ପଂଚମ ପାଳିର ପ୍ରଥମ ବଜେଟ୍ – ଫୋକସ୍ ରେ ଚାଷୀ ଓ ମହିଳା
– ପ୍ରସାଦ ରାଓ –
ଜୁନ ୩୦ ତାରିଖ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ପଂଚମ ପାଳି । ଫୋକସ୍ରେ ରହିଛନ୍ତି ଚାଷୀ ଓ ମହିଳା । ଜୁନ ୨୮ ତାରିଖ ଅପରାହ୍ନରେ ରାଜ୍ୟ ବିଧାନସଭାରେ ଉପସ୍ଥାପିତ ୨୦୧୯-୨୦ ବଜେଟ୍ ରେ ଉଭୟ ମହିଳା ଓ ଚାଷୀଙ୍କୁ ସନ୍ତୁଷ୍ଟ ରଖିବା ସକାଶେ ସରକାର ବିଶେଷ ଧ୍ୟାନ ଦେଇଥିବା ଦେଖିବାକୁ ମିଳିଛି । ୨୦୧୯ ସାଧାରଣ ନିର୍ବାଚନରେ ସରକାର ଚାଷୀ ଓ ମହିଳାଙ୍କୁ ବିଭିନ୍ନ ଲୋଭନୀୟ ପ୍ରତିଶ୍ରୁତି ଦେଇ ପଂଚମ ଥର ପାଇଁ କ୍ଷମତାକୁ ଆସି ଥିବାରୁ ‘ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି’ ଏହି ବିଶ୍ୱାସ ଦେବା ସକାଶେ ୨୦୧୯-୨୦ ବଜେଟ୍ ରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୁଜାରୀଙ୍କ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଇଛି । ବଜେଟ୍ ରେ ଅନ୍ୟ କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ତେବେ, ରାଜ୍ୟର କୃଷି ବଜେଟ୍ କୁ ତିନି ଗୁଣ ବୃଦ୍ଧି କରାଯାଇ ଏହି ସରକାର ‘ଚାଷୀଙ୍କ ସରକାର’ ବୋଲି ଏକ ନୂଆ ବ୍ରାଂଡ୍ ସୃଷ୍ଟି କରିବାକୁ ଉଦ୍ୟମ ହୋଇଛି ।
ଓଡ଼ିଶା ସରକାରଙ୍କ ‘କାଳିଆ’ (କୃଷକ ଆସିଷ୍ଟାନ୍ସ ଫର୍ ଲାଇଭଲିହୁଡ୍ ଏଣ୍ଡ୍ ଇନକମ୍ ଅଗମେଂଟେସନ୍) ଯୋଜନା (୨୦୧୮-୧୯) ୨୦୧୯ ନିର୍ବାଚନ ପୂର୍ବରୁ ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଥିଲା । ଏହି ଯୋଜନାର ଛାୟାରେ କେନ୍ଦ୍ର ସରକାର ନିର୍ବାଚନ ପୂର୍ବରୁ ‘ପିଏମ୍-କିଷାନ୍ ଯୋଜନା’ ଆରମ୍ଭ କରିଥିଲେ । ‘କାଳିଆ’ ଯୋଜନାରେ ରାଜ୍ୟରେ ଚାଷୀ, କୃଷି ଶ୍ରମିକ ଓ ଭୂମିହୀନଙ୍କୁ ଗୁରୁତ୍ୱ ଦିଆଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ଯୋଜନାରେ କେବଳ ଚାଷୀଙ୍କୁ ସହାୟତା ଦେବାର ବ୍ୟବସ୍ଥା ଥିବାରୁ ‘କାଳିଆ’ ଯୋଜନା ଉକ୍ରର୍ଷ ବୋଲି ନୀତି ଆୟୋଗଠାରୁ ଆରମ୍ଭ କରି ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଓଡ଼ିଶା ସରକାରଙ୍କ ପ୍ରଶଂସା କରିଥିଲେ । ଏହାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ଛକାପଂଝାର ବାତାବରଣ ସୃଷ୍ଟି ହୋଇଥିଲା । ସାଧାରଣ ନିର୍ବାଚନ ସମୟରେ କେନ୍ଦ୍ର ସରକାର ପିଏମ୍-କିଷାନ୍ ଯୋଜନାକୁ ଚାଲୁ ରଖି ଥିବା ବେଳେ ଭାରତର ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାରେ ଚାଷୀଙ୍କ ପାଇଁ ଘୋଷିତ ଆର୍ଥିକ ସହାୟତା ବିତରଣ ବନ୍ଦ ରଖିବା ରାଜନୈତିକ ବିବାଦର କାରଣ ହୋଇଥିଲା । ନିର୍ବାଚନରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ବହୁମତ ପାଇଁ ପୁନଃ କ୍ଷମତାସୀନ ହେବା ପରେ ‘କାଳିଆ’ ଓ ‘ପିଏମ୍ କିଷାନ ଯୋଜନା’ ମଧ୍ୟରେ ଆଉ କିଛି ବିବାଦ ନାହିଁ । ନିର୍ବାଚନରେ ପରେ ଓଡ଼ିଶା ସରକାରଙ୍କ ‘କାଳିଆ’ ଯୋଜନା ବନ୍ଦ ହୋଇଯିବ ବୋଲି କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପି ପକ୍ଷରୁ ୨୦୧୯ ନିର୍ବାଚନ ସମୟରେ ଯେଉଁ ଧାରଣା ଦିଆଯାଇଥିଲା ତାହା ଠିକ୍ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଂଚମ ପାଳି ସରକାରର ପ୍ରଥମ କ୍ୟାବିନେଟ୍ ବୈଠକରେ ସ୍ପଷ୍ଟ କରିଥିଲେ । ୨୮ ତାରିଖ ଉପସ୍ଥାପିତ ବଜେଟ୍ ରେ ମଧ୍ୟ ତାହା ସ୍ପଷ୍ଟ କରାଯାଇଛି ।
୨୦୧୩-୧୪ ଆର୍ଥିକ ବର୍ଷରେ ସରକାରଙ୍କ ପକ୍ଷରୁ ପ୍ରଥମ କରି ରାଜ୍ୟରେ ଏକ କୃଷି ବଜେଟ୍ ଉପସ୍ଥାପନ କରାଯାଇ ୭,୧୬୨ କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଥିଲା । ୨୦୧୯-୨୦ରେ ତାହା ତିନି ଗୁଣ ବୃଦ୍ଧି କରାଯାଇ ୨୦,୭୧୪ କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଛି । ଏହାଛଡା, ଚାଷୀଙ୍କ ଠାରୁ ଧାନ ସଂଗ୍ରହ ବାବଦରେ ପ୍ରତି ବର୍ଷ ୮ ହଜାର କୋଟି ଟଙ୍କା ଲେଖାଏଁ ଅତିରିକ୍ତ ବ୍ୟୟ ଅଟକଳ ରଖା ଯାଇଥିବା ଅର୍ଥ ମନ୍ତ୍ରୀ ପୁଜାରୀ ୨୮ ତାରିଖ ବଜେଟ ଉପସ୍ଥାପନ ସମୟରେ ସୂଚନା ଦେଇଛନ୍ତି । ପଂଚମ ପାଳି ପ୍ରଥମ ବର୍ଷର କୃଷି ବଜେଟ୍ରେ ‘କାଳିଆ’ ଯୋଜନା ପାଇଁ ୫,୬୧୧ କୋଟି ଟଙ୍କା ବ୍ୟୟ ଅଟକଳ କରିଥିବା ବେଳେ ଜଳସେଚନ କ୍ଷେତ୍ରରେ ୯,୭୧୩ କୋଟି ଟଙ୍କା ବ୍ୟୟ ଅଟକଳ କରି ସରକାର ରାଜ୍ୟରେ କୃଷିର ବିକାଶକୁ ଅଗ୍ରାଧିକାର ଦେଉଥିବା ସୂଚାଇଛନ୍ତି । ଜଳସେଚନ ପାଇଁ ବ୍ୟୟବରାଦ ହୋଇଥିବା ଅର୍ଥରେ ରାଜ୍ୟରେ କାମ ଚାଲି ଥିବା ବୃହତ୍, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସବୁକୁ ସଂପୂର୍ଣ୍ଣ କରାଯିବ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ କୃଷି ସିଂଚନ ଯୋଜନା ଜରିଆରେ ଚାଲି ଥିବା ଏଆଇବିପି ପ୍ରୋଜେକ୍ଟଗୁଡିକ ସଂପୂର୍ଣ୍ଣ କରିବା ସକାଶେ ବଜେଟ୍ ରେ ୧, ୮୬୧ କୋଟି ଟଙ୍କା ଏବଂ ଡ଼ବ୍ଲୁଏସଆଇଡ଼ିପି (ୱାଟର ସେକ୍ଟର ଇନଫ୍ରାଷ୍ଟ୍ରକ୍ଚର ଡ଼େଭଲପମେଂଟ ପ୍ରୋଗା୍ରମ) ଅଧିନରେ ରାଜ୍ୟ ସରକାରଙ୍କ ପାଂଠିରେ ପ୍ରସ୍ତାବିତ ପ୍ରକଳ୍ପଗୁଡିକ ପାଇଁ ରାଜ୍ୟ କୃଷି ବଜେଟରେ ୧,୫୬୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାର ବିଜେପୁରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ସବୁକୁ ରକ୍ଷା କରିବା ସକାଶେ ୨୦୧୯-୨୦ କୃଷି ବଜେଟରେ ଅର୍ଥ ବ୍ୟବସ୍ଥା ହୋଇଛି । ଅର୍ଥ ମନ୍ତ୍ରୀ ପୁଜାରୀ ଗଙ୍ଗାଧର ମେହେର ଲିଫ୍ଟ କେନାଲ ସିଷ୍ଟମ୍ କୁ କାର୍ଯ୍ୟକାରୀ କରିବା ସକାଶେ ୧୪୬ କୋଟି ଓ ପାର୍ବତୀ ଗିରି ମେଗା ଲିଫ୍ଟ ଇରିଗେସନ ପ୍ରୋଗ୍ରାମ କାର୍ଯ୍ୟକାରୀ କରିବା ସକାଶେ ୧,୭୭୭ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ପାର୍ବତୀ ଗିରି ଲିଫ୍ଟ ଇରିଗେସନ୍ ପ୍ରୋଗ୍ରାମ ମାଧ୍ୟମରେ ୨୦୮ଟି ମେଗା ଲିଫ୍ଟ ଇରିଗେସନ୍ ପ୍ରୋଜେକ୍ଟ କାର୍ଯ୍ୟକାରୀ କରାଯାଇ ୨.୬୫ ଲକ୍ଷ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସବୁଧା ଯୋଗାଇ ଦେବାର ଯୋଜନା ହୋଇଛି । ଏସବୁ ବ୍ୟତୀତ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନା (ଏମଏଟିୱାଇ)ରେ ୨୦୧୯-୨୦ ଆର୍ଥିକ ବର୍ଷରେ ୨୦୦୦ ଚେକଡ଼୍ୟାମ୍ ନିର୍ମାର ପାଇଁ ୩୩୪ କୋଟି ଟଙ୍କା, ଜଳନିଧି ସ୍କିମରେ ୧୮୦ କୋଟି ଟଙ୍କା ଓ ୨୦ ହଜାର ଡ଼ିପ୍ ବୋରୱେଲ୍ ସ୍କିମ୍ ଖନନ କାର୍ଯ୍ୟ ସଂପୂର୍ଣର୍ କରିବା ପାଇଁ ୫୪୦ କୋଟି ଟଙ୍କା ଏବଂ ବିଜୁ କୃଷକ ବିକାଶ ଯୋଜନାରେ ଏକ ହଜାର କମ୍ୟୁନିଟି ଲିଫ୍ଟ ପଏଂଟ ବସାଇବା ପାଇଁ ୪୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଚାଷର ଅଭିବୃଦ୍ଧି ପାଇଁ କୃଷି ଋଣର ଭୂମିକାକୁ ଆଖିରେ ରଖି ରାଜ୍ୟ ଅର୍ଥମନ୍ତ୍ରୀ ୨୦୧୯-୨୦ କୃଷି ବଜେଟରେ ଋଣର ସୁଧ ଉପରେ ସବସିଡ଼ି ବାବଦରେ ୮୦୦ କୋଟି ଟଙ୍କା ଅର୍ଥ ବ୍ୟବସ୍ଥା କରିଥିବା ବେଳେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣକୁ ସରକାର ସୁଧ ଛାଡ କରି ଚାଷୀଙ୍କ ବିଶ୍ୱାସ ଜିତିବାର ଉଦ୍ୟମ କରିଛନ୍ତି ।
୨୦୧୮ ଡ଼ିସେମ୍ବର ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ କ୍ଷମତାସୀନ ଦଳ ବିଜେପିର ପରାଜୟ ପାଇଁ ଚାଷୀ ଅସନ୍ତୋଷ ପ୍ରମୁଖ ଭୂମିକା ନେଇ ଥିଲା ଜଣାପଡିବା ପରେ ଓଡ଼ିଶା ସରକାର ୨୦୧୯ ସାଧାରଣ ନିର୍ବାଚନକୁ ଆଖିରେ ରଖି ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନାର ଡ଼ିଜାଇନ୍ କରିଥିଲେ । କଂଗ୍ରେସ ଓ ବିଜେପି ଶାସିତ ରାଜ୍ୟ ସରକାରମାନେ କୃଷି ଋଣ ଛାଡ କରି ଚାଷୀଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିଥିବା ବେଳେ ଓଡ଼ିଶା ସରକାର ଚାଷୀ, କୃଷି ଶ୍ରମିକ, ଭୂମିହୀନଙ୍କୁ ବିଭିନ୍ନ ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦେଇ ଚାଷୀଙ୍କ ଆର୍ଥିକ ଅବସ୍ଥା ସୁଧାରିବାର ପ୍ରଯତ୍ନ କରିଥିଲେ । ଚାଷୀଙ୍କୁ କୃଷି କାର୍ଯ୍ୟ କରିବା ସକାଶେ ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ମୋଟ ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବା ‘କାଳିଆ’ ଯୋଜନା ଅନ୍ତର୍ଭୁକ୍ତ । କେନ୍ଦ୍ର ସରକାର ‘କାଳିଆ’ ଯୋଜନା ଛାୟାରେ ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ଆର୍ଥିକ ସହାୟତାର ବ୍ୟବସ୍ଥା କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ‘କାଳିଆ’ ଯୋଜନାରେ ୭୫ ଲକ୍ଷ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଚାଷୀ, ଭାଗଚାଷୀ ଓ କୃଷି ଶ୍ରମିକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଂଚନ ଯୋଜନାରେ ୨୧୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଚାଷୀଙ୍କୁ ସାର ଯୋଗାଇବା ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ପଶୁ ଓ ଗୋପାଳନ ପାଇଁ ସରକାର ବଜେଟରେ ୬୫ କୋଟି ଟଙ୍କା ବ୍ୟୟବରାଦ କରିଥିବା ବେଳେ ସବୁଜ ବଳୟ ସୃଷ୍ଟି ପାଇଁ ୫୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ।
କେବଳ କୃଷି ନୁହେଁ, ରାଜ୍ୟ ସରକାର ୨୮ ତାରିଖ ବିଧାନସଭାରେ ଉପସ୍ଥାପନ କରିଥିବା ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟରେ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା, ଗୃହ ନିର୍ମାଣ, ପାନୀୟ ଜଳ ଯୋଗାଣ, ସହରାଂଚଳ ଉନ୍ନୟନ, ଭିତ୍ତିଭୂମୀ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ବଜେଟରେ ମହିଳାଙ୍କ ପାଇଁ ହୋଇଥିବା ୨, ୪୪୨ କୋଟି ଟଙ୍କା ବ୍ୟୟବରାଦରେ ମହିଳା ସଶକ୍ତିକରଣ ବାବଦରେ ୩୦୧ କୋଟି ଟଙ୍କା, ମମତା ଯୋଜନା ବାବଦରେ ୩୦୫ କୋଟି ଟଙ୍କା, ସପ୍ଲିମେଂଟାରୀ ନ୍ୟୁଟ୍ରିସନ୍ ସ୍କିମ୍ ରେ ୧,୦୩୬ କୋଟି ଟଙ୍କା ବ୍ୟୟ ବ୍ୟବସ୍ଥା ରହିଛି । ଶିକ୍ଷା ଓ କୌଶଳ ବିକାଶ ପାଇଁ ୧୯, ୪୯୨ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଏଥିରେ ସମଗ୍ର ଶିକ୍ଷା ଅଭିଯାନ ବାବଦରେ ୨, ୫୫୦ କୋଟି ଟଙ୍କା ଓ ମଧ୍ୟାହ୍ନ ଭୋଜନ ବାବଦରେ ୮୪୪ କୋଟି ଟଙ୍କା ବ୍ୟୟବରାଦ ରହିଛି । ସ୍ୱାସ୍ଥ୍ୟ ସେବା ପାଇଁ ହୋଇଥିବା ୬,୭୮୩ କୋଟି ଟଙ୍କା ବଜେଟ ବ୍ୟୟବରାଦରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧,୨୦୩ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିସନରେ ୫୭୮ କୋଟି ଟଙ୍କା ଓ ନ୍ୟାସନାଲ ହେଲ୍ଥ ମିସନରେ ୧, ୩୨୩ କୋଟି ଟଙ୍କା ବ୍ୟୟବରାଦ ରହିଛି । ଗ୍ରାମାଂଚଳ ଉନ୍ନୟନ କ୍ଷେତ୍ରରେ ବ୍ୟୟବରାଦ ହୋଇଥିବା ୨୦, ୮୨୪ କୋଟି ଟଙ୍କାରେ ପିଏମଏୱାଇ ଓ ବିଜୁ ପକ୍କା ଘର ଯୋଜନାରେ ଗୃହ ନିର୍ମାଣ ପାଇଁ ୪, ୮୨୦ କୋଟି ଟଙ୍କା ରହିଛି ।
ରାଜ୍ୟ ସରକାର ଚଳିତ ବର୍ଷ ହେବାକୁ ଥିବା ପୌର ନିର୍ବାଚନକୁ ଆଖିରେ ରଖି ସହରୀ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବଜେଟରେ ସହରାଂଚଳ ଉନ୍ନୟନ ଓ ଜଳଯୋଗାଣ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେଇଛନ୍ତି । ୫, ୫୭୯ କୋଟି ଟଙ୍କାର ସହରାଂଚଳ ବିକାଶ ଯୋଜନାରେ ଭୁବନେଶ୍ୱର ଓ ରାଉରକେଲା ସ୍ମାର୍ଟ ସିଟିର ବିକାଶ ପାଇଁ ୪୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ସେହିପରି, ୫,୦୦୦ କୋଟି ଟଙ୍କାର ପାଇପଡ୍ ଡ୍ରିଂକିଂ ୱାଟର ଯୋଜାନରେ ଗ୍ରାମାଂଚଳରେ ପାଇପ ଜଳ ଯୋଗାଣ ପାଇଁ ୨,୭୪୦ କୋଟି ଟଙ୍କା ଓ ବସୁନ୍ଧରା ଯୋଜନାରେ ସହରାଂଚଳରେ ପାଇପ ଜଳ ଯୋଗାଣ ପାଇଁ ୩୮୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଭିତ୍ତିଭୂମୀ ଉନ୍ନୟନ ପାଇଁ ୧୭, ୮୦୯ କୋଟି ଟଙ୍କାର ବଜେଟ ବ୍ୟୟବରାଦ ହୋଇଛି । ନୂଆ ରାସ୍ତା ନିର୍ମାଣ ଓ ପୁରୁଣା ରାସ୍ତା ସବୁର ଉନ୍ନତି ପାଇଁ ଏଥିରେ ୧୩୦୦ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି । ‘ଫନି’ ପ୍ରଭାବିତଙ୍କ ପାଇଁ ୫ ଲକ୍ଷ ଗୃହ ନିର୍ମାଣ କରାଯିବା ସକାଶେ ରାଜ୍ୟ ସରକାର ୨୦୧୯-୨୦ ବଜେଟରେ ୪, ୮୨୦ କୋଟି ଟଙ୍କା ବ୍ୟୟବରାଦ କରିଥିବା ଜଣାପଡିଛି । ରାଜ୍ୟ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ଏହି ବଜେଟ୍ ପ୍ରୋ-ଫାର୍ମର, ପ୍ରୋ-ୱିମେନ୍, ପ୍ରୋ-ପୁଅର୍ ଓ ଗ୍ରୋଥ୍ ଓରିଏଂଟେଡ୍ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଥିବା ବେଳେ ବିରୋଧୀ ଏହାକୁ ସମାଲୋଚନା କରିଛନ୍ତି ।
୨୦୦୦ ମସିହା ସୁଦ୍ଧା ରାଜ୍ୟର ଋଣ ଭାର ୧୮ ହଜାର କୋଟି ଟଙ୍କା ଛୁଇଁ ଥିବା ବେଳେ ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ସୁଦ୍ଧା ତାହା ୧ ଲକ୍ଷ ୬ ହଜାର କୋଟି ଟଙ୍କା ହୋଇପାରେ ବୋଲି ରାଜ୍ୟ ଅର୍ଥ ସଚିବ ଅଶୋକ ମୀନା ସୂଚନା ଦେଇଛନ୍ତି । ରାଜ୍ୟରେ କଂଗ୍ରେସ କ୍ଷମତାରେ ଥିବା ସମୟରେ ଋଣ ଭାର ୧୮ କୋଟି ଛୁଇଁବାରୁ ବିରୋଧୀ ଦଳ କଟୁ ସମାଲୋଚନା କରିଥିଲେ ଏବଂ ଏହା କଂଗ୍ରେସ କ୍ଷମତାରୁ ଯିବାର ଅନ୍ୟତମ କାରଣ କୁହାଯାଉଥିଲା । ଏବେ ତାହା ଲକ୍ଷେ କୋଟି ଟପିଛି । ତେବେ, ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଋଣ କରିବାରେ କିଛି ଅସ୍ୱାଭାବିକତା ନାହିଁ ବୋଲି ବରିଷ୍ଠ ବିଜେଡ଼ି ନେତା ତଥା ରାଜ୍ୟର ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ମତବ୍ୟକ୍ତ କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଖୋଲା ବଜାରରୁ ୧୬, ୪୩୪ କୋଟି ଟଙ୍କା ଋଣ ଉଠାଇବା ଲକ୍ଷ୍ୟ ରଖିଛନ୍ତି । ସରକାର ବିଭିନ୍ନ କ୍ଷେତ୍ରରୁ ମୋଟ ୨୩,୭୮୪ କୋଟି ଟଙ୍କା ଋଣ କରିବେ ବୋଲି ସରକାରୀ ଭାବେ କହୁଯାଇଛି । ଋଣ ଆଣି ଭିତ୍ତିଭୂମିର ବିକାଶ କରାଯାଉଛି । ସରକାର ଏକ୍ଷେତ୍ରରେ ଲକ୍ଷ୍ମଣ ରେଖା ଭିତରେ ରହିଛନ୍ତି ବୋଲି ଅର୍ଥ ସଚିବଙ୍କ ଯୁକ୍ତିରେ ବାସ୍ତବତା କେତେ , ତାହା ରାଜ୍ୟବାସୀଙ୍କୁ ଅଛପା ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS