୁରକ୍ଷା ଦିଗରେ ଯେଭଳି ତତ୍ପରତା ଦେଖାଉଛି ତାହା ସମ୍ବିଧାନିକ ବ୍ୟବସ୍ଥା ଓ ଗଣତନ୍ତ୍ରକୁ ବଂଚାଇ ରଖିଛି । ଏହା ହୋଇ ନ ଥିଲେ ଆମ ହାତ ବି ବନ୍ଧା ସାରନ୍ତାଣି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS