ପାଟକୁରା : ନବୀନଙ୍କ ସାହା ଶ୍ରୀବଳଦେବଜୀଉ, ବିଜୟଙ୍କ ସାହା ଅପରାଜିତା !


– ପ୍ରସାଦ ରାଓ –
ଜୁନ ୧୮ ତାରିଖ
ସୋମବାର (ଜୁନ ୧୭ତାରିଖ) ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଗସ୍ତରେ ଯାଇ ଶ୍ରୀବଳଦେବଜୀଉ ମନ୍ଦିର ଦର୍ଶନ କରିଛନ୍ତି । କେବଳ ସେ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରି ନାହାନ୍ତି, ମନ୍ଦିର ଓ ଏହାର ପାରିପାର୍ଶିକ ବିକାଶ ପାଇଁ ୨କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପ ଘୋଷଣା କରିଛନ୍ତି । ସେହି ଟଙ୍କାରେ ଠାକୁରଙ୍କ ଝୁଲଣ ମଣ୍ଡପର ପୁନଃରୁଦ୍ଧାର, କଲ୍ୟାଣମଣ୍ଡପ, ପାଚେରୀ ନିର୍ମାଣ, ଚବିଶ ଘଂଟିଆ ଜଳଯୋଗାଣ ବ୍ୟବସ୍ଥା, ଶୌଚାଳୟ ନିର୍ମାଣ ପ୍ରଭୃତି କାର୍ଯ୍ୟ ହେବ ବୋଲି ଯୋଜନା ରହିଛି । କେନ୍ଦ୍ରାପଡାର ନବ ନିର୍ବାଚିତ ବିଧାୟକ (ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ) ଶଶିଭୂଷଣ ବେହେରାଙ୍କ ସମେତ ଭଦ୍ରକ, ଯାଜପୁର, ଜଗତସିଂହପୁର ଓ କଟକ ଜିଲ୍ଲାର ବହୁ ବିଧାୟକ ଓ ପୂର୍ବତନ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଉପସ୍ଥିତ ରହି ଠାକୁର ଦର୍ଶନ କରିବା ସହ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିବା ଜଣାପଡିଛି । ସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀରେ ବଡ଼ ଠାକୁର ଶ୍ରୀଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ଦେବସ୍ନାନ ଓ ହାତୀବେଶ ଚାଲି ଥିବା ବେଳେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ଯାଇ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିବା ଏବଂ ସେହି ଅଂଚଳର ପ୍ରାୟ ସମସ୍ତ ନେତା କେନ୍ଦ୍ରାପଡାରେ ଉପସ୍ଥିତ ରହିବା ପାଟକୁରା ବିଧାନସଭା ଉପ ନିର୍ବାଚନ ପାଇଁ ପ୍ରସ୍ତୁତିର ସୂଚନା ଦେଉଛି ।
୨୦୧୯ ଏପ୍ରିଲରେ ପାଟକୁରା ବିଧାନସଭା ଆସନ ବ୍ୟତୀତ ରାଜ୍ୟର ଅନ୍ୟ ୧୪୬ଟି ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ନିର୍ବାଚନ ସରିଛି । ପାଟକୁରା ବିଧାନସଭା ଆସନ ପାଇଁ ଭୋଟ ହେବାକୁ ଥିବା ବେଳେ ଶାସକ ବିଜେଡ଼ି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହେବା ନିର୍ବାଚନ କମିସନଙ୍କୁ ଏହି ଆସନ ପାଇଁ ହେବାକୁ ଥିବା ଭୋଟ ସ୍ଥଗିତ ରଖିବାକୁ ବାଧ୍ୟ କରିଥିଲା । ମେ’ ୧୯ରେ ଦେଶରେ ସାତ ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ସରୁ ଥିବାରୁ ନିର୍ବାଚନ କମିସନ ପାଟକୁରା ବିଧାନସଭା ଉପ ନିର୍ବାଚନ ମେ’ ୧୯ରେ ସାରି ଦେବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ । କିନ୍ତୁ, ‘ଫନି’ ମହାବାତ୍ୟା ବିପର୍ଯ୍ୟୟ ସୃଷ୍ଟି କରିବା କାରଣରୁ ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ନିର୍ବାଚନ କମିସନ ପାଟକୁରା ବିଧାନସଭା ଉପ ନିର୍ବାଚନ ପୁନଃ ସ୍ଥଗିତ ରଖିଲେ । ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାରଂପରିକ ହିଂଜିଳି ଆସନ ସହ ପଶ୍ଚିମ ଓଡ଼ିଶାର ବିଜେପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ଦୁଇଟି ଯାକ ଆସନରେ ବିଜୟ ଲାଭ କରିବା ପରେ ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି । ତେଣୁ, ଯେଉଁ ଉପ ନିର୍ବାଚନ ହେବ ସେଥିରେ ପାଟକୁରା ସହ ବିଜେପୁର ମଧ୍ୟ ସ୍ଥାନିତ ହେବା ଏକପ୍ରକାର ନିଶ୍ଚିତ । ସିଇସି (ଭାରତର ନିର୍ବାଚନ କମିସନର) ଲେଖା ପ୍ରସ୍ତୁତ ହେବା ସୁଦ୍ଧା ଉପ ନିର୍ବାଚନର ତାରିଖ ଓ କାର୍ଯ୍ୟସୂଚୀ ଘୋଷଣା କରି ନ ଥିଲେ ମଧ୍ୟ ଅତିଶୀଘ୍ର ଏହି ଘୋଷଣା ହେବ ବୋଲି ଅନୁମାନ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତ ୧୭ ତାରିଖର କେନ୍ଦ୍ରାପଡା ଗସ୍ତ ଓ ଶ୍ରୀବଳଦେବଜୀଉ ଦର୍ଶନ ଏହି ଅନୁମାନକୁ ଅଧିକ ବଳବତ୍ତର କରିଛି ।
ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଉପ ନିର୍ବାଚନରେ ବିଜେପୁରକୁ ନେଇ ବିଶେଷ ଚିନ୍ତିତ ନୁହନ୍ତି । କାରଣ, ସେଠାକାର ଭୋଟର ଏହି ନିକଟରେ ବିପୁଳ ଭୋଟରେ ତାଙ୍କୁ ଜିତାଇଛନ୍ତି । ସେ ବିଜେପୁର ଆସନରୁ ଇସ୍ତଫା ଦେବା ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀ ପାଇଁ ବଡ଼ ଧରଣର ଉନ୍ନୟନ ପ୍ୟାକେଜ୍ ଘୋଷଣା କରିଛନ୍ତି । ବିଜେପୁର ଛାଡୁ ଥିଲେ ବି ସେ ପ୍ରତ୍ୟକ୍ଷ ଭାବେ ନିର୍ବାଚନ ମଣ୍ଡଳୀର ଭଲ, ମନ୍ଦ ବୁଝିବେ ବୋଲି ମଧ୍ୟ ବିଜେପୁରବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏସବୁ ଦୃଷ୍ଟିରୁ ବିଜେଡ଼ି ପାଇଁ ବିଜେପୁର ଆସନ ସୁରକ୍ଷିତ ରହିଛି । କେବଳ ପ୍ରାର୍ଥୀ ଚୟନକୁ ନେଇ ଯାହା ଛକାପଂଝା ଚାଲିଛି । ପୂର୍ବତନ କଂଗ୍ରେସ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ୨୦୧୮ରେ ଏହି ଆସନରୁ ବିଜେଡ଼ି ଟିକଟରେ ନିର୍ବାଚିତ ହୋଇ ବର୍ଷକ ପାଇଁ ବିଧାନସଭାକୁ ଯାଇଥିଲେ । ଯେହେତୁ ସେ ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ପାଇଁ ଆସନ ଛାଡି ଥିଲେ ଉପ ନିର୍ବାଚନରେ ସେ ପ୍ରାର୍ଥୀତ୍ୱର ପ୍ରଥମ ଦାବିଦାର ହେବା ସ୍ୱାଭାବିକ । ଅନ୍ୟ ଆଶାୟୀଙ୍କ ତାଲିକା ମଧ୍ୟ ଲମ୍ବା । କିନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ସଂପୂର୍ଣ୍ଣ ଉପ ନିର୍ବାଚନ ଫୋକସ୍ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ବିଧାନସଭା ଆସନ ଉପରେ ରହିବ, ଏଥିରେ କିଛି ସନ୍ଦେହ ନାହିଁ ।
ପାଟକୁରା ବିଧାନସଭା ଉପ ନିର୍ବାଚନ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ପୂର୍ଣ୍ଣ ଫୋକସ୍ ରହିବା କାରଣ ହେଉଛନ୍ତି ବିଜେପିରୁ ପ୍ରାର୍ଥୀ ଥିବା ରାଜ୍ୟର ବରିଷ୍ଠ ରାଜନେତା ବିଜୟ ମହାପାତ୍ର । ୨୦୧୯ ସାଧାରଣ ନିର୍ବାଚନରେ ପୂର୍ବତନ ବିଜେଡ଼ି ସାଂସଦ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡାରୁ ବିଜେପିର ସାଂସଦ ପ୍ରାର୍ଥୀ ଓ ବିଜୟ ମହାପାତ୍ର ପାଟକୁରା ବିଧାନସଭାରୁ ବିଧାୟକ ପ୍ରାର୍ଥୀ ଥିଲେ । ଏହି ଦୁଇ ଜଣ ଥିଲେ ବିଜେଡ଼ି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ଟାର୍ଗେଟ୍ । ବୈଜୟନ୍ତଙ୍କୁ ହରାଇଛନ୍ତି ସିନେ ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି । ପାଟକୁରା ବିଧାନସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ହୋଇଥିବା ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ଯୋଗୁ ନିର୍ବାଚନ ସ୍ଥଗିତ ରହି ଏବେ ଉପ ନିର୍ବାଚନ ହେବାକୁ ଯାଉଛି । ବିଗତ ୧୯ ବର୍ଷ ହେଲା ନିର୍ବାଚିତ ପ୍ରତିନିଧି ଭାବେ ବିଧାନସଭାରେ ପ୍ରବେଶ ଉଦ୍ୟମ କରୁଥିବା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ବିଜେପିରୁ ପ୍ରାର୍ଥୀ ଭାବେ ଏଥର ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ଏହି ଉପ ନିର୍ବାଚନ ରାଜନୈତିକ ଦୃଷ୍ଟିରୁ ଉଭୟ ବିଜେଡ଼ି ଓ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ । ବିଜୟଙ୍କ ପାଇଁ ମଧ୍ୟ ଅଗ୍ନି ପରୀକ୍ଷା । ତୁରନ୍ତ ଉପ ନିର୍ବାଚନ ହେଲେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ପ୍ରତି ଥିବା ଜନସମର୍ଥନରୁ ଫାଇଦା ନେଇ ହେବ, ସେହି ଆଶାରେ ବିଜେପି ତାରିଖ ଘୋଷଣା ପାଇଁ ନିର୍ବାଚନ କମିସନଙ୍କ ଉପରେ ଚାପ ପକାଉ ଥିବା ବେଳେ ଓଡ଼ିଶାରେ ମୋଦୀ ଲହରକୁ ପ୍ରଭାବହୀନ କରିଥିବା ବିଜେଡ଼ି ପାଟକୁରା ଉପ ନିର୍ବାଚନରେ ମଧ୍ୟ ତାହା କରି ଦେଖାଇବାକୁ ରଣନୀତି ପ୍ରସ୍ତୁତ କରିଛି । ବୈଜୟନ୍ତଙ୍କ ଭଳି ବିଜୟ ମହାପାତ୍ରଙ୍କୁ ଧୂଳି ଚଟାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଇଂଗିତରେ ବିଜେଡ଼ି ଫୌଜ ପାଟକୁରାରେ ଡ଼େରା ପକାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ୧୭ ତାରିଖ କେନ୍ଦ୍ରାପଡା ଗସ୍ତ ଓ ଶ୍ରୀବଳଦେବଜୀଉ ଦର୍ଶନ ଏହି ରଣନୀତିକୁ ଅଧିକ କ୍ରି୍ରୟାଶୀଳ କରିବାକୁ ଉଦ୍ଧିଷ୍ଟ ବୋଲି ରାଜନୈତିକ ମହଲର ବିଶ୍ୱାସ ।
ପାଟକୁରା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଥିବା ବିଜୟ ମହାପାତ୍ର ରାଜ୍ୟ ରାଜନୀତିରେ ଜଣେ ଅହଂକାରୀ ନେତା ଭାବେ ପରିଚିତ । ତେବେ, ତାହା ତାଙ୍କ ସ୍ୱଭାବ ଓ ସ୍ୱାଭିମାନର ପରିଚୟ ବୋଲି ବିଜୟ-ସମର୍ଥକମାନେ ଦାବି କରନ୍ତି । ବିଜୟ ମହାପାତ୍ର ୧୯୮୦ରୁ ୨୦୦୦ ପର୍ଯ୍ୟନ୍ତ (ଜନତା ପାର୍ଟି ଓ ଜନତା ଦଳରେ ଥାଇ) ପାଟକୁରା ବିଧାୟକ ଥିଲେ । ୧୯୯୦ରୁ ୧୯୯୫ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀ ପରିଷଦରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ରହି ଥିଲେ । ଉପକୂଳ ଓଡ଼ିଶାର ନେତା ଭାବେ ବିଜୟ ପ୍ରଭାବ ବିସ୍ତାର କରିଥିବା ବେଳେ ଦକ୍ଷିଣ ଓଡ଼ିଶାର ନେତା ଭାବେ ଅନ୍ୟତମ ପ୍ରଭାବଶାଳୀ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ ତାଙ୍କୁ ଟକ୍କର ଦେଉଥିଲେ । ରାଜ୍ୟ ମନ୍ତ୍ରୀ ପରିଷଦରେ ଦୁଇ ନମ୍ବର ସ୍ଥାନ ପାଇଁ ବିଜୟ ଓ ରାମକୃଷ୍ଣଙ୍କ ମଧ୍ୟରେ ଛକାପଂଝା ନବେ ଦଶକରେ ବେଶ୍ ଚର୍ଚ୍ଚାରେ ରହି ଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ବିଜୁ ଜନତା ଦଳ (ବିଜେଡ଼ି)ର ପ୍ରତିଷ୍ଠା ହେବା ପରେ ୨୦୦୦ ମସିହା ବିଧାନସଭା ନିର୍ବାଚନରେ ବିଜୟ ପାଟକୁରା ବିଧାନସଭା ଆସନରୁ ନିର୍ବାଚନ ଲଢିବାକୁ ଟିକଟ ପାଇ ଥିଲେ ମଧ୍ୟ ଶେଷ ମୂହୂର୍ତରେ ନବୀନ ତାହା ପ୍ରତ୍ୟାହାର କରି ନେଇ ଅତନୁ ସବ୍ୟସାଚୀଙ୍କୁ ପ୍ରାର୍ଥୀ କରିବା ବିଜୟଙ୍କ ପାଇଁ ସବୁଠାରୁ ବଡ ଝଟକା ଥିଲା । ନିଜର ଉଚ୍ଚାଭିଳାଷ ଓ ଅହଂକାରୀ ଆଚରଣ ପାଇଁ ବିଜୟ ଏଭଳି ପ୍ରତାରିତ ହେଲେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦିଅନ୍ତି ।
୨୦୦୦ ବିଧାନସଭା ନିର୍ବାଚନ ପରେ ଯେତେ ସବୁ ନିର୍ବାଚନ ହୋଇଛି (୨୦୦୪, ୨୦୦୯, ୨୦୧୪ ଓ ୨୦୧୯) ସବୁ ଥିରେ ବିଜୟ ବିଧାନସଭାକୁ ଫେରିବାକୁ ଉଦ୍ୟମ କରିଥିବା ବେଳେ ବିଜୟଙ୍କୁ ବିଧାନସଭାରୁ ଦୂରେଇ ରଖିବାକୁ ନବୀନ ଗୋଟି ଚଳାଇ ସଫଳ ହୋଇଛନ୍ତି । ସେହିଭଳି, ଏକଦା ମୁଖ୍ୟମନ୍ତ୍ରୀ ନବୀନଙ୍କ ସରକାରରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ରହି ଥିବା ଏବଂ ‘ଗଂଜାମ ଟାଇଗର୍’ ଭାବେ ନିଜକୁ ପ୍ରତିଷ୍ଠିତ କରିଥିବା ରାମକୃଷ୍ଣ ପଟ୍ଟନାୟକ ନବୀନଙ୍କ ବିରୋଧରେ ବିଦ୍ରୋହ କରି ଏବେ ପ୍ରତ୍ୟକ୍ଷ ରାଜନୀତିରୁ ହଜି ଗଲେଣି । ନବୀନ ତାଙ୍କୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପଦରୁ ହଟାଇ କୃଷି ମନ୍ତ୍ରଣାଳୟ ଦାୟିତ୍ୱ ଦେବାରୁ ରାମକୃଷ୍ଣ ବିଦ୍ରୋହ କରି ଦଳ ଛାଡି ଥିଲେ । ରାମକୃଷ୍ଣଙ୍କ ଦଳତ୍ୟାଗରେ ଲାଭାନ୍ୱିତ ହୋଇଛନ୍ତି ସୂର୍ଯ୍ୟ ପାତ୍ର । ଆଜିର ରାଜ୍ୟ ବିଧାନସଭା ବାଚସ୍ପତି ଆସନରେ ପାତ୍ର ଏକଦା ବିଜୟ ମହାପାତ୍ରଙ୍କ ଘନିଷ୍ଟ ଭାବେ ଜଣାଶୁଣା ଥିଲେ । ବିଜୟ ବିଜେଡ଼ି ରାଜନୀତିରୁ ବାଦ ପଡ଼ିବା ପରେ ପାତ୍ରଙ୍କ ଭଳି ତାଙ୍କର ଅଧିକାଂଶ ଘନିଷ୍ଟ ସହଯୋଗୀ ବିଜୟଙ୍କ ଠାରୁ ଦୂରେଇ ଯାଇ ଥିଲେ । ଦୀର୍ଘ ୧୯ ବର୍ଷ ଧରି ବିଜୟଙ୍କ ମନରେ ଯେଉଁ ପ୍ରତିଶୋଧର ନିଆଁ ଜଳୁଛି ତାହା ପ୍ରସମିତ କରିବା ସକାଶେ ସେ ୨୦୧୯ ନିର୍ବାଚନରେ ପାଟକୁରାରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ।
ଗଲା ଏପ୍ରିଲରେ ଅନ୍ୟ ବିଧାନସଭା ଆସନ ସହ ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ସରି ଥିଲେ ବୋଧହୁଏ ବିଜୟଙ୍କ ବିଜୟ ଆଶା ଉଜ୍ଜ୍ୱଳ ଥିଲା । ବିଜେଡ଼ି ବିଜୟଙ୍କ ମୁକାବିଲା ପାଇଁ ଶେଷ ମୁହୂର୍ତ ପର୍ଯ୍ୟନ୍ତ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା ନ କରି ଶେଷରେ ଶଯ୍ୟାଶାୟୀ ଥିବା ଦଳର ବର୍ଷିୟାନ ନେତା ପୂର୍ବତନ ମନ୍ତ୍ରୀ ବେଦପ୍ରକାଶ ଅଗ୍ରୱାଲଙ୍କ ନାମ ଘୋଷଣା କରି ଥିଲା । ଭୋଟ ସମୟରେ ବେଦପ୍ରକାଶଙ୍କ ଦେହାନ୍ତ ହୋଇ ପାଟକୁରା ବିଧାନସଭା ଆସନରେ ନିର୍ବାଚନ ସ୍ଥଗିତ ରହିବା ନବୀନଙ୍କ କୂଟନୀତିର ଆଉ ଏକ ଦୃଷ୍ଟାନ୍ତ ବୋଲି ବିଜୟ ଓ ତାଙ୍କ ସମର୍ଥକମାନେ ଅଭିଯୋଗ କରୁଛନ୍ତି । ତେବେ, ବିଜେଡ଼ି ଏସଂପର୍କରେ କୌଣସିି ମତ ରଖି ନାହିଁ । ଭୋଟ ପରେ ‘ଫନି’ ମହାବାତ୍ୟାକୁ ନେଇ ପୂନର୍ବାର ପାଟକୁରା ବିଧାନସଭା ଉପ ନିର୍ବାଚନ ସ୍ଥଗିତ ରହିବା ବିଜୟଙ୍କୁ ନିରାଶ କରିଛି । ତେବେ, ବିଜୟଙ୍କ ପାଇଁ ଆଶାବାଡ଼ି ହୋଇଛନ୍ତି ଭୁବନେଶ୍ୱରରୁ ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିବା ପୂର୍ବତନ ଆଇଏଏସ୍ ଅଧିକାରୀ ଅପରାଜିତା ଷଢଙ୍ଗୀ ।
୨୦୧୯ ନିର୍ବାଚନରେ ବିଜେପି ଭୁବନେଶ୍ୱର ଲୋକସଭା ଆସନରୁ ଅପରାଜିତାଙ୍କୁ ପ୍ରାର୍ଥୀ କରିଥିଲା । ମୁମ୍ବାଇର ପୂର୍ବତନ ପୁଲିସ କମିସନର ଅରୁପ ପଟ୍ଟନାୟକ (ଅବସରପ୍ରାପ୍ତ ଆଇପିଏସ) ତାଙ୍କ ବିରୋଧରେ ବିଜେଡ଼ି ପ୍ରାର୍ଥୀ ଥିଲେ । ‘ମୋଦୀ ଲହର’ ସହ ନିଜର ବ୍ୟକ୍ତିଗତ ଚାରିସ୍ମା ଯୋଗୁଁ ଅରୁପଙ୍କୁ ହରାଇ ଥିବା ଅପରାଜିତାଙ୍କୁ ନେଇ ବିଜେପି ପାଟକୁରାରେ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛି । ଏହି ବିଧାନସଭା ଉପ ନିର୍ବାଚନରେ ଅପରାଜିତା ବିଜୟଙ୍କ ପ୍ରଚାର ମଂଗ ଧରି ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ନିକଟରେ ପାଟକୁରା ନିର୍ବାଚନ ମଣ୍ଡଳୀରେ ବିଜୟ-ଅପରାଜିତାଙ୍କ ମିଳିତ ପ୍ରଚାର ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ତଂଟିରେ କଂଟା ହୋଇଛି । ତେଣୁ, ପାଟକୁରା ବିଧାନସଭା ଉପ ନିର୍ବାଚନରେ ଦଳର ବିଜୟକୁ ସୁନିଶ୍ଚିତ କରିବା ପାଇଁ ନବୀନ ଶ୍ରୀବଳଦେବଜୀଉଙ୍କ ଦର୍ଶନରୁ ତାଙ୍କ ଅଭିଯାନ ଆରମ୍ଭ କରିଦେଇଛନ୍ତି ବୋଲି ଆଲୋଚନା ହେଉଛି ।
ଏହି ଉପ ନିର୍ବାଚନରେ ଶାସକ ବିଜେଡ଼ିର ପ୍ରାର୍ଥୀ ଅଛନ୍ତି ଦିବଂଗତ ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ । ଭୁବନେଶ୍ୱର ଲୋକସଭା ନିର୍ବାଚନରେ ନିଜର ଯାଦୁ ଦେଖାଇ ସାରି ଥିବା ଅପରାଜିତା ପାଟକୁରାରେ ମଧ୍ୟ ଯାଦୁ ଦେଖାଇବେ ବୋଲି ବିଜେପି ଓ ବିଜୟଙ୍କ ଆଶା ଥିବା ବେଳେ ବିଜେଡ଼ି ତାହାର ସମସ୍ତ ଶକ୍ତିକୁ ପାଟକୁରା-ମୁହାଁ କରିଥିବାରୁ ପାଟକୁରା ଉପ ନିର୍ବାଚନ ବେଶ ରୋଚକ ହେବାକୁ ଯାଉଛି ।
ସୋମବାର ଦିନ କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ବାହାନାରେ ଠୁଳ ହୋଇଥିବା ନେତାଙ୍କ ମଧ୍ୟରେ ଥିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ରାଜନଗର ବିଧାୟକ ଧୃବ ସାହୁ, ମହାକାଳପଡା ବିଧାୟକ ଅତନୁ ସାବ୍ୟସାଚୀ ନାୟକ, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ପାଟକୁରା ବିଧାୟକ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ, ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି କିଶୋର ତରାଇ, ରାଜ୍ୟ ଜଳସେଚନ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ ସାହୁ, ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଯାଜପୁର ବିଧାୟକ ପ୍ରଣବ ପକାଶ ଦାସ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, କୋରେଇ ବିଧାୟକ ଅଶୋକ ବଳ, ଧାମନଗର ବିଧାୟକ ରାଜେନ୍ଦ୍ର ଦାସ, ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ପ୍ରମୁଖ । ପାଟକୁରା ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ସେନା କାମ କରିବା ନିଶ୍ଚିତ ଥିବାରୁ ବିଜୟ-ଅପରାଜିତା ଯୋଡି ହାଇଭୋଲଟେଜ୍ ମୁକାବିଲାର ସମ୍ମୁଖୀନ ହେବ, ଏଥିରେ କିଛି ସନ୍ଦେହ ନାହିଁ । ବିଜୟ ନିଜ ଜନ୍ମମାଟି ତଥା ରାଜନୀତିର ଏନ୍ତୁଡିଶାଳରୁ ନିର୍ବାଚନ ଲଢୁଛନ୍ତି । ତେଣୁ, ଆତ୍ମବିଶ୍ୱାସର ଅଭାବ ନ ଥିବ । କିନ୍ତୁ, ‘ଅହଂକାର’ ଯଦି ‘ଆତ୍ମବିଶ୍ୱାସ’କୁ ଟପି ଯିବ ତେବେ ଅପରାଜିତା-ଯାଦୁ ବି କାମ କରିବ ନାହିଁ ।
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS